You are currently viewing ରସୋ ବୈ ସଃ
Odia Story Raso Bai Sah (ରସୋ ବୈ ସଃ) by Pramod Kumar Panda

ରସୋ ବୈ ସଃ

(୧)

ଧୂସର ଅପରାହ୍ନର ବିଦଗ୍ଧ ବାତାୟନ ମାଧ୍ୟମରେ କୋଠରୀ ଭିତରେ ପଶି ଆସୁଥିବା ଜୀବନ୍ତ ସୂର୍ଯ୍ୟରଶ୍ମି କଣିକାସମୂହର ସରଳରେଖାକୁ ନିରୀକ୍ଷଣ ବେଳେ ସ୍ମୃତି ପଟଳରେ ଭାସମାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ମନରେ ଘର କରି ରହି ଯାଇଥିବା ବଡ଼ନାନୀ ସରସ୍ୱତୀଙ୍କ ଚେହେରା ପ୍ରତିଫଳିତ ହେଉଥିଲା । ଶିୱାଲିକ ପର୍ବତ୍ୟଶ୍ରେଣୀ କନ୍ଦରରୁ ଗଡ଼ି ଆସିଥିବା ସରସ୍ୱତୀ ନଦୀସ୍ୱରୂପା, ଭୂମି ଉପରେ ଅଦୃଶ୍ୟ ଥାଇ ମଧ୍ୟ ସେ ପୂଜ୍ୟା-ଦୃଶ୍ୟବତୀ ଥିଲେ । ତାଙ୍କ ରୂପ ଓ କାମକରା ଢଙ୍ଗ ମୋ ପାଇଁ ଦିବ୍ୟ ପ୍ରେରଣାର ସ୍ରୋତ ଥିଲା । ତାଙ୍କ ମୁଖମଣ୍ଡଳରେ ବିରାଜିତ ସନ୍ତୁଷ୍ଟି-ଆଭାର ପୂର୍ଣ୍ଣାଙ୍ଗ ପ୍ରଲେପ ମୋ ମନ-ଦର୍ପଣରେ ବାରମ୍ୱାର ଝଟକି ଉଠୁଥିଲା । ମନଦୃଷ୍ଟି ସମ୍ମୁଖରେ ତାଙ୍କ ଗୋରା ତକତକ ଓସାରିଆ ମୁହଁର ଓଜନିଆ ପୂର୍ଣ୍ଣ ଚନ୍ଦ୍ରାକୃତି ସିନ୍ଦୁରଟୋପା, ବଡ଼ବଡ଼ ଭସାଣିଆ କଜଳମଖା ହସହସ ଆଖି, ମଣିବନ୍ଧ ଉପର ଦୁଇହାତକୁ ଐଶର୍ଯ୍ୟାସକ୍ତ ଶ୍ରୀର ପୂର୍ଣ୍ଣାଙ୍ଗତା ପ୍ରଦାନ କରୁଥିବା ପାଣିକାଚ ଚିକ୍‌ ଚିକ୍‌ କରି ଉଠୁଥିଲା । ସବୁବେଳେ ଇସ୍ତ୍ରୀମରା କୁଞ୍ଚଦିଆ ମୋଟା ପଟିର ଓଡ଼ିଆ ମାଣିଆବନ୍ଧ ଶାଢ଼ୀ ପିନ୍ଧାରେ ଅଭ୍ୟସ୍ତ ବଡ଼ନାନୀ ଶାଢ଼ୀ ପିନ୍ଧା ଭଳି କଷ୍ଟ କାମକୁ ଅତି ଚମତ୍କାରିକ କ୍ଷୀପ୍ରଗତିରେ ସାରି ପାରୁଥିଲେ ।

ହିସାବରେ ମୋ ପଣି ଗୋସେଁଇ ବାପାଙ୍କ ସାନ ଭାଇଙ୍କ ପୁଅ ଗୌରାଙ୍ଗକକାଙ୍କ ମାଉସୀ ଝିଅ ଭଉଣୀ ଥିଲେ ସେ । ବୟସରେ ମୋ ନନାଙ୍କ ଠାରୁ ବଡ଼ ଥିଲେ । ନନା ବୋଉଙ୍କ ସହ ଆମେ ସବୁ ମଧ୍ୟ ତାଙ୍କୁ ବଡ଼ନାନୀ ବୋଲି ଡାକୁଥିଲୁ । ବିଚିତ୍ର ବିଷୟ ଥିଲା, ଯଦିଓ ମୋର ପିଉସୀମାନେ ଥିଲେ, କିନ୍ତୁ ମୋ ପଣି ଗୋସେଇଁ ବାପାଙ୍କ ଠାରୁ ଆରମ୍ଭ କରି ମୋ ଗୋସେଇଁ ବାପାଙ୍କ ସାନଭାଇ ତଥା ଗୌରାଙ୍ଗ କକାଙ୍କ ଯାଏଁ କାହାର ହେଲେ ଝିଅ ନ ଥିଲେ । ତେଣୁ ମୋ ଗୋସେଇଁ ବାପାଙ୍କ ପରିବାର ଉପରେ ତାଙ୍କ ଅଧିକାର ଅଧିକ ଥିଲା । ବଡ଼ନାନୀଙ୍କ ଚାହିଦା ଗୌରାଙ୍ଗ କକାଙ୍କ ଘର ଅପେକ୍ଷା ଆମ ଘରେ ଅଧିକ ଥିଲା । ଏହାର କାରଣ ସେ ବ୍ରହ୍ମପୁର ବାସିନ୍ଦା ଥିଲେ । ପୁନିଅଁ ପର୍ବ, ଭୋଜିଭାତ ସମୟରେ ମୋ ପିଉସୀମାନେ ଆସି ପହଞ୍ଚିବା ଆଗରୁ ସେ ପହଞ୍ଚି ଯାଉଥିଲେ । ତାଙ୍କ ବିନା ଆମ ଘରେ ସେ ସମୟ-କାଳ ଗତିହୀନତା, କୋଳାହଳ-ଶୂନ୍ୟ ବୋଧ ହେଉଥିଲା । ତାଙ୍କ ପହଞ୍ଚିବା ଯେମିତି ବାହାଘର ଭୋଜିରେ ବାଜୁଥିବା ତେଲିଙ୍ଗୀ ବାଦ୍ୟ-ସାର ସଦୃଶ୍ୟ ଥିଲା ।

ଅତୀତରେ ଦିନେ ଖଲ୍ଲିକୋଟ କଲେଜରେ ନାଁ ଲେଖାଇବାକୁ ସକାଳ ପାହାନ୍ତା ପହରୁ ନନା ଗାଁ’ରୁ ବାର ମାଇଲ ରାସ୍ତା ଚାଲି ଚାଲି ବ୍ରହ୍ମପୁର ବଡ଼ନାନୀଙ୍କ ଭାତବିକା ସାହି ଘରେ ଆସି ପହଞ୍ଚିଥିଲେ । ହଷ୍ଟେଲ ମିଳିବା ପୂର୍ବରୁ ଜଣେ ପରିଚିତଙ୍କ ଘରେ କିଛି ଦିନ ଚଳିଯିବା ତାଙ୍କର ଉଦ୍ଦେଶ୍ୟ ଥିଲା । ସେତେବେଳେ ପାଠ ପଢ଼ିବାକୁ ଦୂର ଗାଁ’ରୁ ଆସୁଥିବା ପିଲାଙ୍କ ପାଇଁ ବ୍ରହ୍ମପୁରରେ କାଁ ଭାଁ ଗୋଟିଏ ଯୋଡ଼ିଏ ଭାତ ଖାଇବା ହୋଟେଲ ଥିଲା । କିନ୍ତୁ ଅର୍ଥ ଆବଶ୍ୟକ କରୁଥିବା ଘରର ମାଇପି ମାନେ ଘରେ ରାନ୍ଧି ପିଲାଙ୍କୁ ଖୁଆଇ ସେହି ଅଭାବକୁ ପୂରଣ କରୁଥିଲେ । ବୋଧହୁଏ ସେଥିପାଇଁ ସେହି ସାହି ନାଁ ଭାତବିକା ସାହି ହୋଇଥିଲା । ଡାକି ଡାକି ପାଠ ପଢ଼ୁଆ ପିଲାଙ୍କୁ ଭାତ ଖୁଆଇବା ଦିଗରେ ବଡ଼ନାନୀଙ୍କ ସାହି ନିଶ୍ଚୟ ଆଗୁଆ ଥିଲା । ବ୍ରହ୍ମପୁରରେ ଭାତବିକା ସାହିରେ ରହୁଥିବା ବଡ଼ନାନୀ ମଧ୍ୟ ସେହି କାର୍ଯ୍ୟକ୍ରମରେ ଅଣ୍ଟା ଭିଡ଼ି ଭାଗ ନେବା ଆରମ୍ଭ କରିଥିଲେ । ନନା ବ୍ରହ୍ମପୁର ଆସିଲା ପରେ ହଷ୍ଟେଲରେ ରହିବା ଆଗରୁ ତାଙ୍କ ଘରେ ରହି ଖିଆ ପିଆ କରୁଥିଲେ ।

ପିଉସା ତାଙ୍କଠାରୁ ବୟସରେ ଢେର୍ ବଡ଼ ଥିଲେ । ୧୦/୧୧ ବର୍ଷ ବେଳୁ ଜଣେ ଧନୀ ବ୍ୟବସାୟୀ ସହ ରାନ୍ଧିବା ପାଇଁ ଯାଇ ରେଙ୍ଗୁନରେ ଥିଲେ । ଅନେକ ଦିନ ପରେ ଗାଁକୁ ଆସି ବଡ଼ନାନୀକୁ ବାହା ହୋଇ ରେଙ୍ଗୁନ ଧରି ଚାଲି ଯାଇଥିଲେ । କିନ୍ତୁ ସେମାନେ ସେଠାରେ ସ୍ଥାପିତ ହେବା ଆଗରୁ ହିଁ ବିସ୍ଥାପିତ ହୋଇ ଫେରି ଆସି ଭାରତୀୟ ରେଳବାଇରେ ଗ୍ୟାଙ୍ଗକୁଲି କାମରେ ଭର୍ତ୍ତି ହୋଇ ଯାଇଥିଲେ । ଅଫିସରେ ତାଙ୍କ ଜାତି ଦେଖି ତାଙ୍କୁ ଭାରି ଭାରି କାମ ନ ଦେଇ ଅଫିସରମାନଙ୍କ ସମେତ ସମସ୍ତେ ମର୍ଯ୍ୟାଦାର ସହ ପୂଜାପର୍ବ ପାଳନ ଓ ଅନ୍ୟ ଛୋଟ ଛୋଟ ଈଶ୍ୱରୀୟ କାମରେ ତାଙ୍କର ବ୍ୟବହାର କରା ଯାଉଥିଲା ।

ବହୁତ ଡେରିରେ, ମୁଁ ଜନ୍ମ ହେଲା ପରେ ତାଙ୍କର ପୁଅ ଜନ୍ମ ହୋଇଥିଲା । ତା’ର ପାଠପଢ଼ା କମ ଥିଲା ଏବଂ ସେ କିଛି ମାତ୍ରାରେ ଉଦାସିନିଆ ଥିଲା । ଯୋଗାଡ଼ଯନ୍ତ୍ର କରି ପିଉସା ତା’ ପାଇଁ ଗାଁ’ରେ ଥିବା ତାଙ୍କ ୮ ହାତ ଓସାରିଆ ଘରର ସମ୍ମୁଖ ଭାଗରେ ଦୋକାନ ଘରଟିଏ କରିଦେଇ ଅବସର ପରେ ବ୍ରହ୍ମପୁର ଛାଡ଼ି ହିଞ୍ଜିଳି ଅଭିମୁଖେ ଚାଲି ଯାଇଥିଲେ । ଉଦ୍ଦେଶ୍ୟ ଥିଲା ସେ ଦୋକାନ ତାଙ୍କ ପୁଅ ସମ୍ଭାଳିବ । ସେମାନଙ୍କ ଚାଲିଯିବା ଫଳରେ ଯାଉଣୁ ଆସୁଣୁ ବଡ଼ନାନୀଙ୍କ ବ୍ରହ୍ମପୁରର ନିତି ଦିଆନିଆର ଦାଣ୍ଡ ଦୁଆରଟି ମୋ ପାଇଁ ବନ୍ଦ ହୋଇ ଯାଇଥିଲା ।

ପିଉସାଙ୍କ ମୃତ୍ୟୁ ବେଳେ ବଡ଼ନାନୀଙ୍କ ଦେଦୀପ୍ୟମାନ ଗୋରା ତକ ତକ ମୁହଁରୁ ଅଦୃଶ୍ୟ ଲାଲ ସିନ୍ଦୂର ମୋ ପାଇଁ ଶକ୍ତ ଧକ୍କା ଥିଲା । ପାଣିକାଚରେ ଭରା ହାତ ଦୁଇଟି ଆଜି ପୁଙ୍ଗୁଳା, ଶ୍ରୀହୀନ ଥିଲେ । ମୋ ପାଇଁ ସେହି ଦର୍ଶନ ଅଭାବନୀୟ ମନୋଭାବ ସମ୍ପନ୍ନ ପରିସ୍ଥିତି ଥିଲା । ହତଶ୍ରୀରେ ପରିବର୍ତ୍ତିତ ଶୂନ୍ୟ-ଐଶ୍ୱର୍ଯ୍ୟାସକ୍ତ ମୁଖମଣ୍ଡଳ ଅଦର୍ଶନର ସ୍ୱାର୍ଥପର ଇଚ୍ଛାରୁ ମୁଁ ବାହାରକୁ ବାହାରି ପାରି ନଥିଲି । ବୈଧବ୍ୟର ବେଶ-ଦର୍ଶନ ମୋ ଭିତରର କୋହକୁ ଫେଣେଇ ଫେଣେଇ ବାହାରକୁ ଆଣି ଫାଟିବା ପୂର୍ବରୁ ନିଜକୁ ସମ୍ଭାଳି ମୁଁ ଘର ଭିତରୁ ବାହାରକୁ ଆସି ଯାଇଥିଲି ।

ସେଦିନ ପରେ ମୁଁ ବଡ଼ନାନୀ ଘରକୁ ଯାଇ ନଥିଲି । ତା’ପର ଘଟଣାଟି ମୋ ପାଇଁ ଅପ୍ରତ୍ୟାଶିତ ଥିଲା । ଦିନେ ମୁଁ ସ୍କୁଲରୁ ମୋର ପିରିଅଡ଼‌ ସାରି ଫେରିଲା ପରେ ନନା ଖବର ଦେଇଥିଲେ ବଡ଼ନାନୀ ଘର ଛାଡ଼ି କୁଆଡ଼େ ପଳେଇ ଯାଇଛି ।

ସହନଶୀଳତା, ଆତ୍ମବୋଧଗମ୍ୟତାର ଶିଖରଶୃଙ୍ଗରେ ହୃଦବୋଧ କରିଥିବା ଜଣଙ୍କୁ ମୁଁ ଯେତେବେଳେ ତାଙ୍କର ଘର ଛାଡ଼ି ଚାଲିଯିବା ସମ୍ୱାଦ ଶୁଣିଲି, ତାହା ମୋ ପାଇଁ ଆଶ୍ଚର୍ଯ୍ୟରୁ କିଛି ଉଣା ନ ଥିଲା । ଏହା ଶୁଣୁ ଶୁଣୁ ପେଟ ଭିତରେ ବାୟୁପୂର୍ଣ୍ଣ ଅବସ୍ଥା ଜନିତ ଅଜଣା ଆଶଙ୍କାରେ ଘାଣ୍ଟି ଗୋଳେଇ ଉଠିଥିଲା । ମନରେ ପ୍ରଶ୍ନ ଉଠିଥିଲା, ପ୍ରତିଟି ମଣିଷର ମନସ୍ତତ୍ତ୍ୱକୁ ଅତି ଗଭୀର ଭାବେ ବୁଝି ପାରିଥିବା ବଡ଼ନାନୀ ଏ ପ୍ରକାର କାମ କେମିତି କରି ପାରିଲେ !?

ସ୍କୁଟରରେ ଆମେ ବାପା ପୁଅ ଯାଇ ତାଙ୍କ ଗାଁ’ରେ ପହଞ୍ଚିଥିଲୁ । ଖରାଦିନ, ଦିନ ଦଶଟା ପରେ ସାହି ଜନଶୂନ୍ୟ ହୋଇ ଯାଇଥିଲା । ଘର ପଛକୁ ପଛ ତଳିଆ ଉଚ୍ଚପିଣ୍ଢା ଘର ଭିତରଟା ଖାଁ ଖାଁ ଗୋଡ଼ାଉଥିଲା । ନନାଙ୍କୁ ଦେଖି ତାଙ୍କ ପୁଅ ବହେ କାନ୍ଦିଲା । ଭିତର ଘର, ଏକ ଥାକ ଅନ୍ଧାରୁଆ ଘର ଯେଉଁଠି ଘର ଇଷ୍ଟ ରହିଥାନ୍ତି, କବାଟରେ ଚକ୍ ଖଡ଼ିରେ ନାନୀ ଲେଖି ଦେଇ ଯାଇଥିବା ଲେଖା ଆମେ ଦେଖିଲୁ; “ମୁଁ ଚାଲି ଯାଉଛି । ଏଥିପାଇଁ କିଏ ଦାୟୀ ନୁହଁନ୍ତି ।”

– କ’ଣ ଘଟଣା ହେଲା କି? ଘରେ ଗଣ୍ଡଗୋଳ ହେଇଛି କି?

କବାଟକୁ ଭରା ଦେଇ ଠିଆ ହୋଇଥିବା ବୋହୂଟି ଓଢ଼ଣା ତଳୁ କହିଲା, “ନା, କିଛି ହେଇନି । ପହରଦିନ ସକାଳୁ ଉଠି ସବୁଦିନ ଭଳି ଘରର ବାସି ପାଇଟି କଲେ । ଗାଧୋଇବାକୁ ବନ୍ଧକୁ ଗଲେ । ଫେରିଲେନି । ଇଏ ଯାଇ ଖୋଜାଖୋଜି କଲେ । କୋଉଠି ଦିଶିଲେନି । ଗାଁ ଲୋକେ ପୋଲିସରେ କହିଛନ୍ତି ।”

ଘଟଣାଟି ସେମାନଙ୍କ ପାଇଁ ମଧ୍ୟ ଅପ୍ରତ୍ୟାଶିତ ଥିଲା । ଗାଁ ସାରା ହତଭମ୍ୱ ଥିଲେ । ୭୦ ବର୍ଷ ବୟସରେ କ’ଣ ମାନସିକତାରେ ସେ ଘର ଛାଡ଼ିଲେ ନ ବୁଝିଲା ଯାଏଁ ଦୋଷ ସ୍ୱାଭାବିକ ରୂପେ ବୋହୂ ଉପରେ ଆସିବ, ଏକଥା ବୁଝିପାରି କବାଟ କୋଣରୁ ତା’ର ସୁଁ ସୁଁ କାନ୍ଦ ଶୁଭୁଥିଲା । ପିଲାମାନେ ମା’ ପାଖରେ ଆଶ୍ଚର୍ଯ୍ୟଚକିତ ତଥା ଆଶାପୂର୍ଣ୍ଣ ନୟନରେ ଆମ ବାପ-ପୁଅଙ୍କୁ ଚାହିଁଥିଲେ । ସତେ ଯେମିତି ଆମେ ସେମାନଙ୍କ ଗୋସେଇଁ-ମାଙ୍କ ଫେରିବା ଖବର ନେଇ ଆସିଛୁ !

ଫେରିଲା ବେଳେ ମୋ କାନ ପାଖକୁ ପାଟି ଆଣି ଭାଇଟି ଫୁସଫୁସ କରି କହିଥିଲା, “ବୋଉର ଧଳାସ୍ରାବ ହେଉଥିଲା ।”

‘ଧେତ୍ ! ଏ କ’ଣ ଗୋଟେ ଘର ଛାଡ଼ି ଯିବାର କାରଣ?’ ମୋ ନିଜକୁ ନିଜେ କହିଲି ।

ଖରାବେଳଟାରେ ନ ଯିବା ପାଇଁ ବଡ଼ନାନୀଙ୍କ ପୁଅର ଅନୁରୋଧକୁ ନନା ଏଡ଼େଇ ଦେଇ ପାରିଥିଲେ । ବ୍ରହ୍ମପୁର ଫେରିଲା ବେଳେ ଉଦୁଉଦିଆ ପ୍ରଚଣ୍ଡ ଖରାର ପ୍ରଖରତାରୁ ବଞ୍ଚିବା ପାଇଁ ନନାଙ୍କ ମୁଣ୍ଡରେ ମୋଟା ଗାମୁଛା ମୋ ମୁଣ୍ଡରେ ହେଲମେଟ ଥିଲା । ଖରା ପାଇଁ କମ୍‌, ରାସ୍ତା ସାରା ନନାଙ୍କ ପାଟି ଚୁପ୍ ମୋ ପାଇଁ ଅସ୍ୱସ୍ତିକର ଥିଲା । ବୋଉ ଦାଣ୍ଡ ଦୁଆରୁ ହିଁ ଆମ ପାଖରୁ ଘଟଣା ସମ୍ପର୍କରେ ଜାଣିବାକୁ ଠିଆ ହୋଇଥିଲା । ନନାଙ୍କ ଲାଲ୍ ପଡ଼ି ଯାଇଥିବା ମୁଖମଣ୍ଡଳ ଦେଖି କିଛି ପ୍ରଶ୍ନ ନ କରି ପାରି ପାଣି ଆଣିବାକୁ ଭିତରକୁ ଦୌଡ଼ିଲା ।

ତାଙ୍କ ଘରେ ବଡ଼ନାନୀ ବିଷୟରେ ପ୍ରଶ୍ନ ପଚାରି ସାରିଲା ପରଠାରୁ ଚୁପ୍ ରହିଥିବା ବୋଉ ହାତରୁ ପାଣି ନେଇ ପିଇ ସାରିଲା ପରେ ଚୌକି ଉପରେ ଥକ୍କା ମାରି ବସିପଡ଼ି ପିଲାଙ୍କ ପରି ନନା ଭୋ ଭୋ କାନ୍ଦିବାରେ ଲାଗିଲେ । ତାଙ୍କୁ ବୋଧ କରେଇ କାନ୍ଦ ବନ୍ଦ କରାଇବା ପାଇଁ ଆମ ମା-ପୁଅଙ୍କ ଇଛା ହେଲା ନାହିଁ । ସମ୍ୱେଦନ ରସ ଅଶ୍ରୁ ରୂପେ ବାହାରି ଗଲେ ଭାରାକ୍ରାନ୍ତ ହୃଦୟ ହାଲୁକା ହୋଇଯାଏ । ରକ୍ତର ବନ୍ଧନ ଠାରୁ ଆହୁରି ଗାଢ଼ା ଥିଲା ବଡ଼ନାନୀ ସହ ତାଙ୍କର ସମ୍ପର୍କ । କୋଇଲି ଛୁଆର କୁଆବସା ସହ ଥିବା ଅଚେତନ ସ୍ଥିତାବସ୍ଥାର ଅଦୃଶ୍ୟ ସମ୍ପର୍କ ଭଳି…

(୨)

ଆଷାଢ଼ କୃଷ୍ଣାଷ୍ଟମୀ ତିଥିରେ ନନାଙ୍କ ମୃତ୍ୟୁବାର୍ଷିକୀ ପାଳନ ଉପରାନ୍ତେ ବର୍ଷା ଋତୁ ପରେ ତାଙ୍କ ଅସ୍ଥି ବିସର୍ଜନ ଯୋଜନାରେ ପ୍ରୟାଗ ଯିବାବେଳେ ବୋଉ ବି ମୋ ସହ ଯାଇଥିଲା । ଯୋଜନା ଥିଲା ସେଠାରୁ ବୃନ୍ଦାବନ ଓ ମଥୁରା ଯାଇ ରାଧାରାଣୀ ଓ କୃଷ୍ଣ ଜନ୍ମଭୂମି ମନ୍ଦିର ଦର୍ଶନ କରି ଫେରି ଆସିବା ପାଇଁ । ଘରେ ରମା ରହି ଯାଇଥିଲା କଲେଜ ପଢ଼ା ପିଲାଙ୍କ ଦାୟିତ୍ୱ ନେବା ପାଇଁ ।
ବର୍ଷାର ଶ୍ରାବଣ ଜଳଧାରାରେ ତ୍ରିବେଣୀ ସଙ୍ଗମ ଗର୍ଭକୁ ଫୁଲେଇ ଫଟେଇ ରଖିଥିଲା । ନଦୀତଟ ଘାଟ ଉପରୁ ସୁଦୂର ତ୍ରିବେଣୀ ଘାଟ ଦେଖା ଯାଉ ନ ଥିଲେ ମଧ୍ୟ ତା’ ମଧ୍ୟସ୍ଥ ଦୃଶ୍ୟମାନ କାଚକେନ୍ଦୁ ରଙ୍ଗର ସ୍ଥିର ଜଳ ଉପରେ ଆମ ନାଆ ଗତିଶୀଳ ହେବା ମାତ୍ରେ ନାଆ କାଠ ପଟାରେ ବସିଥିବା ଅବସ୍ଥାରେ ଦୋଳାୟିତ ବୋଉଙ୍କ ଅସୁରକ୍ଷା ମନୋଭାବକୁ ଆକଳନ କରି ତାଙ୍କ ହାତ ମୁଠାକୁ ମୁଁ ଭିଡ଼ି ଧରିଥିଲି ।

ଆମ ଡଙ୍ଗା ତ୍ରିବେଣୀ ଘାଟର ଅସ୍ଥାୟୀ ପଟାମଞ୍ଚ କଡ଼େ ଯାଇ ଲାଗିବା ଠିକ୍ ପୂର୍ବରୁ ନାଉରୀଆ ପରାମର୍ଶରେ ଭାରତ ସେବା ସଂଘ ଆଶ୍ରମରୁ ଆସିଥିବା ଆମେ ସମସ୍ତେ ଜଣେ ଜଣେ ଗଭୀର ସୁଶୀତଳ ଧୂସର-ନୀଳ-ବର୍ଣ୍ଣ ଗଭୀରଜଳ ଭିତରେ କଳସି ଉପରେ ବନ୍ଧା ଯାଇଥିବା ଲାଲ କନା ଖୋଲି କଳସି ଓ କନା ସହ ଅସ୍ଥି ବିସର୍ଜନ କରି ପୂର୍ବାହ୍ନ ସୂର୍ଯ୍ୟଙ୍କୁ ଦୁଇହାତ ଯୋଡ଼ି ନମସ୍କାର କଲୁ । ପୂର୍ବାହ୍ନର କୋମଳ ଆଲୋକ ରଶ୍ମିରେଖାରେ ମୋତେ ନନାଙ୍କ ହସୁଥିବା ଚେହେରା ଦେଖା ଯାଉଥିଲା । ତାଙ୍କ ପଶ୍ଚାଦପଦରେ ବଡ଼ନାନୀଙ୍କ ଚେହେରାକୁ ମନେ ପକେଇବା ପାଇଁ ଚେଷ୍ଟା କରୁଥିଲି । ଅଥଚ ଯେତେ ଚେଷ୍ଟା କଲେ ବି ବଡ଼ନାନୀଙ୍କ ଚେହେରା ଆସୁ ନ ଥିଲା । ବୋଧହୁଏ ତାହା ଏକ ମାନସିକ ପ୍ରକ୍ରିୟା ଥିଲା ।

ଗଙ୍ଗାଙ୍କ ଆବିର୍ଭାବ ପୂର୍ବରୁ ଏହି ତ୍ରିବେଣୀ ସଙ୍ଗମରେ ପ୍ରାକ୍‌ ବେଦିକ ଯୁଗ ସରସ୍ୱତୀ ଲୁଚିଗଲେ । ପୁଣି ବାହାରି ପଶ୍ଚିମ ଦିଗେ ଯାଇ ଶୁଖିଗଲେ । ସେହି ଧାରା ସେହି ପଶ୍ଚିମରେ ଆଉ ଏକ ଦିଗରେ ଯାଇ ପୁନଶ୍ଚ ଶୁଖିଗଲେ । ତ୍ରିବେଣୀ ସଙ୍ଗମରେ ଲୁକ୍କାୟିତ ଅବସ୍ଥାରେ ଶିବାଳିକ ପାହାଡ଼ କନ୍ଦରୁ ବାହାରିଥିବା ଧାର ଭୂମିଗର୍ଭା ହୋଇ ଯାଇଛି । ମୂଳସ୍ରୋତ ଶୁଖି ଯାଇନି ନିଶ୍ଚୟ ! ସରସ୍ୱତୀ ନଦୀ ଭଳି ଲୁଚି ଯାଇଛନ୍ତି କି? ତାଙ୍କ ନାଁ ବି ସରସ୍ୱତୀ ।

ବୋଉକୁ ଚାହିଁ କହିଲି, “ନନାଙ୍କ ସହ ବଡ଼ନାନୀଙ୍କ ଅସ୍ଥି ବି ବିସର୍ଜନ କରିଦେଲି, ମନରେ ଭାବି ଭାବି । କିନ୍ତୁ ମୋତେ ଯେତେ ଚେଷ୍ଟା କଲେ ବି ତାଙ୍କ ଚେହେରା ଦିଶିଲାନି ।”

ଦୀର୍ଘଶ୍ୱାସ ନେଇ ବୋଉ କହିଲେ, “ବିଶ୍ୱାସ କରି ହେଉନି । କୁଆଡ଼େ ଯେ ଗଲେ, ଜଗନ୍ନାଥଙ୍କୁ ଜଣା । ନନା ଦେହ ଛାଡ଼ିଲେ, ସମସ୍ତେ ଦେଖିଲେ । ବଡ଼ନାନୀ ଦେହ ଛାଡ଼ିବା କ’ଣ କେହି ଦେଖିଛନ୍ତି? ଆଉ ତାଙ୍କ ଅସ୍ଥି ବିସର୍ଜନ…?”

ବୋଉଙ୍କ କଥାରେ ସତ୍ୟତା ଥିଲା । ୧୪ ବର୍ଷ ତଳେ ଦିନେ ଗ୍ରୀଷ୍ମ ସକାଳରେ ଆକାଶର ଗହନ ନୀଳ ଭିତରେ ବଡ଼ନାନୀଙ୍କ ଗୋରାଫିଟା ଚେହେରା ଅଦୃଶ୍ୟ ହୋଇ ଯାଇଥିଲା । ସେ ଚାଲି ଯିବାର ୧୨ ବର୍ଷ ପରେ ଗାଁ ଲୋକଙ୍କ ପରାମର୍ଶରେ ବଡ଼ନାନୀଙ୍କ ଶ୍ରାଦ୍ଧକ୍ରିୟା ବି ଅନୁଷ୍ଠିତ ହୋଇ ସାରିଥିଲା । ସମୟ ସହ ସବୁକିଛି ଗତାନୁଗତିକ ରୂପେ ଚାଲିଥିଲା । ତାଙ୍କ ପୁଅ ଦୋକାନ ପାଇଁ ବ୍ରହ୍ମପୁର ଜିନିଷପତ୍ର କିଣିବାକୁ ଆସିଲେ କେବେ କେମିତି ଘରକୁ ଆସେ କିମ୍ୱା ନନା ମଝିରେ ମଝିରେ ସେମାନଙ୍କ ଖବର ଅନ୍ତର ଗାଁ’ ଲୋକଙ୍କ ଠାରୁ ବୁଝି ନେଉଥିଲେ । ନନାଙ୍କ କାଳାନ୍ତେ ସେ ପ୍ରକ୍ରିୟାରେ ଅନ୍ତରାୟ ବି ଆସି ଯାଇଥିଲା ।

ମୃତ୍ୟୁ ଉପରାନ୍ତ ସ୍ୱାଭାବିକ ହିନ୍ଦୁ ପରମ୍ପରା ଜନିତ ଅସ୍ଥି ବିସର୍ଜନ ପ୍ରକ୍ରିୟା ପାଇଁ ଅତୀତରେ ମୋ ଗୋସେଇଁ ବାପା-ମା’ଙ୍କ ଅସ୍ଥି ବିସର୍ଜନ ବେଳେ ନନା ଓ ବୋଉଙ୍କ ସହ ବଡ଼ନାନୀ ଓ ତାଙ୍କ ପୁଅ ପ୍ରୟାଗ ଯାଇ ପିଉସାଙ୍କ ଅସ୍ଥି ବିସର୍ଜନ କରି ଆସିଥିଲେ । ନନାଙ୍କ ଅସ୍ଥି ବିସର୍ଜନ ପାଇଁ ଆମେ ଯାଉଥିବା ସମ୍ୱାଦ ପାଇ ବଡ଼ନାନୀଙ୍କ ପୁଅ ଆସି କହିଥିଲା, “ଭାଇନା, ବୋଉର ତ ଅସ୍ଥି ନାହିଁ । ପ୍ରୟାଗରେ ତର୍ପଣ କରି ଅସ୍ଥି ବିସର୍ଜନ ବି ହୋଇ ପାରିବ ବୋଲି ପୁରୋହିତ କହିଲେ । ତମେ ତ ଯାଉଛ, ବୋଉ ପାଇଁ ତର୍ପଣ କରିଦିଅ । କେବେ ସୁବିଧା ହେଲେ ମୁଁ ଯାଇ ଗୟାରେ ପିଣ୍ଡଦାନ କରି ଦେଇ ଆସିବି ।”

ଡଙ୍ଗା ତ୍ରିବେଣୀ ଘାଟରେ ଲାଗିଲା ପରେ ପଟାମଞ୍ଚ ଉପରେ ଚଢ଼ି ସ୍ନାନ ପାଇଁ ପାଣି ଭିତରକୁ ମାଆପୁଅ ଦିହେଁ ଓହ୍ଲାଇଲୁ । ଅଣ୍ଟେ ଉଚ୍ଚର ପାଣି ତଳେ ଗହମିଆ ରଙ୍ଗ ବାଲି ପରିଷ୍କାର ରୂପେ ଦେଖା ଯାଉଥିଲା । ବଡ଼ନାନୀ ପାଇଁ ଇଛା ନ ଥିଲେ ବି ସ୍ନାନ ପରେ ଓଦା ଲୁଗାରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥିଲି । ବୋଉ ପଚାରିଲେ, “ତାଙ୍କ ନାଁ ଆଉ ଗୋତ୍ରରେ ତର୍ପଣ କଲୁ?”

ହଁ ତ କହିଦେଲି । କିନ୍ତୁ ତାଙ୍କ ଗୋତ୍ର ମୋର ମନେ ନ ଥିଲା । ଏକ ଅହେତୁକ ଓଜନିଆ ଓ ଭାରାକ୍ରାନ୍ତ ମନ ନେଇ ତ୍ରିବେଣୀ ଘାଟରୁ ଆସିଲା ବେଳେ ଆମେ ଫେରୁଥିଲୁ ।

ମଥୁରାରେ କୃଷ୍ଣଙ୍କ ଜନ୍ମଭୂମି ଦର୍ଶନ ଆମର ସ୍ୱାଭାବିକ ରୂପେ ସମୟାନୁସାରେ ହୋଇଥିଲା । ପରେ ଆମେ ବୃନ୍ଦାବନରେ ପହଞ୍ଚିଥିଲୁ । ତା’ର ପଥୁରିଆ ଗଳିକନ୍ଦିରେ ଭରି ରହିଥିବା ମନ୍ଦିରମାନଙ୍କରେ କାର୍ତ୍ତିକର ଗହଳ ଚହଳ ଥିଲା । ଯୁଆଡ଼େ ଦେଖିବ ଧଳା ଲୁଗା ଓ ବୃଦ୍ଧା ଚେହେରା । ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥିବା ଦେଖି ବୋଉ କହିଲେ, “କେବଳ ପୁରୀରେ ନାହିଁ, ଏଇଠି ବି କାର୍ତ୍ତିକ ପାଳନ ହୁଏ । ବର୍ଷସାରା ଏଇଠି ବିଧବା ମାନେ ବ୍ରତ କରିଥାନ୍ତି ।”

ରାଧାରାଣୀଙ୍କ ଆବିର୍ଭାବ କାହାଣୀ ବୋଉଙ୍କଠାରୁ ଶୁଣି ବୃନ୍ଦାବନ ମୋ ପାଇଁ ଆହ୍ଲାଦିତ ତୀର୍ଥ କ୍ଷେତ୍ର ରୂପେ ଆଗରେ ଆସି ଠିଆ ହୋଇଥିଲା । ବୃନ୍ଦାବନରେ ହିଁ ବୋଉଙ୍କଠାରୁ ଶୁଣିବା ମୋ ପାଇଁ ଈଶ୍ୱରୀୟ ଇଚ୍ଛା ଭଳି ଅନୁଭୂତ ହେଲା । ଗର୍ଗ ସଂହିତାର ଏହି ବ୍ୟାଖ୍ୟା କେବେହେଲେ ବୋଉ ପୁଙ୍ଖାନୁପୁଙ୍ଖ ରୂପେ କହି ନ ଥିଲେ । ଏହି ଭୂମିର ଆକର୍ଷଣ ବୋଧହୁଏ ସେତିକି ଥିଲା, ଯାହା ତାଙ୍କୁ ପ୍ରଗଳ୍ଭିତ କରିଥିଲା ।

ତା’ର ଗଳି ଭିତରେ ବୁଲୁ ବୁଲୁ ହଠାତ୍ ବୋଉ ଚିତ୍କାର କରି ଉଠିଲେ, “ବଡ଼ନାନୀ !”

ମନ୍ଦିରଗୁଡ଼ିକର କାରୁକାର୍ଯ୍ୟରେ ବିଭୋର ହୋଇ ମୁଁ ତାଙ୍କର ବହୁତ ପଛରେ ଥିଲି । ପ୍ରଥମେ ତ ତାଙ୍କ ଚିତ୍କାରକୁ କିଛି ବୁଝି ପାରି ନ ଥିଲି । ବୁଝି ସାରିଲା ପରେ ତାଙ୍କ ପାଖକୁ ଦୌଡ଼ି ଯାଇଥିଲି । ବୋଉ ପାଖ ବାଳଗୋପାଳ ମନ୍ଦିର ମଣ୍ଡପ ଉପରକୁ ଉଠି ସାରିଥିଲେ । ସେଠାରେ ପହଞ୍ଚି ମୁଁ ବି ଆଶ୍ଚର୍ଯ୍ୟ ଚକିତ ହୋଇଗଲି । ବିଶାଳ ଏକ ଫିତାଲଗା ଚୌକି ଉପରେ ବସିଥିବା ପୁଥୁଳକାୟ ବଡ଼ନାନୀ ବୋଉକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ।

ଆଖି ମଳି ମଳି ମୁଁ ପୁଣି ଥରେ ତାଙ୍କୁ ଦେଖି ପରିସ୍ଥିତିକୁ ବିଶ୍ୱାସ କରିବାକୁ ଚେଷ୍ଟା କରୁଥିଲି । ମୋ ସମ୍ମୁଖରେ ସାକ୍ଷାତ ବଡ଼ନାନୀ ବସିଥିଲେ । ଦେହରେ ଧଳା ଲୁଗା କିମ୍ୱା ମୁଖମଣ୍ଡଳ ଶ୍ରୀହୀନ ନ ଥିଲା । ତାଙ୍କ ଚିରାଚରିତ କୁଞ୍ଚ-ପିନ୍ଧା ଗେରିକ ବସନ, କପାଳରେ ବଡ଼ ସିନ୍ଦୂର ଟୋପା, ଗଳାରେ ରୁଦ୍ରାକ୍ଷ ମାଳା, ଗାଲ ମୋଟା ମୋଟା ଥିଲା ।

ହେ ଈଶ୍ୱର ! ଯେତେ ଚେଷ୍ଟା କଲେ ବି ବୋଧହୁଏ ସେଥିପାଇଁ ମୋ ମନ ତର୍ପଣ ବେଳେ ତାଙ୍କ ରୂପ ଦେଖିବାକୁ ଅସ୍ୱୀକାର କରୁଥିଲା । ବଡ଼ନାନୀଙ୍କ ଦେହାନ୍ତ ବାସ୍ତବରେ ହୋଇ ନ ଥିଲା ।

“ତମେ ଏଇଠି ଅଛ ! ଆମକୁ ଟିକେ ଖବର ଦିଅନ୍ତନି?” ବୋଉ ଅଭିଯୋଗ କଲେ ।

“ମୋର ପରା ଆଉ ଗୋଟେ ଜନ୍ମ ହେଲା ନୂଆ’ଉ । ମୁଁ ଏବେ ମଠ-ସନ୍ନ୍ୟାସିନୀ । ଖବର କିଏ କାହାକୁ ଦେବ?” ଆମକୁ ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ପରେ ନିଜକୁ ସମ୍ଭାଳି କହିଲେ, “ମୁଁ ସେଦିନ ବନ୍ଧରେ ବୁଡ଼ିବାକୁ ଯାଇଥିଲି । ଏହି ମଠର ମହନ୍ତ ଆମ ପାଖ ଗାଁ ମଠକୁ ଯାଇଥିଲେ । ମୋତେ ବନ୍ଧତୁଠରେ ବସି କାନ୍ଦୁଥିବାର ଦେଖି ସାଙ୍ଗରେ ଧରି ଆଣିଲେ । ମୋ ମନର କଥା ଯେମିତି ଆମ ଗୁରୁ ଜାଣି ପାରିଲେ । ସେହି ଦିନଠୁ ମୋର ଏଇଟା ଦ୍ୱିତୀୟ ଜନ୍ମ ।”

ବୋଉ ଆଶ୍ଚର୍ଯ୍ୟ ହୋଇ ଗାଲରେ ହାତ ଦେଇ ପ୍ରଶ୍ନ କଲେ, “ତମକୁ ଆମର ଆଉ କିଏ କେମିତି ଦେଖି ପାରିଲେନି?”
ମୋର ମଠ ଭିତରେ କାମ । ରୋଷେଇବାସ ଦେଖିବା । ହେଇ ଦେଖ, ଜଗମୋହନରେ ପ୍ରବଚନ ଚାଲିଛି । ସରିଲେ, ସମସ୍ତେ ପ୍ରସାଦ ପାଇବେ ।
ବୋଉ ଛାଡ଼ି ନ ଥିଲେ, “କିନ୍ତୁ ତମେ ମରିବାକୁ କାହିଁକି ଯାଇଥିଲ? କ’ଣ ଅସୁବିଧା ଥିଲା ତମର? ଘରେ ଗଣ୍ଡଗୋଳ ହେଇଥିଲା କି?”
ଅଳ୍ପ ହସିଲେ ବଡ଼ନାନୀ, “ନା, ନା ଘରେ କିଛି ଗଣ୍ଡଗୋଳ ହେଇ ନ ଥିଲା । ସିଏ ତ ସାକ୍ଷାତ ଲକ୍ଷ୍ମୀ । ମୋ ମୁର୍ଖ ପୁଅକୁ ସମ୍ଭାଳିଲା ।”
ବୋଉଙ୍କ କାନ ପାଖରେ ଯାଇ ଧୀରେ ଧୀରେ କ’ଣ କହିଲେ ମୋତେ କିଛି ଶୁଣା ଗଲାନି । ବୋଉ ବି ବୁଝିଗଲା ଭଳି ଚୁପ୍ ରହିଲେ । ଜଣେ କିଏ ଆସି ତାଙ୍କୁ ଡାକିଲେ । ବଡ଼ନାନୀ ବସିବା ସ୍ଥାନରୁ ଉଠିଲେ; “ରହିବ । ପ୍ରସାଦ ନେଇ କି ଯିବ । ମୋର କାମ ଆରମ୍ଭ ହେବା ସମୟ ହେଲାଣି ।”
ପଛରୁ ମୁଁ ଡାକିଲି, “ବଡ଼ନାନୀ, ପୁଅ କଥା, ନନା କଥା ପଚାରିବନି?”

ସେ ବୁଲିପଡ଼ି କହିଲେ, “କ’ଣ ପଚାରିବି? ତୋ ବୋଉକୁ ଦେଖୁଛି । ମୋ ଭାଇକୁ ଗୋବିନ୍ଦ ଡାକିନେଲେ । ମୋ ପୁଅ ଗୋବିନ୍ଦଙ୍କ ହେପାଜତରେ ଅଛି । ମୁଁ ଏଇଠି ଗୋବିନ୍ଦଙ୍କ କାମରେ ଜୀବନ ଦେଇଛି । ଜନ୍ମ ମରଣ ସବୁ ତାଙ୍କର ଉଦ୍ଦେଶ୍ୟରେ ।”

ଓହୋ ! ଦୁଇ ଧାଡ଼ିରେ କେତେ ବାସ୍ତବତା ସେ କହିଗଲେ !! କେତେ ସ୍ୱାଭାବିକ ଥିଲା ସେହି ଚିନ୍ତନରେ ସତେ !!! ମୋହମାୟାକୁ ଛାଡ଼ି ବୃନ୍ଦାବନ ଆଦରି ନେଇଥିବା ବଡ଼ନାନୀ ଆଜି ବି ଆମ ଦୁହିଁଙ୍କୁ ହତଭମ୍ୱ ଅବସ୍ଥାରେ ଛାଡ଼ି ମଠ ଭିତରେ ଅଦୃଶ୍ୟ ହୋଇଗଲେ । ବୋଉଙ୍କୁ ପଚାରିଲି, “ତମ କାନରେ କ’ଣ କହିଲେ?”

“ସେ ବିଷୟ, ଯାହା ତାଙ୍କ ପୁଅ ତୋତେ ତାଙ୍କ ଗାଁ’ରେ କହିଥିଲା । ଏବେ ସେ ପୂରାପୂରି ଠିକ୍‌ ଅଛନ୍ତି । ମହନ୍ତଙ୍କ ସହ ଏଇଠିକୁ ଆସି ଆୟୁର୍ବେଦ ଚିକିତ୍ସା କରାଇଲେ ।”

ସେତେବେଳେ ଯେଉଁ କାରଣକୁ ମୁଁ ସାମାନ୍ୟ ଭାବି ନେଇଥିଲି, ତାହା ହିଁ ତାଙ୍କ ଅବସାଦର ମୂଳ କାରଣ ଥିଲା । ବଡ଼ନାନୀଙ୍କ ବ୍ୟକ୍ତିତ୍ୱର ଏହି ଦିଗର ଉଜ୍ଜଳ କିରଣରେ ମୁଁ ଆବିଭୂତ ହୋଇ ଯାଇଥିଲି । ବୟସ ସହ ଚେତନାର କିଛି ସମ୍ପର୍କ ନାହିଁ । ଏହି ଚେତନା ହିଁ କର୍ମଠ କରାଇଥାଏ, ବଡ଼ନାନୀଙ୍କ ମୁଖମଣ୍ଡଳରେ ପୂର୍ବର ସନ୍ତୁଷ୍ଟି-ଆଭା ଖେଳି ଉଠୁଥିବା ମୋର ହୃଦବୋଧ ହୋଇଥିଲା ।

ସେଦିନ ବାଳଗୋବିନ୍ଦ-ମଠ ଜଗମୋହନରେ ଚାଲିଥିବା ପ୍ରବଚନ ଆଜି ବି ମନରେ ଗୁଞ୍ଜରି ଉଠୁଛି । ପ୍ରବଚକ ତୈତ୍ରରୀୟ ଉପନିଷଦରୁ ଈଶ୍ୱରଙ୍କ ବ୍ୟାଖ୍ୟା କହୁଥିଲେ, “ରସୋ ବୈ ସଃ ।” ଅର୍ଥାତ୍ ସେ ରସଶ୍ରେଷ୍ଠ, ପରମାତ୍ମା ଆନନ୍ଦ ରସ, ରସକନ୍ଦ, ଦିବ୍ୟରୂପ ଗୋବିନ୍ଦ, ପୂଜାଗୃହରେ ମୁହଁ ଉଠେଇ ଗୁରୁଣ୍ଡି ଚାଲୁଥିବା ବାଳଗୋବିନ୍ଦଙ୍କ ମୃଣ୍ମୟ ରୂପ ।”

ମୁଁ ସେଦିନ ଅନୁଭବ କରିଥିଲି, ତ୍ରିବେଣୀଠାରେ ସରସ୍ୱତୀଙ୍କ ଧାର ଶୁଖି ଯାଇଛି ସତ, ହେଲେ ଭୂମିଗର୍ଭା ଉତ୍ସ ବନ୍ଦ ହୋଇ ଯାଇନି । ନନାଙ୍କ ବର୍ଣ୍ଣିତ ଭାତବିକା ସାହିର ସରସ୍ୱତୀ ପୁଣି ଜୀଇଁ ଉଠିଥିଲା ଅସଂଖ୍ୟ ଜନ ଉଦ୍ଦେଶ୍ୟରେ ଖାଦ୍ୟ ପରଶିବା ପାଇଁ ।

ଆଜି ବଡ଼ନାନୀ ନାହାଁନ୍ତି, ବୋଉ ବି ନାହାଁନ୍ତି । ଅଥଚ ଅପରାହ୍ନର ଧୂମିଳ ରଙ୍ଗରେ ପ୍ରତିଫଳିତ ସେମାନଙ୍କ ଚେହେରାର ପୂର୍ଣ୍ଣ ସନ୍ତୁଷ୍ଟି-ଆଭାର ପ୍ରଲେପ ଅଦ୍ୟାବଧି ମନରେ ରୋପିତ ଅଛି । ମାତୃଦାନ ଭଳି ସମୟର ଚୋରାବାଲିରେ ଭୂମିଗତ ସରସ୍ୱତୀଙ୍କ ଗୋଟିଏ ପରେ ଆଉ ଗୋଟିଏ ଜଳଧାରା ପ୍ରାଣୀ ଜଗତକୁ ଦେଇଥିବା ଦାନ ଏ ଜଗତ ଫେରେଇ ପାରିବ ନାହିଁ । ମାତୃଗର୍ଭା ସରସ୍ୱତୀ ତ୍ରିବେଣୀର ଧାରାରେ, ଶିବାଳିକ ଗର୍ଭସ୍ଥ ଉତ୍ସରେ ଲୁକ୍କାୟିତ ଅବସ୍ଥାରେ ଅଛନ୍ତି । ସେ ଅବିରତ, ଅନବରତ, ଗତିଶୀଳ, ଚଳଚଞ୍ଚଳ, ଦିବ୍ୟ ରସପୂର୍ଣ୍ଣ । ବଡ଼ନାନୀଙ୍କ ଦିବ୍ୟରୂପରେ ମୁଁ ପରମାତ୍ମାଙ୍କ ‘ରସୋ ବୈ ସଃ’ ରୂପକୁ ଅନୁଭବ କରି ପାରୁଛି । କେତେବେଳେ ଦୃଷ୍ଟି ସମ୍ମୁଖରେ ତ କେତେବେଳେ ଦୃଷ୍ଟି ଉହାଡ଼ରେ ଥିବା ସରସ୍ୱତୀଙ୍କ ଭଳି ଜନ୍ମ-ପୁନର୍ଜନ୍ମରେ ସେ ମଧ୍ୟ ଜଣେ ଧାରକ ଓ ବାହକଙ୍କ ଅପେକ୍ଷାରେ ରହିଛନ୍ତି ।

ସମାପ୍ତ

– ପ୍ରମୋଦ କୁମାର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।