You are currently viewing ଶ୍ରୀକୃଷ୍ଣ
Odia Poem Srikrishna (ଶ୍ରୀକୃଷ୍ଣ) by Sachidananda Mohanty

ଶ୍ରୀକୃଷ୍ଣ

ଧରଣୀ କ୍ରନ୍ଦନ ଶୁଣି ଜନାର୍ଦ୍ଦନ
ପାପୀଙ୍କର ବିନାଶନ,
ପାଇଁ ଅବତୀର୍ଣ୍ଣ, ପୃଥିବୀ ପୃଷ୍ଠରେ
କଲେ ଧର୍ମ ସଂସ୍ଥାପନ ।

ଗବେଷକ ଗଣ କରନ୍ତି ବର୍ଣ୍ଣନ
ଖ୍ରୀଷ୍ଟ ପୂର୍ବ ୩୨୨୭ ବର୍ଷ,
ଭାଦ୍ରବ ଅଷ୍ଟମୀ ବୃଷରେ ରୋହିଣୀ
କୃଷ୍ଣ ପକ୍ଷ ରାତ୍ର ଅର୍ଦ୍ଧ ।

ଗଗନେ ପ୍ରକାଶି ଅଷ୍ଟମୀର ବାରୀ
ଗୋବିନ୍ଦ ହେଲେ ଭୂମିଷ୍ଠ,
ନୀଳ କଳେବର ଜିମୂତ ସୁନ୍ଦର
କାରା ଗୃହ ଉଦ୍ଭାସିତ ।

ଶଙ୍ଖ, ଚକ୍ର, ଗଦା, ପଦ୍ମ ଶ୍ରୀ ଭୂଜରେ
ମାତା ପିତାଙ୍କୁ ଦର୍ଶନ,
ଦେଲେ ଦୟାମୟ, ତାଙ୍କରି ନିର୍ଦ୍ଦେଶେ
ଗୋପପୁରେ ଅବସ୍ଥାନ ।

ଆନନ୍ଦେ ବିହ୍ଵଳ ବିଶ୍ୱ ଚରାଚର
କୃଷ୍ଣଙ୍କୁ ପାଇ କୋଳରେ,
ଲୀଳାମୟଙ୍କର ଲୀଳା ଦରଶନ
ଦୁର୍ଲ୍ଲଭ ସାରା ସଂସାରେ ।

ଗୋପପୁରେ ବାଲ୍ୟଲୀଳା ସମାହିତ
ଗୋପୀ ଗୋପାଳ ଗହଣେ,
ତା’ ମୋହନ ଠାଣି ନିଏ ମନ କିଣି
ଆନନ୍ଦ ନନ୍ଦ ଭୁବନେ ।

ଦେବଙ୍କୁ ଦୁର୍ଲ୍ଲଭ ଯେଉଁ ପରଂବ୍ରହ୍ମ
ସାଧାରଣ ଶିଶୁ ପରି,
ଚପଳାମୀ କରେ ଲୋଟଇ ଭୁଇଁରେ
ବ୍ରଜ ଦାଣ୍ଡେ ଗିରିଧାରୀ ।

ଧେନୁ ପଛେ ପଛେ ନାଚି ନାଚି ଧାଏଁ
ଜଗତ ପାଳନ କର୍ତ୍ତା,
ଗୋପାଳ ବାଳକ ମେଳେ କଉତୁକ
ଅଲୌକିକ ତା’ର ଗାଥା ।

ଗୋପ ଗୋପାଳୁଣୀ ନୟନର ମଣି
ନନ୍ଦ ଯଶୋଦାଙ୍କ ଆତ୍ମା,
ବୃନ୍ଦାବନ ଚାନ୍ଦ ସେହି ମକରନ୍ଦ
ଗୋପପୁରର ଗାରିମା ।

ଲବଣି ଚୋରାଏ ମୁରଲୀ ବଜାଏ
ତ୍ରିଭଙ୍ଗି ଠାଣିରେ ନାଚେ,
କାଳନ୍ଦୀ ବିପିନେ ରାଧାରାଣୀ ପ୍ରେମେ
ବୃନ୍ଦାବନେ ରାସ ରଚେ ।

ବକା, ଅଘା, କାଗା, ପୁତନା, ଶକଟା
କଂସ, କେଶୀ ଆଦି ଦୁଷ୍ଟ,
ପାପୀ ଶିଶୁପାଳ, ମାନୀ ଦୁର୍ଯ୍ୟୋଧନ
ସଂହାରି, ମହୀ ଆଶ୍ୱସ୍ତ ।

ସେହି ଶ୍ରେଷ୍ଠ ପୁତ୍ର ମାତା ପିତା ଗର୍ବ
ଶ୍ରୀକୃଷ୍ଣ, ପୁରୁଷ ଶ୍ରେଷ୍ଠ,
ପରମ ବାନ୍ଧବ ଉତ୍କୃଷ୍ଟ ନାୟକ
ସହୋଦର ସର୍ବୋତ୍କୃଷ୍ଟ ।

ଶ୍ରେଷ୍ଠ ଗୁରୁଦେବ ଶାନ୍ତି ଦୂତ ଶ୍ରେଷ୍ଠ
ଅଟେ ଉତ୍ତମ ବିଦ୍ୟାର୍ଥୀ,
କୂଟନୀତି ଦକ୍ଷ ଶରଣ ରକ୍ଷକ
ଅଟେ ଉତ୍କୃଷ୍ଟ ସାରଥୀ ।

ଭାରତ ଯୁଦ୍ଧରେ ଅର୍ଜୁନ ପଛରେ
ସେହି ରଚୁଥିଲା ରଣ,
ସଂହାର କର୍ତ୍ତା ସେ ନିଜକୁ ସଂହାରେ
ସେହି କର୍ତ୍ତା ସେହି କର୍ମ ।

ସର୍ବ ଶ୍ରେଷ୍ଠ ଜ୍ଞାନ ଭଗବତ ଗୀତା
କହିଥିଲା ଯୁଦ୍ଧ ମଧ୍ୟେ,
ଯାହାକୁ ପାଥେୟ କରି ଏ ସଂସାର
ଚାଲଇ ଉତ୍ତମ ପଥେ ।

ସାଂଖ୍ୟ ଯୋଗ, କର୍ମଯୋଗ, ଜ୍ଞାନଯୋଗ
ଭକ୍ତିଯୋଗ ଶିକ୍ଷା ଦାନ,
କରିଥିଲା ସେହି ଉଦ୍ଧରିବା ପାଇଁ
ବିଷୟା ସକ୍ତ ଜୀବନ ।

ଦ୍ୱାପର ଯୁଗର ଅସ୍ତମିତ ବେଳେ
ଶ୍ରୀକୃଷ୍ଣଙ୍କ ଅବତାର,
ଏକଶ ପଚିଶ ବର୍ଷ ଆଠ ମାସେ
ଇହ ଲୀଳା ସମ୍ବରଣ ।

୫୨୪୮ ବର୍ଷ କଳିଯୁଗ ଭୋଗ
ସର୍ବତ୍ର ଅଶାନ୍ତି ଦ୍ୱେଷ,
ଗୀତା ଜ୍ଞାନ ଶିକ୍ଷା ପାଥେୟ କରିଲେ
ମନୁଷ୍ୟ ହୋଇବ ମୋକ୍ଷ ।

ସେ ପୂର୍ଣ୍ଣ ପୁରୁଷଙ୍କର ଜନ୍ମଦିନ
ପବିତ୍ର ଦିବସ ଆଜ,
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ
ନାମ ସୁଧା ରସ ପିଅ ।

ଯାହାକୁ ଅଭୟ ଦିଏ ଦୟାମୟ
ତା’ ସଙ୍ଗ ନ ଛାଡ଼େ ହରି
ଶ୍ରୀ ପଦ ପଙ୍କଜେ ସମର୍ପିତ ହୁଅ
ସଂସାରୁ ହେବୁ ତୁ ପାରି ।

– ସଚ୍ଚିଦାନନ୍ଦ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଚ୍ଚିଦାନନ୍ଦ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।