You are currently viewing ବହିର ମଲାଟ
Odia Story Bahira Malata (ବହିର ମଲାଟ) by Samita Sahoo

ବହିର ମଲାଟ

ବସରେ ଠେଲା ପେଲା ଗହଳିକୁ ଘୃଣା କରୁଥିବା ଝିଅ ଯେ ପ୍ରତିଦିନ ବସରେ ଯିବା ଆସିବା କରିବାକୁ ହବ ଭାବି ନଥିଲି । ବସରେ ବାପା ବୋଉଙ୍କ ସହ ମାମୁଁ ଘର ଗଲାବେଳେ ବହୁତ ଚିଡ଼େ ମୁଁ । ସେଥିପାଇଁ ଟ୍ରେନରେ ଯାଉ । କେବେ କେବେ ଭୁବନେଶ୍ୱର ଆସିଲେ ବାପାଙ୍କ ସଙ୍ଗେ ସ୍କୁଟରରେ ଆସେ । ହେଲେ ରମାଦେବୀ ମହାବିଦ୍ୟାଳୟରେ ପଢ଼ିବା ଇଚ୍ଛା ଯୋଗୁଁ ମୁଁ ନିଜ ସହ ସାଲିସ୍ କରିନେଇଥିଲି । କୁହନ୍ତିନି ଯେଉଁଟା ତୁମେ ଚାହୁଁ ନଥିବ, ସେଇ ଜିନିଷଟା ତୁମସହ ବାରମ୍ୱାର ଘଟିବ !

ମୁଁ ବସରେ ବସିବାକୁ କାହିଁକି ଘୃଣା କରେ ତାହା ଆପଣ ହୁଏତ ଅଳ୍ପେ ବହୁତେ ଅନୁମାନ କରିପାରୁଥିବେ । ତଥାପି କହି ଦେଉଛି । ବସ କଣ୍ଡକ୍ଟର୍ ପଛରେ ଧାନ ବୁଣିବାକୁ ଜାଗା ଅଛି ବୋଲି ବସକୁ ଉଠେଇ ଦେବ, ହେଲେ ଛିଡ଼ା ହବାକୁ ବି ଜାଗା ନଥିବ । ଯଦି ଗହଳି ଯୋଗୁଁ ଓହ୍ଲେଇବାକୁ ଚାହିଁଲ, ବସ ଏବେ ଛାଡ଼ିବ କହି ଅଟକେଇବ । ସିଟ ଅଛି ବୋଲି କହି ଉଠେଇଥିବ ଟି, ସିଟ ମାଗିଲେ କହିବ, “ସେ ବାବୁ ଆଗ ଛକରେ ଓହ୍ଲେଇବେ କହୁଥିଲେ, ଓହ୍ଲେଇଲେ ବସିବ ଆଉ” । ରାଗରେ ଦାନ୍ତ କଡ଼ମଡ଼ ହୁଏ ସିନା କିଛି କହିପାରେନି ମୁଁ । ସବୁଠୁ ଖରାପ ଲାଗେ ଏହି ଗହଳିର ସୁଯୋଗ ନେଇ କେତେ ଜଣ ଜାଣି ଶୁଣି ସ୍ତ୍ରୀ ଲୋକଙ୍କ ଦେହକୁ ଆଉଜି ଛିଡ଼ା ହେବେ । ନିଜ ଭଉଣୀ ହେଲେ କ’ଣ ଏମିତି ଛିଡ଼ା ହୁଅନ୍ତେ? କହିବେ, ସମସ୍ତେ କାହିଁକି ଭଉଣୀ ହେବେ !? ସହି ବି ହୁଏନି ଏସବୁ, ଭାରି ଖରାପ ଲାଗେ ।

ଏବେ ମୁଖ୍ୟ କଥା ଉପରକୁ ଆସିବା । ମୋ ଗାଁ’ରୁ ଭୁବନେଶ୍ୱର ରମାଦେବୀ କଲେଜ ମାତ୍ର ୪୦ କିଲୋମିଟର ଦୂର । ସିଟି ବସରେ ପ୍ରତିଦିନ ଯିବା ଆସିବା କରେ । ରମାଦେବୀରୁ ବାଣୀବିହାର ଦେଇ ବରମୁଣ୍ଡା, ତା’ ପରେ ଖୋର୍ଦ୍ଧା । ମାତ୍ର ଦେଢ଼ ଘଣ୍ଟା ଲାଗେ । ସବୁ ଦିନ ପରି କ୍ଲାସ ସାରି ଦିନ ସାଢ଼େ ଗୋଟେ ପାଖା ପାଖି ବସରେ ବସିଲି । ଭାଗ୍ୟକୁ ସିଟ୍ ମିଳିଗଲା, ଏବେ ଶାନ୍ତିରେ ଘରେ ପହଞ୍ଚିଯିବି । ଜୟଦେବ ବିହାର ଛକ ବସ ଷ୍ଟପରେ ଜଣେ ଦିବ୍ୟାଙ୍ଗ ବସରେ ଉଠିଲେ, ମୁଁ ତତକ୍ଷଣାତ୍ ନିଜ ସିଟ୍‌ଟି ତାଙ୍କୁ ଦେଇଦେଇ ଛିଡ଼ା ହେଇ ରହିଲି ।

ବସ ଚାଲିଥାଏ, ଦେଖିଲି କେହି ଜଣେ ମତେ ଏକ ଲୟରେ ଚାହିଁଛନ୍ତି । ମୁଁ ସାଙ୍ଗେ ସାଙ୍ଗେ ମୁହଁ ବୁଲେଇ ଅନ୍ୟଆଡ଼େ ଚାହିଁ ଠିଆହେଲି । ଯଦି କହିବି ମତେ କାହିଁକି ଚାହିଁଛନ୍ତି, ସେ ଓଲଟା ଜବାବ ଦେଇପାରନ୍ତି, “ତୁମେ ଯଦି ମତେ ଚାହିଁ ନଥିଲ ମୁଁ ଚାହିଁଛି ବୋଲି ଜାଣିଲ କେମିତି?” ପରେ ସେ ବ୍ୟକ୍ତି ଜଣଙ୍କ ମତେ ଡାକୁଛନ୍ତି ବୋଲି ପାଖରେ ଛିଡ଼ା ହେଇଥିବା ଆଉ ଜଣେ ବ୍ୟକ୍ତି କହିଲେ । ମୁଁ କହିଲି, ମୁଁ ତାଙ୍କୁ ଚିହ୍ନେ ନାହିଁ । କିଛି ସମୟ ପରେ ସେ ପୁଣି ଥରେ କହିଲେ ସେ ମତେ ହିଁ ଡାକୁଛନ୍ତି । ମୁଁ ତଥାପି ଶୁଣିଲି ନାହିଁ । ଏଥର ମୁଁ ଟିକେ ଟିକେ ଡରି ଯାଇଥିଲି । ବସରେ ଏତେ ଲୋକ ଅଛନ୍ତି ବୋଲି ଭାବି ନିଜକୁ ଶାନ୍ତ୍ୱନା ଦେଲି । ତା’ପରେ ସେ ନିଜେ ମତେ ବଡ଼ ପାଟିରେ ଡାକି ପଚାରିଲେ, “ମାଡ଼ାମ୍ କେଉଁଠି ଓହ୍ଲେଇବେ?”

ମୁଁ ତ ଆହୁରି ରାଗିଗଲି ମୁଁ ଯୋଉଠି ଓହ୍ଲାଏ ୟାଙ୍କର କ’ଣ ଯାଏ ! ଏହା ମଧ୍ୟରେ ବରମୁଣ୍ଡା ପାଖାପାଖି ବସ ପହଞ୍ଚିଯାଇଥିଲା । ତା’ପରେ ମୋ ପାଖରେ ଛିଡ଼ା ହେଇଥିବା ବ୍ୟକ୍ତିଙ୍କ ଜରିଆରେ ଜଣେଇଲେ ଯେ ସେ ଖଣ୍ଡଗିରିରେ ଓହ୍ଲେଇବେ ଆଉ ମତେ ସିଟ୍‌ଟି ଦବାକୁ ଚାହୁଁଛନ୍ତି, ସେଥିପାଇଁ ମୁଁ କେଉଁଠିକୁ ଯିବି ଜାଣିବାକୁ ଚାହାନ୍ତି । କାଳେ ସେ ସିଟ ଛାଡ଼ିବା ପରେ ଆଉ କେହି ବସି ଯିବେ, ସେଥିପାଇଁ ମତେ ସିଟ ପାଖକୁ ଆସିବାକୁ କହୁଛନ୍ତି । ମୁଁ ଯାଉ ଯାଉ ଖଣ୍ଡଗିରି ଷ୍ଟପେଜ ଆସିଗଲା । ମତେ ବସିବାକୁ ଦେଇ ସେ ଓହ୍ଲେଇ ଗଲେ, ଧନ୍ୟବାଦଟିଏ ବି ଦେଇ ପାରିଲି ନାହିଁ । ନିଜକୁ ଅପରାଧୀ ଭଳି ଲାଗୁଥାଏ ତାଙ୍କ ପ୍ରତି ମନରେ ଏତେ ଖରାପ ଧାରଣା ଆଣିଥିବାରୁ । କିଏ ଜଣେ ସତରେ କହିଥିଲେ- “Don’t judge a book by its cover.”

– ସମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।