You are currently viewing ଅବାଞ୍ଛିତ ହସ
Odia Poem Abanchhita Hasa (ଅବାଞ୍ଛିତ ହସ) by Sachidananda Mohanty

ଅବାଞ୍ଛିତ ହସ

ଅବେଳରେ
ଅବାଞ୍ଛିତ ହସ
ଅପଦସ୍ତ କରେ,
ହସ ସଙ୍ଗେ
ସମ୍ବନ୍ଧ ବିଚ୍ଛେଦ ପାଇଁ
ତୀବ୍ର ଇଛାହୁଏ,
ଅକାରଣେ ଆସିଯାଏ
ଭୁଲ ଜାଗାରେ,
ଭୁଲ ସମୟରେ ।

ସତେ, କାହାକୁ ସମ୍ମାନ ନାହିଁ,
ଭୁଲ ଠିକର କଳନା ନାହିଁ,
ତା’ ମର୍ଜୀର ସେ ମାଲିକ,
କୌଣସି ଖୁସିର
ବାର୍ତ୍ତା ବାହକ ନୁହେଁ,
ପ୍ରହସନରେ,
ଏକ ବିଦୂଷକ ପରି
ମୁହଁରେ ଅନେକ ରଙ୍ଗର
ପ୍ରଲେପ ବୋଳି,
ନିଜ ଉପସ୍ଥିତି ଜାହିର କରେ ।

କେବେ ଅର୍ଦ୍ଧ ହାସ୍ୟ,
କୃତ୍ରିମ ହାସ୍ୟ,
ଅବା ବିକ୍ଷିପ୍ତ ହାସ୍ୟ,
ପରିବେଶକୁ ଅସହ୍ୟ କରିଦିଏ,
ଶ୍ରେଷ୍ଠ ସ୍ଥପତି ଦ୍ୱାରା ଚିତ୍ରିତ
କମନୀୟ ମୁଖକାନ୍ତି,
ହଠାତ ବିକୃତ ହୋଇଯାଏ ।

କେବେ,ଆଖିରେ ଉପେକ୍ଷିତ ହସ,
କିମ୍ବା ଓଠରେ
ବ୍ୟଙ୍ଗ ଭରା ସ୍ମିତ ହସ ।
ବାକି ଶରୀର ବିନା ଆନ୍ଦୋଳିତ,
ପ୍ରତିକ୍ରିୟା ଶୂନ୍ୟ ।
ସତେ ଯେପରି
ଏକ ପ୍ରସ୍ତର ମୂର୍ତ୍ତି,
ବାରି ଓ ବତାସର
ନିହାଣ ମୁନରେ ଅଙ୍କିତ
ମନୁଷ୍ୟ ଆକୃତି ସୁନ୍ଦର ଅବୟବ,
ଅନେକ ବର୍ଷ ଧରି
ଉପେକ୍ଷିତ ହୋଇ,
ଅବଜ୍ଞା ମୁଦ୍ରାରେ
ସଭିଙ୍କୁ ଆକ୍ଷେପ କରିବା ପାଇଁ
ଅପେକ୍ଷାରତ ।

ସେ ସମସ୍ତ ହସ
ଅବାଞ୍ଛିତ, ବର୍ଜନୀୟ,
କ୍ଷଣିକ ମାନସିକ ତୁଷ୍ଟି କରଣ,
ସର୍ବାଦୌ ଅସମୀଚୀନ ।
ଅଲୋଡ଼ା ଆକ୍ଷେପ,
ଅସମୟ ପରିହାସ,
ଅକରଣୀୟ କୌତୁକ,
ଅକ୍ଷମଣୀୟ ଇଙ୍ଗିତ,
ଅସଭ୍ୟତାର ପରିପ୍ରକାଶ ।

– ସଚ୍ଚିଦାନନ୍ଦ ମହାନ୍ତି

Odia Poem Abanchhita Hasa

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଚ୍ଚିଦାନନ୍ଦ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।