You are currently viewing ଜୀବନ ତଥାପି ଅଛି ବାକି
ଜୀବନ ତଥାପି ଅଛି ବାକି

ଜୀବନ ତଥାପି ଅଛି ବାକି

ବଡ଼ବୋଉ; ପିଲାଦିନେ ଅନେକ ସମୟ ମୁଁ ବଡ଼ବୋଉ ସାଙ୍ଗରେ କାଟିଛି । ଯେତେବେଳେ ବଡ଼ବୋଉ ପାଖରେ ବସିଯାଏ, ସେ କେତେ କଥା ଗପିଯାଏ ମୋ ଆଗରେ । ମୁଁ ସେମିତି ବସି ଶୁଣୁଥାଏ । ଆଜି ବଡ଼ବୋଉ ନଥିଲେ ବି ତା’ କଥାସବୁ ବେଳେବେଳେ ପ୍ରାୟ ଅଧିକାଂଶେ ମନେ ପଡ଼ିଯାଏ ।

ଥରେ ସିଏ କହିଥିଲା, “ଆତ୍ମହତ୍ୟା ମହାପାପ । କେବେ ଆତ୍ମହତ୍ୟା କରିବା ଅନୁଚିତ ।” ଆଜି ଯେତେବେଳେ ଭାବେ, ଭାବେ କି କେତେ ସହଜରେ କଥାଟା କହିଦେଲା ! ସବୁକିଛି ସବୁବେଳେ ସହିଯିବା କ’ଣ ସହଜ କଥା ! ବେଳେବେଳେ କ’ଣ ଇଚ୍ଛା ହୁଏନି, ଏସବୁଠୁ ଦୂରକୁ, ବହୁ ଦୂରକୁ ଚାଲିଯିବା ପାଇଁ ! ନା ଥିବ ଉପସ୍ଥିତି, ନା ଥିବ କଷ୍ଟ, ଯନ୍ତ୍ରଣା । ମଣିଷ ଥିଲେ ତ ଏତେସବୁ ସହିବ !

କିନ୍ତୁ ତା’ପରେ କ’ଣ ହେବ ! ପରର ସ୍ଥିତି ଭାବିଲେ ଲାଗେ, ଏଇଟା କ’ଣ ଥିଲା ସମାଧାନ ! ମଣିଷ ଅପସରି ଗଲେ ସମସ୍ୟା ତ ଅପସରି ଯିବନି ! ନିଜେ ହାରିଯିବା ସଙ୍ଗେ ସଙ୍ଗେ ଅନେକ ଭଲ ପାଉଥିବା ଲୋକ ବି ହାରିଯିବେ ।

ଥରେ ଭାବି ଦେଖିଲେ ! ଆପଣ ସବୁଦିନ କାମ ସାରି ଯେତେବେଳେ ଘରକୁ ଫେରନ୍ତି, ଘରେ କେହି ଜଣେ ଆପଣଙ୍କ ବାଟ ଚାହିଁ ବସିଥିବ । କେହି ଜଣେ ଅଖିଆ ଅପିଆ ଅନେଇ ବସିଥିବ, ଆସିଲେ ସାଙ୍ଗ ହୋଇ ଖାଇବ ବୋଲି । କେହି ଜଣେ ଆପଣଙ୍କୁ ନିଜର ଆଦର୍ଶ ବୋଲି ମାନୁଥିବ, ଆପଣଙ୍କ ଭଳି ନିଜକୁ ଗଢ଼ି ତୋଳିବାକୁ ଇଚ୍ଛା କରୁଥିବ । କେହି ଜଣେ ନିଜର ସର୍ବସ୍ୱ ହରେଇ ଆପଣଙ୍କୁ ନିଜର ଜୀବନ ସର୍ବସ୍ୱ ଭାବି ବଞ୍ଚିଥିବ । କିଏ ଆପଣଙ୍କ ଦେଇଥିବା ଉପହାରକୁ ଦେଖି ସବୁଦିନ ମନ ଖୁସି କରୁଥିବ । କେହି ଜଣେ ଆପଣଙ୍କୁ ଦେଖି ବଞ୍ଚିଥିବ, ଭାବୁଥିବ ଯେ କେହି ତ ଅଛି ଜୀବନରେ ! କିଛି ଲୋକଙ୍କଦ୍ୱାରା ଉପେକ୍ଷିତ ହେଲେ, ଆଉ କିଛି ଲୋକ ହୁଏତ କେବଳ ଆପଣଙ୍କ ଅପେକ୍ଷାରେ ଥିବେ !

ଜୀବନ ମାନେ ତ ଖାଲି ଦୁଃଖ ନୁହେଁ । ଦୁଃଖ ଅଛି ତ ସୁଖ ବି ଅଛି । ମଣିଷ ଯଦି ଦୁଃଖ ଅଛି ବୋଲି ଜାଣିପାରୁଛି, ତେବେ ସୁଖକୁ ନିଶ୍ଚୟ ଅନୁଭବ କରିଛି ।

ଆମେ ଅନ୍ଧାରକୁ ଡରୁ । କିନ୍ତୁ ଅନ୍ଧାର ଯେ ଖରାପ, ଏ ଧାରଣା ଭୁଲ‌ । ଖରାପ ତ ଆଖି ଝଲସାଇ ଦେଉଥିବା ଅତ୍ୟଧିକ ଆଲୋକ । “ତୁ ଖରାପ । ତୋ’ ରଙ୍ଗ କଳା । ତୋ’ ରୂପ ବୀଭତ୍ସ । ତୋ; ଚରିତ୍ର କୁତ୍ସିତ, କଦାକାର । ତୁ ଜୀବନରେ କିଛି କରି ପାରିବୁନି । ତୁ ଗୋଟେ ବିଫଳତାର ପ୍ରତୀକ ।” ଏମିତି କେତେ କଥା ମଣିଷକୁ ଅନ୍ଧାର ଭିତରକୁ ଠେଲିଦିଏ । ସେ ଭାବେ, ତା’ ଜୀବନରେ କଳା ବାଦଲ ଘୋଟି ଯାଇଛି । ଆଉ କେବେ ତା’ ଜୀବନରେ ଜହ୍ନର ଜ୍ୟୋତ୍ସ୍ନା ଆସିବନି । କିନ୍ତୁ ମଣିଷ ଭୁଲିଯାଏ ଯେ ଅନ୍ଧାର ବିନା ଆଲୋକ ମୂଲ୍ୟହୀନ, ସ୍ଥିତିହୀନ । ଅନ୍ଧାର ନଥିଲେ ଆଲୋକକୁ ଦେଖିବ କେମିତି !

ଜୀବନ ଅଛି ତ ସ୍ଵପ୍ନ ଅଛି । ସ୍ଵପ୍ନ ଅଛି ତ ଆଶା ଅଛି । ଆଉ ଆଶା ଯେପର୍ଯ୍ୟନ୍ତ ବଞ୍ଚିଛି, ମଣିଷ ହାରିଯିବ କେମିତି !

ପ୍ରଥମେ ନିଜକୁ ନିଜେ ଭଲପାଇବା ଶିଖିବା ଉଚିତ । ନିଜ ମନକୁ, ନିଜ ଚିନ୍ତା, ଚେତନାକୁ ଏତେ ଦୃଢ଼ କରିବା ଉଚିତ ଯେ, ଯେପରି ସାମାନ୍ୟ ଆଘାତ ତାକୁ ଦୋହଲାଇ ପାରିବନି । ନିଜ ଭିତରେ ଏତେ ସାହସ ସଞ୍ଚୟ କରିବା ଉଚିତ ଯେ, ଯେମିତିକି କିଛି ବି ସମସ୍ୟା ଆସିଲେ ତା’ର ଦୃଢ଼ ମୁକାବିଲା କରିପାରିବା ।

ମୁଁ, ଏହି ମୁଁକୁ ପ୍ରାଧାନ୍ୟ ଦେବା ଶିଖିବା ଉଚିତ । ମୁଁ ମାନେ ସ୍ୱାର୍ଥପରତା ନୁହେଁ । ମୁଁ ମାନେ ନିଜକୁ ଭଲପାଇବା, ନିଜକୁ ନେଇ ନିଜେ ବଞ୍ଚିବା ଶିଖିବା । ମୁଁ, ଏଇ ମୁଁକୁ ବି ସେତିକି ଭଲପାଇବା ଦରକାର, ଯେତିକି ଆମେ ଅନ୍ୟକୁ ଆଶା କରୁ‌ ।

‘ପାଦ କେବେ ଯିବନି ଥକି
ଜୀବନ ତଥାପି ଅଛି ବାକି ।’

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।