ମୁଁ ସାଗର ତଟର ବାଲି
ବାରମ୍ବାର, ସାଗରକୁ ଆଲିଙ୍ଗନ କରି,
ଆତଯାତ ଭାବନାର ଲହରୀରେ ଭିଜି,
ପ୍ରତୀକ୍ଷାରେ ରହିଛି ପଡ଼ି…
ଦୂରୁ ଦିଶୁଥାଏ
ଶାନ୍ତ, ସଉମ୍ୟା,
ରଙ୍ଗର ସେ ଆସ୍ତରଣ ବହଳ,
ଉତ୍ସଙ୍ଗେ ମୋ ପ୍ରୀତିର ପ୍ରତୀକ,
ଅନେକ ରତ୍ନର ମେଳ…
ମୁଁ ତପ୍ତ ବାଲି, ସେ ଶୀତଳ ସାଗର !
ପ୍ରଣୟ ପିଆସି ମୁଁ,
ଚିର ଛଟପଟ…
ଏମିତିକା ଏକ ପ୍ରୀତି !
ଅସମ୍ଭବ ସେ,
ତାକୁ ରଖିବି କେମିତି ବାନ୍ଧି?
ଭିଜୁଛି, ମୁଁ ଭିଜୁଥିବି…
ହେଉ ପଛେ ଆବଧିକ,
ରୂପ ସମ୍ପର୍କର
ବିଶାଳ ସାଗର ଆଉ ବାଲି କଣିକାର…
କେଉଁ କାଳୁ ସେଇ ମଧୁର ବନ୍ଧନ,
କାୟା ସଙ୍ଗେ ଛାୟା
ମିଶ୍ରିତ ଚିତ୍ରଣ…
– କୃଷ୍ଣା ମିଶ୍ର