You are currently viewing ସ୍ୱିଟିର ସୁପରହିରୋ
ସ୍ୱିଟିର ସୁପରହିରୋ

ସ୍ୱିଟିର ସୁପରହିରୋ

“ବାପା- ଗୋଟିଏ ପୁଅର ପ୍ରଥମ ସୁପରହିରୋ ଆଉ ଝିଅର ପ୍ରଥମ ପ୍ରେମିକ ।” ଯେତେବେଳେ ଏଇ କଥାଟି ମୁଁ ମୋ ବାପାଙ୍କୁ କୁହେ ସେ କୁହନ୍ତି ଝିଅର କ’ଣ ପାଇଁ ପ୍ରେମିକ ହେବେ, ଝିଅର ବି ହିରୋ । ଆଜିର ସମାଜରେ ଝିଅ ପୁଅଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି ତେବେ ବାପାଙ୍କ ପରିଚୟ ପୁଅ ଆଉ ଝିଅ ପାଇଁ ଅଲଗା କ’ଣ ପାଇଁ ହେବ ।

ବାପା ଝିଅର ବି ହିରୋ । ଝିଅକୁ ସ୍ୱାବଲମ୍ୱୀ ହେବାର ଶିକ୍ଷା ଦେଉଥିବା ହିରୋ, ଝିଅକୁ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ସାହସ ଦେଉଥିବା ହିରୋ, ଝିଅକୁ ଉଭୟ ଝିଅ ଓ ପୁଅର ଗୁଣରେ ପରିପୂର୍ଣ୍ଣ କରୁଥିବା ହିରୋ, ଝିଅଙ୍କୁ ସୁରକ୍ଷା ଦେଉଥିବା ହିରୋ, ଝିଅର ଦୁଃଖ ବେଳେ ନିଜ କାନ୍ଧ ଦେଉଥିବା ହିରୋ । କିନ୍ତୁ ସବୁ ହିରୋ ପରି ଏଇ ବାପା ରୂପୀ ହିରୋର ବି ଗୋଟିଏ ଦୁର୍ବଳତା ରହିଥାଏ । ସେଇଟି ହେଉଛି ଝିଅ ଯେବେ ଶାଶୁଘର ଯାଏ ।

ଏ ସମାଜ ଆଖିରେ ପ୍ରତିଷ୍ଠିତ ତଥ୍ୟଟି ହେଉଛି “ପୁରୁଷ ମାନଙ୍କୁ କେବେ କଷ୍ଟ ହୁଏନି” କିନ୍ତୁ ଏଇ କଥାଟି କେତେ ଦୂର ଠିକ? ପୁରୁଷଙ୍କୁ ସତରେ କଷ୍ଟ ହୁଏନି ନା ପୁରୁଷମାନେ ନିଜ କଷ୍ଟ ପରିପ୍ରକାଶ କରନ୍ତି ନାହିଁ । ଯଦି ହୃଦୟ ଅଛି, ରକ୍ତ ମାଂସର ଶରୀର ଅଛି, ଶରୀରରେ ସ୍ନାୟୁ ଅଛି ତେବେ କଷ୍ଟ ହଉନଥିବ କେମିତି? ଯଦି ଅଧିକା ଗୋଟିଏ ଜିନିଷ ଅଛି ତାହା ହେଲା ସହିବାର ସୀମା, ଧୈର୍ଯ୍ୟ ଶକ୍ତି, ନିଜ ମନ କଥା ନିଜ ମନରେ ରଖିପାରିବାର ଅପୂର୍ବ ସାମର୍ଥ୍ୟ ।

କିନ୍ତୁ ନାରୀ ପରି ଏ ସମାଜରେ ପୁରୁଷ ମଧ୍ୟ ନିର୍ଯ୍ୟାତିତ, ନିଷ୍ପେସିତ କିନ୍ତୁ ପ୍ରଭୁ ନୀଳକଣ୍ଠ ବିଷ ପାନ କଲାପରି ଏ ପୁରୁଷ ମଧ୍ୟ ସବୁ ଦୁଃଖ କଷ୍ଟକୁ ଆକଣ୍ଠ ପାନ କରି ମୁହଁରେ ହସ ଫୁଟାଇ ରହିଥାଏ ।

ଆଉ ଏଇ କଷ୍ଟ ମୁଁ ମୋ ବାପାଙ୍କ ଆଖିରେ ଦେଖିପାରିଥିଲି ଯେବେ ମୋ ବାହାଘର ଠିକ ହୋଇଯାଇଥିଲା । ମାଆର ମୃତ୍ୟୁ ପରେ ଏକକ ଅଭିଭାବକ ଭାବେ ମତେ ଛୋଟରୁ ବଡ଼ କରିଥିଲେ ବାପା । ସାବତମା’ ଆସିଲେ ହୁଏତ ମତେ କଷ୍ଟ ହେବ ଭାବି ନିଜ ସମସ୍ତ ସୁଖକୁ ମାଆର ଜୁଇରେ ଭସ୍ମ କରିଦେଇ ଘରକୁ ଫେରିଥିଲେ ବାପା । ନିସଙ୍ଗ ଜୀବନ ସହ ଗୋଟିଏ ଝିଅର ପାଳନ ପୋଷଣକୁ ବ୍ରତ ଭାବେ ଗ୍ରହଣ କରି ମତେ ସୁନ୍ଦର ଭାବେ ଗଢ଼ି ତୋଳିଥିଲେ ସେ ।

ହୁଏତ ସେଥିପାଇଁ ବନ୍ଧୁ ପରିବାରବର୍ଗ ଯେତେ ପ୍ରସ୍ତାବ ଦେଲେ ମଧ୍ୟ ବାପାଙ୍କ ମନକୁ ପାଉନଥିଲା କିଛି ବି । ତାଙ୍କର ଭୟ ଥିଲା ମୋ ଝିଅକୁ ମୁଁ ଯେପରି ରଖିଥିଲି ହୁଏତ ସେହିପରି ଆଉ କେହି ରଖିପାରିବେନି । ଆଉ ନିଜ ଝିଅର ଆଖିରେ ଲୁହ ଟିକିଏ ଦେଖିବାକୁ ଚାହୁଁନଥିଲେ ସେ ।

କିନ୍ତୁ ସେଦିନ ରାଜୀବଙ୍କ ସହ ଦେଖା ହେବା ପରେ ବାପାଙ୍କ ଆଖିରେ ଏକ ପ୍ରକାର ସନ୍ତୁଷ୍ଟି ଅନୁଭବ କରିପାରିଥିଲି ମୁଁ । ରାଜୀବ ଓ ମୁଁ ଗୋଟିଏ ଅଫିସରେ କାର୍ଯ୍ୟ କରୁ । ଗତ ଦୁଇବର୍ଷ ଧରି ରାଜୀବ ମତେ ବିବାହ ପ୍ରସ୍ତାବ ଦେଇ ଆସୁଥିଲେ ମୁଁ କିନ୍ତୁ କୌଣସି ଉତ୍ତର ଦେଇନଥିଲି । ହଠାତ ସେଦିନ ରାଜୀବ ମତେ ମେସେଜ କରିଥିବାର ବାପା ଦେଖିଲେ ଏବଂ ମତେ ସମ୍ପୂର୍ଣ୍ଣ କାହାଣୀ ପଚାରିଲେ । ମୋ’ଠାରୁ ଉତ୍ତର ଶୁଣି ବାପା ଚାହିଁଥିଲେ ରାଜୀବଙ୍କ ସହିତ ଥରେ ମୁହାଁମୁହିଁ ହୋଇ କଥା ହେବା ପାଇଁ ।

ଏ ସମ୍ପର୍କରେ ମୁଁ ରାଜୀବଙ୍କୁ କହିବା ପରେ ସେ ଖୁସିରେ ରାଜି ହୋଇଯାଇଥିଲେ ବାପାଙ୍କ ସହିତ ଦେଖା ହେବା ପାଇଁ । ରାଜୀବଙ୍କ ପ୍ରତି ବାପାଙ୍କର ଟିକିଏ ବିଶ୍ୱାସ ଆସିଯାଇଥିଲା ବୋଧହୁଏ । ସେଥିପାଇଁ ସବୁବେଳେ ସ୍ୱାଧୀନ ହେବାକୁ ଶିକ୍ଷା ଦେଉଥିବା ବାପା ମତେ ସେଦିନ ଶାଶୁ ଘରେ କିପରି ଚଳିବାକୁ ହେବ ଶିକ୍ଷା ଦେଉଥିଲେ ।

ଆଉ ଗୋଟିଏ କଥା ବାପା ଜାଣିନାହାନ୍ତି, ମୁଁ ରାଜୀବଙ୍କ ପରିବାର ସହିତ କଥା ହୋଇଛି ଯେ ମୋ ବାପା ସବୁବେଳେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବେ, ମୋ ବିବାହ ପରେ ମଧ୍ୟ । ନିଜ ସୁଖ ଜଳାଞ୍ଜଳି ଦେଇ ଯେଉଁ ବ୍ୟକ୍ତି ମତେ ମଣିଷ କରି ଗଢ଼ି ତୋଳିଛନ୍ତି ମୋ ସୁଖ ପାଇଁ ସେ ବ୍ୟକ୍ତିଙ୍କୁ ମୁଁ ହତାଦର କରିପାରିବି ନାହିଁ ।”

ନିଜ ଡାଏରୀରେ ଏତିକି ଲେଖିସାରିବା ପରେ ବାପାଙ୍କ ଡାକରେ ପ୍ରକୃତିସ୍ଥ ହେଲା ସ୍ୱିଟି । ବାପା ଆସି କହିଲେ, “ଆରେ ମାଆ ଚାଲ ପଣ୍ଡିତ ଡାକୁଛନ୍ତି । ଶୁଭ ମୁହୂର୍ତ୍ତ ଗଡ଼ି ଯାଉଛି ।” ବାପାଙ୍କ ହାତ ଧରି ଯିବା ବେଳେ ସ୍ୱିଟି ଅନୁଭବ କରିପାରିଥିଲା ଯେ ତା ବାପାଙ୍କ ଧରିବାର ଶକ୍ତି କ୍ଷୀଣ ହୋଇଯାଇଛି । ସେ ପଚାରିଲା, “ମୋ ଜୀବନର ଗୋଟିଏ ନୂଆ ଆରମ୍ଭ କରିବାକୁ ଯାଉଛି ବାପା, ଏମିତି ଧୀର ଭାବରେ ହାତ ଧରି ମତେ ଏଇ ରାସ୍ତା ପାର କରିବ ତମେ?” ବାପା କହିଲେ, “ମୁଁ ତ ବୁଢ଼ା ହେଇଗଲିଣି । ସେଥିପାଇଁ ଗୋଟିଏ ମଜଭୁତ ହାତ ସହିତ ତୋ ହାତ ଦି’ହାତ କରୁଛି ମୁଁ । ତୁ ଗଲା ପରେ ମୁଁ ତୋ ମାଆକୁ ଗର୍ବର ସହିତ କହିପାରିବି କି ସେ ଯେଉଁ ଦାୟିତ୍ୱ ମତେ ଦେଇଥିଲା ଆଉ ତାକୁ ମୁଁ ସୁଚାରୁରୂପେ ପାଳନ କରିଛି ।”

ବିବାହ ସମ୍ପନ୍ନ ହେଲା । ସ୍ୱିଟି ବିଦାୟ ନେଇ ନିଜ ନୂଆ ଜୀବନର ଗତିପଥରେ ଅଗ୍ରସର ହେଲା । ଆଉ ବାପା ନିଜ ସ୍ୱର୍ଗବାସୀ ପତ୍ନୀଙ୍କୁ ଅନୁରୋଧ କରୁଥିଲେ ଯେ ସେ ତାଙ୍କ ଦାୟିତ୍ତ୍ୱ ସମ୍ପନ୍ନ କରିଦେଇଛନ୍ତି, ଏବେ ତାଙ୍କୁ ନିଜ ପାଖକୁ ନେଇଯିବା ପାଇଁ । ଏତିକିବେଳେ ତାଙ୍କ ନଜର ପଡ଼ିଲା ସ୍ୱିଟିର ଡାଏରୀ ଉପରେ । ସେଥିରେ ଲେଖା ଥିବା ସମସ୍ତ କଥା ପଢ଼ିସାରିବା ପରେ ତଳେ ଗୋଟିଏ ଧାଡ଼ି ଲେଖି ଅନ୍ତିମ ପଥର ଯାତ୍ରୀ ହୋଇଥିଲେ ସେ । ବାପାଙ୍କ ଅନ୍ତେ ସ୍ୱିଟି ନିଜ ଡାଏରୀ ଖୋଲି ଦେଖେ ତ ସେଥିରେ ଲେଖା ଥିଲା,

“ତୋ ପରି ଝିଅର ବାପା ହେବା ହିଁ ମୋ ପାଇଁ ଗୋଟିଏ ସମ୍ମାନର କଥା । କିନ୍ତୁ ମୁଁ ଚେଷ୍ଟା କରିବି ତୋ ବୈବାହିକ ଜୀବନରେ କେବେ ହସ୍ତକ୍ଷେପ ନ କରିବା ପାଇଁ । ଆଉ ପ୍ରଭୁଙ୍କୁ ପ୍ରାର୍ଥନା କରିବି ଯଦି ଆଗାମୀ ଜନ୍ମରେ ମୁଁ ମଣିଷ ଜନ୍ମ ନିଏ ତେବେ ତତେ ପୁଣି ଥରେ ମୋ କୋଳରେ ଜନ୍ମ ଦେବେ ।

ଇତି,
ବାପା”

ଏତିକି ପଢ଼ି ସ୍ୱିଟି ଆଖିରୁ ଲୁହ ବୋହି ଯାଇଥିଲେ ଅମାନିଆ ହୋଇ । ମନେ ମନେ କହିଲା, “ମୁଁ ସବୁବେଳେ ଭାବୁଥିଲି ସୁପରହିରୋ କାଳ୍ପନିକ ବୋଲି, କିନ୍ତୁ ମୋ ଆଖି ଆଗରେ ଥିବା ସୁପରହିରୋକୁ କେବେ ମୁଁହ ଖୋଲି କହି ପାରିନଥିଲି ଯେ ମୁଁ ଗର୍ବ ଅନୁଭବ କରେ ଯେ ମୁଁ ଏହି ସୁପରହିରୋର ଝିଅ ବୋଲି । ତୁମେ ହିଁ ମୋ ସୁପରହିରୋ ।”

– ଲିପ୍ସା ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଲିପ୍ସା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ପ୍ରସଂଶା ସାଉଁଟିଛି ।