ଗାଳ୍ପିକ ପ୍ରମୋଦ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ “ଶଙ୍ଖନାଦ” ପଢ଼ିବାର ସୁଯୋଗ ପାଇଲି । ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ୧୬୦ ପୃଷ୍ଠାର ଗଳ୍ପ ସଂକଳନଟିର ପ୍ରଚ୍ଛଦପଟ ମନଲୋଭା ହୋଇଛି । ଏଥିରେ ଥିବା ଆଠଟି ଗଳ୍ପ ଦ୍ୱାରା ସମାଜର ବାସ୍ତବିକତା ଓ ବିଭିନ୍ନ ପ୍ରକାରର ମନୁଷ୍ୟର ଚିନ୍ତାଧାରାକୁ ଲେଖକ ପ୍ରକାଶ କରି ସମାଜକୁ ସଚେତନତାର ବାର୍ତ୍ତା ଦେବାକୁ ପ୍ରଚେଷ୍ଟା କରିଛନ୍ତି ।
ପ୍ରଥମ ଗଳ୍ପ “ଆଦିକନ୍ଦ ମାଧବ” ଜୀବନ ଦର୍ଶନ ଉପରେ ପର୍ଯ୍ୟବେଷିତ । “ମୁଁ”ର ପରିଭାଷା ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି ଏବଂ ମାଧବଙ୍କୁ ସମର୍ପଣ କରାଯାଇଛି ।
ଦ୍ଵିତୀୟ ଗଳ୍ପ “ନିସ୍ତବ୍ଧତାର ସ୍ୱର” ସ୍ୱାମୀ ବିବେକାନନ୍ଦ ଓ ମଣିଷ ଉପରେ ତାଙ୍କ ପ୍ରଭାବ, ସବୁ ସ୍ନେହ ଏପରି କି ନିଜ ଭଉଣୀକୁ ବି ଭୁଲିଯାଇ ଭାଇଟିଏ ଦେଶ ମାତୃକାର ସେବାରେ ନିବିଷ୍ଟ । ଗଳ୍ପରେ ଦେଶ ପ୍ରେମର ନିଷ୍ଠା ବାରି ହୋଇ ପଡ଼ୁଛି ।
ଏ ଦୁଇଟି ଗଳ୍ପ ସାଧାରଣ ପାଠକଙ୍କ ପାଇଁ ହୁଏତ ବୁଝିବା ସହଜ ନୁହେଁ । ତୃତୀୟରୁ ଅଷ୍ଟମ ପର୍ଯ୍ୟନ୍ତ ଗଳ୍ପଗୁଡ଼ିକୁ ଆରମ୍ଭ କଲେ ସାରିବାକୁ ଇଚ୍ଛା ହୁଏ । କ’ଣ ଆଗକୁ ଘଟିବ ପାଠକ ଜାଣିବାକୁ ଇଚ୍ଛା ପ୍ରକାଶ କରେ । ଏହାହିଁ ଗଳ୍ପ । ତୃତୀୟ ଗଳ୍ପରେ ଜଣେ ଦୃଢ଼ମନା ନାରୀର ପରିବାର ପ୍ରତି ମମତା ଏବଂ ସ୍ୱାଭିମାନ ବର୍ଣ୍ଣିତ । ଗଳ୍ପର ନାମ କରଣ “ବିଳମ୍ବିତ ପ୍ରହର”ର ସାର୍ଥକତା ପରିପ୍ରକାଶ କରେ ।
ଚତୁର୍ଥ ଗଳ୍ପ “ମୌନ ପ୍ରହର ପ୍ରହରୀ”, ଜଣେ ଅବସରପ୍ରାପ୍ତ ଶିକ୍ଷକ କ୍ଷେତ୍ର ମୋହନ ନିଜ ପରିବାର ଦ୍ୱାରା ଉପେକ୍ଷିତ ହେବା ପରେ ଶିଷ୍ୟ ରତିକାନ୍ତର ବୃଦ୍ଧାଶ୍ରମ ଏବଂ ଶେଷରେ ନାତୁଣୀ ବୋହୂର ସେବା ଶୁଶ୍ରୁଷାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏପରିକି ସେବା କରିବା ପାଇଁ ସେ ଚାକିରୀ ଛାଡ଼ି ଦେଇଛି । ଗାଳ୍ପିକ ଏହି ଗଳ୍ପରେ ଏବେ ବି ମଣିଷ ବଞ୍ଚିଛି ଏହି ବାର୍ତ୍ତା ଦେଇଛନ୍ତି ।
ପଞ୍ଚମ ଗଳ୍ପ “ବାତାବରଣ”ରେ ଜଣେ ଆସନ୍ନ ପ୍ରସବା ନାରୀ ମନରେ କୌତୁହଳ, ବିଭିନ୍ନ ଖଟାମିଠା ଖାଦ୍ୟ ପ୍ରତି ଆକର୍ଷଣ ନିଜ ସନ୍ତାନର ଭବିଷ୍ୟତ ଚିନ୍ତା ପ୍ରକାଶ କରିଛନ୍ତି । ସହରୀ ଝିଅଟି ଗ୍ରାମ୍ୟ ଜୀବନରେ କିଛି ଦିନ କଟାଇ ଗ୍ରାମ୍ୟ ଜୀବନକୁ ପ୍ରଶଂସା କରିଛି । ଜେଜେମାଙ୍କ ସେରେ ଖାଣ୍ଟି ରାଶିତେଲ ପିଇବା କଥାକୁ ସହଜରେ ଗ୍ରହଣ କରି ପାରିନି । ଲେଖକ କିଛି ପୂର୍ବରୁ ରହିଥିବା କୁସଂସ୍କାରକୁ ଦୂର କରିବାକୁ ବାର୍ତ୍ତା ଦେଇଛନ୍ତି ।
“ଶଙ୍ଖନାଦ” ଗଳ୍ପରେ ଦୁଇ ପ୍ରେମିକ ପ୍ରେମିକା ଜାତକ ମେଳକର ପ୍ରତିବନ୍ଧକ ଯୋଗୁଁ ବିବାହ କରି ପାରି ନାହାନ୍ତି । ଅନେକ ବର୍ଷ ପରେ ଦୁହିଁଙ୍କର ଦେଖା ହେବା ପରେ ଅତୀତ ଘଟଣାଗୁଡ଼ିକୁ ମନେ ପକାଇଛନ୍ତି । ସପ୍ତମ ଶ୍ରେଣୀ ପଢ଼ିଥିବା ଲକ୍ଷ୍ମୀ କିନ୍ତୁ ତା’ ନୂଆ ଜୀବନ ସହ ସନ୍ତୁଷ୍ଟ ରହିବାକୁ ପ୍ରଚେଷ୍ଟା କରିଛି । ପ୍ରେମିକ ଶେଖର କିନ୍ତୁ ଲକ୍ଷ୍ମୀକୁ ଦେଖିବା ପରେ ନିଜକୁ ଧିକ୍କାର କରିଛି । ଉଭୟଙ୍କ ହୃଦୟ ଶଙ୍ଖନାଦରେ ନିନାଦିତ ହୋଇ ଶେଷରେ ଏକ ସୁଖଦ ପରିସମାପ୍ତି ଘଟିଛି ।
ସପ୍ତମ ଗଳ୍ପ “ନିରୁଦ୍ଦିଷ୍ଟ”ରେ ଅଧୁନା ଶିକ୍ଷିତ ଯୁବଗୋଷ୍ଠୀ କିପରି ବିପଥଗାମୀ ହୋଇ ଶେଷରେ ନିଜର ସର୍ବନାଶ କରୁଛନ୍ତି, ବସ୍ତୁବାଦୀ ଦୁନିଆର ମୋହରେ ବିନାଶର ପଥକୁ ଅନୁସରଣ କରୁଛନ୍ତି ତାହା ସୁନ୍ଦର ଭାବେ ବର୍ଣ୍ଣିତ ।
ଶେଷ ଗଳ୍ପ “ଦ୍ଵିପ୍ରହରର ଛାଇ”ରେ ଜଣେ ସୁନ୍ଦରୀ ନାରୀ ପ୍ରଲୋଭନ ତଥା ଭୋଗ ବିଳାସର ପ୍ରଲୋଭନର ଶିକାର ହୋଇ କିପରି ନିଜ ସନ୍ତାନକୁ ତଥା ସ୍ୱାମୀଙ୍କୁ ତ୍ୟାଗକରି ପୁନର୍ବାର କନ୍ୟା ସନ୍ତାନକୁ ନିଜର କରିବାକୁ ଚେଷ୍ଟା କରି ସନ୍ତାନ ସମ୍ମୁଖରେ ଅପମାନିତ ହୋଇଛି ତାହା ବର୍ଣ୍ଣିତ । ଜନ୍ମ କରିଦେଲେ ହିଁ ଜଣେ ମାଆ ହୋଇଯାଏ ନାହିଁ, ଯେ ସନ୍ତାନର ଉପଯୁକ୍ତ ଲାଳନ ପାଳନ ଯିଏ କରେ ସେ ପ୍ରକୃତ ମା’ । ଏ ଗଳ୍ପରେ ନାରୀ ଜାତିକୁ ସତର୍କ କରି ଦିଆ ଯାଇଛି ।
ଗାଳ୍ପିକଙ୍କୁ ପ୍ରଶଂସା କରିବାକୁ ଶବ୍ଦ ନାହିଁ । ଏହି ବହିଟିର ଆକର୍ଷଣୀୟ ଜିନିଷ ହେଉଛି ଏହାର ପ୍ରଚ୍ଛଦ ଏବଂ ତ୍ରୁଟିଶୂନ୍ୟ ସମ୍ପାଦନା । ପ୍ରଥମ ପ୍ରକାଶନ ହିସାବରେ ଦେଖିବାକୁ ଗଲେ ଶଙ୍ଖନାଦ ପାଇଁ ପୂରା ଶୁଭପଲ୍ଲବ ଟିମ୍ ଧନ୍ୟବାଦର ପାତ୍ର ।
– ବିଜୟ ଚୌଧୁରୀ