You are currently viewing ବଦଳିଛି ମୋ ଗାଁ’ର ସ୍ୱର
Odia Story Badalichhi Mo Gaon Swara (ବଦଳିଛି ମୋ ଗାଁ'ର ସ୍ୱର) by Manas Ranjan Nayak

ବଦଳିଛି ମୋ ଗାଁ’ର ସ୍ୱର

ଜନ୍ମର ଚାରି ଦଶନ୍ଧି ଆଜି ଅତୀତ ସତ, ହେଲେ ବିସ୍ମୃତ ନୁହେଁ ଅଜୟର ମାନସପଟରୁ । ନିଜ ମାତୃଗର୍ଭରୁ ନିସୃତ ହୋଇ ପ୍ରଥମ ଥର ପାଇଁ ଧରଣୀ ମା’ର କୋଳରେ ଯେଉଁଠି ପାଦ ଥାପିଥିଲା ସେ ଦିନେ, ସେଇ ତା’ର ଗାଁ; କ୍ରମବିକାଶର ସୋପାନ ପରେ ସୋପାନ ଡେଇଁ ଆଜି ସଭ୍ୟତାର ପ୍ରଗତିଶୀଳ ରାଜରାସ୍ତାରେ ଚଳଚଞ୍ଚଳ । ବିବର୍ତ୍ତନଶୀଳ ଦୁନିଆରେ ସ୍ଥୂଳ ପରିବର୍ତ୍ତନ ଅନେକ, ହେଲେ ସୁକ୍ଷ୍ମ ଚେତନାର ପରିବର୍ତ୍ତନର ଧାରା ବେଶ୍ କ୍ଷୀଣ ପ୍ରତିତହୁଏ ଆମର ଏହି ମାନବୀୟ ସୀମିତ ଆୟୁଷ ପରିଧିରେ । ପରିବର୍ତ୍ତିତ ରୁଚି, ପରିପାଟୀ, ଜୀବନଶୈଳୀ, ଆଭିମୁଖ୍ୟ ଓ ସାମାଜିକତାରେ ବିକଶିତ ସଭ୍ୟତା ପୁରୁଣା ଦଦରା କାନ୍ଥରେ ନୂଆା ଚୁନ ଲାଗିଲା ପରି ପ୍ରାଚୀନ ସଂସ୍କାର, ସଂସ୍କୃତି ଉପରେ ଏକ ନୂଆ ରଙ୍ଗୀନ୍ ଖୋଳପା ସମ ମନେହୁଏ । ହେଲେ ସେହି ନୂତନ ଖୋଳପା ଭିତରେ ପ୍ରାଚୀନତାର ବାସ୍ନା ଏବେବି ଅଜୟର ମନେପଡ଼େ ଓ ଏକ ରୋମାଞ୍ଚିତ ଅନୁଭୂତିରେ ମନପ୍ରାଣ ପୁଲକିତ ହୋଇଉଠେ ତା’ର ।

ଦୀର୍ଘ ଦଶବର୍ଷର ଅଭିସନ୍ଧି ପରେ ତା’ ଗାଁ’କୁ ଫେରୁଛି ଅଜୟ । ମୁମ୍ୱାଇରୁ କୋଣାର୍କ ଏକ୍ସପ୍ରେସରେ ଭୁବନେଶ୍ୱର, ତା’ପରେ ଜନସତାବ୍ଦୀରେ ଭଦ୍ରକ ଓ ସେଠାରୁ ପାସେଞ୍ଜର ଟ୍ରେନରେ ତା’ ଗାଁ ସୋଲାପୁର୍ ପାଖ ଷ୍ଟେସନ ମଞ୍ଜୁରୀରୋଡ଼; ବିଳମ୍ୱିତ ୪୦ଘଣ୍ଟାର ଯାତ୍ରା ସମାପନ ହେବାକୁ ଯାଉଛି ତା’ର । ଏକ ଉଚ୍ଚ ହର୍ଣ୍ଣରେ ତରକି ଉଠିଲା ଅଜୟ, ତା’ ଷ୍ଟେସନ ଆସିଗଲା ବୋଧହୁଏ ! ଲଗେଜ୍ ଧରି ଓହ୍ଲେଇ ପଡ଼ିଲା ସେ ଏବଂ ଅନ୍ୟ ସହଯାତ୍ରୀଙ୍କ ଭିଡ଼ରୁ ଅଲଗାହୋଇ ପାଖ ଆମ୍ୱଗଛ ମୂଳ ଚାରିକଡ଼େ ନିର୍ମିତ ପୁରୁଣା ସିମେଣ୍ଟ ଚାନ୍ଦିନୀ ଉପରେ ବସିପଡ଼ିଲା କିଛିକ୍ଷଣ । ସତେ ଅବା ପ୍ରାତଃକାଳର ସେହି ବାତାବରଣରେ ବାରି ହେଇ ପଡ଼ୁଥିଲା ଏକ ସ୍ୱାଧୀନତାର ସ୍ୱାଦ ! ପାଣି, ପବନ ଓ କୋଳାହଳରେ ଥିଲା ଏକ ଆତ୍ମୀୟତାର ମହକ । ମାୟାନଗରୀ ମୁମ୍ୱାଇରେ ସମୟ ଓ ଦାୟିତ୍ୱ ବେଡ଼ିରେ କବଳିତ ଅଜୟର ଜୀବନ କିଛି ଅର୍ଥ ଉପାର୍ଜନର ମାଦକତାରେ ସତେ ଅବା ଭୁଲିଯାଇଥିଲା ବଞ୍ଚିବାର ରାହା !! ପ୍ରାୟତଃ ପରିବର୍ତ୍ତନର ଧାରା ଏତେଟା କାୟାବିସ୍ତାର କରିନି ଏଠି । ହଁ ! ନୂଆ ଷ୍ଟେସନ ଅଫିସ୍ ଘର, ଧଳା ବାର୍ନିଶ ଦିଆ ଲୁହା ବାରିକେଡ୍, ସୁନ୍ଦର ଟାଇଲ୍ ଆଚ୍ଛାଦିତ ଫୁଟ୍ଓଭରବ୍ରିଜ୍ ଓ ଓମଫେଡ଼ ବିଜ୍ଞାପିତ କେତୋଟି ନୂଆ ଜଳଖିଆ ଷ୍ଟଲ୍ ଦ୍ୱନ୍ଦ ସୃଷ୍ଟି କରୁଥିଲା ଦୁଇ ଦଶନ୍ଧି ତଳର ଆଉ ଆଜିର ମଞ୍ଜୁରୀରୋଡ଼ ଷ୍ଟେସନକୁ ଚିହ୍ନିବାରେ । ୧୯୯୫ରୁ ୨୦୦୪ ମସିହାଯାଏ ଏହାଥିଲା ଅଜୟ ପାଇଁ ଜୀବନଯାତ୍ରାର ଏକ ମାଇଲ୍ ଖୁଣ୍ଟ, ଭଦ୍ରକ ମହାବିଦ୍ୟାଳୟ ଓ ପରେ କଟକରେ ଏମ୍.ବି.ଏ ପାସ୍ କରି ମୁମ୍ୱାଇ ଯିବାଯାଏ । ପିଲାବେଳେ ଅନେକ ଦିନ ପର୍ଯ୍ୟନ୍ତ ବାପା, ଭାଇ ଅବା ସାହିର କେହି ଜଣେ ତାକୁ ଷ୍ଟେସନରୁ ଘରଯାଏ ବୋହିଛନ୍ତି କେବେ ସାଇକେଲରେ ତ କେବେ ସ୍କୁଟରରେ । ଅଜାଣତରେ ଦୁଇ ଆଖି ତା’ର ଘୂରି ବୁଲିଲା ଚତୁର୍ଦ୍ଦିଗ, କାହାର ଆଗମନକୁ ଅପେକ୍ଷା କରି । ଅନତିଦୂରରୁ ହାତ ହଲାଇ ହଲାଇ ହୁଷ୍ଟପୁଷ୍ଟ ଜିନ୍ସ୍ ଟିସାର୍ଟ୍ ପିନ୍ଧା ପିଲାଟିଏ ହସି ହସି ଚାଲି ଆସୁଥିଲା ତା’ ଆଡ଼କୁ । କିଛି ସମୟ ଚେଷ୍ଟା କରି ସାହିର ରମା ଦାଦାଙ୍କ ପୁଅ ରବି ବୋଲି ତାକୁ ଚିହ୍ନିଲା ଅଜୟ । “ଆରେ ରବି, ତୁ ଏତେ ବଡ଼ ହେଇଗଲୁଣି ତୋତେ ବିଲକୁଲ୍ ଚିହ୍ନି ହେଉନି ! ସାଇକେଲ୍ କାହିଁ?” ପ୍ରଶ୍ନ କଲା ଅଜୟ । “ଅଜୁ ଭାଇ ତୁମେ କିଛି ବି ବଦଳିନ? ଆମ ଗାଁ ଚିନ୍ତା ଗୁଡ଼ିଆ ଏବେ ହୀରୋହୋଣ୍ଡା ଚଢ଼ିଲାଣି ଆଉ ତୁମେ ସେହି ସାଇକେଲରେ ଅଛ?” ଜବାବରେ ରବି କହିଲା । ଦୁହେଁ ରେଳଲାଇନ୍ ପାର ହୋଇ ଆଗକୁ ଥିବା ବଜାର ଆଡ଼କୁ ମୁହାଁଇଲେ । ଅଜୟର ଆଖି ପଡ଼ିଲା ଆଗରେ ଥିବା ସେହି ଝଙ୍କାଳିଆ ନିମଗଛ ଆଡ଼କୁ । ଏକଦା ଏକ ଲ୍ୟାଣ୍ଡମାର୍କ ଭାବେ ବିବେଚିତ ହେଉଥିଲା ତାହା ନିକଟରେ ଥିବା ତିନିପୁରଷର ପୁରୁଣା ପଞ୍ଚୁ ଜଳଖିଆ ଦୋକାନ୍ । ଛୋଟବେଳେ ରବି ଯେତେଥର ତାକୁ ସାଇକେଲରେ ଗାଁରୁ ଷ୍ଟେସନ ଛାଡ଼ିବାକୁ ଅବା ଷ୍ଟେସନରୁ ନେବା ପାଇଁ ଆସିଛି ପଞ୍ଚୁ ଦୋକାନର ଗରମ୍ ସିଙ୍ଗଡ଼ା, ଘୁଗୁନି ସାଙ୍ଗକୁ ଛେନାପୋଡ଼ ୫୦ଗ୍ରାମ୍ କେବେ ମନାକରେନି । ତାହାର ପୁନରାବୃତ୍ତି କରିବାକୁ ଯାଇ ଅଜୟ ରବିର ହାତଧରି ପଞ୍ଚୁ ଦୋକାନ ଆଡ଼କୁ ମୁହାଁଇବାରୁ, “ଅଜୁ ଭାଇ ମୁଁ ବାହାର ଦୋକାନ ଜିନିଷ କିଛି ଖାଉନି ମୋଟେ, ତା’ପରେ ତୁମେ ବି ଏଠୁ କିଛି ମିଠାମିଠି ଘର ପାଇଁ ନିଅ ନାହିଁ । ଘରେ ସମସ୍ତଙ୍କୁ ତ ଡାଇବେଟିସ୍, ବରଂ ସନା ଦୋକାନରୁ ଫଳ ନେଇଚାଲ”; ଜବାବ ଦେଲା ରବି । ଆଚମ୍ୱିତ ହେଲା ଅଜୟ ଏବଂ ମନେ ମନେ ଖୁସିହେଲା ଏକ ସକାରାତ୍ମକ ପରିବର୍ତ୍ତନର ଆଭାସପାଇ । ରବିର ନୂଆ ୱାଗନର କାରରେ ବସି ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲା ଅଜୟ । ବହୁ ପ୍ରତିକ୍ଷିତ ଉତ୍ସାହ ଚରମ ଉନ୍ମାଦନାରେ ପହଞ୍ଚିଛି ତା’ର । ଗାଡ଼ି ଆଗ ସିଟରେ ବସି ଝରକାରୁ ଚତୁପାର୍ଶ୍ୱର ଗଛଲତା, ଦୋକାନ, ଘର, ସ୍କୁଲ, ପଡ଼ିଆ, ପୋଖରୀ ଆଦିର ନୂତନ ଅବସ୍ଥିତିକୁ ଉଦ୍ଭାବନ କରିଚାଲିଥାଏ ଅଜୟ ରବି ସହ ଅନବରତ କଥୋପକଥନରେ । ସବୁ ଉତ୍ସାହର ଯବନିକା ଟାଣି ଆସି ପହଞ୍ଚିଲା ଗାଁ ମୁଣ୍ଡ ବରଗଛ, ପୁରୁଣା କଚ୍ଚା ମାଟି ରାସ୍ତାଟି ଏବେ ସୁପ୍ରସସ୍ଥ ପକ୍କା ରାସ୍ତାର ଅବୟବ ନେଇଛି ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ସୁଉଚ୍ଚ ଫଳକଟି ସତେ ଅବା ଏକ ବହୁ ବିଳମ୍ୱିତ ସଫଳତାର ଧ୍ୱଜା ଉଡ଼ାଉଛି । ଆଖିପିଛୁଳାକେ ରବିର କାର୍ ଯାଇ ଅଜୟ ଘର ସାମ୍ନାରେ ପହଞ୍ଚିଲା । ଅଜୟ ଅନ୍ୟମନସ୍କତାରେ ଚାରିଆଡ଼େ ଦୃଷ୍ଟି ନିକ୍ଷେପ କରୁଥିବାର ଦେଖି ରବି ହସି ହସି ଅଜୟକୁ ପ୍ରଶ୍ନ କଲା, “ଅଜୁଭାଇ ! କ’ଣ ତୁମ ବେଳର ବଚ୍ଚାପାର୍ଟିଙ୍କୁ ଖୋଜୁଛକି, ଯେଉଁମାନେ ଗାଡ଼ି ପଛରେ ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଧାଉଁଥାଆନ୍ତି?” “ଆରେ ନାହିଁ” କହି ଅଜୟ ରବିର ଆକ୍ଷେପକୁ ଏଡ଼ାଇଦେଲା ସିନା ହେଲେ ବାସ୍ତବରେ ଗାଁର ନୂଆ କଳେବରକୁ ସହଜରେ ଗ୍ରହଣ କରିପାରୁନଥିଲା । ସନ୍ଧ୍ୟାରେ ପରିବାରବର୍ଗଙ୍କ ସ୍ନେହପୂର୍ଣ୍ଣ ପସରା ପରେ ଲମ୍ୱା ଅଭିଯାନରେ କ୍ଳାନ୍ତ ଶ୍ରାନ୍ତ ଅଜୟ ସୁଖ ନିଦ୍ରା ଗଲା; ଅପରଦିନ ସୂର୍ଯ୍ୟୋଦୟ ଆପେକ୍ଷିତ ଥିଲା ତା’ ପାଇଁ ଗାଁ ପରିଭ୍ରମଣର ।

ପ୍ରାତଃକାଳର ବାଳ ସୂର୍ଯ୍ୟଙ୍କ ଶୀତଳ କମନୀୟ କନକ କିରଣ ବିଚ୍ଛୁରିତ ହୋଇ ପଡ଼ୁଥାଏ ପୂର୍ବ ଦିଗବଳୟରୁ ସୁଉଚ୍ଚ ତେଜୀୟାନ ଚିର ସବୁଜ ବର, ଅଶ୍ୱତ୍ଥ, କଇଁଆ, ପୁଟିଆ ଓ ଆମ୍ୱ ଗଛମାନଙ୍କ ଉପରେ ସତେ ଅବା ଜୀବନ ରଣାଙ୍ଗନରେ ଆଉ ଏକ ଯୁଦ୍ଧ ପାଇଁ ସେମାନଙ୍କୁ ସୁସଜ୍ଜିତ କରିବାର ଅଭିପ୍ରାୟ ନେଇ ! ନାହିଁ କୁକୁଟର ଉଚ୍ଚ ଆହ୍ୱାନ, କୁଆ କୋଇଲିର କୁହୁତାନ, ହଁ ଅନତିଦୂରରୁ ଭାସି ଆସୁଛି ସୁର ଜେଜେଙ୍କ ନାତୁଣୀର ସ୍ୱର ସାଧନାର ଝଙ୍କାର ହାରମୋନିୟମର ସାରେ ଗା ମା ପା…… ସୁରେ ସୁରେ । ବିଛଣାରୁ ଉଠୁ ଉଠୁ ଦାଦା ଧରାଇଦେଲେ ସଦ୍ୟସଂଗ୍ରୂହିତ ଦୁଇ ଖଣ୍ଡି ଖଜୁରୀ ଦାନ୍ତକାଠି । ଦାନ୍ତକାଠିର ଅଭ୍ୟାସ ତୁଟିଗଲାଣି ସତ ହେଲେ ତା’ର ପୁରୁଣା ସ୍ମୃତି ସବୁ ଉଜ୍ଜୀବିତ ଏଯାଏଁ । ପାଟିରେ ଦାନ୍ତକାଠି ପୂରେଇ ବାହରିଗଲା ଅଜୟ ଗାଁ ଦାଣ୍ତକୁ ପ୍ରଭାତଫେରିରେ । ଦିଗମ୍ୱର ବଡ଼ବାପାଙ୍କ ଘର ଆଡ଼କୁ ଚାଲିଲା ସେ, ତାଙ୍କ ସାହିର ସେ ଦୁଇଟି ଘର ଖଣ୍ଡାୟତ ବସ୍ତିର ଶେଷ ମୁଣ୍ଡରେ ତେଣୁ ତା’ର ଗାଁ ଭ୍ରମଣର ଏକ ସୁଚିନ୍ତିତ ଅଭିଯାନର ଶୁଭାରମ୍ଭ ହୋଇଯିବାର ଅଭିପ୍ସା ନେଇ । ବଡ଼ ବାପା କେମିତି ଅଛନ୍ତି? କହି ପାଦ ଛୁଇଁ ପ୍ରଣାମ କଲା ଅଜୟ । “ଆରେ ଅଜୁ କିରେ? କାଲି ରାତିରେ ଆସିଲୁକି? ଏତେ ଦିନ ପରେ ଗାଁ କଥା ମନେପଡ଼ିଲା? ଏବେ କେତେ ପଇସା ପାଉଛୁ? ଲକ୍ଷେ ପରେ ପାଇବୁଣି ନିଶ୍ଚୟ ! ଆମ ରାଜାଟାକୁ ଟିକେ କୋଉଠି ବମ୍ୱେରେ ଚାକିରି ଖଣ୍ଡିଏ ଯୋଗାଡ଼ କରିଦେ । ଇଞ୍ଜିନିୟରିଂ ପାସ୍ କରି ଛକରେ ତାସ୍ ଖେଳୁଛି ଯାହା…” ପ୍ରଶ୍ନ ଆଢ଼ୁଆଳରେ ଆବେଦନର ମୁଣି ଖୋଲି ଦେଇଥିଲେ ସେ ଅଜୟ ଆଗରେ । କୃତ୍ରିମ ହସ ଟିକେ ଆଙ୍କି “ହଁ ଚେଷ୍ଟା କରିବି” କହି ସେଠାରୁ ଆଗକୁ ଚାଲିଲା ସେ ଶତୁରାଭାଇ ଘର ଆଡ଼କୁ ।

ସତୁରା ଭାଇ ତାର ଏଫ୍.ସି.ଆଇ.(Food Corporation of India) କମ୍ପାନୀରେ ସୁପରଭାଇଜର୍ ଚାକିରି କରୁଥିଲା ସେତେବେଳେ । ଏବେ ରିଟାୟାର୍ କରିବଣି ବୋଧହୁଏ । ଥଟ୍ଟା ମଜା ଗପର ଆସର ଖୋଲିଥାଏ ଯେତେବେଳେ ସେ ମାସସାରା ଓଭର ଡିଉଟି କରି ୪/୫ ଦିନ ଛୁଟି ନେଇ ଗାଁକୁ ଆସିଥାଏ । ଜଣଜଣ କରି କିଛି ସମୟ ମଧ୍ୟରେ ଗାଁର ଚାରି ଛକିରେ ଜମିଯାଏ ଏକ ଭିଡ଼ । ଗାଡ଼ି, ସାଇକେଲରେ ଯା’ଆସ କରୁଥିବା କିଛି ଲୋକ ଷ୍ଟାଣ୍ଡ୍ ମାରି କିଛି ସମୟ ସେହି ହାସ୍ୟରୋଳରେ ମଜ୍ଜି ଯାଆନ୍ତି । କଥା ସରିତାର ସୁଅ ଲମ୍ୱିଥାଏ ଢେଙ୍କିରୁ ଢେଙ୍କାନାଳ ଯାଏ । କେଉଁ ଏକ ସହରୀ କୁକୁରର ଭୁକିବାରେ ପ୍ରକୃତିସ୍ଥ ହେଲା ଅଜୟ । ସତୁରାଭାଇ ଘରର ଏବେ ଏକ ନବକଳେବର ପ୍ରାୟ, ଦୁଇ ତଳ ବିଶିଷ୍ଠ ସୁରମ୍ୟ ପ୍ରାସାଦ, ପଥର, କାଚ, ଓ ଆଲୁମିନିୟମରେ ସୁସଜ୍ଜିତ । ବାସୁଆ ବଳଦ ପରି କଳା ମଚମଚ ଡୋବରମ୍ୟାନ୍ ରବିନ୍ ଶତୁରାନିବାସର ଶିବଙ୍କୁ ସୁରକ୍ଷା ଦେଉଛି ବୋଧହୁଏ ! ଗେଟ୍ ସାମନାରୁ ଶତୁରା ଭାଇ ଦେଖା ହୋଇଗଲେ ଅଜୟର । “ଆରେ ଅଜୁ ! ଆ ଭିତରକୁ ଆସ, ରବିନ୍ କିଛି କରିବନି” ବୋଲି କହିଲେ । ହେଲେ ଉତ୍ସୁକତା ଓ ଭୟର ଏକ ମିଶ୍ରିତ ମାନସିକତାରେ ବ୍ୟଥିତ ଅଜୟ ଭିତରକୁ ନଯିବା ପାଇଁ ସିଦ୍ଧାନ୍ତ ନେଲା ।” ଆରେ କ’ଣ ତୁ ରବିନ୍‌କୁ ଡରିଲୁକି?” କହି ଶତୁରାଭାଇ ଗେଟ ଆଡ଼କୁ ଆସିଲେ । “ନାହିଁ ଟିକେ ସମସ୍ତଙ୍କୁ ମୁହଁ ଦେଖାଇ ଦେବାକୁ ବାହାରିଥିଲି ତ, ପରେ ଆସିବି ଭାଉଜଙ୍କ ସହ ଅନେକ ଗପ ବାକି ଅଛି”, କହି ରବିନ୍ ଭୟରୁ ଦୂରେଇବାକୁ ଚେଷ୍ଟା କଲା ଅଜୟ । “ଆରେ ଅଜୁ ତୁ ବମ୍ୱେରେ ଅଛୁ ବା ଏବେ? ଆମର ଦୁଇ ତିନି ଜଣ ସୁପରଭାଇଜରଙ୍କ ପିଲା ବି ସେଠି ରହୁଛନ୍ତି, ଲୋକାଲ୍ ଟ୍ରେନ୍‌ରେ ଭିଡ଼ାଭିଡ଼ି, ପାହାନ୍ତିଆରୁ ରାତି ଅଧଯାଏ ମେସିନ୍ ଭଳି ଗଧଖଟଣି ଓ ମାସ ଶେଷରେ ହାତରେ ଘରକୁ ପଠେଇବାକୁ ୫/୧୦ ହଜାର । କ’ଣ ସେ ମାୟାନଗରୀ ବମ୍ୱେଇ ଲଡ଼ୁର ମାୟା କେଜାଣି !? ଆମ ସରୋଜ ଡିଗ୍ରୀ ସାରି ବେଦାନ୍ତ ଷ୍ଟିଲରେ ଅଛି । ୩୦ ହଜାର ପାଉଛି ମାସକୁ । ଆଉ ସାନ ପୁଅ ବିଜୟ ଟ୍ରାକ୍ଟର ସାଙ୍ଗକୁ ବିଜନେସ୍ କରୁଛି, ଭଲ ଦି ପଇସା କରୁଛି । ରିଟାୟାର୍ ହେଲାପରେ ଯାହା ପଇସା ପାଇଲି ଘର ଦି ତାଲା କରି ଦେଲି, ଆଉ ମୋର କ’ଣ ଦରକାର?” ଏକା ନିଃଶ୍ୱାସରେ ଶତୁରାଭାଇ ଗାଇ ଦେଇଗଲା ତା’ର ସାମାଜିକ ସ୍ୱାଛନ୍ଦ୍ୟର ସୁଖଦ ଅନୁଭୂତି ଓ ଅଜୟର ମୁମ୍ୱାଇ ଚାକିରି ପ୍ରତି ଏକ ବେଶ୍ ନାଟକୀୟ କଟାକ୍ଷ ମଧ୍ୟ । ପ୍ରଭାତ ପର୍ଯ୍ୟାୟରେ ଗ୍ରାମ ଭ୍ରମଣ ଦାନ୍ତ ଘଷୁ ଘଷୁ ସମାପ୍ତ ହେଲା ଅଜୟ ପାଇଁ, ସେପଟେ ପିଣ୍ଢାରେ ତା’ର ଛୋଟ ଝିଆରୀ ଡାକ ଛାଡ଼ିଥାଏ ଜଳଖିଆ କରିବାକୁ ।

ଜଳଖିଆରେ ବ୍ରାଉନ୍ ବ୍ରେଡ୍ ସାଣ୍ଡୱିଚ୍, ଅଣ୍ଡା ଆମ୍ଲେଟ୍ ଓ ତରଭୁଜ ଜୁସ୍ ଆଚମ୍ୱିତ କରିଥିଲା ଅଜୟକୁ । ଗତ ରାତିର ଶୁଖିଲା ରୁଟି ଆଉ ନିକାର ଚାହା, କିମ୍ୱା ଚକୁଳି ପିଠା ଗୁଡ଼ ଥିଲା ଦିନେ ତା’ର ଗ୍ରାମ୍ୟ ପ୍ରଭାତର ପ୍ରଥମ ଆକର୍ଷଣ । ଯାହାକୁ ସେ ଦୀର୍ଘ ଦଶନ୍ଧି ଧରି ମୁମ୍ୱାଇର କାନ୍ଦାପୋହା, ଶୀରା ଓ ବଡ଼ାପାଓରେ ଖୋଜି ଆସୁଥିଲା । “ଦାଦା ଆଶ୍ଚର୍ଯ୍ୟ ହେଉଛ କ’ଣ, ଏ ସବୁ କ’ଣ ଖାଲି ମୁମ୍ୱାଇରେ ମିଳୁଛି, ଏବେ ଏଠି ଆମ ଗାଁ ଛକ ଦୋକାନରେ ବି ଏସବୁ ମିଳିଲାଣି । ଲଞ୍ଚରେ ବି ଆଜି ଚିକେନ୍ ବିରିୟାନି ମେନୁ ସିଦ୍ଧାନ୍ତ ହୋଇଛି । ତୁମେ ଯିବା ପୁର୍ବରୁ ଏସବୁ ହାଇଜିନ୍ ଭିଲେଜ୍ ଡାଏଟ୍ ରେସିପିର ଷ୍ଟାର୍ ରେଙ୍କିଙ୍ଗ୍‌ଟା ଦେଇଦେବ”, କମ୍ପ୍ୟୁଟରାଇଜଡ୍ ଟୋନ୍ ପରି ଅଜୟର ୧୨ ବର୍ଷର ଝିଆରୀ କେଉଁ ଏକ କୁକିଂ ସୋର ଏଙ୍କର୍ ପରି ପ୍ରାଞ୍ଜଳଭାବେ ହସହସ ମୁହଁରେ କହି ଚାଲିଥାଏ । ତୃପ୍ତିକର ନହେଲେ ବି ପରିବାରବର୍ଗଙ୍କର ଉତ୍ସାହପୂର୍ଣ୍ଣ ସ୍ନେହାବିଳତା ସୁଖଦ କରିଥିଲା ତା’ର ସେଦିନର ସପରିବାର ଏକତ୍ରୀତ ଭୋଜନ ଓ ବିଛଣାରେ ଗଡ଼ି ଗଡ଼ି ଗାଁର ଗତ ଦଶନ୍ଧି ଯାକର ଭଲ ମନ୍ଦ ସ୍ମୃତି ମନ୍ଥନ କରିବାରେ ।

ଉପରବେଳା ପୁଣି ଥରେ ଗାଁ ଦାଣ୍ତରେ ବୁଲିବାକୁ ମନ ଟାଣିଲା ଅଜୟର । ପିଲାବେଳେ ଗାଁ ଦାଣ୍ତରେ ବାଟି ଖେଳ, କାଗଜ ବାଣି ବନ୍ଧା ବଲ୍ ଓ କାଠ ପଟା ବ୍ୟାଟ୍‌ରେ କ୍ରିକେଟ୍ ଖେଳ, ପଞ୍ଚୁକ ପୂର୍ଣ୍ଣିମା ରାତିର ଗାଁ ଡ୍ରାମା, ବାହାଘର ମଉଛୁକ ଭୋଜି ଓ ଅଷ୍ଟପ୍ରହରୀରେ ନଦିଆ କୀର୍ତ୍ତନ ଆଦି ସ୍ମୃତି ଚକ୍ଷୁରେ ବାଇସ୍କୋପର ରିଲ୍ ପରି ଭାସିଗଲା । ପ୍ରସନ୍ନତାରେ ଭରିଗଲା ତା’ର ମୁଖମଣ୍ଡଳ । ଆବାକ୍ ହେଲା ସେ ଗାଁର ଓସାରିଆ ଶୁନଶାନ୍ ପକ୍କା ଦାଣ୍ତରେ ! କେମିତି ଗୋଟିଏ ନିର୍ଜନତାର ସ୍ୱର ବାରି ହୋଇ ପଡ଼ୁଛି ଅତୀତର ଚଳଚଞ୍ଚଳ କୋଳାହଳମୟ ଗାଁ ଜୀବନଠାରୁ । ଦୁଇ କଡ଼ର ନଡ଼ା ଛାଉଣୀ ମାଟି ଘର ସବୁ ପରିବର୍ତ୍ତନର ବାନା ଉଡ଼ାଇବାକୁ ଯାଇ ସୁଉଚ୍ଚ ତୋରଣଯୁକ୍ତ ପ୍ରାସାଦମାନଙ୍କରେ ପରିଣତ । ଏକଦା ସଦା ଉନ୍ମୁକ୍ତ ଦାଣ୍ତ ଦୁଆର ଓ ଦାଣ୍ତ ପିଣ୍ଢାରେ ଆଗନ୍ତୁକଙ୍କୁ ଆମନ୍ତ୍ରଣ କଲାପରି ରଙ୍ଗଦିଆ କାଠ ଚେୟାର୍ ସତେ ଅବା ହରପ୍ପା ସଭ୍ୟତା ସମ ବିଲୁପ୍ତ ଆଜି ଓ ତାହାର ସ୍ଥାନ ନେଇଛନ୍ତି ବନ୍ଦ ତୋରଣ ଭିତରେ ଡୋବରମ୍ୟାନ୍ ବା ଆଲସିସିଆନ୍ କୁକୁର ଏବଂ ସଂଭ୍ରାନ୍ତର ମୋହର ପରି ବାଲକୋନୀର ଛାତରୁ ଝୁଲୁଥିବା ଧାତୁ ଓ ମୁଲାୟମ୍ କପଡ଼ା ନିର୍ମିତ ଝୁଲାଟିଏ । ଗୋଧୂଳିର ଆଗମନରେ ପ୍ରତ୍ୟାବର୍ତ୍ତନର କ୍ଷଣ ସନ୍ନିକଟ ଥିଲା ଅଜୟପାଇଁ । ଗାଁ ମୁଣ୍ଡର ଭଗ୍ନ ମନ୍ଦିରରୁ ଭାସି ଆସୁଥିଲା ସନ୍ଧ୍ୟା ଆଳତିସହ ଶଙ୍ଖ ଧ୍ୱନି ସତେକି ଅଦ୍ୟାବଧି ଜୀବିତ ରଣାଙ୍ଗନରେ ମହାଭାରତର ସେହି ପଞ୍ଚଜନ୍ୟ ସ୍ୱର । ବିବର୍ତ୍ତନଶୀଳ ମାନବୀୟ ସଭ୍ୟତା ସତେ ଅବା ସେହି ସୁଦର୍ଶନ ଚକ୍ରର ଆବର୍ତ୍ତନର ପ୍ରତିବିମ୍ୱ ମାତ୍ର ! ଗାଁ ଆକାଶରେ ଅଷାଢ଼ୁଆ ବାଦଲ ଗର୍ଜନର ସ୍ୱର ପ୍ରତିପାଦନ କରିବାକୁ ଚାହୁଁଥିଲା ଯେପରିକି ବଦଳିନି କିଛିବି ସ୍ୱର ଏହି ପରିବ୍ୟାପ୍ତ ସୃଷ୍ଟିରେ । ହେଲେ ବଦଳିଛି ନିଶ୍ଚୟ ଚେତନାର ସ୍ଥୂଳ ଦିଗବଳୟରେ ମଣିଷର ଜୀବନଦର୍ଶନର ସ୍ୱର । ଅଗ୍ରଗତି ନା ପଶ୍ଚାତଗତି !? ବିକାଶ ନାଁ’ରେ ଏ କେଉଁ ପ୍ରହେଳିକା ନୁହଁ ତ? କେତେ ସୁନ୍ଦର ଥିଲା ସେ ଜୀବନ ! ସମୟ ସୁଅରେ କେଉଁଠି କେମିତି ହଜିଗଲା କେଜାଣି? ଆଜିର ଦୁଇ ତିନୋଟି ଅନୁଭୂତି ଆଦୌ ମେଳ ଖାଉନାହାନ୍ତି ଅଜୟର ଗାଁକୁ ନେଇ ଅତୀତର ସେହି ଉନ୍ମାଦିତ ଭାବାନୁବେଗ ସହିତ । କେମିତି ଗୋଟିଏ ସ୍ୱାର୍ଥ କୈନ୍ଦ୍ରିକ ଅନ୍ଧ ସହରୀକରଣର ଭୂତ ପଶିଯାଇଛି ତା’ର ସେହି ସରଳ ସାବଲୀଳ ଗାଁ ଜୀବନୀରେ । ସ୍ମୃତିର ପ୍ରଦୀପ କିନ୍ତୁ ବେସ୍ ଦିପ୍ତୀମନ୍ତ । ସମସ୍ତ ପରିବର୍ତ୍ତନ ମହତ୍ କିନ୍ତୁ ବିଫଳ ଚକ୍ରାନ୍ତପ୍ରାୟ ପ୍ରତିତ ହେଉଥିଲା ଅଜୟପାଇଁ । କିଛି ଦୂରରୁ ଅସ୍ପଷ୍ଟ ଏକ ଶିଶୁ କ୍ରନ୍ଦନର ସ୍ୱର, ମୃଦୁ ମୃଦୁ ଖୋଳ କୀର୍ତ୍ତନର ସ୍ୱର, କ୍ଷୀଣ ଭାଗବତର କେଇପଦ ଆବୃତି, ଧିମା ଧିମା ବୁଢ଼ୀମାର ‘ଧୋରେ ବାଇଆ ଧୋ’ର ରସସିକ୍ତ ଗୀତ ସାଙ୍ଗକୁ କର୍ଣ୍ଣକଟୁ ହେଉଥିଲା ଉଚ୍ଚ ସ୍ୱରରେ ଟିଭିର କେଉଁ ଏକ ବେସୁରା ଅଣଓଡ଼ିଆ ସଙ୍ଗୀତର ପ୍ରତିଧ୍ୱନି, ଛାତ ଉପରୁ ମୋବାଇଲ୍‌ରେ ତରୁଣ ତରୁଣୀଙ୍କ ନିସଙ୍କୋଚ ପ୍ରେମାଳପ… ଏକ ଅତୀତ ଓ ଅତ୍ୟାଧୁନିକତାର ଫେଣ୍ଟା ଫେଣ୍ଟି ସ୍ୱର କେମିତି ଏକ ଅସହଜ ବାତାବରଣ ସୃଷ୍ଟି କରୁଥିଲା ତା’ ପାଇଁ । ଶେଷରେ ବ୍ୟଥିତ, ଉଦବେଳିତ ମନକୁ ଶାନ୍ତ କରିବାକୁ ଯାଇ ମନେ ମନେ କହି ଉଠିଲା ଅଜୟ “ବଦଳିଛି ମୋ ଗାଁ’ର ସ୍ୱର….. ହଁ ! ବଦଳିଛି ମୋ ଗାଁ’ର ସ୍ୱର ।”

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।