You are currently viewing ଅଧା ପାଗଳର କମାଲ୍ କଥା
ଅଧା ପାଗଳର କମାଲ୍ କଥା

ଅଧା ପାଗଳର କମାଲ୍ କଥା

ଏଇ ଦିନ ୧୧ଟା ପାଖା ପାଖି ହେବ । ଅଧା ପାଗଳଟା ହଠାତ୍ ଆମ ଘର ଭିତରକୁ ପଶିଆସି ନମସ୍କାରଟେ ଫୋପାଡ଼ି ଦେଇ ଫାଙ୍କା ଥିବା ଗୋଟେ ଚେୟାର୍‌ରେ ବସିପଡ଼ିଲା । ମୁଁ ପଚାରିଲି, “କ’ଣ ଆଉ ସବୁ ଭଲ ତ?” ଉତ୍ତରରେ ସେ କହିଲା, “ହଁ ସାର୍ ସବୁ ଭଲ । ଏମିତି ଟିକେ ଆପଣଙ୍କୁ ଦେଖା କରିବାକୁ ଆସିଲି ।”

ପାଖରେ ଆଉ ଗୋଟେ ଚେୟାରରେ ମୋ ବୋଉ ବସିଥାଏ । ଶୀତ ଦିନ ହେତୁ ତାକୁ ଚାହା ଦେବା ଠିକ୍ ହେବ ବୋଲି ଚିନ୍ତା କରି ମୋ ସ୍ତ୍ରୀକୁ ଦୁଇ କପ୍ ଚାହା କରିବାକୁ କହିଲି । ଏମିତିରେ ସ୍ତ୍ରୀ ନିୟମ କରିଥାଏ ସକାଳ ବେଳା କପେ ଓ ସନ୍ଧାରେ କପେ – ଏଇ ମାତ୍ର ଦୁଇ କପ୍ ଚାହା ଦିନକୁ ମୋତେ ମିଳେ । କିନ୍ତୁ ଯଦି କିଏ ଅତିଥି ଆସିଗଲେ ତା’ହେଲେ ଡାଳୁଅ ପାଇଁ ଯେମିତି କନସିରି ପାଣି ପାଇଯାଏ ସେମିତି ମୋତେ ମଧ୍ଯ ମୋ କୋଟା ବାହାରୁ ଚାହା ମିଳିଥାଏ ।

କିଛି ଲୋକ ସେ ଲୋକଟିକୁ ଅଧା ପାଗଳ କାଇଁ କୁହନ୍ତି ମୁଁ ଏ ଯାଏଁ ମଧ୍ଯ କିଛି ସେମିତି ବଳିଷ୍ଠ କାରଣ ଖୋଜି ପାଇନି । ଏଇ କଥା ମନକୁ ଆସିବା ମାତ୍ରେ ଅଧା ପାଗଳ ଆଉ ଫୁଲ୍ ପାଗଳ ବିଷୟରେ ଗୋଟେ ଗପ ମନେ ପଡ଼େ । ଗପ କହିବା ଅପେକ୍ଷା ଗୁଲି ବୋଲି କହିବା ଠିକ୍ ହେବ । କିନ୍ତୁ ସେଇ ଗୁଲିରେ ମୁଁ ହସି ହସି ବେଦମ୍ ହୋଇଥିଲି ।

ସେ ଗୁଲି ଗପଟି ଥିଲା ଏମିତି;
ଗୋଟେ ପ୍ରାଇମେରୀ ସ୍କୁଲ୍‌କୁ ନିରିକ୍ଷଣ କରିବା ପାଇଁ ସ୍କୁଲ ଇନ୍ସପେକ୍ଟର ପରଦିନ ଆସିବା ପାଇଁ ସ୍ଥିର ହୋଇଥାଏ । ସ୍କୁଲର ସବୁ ସାର୍ ଓ ମାଡାମମାନେ ପୁରା ବିଚଳିତ ହେଉଥାନ୍ତି । କାହା ଚାକିରି ଯିବ କି କ’ଣ ହେବ ଏମିତି ଭୟ ସମସ୍ତଙ୍କୁ ଘାରୁଥାଏ । ସ୍କୁଲର ହେଡ୍‌ସାର୍ ସବୁ ଶ୍ରେଣୀର ଭଲ ପିଲାମାନଙ୍କୁ ଡାକି ବୁଝାଉଥନ୍ତି । ଯାହା ପ୍ରଶ୍ନ ଇନ୍ସପେକ୍ଟର କରିବେ ସେମାନେ ହାତ ଟେକି ସଠିକ୍ ଉତ୍ତର ଯେମିତି ଦେବେ । ମେଧାବୀ ପିଲାମାନେ ହେଡ୍‌ସାର୍‌ଙ୍କ କଥାରେ ମୁଣ୍ତ ହଲାଇ ହଁ ମାରୁଥାନ୍ତି ।

ପରଦିନ ଠିକ୍ ସକାଳ ୧୧ଟାରେ ଇନ୍ସପେକ୍ଟର ସ୍କୁଲରେ ପହଞ୍ଚିଗଲେ । ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଲେସନ୍ ପ୍ଲାନ୍ ସବୁ ଦେଖିସାରି ପଞ୍ଚମ ଶ୍ରେଣୀକୁ ଇନସ୍ପେକସନରେ ଯିବାକୁ ସ୍ଥିର କଲେ । ତାଙ୍କ ସହ ସ୍କୁଲର ହେଡ୍ ସାର୍ ଓ ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ମଧ୍ଯ ସେ କ୍ଲାସ ରୁମ୍ ଅଭିମୁଖେ ଚାଲିଲେ । ସେଠି ପହଞ୍ଚି ଇନ୍ସପେକ୍ଟର ମହାଶୟ ସମସ୍ତ ପିଲାମାନଙ୍କ ଉପରେ ଆଗ ଭଲକରି ଆଖି ବୁଲାଇ ଆଣିଲେ । ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପୁରା ଶଙ୍କାଗ୍ରସ୍ତ ଅବସ୍ଥାରେ ଥାଆନ୍ତି । ପିଲାମାନେ ମଧ୍ଯ ତାଙ୍କ ସାର୍ ଓ ମାଡାମ୍‌‌ମାନଙ୍କ ଅବସ୍ଥା ଦେଖି ପୁରା ଡରି ମରି ଥାଆନ୍ତି । ସ୍କୁଲ ପରିବେଶ ସାରା କେମିତି ଏକ ଭୟର ବାତାବରଣ ସୃଷ୍ଟି ହୋଇଥାଏ । ସମସ୍ତେ ପୁରା ଚୁପ୍ ଚାପ୍ ହୋଇ ଥାଆନ୍ତି । ଏତେ ନୀରବତା ବିରାଜମାନ କରୁଥାଏ ଯାହାକୁ କଥାରେ କୁହନ୍ତି ଛୁଞ୍ଚି ପଡ଼ିଲେ ବି ଶବ୍ଦ ହେବ ।

ଏମିତି ଏକ ସମୟରେ ଇନ୍ସପେକ୍ଟର ହଠାତ୍ ପ୍ରଶ୍ନ ପଚାରିଲେ, “ଆଛା ପିଲାଏ କହିଲ ଦେଖି? ଯଦି ବଜାରରେ ଆଳୁ କିଲୋ ୧୦ ଟଙ୍କା ତା’ହେଲେ ମୋ ବୟସ କେତେ?”

ଏମିତି ପ୍ରଶ୍ନ ଶୁଣି ହେଡ୍ ସାର୍‌ଙ୍କ ମୁଣ୍ତ ପୁରା ଗୋଳମାଳ ଧରିଗଲା । ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଆବାକାବା ହୋଇ ପରସ୍ପର ମୁହଁକୁ ଚାହାଁଚହିଁ ହେଉଥାନ୍ତି । ଏମିତିକା ପ୍ରଶ୍ନର ଉତ୍ତର ତାଙ୍କୁ ତ ମାଲୁମ୍ ନାହିଁ ପିଲାମାନେ କ’ଣ ବା ଉତ୍ତର ଦେବେ? ସେ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନେ ବଡ଼ ବିକଳ ହୋଇ ତାଙ୍କ ହେଡ୍ ସାରଙ୍କ ମୁହଁକୁ ଅନେଇଥାନ୍ତି ।

ହଠାତ୍ ଦେଖାଗଲା ପୁରା ଶ୍ରେଣୀର ପଛ ଲାଇନ୍‌ରେ ବସିଥାବା ଟୁନା ହାତ ଟେକିଦେଲା । ଟୁନା ହଉଛି ସ୍କୁଲର ସବୁଠୁ ବାଳୁଙ୍ଗା ଟୋକା । ପାଠ ପଢ଼ା କଥା ଛାଡ଼ ଶାଠରେ ମଧ୍ଯ ଶୁନ୍ । ଟୁନା ହାତ ଟେକିବା ମାତ୍ରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପୁରା ପ୍ରମାଦ ଗଣିବା ଆରମ୍ଭ କରିଦେଲେ । ଯେଉଁ ପ୍ରଶ୍ନର ଉତ୍ତର ସେମାନଙ୍କୁ ଜଣା ନାହିଁ ଏ ବାଳୁଙ୍ଗା ଟୁନା କ’ଣ କହିବ କେଜାଣି?

ଇନ୍ସପେକ୍ଟର ଟୁନା ହାତ ଟେକିବା ଦେଖି କହିଲେ, “ଯାହା ହେଉ ଏତେ ପିଲାଙ୍କ ଭିତରେ ଗୋଟେ ଭଲ ପିଲା ଅଛି । କହିଲୁ ବାପା କ’ଣ ଉତ୍ତର?”

ଟୁନା ଗୋଟେ ବେପରୁଆ ଠାଣିରେ ଠିଆ ହେଲା । ହେଡ୍ ସାରଙ୍କର ସେତେବେଳକୁ ବିନା ଗରମ ପାଗରେ ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରୁଥାଏ ।

ଟୁନା ଠିଆ ହୋଇ ବଡ଼ ପାଟି କରି କହିଲା, “କହିବି ତାହାଲେ?”

ଇନ୍ସପେକ୍ଟର ବଡ଼ ବ୍ୟଗ୍ର ହୋଇ କହିଲେ, “ହଁ କୁହ ତୁମେ । ଆଦୌ ଡରନି ।”

ଟୁନା ହେଡ୍ ସାରଙ୍କ ଆଡକୁ ଇଙ୍ଗିତ କରି କହିଲା, “ନାଇଁ ଥାଉ କହିବିନି । ଆପଣ ଚାଲିଗଲାପରେ ଏ ସାର୍ ମୋତେ ଧୁମ୍ ପିଟିବେ ।”

ସେତେବେଳେ ସ୍କୁଲମାନଙ୍କରେ ଆଜିକାଲି ପରି ଦଣ୍ତମୁକ୍ତ ଅଞ୍ଚଳ ନଥିଲା । ପିଲାମାନେ ପାଠ ନ ପଢ଼ିଲେ କିମ୍ୱା ଦୁଷ୍ଟାମି କଲେ ଶିକ୍ଷକମାନେ ଦଣ୍ତ ଦେଉଥିଲେ ।

ଟୁନା କଥାରେ ଇନ୍ସପେକ୍ଟର ତାକୁ ପୁରା ଆଶ୍ୱାସନା ଦେଇ କହିଲେ, “ମୁଁ ପରା କହୁଛି, ତୁମେ କୁହ, କେହି ତୁମକୁ ମାରିବେନି ।”

ଟୁନା ତଥାପି ଡରି ମରି ହେଡ୍ ସାରଙ୍କ ଆଡକୁ ଟିକେ ଶେଷଥର ପାଇଁ ଅନାଇଲା ତା’ ପରେ କହିଲା, “ବଜାରରେ ଯଦି ଆଳୁ କିଲୋ ୧୦ ଟଙ୍କା ତା’ହେଲେ ଆପଣଙ୍କୁ ଏବେ ନିଶ୍ଚେ ୪୦ ବର୍ଷ ।”

ସ୍କୁଲ ଇନ୍ସପେକ୍ଟର ଟୁନାର ଉତ୍ତରରେ ପୁରା ଖୁସି ହୋଇଗଲେ । ସେ ଟୁନାକୁ ସଙ୍ଗେ ସଙ୍ଗେ ପକେଟରୁ ୧୦ ଟଙ୍କା ବାହାର କରି ପୁରସ୍କାର ଦେବା ସହ ହେଡ୍ ସାରଙ୍କୁ ପ୍ରଶଂସାରେ ପୋତି ପକାଉଥାନ୍ତି ।

ସେ କହିଲେ, “ଯେତେ ସ୍କୁଲ ଯାଇଛି, ସବୁଠି ଏ ପ୍ରଶ୍ନ ପଚାରିଛି । କିନ୍ତୁ କେହି ଏ ଯାଏଁ ସଠିକ୍ ଉତ୍ତର ଦେଇ ପାରି ନଥିଲେ । ଆପଣମାନେ ଠିକ୍ ପାଠ ପଢ଼ାଇଥିବାରୁ ଆଜି ସଠିକ୍ ଉତ୍ତର ମୁଁ ପାଇଗଲି । ଉପରକୁ ବହୁତ ଭଲ ରିପୋର୍ଟ ଆପଣମାନଙ୍କ ବିଷରେ ଦେବି ।”

ଇନ୍ସପେକ୍ଟରଙ୍କ ସବୁତକ ପ୍ରଶଂସା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଦେହରେ ଛୁଞ୍ଚି ଫୁଟିଲା ପରି ଲାଗୁଥାଏ । ବହୁତ ଖୁସି ହୋଇ ଇନ୍ସପେକ୍ଟର ସେଦିନ ସ୍କୁଲରୁ ବିଦାୟ ନେଲେ ।

ଇନ୍ସପେକ୍ଟର ସ୍କୁଲରୁ ଯିବା ପରେ ସମସ୍ତେ ଏକାଠି ହୋଇ ପୁଣି ସେଇ ପଞ୍ଚମ ଶ୍ରେଣୀକୁ ଗଲେ । ଟୁନା ଭିତରେ ଭୟ କରୁଥାଏ । ସେ ସମସ୍ତଙ୍କୁ ପୁଣି ଏକାଠି ହୋଇ ଆସିବାର ଦେଖି ଜଣିଗଲା ମାଡ଼ ବସିବାର ବେଳ ଏବେ ଅତି ନିକଟରେ । ହେଡ ସାର୍ ତାକୁ କହିଲେ ଠିଆ ହେବାକୁ । ସେ ଚୁପ୍ କରି ସୁନା ପିଲାଟେ ପରି ଠିଆ ହୋଇଗଲା । ହେଡ୍ ସାର୍ ତାକୁ ବୁଝାଇ କହିଲେ,”ନାଇଁ ମାରିବି ନାହିଁ, କିନ୍ତୁ ସେ ପ୍ରଶ୍ନର ଉତ୍ତର କେମିତି ଦେଲୁ ସତ କହିଲୁ ବାପା ?”

ଟୁନା ଡରି ଡରି କହିଲା, “ସାର୍ ଆମ ଗାଁରେ ଗୋଟେ ଅଧା ପାଗଳ ଅଛି । ତାକୁ ୨୦ ବର୍ଷ । ଏ ଯେଉଁ ସାର୍ ଆସିଥିଲେ ସେ ହେଉଛନ୍ତି ଫୁଲ୍ ପାଗଳ, ତେଣୁ ତାଙ୍କୁ ନିଶ୍ଚେ ୪୦ ବର୍ଷ ହୋଇଥିବ ବୋଲି ଜାଣିଦେଲି ।”

ଏବେ ମୋ ସାମ୍ନାରେ ବସିଥିବା ଅଧା ପାଗଳର କମାଲ୍ କଥାକୁ ଯିବା । ଅବଶ୍ଯ ପ୍ରଥମରୁ ମୁଁ କହିଛି ତାକୁ ଅଧା ପାଗଳ କାହିଁକି କିଛି ଲୋକ କୁହନ୍ତି ତାର ଯୁକ୍ତିଯୁକ୍ତ କାରଣ ମୁଁ ଏଯାଏ ପାଇନି । ବେଳେ ବେଳେ ଦେଖେ ସେ ଗୋଟେ ଖାତା କଲମ ଧରି ଛକି ଶୂନ ଖେଳୁଥାଏ ବା କିଛି ଗାର କାଟିବାରେ ବ୍ୟସ୍ତଥାଏ । ଆଉ କେତେବେଳେ ଗୁଣୁଗୁଣ୍ ହୋଇ କିଛି ମନକୁ ମନ ବୋଲୁଥାଏ । କିନ୍ତୁ ଯଦି କାହାକୁ ଦେଖିଦେଲା ତା’ହେଲେ ସେସବୁ କାର୍ଯ୍ୟରୁ ସଙ୍ଗେ ସଙ୍ଗେ ବିରତ ହୋଇଯାଏ । ଅର୍ଥାତ୍ ଏକୁଟିଆ ଥିବାବେଳେ ସେ ଏମିତି ସବୁ କରେ । କିନ୍ତୁ ଏସବୁ ପାଇଁ ତାକୁ ଅଧା ପାଗଳର ଆଖ୍ୟା କାହିଁକି ଦିଆଯିବ? ଏମିତିରେ ତ ବହୁତ ଲୋକ ବିନା କାରଣରେ ବହୁତ କାମ କରିଥାନ୍ତି ।

ମୁଁ ଶୁଣିଛି କୁଆଡ଼େ କ୍ରିକେଟର ଭଗବାନ୍ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଯେତେବେଳେ ଖେଳୁଥିଲେ ସେତେବେଳେ ସବୁଦିନ କିଛି ସମୟ ବାହାର କରି ପାର୍କ ବା ଅନ୍ୟ କୌଣସି ନିରୋଳା ଜାଗାରେ ଚୁ୍ପ୍ ଚାପ୍ ବସି ଅଳ୍ପ ଦୂରତାରେ ଥିବା ଗୋଟେ ଗଛର ବା ଅନ୍ୟକିଛି ବସ୍ତୁର ନିଦ୍ଧିଷ୍ଟ ବିନ୍ଦୁପରି ଥିବା ଚିହ୍ନକୁ ଏକଲୟରେ ପାଲକ ନପକାଇ ବହୁତ ସମୟ ଚାହିଁ ରୁହନ୍ତି । ଯେହେତୁ ସେ ଏତେ ବଡ଼ ଖେଳାଳି ତେଣୁ ତାଙ୍କୁ ଏ ଅବସ୍ଥାରେ ଯିଏ ବି ଦେଖନ୍ତି ଫୁଲ୍ ପାଗଳ କିମ୍ବା ଅଧା ପାଗଳ ବୋଲି ଭାବି ପାରନ୍ତିନି । ବରଂ ନିଜ ନିଜ ଭିତରେ କୁଆଡ଼େ କୁହାକୁହି ହୁଅନ୍ତି, “ହେଇ ଦେଖ, ସେଠି ସଚିନ୍ ବସି କେମିତି ନିଜର ଏକାଗ୍ରତା ବଢ଼ାଉଛନ୍ତି ।”

ତା’ମାନେ ସଚିନ୍ ଏକ ଲୟରେ ଅନାଇଥିବା ବିନ୍ଦୁ ବାଟ ଦେଇ ଯେମିତି କ୍ରିକେଟ୍ ବଲ୍ ସବୁ ବାରମ୍ବାର ଆସୁଥାନ୍ତି ଆଉ ଏମିତି ଅନେଇବା ଭିତରେ କ୍ରିକେଟ ବଲ୍ ତାଙ୍କୁ ଫୁଟବଲ୍ ପରି ଦେଖାଯାଏ ଆଉ ତା’ର ପ୍ରଭାବରେ ଖେଳପଡ଼ିଆ ପିଚ୍‌ରେ ସେଥିପାଇଁ ବଲ୍‌କୁ ସମ୍ମୁଖୀନ ହେବା ତାଙ୍କ ପକ୍ଷରେ ଖୁବ୍ ସହଜ ହୋଇଯାଏ ବୋଧେ । ଯଦି ସଚିନ୍ ଏଥିପାଇଁ ଅଧା ପାଗଳ ନହେବେ ତା’ହେଲେ ଏ ଲୋକଟି କାଇଁ ହେବ?

ଥରେ ସେ ବସିଥିବା ରୁମ୍ ଭିତରକୁ ହଠାତ୍ ପଶିଯାଇ ଦେଖିଲି କଣ ଗୁଣୁଗୁଣୁ ହୋଇ ବୋଲୁଛି । ମୋତେ ଦେଖି ସେ ପୁରା ଚୁପ୍ ହୋଇଗଲା । ମୁଁ ତାକୁ ପଚାରିଲି, “ଆଛା ଏବେ ଗୁଣୁଗୁଣୁ ହୋଇ କ’ଣ ସବୁ କହି ଯାଉଥିଲ?”

ଉତ୍ତରରେ ସେ କହିଲା, “ନାଇଁ ସାର୍ କିଛି ନାଇଁ ।”

ମୁଁ କିନ୍ତୁ ମୋ ଜିଜ୍ଞାସାକୁ ଖତମ୍ କରିବା ଚକ୍କରରେ ତାକୁ ପୁଣି ପଚାରିଲି , “କ’ଣ ନାଇଁ? ମୁଁ ପରା ଏ ରୁମ୍‌ରେ ପଶିବା ବେଳେ ଆପଣ କ’ଣ ଗୁଣୁଗୁଣ୍ ହୋଇ ଗାଉଥିଲେ ।”

ସେ ଟିକେ ହସିଦେଇ କହିଲା, “ସାର୍ ମୁ୍ଁ ଟିକେ ହନୁମାନ ଚାଳିଶା ବୋଲୁଥିଲି ।”

ତା’ କଥାରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମନେ ମନେ ଭାବିଲି ଏ ଲୋକ ତାହେଲେ ଅହରହ ଗୁଣୁଗୁଣୁ ହୋଇ ମନ୍ତ୍ର ସବୁ ଉଚ୍ଚାରଣ କରେ । ତଥାପି ମନରେ ପ୍ରଶ୍ନ ଆସିଲା, ଏମିତି କାହିଁକି ସେ କରେ?

ତାକୁ ପୁଣି ପଚାରିଲି, “ଆଛା ଠାକୁରଙ୍କୁ ପୂଜା ଅର୍ଚ୍ଚନା କଲାବେଳେ ତ ମନ୍ତ୍ର ଉଚ୍ଚାରଣ କରୁଥିବେ । ଏଠି ସେଠି ବସି ଏମିତି ଗୁଣୁଗୁଣୁ ହୋଇ ମନ୍ତ୍ର ବୋଲିବାର କାରଣ କ’ଣ?”

ସେ ପୁଣି ହସିଦେଇ କହିଲା, “ଆଜିକାଲି ସମୟ ଖୁବ୍ ଖରାପ । ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମତଲବ୍ ମନରେ ରଖି ବୁଲୁଛନ୍ତି । ହନୁମାନ ଚାଳିଶା କିମ୍ବା ଗାୟତ୍ରୀ ମନ୍ତ୍ରରୁ କିଛି ପଦ ବୋଲିଦେଲେ ଏଇ ଏରିଆରେ ତା’ର ଗୋଟେ ଫୋକସ୍ ପଡ଼େ । ଗୋଟେ ଖୁବ୍ ଶକ୍ତିଶାଳୀ ଚକ୍ର ମୋ ଚାରିପଟେ ବୁଲେ ଫଳରେ ଏଠି ବୁଲୁଥିବା ଭୟଙ୍କର ଲୋକମାନେ ମୋର କୌଣସି କ୍ଷତି କରିପାରିବେନି ବରଂ ଏଇ ମନ୍ତ୍ରର ପ୍ରଭାବରେ ସେମାନଙ୍କର କୁ-ସ୍ୱଭାବରେ ପରିବର୍ତ୍ତନ ଆସିପାରିବ । ଦୁନିଆର ସବୁଆଡ଼େ ଯେହେତୁ ସେଇ ଖଳ ପକୃତିର ଲୋକ ଖୁନ୍ଦି ହୋଇ ରହିଛନ୍ତି ତେଣୁ ମୁଁ ଯେଉଠିକୁ ବି ଯାଏ ସେଠି ସୁବିଧା ପାଇବା ମାତ୍ରେ ମନ୍ତ୍ର ବୋଲେ ।”

ମୁଁ ତା’କଥାରେ ସେଦିନ ବହୁତ ଭାବିଲି । ସେ ତା’ ମନ ଭିତରେ ଗୋଟେ ଯୁକ୍ତାତ୍ମକ ଭାବନା ଧରି ଯୁଆଡ଼େ ଯାଉଛି ସେଠି ମନ୍ତ୍ର ବୋଲୁଛି । ଖଳ ଲୋକଙ୍କୁ ସେ ମନ୍ତ୍ରର ଫୋକସ୍ ପକାଇ ଭଲ ବାଟକୁ ଆଣିବାକୁ ଚେଷ୍ଟା କରୁଛି । ଖଳ ଲୋକ ତା’ ମନ୍ତ୍ର ପ୍ରଭାବରେ ଭଲ ମଣିଷ ହେଉଥିବେ କି ନା ସେକଥା ମୋ ମନ ଭିତରର ପ୍ରଶ୍ନ ହୋଇଥିଲେ ବି ଯଦି ସେ ସେମିତି ଭାବୁଛି ତା’ହେଲେ ସେଥିରେ କିଛି ଅସୁବିଧା ନାହିଁ । ଏମିତିରେ ଯଦି ସଚିନ୍ ଏକାଗ୍ରତାର ସହିତ ଆଖିରେ ପଲକ ନପକାଇ ଗୋଟେ ବିନ୍ଦୁକୁ ବହୁତ ସମୟ ଧରି ଚାହିଁ ରହି ତା’ର ପ୍ରଭାବରେ ଖେଳ ପଡ଼ିଆରେ କ୍ରିକେଟ୍ ବଲ୍ ତାଙ୍କୁ ଫୁଟବଲ୍ ପରି ଦେଖା ଯାଉଛି ତା’ହେଲେ ଏ ଲୋକ ବି ଗୋଟେ ମହତ୍ ଉଦ୍ଦେଶ୍ଯ ରଖି ଯଦି ଏଠି ସେଠି ହନୁମାନ୍ ଚାଳିଶା ବା ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କଲା ତା’ହେଲେ ତାକୁ ଅଧା ପାଗଳ କାହିଁକି କୁହାଯିବ?

ସେ ଆମ ଘରେ ମୋ ସମ୍ମୁଖରେ ବସିଛି । ମୁଁ ଠିକ୍ ଜାଣିଛି ଯଦି ତାକୁ ଏକୁଟିଆ କିଛି ସମୟ ଛାଡ଼ି ଦିଆଯିବ ତା’ହେଲେ ସେ ମୋ ଘରେ ମଧ୍ଯ ସେଇ ମନ୍ତ୍ର ସବୁକୁ ଗୁଣୁଗୁଣୁ କରି ବୋଲିବା ଆରମ୍ଭ କରିଦେବ । ଅର୍ଥାତ ଆମ ଘରେ ଆମ ପରିବାର ସଦସ୍ୟମାନଙ୍କ ଭିତରେ ଯାହା କିଛି ଖଳ ଭାବନା ଥିବ ତାକୁ ସେ ନିଜର ମନ୍ତ୍ରର ଫୋକସ୍‌ରେ ଭଲ ଗୁଣରେ ରୂପାନ୍ତରିତ କରିଦେଇ ପାରିବ । ଅବଶ୍ୟ ମୁଁ କିଛି ସମୟ ପାଇଁ ଉଠିଯାଇପାରେ କିନ୍ତୁ ମୋ ବୋଉ ସେଇ ପାଖରେ ଗୋଟେ ଚେଆର୍‌ରେ ବସିଥାଏ । ତେଣୁ ତାକୁ ଏକୁଟିଆ ସେଠି ବସିବାକୁ ଛାଡ଼ି ହେବନି ଚିନ୍ତାକଲି ।

ସନ୍ଧ୍ୟା ଦୁଇ କପ୍ ଚାହା ଆଣି ସାମ୍ନାରେ ଥିବା ଟିପୟ ଉପରେ ରଖିଲା । ଆମେ ଦୁହେଁ ଚାହା ପିଇବାରେ ଲାଗିଲୁ । ଏମିତି ଭିତରେ ହଠାତ୍ ମୋ ବୋଉ ତାକୁ ପଚାରିଲା, “ପୁଅ ତମର ପିଲାପିଲି କ’ଣ?”

“ଝିଅଟିଏଆଉ ପୁଅଟିଏ”, ଅଧା ପାଗଳ ଉତ୍ତର ଦେଲା ।

ମୋ ବୋଉ ପଚାରିଲା, “କେତେ ବଡ଼ ବଡ଼ ହେଲେଣି ସେମାନେ ।”

ସେ କହିଲା, “ଝିଅଟି ବଡ଼, ୧୦ ବର୍ଷର ୪ର୍ଥ ଶ୍ରେଣୀରେ ଓ ପୁଅକୁ ଏଇ ୪ ବର୍ଷ ହେବ ।”

“ଆଉ ସବୁ ଘରେ କିଏ ଅଛନ୍ତି? ତମ ସ୍ତ୍ରୀ ଚାକିରି କରିଛନ୍ତି ନା ଘରେ?” ବୋଉ ପୁଣି ପଚାରିଲା ।
ସେ କହିଲା, “ସ୍ତ୍ରୀ ଘରେ ରୁହନ୍ତି ଆଉ ମୋ ବୋଉ ବି ଅଛନ୍ତି । ବାପା ୧୦ ବର୍ଷ ତଳୁ ଏ ଦୁନିଆରୁ ଚାଲିଯାଇଛନ୍ତି । ମୋ ବଡ଼ ଭାଇ ଆଉ ଗୋଟେ ଜାଗାରେ ଘରଦ୍ୱାର କରି ତାଙ୍କ ପିଲାପିଲି ଧରି ରହୁଛନ୍ତି ।”

ମୁଁ ଚୁପ୍‌ଚାପ୍ ବସି ସେମାନଙ୍କ କଥା ଶୁଣୁଥାଏ । ମୋ ବୋଉର ପ୍ରକୃତି ହେଉଛି ସବୁକଥା ଭଲକରି ବୁଝିବ । ମୁଁ ବୋଉର ପ୍ରଶ୍ନ କରିବାର ଷ୍ଟାଇଲରୁ ଜାଣିଗଲି ଆଜି ସହଜରେ ଏ ଲୋକ ଏଠୁ ଛାଡ଼ ପାଇବାର ନାହିଁ ।

ବୋଉ ପୁଣି ପ୍ରଶ୍ନ କଲା, “ମାଆ କ’ଣ ବଡ ଭାଇଙ୍କ ପାଖରେ ରୁହନ୍ତିନି?”

ଉତ୍ତରରେ ସେ କହିଲା, “ନାଇଁ ମୋ ପାଖରେ ସବୁବେଳେ ରୁହନ୍ତି । ଭାଇ ବାହାରେ ଚାକିରି କରିଛନ୍ତି ।”

ବୋଉ- “ମାଆଙ୍କୁ କେତେ ବର୍ଷ ହେଲାଣି?”

ସେ- “୭୭ ବର୍ଷ ହେଲାଣି । ବାପା ସରକାରୀ ଚାକିରି କରିଥିଲେ । ତେଣୁ ବୋଉ ପେନସନ୍ ବି ପାଆନ୍ତି ।”

ବୋଉ- “ମୋତେ ବି ସେଇ ୭୭ ହେଲାଣି । ବୟସ ବଢ଼ିବା ସହ ଆଣ୍ଠୁଗଣ୍ଠି ଦରଜ ହେଉଛି । ତମ ବୋଉଙ୍କ ଦେହ ଭଲ ରହୁଛି ତ?”

ସେ- “ନାଇଁ ସେମିତି ଭଲ ନାହିଁ । ବୋଉ ଏଇ ନିକଟରେ ପଡ଼ିଯିବାରୁ ହାତ ଭାଙ୍ଗି ଯାଇଛି । ସେଇ ଆଣ୍ଠୁଗଣ୍ଠି ଆଗରୁ ଦରଜ ରହୁଥିଲା । ଏବେ ବେଶି କଷ୍ଟ ପାଉଛି । ଭାଙ୍ଗିଥିବା ହାତଟା ପୁରା ପ୍ଲାଷ୍ଟର୍ ହୋଇଛି ।”

ବୋଉ- “ହଁ ବୟସ ହେଲେ ଗୋଡ଼ ହାତ ଭାଙ୍ଗିଲେ ବହୁତ କଷ୍ଟ । ମୋ ଗୋଡ଼ ପରା ସେମିତି ଏଇ କେଇ ବର୍ଷ ତଳେ ଭାଙ୍ଗି ଯାଇଥିଲା । ପୁରା ଠିକ୍ ହେବାକୁ ତିନି ବର୍ଷରୁ ଅଧିକ ସମୟ ଲାଗିଲା ।”

ଏଥର ସେ ବୋଉକୁ ଉତ୍ତରରେ ବହୁତ କଥା କହିଗଲା । ସେଥିରେ କିଛି କ୍ଲାରିଫିକେସନ୍ ସହ କମାଲ୍ କଥା ସବୁ ଥିଲା । ଅବଶ୍ଯ ମୋ ବୋଉ ତାକୁ କିଛି କ୍ଲାରିଫିକସନ୍ ମାଗି ନଥିଲା । ତଥାପି ସେ ତା’ ନିଜ ଆଡ଼ୁ ସେମିତି ସବୁ କହିଗଲା । ସେ ଯାହା ସବୁ କହିଲା ତାକୁ ନିମ୍ନରେ ରଖୁଛି;

“ଆଜିକାଲି ପରା ଓଲଟା ଯୁଗ । ଶାଶୁଶଶୁରଙ୍କ ୧୦୦ଟା କଥା ରହିବ, କିନ୍ତୁ ବାପମାଆଙ୍କର ଗୋଟେ କଥା ବି ରହୁନି । ତା’ମାନେ ମୁଁ କହୁନି ଶାଶୁଶଶୁରଙ୍କୁ ଅସମ୍ମାନ କରିବାକୁ । ମୁଁ ମୋ ବୋଉର ସବୁ କାମ କରେ । ସ୍ତ୍ରୀକୁ କିଛି କରିବାକୁ ଦିଏନି । ସେ ହେଲା ପର ଝିଅ । ମୁଁ ଯେମିତି ମୋ ବୋଉର ମନକଥା ବୁଝିପାରିବି, ସେ କ’ଣ ସେମିତି ବୁଝି ପାରିବ? ମୋ ବୋଉର ଯେଉଁଦିନ ପେନସନ୍ ମିଳେ ସେଦିନ ଆଗ ସ୍ତ୍ରୀକୁ ୬୦୦ ଟଙ୍କା ଦେଇ ଦିଏ । ସେ ଟଙ୍କାକୁ ସ୍ତ୍ରୀ ତା’ ଇଚ୍ଛା ମୁତାବକ ଖର୍ଚ୍ଚ କରିବ । ତାକୁ କହିଛି ମୁଁ ଯେହେତୁ ଦିନସାରା ଘରେ ରହୁନି ସେଥିପାଇଁ ବୋଉକୁ ଦୁଇ ବେଳା ଠିକ୍ ସମୟରେ ଖାଇବାକୁ ଦେବୁ । ଯେହେତୁ ଦିନକୁ ୨୦ ଟଙ୍କା ହିସାବରେ ନେଉଛି ତେଣୁ ବୋଉକୁ ଠିକ୍ ସମୟରେ ଖାଇବାକୁ ଦେବାକୁ ନିଶ୍ଚିତ ମନେ ପଡ଼ିଯିବ । ଏମିତି ନ କରିଥିଲେ କିଛିଦିନ ପରେ ସେ କହିଥାନ୍ତା, “ମୁଁ ଏତେ କାମ କରି ପାରିବିନି ।” ଆଉ ଗୋଟେ କଥା ମଧ୍ଯ ମୁଁ କରିଛି । ପୁଅଝିଅ ଦୁହିଙ୍କୁ ପ୍ରତିଦିନ ୫ ଟଙ୍କା ଲେଖାଏଁ ଦିଏ ଚକଲେଟ୍ ଖାଇବାକୁ । ସେମାନଙ୍କୁ କହିଛି ଦିନକୁ ନିଶ୍ଚେ ମୋ ବୋଉ ସହିତ କିଛି ସମୟ କଥା ହେବେ । ବୁଢ଼ିଲୋକଙ୍କ ସହିତ ଛୋଟ ନାତିନାତୁଣୀ କଥାବାର୍ତ୍ତା ହେଲେ ତା’ର ବହୁତ ସୁଫଳ ରହିଛି । ସେମାନେ କେବେ ନିଜକୁ ଆଉ ଅସହାୟ ବୋଲି ଭାବିବେନି । ସବୁବେଳେ ସେମାନଙ୍କ ମନ ଖୁବ୍ ପ୍ରଫୁଲ୍ଲ ରହିବ । ମୁଁ ସନ୍ଧ୍ୟାରେ ଅଫିସରୁ ଫେରି ଆଗ ମୋ ବୋଉ ସହିତ କିଛି ସମୟ କଥା ହୁଏ । ରାତିରେ ବୋଉର ମୋର ଏକାଠି ଖାଉ । ବୋଉ ଶୋଇବା ବେଳେ କିଛି ସମୟ ତାକୁ ମୋଡ଼ାଘଷା କରିଦେଲେ ସେ ନିଦରେ ଶୋଇଯାଏ । ଘରେ କେଇଟି ଗାଈ ମଧ୍ଯ ରଖିଛି । ଗୋ-ସେବାଠାରୁ ଆଉ ପୁଣ୍ୟ କାମ କିଛି ନାହିଁ ଏ ଦୁନିଆରେ । ପିଲାମାନେ ଭଲ ଖିର ପାଇବେ ଆଉ ଏମିତିରେ ଘରେ ଯଦି କାହାର ଦେହ କିଛି ଅସୁବିଧା ହେଲା ସେମାନେ ହିଁ ଆଗ ମୁଣ୍ତ ଦେଖାଇ ଦେବେ ।”

ମୁଁ ତା’ କଥା ସବୁ ଶୁଣି ମନେ ମନେ ଭାବୁଥାଏ ସତରେ ଏମିତିକା ପୁଅ ବି ଅଛନ୍ତି ଏ ଦୁନିଆରେ । ଗରିବ ଗୁରୁବା ଘର ହେତୁ ଟଙ୍କା ପଇସାର ତାକତ୍ ନାହିଁ କିନ୍ତୁ ଖୁବ୍ ସୁନ୍ଦର ମନଟେ ରହିଛି । ଆଜିକାଲି ଚିକିତ୍ସା ଖୁବ୍ ବ୍ୟୟ ବହୁଳ ହୋଇ ଗଲାଣି । ଏ ଲୋକ ସେମିତି ଦାମିକା ପଦ୍ଧତିର ଚିକିତ୍ସା ତା’ ମାଆକୁ ଦେଇ ନପାରେ କିନ୍ତୁ ଖୁବ୍ ମନପ୍ରାଣ ଦେଇ ସେବା ଯତ୍ନ କରିବାରେ ଟିକେ ବି ଉଣା କରିବନି । ମୁ୍ଁ ଖବର କାଗଜରେ ଆଜିକାଲି ମନକୁ ବହୁତ ଆଘାତ ଦେଲାପରି ଖବର ବହୁତ ପଢ଼ିଛି ଏଇ ପରିଣତ ବୟସର ବାପାମାଆମାନଙ୍କୁ ତାଙ୍କ ପିଲାଙ୍କ ଅବହେଳା କରିବାର କଥାସବୁ । ପିଲାମାନଙ୍କୁ ବୁଢ଼ାବୁଢ଼ିମାନଙ୍କ ପାଖକୁ ନ ଯିବାକୁ ତାଗିଦ୍ କରନ୍ତି ତାଙ୍କ ବାପାମାଆମାନେ । ଅଥଚ ଏଠି ଗୋଟେ ପୁଅ ତା’ ମାଆ ସହିତ କେମିତି ତା’ ପୁଅଝିଅ କଥା ହେବେ ସେଥିପାଇଁ ସେମାନଙ୍କୁ ପ୍ରତିଦିନ ୫ ଟଙ୍କା କରି ଚକଲେଟ୍ ଖାଇବାକୁ ଲାଞ୍ଚ ଦେଉଛି । ଯାହା ସବୁ କହିଗଲା ସେଥିରେ କିଛି ମିଛ ବା ଭେଜାଲ୍ ଥିବ ସେମିତି ମୋତେ ଆଦୌ ଲାଗୁ ନଥାଏ ।

ଏ ଭିତରେ ଚାହା ପିଇବା ସରି ଯାଇଥାଏ । ସେ ମୋତେ ଅନାଇଁ କହିଲା, “ସାର୍ ମୁଁ ଆସୁଛି ।” ମୁଁ କେବଳ ମୁଣ୍ତ ହଲାଇ ହଉ ବୋଲି ସଙ୍କେତ ଦେଲି । ସେ ମୋ ବୋଉ ସହିତ ମୋତେ ନମସ୍କାର କରି ଆମ ଘରୁ ବାହାରି ଗଲା । ସେ ଘର ଗେଟ୍ ପାଖରେ ପହଞ୍ଚିବା ପରେ ମୋ ବୋଉ କହିଲା, “ବୁଝିଲୁ ଟିକା, ଭଲ ପୁଅଟିଏ ।”

ମୋ ବୋଉର ଏଇ ଦୁଇ ପଦ କଥା, “ଭଲ ପୁଅଟିଏ” ଯେମିତି ବହୁତ କିଛି କଥା କହିବା ସହ ତାକୁ ଅଧା ପାଗଳ କହୁଥିବା ଲୋକମାନଙ୍କୁ ଉଚିତ୍ ଜବାବ୍ ଦେଉଥିଲା । ମୁଁ କେଉଠି ଗୋଟେ ପଢ଼ିଥିଲି, “ଯେଉଁ ପୁଅ ଉପରେ ତା’ ମାଆବାପାଙ୍କର ଆଶୀର୍ବାଦ ଥାଏ, ମାଆକୁ ଯେଉଁ ପୁଅ ଖୁବ୍ ଖୁସିରେ ରଖେ ସେ ପୁଅ କୁଆଡ଼େ ଯେଉଁ ମାଟିରେ ହାତ ଦିଏ ସେଇ ମାଟି ବି ସୁନା ହୋଇଯାଏ ।”

ମୋ ଆଖି ଆଗରୁ ଆମ ଘର ଗେଟ୍ ଦେଇ ଠିକ୍ ସେମିତିକା ପୁଅଟିଏ ଆସ୍ତେ ଆସ୍ତେ ଚାଲି ଯାଉଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।