You are currently viewing ତୋ ବିନୁ ଅନ୍ୟ ଗତି ନାହିଁ
Odia Short Story To Binu Anya Gati Nahi (ତୋ ବିନୁ ଅନ୍ୟ ଗତି ନାହିଁ) by Nibedita Behera

ତୋ ବିନୁ ଅନ୍ୟ ଗତି ନାହିଁ

– କାଳିଆ ଶୁଣିଲୁଟି ଏଥର ମାଉସୀ ଘରକୁ ଯାଇ ପାରିବା ନାହିଁ, ବଡ଼ ଦେଉଳରେ ରହିବା । ମାଉସୀ ମା’ ପ୍ରସ୍ତୁତି ଆରମ୍ଭ କରି ଦେଇଥିବ ତାକୁ ବି ଖବର ଦେବାକୁ ହେବ । କ’ଣ କରିବା କହିଲୁ ବର୍ଷକୁ ଥରେ ରଥଯାତ୍ରା, ତା’କୁ ବି କୋର୍ଟ ମନା କରିଦେଲା । ଦେଉଳ ଖାଁ ଖାଁ ଲାଗୁଚି । ଖାଲି ଖାଇ କରି ଶୋଇବା କଥା । ସେଥିରେ ପୁଣି ଯାତ୍ରା ବି ମନା ହେଇଗଲା । ମୋତେ କିଛି ଭଲ ଲାଗୁନି । ତୁ କିଛି କରେ କାଳିଆ ।

– ଓହୋ ଭାଇନା ! ତମେ ତ ଖାଲି ବ୍ୟସ୍ତ ହେଇପଡୁଚ ଆଉ । ଦି’ଦିନ ଅପେକ୍ଷା କର । ମହାମାରୀ ବ୍ୟାପିଛି ତମେ କ’ଣ ଜାଣି ନ? ଏ ସମୟରେ ଯାତ୍ରା ହେଲେ ଲୋକଙ୍କ ପାଇଁ ବିପଦ । ଆମେ ଏଇ ଗୋଟେ ବର୍ଷ ଯିବା ନାହିଁ; ଆର ବର୍ଷକୁ ଯିବା । ନା କ’ଣ କହୁଚ ଭାଇନା?

– ତୋ’ କଥା ମୁଁ ବୁଝୁଛି ଯେ ହେଲେ ମାଉସୀକୁ କ’ଣ କହିବା କହିଲୁ? ତା ହାତ ପରଶା ଖାଇବାକୁ ଭାରି ମନ ଥିଲା । ହେଲେ…
– ଦୁଇ ଭାଇ ଏଠି କ’ଣ କରୁଚ? ସେପଟେ ପଣ୍ଡାମାନେ କାନ୍ଦି କି ଗୁହାରି କରୁଛନ୍ତି । ସେଠିକି ଚାଲ ଯିବା ।

ତିନି ଭାଇ ଭଉଣୀ ସେଠାକୁ ଯାଇ ଶୁଣୁଛନ୍ତି ଲୋକଙ୍କ କ୍ରନ୍ଦନ । କାଳିଆକୁ କେତେ ଯେ ଅନୁରୋଧ ରଥ ପାଇଁ !!!

– ଦେଖିଲୁଟି କାଳିଆ ! ଭକ୍ତ ମାନେ ଆମକୁ କେତେ ଝୁରୁଛନ୍ତି । ଏ ସବୁ ଶୁଣି ତୋ ମନରେ କ’ଣ ଟିକେ ବି ଦୟା ଆସୁନି କିରେ?
– ଆରେ ଭାଇନା ତମେ ଖାଲି ବ୍ୟସ୍ତ ହେଇ ପଡୁଚ ଆଉ । କହିଲି ତ ଟିକେ ଅପେକ୍ଷା କର ଦୁଇ ଦିନ ।
– ଆରେ ତୁ କ’ଣ ଖାଲି ଦୁଇ ଦିନ ଅପେକ୍ଷା କରିବାକୁ କହୁଚୁ ! କ’ଣ କିଛି ନାଟ ଲଗେଇଛୁ ବୋଧେ ଆଉ !!

କାଳିଆ ଖାଲି ହସି ଦିଏ ।

ଦୁଇଦିନ ପରେ ବଡ଼ ଦାଣ୍ଡରେ ଖୁସିର ଲହରୀ । ବଡ଼ ଭାଇ ହସ ହସ ମୁହଁରେ ଆସି କାଳିଆକୁ ଖୋଜୁଛନ୍ତି ।

– ବୁଝିଲୁ କାଳିଆ ରଥ ଟଣା ହେବ । କିନ୍ତୁ ବିନା ଭକ୍ତରେ ।
– ମୁଁ ଜାଣିଚି ଭାଇନା ।
– ତା’ହେଲେ ତୁ ସବୁ ଜାଣି କି ଏସବୁ…
– ଭାଇନା ! କୋରନା ପାଇଁ ଏ ସବୁ କରିବାକୁ ହେଲା । ରଥ ପାଇଁ ଯଦି କୋର୍ଟ ଅନୁମତି ଦେଇଥାନ୍ତେ ତା’ହେଲେ ଲୋକ ଆଉ କୌଣସି କଟକଣା ମାନି ନଥାନ୍ତେ । ସେ ପାଇଁ ମୋତେ ଏ ନାଟ ଲଗେଇବାକୁ ହେଲା । ଲୋକ ଜାଣିଲେ ଯେ ଆମେ ଘରେ ନ ରହିଲେ କାଳିଆ ଆସିବନି । ତେଣୁ ଲୋକ କୋର୍ଟରେ ଗୁହାରି କଲେ ଆମେ ପଛେ ନ ଯାଉ କିନ୍ତୁ ରଥ ଟଣା ହେଉ । ଆମେ ମାଉସୀ ଘରକୁ ଯିବା ତ ବର୍ଷକୁ ଥରେ । ପିଠା ପଣା ଖାଇ ମଜା କରି ଆସିବା । ଭକତେ ଆମକୁ ଟିଭିରେ ଦେଖି ପାରିବେ ।

ବଡ଼ ଭାଇ ହସି ହସି କହିଲେ – “ତୁ ସତରେ କାଳିଆ ନାଟୁଆଟିଏ । ନାଟ ଲଗେଇ ଦଉଚୁ ।”

– ଭାଇନା ଭକତେ ପରା ମୋ ଜୀବନ । ମୋ ଯାତ୍ରା ପାଇଁ ସେମାନଙ୍କ ଜୀବନକୁ କଷ୍ଟ ଦେଇ ପାରିବିନି ।
– ବୁଝିଲୁ କାଳିଆ ତୋ’ ଲୀଳା ସହଜରେ ଜାଣି ହେବନି । ତୁ ସତରେ ଲୀଳାମୟ । କରି କରାଉ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ…

– ନିବେଦିତା ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିବେଦିତା ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।