You are currently viewing ଘୋଷଯାତ୍ରା
Odia Poem GhoshaJatra (ଘୋଷଯାତ୍ରା) by Kalyani Nanda on Lord Jagannath

ଘୋଷଯାତ୍ରା

ଓଡ଼ିଶାର ମଉଡ଼ମଣି ଆହେ ଜଗନ୍ନାଥ,
ତୁମ ମହିମା ଯେ ସାରା ଜଗତେ ବିଖ୍ୟାତ
ଓଡ଼ିଆଙ୍କ ଗର୍ବ ଓଡ଼ିଶା ଗୈାରବ
ତୁମେ ତ ପ୍ରଭୁ ଆହେ ଦୀନ ବାନ୍ଧବ ।

ଶ୍ରୀ ଗୁଣ୍ଡିଚା ଯାତରେ ବରଷକ ଥରେ
ବିଜେ ହୋଇଥାଅ ପ୍ରଭୁ ରଥ ଉପରେ
ଧନ୍ୟ ହୁଏ ରଥ ଧନ୍ୟ ହୁଏ ପଥ
ଧନ୍ୟ ଓଡ଼ିଶାର ସେ ରଥଯାତ ।

ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ
ଶହେ ଆଠ ଗରା ଜଳେ ସ୍ନାନ କରିଣ
ଅସୁଖ ହୋଇଣ ଅଣସର ଘରେ କରି ଅବସ୍ଥାନ,
ଅଲାରନାଥ ଭାବେ ଭକତଗଣଙ୍କୁ ଦିଅ ଦରଶନ ।

ଶୁକ୍ଳ ପକ୍ଷ ଆଷାଢ଼ ଦ୍ୱିତୀୟା ତିଥିରେ
ନବଯୌବନ ବେଶ କରି ଧାରଣ ରଥେ ଉଭା ହୁଅ
ଦେଖି ଭକ୍ତ ଗଣ ତବ ସେ ଅପୂର୍ବ ବେଶ,
ଭାବ ଭକ୍ତିରେ ହୁଅନ୍ତି ବିଭୋର
ଆହେ ଭାବଗ୍ରାହୀ ନୀଳମାଧବ ।

ଛଳିଆ ଠାକୁର ବୋଲି ଜାଣନ୍ତି ସଭିଏଁ
କି ନାଟ ସତରେ ଏସନ ଲଗାଇ ଦେଲ
ଘୋଷଯାତ୍ରା ପାଇଁ ପ୍ରଶ୍ନ ଉତ୍ତର ସବୁ ନିଜେ ଲେଖିଲ
ଭକତ ପ୍ରେମେ ସଦା ବନ୍ଧା ତୁମ ମନ
ତୁମେ ଥାଉଁ ଥାଉଁ ରଥଯାତ୍ରା ରୋକିବାକୁ କିଏ ଅବା ସକ୍ଷମ?

ଦ୍ୱିତୀୟା ତିଥିରେ ଚତୁର୍ଦ୍ଧା ମୂରତି ହେଲେ ରଥାରୂଢ଼
ଶଙ୍ଖ ଘଣ୍ଟ ଧ୍ଵନିରେ କମ୍ପିଲା ଚଉଦ ଭୁବନ
ଭକତଙ୍କ ମୁଖେ ଫୁଟାଇ ହସ ଆହେ ଚକାନୟନ
ତାଳଧ୍ଵଜ ରିପୁଦଳନ ନନ୍ଦିଘୋଷ ରଥେ ବିଜେ କଲ
ରଥ ଗଡ଼ୁଥାଏ ଗଡ଼ୁଥାଏ ଚକ ଭକତ ଦିଅନ୍ତି ହରିବୋଲ ।

ନବଦିବସ ଖୁସିରେ ରହିଣ ମାଉସୀ ଘର
ବାହୁଡ଼ିବା ଦିନ ତୁମ ବାହୁଡ଼ା଼ ଯାତ ଭାବେ ବିଖ୍ୟାତ
ସିଂହଦ୍ୱାର ପାଶେ ରହି ବଡ଼ଦାଣ୍ଡରେ ଭକ୍ତଙ୍କୁ ଦିଅ ଦର୍ଶନ,
ସୁନାବେଶ ତୁମ କି ମନଲୋଭା ସତେ
ଭକତ ଦେଖନ୍ତି ହୋଇ ମଗନ
ନୀଳାଦ୍ରି ବିଜେ କର ମାତା ଲକ୍ଷ୍ମୀଙ୍କର କରି ମାନଭଞ୍ଜନ
ବିଜେ ହୁଅ ରତ୍ନସିଂହାସନେ ଆହେ ପତିତପାବନ ।

ଆହେ ପ୍ରଭୁ ଦୀନବନ୍ଧୁ କରୁଣା ସାଗର
ତୁମ କରୁଣା ବାରି ଦିଅ ଝରାଇ ହେ ଦୟାସାଗର
ଜଗତ ଉଦ୍ଧାର କର ହେ ପ୍ରଭୁ ଜଗତର ନାଥ ଆହେ ଜଗନ୍ନାଥ ।

– କଲ୍ୟାଣୀ ନନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଲ୍ୟାଣୀ ନନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।