You are currently viewing ଆଧ୍ୟାତ୍ମିକ ଧର୍ମର କବଳରୁ ମୁକ୍ତିର ପ୍ରୟାସ
ଆଧ୍ୟାତ୍ମିକଧର୍ମର କବଳରୁ ମୁକ୍ତି

ଆଧ୍ୟାତ୍ମିକ ଧର୍ମର କବଳରୁ ମୁକ୍ତିର ପ୍ରୟାସ

ସାରା ଦୁନିଆରେ ଆଜି ତଥାକଥିତ ଈଶ୍ୱର ଓ ଆଧ୍ୟାତ୍ମିକଧର୍ମର କବଳରୁ ମୁକ୍ତ ହେବା ପାଇଁ ଅନେକ ସଚେତନ ମଣିଷ ପ୍ରୟାସ କରୁଛନ୍ତି । କାରଣ, ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଥିବାରୁ, ତଥାକଥିତ ଐଶ୍ୱରୀୟ ଶକ୍ତି ଉପରୁ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ କମ ହେବାକୁ ଲାଗିଛି । ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ନିର୍ମିତ ସାଧନଗୁଡ଼ିକ ହିଁ ସବୁ ପ୍ରକାର ସୁଖ ଏବଂ ସୁରକ୍ଷା ପ୍ରଦାନ କରୁଛି । ଈଶ୍ୱରକୁ ପୂଜା ଓ ପ୍ରାର୍ଥନା କରି କେହି ନିଜର ସମସ୍ୟାର ସମାଧାନ କରି ପାରୁନାହାନ୍ତି । ରୋଗ ହେଲେ ବା ଦୁର୍ଘଟଣା ଜନିତ ଶାରୀରିକ ଆଘାତ ପାଇଲେ, କେହି ମନ୍ଦିରକୁ ଯାଉନାହାନ୍ତି ବରଂ ଡାକ୍ତରଙ୍କ ପାଖକୁ ଦୌଡ଼ି ଯାଉଛନ୍ତି । ଏପରିକି ତଥାକଥିତ ସିଦ୍ଧ ବାବାମାନେ ମଧ୍ୟ ରୋଗର ଚିକିତ୍ସା ପାଇଁ ଆଧୁନିକ ଚିକିତ୍ସାକୁ ହିଁ ଠିକ ଭାବୁଛନ୍ତି । ମନ୍ଦିରରୁ ଚୋରି ହୋଇଗଲେ ପୂଜାରୀମାନେ ମଧ୍ୟ ଚୋର ଧରିବା ପାଇଁ ଠାକୁରଙ୍କ ଭରସାରେ ବସି ରହୁନାହାନ୍ତି ବରଂ ପୋଲିସ ଥାନାକୁ ଯାଇ ଅଭିଯୋଗ କରୁଛନ୍ତି । ବିଭିନ୍ନ ଧର୍ମ ଗୁରୁମାନଙ୍କର ପ୍ରବଚନ ଲୋକମାନଙ୍କୁ ଆଉ ପ୍ରଭାବିତ କରି ପାରୁନି ଏବଂ କେହି ଭ୍ରମିତ ହେବାକୁ ଚାହୁଁ ନାହାନ୍ତି । କାଳ୍ପନିକ ଈଶ୍ୱରଙ୍କ ସ୍ୱର୍ଗକୁ ସତ ଓ ବାସ୍ତବ ଜଗତକୁ ମିଛ ବା ମାୟା କହୁଥିବା ଗୁରୁମାନେ ଯେ ଭଣ୍ଡ ତଥା ମାନସିକ ରୋଗୀ, ଏକଥା ଲୋକମାନେ ବୁଝି ସାରିଲେଣି ।

ସେଥିପାଇଁ ଆଜିର ଦୁନିଆର ପ୍ରାୟ ୪୫୦ରୁ ୫୦୦ ନିୟୁତ ଲୋକ ନିରୀଶ୍ୱରବାଦୀ ବୋଲି ଏକ ସର୍ବେକ୍ଷଣରୁ ଜଣା ପଡ଼ିଛି । ଆମ ଦେଶର ୨୦୧୧ ମସିହାରେ ହୋଇଥିବା ଜନଗଣନା ସମୟରେ ନିଜକୁ ନିରୀଶ୍ୱରବାଦୀ ବୋଲି ଘୋଷଣା କରିଥିବା ଲୋକମାନଙ୍କ ସଂଖ୍ୟା ୨,୮୭୦୦୦ ଅର୍ଥାତ ୦.୨୭% । ଆଜିରଦିନରେ ଏହାରସଂଖ୍ୟା ଆହୁରି ବୃଦ୍ଧି ପାଇଥିବ ଏଥିରେ ସନ୍ଦେହ ନାହିଁ ।

ପୃଥିବୀର ୬ ଗୋଟି ଦେଶରେ ବେଶୀ ସଂଖ୍ୟାରେ ନିରୀଶ୍ୱରବାଦୀ ଲୋକ ରହୁଥିବା ତାଲିକା ହେଉଛି- ୧. ଚୀନ, ୨. ଜାପାନ, ୩. ଚେକ୍ ରିପବ୍ଲିକ୍, ୪. ଫ୍ରାନ୍ସ, ୫. ଅଷ୍ଟ୍ରେଲିଆ, ୬. ଆଇଲ୍ୟାଣ୍ଡ ।

୨୦୧୨ ମସିହାର ଏକ ସର୍ଭେ ଅନୁସାରେ ପୃଥିବୀର ୨୩୦ ଗୋଟି ଦେଶର, ବିଶ୍ୱର ମୋଟ ଜନସଂଖ୍ୟାର ପ୍ରାୟ ୧୬% ଲୋକ ନିରୀଶ୍ୱରବାଦୀ ବୋଲି ଜଣାପଡ଼ିଛି । ବିଦେଶର ଅନେକ ଖ୍ରୀଷ୍ଟିୟାନ ଧର୍ମସ୍ଥଳ ଚର୍ଚ୍ଚକୁ ଲୋକମାନେ ପୂଜା ବା ପ୍ରାର୍ଥନା କରିବାକୁ ଯାଉନଥିବାରୁ ୩ ଗୋଟି ଦେଶର ୬ ଗୋଟି ପୁରୁଣା ପରିତ୍ୟକ୍ତ ଚର୍ଚ୍ଚକୁ ବିଭିନ୍ନ ଜନମଙ୍ଗଳ କାମ ପାଇଁ ପରିବର୍ତ୍ତନ କରିଦିଆଗଲାଣି । ଯଥା:

୧. ନେଦରଲ୍ୟାଣ୍ଡର ଉଟ୍ରେଚ୍ଠାରେ ଥିବା ସେଣ୍ଟ ଜାକବସ୍ ଚର୍ଚ୍ଚ, ୧୯୯୧ ମସିହାରୁ ପରିତ୍ୟକ୍ତ ହୋଇ ପଡ଼ିଥିଲା । ତାକୁ ଜେକ୍ ଅର୍କିଟେକ୍ଟସ୍ରେ ପରିଣତ କରାଗଲା । ଏଥିରେ ବିଭିନ୍ନ କଳାକୃତ୍ତି ନିର୍ମାଣକରି ଜନସାଧାରଣଙ୍କ ଦର୍ଶନାର୍ଥେ ଖୋଲା ଯାଇଛି ।
୨. ନେଦରଲ୍ୟାଣ୍ଡ, ୧୩ଶ ଶତାବ୍ଦୀର ମାର୍କସ୍ ଗ୍ଲୋରଡ୍ସ୍ ସିଲେକ୍ସି, ଡୋମିନିଚିଆନ୍ ଚର୍ଚ୍ଚ, ମାଷ୍ଟ୍ରିଚ୍କୁ ଦୁନିଆର ଏକ ବିଶିଷ୍ଟ, ବିଶାଳ ପାଠାଗାରରେ ପରିବର୍ତ୍ତନ କରାଯାଇଛି । ସେଠାରେ ଲୋକମାନେ ପୂଜା ନୁହେଁ ପାଠ ପଢ଼ୁଛନ୍ତି ।
୩. ନେଦରଲ୍ୟାଣ୍ଡରର ୧୯୩୦ ମସିହାରୁ ପରିତ୍ୟକ୍ତ ହୋଇ ପଡ଼ିଥିବା ଅନ୍ୟ ଏକ ଚର୍ଚ୍ଚକୁ କିଣିନେଇ ରୁଡ୍ ଭିସ୍ସେର୍ ଆର୍କିଟେକ୍ ନିଜର ବାସଭବନରେ ପରିବର୍ତ୍ତନ କରି ରହୁଛନ୍ତି ।
୪. ଜର୍ମାନର କିଣ୍ଟରଗ୍ରାଟେନ ଅନ୍ତର୍ଗତ ମନ୍ଷ୍ଟରଠାରେ ଥିବା ସେଣ୍ଟ ସେବାଷ୍ଟଲନ ଚର୍ଚ୍ଚ ସ୍କୁଲରେ ପରିବର୍ତ୍ତନ ହୋଇଗଲା ।
୫. ଇଉରୋପ ମହାଦେଶର ଲଣ୍ଡନଠାରେ ଥିବା ସେଣ୍ଟ ମେରୀ-ଆଟ୍-ଲାମ୍ବେତ୍ ପ୍ୟାରିସ୍ ଚର୍ଚ୍ଚକୁ ମିଉଜିଅମ୍ ଅଫ୍ ଗାର୍ଡେନ୍ ହିଷ୍ଟ୍ରିରେ ପରିବର୍ତ୍ତନ କରାଗଲା, ଯେଉଁଠି ଦର୍ଶକମାନଙ୍କର ଜ୍ଞାନ ବୃଦ୍ଧି ହେଉଛି ।
୬. ୧୮ଶ ଶତାବ୍ଦୀରୁ ଇଉରୋପ ମହାଦେଶର ନର୍ଥମୁମ୍ବରଲ୍ୟାଣ୍ଡଠାରେ ଥିବା ସେଣ୍ଟ ନିକୋଲାସ୍ ଚର୍ଚ୍ଚକୁ ସାଲିଓନିଅନ୍ସ୍ ଏବଂ ଲାନ୍ ବୋଟୋମେଲନ୍ କିଣିନେଇ ନିଜର ବାସଭବନରେ ପରିବର୍ତ୍ତନ କରିଦେଇ ପରିବାରସହ ରହୁଛନ୍ତି ।

ଏକ ତାଜା ଖବର ଅନୁସାରେ, ଗ୍ରୀସର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଆଲେକ୍ସିସ୍ ଟିସ୍ପ୍ରାସ୍ ଏବଂ ସେହି ଦେଶର ଅଟୋସେଫନିୟର୍ସ ଅର୍ଥୋଡେକ୍ସ ଚର୍ଚ୍ଚର ପ୍ରମୁଖ ଆର୍କବିଶପ “ଆଇରୋନିମସ”ଙ୍କ ସହିତ ଏକ ଐତିହାସିକ ବୁଝାମଣା ହୋଇଛି । ଏହି ବୁଝାମଣା ତାଲିକା ଅନୁସାରେ ଚର୍ଚ୍ଚର ପାଦ୍ରୀମାନଙ୍କୁ ପ୍ରାଶାସନିକ ସେବା ପଦରୁ ଅଲଗା କରିଦିଆଯିବ । ସରକାର ଖଜଣାରୁ ଚର୍ଚ୍ଚମାନଙ୍କୁ ଆର୍ଥିକ ଅନୁଦାନ ଦିଆଯିବ ନାହିଁ । ପ୍ରତ୍ୟେକ ଚର୍ଚ୍ଚର ଗଚ୍ଛିତ ସମ୍ପତ୍ତି ଏବଂ ଆମଦାନୀ ହେଉଥିବା ସମ୍ପତ୍ତିକୁ ନେଇ ସରକାର ଓ ଚର୍ଚ୍ଚ ଏକ ମିଳିତ ଆର୍ଥିକ ସଂସ୍ଥା ଗଠନ କରିବେ । ସେଇଥିରୁ ହିଁ ଦେଶରେ ଥିବା ପ୍ରାୟ ଦଶ ହଜାର ପାଦ୍ରୀମାନଙ୍କୁ ଦରମା ଦିଆଯିବ । ଧର୍ମକୁ ରାଜନୀତିଠାରୁ ଅଲଗା ରଖାଯିବ । ଧର୍ମଗୁରୁମାନେ ପୂର୍ବ ଭଳି ସରକାରଙ୍କ କାମରେ ହସ୍ତକ୍ଷେପ କରିବେ ନାହିଁ । ଅବଶ୍ୟ ଏହି ନିୟମ ଲାଗୁ ହେବାପାଇଁ ଆହୁରି ଲମ୍ବା ସମୟ ଲାଗିବ । କାରଣ ଚର୍ଚ୍ଚର ଧର୍ମାଧିକାରୀ ଏବଂ ସଂସଦର ସଭ୍ୟମାନଙ୍କ ଭିତରେ ବୁଝାମଣା ହେବା ବାକି ଅଛି । ଏହି ବୁଝାମଣାକୁ ଚର୍ଚ୍ଚର ଅନ୍ୟାନ୍ୟ ପାଦ୍ରୀମାନଙ୍କଦ୍ୱାରା ବିରୋଧ କରିବା ସ୍ୱାଭାବିକ । କାରଣ ଗତ ଶହ ଶହ ବର୍ଷ ଧରି ରୋମାନ କ୍ୟାଥୋଲିକମାନଙ୍କ ଦ୍ୱାରା ଚର୍ଚ୍ଚଗୁଡିକ ପରିଚାଳିତ ହେଉଛି ଏବଂ ପାଦ୍ରୀମାନଙ୍କ ଶାସନ ସମାଜ ଉପରେ ପ୍ରଭାବ ବିସ୍ତାର କରି ରଖିଛି । ଏହି ନିୟମ ଲାଗୁହେଲେ ସେମାନଙ୍କ ପ୍ରତିପତ୍ତି କମିଯିବ, ଲୋକମାନେ ସେମାନଙ୍କୁ ପୂର୍ବ ଭଳି ସମ୍ମାନ ପ୍ରଦର୍ଶନ କରିବେନାହିଁ ବୋଲି ପାଦ୍ରୀମାନେ ଆଶଙ୍କା ପ୍ରକଟ କରୁଛନ୍ତି ।

ଏବେ ମଧ୍ୟ ଛୋଟ ପିଲାମାନେ ସ୍କୁଲରେ ପ୍ରଥମେ ପ୍ରାର୍ଥନା କରି ହିଁ ପାଠପଢ଼ା ଆରମ୍ଭ କରୁଛନ୍ତି । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଧର୍ମଶିକ୍ଷା ବାଧ୍ୟତା ମୂଳକ ଭାବେ ଚାଲିଛି । ୟୁନାନର ନ୍ୟାୟାଳୟମାନଙ୍କରେ ନ୍ୟାୟାଧୀଶଙ୍କ ଆସନ ଉପରେ ଏକ ଧାର୍ମିକ ଚିହ୍ନ ଟାଙ୍ଗିବା ପରମ୍ପରା ରହିଛି । ୟୁନାନ ଦୁନିଆକୁ ଲୋକତନ୍ତ୍ର, ସଭ୍ୟତା ଏବଂ ସମସ୍ତ ଧର୍ମକୁ ସମ୍ମାନଦେବା ଭଳି ବିଚାର ଦେଇଛି । ଗ୍ରୀସରୁ ହିଁ ସାରାଦୁନିଆକୁ ଆଧୁନିକ ଓ ପ୍ରଗତିଶୀଳ ମାନବ ସମାଜର ସଭ୍ୟତା ପ୍ରସାର ହୋଇଥିବା ଐତିହାସିକମାନଙ୍କର ମତ ।

ଆଜିର ସମୟରେ ଦୁନିଆର କେତେକ ମୁସଲିମ ଦେଶକୁ ଛାଡ଼ିଦେଲେ ବାକି ଦେଶମାନଙ୍କରେ କଠୋର ଧାର୍ମିକ ଉନ୍ମାଦନା କମ ହୋଇଯାଇଛି ଏବଂ ନିରୀଶ୍ୱରବାଦୀଙ୍କ ସଂଖ୍ୟା ବଢ଼ି ଚାଲିଛି । ସେଥିପାଇଁ ଯେଉଁ ଦେଶଗୁଡ଼ିକରେ ଧର୍ମର ପ୍ରଭାବ କମିଯାଉଛି, ସେହି ଦେଶମାନଙ୍କରେ ମାନବତା ଓ ନୈତିକତା ବୃଦ୍ଧି ପାଉଛି । ଆଇଲ୍ୟାଣ୍ଡରେ ଅପରାଧ ହାର ବାକି ସବୁ ଦେଶ ଅପେକ୍ଷା ବହୁତ କମ । କାରଣ ସେଠାରେ ନିରୀଶ୍ୱରବାଦୀଙ୍କ ସଂଖ୍ୟା ବହୁତ ବେଶୀ ।

ଦୁଃଖ ଓ ପରିତାପର ବିଷୟ ହେଉଛି- ଭାରତରେ ଏବେ ମଧ୍ୟ ଧାର୍ମିକ ଉନ୍ମାଦନା ଚରମ ଅବସ୍ଥାରେ ଅଛି । କେବଳ ରାଜନୈତିକ ଫାଇଦା ଉଠାଇବାପାଇଁ ସ୍ୱାର୍ଥପର ନେତାମାନେ ବିଭିନ୍ନ ଧର୍ମ ଗୁରୁମାନଙ୍କ ସାହାଯ୍ୟରେ ଲୋକମାନଙ୍କୁ ମାନସିକ ସ୍ତରରେ ଧାର୍ମିକ ପଙ୍ଗୁ କରିବାରେ ଲାଗିଛନ୍ତି । ସରଳ ବିଶ୍ୱାସୀ ଲୋକମାନେ ଧର୍ମର ଅସଲ ଅର୍ଥ ନବୁଝି ମୋ ଧର୍ମ ବୁଡ଼ିଯାଉଛି ବୋଲି ଏକ ଭ୍ରମାତ୍ମକ ତଥା ଅହେତୁକ ଭୟରେ, ଅନ୍ୟମାନଙ୍କ ପ୍ରତି ଅସହିଷ୍ଣୁ ହୋଇ, ହିଂସା ପ୍ରଦର୍ଶନ କରୁଛନ୍ତି । ସେମାନେ ବୁଝି ପାରୁନାହାନ୍ତି ଧର୍ମଟା ଏମିତି କି ଜିନିଷ ଯେ କିଏ, ତାକୁ କେଉଁଠି ବୁଡ଼ାଇଦେବ? ଧର୍ମ ଯଦି ଈଶ୍ୱର ସମ୍ପର୍କିତ ବସ୍ତୁ ତେବେ ସେମାନେ ବୁଝିବା ଉଚିତ ଯେ ଈଶ୍ୱର ଯଦି ଅଛନ୍ତି ତ ତାଙ୍କର ଧର୍ମ ମଧ୍ୟ ରହିବ । କେଉଁ ମଣିଷ ଭଲା ଈଶ୍ୱର ଓ ଧର୍ମକୁ କିପରି ନଷ୍ଟ କରିଦେଇ ପାରିବ? ଧର୍ମାନ୍ଧ ଲୋକମାନଙ୍କୁ ଈଶ୍ୱର କ’ଣ ନିର୍ଦ୍ଦେଶ ଦେଉଛନ୍ତି ଯେ ମୋତେ ବା ମୋର ଧର୍ମକୁ ଯେଉଁମାନେ ମାନୁନାହାନ୍ତି, ତୁମେ ଯାଇ ସେମାନଙ୍କୁ ହତ୍ୟା କରିଦିଅ?

ଆଜିର ଯୁଗରେ କାହାରିକୁ ଈଶ୍ୱର ଓ ଧର୍ମ ନାମରେ ହତ୍ୟା କରିଦେଲେ, ଈଶ୍ୱର ତୁମକୁ ରକ୍ଷା କରିବେନି କିମ୍ବା ସିଧା ଟେକିନେଇ ସ୍ଵର୍ଗରେ ବସେଇ ଦେବେନି ବରଂ ସମାଜରେ ତିଆରି କାନୁନଦ୍ୱାରା ହତ୍ୟାକାରୀ ଭାବେ ତୁମେ ଦଣ୍ଡିତ ହେବ । ତୁମର ଦୋଷ ପାଇଁ ତୁମର ପରିବାର ମଧ୍ୟ ଛାରଖାର ହୋଇଯିବ । ତେଣିକି ଧର୍ମ ରହିଲେ ମଧ୍ୟ ତୁମେ କ’ଣ ପାଇବ? ଶାନ୍ତ ଚିତ୍ତରେ ବିଚାର କଲେ ସମାଜରେ ବିଶୃଙ୍ଖଳା ଜାତ ହେବନି । ମଣିଷର ପ୍ରକୃତ ଧର୍ମ ହେଉଛି ନିଜେ ସୁଖରେ ବଞ୍ଚି ରୁହ ଅନ୍ୟକୁ ମଧ୍ୟ ସୁଖରେ ବଞ୍ଚି ରହିବାକୁ ଦିଅ ।

ବାଲ୍ମୀକି ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବାଲ୍ମୀକି ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ରଚନା କରଥାନ୍ତି । ତାଙ୍କ ରଚିତ ଗଳ୍ପ ଓ ପ୍ରବନ୍ଧଗୁଡ଼ିକ ବାସ୍ତବବାଦୀ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ତଥା ଖବର କାଗଜର ସମ୍ପାଦକୟୀ ପୃଷ୍ଠାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।