You are currently viewing ମୁଁ ନୁହେଁ
Odia Poem Mun Nuhen (ମୁଁ ନୁହେଁ) by Prativa Parida

ମୁଁ ନୁହେଁ

ତୁମ କଳ୍ପନାର ପଟ୍ଟଚିତ୍ରରେ ଅଙ୍କା ଯାଇଥିବା ଛବି ମୁଁ ନୁହେଁ ।
ତୁମ ଭାବନାରେ ମତେ ଉପହାର ଦେଇଥିବା ମାନ୍ୟତା ମୁଁ ନୁହେଁ ।
ତୁମ ସୁନେଲି ସପନର ନାୟିକା ମୁଁ ନୁହେଁ କି ତୁମକୁ ପ୍ରତାରଣା ଦେଇଥିବା ନିର୍ଦ୍ଦୟୀ ମୁଁ ନୁହେଁ ।
ତୁମ ସମାଲୋଚନାର ବିଷୟ ମୁଁ ନୁହେଁ କି ତୁମ ପ୍ରଶଂସାର ପାତ୍ରୀ ମୁଁ ନୁହେଁ ।
ମନକୁ ଶୀତଳ ସ୍ପର୍ଶ ଦେଉଥିବା ମୃଦୁମଳୟର ଝଲକାଏ ପବନ ମୁଁ ନୁହେଁ କି ମନକୁ ଦୋହଲାଇ ଦେଉଥିବା ବତାସ ମୁଁ ନୁହେଁ ।
ସମାଜର ମାପଦଣ୍ଡରେ ତଉଲା ହୋଇ ମୁକୁଟ ବିଜୟୀ ସତୀ ସାବିତ୍ରୀ ମୁଁ ନୁହେଁ କି ଲାଞ୍ଛିତ କଳଙ୍କିତ ଚରିତ୍ରହୀନା ମୁଁ ନୁହେଁ ।
ତୁମ ପ୍ରତ୍ୟାଶାର ପରିଣାମ ମୁଁ ନୁହେଁ କି ତୁମ ମନର ଅବଶୋଷ ମୁଁ ନୁହେଁ ।
ମୁଁ ଯିଏ ହୁଏ ନା କାହିଁକି ତୁମ ପ୍ରମାଣପତ୍ରର ଦାବିଦାର ମୁଁ ନୁହେଁ କି ତୁମ ମିଥ୍ୟା ଅପବାଦର ହକଦାର ମୁଁ ନୁହେଁ ।
ଗୋଟିଏ କଥା କହିବି ତୁମେ ଯାହାକୁ ଜାଣିବାର ଅଭିନୟ କରୁଛ ମୁଁ ସିଏ ହିଁ ନୁହେଁ ।

– ପ୍ରତିଭା ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରତିଭା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।