You are currently viewing ରିକ୍ସାବାଲା
Odia Story Riksha Bala (ରିକ୍ସାବାଲା) by Subal Mohapatra

ରିକ୍ସାବାଲା

ସକାଳୁ ସକାଳୁ ମୁନମୁନ, ପିକୁନକୁ ରାକ୍ଷୀ ବାନ୍ଧିବା ବେଳେ ମିସେସ୍ ସାମନ୍ତରାୟ ଦେଖୁଥିଲେ ସେମାନଙ୍କ ପିଲାଳିଆମିକୁ । ଦୁଇଜଣ ଯାକ ହଷ୍ଟେଲରେ ରହି ପାଠ ପଢ଼ନ୍ତି ହେଲେ ରାକ୍ଷୀ ପୂର୍ଣ୍ଣିମାରେ ଯେମିତି ହେଲେ ଘରକୁ ଆସନ୍ତି । ବର୍ଷ ସାରା ମାଡ଼ଗୋଳରେ ଉଠପଡ଼ ହେଉଥିବା ଘର କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ଦିନ ସ୍ନେହ ପ୍ରେମରେ ଭରିଯାଏ । ଦୁଇବର୍ଷ ସାନ ବଡ଼ ପିଲା ଦୁଇଟି କେବେ ଛୋଟରୁ ବଡ଼ ହେଇଗଲେ ଜଣାପଡ଼ିଲାନି । ବୁଝିବା ସୁଝିବାର ହେଲେଣି, ନିଜେ ନିଜେ ବାହାରେ ରହି ଚଳିବା ଶିଖିଗଲେଣି, ହେଲେ ପିଲାଳିଆମି ଯାଇନି । ମୁନମୁନ ରାକ୍ଷୀ ପିନ୍ଧେଇ ସାରି ପଇସା ମାଗିବା ବେଳେ ମାତ୍ର ଟଙ୍କାଟିଏ ଦେଇ ଭଣ୍ଡେଇ ଦେଉଥିବା ଭାଇଟିକୁ ସେ ଦେଖୁଥିଲେ । ମୁନମୁନ ରାଗରେ ଟଙ୍କାଟିକୁ ଭାଇର ପକେଟରେ ଗଳେଇ ଦେଇ ଦୁମ ଦୁମ ହୋଇ ଚାଲିଗଲା । ହସିଦେଲେ ମିସେସ୍ ସାମନ୍ତରାୟ । ମନେ ପଡ଼ି ଯାଉଥିଲା ତାଙ୍କ ଭାଇ କଥା…

ଛୋଟବେଳେ ଟଙ୍କାଟିଏ କହିଲେ ବି ବହୁତ ବଡ଼ । ଦଶ ପଇସାରେ ବରା ଗୋଟେ ମିଳୁଥିଲା, ଟଙ୍କାଏରେ କିଲେ ଚାଉଳ । ପାଞ୍ଚ ପଇସିକିଆ ଚକଲେଟ ସବୁଠୁ ପ୍ରିୟ ତାଙ୍କର । ପାଞ୍ଚ ପଇସିକିଆ ତିନି ପ୍ରକାର ଚକଲେଟ ମିଳେ । କ୍ଷୀର ଚକଲେଟ (ଧଳା ରଙ୍ଗର), କମଳା ଚକଲେଟ ଆଉ ଖଟା ମିଠା (କଳା ରଙ୍ଗର) । ରାକ୍ଷୀ ପୂର୍ଣ୍ଣିମାରେ ବାକି ଗିଫ୍ଟସହ ଏ ସବୁଥିରୁ ଟଙ୍କାଏ ଟଙ୍କାଏର ଚକଲେଟ ଥାଏ ଭାଇ ହାତରେ । ଗିଫ୍ଟ ଅପେକ୍ଷା ଏ ସବୁ ଚକଲେଟକୁ ସେ ଆଗ ନିଅନ୍ତି ଭାଇ ହାତରୁ ।

“ମାମା…ମାମା… ବାହାରେ ପୋଷ୍ଟ ପିଅନ, ଯାଇ ଦେଖତ !” ପାଟି ଶୁଣି ତନ୍ଦ୍ରା ଭାଙ୍ଗିଗଲା ମିସେସ୍ ସାମନ୍ତରାୟଙ୍କର । ବାହାରେ ଯାଇ ଦେଖିଲେ ପନ୍ଦର ଦିନ ପୂର୍ବରୁ ଭାଇପାଖକୁ ପଠେଇଥିବା ରାକ୍ଷୀ ଫେରିଆସିଛି, ଠିକଣା ନ ପାଇ । ଏ ବର୍ଷକୁ ତିନିବର୍ଷ ହେଲା । ଭାଇର ନା କିଛି ଖବର ଅଛି, ନା ସେ ଜାଣିଛନ୍ତି ଭାଇର ନୂଆ ଠିକଣା । ସବୁ ବର୍ଷ ପୁରୁଣା ଠିକଣାରେ ରାକ୍ଷୀ ପଠେଇ ଦିଅନ୍ତି ହେଲେ ତିନି ବର୍ଷ ହେଲା ରାକ୍ଷୀ ଫେରି ଆସୁଛି ।

ଭାଇ ସହ ଏବେ ସମ୍ପର୍କ ନାହିଁ କହିଲେ ଚଳେ । ବାପା, ମା’ଙ୍କର ସେମାନେ ଗୋଟିଏ ପୁଅ ଗୋଟିଏ ଝିଅ । ସେଦିନ ହଠାତ ବାପାଙ୍କ ଫୋନ ପାଇ ବିଚଳିତ ହୋଇ ପଡ଼ିଲେ ସେ । “ଝୁନୁ (ମିସେସ୍ ସାମନ୍ତରାୟ), ସପ୍ତାହେ ଭିତରେ ଟିକେ ଘରକୁ ଆ, କାମ ଅଛି” ଫୋନ କରିଥିଲେ ବାପା । କ’ଣ କାମ !? ଆଉ ପଚାରି ପଚାରି କହି ନଥିଲେ ବାପା । ଶାଶୁଘରୁ ପ୍ରାୟ ଷାଠିଏ କିଲୋମିଟର ରାସ୍ତା । ହେଲେ ଦୁଇଦିନ ପରେ ସେ ପହଞ୍ଚିଥିଲେ ଘରେ । ଦେଖୁ ଦେଖୁ ଖୁସି ହୋଇଯାଇଥିଲେ ବାପା । ମା’ ଆଉ ଭାଇ ବି ପାଖରେ ଥାଆନ୍ତି । ରାତି ଖାଇବା ସରିବା ପରେ ବାପା ଦଉଡ଼ି଼ଆ ଖଟରେ ଦୁଆରେ ଗଡ଼ପଡ଼ ହେଉଥାନ୍ତି । ମିସେସ୍ ସାମନ୍ତରାୟ କହିଲେ, “କାହିଁକି ଡକେଇଥିଲ ବାପା?” । ବାପା କହିଲେ, “କଥା କ’ଣ କି ଝିଅ ! ହିସାବରେ ତ ତୋ’ ବାହାଘର ବେଳେ ସବୁ ଦେଇଥିଲି । ହେଲେ ଜମିରୁ ଖଣ୍ଡେ ଦେବାପାଇଁ ମନ ଥିଲା । ଆମର ଯେତେକ ଜମି ଅଛି, କେଉଁ ଖଣ୍ଡକ ତୁ ନେବୁ କହ ।”

“ମୋର ଜମି ବାଡ଼ି କ’ଣ ହେବ ବାପା? ଆମେ କେଉଁ ଚାଷ କରିବୁ ନା ବାଡ଼ି ବଗିଚା କରିବୁ? ଯଦି ଆପଣ ଦେବେ ବୋଲି କହୁଛନ୍ତି ତେବେ ସେ ଏନ୍‌ଏଚ୍ ପାଖ ଦି ଗୁଣ୍ଠ ଜମି ଦିଅ । ହେଲେ ଆମେ ଚାହିଁଲେ ଘର ଖଣ୍ଡେ କରି ପାରିବୁ ।” କହିଲେ ମିସେସ୍ ସାମନ୍ତରାୟ । ଭାଇ ଆଉ ମା’ ଆଡ଼କୁ ଚାହିଁଲେ ବାପା । ମାଆ, ସନ୍ତୁଷ୍ଟ ଥିବା ବେଳେ ଭାଇର ମନ କାହିଁକି ପାଣିଚିଆ ହେବାପରି ଲାଗିଲା । ହେଲେ ଝିଅର ଭାଗେ ଜାଗାରେ ସେ ତ ମାତ୍ର ଦୁଇ ଗୁଣ୍ଠ ନେବେ ତେବେ ଅସୁବିଧା କ’ଣ ବୋଲି ମନକୁ ବୁଝେଇ ଦେଲେ ନିଜେ ନିଜେ । ବାପା କିଛି ଦିନ ପରେ ସେ ଜମି ଖଣ୍ଡିକ ମିସେସ୍ ସାମନ୍ତରାୟଙ୍କ ନାଁରେ କରିଦେଲେ । ସେହି ବର୍ଷଠାରୁ ଭାଇ, ଆସ୍ତେ ଆସ୍ତେ କଥାବାର୍ତ୍ତା ବନ୍ଦ କଲା, ଫୋନ କଲେ ବି ଉଠେଇଲା ନାହିଁ, କି ତା’ପଟୁ ଫୋନ କଲାନାହିଁ । ସମ୍ପର୍କ କେମିତି ଛିଡ଼ି ଛିଡ଼ି ଗଲା ପରି ଲାଗିଲା । ଆଉ ଆସ୍ତେ ଆସ୍ତେ ଏବେ ତିନିବର୍ଷ ହେବ ନା ଅଛି କଥାବାର୍ତ୍ତା, ନା ଦେଖା ଚାହାଁ ।

ଏମିତି ନୁହେଁ ଯେ ମିସେସ୍ ସାମନ୍ତରାୟ ଚେଷ୍ଟା କରି ନାହାନ୍ତି, କିନ୍ତୁ ଗୋଟେ ହାତରେ ତ ତାଳି ବାଜେନି । ଗଣ୍ଡଗୋଳ କରିବାକୁ ଦୁଇ ଜଣ ଦରକାର ହେଲାପରି, ସମ୍ପର୍କ ଯୋଡ଼ିବାକୁ ବି ଦୁଇଜଣ ଦରକାର । ଜଣେ ଚୁପ୍ ହୋଇ ରହିଗଲେ, ସମ୍ପର୍କର ଡୋର ବି ଛିଡ଼ିଛିଡ଼ିଯାଏ । ସେବେଠୁ ରାଗରେ ହେଉ କି ଅଭିମାନରେ, ମିସେସ୍ ସାମନ୍ତରାୟ ବି ଭାଇର ଖବର ରଖିବା ଛାଡ଼ିଦେଲେ । କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ପାଇଁ ପନ୍ଦର ଦିନ ଆଗରୁ ସ୍ପୀଡ୍ ପୋଷ୍ଟରେ ରାକ୍ଷୀଟେ ପୋଷ୍ଟ କରନ୍ତି ଭାଇର ଠିକଣାରେ ଆଉ ସେ ଠିକ୍ ପୂର୍ଣ୍ଣିମା ଦିନେ ଦୁଇଦିନ ପୂର୍ବରୁ ଫେରିଆସେ ମିସେସ୍ ସାମନ୍ତରାୟଙ୍କ ପାଖକୁ ।

“ଆରେ ସେ ଟ୍ରଲିବାଲାକୁ ଦୁଇଶହ ଟଙ୍କା ଦେଲ…” ମିଷ୍ଟର ସାମନ୍ତରାୟଙ୍କର ପାଟି ଶୁଭିଲା ଉପରୁ । ଟ୍ରଲିବାଲାଟି ଜମିରେ ବାଡ଼ ଦେବାପାଇଁ ସିମେଣ୍ଟ ଖୁଣ୍ଟ ନେଇ ଆସିଥିଲା । ଦେଖୁ ଦେଖୁ ଚିହ୍ନି ପାରିଥିଲେ ଏ ଲୋକଟିକୁ ଯିଏ ତାଙ୍କୁ ସାହାଯ୍ୟ କରିଥିଲା ସେଦିନ ।

ବାପା ହସ୍ପିଟାଲରେ ପଡ଼ିଥାନ୍ତି । ରାତି ଖାଇବା ନେଇ ସେ ଯାଇଥାନ୍ତି ହସ୍ପିଟାଲ । ଫେରୁ ଫେରୁ ରାତି ହେଇଗଲା । କିଛିବାଟ ଆସିବା ପରେ କିନ୍ତୁ ଆଉ ଷ୍ଟାର୍ଟ ହେଇନଥିଲା ସ୍କୁଟି । ଆସିଲା ବେଳେ ତ ଭଲ ଥିଲା, ଏବେ କ’ଣ ହେଲା ! ବହୁତ ସମୟ ଚେଷ୍ଟା କଲେ । ସେଲ୍ଫ ଷ୍ଟାର୍ଟ, କିକ୍, ସବୁ ଚେଷ୍ଟା କରି ଝାଳ ନାଳ ହୋଇ ଯାଇଥିଲେ । ଏପଟେ ରାତି ବଢ଼ି ବଢ଼ି ଚାଲିଥିଲା । ଆଖ ପାଖରେ କେହି ଦେଖା ଯାଉ ନଥିଲେ । ଭୂତ, ପ୍ରେତଙ୍କୁ ଡର ନଥିଲେ ବି ଏ ଦୁଇ ଗୋଡ଼ିଆଙ୍କୁ ବହୁତ ଡର ତାଙ୍କର । ଅନ୍ଧାର ରାତିରେ, କି ପିଲା କି ବୁଢ଼ା ସମସ୍ତଙ୍କ ସହ ସେମାନେ କିଛି ବି କରି ପାରନ୍ତି । କାହାକୁ ବା କହିବେ !? ପୁଅ ଝିଅ ତ ବାହାରେ । ମିଷ୍ଟର ସାମନ୍ତରାୟ ଟୁର୍‌ରେ । ଡରି ଡରି ଗାଡ଼ି ଗଡ଼େଇ ଗଡ଼େଇ ଆଣିବାକୁ ଚିନ୍ତା କଲେ ସେ । ହେଲେ ଡରରେ ତଣ୍ଟି ଶୁଖିଯାଉଥିଲା ତାଙ୍କର । ପାଖରେ ପାଣି ଟୋପେ ବି ନାହିଁ । କ’ଣ କରିବେ !!

କାହା ଡାକରେ ଚମକି ପଛକୁ ଚାହିଁଲେ ସେ । ରିକ୍ସା ବାଲାଟିଏ, ରିକ୍ସା ଧରି ପଚାରୁ ଥାଏ, “ମ୍ୟାଡାମ, ଘରେ ନେଇ ଛାଡ଼ି ଦେବି କି?” ଡର ସହ ହସି ପକେଇଲେ ସେ । “ସ୍କୁଟିକୁ ରିକ୍ସା ଉପରେ ବସେଇ କି ନେବ?” ହସି ହସି ପଚାରିଲେ ।” ହଁ, ଆପଣ ଟିକେ ଧରିଲେ ସ୍କୁଟିକୁ ଉଠେଇ ଦେବା ରିକ୍ସା ଉପରକୁ । ଆପଣ ବି ବସି ପାରିବେ । ନେଇ ଘରେ ଛାଡ଼ିଦେବି ।” ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ସେ । ଏ କଥା ତାଙ୍କ ମୁଣ୍ଡକୁ ଢୁକି ନଥିଲା କି ଢୁକୁ ବି ନଥିଲା । “ରିକ୍ସା ଉପରେ ଗୋଟେ ସ୍କୁଟି ଯିବ ପୁଣି ମୁଁ ବି ବସିବି? ନାଇଁ ନାଇଁ ଥାଉ” କହିଦେଲେ ସିନା, ମନେ ମନେ ଏଇୟା ବି ଭାବୁଥିଲେ ଯେ ଏକା ଏକା ଚାରି କିଲୋମିଟର କେମିତି ଯିବେ ସେ ଏ ସ୍କୁଟିକୁ ଧରି? ବରଂ ସେ ନେଉ କେମିତି ନେଉଛି । ଦରକାର ହେଲେ ରିକ୍ସା ପଛେ ପଛେ ସେ ଚାଲି ଚାଲି ପଳେଇବେ କିନ୍ତୁ ସ୍କୁଟିକୁ ଗଡ଼େଇ ଗଡ଼େଇ ନେବା ଅସମ୍ଭବ । “ହଉ ତମେ ଆଗ ସ୍କୁଟିକୁ ଉଠାଅ, ତା’ପରେ ଦେଖିବା ।”

ସେ ବି ଓଲ୍ଲେହି ଆସି ସ୍କୁଟିକୁ ଟେକି ରିକ୍ସାରେ ଚଢ଼େଇବାରେ ଲାଗିଲା । ଆଗ ଚକ ଟେକିଦେଲା ପରେ ଖାଲି ହ୍ୟାଣ୍ଡେଲ ଉପରେ ହାତ ରଖିଲେ ସେ । ରିକ୍ସାବାଲା ପୁଣି ପଛରୁ ଟେକି ସ୍କୁଟିକୁ ଏମିତି ବାଗରେ ଥୋଇଲା ଯେ ସ୍କୁଟିର ହ୍ୟାଣ୍ଡେଲ ଓ ସିଟର ମଝି ଜାଗା ପାଖରେ ଚଢ଼ି ରିକ୍ସାରେ ଜଣେ ଲୋକ ଆରାମରେ ବସି ପାରିବ । ଏବେ ମିସେସ୍ ସାମନ୍ତରାୟଙ୍କୁ ବସିବାକୁ କହିଲା । ସେ ବସିଗଲେ ବି ଆରାମରେ । ରିକ୍ସା ଚାଲିଲା ।

ଆରେ, ଭଡ଼ା କେତେ ନେବ? ଏକଥା ତ ସେ ପଚାରି ନାହାନ୍ତି । ପୁଣି ମୋ ଅସୁବିଧା ବେଳେ ସେ କୁଆଡ଼ୁ ଆସି ପହଞ୍ଚିଲା !? ମୋତେ ଅନ୍ୟକୁଆଡ଼େ ନେଇକି ଯିବନି ତ? ନା, ନା, ରିକ୍ସାଟା, ଯେତେ ଜୋର ଗଲେ ବି ଡେଇଁହେବ ରାସ୍ତା ଉପରକୁ । ତା’ସହ ବଡ଼ ପାଟିରେ ଚିଲ୍ଲେଇଲେ କିଏ ନା କିଏ ତ ଶୁଣିବେ ନା ! ତେଣୁ ସେ ଭୟ ନାହିଁ । ହେଲେ ଭଡ଼ା?? ଶହେ ଜାଗାରେ ପାଞ୍ଚଶହ ମାଗିବ । ସେମିତି ତ ରାତିରେ ଦେଢ଼ା ନିଅନ୍ତି । ଏ ରିକ୍ସା ବାଲାଙ୍କୁ ଏ କାଇଦା ବେଶ୍ ଜଣା । ଅସୁବିଧାରେ ସାହାଯ୍ୟ କରିବାକୁ ଆଗେଇ ଆସିବେ କିନ୍ତୁ ରେଟ୍ ଡବଲ ଜାଗାରେ ଟ୍ରିପଲ୍ ନେବେ । ହଉ ଦେଖା ଯିବ । ଏମିତି ଅନାବନା କଥା ଭାବୁ ଭାବୁ ଘରେ ପହଞ୍ଚି ଯାଇଥିଲେ ସେ । ଡର ଓ ସ୍କୁଟି ପେଲିବା ପରେ ତଣ୍ଟି ଅଠା ହୋଇ ଯାଇଥିଲା । ଘର ଚାବି ଖୋଲି ଅତର୍ଚ୍ଛା ଫ୍ରିଜରୁ ବୋତଲ କାଢି ଢକ ଢକ କରି ପାଣି ପିଇଗଲେ । ବାହାରକୁ ଆସି ଦେଖିବା ବେଳକୁ ରିକ୍ସାବାଲାଟି ସ୍କୁଟିକୁ ତଳକୁ ଓହ୍ଲେଇ ଗ୍ୟାରେଜରେ ରଖି ଯାଇ ସାରିଥିଲା । ଆରେ ଭଡ଼ା ନେଇନି ଯେ ! ଗେଟ ପାଖକୁ ଯାଇ ଦେଖିଲେ । ହେଲେ ଦେବଦୂତ ପରି ସେ ଅନ୍ତର୍ଧ୍ୟାନ ହୋଇ ସାରିଥିଲା ଯେମିତି !!!

“ସେଦିନ ରିକ୍ସାକୁ ଆଜି ଟ୍ରଲି?” ପଚାରି ଦେଇ ଟ୍ରଲିବାଲା ଆଡ଼େ ଚାହିଁଲେ । କହିଲା, “ହଁ ମ୍ୟାଡ଼ାମ, ଆଜି କାଲି ରିକ୍ସାରେ ଆଉ ଭଡ଼ା ମିଳୁନି ତ ଟ୍ରଲି ଚଳାଉଛି ।”
– ସେଦିନ ପଇସା ନ ନେଇ ପଳେଇ ଗଲ ଯେ?
– ନା ମ୍ୟାଡ଼ାମ, ରାତିରେ କେହି ଝିଅ କି ସ୍ତ୍ରୀ ଲୋକ ଅସୁବିଧାରେ ପଡ଼ିଥିଲେ ମୁଁ ତାଙ୍କୁ ସାହାଯ୍ୟ କରେ କିନ୍ତୁ ଭଡ଼ା ନିଏନି ।
– ଏମିତି କାହିଁକି??

ଆଖିରେ ଲୁହ ଜକେଇ ଆସିଲା ତା’ର । ବାଷ୍ପରୁଦ୍ଧ କଣ୍ଠରେ କହିଲା, “ମୋ ଭଉଣୀକୁ ସେମାନେ ଡାହାଳ କୁକୁର ଭଳି ଝୁଣି ଖାଇଗଲେ । ଟ୍ରେନରେ କାକୁଡ଼ି ବିକ୍ରିକରେ ସେ । ସେଦିନ ଟ୍ରେନ ଲେଟ୍ ହେବାରୁ ଡେରି ରାତିରେ ଫେରୁଥିଲା । ସକାଳୁ ତା’ ଶବ ମିଳିଲା । ରାମ୍ପି ବିଦାରି ଖିନଭିନ କରି ଦେଇଥିଲେ । ସେଦିନୁ ପ୍ରତିଦିନ ରାତିରେ ରିକ୍ସାଧରି ମୁଁ ବୁଲେ । କେହି ଝିଅ, ବୋହୂ ଅସୁବିଧାରେ ଥିଲେ ତାଙ୍କୁ ସାହାଯ୍ୟ କରେ । ପଇସା ନିଏନି ସେମାନଙ୍କ ଠାରୁ । ଲାଗେ ଯେମିତି ମୁଁ ନିଜ ଭଉଣୀକୁ ସେମାନଙ୍କ ଭିତରେ ଦେଖୁଛି ।”

ଜାତି, ଗୋତ୍ର, ବୟସ ନ ଦେଖି ହାତରେ ଧରିଥିବା (ଭାଇର ଠିକଣା ନ ପାଇ ଫେରି ଆସିଥିବା) ରାକ୍ଷୀ ଖଣ୍ଡିକ ଲଫାପା ଚିରି ଟ୍ରଲି ବାଲାର ହାତରେ ପିନ୍ଧେଇ ଦେଲେ ମିସେସ୍ ସାମନ୍ତରାୟ । କହିଲେ, “ଏଇଟା ତୁମର ସବୁ ଭଉଣୀଙ୍କ ତରଫରୁ, ଯେଉଁମାନଙ୍କୁ ତୁମେ ଆଜିଯାଏଁ ସାହାଯ୍ୟ କରି ଆସିଛ ।”

ଆଖିର ଲୁହ ଏବେ ଟ୍ରଲି ବାଲା ପାଖରୁ ମିସେସ୍ ସାମନ୍ତରାୟଙ୍କ ଆଖିକୁ ସଂକ୍ରମିତ ହୋଇ ସାରିଥିଲା ।

– ସୁବଳ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁବଳ ମହାପାତ୍ର, ଓଡ଼ିଶା ବାହାରେ ରହୁଥିଲେ ମଧ୍ୟ ବିଭିନ୍ନ ସମୟରେ ତାଙ୍କ ବ୍ଲଗ୍ ଏବଂ ବିଭିନ୍ନ ପତ୍ରିପତ୍ରିକା ଆଦିରେ ତାଙ୍କ ରଚିତ ଗଳ୍ପ ଆଦି ପ୍ରକାଶ ପାଇଥାଏ । ଠିକଣା: ଖଲାରୀ, ଅନୁଗୁଳ, ଓଡ଼ିଶା ମୋବାଇଲ: ୯୩୭୬୦୧୨୫୦୦ ଇ-ମେଲ୍: [email protected]