You are currently viewing ପୁଅ ପାଇଁ ଗୀଟାର୍
Odia Story Pua Pain Guitar (ପୁଅ ପାଇଁ ଗୀଟାର୍) by Deepak Sarangi

ପୁଅ ପାଇଁ ଗୀଟାର୍

୨୦୦୯ ମସିହା ଅକ୍ଟୋବର ମାସ । କଟକରେ ଦଶହରା ସମୟ । ମା’ଙ୍କ ଆଗମନରେ ସାରା ସହର ଉତ୍ସବ ମୁଖର । ଯୁଆଡ଼େ ଚାହିଁବ ରଙ୍ଗୀନ ଆଲୋକର ରୋଷଣୀ । ସେଦିନ ହୋଇଥାଏ ମହାଷ୍ଟମୀ । ବିଡ଼ାନାସୀରୁ ଗୋଟେ ପ୍ରୋଗ୍ରାମ ସାରି ମୁଁ ମୋ ମଟରସାଇକେଲରେ ଘରକୁ ଫେରୁଥାଏ । ରାତି ପ୍ରାୟ ୧୧.୩୦ ହେବ । କାନ୍ଧରେ ପକେଇଥାଏ ମୋ ଗୀଟାର । ପ୍ରଶାସନର କଡ଼ା ନିୟମ ରାତି ଦଶଟା ପରେ ସବୁ ମେଲୋଡ଼ି କାର୍ଯ୍ୟକ୍ରମ ବନ୍ଦ । କାଠଯୋଡ଼ି ରିଂବନ୍ଧ ଦେଇ ଆସୁଥାଏ ମୁଁ; ସନ୍ଧ୍ୟାବେଳେ ଟିକେ ବର୍ଷା ହୋଇଥିଲା;ଥଣ୍ଡା ପବନଟା ଦେହକୁ ଶୀତୁଆ ଲାଗୁଥାଏ । ରାସ୍ତାରେ ଲୋକ ଟିକେ କମି ଆସିଲେଣି । ମୁଁ ପ୍ରାୟ ବିଶ୍ଵନାଥ ପଣ୍ଡିତ ପାଠାଗାର ପାଖାପାଖି ହୋଇଗଲିଣି, ହଠାତ ମୋ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଗଲା । ଭାବିଲି ବୋଧେ ଗାଡ଼ି ରିଜର୍ଭରେ ପଡ଼ି ଯାଇଥିବ । କିନ୍ତୁ ନା, ଆଜି ସକାଳେ ହିଁ ପରା ଦୁଇ ଲିଟର ପେଟ୍ରୋଲ ପକେଇଥିଲି; ବୋଧେ ବର୍ଷା ଯୋଗୁଁ ଇଞ୍ଜିନରେ ପାଣି ପଶିଯାଇଥିବ । ଗାଡ଼ିରୁ ଓହ୍ଲେଇ ଚେକ୍ କଲି ସବୁ ଠିକଠାକ୍ ଅଛି । ସେଲ୍ଫ୍ ଷ୍ଟାର୍ଟରେ ବି ଚେଷ୍ଟା କଲି, ଚୋକ୍ ଅନ କରିକି ବି ଚେଷ୍ଟା କଲି, ଗାଡ଼ି ଷ୍ଟାର୍ଟ ହବାର ନାଁ ଧରୁ ନଥାଏ ! କାନ୍ଧରୁ ଗିଟାରଟା କାଢ଼ିଦେଇ ପୁଣି ଗାଡ଼ି ଉପରେ ବସି କିକ୍ ଉପରେ କିକ୍ ମାରିବାକୁ ଲାଗିଲି । ମୋତେ ଲାଗୁଥିଲା ମୋ ଗାଡ଼ି ଯିଏ କି କିଣା ହବା ଦିନଠାରୁ ଗୋଟାଏ କିକରେ ଷ୍ଟାର୍ଟ ହଉଥିଲା ଆଜି କିନ୍ତୁ ମୋତେ ଗୋଟେ ପାନେ ଦେବାର ବନ୍ଦୋବସ୍ତ କରିଥିଲା । ଆଖପାଖକୁ ଟିକେ ନଜର ପକେଇଲି ସବୁ ଦୋକାନ ବଜାର ବନ୍ଦ ହୋଇଗଲାଣି । ସେତେବେଳକୁ ରାତି ପ୍ରାୟ ୧୨ଟା ଉପରେ ହେଲାଣି । ଟିକେ ହତୋତ୍ସାହ ହୋଇ ପଡ଼ିଲି । ଚାରିପଟକୁ ନଜର ବୁଲେଇ ଦେଖେ ତ ମୁଁ କାଳୀ ମନ୍ଦିର ମଶାଣି ପାଖରେ ଛିଡ଼ା ହୋଇଛି । ରାସ୍ତାର ବାମ ପଟେ ମଶାଣି ଆଉ ଡାହାଣ ପାଖେ କାଳୀ ମନ୍ଦିର । ମୋ ଦେହରୁ ପରସ୍ତେ ଝାଳ ବାହାରିଗଲା । ଦେହକୁ ଶୀତୁଆ ଲାଗୁଥିବା ପବନଟା ମୋତେ ବୈଶାଖ ମାସର “ଲୁ” ଭଳି ଲାଗିଲା । ମନ୍ଦିରର ପହଡ଼ ପଡ଼ିଛି । ରାସ୍ତାରେ ଆଉ ପ୍ରାୟ କେହି ନାହାନ୍ତି । ଯାହା କେବେଳ ସେଇ ଖାନନଗର ପୂଜା ମଣ୍ଡପର ଲାଇଟ ଗୁଡ଼ା ଧପ୍ ଧପ୍ ହେଉଥାଏ । କଣ କରିବି ବୋଲି ଭାବି ମୋତେ ବୁଦ୍ଧିବାଟ ଦିଶୁ ନଥାଏ । ମା କାଳୀଙ୍କୁ ମନେମନେ ସ୍ମରଣ କଲି । ମଶାଣିରୁ ଭାସି ଆସୁଥିବା ମଣିଷ ପୋଡ଼ା ଘିଅର ବାସ୍ନା ମୋ ଅବସ୍ଥାକୁ ଆହୁରି ଖରାପ କରି ଦେଉଥାଏ । ହଠାତ ଦେଖିଲି ପାଠାଗାର ଆଡ଼ୁ ଜଣେ କିଏ ଚାଲିଚାଲି ଆସୁଛି । କାଳୀ ମନ୍ଦିର ପଟ ରାସ୍ତାଟା ଟିକେ ଅନ୍ଧାରିଆ ଥିବାରୁ ଠିକ୍‌ରେ ବୁଝା ପଡ଼ୁ ନଥାଏ । ଏତେ ରାତିରେ ମଶାଣି ପାଖରେ ତାକୁ ଦେଖି ମୋ ପିଳେହି ପାଣି । ମୁଣ୍ଡ ପୋତିକି ସେ ଆଡ଼କୁ ଧ୍ୟାନ ନ ଦେଇ ଗୀଟାରଟାକୁ କାନ୍ଧରେ ପକେଇ ଦେଇ ଗାଡ଼ି ଉପରେ ବସି କିକ୍ ଉପରେ କିକ୍ ମାରି ଚାଲିଲି । ସେ ଲୋକଟା ଯେ କେତେବେଳେ ଆସି ମୋ ପାଖରେ ଛିଡ଼ା ହୋଇଗଲାଣି ମୁଁ ଜାଣିନି । ଶୁଣିଲି ଗୋଟେ ସ୍ଵର – “ଭାଇ କ’ଣ ହେଲା କି?” ଚମକି ପଡ଼ିଲି । ମୁଣ୍ଡ ଉଠେଇ ଚାହିଁଲା ବେଳକୁ ମୋ ସାମନାରେ ଜଣେ ଧଳା ସାର୍ଟ ଆଉ ନୀଳଜୀନ୍ସ ପିନ୍ଧା ବ୍ୟକ୍ତି । ବ୍ୟକ୍ତି ଜଣକ ଭଦ୍ର ଓ ମାର୍ଜିତ ଜଣା ପଡ଼ୁଥାନ୍ତି ଦେଖିବାକୁ । ଗୋରା ବର୍ଣ୍ଣ ଓ ନାକ ତଳେ ସରୁ ନିଶ । ବୟସ ପାଖାପାଖି ୪୦ ହେବ । ମୁଁ କହିଲି, “ଗାଡ଼ିଟାର ଅଚାନକ ଷ୍ଟାର୍ଟ ବନ୍ଦ ହୋଇଗଲା ତ ସେଥିପାଇଁ ଚେଷ୍ଟା କରୁଛି କିନ୍ତୁ ଷ୍ଟାର୍ଟ ହଉନି” । ମୋ କାନ୍ଧରେ ପଡ଼ିଥିବା ଗୀଟାର ଦେଖି ଭଦ୍ରବ୍ୟକ୍ତି ଜଣକ ପଚାରିଲେ, “ଆପଣ କ’ଣ ଗିଟାର ବଜାନ୍ତି?” ମୁଁ କହିଲି, “ହଁ ! ବିଡ଼ାନାସୀରେ ଆଜି ଆମର ଗୋଟେ ପ୍ରୋଗ୍ରାମ ଥିଲା ତ ଯାଇଥିଲି । ଦେଖୁନାହାନ୍ତି ଫେରୁଫେରୁ ବାଟରେ ମୋର ଏ କି ଅବସ୍ଥା !”

ଭଦ୍ରବ୍ୟକ୍ତି ଜଣକ ଉତ୍ସାହିତ ହୋଇ ପଚାରିଲେ, “ଆପଣ କ’ଣ ଗୀଟାର ଶିଖାନ୍ତି?” ମୁଁ କହିଲି, “ହଁ ଶିଖାଏ ।” ଭଦ୍ରବ୍ୟକ୍ତିଙ୍କ ଆଖିରେ ଗୋଟେ ସନ୍ତୋଷ ପରିଲକ୍ଷିତ ହେବା ପରି ଜଣା ପଡ଼ିଲା । ସେ ପୁଣି ପଚାରିଲେ, “ଭାଇ! ଗୋଟେ ଅନୁରୋଧ ରଖିବେ?” ମୁଁ ତାଙ୍କୁ ଟିକେ ଆଶଙ୍କାପୂର୍ଣ୍ଣ ଚାହାଣିରେ ଅନେଇଲି । ମୋତେ ସହଜ କରିବାକୁ ଯାଇ ସେ କହିଲେ, “ମୁଁ ଆପଣଙ୍କ ଗାଡ଼ି ଷ୍ଟାର୍ଟ କରି ଦେବି; କିନ୍ତୁ ଆପଣଙ୍କୁ ମୋର ଗୋଟେ ଛୋଟ ଅନୁରୋଧ ରକ୍ଷା କରିବାକୁ ପଡ଼ିବ ।” ମୁଁ ବ୍ୟସ୍ତ ଆଉ ବିରକ୍ତ ହୋଇ କହିଲି, “ଆପଣ କ’ଣ ମେକାନିକ ଯେ ଗାଡ଼ି ଷ୍ଟାର୍ଟ କରି ଦେବେ?” ଭଦ୍ର ବ୍ୟକ୍ତି ଜଣକ ଟିକେ ହସି ଉତ୍ତର ଦେଲେ, “ନା ମୁଁ ମୋଟରସାଇକେଲ ମେକାନିକ ନୁହେଁ, କିନ୍ତୁ ମୁଁ ପାରିବି ।” ମୁଁ ବ୍ୟସ୍ତ ହୋଇ କହିଲି, “କଣ କହିବା କଥା ଜଲଦି କହିଲେ?” ଭଦ୍ରବ୍ୟକ୍ତି ଜଣକ ତାଙ୍କ ସାର୍ଟ ପକେଟରୁ ତାଙ୍କ କାର୍ଡ଼ଟି ବାହାର କରିଦେଲେ ଓ କହିଲେ, “ଭାଇ ମୋର ବାର ବର୍ଷର ଗୋଟେ ପୁଅ ଅଛି ତା’ର ଗୀଟାର ଶିଖିବାକୁ ଖୁବ ଇଚ୍ଛା କିନ୍ତୁ ମୁଁ ଆଉ ମୋ ସ୍ତ୍ରୀର କାର୍ଯ୍ୟ ବ୍ୟସ୍ତତା ହେତୁ ତାକୁ ଗୀଟାର ଶିଖିବାକୁ ଛାଡ଼ି ପାରୁନୁ । ଆଉ ମୁଁ ବି ଜାଣିନି ଏ କଟକରେ କିଏ କେଉଁଠି ଗୀଟାର ଶିଖାଉଛି । ତେଣୁ ଆପଣ ଯଦି ଟିକେ ଆଗ୍ରହ ଦିଅନ୍ତେ ମୁଁ ପୁଅକୁ ଛାଡ଼ନ୍ତି ।” ସବୁ ଶୁଣି କି ନ ଶୁଣି ପାରିଲା ଭଳି କହିଲି, “ହଉ ହଉ ଠିକ୍ ଅଛି ମୋ ସମୟ ହେଲେ ମୁଁ ଆପଣଙ୍କୁ ଫୋନ କରିବି ଆପଣ ଆଗ ମୋ ଗାଡ଼ିଟା ଷ୍ଟାର୍ଟ କରିଦେଲେ ।” ମୋ ପାଟିରୁ କଥା ସରିଛି କି ନାହିଁ ଭଦ୍ରବ୍ୟକ୍ତି ଜଣକ ଗାଡ଼ି ଉପରେ ବସି ଗୋଟାଏ କିକ୍ ମାରିଲେ ଯେ ଏକା ଥରକେ ଗାଡ଼ି ଷ୍ଟାର୍ଟ ହେଇଗଲା । ମୁଁ ଅବାକ ହୋଇ ତାଙ୍କୁ ଅନାଇ ଥାଏ । ଭଦ୍ରବ୍ୟକ୍ତି ଜଣକ ଟିକେ ହସି କହିଲେ, “ହେଲା ତ ଆପଣଙ୍କ ପ୍ରୋବ୍ଲେମ ସଲ୍ଭ? କିନ୍ତୁ ପ୍ରୋମିସ୍ କରନ୍ତୁ ଆପଣ କାର୍ଡ଼ରେ ଥିବା ନମ୍ବରକୁ ଫୋନ କରି ନିଶ୍ଚୟ ଆସିବେ ।” ମୁଁ ମୁଣ୍ଡଟା ଟୁଙ୍ଗାରି ଦେଇ ତାଙ୍କୁ ଟିକେ ଧନ୍ୟବାଦ ବି ନକହି ସଙ୍ଗେସଙ୍ଗେ ସେଠୁ ପଳେଇ ଆସିଲି । ଘରେ ପହଞ୍ଚୁ ପହଞ୍ଚୁ ରାତି ପ୍ରାୟ ୨ଟା । କାହାକୁ କିଛି ନ କହି ସିଧା ଯାଇ ଖଟରେ ପଡ଼ିଗଲି ।

ଦଶହରା ସରି ଭସାଣି ସରି ଗୋଟେ ସପ୍ତାହ ହୋଇଗଲାଣି । ଦିନେ ବୋଉ ମୋର ମୋ ମଇଳା ସାର୍ଟ ପ୍ୟାଣ୍ଟ ଗୁଡ଼ା ସଫା କରିବାକୁ ନେଉଥିଲା ବେଳେ ମୋ ସାର୍ଟ ପକେଟରୁ ଖସି ପଡ଼ିଲା ସେଇ କାର୍ଡ଼ଟି । ସେ ଆଣି ମୋତେ କାର୍ଡ଼ଟି ଧରେଇ ଦେଲା । କାର୍ଡ଼ଟା ଦେଖି ମହାଷ୍ଟମୀ ରାତି କଥା ମୋର ମନେ ପଡ଼ିଗଲା । ମୋତେ ଟିକେ କୃତଘ୍ନ ମନେ ହେଲା ପରି ଲାଗିଲା । ମୋ ମନ ଭିତରୁ ଜଣେ ସତେ ଯେପରି କହୁ ଥିଲା, “ଆରେ ଯେଉଁ ଲୋକ ତୋତେ ରାତିରେ ଏତେ ବଡ଼ ବିପଦରୁ ସାହାଯ୍ୟ କଲା ତୁ ତାକୁ ଏତେ ଶୀଘ୍ର ଭୁଲିଗଲୁ?” କାର୍ଯ୍ୟ ବ୍ୟସ୍ତତା ହେତୁ ମୁଁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲି ସେଦିନ ରାତି କଥା । କାର୍ଡ଼ଟିରେ ଲେଖା ଥିଲା ପ୍ରକାଶ ନିଳୟ, ପ୍ରକାଶ କୁମାର ମିଶ୍ର ସିନିୟର ମ୍ୟାନେଜର ମାର୍କେଟିଂ । ତାଙ୍କ ଘରର ଲ୍ୟାଣ୍ଡ ଫୋନ ଓ ଗୋଟେ ମୋବାଇଲ ନମ୍ବର । ମୁଁ ଆଉ ଡେରି ନକରି ସିଧା ମୋ ମୋବାଇଲରେ ଆଗ ମୋବାଇଲ ନମ୍ବରଟାକୁ ଡାଏଲ କଲି କିନ୍ତୁ ସେମିତି କିଛି ନମ୍ବର କୌଣସି ଉପଭୋକ୍ତାଙ୍କୁ ଦିଆଯାଇ ନାହିଁ ବୋଲି ଭିତରୁ ଶୁଣାଗଲା । ତା ପରେ ମୁଁ ଲ୍ୟାଣ୍ଡ ଫୋନକୁ ଡାୟଲ କଲି ତିନି ଚାରି ଥର ରିଂ ହେବା ପରେ ଜଣେ ମହିଳାଙ୍କ ସ୍ଵର ସେପଟୁ ଶୁଣାଗଲା । ମୁଁ କହିଲି “ଆଜ୍ଞା! ମୋତେ ପ୍ରକାଶ ବାବୁ ଏଇ ନମ୍ବରଟି ଦେଇ କହିଥିଲେ ଯେ ତାଙ୍କ ପୁଅ ଗୀଟାର ଶିଖିବ ବୋଲି । ସେଥିପାଇଁ ଫୋନ କରିଥିଲି ।” ସେପଟୁ କିଛି ଉତ୍ତର ନାହି ମୁଁ ହାଲୋ ହାଲୋ ହଉଥାଏ, ଭାବିଲି ବୋଧେ ଫୋନଟା କଟିଗଲା, କିଛି ସମୟ ପରେ ମହିଳା ଜଣକ ଉତ୍ତର ଦେଲେ, “ମୁଁ ଆପଣଙ୍କୁ ଘରର ଆଡ୍ରେସ୍ କହୁଛି ଆପଣ ଆସନ୍ତୁ ।” ମୁଁ କହିଲି, “ହଁ କୁହନ୍ତୁ” ସେପଟୁ ମହିଳା ଜଣକ କହିଲେ “ମହାନଦୀ ବିହାର, ୪ ଲେନ, ହାଉସ ନମ୍ବର ସି/୨୧ ।” ମୁଁ ଧନ୍ୟବାଦ ଜଣାଇବା ପୂର୍ବରୁ ସେପଟୁ ମହିଳା ଜଣକ ଫୋନଟି କାଟି ଦେଲେ । ମୁଁ ସଙ୍ଗେ ସଙ୍ଗେ ଗାଡ଼ି ଧରି ବାହାରି ଗଲି ସେଇ ଠିକଣା ଆଡ଼କୁ । ଆଉ ଠିକ୍ ୩୦ ମିନିଟ ପରେ ମୁଁ ଥାଏ ପ୍ରକାଶ ନିଳୟର ଗେଟ୍ ସାମ୍ନାରେ । ଦେଖିଲି ଏକ ଦୁଇ ମହଲା ମନୋରମ ଅଟ୍ଟାଳିକା । ମୁଖ୍ୟ ଫାଟକରେ ମାର୍ବଲରେ ଲେଖା ହୋଇଥାଏ ପ୍ରକାଶ ବାବୁଙ୍କ ନାଁ ଓ ଘରର ଠିକଣା । ମୁଁ ଗେଟ୍ ଖୋଲି ଭିତରକୁ ଗଲି । ବାହାରେ ଥିବା କଲିଂ ବେଲ୍ ଚିପିଲି ଆଉ ଅପେକ୍ଷା କଲି । କିଛି ସମୟ ପରେ ଜଣେ ୩୫/୩୬ ବର୍ଷୀୟ ଭଦ୍ର ମହିଳା ଆସି କବାଟ ଖୋଲିଲେ । ମୁଁ ମୋ ସଂକ୍ଷିପ୍ତ ପରିଚୟ ଦେଲି । ମୋତେ ମହିଳା ଜଣକ ନେଇ ତାଙ୍କ ବୈଠକଖାନାରେ ବସିବାକୁ କହିଲେ । ଚା’ କିମ୍ବା କଫି ପଚାରିବାରୁ ମୁଁ ଚା’ ପାଇଁ କହିଲି । ମହିଳା ଜଣକ ଭିତରକୁ ଚାଲିଗଲେ । ମୁଁ ସୋଫା ଉପରେ ବସି ପାଖ ଟେବୁଲରେ ଥିବା ଖବରକାଗଜ ଲେଉଟାଉ ଥିବା ବେଳେ ମୋ ନଜର ପଡ଼ିଲା ବୈଠକଖାନାର କାନ୍ଥରେ ଟଙ୍ଗା ହୋଇଥବା ଫୁଲମାଳ ଦିଆ ହୋଇଥିବା ଫୋଟୋ ଉପରେ । ଫୋଟୋଟିକୁ ଟିକେ ପାଖରୁ ଦେଖିବା ପାଇଁ ସୋଫାରୁ ଉଠି ଫୋଟୋ ପାଖକୁ ଗଲି । ଫୋଟୋକୁ ଦେଖି ମୋ ପାଦ ତଳୁ ମାଟି ଖସି ଯିବା ଭଳି ମନେ ହେଲା । ମୁଁ ଦେଖିଲି ଏ ଫୋଟୋ ତ ସେଇ ଭଦ୍ର ଲୋକଙ୍କର ଯିଏ ମୋତେ ମହାଷ୍ଟମୀ ରାତିରେ ମୋ ଗାଡ଼ି ଷ୍ଟାର୍ଟ କରିବାରେ ସାହାଯ୍ୟ କରିଥିଲେ !! ଘର ଏସିର ଟେମ୍ପରେଚର ୨୪ ଥିଲେ ବି ଝାଳରେ ମୋ ସାର୍ଟଟା ପୁରା ଓଦା ହେଇ ଯାଇଥିଲା ।

“ଏ ମୋ ସ୍ଵାମୀ ପ୍ରକାଶ କୁମାର ମିଶ୍ର ।” ଚମକି ପଡ଼ି ବୁଲିକି ଦେଖିଲ ବେଳକୁ ଭଦ୍ରମହିଳା ହାତରେ ଚା’ କପ୍ ଧରି ଛିଡ଼ା ହୋଇଛନ୍ତି । “ମାର୍କେଟିଂର ସିନିୟର ମ୍ୟାନେଜର ଥିଲେ । ଦୁଇ ବର୍ଷ ତଳେ ଗୋଟେ କାର ଦୁର୍ଘଟଣାରେ…..” ଆଉ କିଛି କହିବା ପୂର୍ବରୁ ଗୋଟେ କଳା ହବନର ଗୀଟାର ଧରି ପଶି ଆସିଲା ୧୨/୧୩ ବର୍ଷର ଗୋଟେ ପିଲା । ଭଦ୍ରମହିଳା କହିଲେ, “ଅଙ୍କଲଙ୍କୁ ନମସ୍କାର କର ।” ଏ ମୋ ପୁଅ ବଣ୍ଟି ଟିଭିରୁ ଦେଖି ଜିଦି ଧରିବାରୁ ବାପା ତା’ର ଦୁଇ ବର୍ଷ ତଳେ ତା’ ଜନ୍ମ ଦିନରେ ତାକୁ ଏଇ ଗୀଟାର ଗିଫ୍ଟ ଦେଇଥିଲେ ଆଉ ବଣ୍ଟିର ଜନ୍ମଦିନ ପରଦିନ ହିଁ ତା’ ବାପାଙ୍କର … ।” ଅମାନିଆ ଲୁହଗୁଡ଼ାକୁ ରୋକିବାକୁ ଚାହୁଁଥିଲେ ବି ରୋକି ପାରି ନ ଥିଲେ ଭଦ୍ର ମହିଳା ଜଣକ ମୋ ସାମ୍ନାରେ ।

ମୁଁ ପରିବେଶକୁ ଟିକେ ହଲକା କରିବାକୁ ଯାଇ ବଣ୍ଟିକୁ ନେଇ କୋଳରେ ବସେଇ କହିଲି, “ଆରେ ବଣ୍ଟିବାବା ! ଆମର ବହୁତ ଜଲଦି ରକ୍ ଷ୍ଟାର୍ ହେବେ ।” ଭଦ୍ର ମହିଳା ଜଣକ ଚାଲି ଯାଇଥିଲେ ଘର ଭିତରକୁ । ଆଉ ବଣ୍ଟି ଗୀଟାରରେ ବଜେଇ ବାକୁ ଚେଷ୍ଟା କରୁଥିଲା ସି ସ୍କେଲର ସାତଟିଯାକ ଧୂନ୍‌କୁ । କିନ୍ତୁ ଠିକ୍‌ରେ ବଜେଇ ପାରୁଥିଲା କେବଳ ପାଞ୍ଚଟି ଧୂନ୍ । ତାହାଥିଲା “ସା” “ରେ” “ଗା” “ମା” ଆଉ ଟିକେ ଅଟକି ଯାଉଥିଲା “ପା”…………ପାଖରେ ।

– ଦୀପକ ଷଡ଼ଙ୍ଗୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପକ ଷଡ଼ଙ୍ଗୀ ପେଶାରେ ଜଣେ ଅଧ୍ୟାପକ, ଯିଏକି ରୋଲାଣ୍ଡ ଫାର୍ମାସୀ କଲେଜରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଏତଦ୍‌ବ୍ୟତୀତ ସେ ନିଜେ ଜଣେ ଗୀତାର ବାଦକ ।