You are currently viewing ନାଲି ସୂତା ଓ କଳା ସୂତାର ରହସ୍ୟ
Nali Suta Kala Suta Rahasya (ନାଲି ସୂତା ଓ କଳା ସୂତାର ରହସ୍ୟ) by Balmiki Nayak

ନାଲି ସୂତା ଓ କଳା ସୂତାର ରହସ୍ୟ

ମୁଁ ପ୍ରାୟ ପ୍ରତିଦିନ ପ୍ରାତଃ ଭ୍ରମଣରେ ଯାଏ । ନିକଟସ୍ଥ ପୋଖରୀ ଚାରି ପାଖରେ ଦୁଇ ଘେରା ବୁଲିସାରି ଗୋଟିଏ ସ୍ଥାନରେ ଶାରୀରିକ ବ୍ୟୟାମ କରେ । ମୁଁ ପାଦରୁ ମୁଣ୍ଡଯାଏଁ ପର୍ଯ୍ୟାୟକ୍ରମେ ସମସ୍ତ ଅବୟବର ବ୍ୟାୟାମ କରେ ।

ଦିନେ ମୁଁ ବ୍ୟାୟାମ କରୁଥିବାବେଳେ ଦେଖିଲି ଜଣେ ଆଧୁନିକା ଯୁବତୀ ଚୁସ୍ତ ଟ୍ରାକିଙ୍ଗ ସୁଟ ପିନ୍ଧି ନିକଟସ୍ଥ ବେଞ୍ଚରେ ବସି ମୋବାଇଲରେ ଚାଟିଙ୍ଗ କରୁଥିଲା । ମୋର ବ୍ୟାୟାମ କରୁଥିବା ଶୈଳୀ ହୁଏତ ତାଙ୍କୁ ପସନ୍ଦ ହୋଇଥିଲା । ମୋର ବ୍ୟାୟାମ ଶେଷ ହେବା ପରେ ସେ ଉଠିପଡ଼ି ମୋତେ “ନମସ୍ତେ ଅଙ୍କଲ” କହିଲା । ମୁଁ ପ୍ରତି ନମସ୍କାର କଲି । ସେ କହିଲା, “ଅଙ୍କଲ ଆପଣଙ୍କର ବ୍ୟାୟାମ ଶୈଳୀ ବହୁତ ଭଲ ।”

ମୁଁ କହିଲି, “ଧନ୍ୟବାଦ । ତୁମେ ମଧ୍ୟ ଏଠାରେ ବସିବା ଅପେକ୍ଷା କିଛି ବ୍ୟାୟାମ କର ।” ସେ କହିଲା, “ଆପଣ ମୋତେ ଦୟାକରି ଏହି ସବୁ ବ୍ୟାୟାମ ଶିଖାଇ ଦେବେକି?” ମୁଁ ତାଙ୍କୁ ସେ ଦିନ ପୁଣି ଥରେ ସବୁ ବ୍ୟାୟାମ କରି ଦେଖାଇ ଦେଲି ।

ଆମର ବାର୍ତ୍ତାଳାପ ସହଜ ହେବା ପରେ, ମୁଁ ତାଙ୍କର ପରିଚୟ ଜାଣିବାକୁ ଚାହିଁଲି । ସେ କହିଲା, “ଆମେ ଉତ୍ତରଭାରତରୁ ଆସି ବାଙ୍ଗାଲୋରରେ ଗତ ଦୁଇ ବର୍ଷ ହେଲା ଅଛୁ । ମୋ ସ୍ୱାମୀ ଚାକିରି କରୁଛନ୍ତି । ମୁଁ ମଧ୍ୟ ଏମ.ବି.ଏ କରିଛି । ଚାକିରି ଖୋଜୁଛି । ମୋ ନାଁ ସରସ୍ୱତୀ….. (ଛଦ୍ମ ନାମ) ।”

ମୁଁ ତାଙ୍କ ଦେହରେ ହିନ୍ଦୁ ବିବାହିତା ସ୍ତ୍ରୀର କୌଣସି ଚିହ୍ନ ଦେଖିଲି ନାହିଁ । ତେଣୁ ପଚାରିଦେଲି, “ତୁମକୁ ଦେଖି ଜାଣି ହେଲାନି ଯେ ତୁମେ ବିବାହିତା ସ୍ତ୍ରୀ ।” ସେ ଖୁବ ଦୃଢ଼ତାର ସହ କହିଲା, “ଆଜିକାଲି ଆଉ ସେହି ରୂଢ଼ିବାଦୀ ପରମ୍ପରାକୁ ମାନିଲେ ଚଳି ହେବକି ଅଙ୍କଲ? ଯୁଗ ସହିତ ପାଦ ମିଳାଇ ନ ଚାଲିଲେ ତ ଆମେ ପଛରେ ରହିଯିବା ।”

ମୁଁ କହିଲି, “ଠିକ କହୁଛ ! ହେଲେ ଯଦି ଖରାପ ଭାବିବ ନାହିଁ ଗୋଟିଏ କଥା ପଚାରିବି?” ସେ କହିଲା, “ହଁ ପଚାରନ୍ତୁ !” ମୁଁ ତାଙ୍କର ଡାହାଣ ହାତରେ ବାନ୍ଧିଥିବା ନାଲି ସୂତା ଓ ଡାହାଣ ପାଦର ଗୋଇଠି ଉପରେ ବାନ୍ଧିଥିବା କଳା ସୂତା ପ୍ରତି ଲକ୍ଷ୍ୟ କରି ପଚାରିଲି, “ଏଗୁଡ଼ିକ କେବେଠାରୁ ବାନ୍ଧିଛ? ଏହାଦ୍ୱାରା ତୁମର କ’ଣ ସବୁ ଫାଇଦା ହେଉଛି?”

ସେ ବହୁତ ସହଜ ଗଳାରେ କହିଲା, “ବେଳେ ବେଳେ ମନ୍ଦିରକୁ ଗଲେ ପୂଜାରୀ ହାତରେ ନାଲି ସୂତା ବାନ୍ଧି ଦିଅନ୍ତି । କିନ୍ତୁ ବହୁତ ଚେଷ୍ଟା କରି ମଧ୍ୟ ଚାକିରିଟିଏ ମିଳୁ ନଥିବାରୁ, ଜଣେ ଜ୍ୟୋତିଷଙ୍କ ନିର୍ଦ୍ଦେଶରେ, ସେ ଦେଇଥିବା ଏହି କଳା ସୂତାଟି ଗତ ବର୍ଷେ ହେବ ବାନ୍ଧିଛି । ଫାଇଦା କ’ଣ ହେଉଛି ଜାଣେନି କିନ୍ତୁ ବିଶ୍ୱାସ ଅଛି ।”

ମୋର ହେତୁବାଦୀ ମନରେ ଦୁଷ୍ଟାମୀ ବୁଦ୍ଧି ପଶିଲା । ତାଙ୍କୁ କହିଲି, “ଠିକ୍ କହିଛ ! ହେଲେ ମୁଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ପଢ଼ିଛି । ସେଥିରେ ସ୍ତ୍ରୀମାନଙ୍କର ବାମ ହାତରେ ଓ ବାମ ଗୋଡ଼ରେ ଏସବୁ ବାନ୍ଧିଲେ ବେଶୀ ଭଲ ଫଳ ମିଳେ ବୋଲି ଲେଖାଅଛି । ସ୍ତ୍ରୀକୁ ‘ବାମାଙ୍ଗୀ’ ବୋଲି କୁହାଯାଏ । ଜ୍ୟୋତିଷମାନେ ସ୍ତ୍ରୀଙ୍କ ବାମ ହସ୍ତ ଦେଖି ଭୂତ ଭବିଷ୍ୟତ କଥା କହିଥାନ୍ତି । ହଉ ଆଜି ମୁଁ ଯାଉଛି । ମୁଁ ତୁମର ମଙ୍ଗଳ କାମନା କରୁଛି ଶୀଘ୍ର ଚାକିରି ମିଳିଯାଉ ।”

ତା’ପରେ ମୁଁ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କିଛି କାର୍ଯ୍ୟ ବ୍ୟସ୍ତ ଯୋଗୁଁ ପ୍ରାତଃ ଭ୍ରମଣରେ ଯାଇ ପାରିଲି ନାହିଁ । ଦିନେ ଯାଇ ଦେଖିଲି ସେହି ଝିଅଟି ସେଇଠି ମୁଁ ଶିଖାଇ ଥିବା ବ୍ୟାୟାମଗୁଡ଼ିକ କରୁଛି । ମୋତେ ଦେଖି ଭାରି ଖୁସି ହୋଇ ନମସ୍ତେ କଲା । ପଚାରିଲା, “ଆପଣଙ୍କ ଦେହ ସୁସ୍ଥ ଅଛି ତ ଅଙ୍କଲ? ଆପଣ ବହୁତ ଦିନ ହେଲା ଆସୁ ନଥିବାରୁ ମୁଁ ଚିନ୍ତାରେ ଥିଲି ।” ମୁଁ କହିଲି, “ହଁ ଝିଅ, ମୁଁ ଠିକ ଅଛି କିନ୍ତୁ କିଛି କାମ ପଡ଼ିଯିବାରୁ ଆସି ପାରୁନଥିଲି ।”

ସେ କହିଲା, “ମୁଁ ଆପଣଙ୍କୁ ଧନ୍ୟବାଦ ଦେବାପାଇଁ ଗତ ତିନି ଦିନ ହେଲା ଏଠାକୁ ଆସି ଅପେକ୍ଷା କରି କରି ଫେରୁଛି ।”
ମୁଁ ଟିକିଏ ଆଶ୍ଚର୍ଯ୍ୟ ହୋଇ ପଚାରିଲି, “କ’ଣ ପାଇଁ ଧନ୍ୟବାଦ ଦେବ?”
ସେ କହିଲା, “ମୁଁ ଆପଣଙ୍କର କଥା ମାନି ଏହି ସୂତାଗୁଡ଼ିକ ମୋର ବାମ ହାତ ଓ ପାଦରେ ବାନ୍ଧି ଦେଲି । ସେଥିପାଇଁ ଗତ ଚାରି ଦିନ ତଳେ ମୋତେ ଗୋଟିଏ ଭଲ ଚାକିରିଟିଏ ମିଳିଗଲା । ଆପଣ ସତରେ ଜଣେ ଜ୍ଞାନୀ ବ୍ୟକ୍ତି । ଆପଣଙ୍କୁ ପ୍ରଣାମ କରୁଛି ।”

ମୁଁ ସେତେବେଳେ ଖୁସି ହେବି ନା ତା’ର ଭୋଳା ପଣ ଦେଖି ଦୁଃଖ କରିବି ବୁଝି ପାରୁନଥିଲି? ନିଜକୁ ସଂଯତ କରି କହିଲି, “ବହୁତ ଖୁସିର କଥା । ଏବେ ଟିକିଏ ଧୈର୍ଯ୍ୟର ସହ ମୋ କଥା ଶୁଣ । ମୁଁ ଜଣେ ନିରୀଶ୍ୱରବାଦୀ ଓ ମାନବବାଦୀ ବ୍ୟକ୍ତି । ଭିତ୍ତିହୀନ ବିଶ୍ୱାସ ଓ ଅହେତୁକ ଭୟରୁ ମୁଁ ବହୁତ ଦୂରରେ ରହୁଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ତର୍କସଙ୍ଗତ ଭାବେ ପ୍ରତ୍ୟେକ କଥାକୁ ବିବେଚନା କରି, ପରେ ତାକୁ ବିଶ୍ୱାସ କରେ । ଏଇଠି ତୁମର ବିଶ୍ୱାସ ଓ ଜୀବନ ଶୈଳୀ ଉପରେ ଆମେ ଆଲୋଚନା କରିବା । ଦେଖ ! ତୁମେ ଉଚ୍ଚ ଶିକ୍ଷା ଲାଭ କରିଥିବାରୁ, ତୁମ ପରିବାର ଓ ସମାଜର କିଛି କିଛି ରୂଢ଼ିବାଦୀ ପରମ୍ପରାକୁ ଛାଡ଼ି, ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଛ । ଏହା ହେଉଛି ତୁମର ବୈଜ୍ଞାନିକ ଚିନ୍ତନ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ବିଜ୍ଞାନ ସିଦ୍ଧ ବିଦ୍ୟା ନୁହେଁ, ତଥାପି ତୁମେ ତାକୁ ବିଶ୍ୱାସ କରି ହାତରେ, ପାଦରେ ମନ୍ତ୍ରସିଦ୍ଧ ନାଲି ଓ କଳା ସୂତା ବାନ୍ଧିଲେ ନିଜର ମଙ୍ଗଳ ହେବ ବୋଲି ଭାବୁଛ । ଯେଉଁ ହାତରେ ନାରୀର ଆଭୂଷଣ ସୁନା ଚୁଡ଼ି ଶୋଭା ପାଉଥାନ୍ତା, ସେ ହାତରେ ମଇଳା ନାଲି ସୂତା ଖଣ୍ଡେ ବାନ୍ଧି ବୁଲୁଛ । ଯେଉଁ ପାଦରେ ରୂପା ପାଉଁଜି ଶୋଭା ପାଉଥାନ୍ତା, ସେଥିରେ କଳା ସୂତାଟିଏ ବାନ୍ଧିଛ । ନିଜେ କୁହ, ତୁମର ଆଧୁନିକ ମ୍ୟାଚିଙ୍ଗ ଡ୍ରେସ ସହ ଏଗୁଡ଼ିକ କ’ଣ ମ୍ୟାଚ କରୁଛି? ତୁମର ବିଶ୍ୱାସକୁ ତୁମେ ନିଜେ ହିଁ ପରୀକ୍ଷା କର । ଗତ ବର୍ଷେ ହେଲା ତୁମେ ସେହି ଜ୍ୟୋତିଷଙ୍କ କଥାକୁ ବିଶ୍ୱାସ କରୁଥିଲ । ମୋର ଦୁଇ ପଦ କଥାରେ ତୁମର ବିଶ୍ୱାସ ବଦଳି ଗଲା । କାରଣ ତୁମର ବିଶ୍ୱାସ ଏକ ଭିତ୍ତିହୀନ ବିଶ୍ୱାସ ଥିଲା । ତା’ସହିତ ସଂଯୋଗ ବଶତଃ ତୁମକୁ ଚାକିରି ମିଳିଯିବାରୁ, ମୋ କଥା ହିଁ ଠିକ୍ ଭାବି ବାମ ହାତ ଓ ଗୋଡ଼ରେ ସୂତା ବାନ୍ଧି ରଖିବ । ପରେ ଅନେକ ଥର ଅସଫଳ ହେଲେ ମଧ୍ୟ ଏହି ଘଟଣାକୁ ଉଦାହରଣ ରୂପେ କହି ବୁଲିବ । ବର୍ତ୍ତମାନ ତୁମର ଚାକିରି ପାଇବା କଥା ଭାବିବା । ତୁମେ ବହୁତ ଦିନରୁ ବିଭିନ୍ନ କମ୍ପାନୀରେ ନିଜର ଯୋଗ୍ୟତା ଓ ଶିକ୍ଷା ସାର୍ଟିଫିକେଟ ସହିତ ଆବେଦନ କରିଥିଲ । ତୁମର ଯୋଗ୍ୟତାକୁ ଏହି କମ୍ପାନୀ ଗ୍ରହଣ କରିଥିବାରୁ, ଚାରି ଦିନ ତଳେ ତୁମକୁ ଚାକିରି ମିଳିଗଲା । ସେଥିପାଇଁ ମୋର ଉପଦେଶ ବା ଏହି ସୂତାମାନଙ୍କର କୌଣସି ଭୂମିକା ନାହିଁ । ଏହା ଏକ ସଂଯୋଗ ମାତ୍ର ।”

ଝିଅଟି ହଠାତ ଉଠିପଡ଼ି ମୋର ପାଦ ଛୁଇଁ ପ୍ରଣାମ କରି କହିଲା, “ଅଙ୍କଲ ଆଜି ମୋର ଯେମିତି ଏକ ନୂଆ ଜନ୍ମ ହେଲା । ମୁଁ ଆଜିଠାରୁ ଆପଣଙ୍କର ବୈଜ୍ଞାନିକ ବିଚାର ଧାରାକୁ ମାନିବି ।” ଏତିକି କହି ସେ ନିଜ ହାତ ଓ ପାଦରୁ ସୂତାଗୁଡ଼ିକ ଛିଣ୍ଡାଇ ଫିଙ୍ଗି ଦେଲା । ମୁଁ ତା’ର ମୁଣ୍ଡ ଉପରେ ସ୍ନେହରେ ହାତ ରଖି କେବଳ ଏତିକି କହିଲି, “ତୁମେ ସତରେ ଜୀବନରେ ବହୁତ ଉନ୍ନତି କରିବ ଝିଅ ।”

– ବାଲ୍ମୀକି ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବାଲ୍ମୀକି ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ରଚନା କରଥାନ୍ତି । ତାଙ୍କ ରଚିତ ଗଳ୍ପ ଓ ପ୍ରବନ୍ଧଗୁଡ଼ିକ ବାସ୍ତବବାଦୀ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ତଥା ଖବର କାଗଜର ସମ୍ପାଦକୟୀ ପୃଷ୍ଠାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।