You are currently viewing ମୁକ୍ତି ଆଉ କାହିଁ?
Odia Poem Mukti Au Kahin (ମୁକ୍ତି ଆଉ କାହିଁ?) by Namita Padhi

ମୁକ୍ତି ଆଉ କାହିଁ?

ନାରୀ ଯୁଗେ ଯୁଗେ ପରାଧିନା
ସତେ ଅବା କାଠ କଣ୍ଢେଇଟେ
ଏଠି ତା’ର ମୁକ୍ତି ଆଉ କାହିଁ?
ତା’ ଜନ୍ମ ଖବରରେ ବି
ଆତ୍ମୀୟଙ୍କ ମୁଣ୍ଡରେ ଝାଳ
ବଢ଼ିଯାଏ ଚିନ୍ତା ଆଉ ଚିନ୍ତା
ଛୋଟବେଳୁ ଆକଟ ତା’ ପାଇଁ
ବାହାରକୁ ଯିବୁ ନାହିଁ
ଯଦି ଯିବୁ ଅନୁମତି ନେଇ ଯିବୁ
ବଡ଼ ହେଲା ଝିଅ ଏବେ ଆହୁରି ଆକଟ
ସଭିଙ୍କ ନଜରେ ସେ ଏବେ
ପଥର ମୁକୁଟ
ତାକୁ ତ ସଭିଏଁ ଚାଲିଛନ୍ତି ବୋହି
ଏଠି ତା’ର ମୁକ୍ତି ଆଉ କାହିଁ?

ପାଠ ପଢ଼ି ନାଁ ତ ରଖିବ
ତା’ ସହ ସଂସ୍କାର ବି ଶିଖ
ପ୍ରିୟପାତ୍ର ହେବା ପାଇଁ
ସହିବା ବି ଶିଖ
ତୁ ସର୍ବଗୁଣା ପରିପୂର୍ଣ୍ଣା
ସର୍ବଂସହା
ନହଲେ ତୋ’ ମୁକ୍ତି ଜମା ନାହିଁ
ଏଠି ତା’ର ମୁକ୍ତି ଆଉ କାହିଁ?

ସଂସାର କରିବା ଝିଅ ନିହାତି ଜରୁରୀ
ରୀତିନୀତି ଠିକାଦାର
ଏକା ହେବୁ ତୁହି
ତୋ’ ମୁଣ୍ଡରେ ବାରହାତ ଖଣ୍ଡା ରଖି
ପ୍ରଶଂସା କରିବେ
ଆଜୀବନ ଅଗ୍ନି ପରୀକ୍ଷାରେ
ତୁ ହେବୁ ଅୟୁତା ବୈଦେହୀ ।
ସ୍ନେହ ବୋଳା ମିଠା ମିଛ କହି
ତୋତେ ହସାଇବେ
ନାରୀ ତୁ ସହିଯିବୁ ଅଳି ଅର୍ଦ୍ଦଳି ଯେତେକ
ଯେତେ ପ୍ରଶ୍ନବାଚୀ
ସ୍ୱାମୀ ପୁଅ ଝିଅ
ଏଇତ ଯାବତ ସମ୍ପତ୍ତି
କେତେ ବା କାନ୍ଦିବ ନାରୀ
ଚାଲିବ ଜୀବନ ତା’ର କରୁକଳ୍ପେ
ମୁକ୍ତିର ମାନସିକ ଖିଅ ବାନ୍ଧି ଦେଇ
ହେଲେ ତା’ର ମୁକ୍ତି ଆଉ କାହିଁ?

– ନମିତା ପାଢ଼ୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନମିତା ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।