You are currently viewing ତେଲ
Odia Poem Tela (ତେଲ) by Bijay Choudhury

ତେଲ

ଆଜ୍ଞା, ଭାବୁଛନ୍ତି ନା ତେଲ ମାନେ ପେଟ୍ରୋଲ ଡିଜେଲ ! ହଁ ନଭାବିବେ କାହିଁକି? ତେଲର ତାତି ଯେତେବେଳେ ଦିଲ୍ଲୀରୁ ପଲ୍ଲୀ, ପାର୍ଲିଆମେଣ୍ଟରୁ ଗାଁ ଚଉପାଢ଼ି ପର୍ଯ୍ୟନ୍ତ ମାଡ଼ିଗଲାଣି, ଚିତ୍କାର ହୋହଲ୍ଲା ଫୋଟ ନାଟ, ଆପଣ ବି ଭାବିବା ସ୍ୱାଭାବିକ ।

କିନ୍ତୁ ସମସ୍ତେ ଜାଣନ୍ତି ତେଲ ବୃଦ୍ଧିର ସଠିକ କାରଣ । ଯଦିଓ କେନ୍ଦ୍ର ରାଜ୍ୟକୁ ଓ ରାଜ୍ୟ କେନ୍ଦ୍ରକୁ ନିନ୍ଦା କରନ୍ତି ଓ ଚୁପ ରହନ୍ତି । କଥା ହେଲା ଦୁହେଁ ଏଥିରୁ ଯେଉଁ ଟିକସ ପାଆନ୍ତି ସେଇଟା ତେଲ ଦରର ଷାଠିଏ ଭାଗ, ଆମ ଦେଶ ଓ ରାଜ୍ୟର ବି ସେଇ ଟିକସରେ ଭାଗ ଥାଏ । କୌଣସି ସରକାର ଏହାକୁ ରୋକି ପାରିବ ନାହିଁ । ଅବଶ୍ୟ ବିରୋଧୀ ଦଳ ହିସାବରେ ବିରୋଧ କରିବାକୁ ବାଧ୍ୟ ।

ମୁଁ କିନ୍ତୁ ଏ ତେଲ କି ଖାଇବା ତେଲ କି ଲଗାଇବା ତେଲ କହିବିନି, ଆଜି ଏକ ଖାସ ତେଲ କଥା କହିବି ଯା’ର ଦାମ ରୂପା, ସୁନା, ହୀରାଠାରୁ ବି ଯଥେଷ୍ଟ ଅଧିକ ଓ ଫଳପ୍ରଦ ।

ହଁ ଆଜ୍ଞା, ଆପଣ ଜାଣନ୍ତି ! ଅତୀତରେ ତେଲ ମାଲିସ ଥିଲା । କେବେ କେମିତି ଆପଣ ବି ମାଲିସ କରାଇ ଥିବେ । ମୁଁ ଏମ.ଏଲ.ଏ. କଲୋନୀରେ ଦୁଇଥର ବାରିକଠାରୁ ମାଲିସ କରାଇ ଥିଲି ଆମ ବିଧାୟକଙ୍କ ଘରେ । ଅବଶ୍ୟ ଏବେ ଆଉ ବାରିକଙ୍କ ନାମ ମନେ ପଡ଼ୁନି । ହଁ ଆଜ୍ଞା ଏବେ ଯାହାକୁ ବଡି ମାସେଜ କହୁଛନ୍ତି, ସୁନ୍ଦରିଆ ଝିଅମାନେ ମାଡ଼ି ବସି ଏମିତି ମାସେଜ କରନ୍ତି ଯେ ଥକ୍କା ଦୂରହୁଏ । ଏବେ ଏବେ ତ ମେସିନରେ ବି ହେଲାଣି, ବୈଷ୍ଣଦେବୀ ଦର୍ଶନ ପରେ ଥରେ ମୁଁ ମଧ୍ୟ କରାଇଛି ।

ଏବେ ଆମେ ସେହି ଖାସ ତେଲ କଥାକୁ ଆସିବା । ଆପଣ ତେଲିଆ ଶବ୍ଦ ଶୁଣିଛନ୍ତି ନିଶ୍ଚୟ ! ଏମାନଙ୍କ କାମ ହେଲା ତେଲ ମାରିବା, ମାନେ ଅଯଥା ପ୍ରଶଂସା କରି କାମ ହାସଲ କରିବା । ଯିଏ ଯେତେ ଭଲ ତେଲ ମାରି ପାରିଲା ସିଏ ସେତେ ଉପରକୁ ଉଠିଲା ।

ଆପଣ ନେତାଙ୍କୁ ତେଲ ମାରିପାରିଲେ ଟିକେଟ ଥୁଆ, ଅଫିସରଙ୍କୁ ମାରିଲେ ପ୍ରମୋଶନ, ପ୍ରଫେସରଙ୍କୁ ମାରିଲେ ଟପ୍ ପୋଜିଶନ, ଘରଣୀଙ୍କଠାରୁ ଶାନ୍ତି, ପ୍ରେମିକାଠାରୁ ସର୍ବସ୍ୱ ଆଉ ସାହିତ୍ୟ କଥା କ’ଣ କହିବି । ପ୍ରକାଶନ ଏବଂ ସମ୍ବର୍ଦ୍ଧନା ତ ଏଇ ତେଲ ବାଟ ଦେଇ ହିଁ ଆସେ ।

କ’ଣ? ଏହା ସତ ନୁହେଁ? ହଁ ଆଜ୍ଞା ଟିକେ ମଜାକ କରୁଥିଲି ।

– ବିଜୟ ଚୌଧୁରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଜୟ ଚୌଧୁରୀ ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଯଦିଓ ଛାତ୍ର ଜୀବନରୁ ଲେଖାଲେଖି କରୁଥିଲେ ଏବଂ ଶିକ୍ଷକତା ଏକ ନିଶା ଥିଲା, ଅବସର ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ, ବିଭିନ୍ନ ସାହିତ୍ୟ ସଂଗଠନ ସହ ଜଡ଼ିତ ହୋଇ ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଉଛି, ୨୦୧୧ ମସିହାରେ ଜିଲ୍ଲା ପୁସ୍ତକ ମେଳାରେ ଶ୍ରେଷ୍ଠ ସ୍ତମ୍ଭକାର ରୂପେ ପ୍ରଶାସନ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ଥିଲେ । ପ୍ରତିବର୍ଷ ପ୍ରକାଶ ପାଉଥିବା ମଣ୍ଡେଇ ସ୍ମରଣିକାର ସଭ୍ୟ ଓ ୨୦୨୦ରେ ଏହାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛନ୍ତି । ୨୦୧୨ ମସିହାରୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇ ୨୦୧୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇ ଅନେକ ଅନାଥ ଶିଶୁଙ୍କ ଥଇଥାନ କରିଛନ୍ତି, ଏହା ବ୍ୟତୀତ ଅନେକ ଶିଶୁ ଆଶ୍ରମ ସହ ଏବେବି ଜଡ଼ିତ । ଅନ୍ଧ ବଧିର ବିଦ୍ୟାଳୟ, ତଥା ଭିନ୍ନକ୍ଷମ ପିଲାଙ୍କୁ ସାହାଯ୍ୟ କରି ଆନନ୍ଦ ପ୍ରକାଶ କରନ୍ତି । ଏହାବ୍ୟତୀତ ବିଭିନ୍ନ ମନ୍ଦିରର ସଭ୍ୟ ରୂପେ କାର୍ଯ୍ୟ କରନ୍ତି । ନବଜାଗରଣ ସାହିତ୍ୟ ସଂସଦର ସଭାପତି ରୂପେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ନବରଙ୍ଗପୁର ସମ୍ବାଦ ସାହିତ୍ୟ ଘରର ପରାମର୍ଶଦାତା ଏବଂ ନବରଙ୍ଗପୁର ନିଆରା ସାହିତ୍ୟ ଘରର ଆବାହକ। ବିଭିନ୍ନ ସଭା ସମିତିରେ ଯୋଗ ଦେଇ ନିଜର ମତ ପ୍ରକାଶ କରି ସୁନାମ ଅର୍ଜନ କରିଥିବା ବିଜୟ ଚୌଧୁରୀ ଜିଲ୍ଲାରେ ଏକ ପରିଚିତ ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ।