You are currently viewing ତୁମ ବିନା
Odia Poem Tuma Bina (ତୁମ ବିନା) by Rajeswari Panda

ତୁମ ବିନା

ତୁମ ସାଥେ ଦିନେ ଖେଳୁଥିଲି ହୋଲି
ପାଳୁଥିଲି ଦୀପାବଳୀ,
ଫଗୁଣରେ ଦୁହେଁ ଭିଜୁଥିଲେ ଆମେ
ରଙ୍ଗ ହୋଇ ବୋଳାବୋଳି ॥

ଫଗୁ ରଙ୍ଗକୁ ସିନ୍ଥିରେ ମୋ ଭରି
କହୁଥିଲ ତୁମ ବଧୂ,
ମିଛ ବଧୂ ସାଜି ଭାବୁଥିଲି ଦିନେ
ପାଇଗଲି ସୁଖ ସିନ୍ଧୁ ॥

ସତ ମିଛ କିଛି ଦିଶୁତ ନଥିଲା
ତୁମ ପ୍ରେମେ ଅନ୍ଧ ଥିଲି,
ସବୁକଥା ତୁମ ସତ ଲାଗୁଥିଲା
ସତ ବଧୂ ସାଜିଗଲି ॥

ତୁମ ଅଗଣାରେ ଚାଲୁଥିଲି ଦିନେ
ପୂଜୁଥିଲି ମୁଁ ତୁଳସୀ,
ଚଉରା ମୂଳେ ଜାଳି ସଞ୍ଜବତୀ
ସାଜିଲି ତୁମ ଅଳସୀ ॥

ମିଛ ଅଭିମାନେ ରାଗୁଥିଲି ଯେବେ
ଦେଉଥିଲ ଯେ ମନେଇ,
ସ୍ନେହ ବୋଳା ତୁମ ମିଠା କଥା ପଦେ
ନେଉଥିଲା ମନ ମୋହି ॥

ଜହ୍ନ ଆଲୁଅରେ ଘର ଅଗଣାରେ
ବସୁଥିଲେ ପାଖାପାଖି,
ଜହ୍ନ ଜୋଛନାରେ ଭିଜୁଥିଲେ ଦୁହେଁ
ସୁଖ ଦୁଃଖ ପଛେ ରଖି ॥

ସୁନ୍ଦର ବୁଝାମଣା ଆମ ସମ୍ପର୍କ
ଅନ୍ୟରେ ଥିଲା ଅବୁଝା,
ଝଗଡ଼ାର ଦିନେ ନଥିଲାତ ସ୍ଥାନ
ହସି କରୁଥିଲେ ମଜା ॥

ସାତ ଜନମକୁ ଦେଇଥିଲ କଥା
ଗଲ ପୁଣି ତୁମେ ଭୁଲି,
ଗୋଟିଏ ଜନମ ନରହିଲ ସାଥେ
ଅଭାଗିନୀ ସାଜିଗଲି ॥

ଆଜିବି ଏ ଆଖି ତୁମକୁ ଖୋଜୁଛି
ତୁମ ସ୍ମୃତି ସବୁ ଭାଳି,
ତୁମବିନା ଏକା ଜୀବନ କାଟୁଛି
ଯନ୍ତ୍ରଣାରେ ଜଳି ଜଳି ॥

ତୁମବିନା ସିନା ଏକା ମୁଁ ସାଜିଛି
ତୁମ ପରିଚୟେ ଆଜିବି ବଞ୍ଚିଛି
ହଁ ତୁମବିନା…
ମୁଁ ଆଜିବି ବଞ୍ଚିଛି ॥

– ରାଜେଶ୍ୱରୀ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ୍ୱରୀ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।