You are currently viewing ଯାତ୍ରା ଚାଲିଛି
ଯାତ୍ରା ଚାଲିଛି

ଯାତ୍ରା ଚାଲିଛି

ମୋ ଝିଅ ଗୁଡଲିକୁ ପାଞ୍ଚବର୍ଷ ହେଲେ ବି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସେ ବୁଝିପାରୁଥିଲା । ଯଦିଓ ସେସବୁର ଜଟିଳ ଦିଗ ପ୍ରତି ତା’ର ଅନୁଶୀଳନ କ୍ଷମତା ଥିଲା ସିମୀତ । ଉଦାହରଣ ସ୍ଵରୁପ; ସେଦିନ ସକାଳେ ମୋ ସହିତ ବଜାରରୁ ଔଷଧ ପାଇଁ ଗଲାବେଳେ ଗୁଡଲି ମତେ ପଚାରିଲା, “ବାବା, ଜେଜେମା’ ଯେତେ କାଶିଲେ ବି, ମାମା ତୋତେ ଓଷଦ (ଔଷଧ) ଆଣିବାକୁ କେବେ କହେନି, ଓଲଟା ଜେଜେମା’ ଉପରେ ଗରଗର ହେଉଥାଏ । ହେଲେ ଆଜି ଆଇ (ଗୁଡଲି ମାମାର ମାମା) ଥରେ କାଶିଲା ବୋଲି, ମାମା ତୋତେ କାହିଁକି ଓଷଦ ଆଣିବାକୁ ତାଗିଦ୍ କରୁଥଲା?”

ଯଦିଓ ଗୁଡଲିର ଏ ସରଳ ପ୍ରଶ୍ନରେ ବଡ଼ ସଂକୋଚ ଅନୁଭବ କଲି, ତଥାପି ତାକୁ ଭୁଲେଇ ଦେବାକୁ କହିଲି, “ଆରେ, ଜେଜେମା ଆମର ସବୁ ଦିନିଆ ଲୋକ ତ, ତା’ କାଶ ବି ଆମର ସବୁ ଦିନିଆ । ହେଲେ ଆଇ ତ’ କୁଣିଆ, ତା’ କାଶ ବି କୁଣିଆ । ତେଣୁ ଅତିଥିଙ୍କ କଥା ଆମେ ଆଗ ବୁଝିବା କି ନାହିଁ?” ଗୁଡଲି ଯେ ବୁଝିଗଲା ସେ କଥା ନୁହେଁ | କିଛି ସମୟ ପରେ ସେ ପୁଣି ପଚାରିଲା, “ଆଛା, ରୁନି ଅପା (ଗୁଡଲିର ପିଉସି) ଆମ କୁଣିଆ ନା?”

“ହଁ ।”
“ଆଉ, ଲିପି ମାଉସୀ?”
“ହଁ, ସିଏ ବି ଆମ କୁଣିଆ ।”

ଏଥର ଗୁଡଲି ବଡ଼ ଅର୍ଥପୂର୍ଣ୍ଣ ଭାବରେ ପଚାରିଲା, “ତେବେ, ରୁନି ଅପା ଆମ ଘରକୁ ଆସିଲେ, ତୁ ତାକୁ ପଇସା ଦେଲେ କି ଶାଢ଼ୀ ଆଣିଦେଲେ, ମାମା କାହିଁକି ଚିଡ଼ିମିଡ଼ି ହୁଏ, ଲିପି ମାଉସୀ ବେଳକୁ ତ’ ହୁଏନି?”

ମନରେ ଉଦାସ ଭରି ଆସୁଥିଲା । ତେଣୁ କଥାର ମୋଡ଼ ବଦଳେଇ କହିଲି, “ଏସବୁ ଆଲତୁ ଫାଲତୁ କଥା ଗପନା । ଆଜି ପରା ଯାତ୍ରା ଦେଖିଯିବା ! ଜଲଦି ଜଲଦି ଘରକୁ ଚାଲ ।”

ହଁ, କହିବାକୁ ଭୁଲିଯାଇଥିଲି । ପ୍ରତିବର୍ଷ ଦୋଳ ପୂର୍ଣ୍ଣିମାରେ, ପଡ଼ୋଶୀ ଗ୍ରାମରେ ଶ୍ରୀ ଗୋପିନାଥଙ୍କ ମନ୍ଦିର ପ୍ରାଙ୍ଗଣରେ, ବଡ଼ ଧାରଣର ମେଳା-ମହୋତ୍ସବ, ଯଜ୍ଞାଦି ଅନୁଷ୍ଠିତ ହୁଏ । ଗାଁ ପିଲାଏ ଯାତ୍ରା ବି ପରିବେଷଣ କରନ୍ତି । ଅବଶ୍ୟ ନାରୀ କଳାକାର ଅଭାବରୁ, ପ୍ରତିଷ୍ଠିତ ଯାତ୍ରାପାର୍ଟିମାନଙ୍କରୁ କିଛି ତିର୍ଲାଙ୍କୁ ଭଡ଼ାରେ ଆଣିବାକୁ ପଡ଼ିଥାଏ । ତେବେ ମୋଟାମୋଟି ଭାବରେ ଯାତ୍ରା ଉପଭୋଗ୍ୟ ହେଉଥିବାରୁ ଆଖପାଖ ଗାଁ’ଗଣ୍ଡାରୁ ଅନେକ ଲୋକ ଯାତ୍ରା ଦେଖିବାକୁ ଆସନ୍ତି | ମୋ ଘରକୁ ବି ଆସିଥିଲେ- ମୋ ଶାଶୁ, ଶାଳୀ ଓ ସର୍ବୋପରି ମୁଖୁରା ମାଉସୀ ଶାଶୁ । ଯଦିଓ ପଡ଼ୋଶୀ ଗାଁ ଆମ ଗାଁ’ଠୁ ମାତ୍ରା ଦେଢ଼ ମାଇଲ୍ ଦୂରରେ, ତଥାପି ଯାତ୍ରା ଦେଖିବା ପୁର୍ବରୁ ମେଳାର ମଜା ନେବା ଉଦ୍ଦେଶ୍ୟରେ ଆମକୁ ସହଳ ବାହାରିବାର ଥାଏ । କିନ୍ତୁ ଅସୁବିଧା ହେଲା ମୋ’ ବୋଉ । ଏକରେ ଅଣ୍ଟା ଭାଙ୍ଗି ପଡ଼ିଥିବା ହେତୁ, ସେ ବେଶୀ ଚଲାବୁଲା କରିପାରୁ ନଥାଏ, ସେଥିରେ ପୁଣି ନଛୋଡ଼ବନ୍ଧା କଣ୍ଠ-ଛିଡ଼ା କାଶ । ଏକଥା ସ୍ତ୍ରୀଙ୍କୁ କହିବାରୁ, ସ୍ତ୍ରୀ ବୋଉ ଆଡ଼କୁ ଅନେଇ, ଏକ କୂଟନୈତିକ ହାସ୍ୟ ଖେଳାଇ କହିଲେ, “ମଲା, ବୋଉ କ’ଣ ଏ ଅବସ୍ଥାରେ ଯାଇ ଯାତ୍ରା ଦେଖିବେ ! ମୁଁ ତ’ ରୁଟି କରି ତାଙ୍କ ତକିଆ ପାଖରେ ରଖି ଦେଇଛି । ତା’ ଛଡ଼ା ଟଏଲେଟ୍ ତ’ ଘରକୁ ଲାଗିକି ଅଛି । ଅସୁବିଧା କ’ଣ !”

“ହେଲେ ….. ” ମୁଁ ଆଉକିଛି କହିବାକୁ ଯାଉଥିଲି । ହେଲେ ସ୍ତ୍ରୀଙ୍କ କପାଳରେ ବର୍ଦ୍ଧମାନ ଭ୍ରୁକୁଞ୍ଚନ ଦେଖି ଚୁପ୍ ପଡ଼ିଗଲି । ବୋଉ ବି ବୁଝି ପାରିଲା, ତେଣୁ ଖୁଁ ଖୁଁ କାଶି ବଡ଼ ନରମ ଗଳାରେ କହିଲା, “ବୁଢ଼ା, ତୁ ଯା’ । ମୋର କିଛି ଅସୁବିଧା ହେବନି । ଗୋଟିଏ ରାତି କଥା ତ’ ।” ନିଜକୁ ମାଡ଼ି ପଡ଼ୁଥାଏ । ହେଲେ କରାଯିବ ବା କ’ଣ । ସମ୍ପର୍କଟିଏ ଯୋଡ଼ିଛି ମାନେ ନିଭାଇବାକୁ ତ’ ପଡ଼ିବ । ଅଗତ୍ୟା ସ୍ତ୍ରୀ ଓ ତଦୀୟ ସମ୍ପର୍କୀୟଙ୍କୁ ସାଥିରେ ଧରି ଯାତ୍ରାଦର୍ଶନେ ବାହାରି ପଡ଼ିଲି ।

ମନ୍ଦିର ସଂଲଗ୍ନ ବିରାଟ ପଡ଼ିଆରେ ନାନା ରକମର ଉଠା ଦୋକାନ । ଆଇସକ୍ରିମ୍, ଚୁଡ଼ି, ଚାଟ୍, ଖେଳନା ଆଦିର ଲେଭାନୀୟ ସମାହାର । ଠାଏଁ ଚକ୍ରିଦୋଳି ବି ଲାଗିଥାଏ । ଦମେ ଗୋଡ଼ କଚାଡ଼ି, ଟଣାଓଟରା କରି, ଗୁଡଲି ବି କିଛି କିଛି ଖେଳନା ଅକ୍ତିଆର କରୁଥାଏ । ସ୍ତ୍ରୀ ଚାଟ୍ ଦୋକାନ ପାଖରେ ଅଟକିଲେ । ‘ମା ଅନ୍ନପୂର୍ଣ୍ଣା ଚାଟ୍’ । ଆମରି ଗାଁ ଠୁରିଆ ସାହୁର । ଆମକୁ ଦେଖି, ଠୁରିଆ ପୁର୍ବରୁ ପ୍ଲାଷ୍ଟିକ୍ ଚୌକି ଅକ୍ତିଆର କରି ଚାଟ୍ ଖାଉଥିବା କିଛି ମଳିଛିଆ ମାଇକିନିଆଙ୍କୁ ଉଠେଇ ଦେଲା । “ହେ….. ଉଠ, ଉଠ, ଯା, ସେ କ’ଣ ରେ ଠିଆ ହୋଇ ଖା’…… ଆସ ଭାଉଜ, ଏଇଠି ବସ ।”

ଗାଁର ଏକମାତ୍ର ସରକାରୀ-କଲେଜର ଅଧ୍ୟାପକଙ୍କ ପତ୍ନୀ ହିସାବରେ ଏତକ ସ୍ୱତନ୍ତ୍ର ସମ୍ମାନ ମୋ ସ୍ତ୍ରୀ ନିଶ୍ଚୟ ଆଶା କରୁଥିଲେ । “ସାର୍, କେତେଟା ଦେବି? “ବଡ଼ ତାୱାରେ ବେଙ୍ଗଳା ଚାଟ୍‌କୁ ଚଟୁରେ ଖେଳାଉ ଖେଳାଉ ଠୁରିଆ ପଚାରିଲା । “ପର୍ ପ୍ଲେଟ୍ କେତେ?” ମୋ ସ୍ତ୍ରୀ ପଚାରିଲେ । “ଫୁଲ୍ ପ୍ଲେଟ୍ ୩୦, ହାପ୍ ପ୍ଲେଟ୍ ୨୦ ।” “ଛ’ଟା ହାପ୍‌ପ୍ଲେଟ୍ ଦିଅ” ସ୍ତ୍ରୀ ବରାଦ କଲେ । ସେତେବେଳକୁ ଗୁଡଲି ଚିନ୍ତାରେ ପଡ଼ିଗଲାଣି । ନିଜ ହାତରେ କିଛି ବୋଧହୁଏ ଗଣନା କରି, ମୋ କାନପାଖରେ ଫିସ୍ ଫିସ୍ କରି ପଚାରିଲା, “ବାବା, ମୁଁ ଅଙ୍କରେ ପଢ଼ିଛି, ହାପ୍‌କୁ ୨୦ ଟଙ୍କା ହେଲେ, ଫୁଲ୍‌କୁ ୨୦, ଆଉ ୨୦ ମିଶିକି ଚାଳିଶ ଟଙ୍କା ହବା କଥା, ୩୦ କ’ଣ ପାଇଁ ହେଲା?”

ମୁଁ ହସିଦେଲି । କହିଲି, ମା’ରେ ଇଏ ହେଲା ବେପାର ବାଣିଜର ଖେଳ । ଗରାଖଙ୍କୁ ଆକୃଷ୍ଟ କରିବାର ଏକ ଚତୁର ଉପାୟ । “ଏଥିରେ ଚାଟ୍ ବାଲାର ଲସ୍ ହେବନି?” ଚିନ୍ତାତୁର ଗୁଡଲି ପଚାରିଲା । “ମାମା ସହ ସପିଙ୍ଗ ମଲ ଗଲାବେଳେ ଦେଖିଥିବୁ ଅନେକ ଫ୍ରି ଅଫର, ଡାଇନିଙ୍ଗ ସେଟ୍ ଉପରେ ପଚାଶ ପରସେଣ୍ଟ ଡିସ୍ କାଉଣ୍ଟ, ଗୋଟିଏ ଶାଢ଼ୀ ସହିତ ଆଉ ଗୋଟିଏ ଫ୍ରି । ସତରେ କ’ଣ ସେମାନେ ଫ୍ରି ଦିଅନ୍ତି ! ଇୟେ ଏକ ବ୍ୟବସାୟିକ ଫର୍ମୁଲା, ଗରାଖମାନଙ୍କର ଲୋଭକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ,” ମୁଁ ହସି ହସି କହିଲି । ଗୁଡଲି ବୁଝିପାରିଲା କି ନାହିଁ ଜାଣିନି, ତେବେ କିଛି ସମୟ ଭାବଗ୍ରସ୍ତ ହୋଇ ସେ ଚାଟ୍ ଖାଇବାରେ ମନୋନିବେଶ କଲା ।

ଚାଟ୍ ଖାଇବା ଉତ୍ତାରୁ, ଆମେ ମେଳାର ବାକି ଜାଗା ବୁଲି ବୁଲି ଉପଭୋଗ କରୁଥାଉଁ । ଠାଏଁ ଦଳେ ଟୋକା ତାସ୍ ଖେଳରେ ମସଗୁଲ ଥା’ନ୍ତି । ହାବିଲଦାରଟାଏ ସେ ଦିଗରେ ଖେଦି ଯା’ନ୍ତେ, ଟୋକାଟିଏ ତା’ ହାତରେ ୧୦ ଟଙ୍କା ଗୁଞ୍ଜି ଦେଲା । ହାବିଲଦାର ସେତକ ପକେଟ୍‌ରେ ରଖି କିଛି ନ ଜାଣିପାରିଲା ପରି ନିଜର ମୋଡ଼ ବଦଳେଇ ଦେଲା । ହେଇ ସେଠି, ମୋଟି ତିର୍ଲାଟିଏ, ଚକ୍ରିଦୋଳି ଖେଳୁଥିବା ଅବସ୍ତାରେ ଭକ୍ ଭକ୍ କରି ପୁଳାଏ ବାନ୍ତି କରିପକେଇଲା । ପତି ମହୋଦୟ ଦୋଳି ଅଟକାଇ ବଡ଼ ଅନୁନୟ ହୋଇ କହିଲେ “ୟାକୁ ଲଗେଇ ଦି’ଥର ବାନ୍ତି ହୋଇଗଲା, ଏଥର ତ’ ଓହ୍ଲାଇ ପଡ଼ !” ପତ୍ନୀ କିନ୍ତୁ ମୁହଁରେ ଲୁଗାଦେଇ ଠାରରେ ମନାକରିଦେଲେ ଓ ସେଇ ଠାରରେ ଆଉ ଦୁଇଥର ବୁଲିବାର ଅଛି ବୋଲି ଜଣାଇଦେଲେ । ସତକଥା, ହକ ପଇସା ଦେଇଛୁ ମାନେ ପୁରାପୁରି ଅସୁଲ ହେବା ଚାହି ! ଚକ୍ରିଦୋଳି ପୁଣି ବୁଲିଲା ।

“ମରଣ ହେଉନି ସେ ମୋଟିକି” ମାଉସୀ ଶାଶୁ ମନ୍ତବ୍ୟ ଦେଲେ । ଆମେ ସମସ୍ତେ ହସିଉଠିଲୁ । ଗୁଡୁଲି ବେଶୀ କିଛି ବୁଝି ନ ପାରିଲେ ବି, ଆମ ହସରେ ତାଳ ଦେଲା । ସେପଟରେ ଦଳେ ଲୋକ ଭିଡ଼ ଜମେଇ ହୋ’ହାଲ୍ଲା କରୁଥାନ୍ତି । ଉଚ୍ଛୁକରେ ଗୁଡୁଲି କି କାଖ କରି, ଭିଡ଼ କାଟି ଦେଖିଲା ବେଳକୁ ପଡ଼ୋଶୀ ଗାଁ କଣା, ଶତୁରା ତା’ ସ୍ତ୍ରୀକୁ ଠେଲି ଠେଲି ନେଉଛି । ମୁଁ ବଡ଼ ବିରକ୍ତ ହେଲି । ଭିଡ ଜମେଇ ଥିବା ପିଲାମାନଙ୍କୁ ଲକ୍ଷ କରି କହିଲି, “ତମ ମାନଙ୍କର ଟିକେ ମଣିଷ ପଣିଆ ନାହିଁ । ଲୋକଟା ତା’ ସ୍ତ୍ରୀକୁ ଧକ୍କା ଦେଇ ନେଉଛି, ତମେମାନେ ଉଁ କି ଚୁଁ କିଛି କହୁନା ।” ମୋତେ ଦେଖି କିଛି ପିଲା ପାଟିତୁଣ୍ଡ ବନ୍ଦ କରିଦେଲେ । ଜଣେ କହିଲା, “ନାଇଁ ସାର୍, ସିଏ ତା ସ୍ତ୍ରୀକୁ ଠେଲୁନି, ତା’ ସ୍ତ୍ରୀ ତାକୁ ଘୋଷାରି ଘୋଷାରି ନେଉଛି । ପୁଅ ଆଜି ନାଦିକି ଦେଶୀ ଦାରୁ ଚଢ଼େଇ ଦେଇଛି । ଶଳା ସୁଧୁରିବନି ।” “ଏଇ ଗଲା ସପ୍ତାହରେ ଟାଙ୍କେ ପି’ ରାସ୍ତାରେ ମୁହଁ ମାଡ଼ି ଖଣ୍ଡିଆ ଖାବରା ହେଇକି ଡାକ୍ତରଖାନାରେ ପଡ଼ିଥିଲା,” ଭିଡ଼ ଭିତରୁ ଜଣେ କେହି ମନ୍ତବ୍ୟ ଦେଲା | ଗୁଡୁଲି ସେ ଦୃଶ୍ୟକୁ ବଲ ବଲ କରି ଦେଖୁଥାଏ ।

ଭିଡ଼ ପାଣିଚିଆ ହୋଇ ଆସିବାରୁ, ମୋ ସାମ୍ନାରେ ଦୃଶ୍ୟମାନ ହେଲେ ଆମ ଗାଁ କୁଳମଣି ଭାଇ । ବୟସରେ ମୋ ଠାରୁ ସାମାନ୍ୟ ବଡ଼ । ସେ ପାଖ ଗାଁ ସ୍କୁଲରେ ଶିକ୍ଷକତା କରନ୍ତି ଓ ଜଣେ ପାର୍ଟ୍-ଟାଇମ ଡିଗ୍ରୀ ବିହୀନ ହୋମିଓପାଥ ମଧ୍ୟ | ଗୁଡୁଲିକୁ କାଖରୁ ଓହ୍ଲାଇ ତାଙ୍କୁ ନମସ୍କାର କଲି । “ଆଉ ପ୍ରଭାସ, ଯାତ୍ରା ଦେଖି ଆସିଛ ପରା !” ଏତକ ମନ୍ତବ୍ୟ ଦେଇ ସେ ମୋ ସ୍ତ୍ରୀ ତଥା ସଂପର୍କୀୟା ମାନଙ୍କ ଉଦ୍ଦେଶ୍ୟରେ ନେତାବତ ଲଘୁ ନମସ୍କାରଟିଏ ଫୋପାଡ଼ି ଦେଇ ହଠାତ୍ ମୋତେ ସାମାନ୍ୟ ଦୂରକୁ ଭିଡ଼ିନେଲେ ଓ ବିନା ଭୂମିକାରେ ପଚାରିଲେ, “ଆଛା ପ୍ରଭାସ, ତମେ ପରା ଗତ ବର୍ଷ କୋରାପୁଟରୁ ବଦଳି ହୋଇ ଆସିଛ? ସେଠିକାର ହାଲାଚାଲ୍ କେମିତି?”

“ମାନେ?” ମୁଁ ପଚାରିଲି | “ମାନେ, ମୁଁ ଶୁଣିଛି ସବୁ କାଳେ ଆଦିବାସୀ, ଶିକ୍ଷା ଦିକ୍ଷା କିଛି ନାହିଁ । ଡାକ୍ତରଖାନା ନାହିଁ କହିଲେ ଚଳେ । କେ.ବି.କେ. ଯୋଜନାରେ ଅନୁଦାନ ପ୍ରବଳ ମିଳୁଛି, କିନ୍ତୁ ସ୍କୁଲରେ ପିଲା ନାହାଁନ୍ତି…..” ଏକା ନିଶ୍ୱାସରେ ଗପି ଯାଉଥିଲେ କୁଳମଣି ଭାଇ । “ହଁ, ହୋଇଥିବ | ମୁଁ ଥିଲି ଭବାନୀପାଟଣା ଟାଉନରେ । ଏ ସବୁ ବିଶେଷ କିଛି ଅନୁଭବ କରିନି । କିନ୍ତୁ ସେଠିକାର ପାଣି-ପବନରେ ଚଳିବା ମୋ ପାଇଁ କାଠିକର ହୋଇପଡ଼ିଲା । ବଡ଼ କଷ୍ଟରେ ଟ୍ରାନ୍ସଫର କରେଇଛି ।” ସ୍ୱଭାବିକ ଭାବରେ କହିଲି ।

“ହେଲେ ତମେ କାହିଁକି କୋରାପୁଟ ବିଷୟରେ ଏତେ କୌତୁହଳୀ !” ନିଜର ଜିଜ୍ଞାସା ପ୍ରକାଶ କଲି | ବଡ଼ ଅର୍ଥପୁର୍ଣ ହସି ସେ ସାମାନ୍ୟ ଧୀର କଣ୍ଠରେ କହିଲେ, “କଥା କ’ଣ କି, ଏ ବର୍ଷ ମୁଁ କୋରାପୁଟ ବଦଳି ହେବାକୁ ଚେଷ୍ଟା କରୁଛି । ପ୍ରାୟ ଫାଇନାଲ୍ ହୋଇ ସାରିଛି ।” ମୋତେ ଲାଗିଲା କେହି ଜଣେ ଆତ୍ମଘାତୀ ପାହାଡ଼ ଉପରୁ କୁଦାମାରି ଆତ୍ମହତ୍ୟା କରିବା ପୁର୍ବରୁ ଖୁସିରେ ଆତ୍ମହରା ହୋଇ ଏ ବିଷୟରେ ନିଜ ସଂପର୍କୀୟଙ୍କୁ ଅବଗତ କରାଉଛି । ହତବମ୍ବ ହୋଇ ଏହାର କାରଣ ପଚାରନ୍ତେ, ବଡ଼ ରହସ୍ୟମୟ ଭାବରେ କୁଳମଣି ବାବୁ ନିଜର ଚନ୍ଦା ମୁଣ୍ଡକୁ ଆଉଁସୁ ଆଉଁସୁ କହିଲେ, “ତମେ ବୁଝୁନା, ପିଲାଏ ବଡ଼ ହେଲେଣି । ଏବେ ଟିକେ ଅଧିକ ରୋଜଗାର ଲୋଡ଼ା । ଉପୁରି ଟିକେ ନହେଲେ । ହେଁ, ହେଁ… ତମେ ତ’ ଜାଣିଛ, ମାଷ୍ଟର ଚାକିରୀରୁ କେତେ ମିଳେ । ସେଇଥିପାଇଁ.. ହେଁ..ହେଁ..”

କେହି ଜଣେ ଡାକିବାରୁ କୁଳମଣି ବାବୁ ସେଠୁ ଚାଲିଗଲେ କିନ୍ତୁ ଗୁଡୁଲି ମୁଣ୍ଡରେ ଭାବାନ୍ତର ସୃଷ୍ଟିହେଲା । ଏହାର କାରଣ ବୁଝୁଥିଲି । ଦୁଇବର୍ଷ ତଳେ କୋରାପୁଟରେ ଯେମିତି ଛାଟିପିଟି ହେଉଥିଲି, ଗୁଡୁଲି ସେ କଥା ଲକ୍ଷ କରିଛି । ତା’ ମାମା ବି ତାକୁ କହିଛି- ଜଣେ ଚାକିରୀଆ କୋରାପୁଟ ବଦଳି ହୋଇ ଆସିବା, ଜଣେ କଏଦୀ କଳାପାଣି ଯିବା ସହିତ ସମାନ । ଅଥଚ ଏ ବାବୁ ଜଣକ ସ୍ୱ-ଇଚ୍ଛାରେ ସେ ଦଣ୍ଡଟିକୁ ବରଣ କରିନେଲେ ! ଏହା ପଛରେ ଥିବା କୂଟନୈତିକ ଉଦ୍ଦେଶ୍ୟ ତା’ ମୁଣ୍ଡରେ ବୁଝା ପଡ଼ୁନଥିଲା । ମୁଁ ବି ବୁଝାଇବାକୁ ଚେଷ୍ଟା କଲି ନାହିଁ । ତା’ କୁନି ମୁଣ୍ଡଟି ନିର୍ମାୟା ଥାଉ । ଏହା ଥିଲା ମୋର ଉଦ୍ଦେଶ୍ୟ ।

ସଞ୍ଜ ହୋଇ ଆସୁଥାଏ । ଏଥର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଯଜ୍ଞ ହୋମ ଦେଖିବା ଉଦ୍ଦେଶ୍ୟରେ ଆଗକୁ ବଢ଼ିଲୁ । ଯଜ୍ଞ ଚାଲିଥାଏ । କିନ୍ତୁ ଅବିଶ୍ୱସନୀୟ ଭାବରେ ଯଜ୍ଞ ସ୍ଥଳୀଠୁ କିଛି ମାତ୍ର ଦୂରରୁ ପେଣ୍ଡାଲ ଦୁଲୁକାଇ ଚାଲିଥାଏ ମଡର୍ଣ ଡ୍ୟାନ୍ସ କାର୍ଯ୍ୟକ୍ରମ । ସହରରୁ ଆନିତ ସ୍ୱଳ୍ପ ଯୁବକ ଯୁବତୀ ଅଳ୍ପ ବସ୍ତ୍ର ପରିଧାନ କରି କାନଫଟା ମାଇକ୍‌ର ଆଧୁନିକ ଗୀତର ତାଳେ ତାଳେ ଉଦ୍ଧାମ ନୃତ୍ୟ ପରିବେଷଣରେ ରତ ଥିଲେ । ଗ୍ରାମର ପ୍ରାୟ ଅର୍ଦ୍ଧେକ ନରନାରୀ ସେ ନୃତ୍ୟକୁ ତାଳି, ହ୍ୱିସିଲ୍ ମାରି ବଡ଼ ସନ୍ତୋଷରେ ଉପଭୋଗ କରୁଥିଲେ । ଆହୁରି ଦେଖିଲି, ଯଜ୍ଞସ୍ଥଳୀରୁ ଦୁଇଜଣ ପ୍ରୌଢ଼ ବାବାଜୀ ବି ବଡ଼ ଉସ୍ତୁକ ନୟନରେ ହାଁ କରି ସେ ନୃତ୍ୟ ଦିଗରେ ଚାହିଁ ରହିଛନ୍ତି । ବଡ଼ ଅସ୍ୱସ୍ତି ଅନୁଭବ କଲି ।

“ଗୋପିନାଥ ଏ ଭଣ୍ଡାମୀ କେମିତି ହଜମ କରୁଛନ୍ତି କେଜାଣି” ବିରକ୍ତିରେ ଏତକ ପାଟିରୁ ବାହାରି ପଡ଼ିଲା । ଶାଳୀ ହସିଦେଇ କହିଲା, “ଜିଜୁ, ଗୋପିନାଥଙ୍କ ରସିକପଣିଆ ଭୁଲିଗଲ କି ! ତା’ଛଡ଼ା ଏଠି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, ଗୋପିନାଥଙ୍କୁ ଯାହା ଭଲ ଲାଗିବ, ଦେଖିବେ । ଏଥିରେ ଅସୁବିଧା କୋଉଠି !” ଶାଳୀଙ୍କ କଟୋକ୍ତି ଶୁଣି ଚୁପ୍ ପଡ଼ିଗଲି । କିନ୍ତୁ ଦୁର୍ଭାଗ୍ୟ ଯେ ଗୁଡୁଲିର ନଛୋଡ଼ବନ୍ଧା ଜିଦି ମୋତେ ସେ ନୃତ୍ୟବିଳାସୀ ଭିଡ଼ ଭିତରକୁ ଟାଣିନେଲା । ଶାଳୀଙ୍କ ପ୍ରଶ୍ନବାଚୀ ମୃଦୁ କଟାକ୍ଷକୁ ସହ୍ୟକରି ବଡ଼ ଦୟନୀୟ ଭାବରେ ଘଣ୍ଟାଏ କାଳ ସେ ନୃତ୍ୟକୁ ହଜମ କରିବାରେ ଲାଗିଲି । କିମାଶ୍ଚର୍ଯ୍ୟମ ଯେ କିଛି କିଛି ନୃତ୍ୟକୁ ବି ବଡ଼ ଆନ୍ତରିକତାରେ ଉପଭୋଗ କରୁଥିଲି ମୁଁ !

କ୍ରମଶଃ ଯାତ୍ରାସ୍ଥଳୀରେ ଭିଡ଼ ଜମିଆସୁଥାଏ । ଯାତ୍ରା ପେଣ୍ଡାଲ ଚତୁପାର୍ଶ୍ୱରେ ବିଛାଡ଼ି ହୋଇ ପଡ଼ିଥିବା ଚେୟାରମାନଙ୍କୁ ଅକ୍ତିଆର କରିବାରେ ପ୍ରତିଯୋଗିତା ବି ଆରମ୍ଭ ହୋଇଗଲାଣି । ମୁଁ ବି ମୋ ସଂପର୍କୀୟମାନଙ୍କୁ ଧରି ସେ ପ୍ରତିଯୋଗିତାରେ ସାମିଲ୍ ହେଲି ଓ ବିଜୟୀ ହେଲି ମଧ୍ୟ । ସବା ଆଗରେ ପଡ଼ିଥିବା ଛ’ଟି ଚେୟାରକୁ ଅକ୍ତିଆର କରିବାରେ ସଫଳ ହୋଇ ବଡ଼ ସନ୍ତୋଷ ଅନୁଭବ କଲି । ପାଖ ସିଟ୍‌ରେ ବସିଥିଲେ ଆମ ଗାଁ ଜଗୁ ଭାଇ; ନିଜର ଦୁଇ ଭାର୍ଯ୍ୟାଙ୍କ ମଝିରେ । ବିଚରା ଜଗୁଭାଇଙ୍କ କାହାଣୀ ବଡ଼ କରୁଣ । ପ୍ରଥମ ପତ୍ନୀଙ୍କ ସନ୍ତାନ ଉତ୍ପାଦନ କ୍ଷମତା କ୍ଷୀଣ ବୋଲି ନିଶ୍ଚିତ ହୋଇ ସେ ଆଉ ଗୋଟିଏ ତରୁଣୀ ଭାର୍ଯ୍ୟା ଯୋଗାଡ଼ କରିଥିଲେ । କିନ୍ତୁ ଦୟାବନ୍ତ ଜଗୁଭାଇ ପ୍ରଥମ ଭାର୍ଯ୍ୟାଙ୍କୁ ହତାଦର ବି କରିନଥିଲେ । ଉଭୟ ପତ୍ନୀ ରହୁଥିଲେ ଗୋଟିଏ ଛାତତଳେ ! ଅବଶ୍ୟ ଏଥିପାଇଁ ଜଗୁଭାଇଙ୍କୁ ବହୁବଡ଼ ମୂଲ୍ୟ ଦେବାକୁ ପଡ଼ୁଥିଲା । ଉଭୟ ପତ୍ନୀଙ୍କ ଚଟୁ-ସମାର୍ଜନୀ ସମ୍ବଳିତ ଦ୍ୱନ୍ଦ ଯୁଦ୍ଧ ଚାପରେ ଅକାଲୁଆ ହୋଇ ଜଗୁଭାଇ ଦୁଇ ଚାରିଥର ବାବାଜି ହେବାର ପ୍ରୟାସ କରି ବିଫଳ ହୋଇଥିଲେ । କାରଣ, ତାଙ୍କୁ ମୋହ ଜାବୁଡ଼ି ଧରନ୍ତି ପରା ! ଅବଶ୍ୟ, ମଣିଷକୁ ମୋହ, କି ମୋହକୁ ମଣିଷ ଜାବୁଡ଼ି ଧରିଥାଏ, ତାହା ତର୍କ-ସାପେକ୍ଷ । ତେବେ ଯାହାହେଉ, ବେଳେବେଳେ ଶୁଭ ଗ୍ରହ ଚଳନ ଯୋଗୁଁ, ବେନି ପତ୍ନୀଙ୍କ ଉଦାର ଆପୋସ୍ ସାହାଚର୍ଯ୍ୟରେ ଜଗୁଭାଇ ନିଜକୁ ଗ୍ରାମର ସବୁଠାରୁ ଭାଗ୍ୟବାନ ମଣୁଥିବାର ଲୋକେ କହନ୍ତି । ଦ୍ୱିତୀୟ ପତ୍ନୀଙ୍କଠାରୁ, ଜଗୁଭାଇଙ୍କର ଗୋଟିଏ ଝିଅ, ଗୁଡୁଲି ସାଙ୍ଗରେ ସ୍କୁଲରେ ପଢ଼େ । ସିଟ୍‌ରେ ଲଗାଲାଗି ହୋଇ ବସିଥିବା ଉଭୟ କୁନି ବାଲିକା ଗପସପରେ ମାତିଗଲେ । ହଠାତ କିଛି ହୋ, ହାଲ୍ଲା ଭିତରେ ଏକ ଜନପଟୁଆର ଆମ ଆଡ଼କୁ ମାଡ଼ି ଆସୁଥିବାର ଲକ୍ଷକଲି । କିଛି ବୁଝିବା ପୁର୍ବରୁ, ଦୁଇତିନି ସ୍ଥାନୀୟ ଯୁବକ ଆମ ପାଖକୁ ଖେଦିଆସି “ହେ, ଉଠ, ଉଠ ! ପଛକୁ ଯାଅ” କହି ଆମକୁ ପ୍ରାୟ ବଳପୁର୍ବକ ତଡ଼ିଦେବାକୁ ଯାଉଥିବାବେଳେ ମୋ ଉପରେ ନଜର ପଡ଼ନ୍ତେ ତୁନି ପଡ଼ିଗଲେ । କହିବା ବାହୁଲ୍ୟ, ନିଜର ଚାକିରୀ ଯୋଗୁଁ ଆଖପାଖ ଅଞ୍ଚଳରେ ମୁଁ ଥିଲି ଜଣେ ସମ୍ମାନସ୍ପଦ ବ୍ୟକ୍ତି । କିନ୍ତୁ ବଳି ପଡ଼ିଲା ଜଗୁଭାଇ । ଅଗତ୍ୟା, ଅନିଚ୍ଛାକୃତ ଭାବରେ, ବଡ଼ ଦୁଃଖରେ ଗୁଡୁଲିଠାରୁ ତା’ କୁନି ସାଙ୍ଗଟିକୁ ବିଦାୟ ନେବାକୁ ହେଲା ।

ଏବେ ଜାଣିଲି ପଟୁଆରର ହେତୁ, ସେଦିନ ଯାତ୍ରା ଦେଖିବାକୁ ସଦୟ ଇଚ୍ଛା ପ୍ରକାଶ କରିଥିଲେ ସ୍ଥାନୀୟ ସରପଞ୍ଚ, ୱାର୍ଡମେମ୍ବର ଓ ସର୍ବୋପରି ବ୍ଲକର ସଭାପତି ମହୋଦୟ । ସେ ସମ୍ମାନନୀୟ ମାନଙ୍କୁ ଆହୁରି ସମ୍ମାନ ଦେବା ଉଦ୍ଦେଶ୍ୟରେ, ସମ୍ମୁଖ ଚେୟାର ମାନଙ୍କରେ ଉପବିଷ୍ଟ ନଗଣ୍ୟ ଜନତାଙ୍କୁ ତଡ଼ୁଥିଲେ ଯୁବକମାନେ । ଭଦ୍ରବ୍ୟକ୍ତି ମାନେ ଯଥାଯୋଗ୍ୟ ଚେୟାରଟିମାନ ଅକ୍ତିଆର କରି ତାଙ୍କୁ ପରିବେଶିତ ତାମ୍ବୁଳାଦିକୁ ସେବନକରିବା ଅବସରରେ ବିଭିନ୍ନ ରାଜନୈତିକ ଦଳ ବିରୁଦ୍ଧରେ କୁତ୍ସାରଟନା କରିବାରେ ମନୋନିବେଶ କଲେ | ଗୁଡୁଲି ବଡ଼ ବିରକ୍ତି ବୋଧ କରୁଥାଏ । ପ୍ରଥମତଃ ଯାତ୍ରା ପରିବେଷଣରେ ଡେରି ହେଉଥାଏ, ଦ୍ୱିତୀୟରେ ଏମାନେ ତା ସାଙ୍ଗକୁ ସେଠୁ ତଡ଼ିଦେଲେ । ଗୁଣୁଗୁଣୁ କରି ସେ ଏ ଭଦ୍ରବ୍ୟକ୍ତି ମାନଙ୍କୁ ‘ପାଜି, ଦୁଷ୍ଟ’ ଆଦି କହି ଅଭିସମ୍ପାତ ଦେଉଥାଏ । ମୋତେ ବି ସେ ଥରେ ଚୁପି ଚୁପି ପଚାରିଥିଲା, “ବାବା, ଏ ପାଜିଗୁଡାଙ୍କୁ, ଜଗୁ ଅଙ୍କଲ କିଛି କହିଲେ ନାହିଁ କାହିଁକି?”

“ମା’ରେ ଏମାନଙ୍କୁ କିଛି କହିବାର ଶକ୍ତି, ଖୋଦ ଭଗବାନଙ୍କର ବି ନାହିଁ ! ଏମାନେ ବହୁତ ବଡ଼ ଲୋକ !!” ବଡ଼ ହତାଶ କଣ୍ଠରେ କହିଲି | ଗୁଡୁଲି, ମୋ ବ୍ୟଙ୍ଗୋକ୍ତିକୁ ବୋଧେ ବୁଝିପାରିଲା ନାହିଁ ! ମନେ ମନେ କିଛି ଚିନ୍ତାକରି ସେ ପୁଣି ପଚାରିଲା, “ବଡ଼ କେମିତି ବା ! ଏମାନେ ତ’ ସବୁ ଜଗୁ ଅଙ୍କଲ ଆଉ ତମ ଭଳିଆ । ହେଇ ସେ ପେଟା ତ’ ଜଗୁ ଅଙ୍କଲ ଠାରୁ ଆହୁରି ଛୋଟ !” ସେ ୱାର୍ଡମେମ୍ବରଙ୍କୁ ନିର୍ଦେଶ କରୁଥିଲା । ମୁଁ ତାକୁ ଚୁପ୍ କରାଇ କହିଲି “ସେମାନେ କେମିତି ବଡ଼ଲୋକ, ତୁ ବଡ଼ ହେଲେ ବୁଝିବୁ ।”

ଯାହାହେଉ, ଶେଷରେ ଅପେକ୍ଷାମାନ ଜନତାଙ୍କ ବିରକ୍ତିବୋଧ ଉପରେ ଯବନିକା ଟାଣି ଯାତ୍ରା ଆରମ୍ଭ ହେଲା । ସେଦିନ ଯାତ୍ରାର ଶିରୋନାମା “ଗାଁ’ରେ ମାତିଛି ସହରୀ ବାଘ” । ବିଷୟ ବସ୍ତୁ: ଦୁଇ ଭାଇଙ୍କ କରୁଣ କାହାଣୀ । ବାପା, ମା’ଙ୍କ ମୃତ୍ୟୁ ପରେ ସରଳ ବଡ଼ଭାଇଟି ମୂଲଲାଗି ନିଜର ସାନଭାଇକୁ ସହରକୁ ପଠାଏ ଉଚ୍ଚ ଶିକ୍ଷା ପାଇଁ | ଶିକ୍ଷାପରେ ସାନଭାଇ ଗାଁକୁ ଫେରିଛି, କିନ୍ତୁ ଏକ ଉଗ୍ର ସହରୀ ପତ୍ନୀକୁ ସାଙ୍ଗରେ ଧରି । ଉଭୟ ପତି-ପତ୍ନୀ ବଡ଼ଭାଇ ଓ ଭାଉଜଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ । ପରେ ପରେ ସେମାନଙ୍କ ସହ ଯୋଗ ଦେଲେ ଝିଅଟିର ଭାଇ, ଭାଉଜ ଓ ତା’ର ପୂର୍ବତନ ପୁରୁଷ ବନ୍ଧୁ । ସରଳ ଗ୍ରାମୀଣଙ୍କ ଜମି ହଡପ କରି ସେଠାରେ ନାନାବିଧ ବେଆଇନ ସଂସ୍ଥା ଚାଲୁକରିବା ହେଲା ସେମାନଙ୍କର ଉଦ୍ଦେଶ୍ୟ । ମୋଟାମୋଟି ଭାବରେ ନାଟକଟି କରୁଣ ରସାପ୍ଲୁତ । ଅତଏବ ମୋ ସରଳମତି ଗୁଡୁଲି ପ୍ରାୟ ସମୟରେ ଭୟାତୁର ବା ଶୋକବିଷ୍ଟ ହୋଇ ଆଖିବୁଜି ନିଜର ମାମା ଛାତିରେ ମୁହଁ ଗୁଞି ଦେଉଥାଏ । ଛୋଟ ପିଲାମାନେ ଏମିତି ଭାବପ୍ରବଣ | କରୁଣ ରସରେ ଯେତିକି ଦୁଃଖୀ, ହାସ୍ୟରସରେ ତତୋଧିକ ଖୁସି । ତେବେ କେବଳ କୁନିପିଲା ନୁହଁନ୍ତି, ଅନେକ ବୟସ୍କ ମଧ୍ୟ ଏ ଭାବପ୍ରବଣତାରେ ଆକ୍ରାନ୍ତ । ଏଇ ଧରନ୍ତୁ ମୋ ମାଉସୀ ଶାଶୁଙ୍କ କଥା । ଯାତ୍ରା-ଚରିତ୍ର ବଡ଼ଭାଉଜଟି ଅଶ୍ରୁଳ ନୟନରେ ନିଜର ଦୁଃଖ-ଯାତନାକୁ ଭଗବାନଙ୍କ ନିକଟରେ ପ୍ରତିବେଦନ କରୁଥିବାବେଳେ, ମାଉସୀ ଶାଶୁ ଲୁଚାଇ ଲୁଚାଇ ନିଜ ପଣତ କାନିରେ ଆଖି ପୋଛୁଥିବାର ଲକ୍ଷ କରିଥିଲି । କେବଳ ସେତିକି ନୁହେଁ, ସମଭାବରେ ସେ ଖଳନାୟକ ମାନଙ୍କୁ ଗୁଣୁଗୁଣୁ କରି ଅଭିସଂପାଦ ବି ଦେଇ ପକାଉଥିଲେ । ଗୁଣୁଗୁଣୁ କରି ଅଭିସଂପାଦ ଦେଇଥିଲେ ଚଳି ଯାଇଥାଆନ୍ତା, କିନ୍ତୁ ଯାତ୍ରାର ବିଷୟବସ୍ତୁ ପ୍ରଭାବରୁ, ମାଉସୀ ଶାଶୁ ସେଦିନ ମାତ୍ରାଧିକ ଭାବପ୍ରବଣ ହୋଇପଡ଼ିଥିଲେ । ଏକ ଦୃଶ୍ୟରେ ଉଗ୍ର ସହରୀ ବୋହୂର ପୁରୁଷ ବନ୍ଧୁଟି ଜଣେ ଗରୀବ ଯୁବତୀ ଉପରେ ଅତ୍ୟାଚାର କରୁଥିବା ବେଳେ ଓ ଯୁବତୀର “ରକ୍ଷାକର, ରକ୍ଷାକର” ଆକୁଳ ଚିତ୍କାରକୁ ଆଉ ହଜମ କରିପାରିଲେନି ମାଉସୀ ଶାଶୁ । ଭୁଲିଗଲେ ସେ ଯାହା ଦେଖୁଛନ୍ତି, ତାହା ନାଟକଟିଏ ମାତ୍ର । ନିଜ ଆସ୍ଥାନରୁ ଉଠି ପଡ଼ି, ଖଳନାୟକଟିକୁ ନିର୍ଦ୍ଦେଶ କରି ଅଭିସଂପାତ ବର୍ଷଣ କରିବାକୁ ଲାଗିଲେ ମାଉସୀ ଶାଶୁ, “ତତେ ମରଣ ହଉନିରେ ବାଡ଼ିପଶା, ଗାତୁଆ । ସେ ଝିଅକୁ ଛାଡ଼ୁନୁ କାହିଁକିରେ ଯୋଗଣୀଖିଆ……..”

ଶୁଣିଛି, ଦର୍ଶକ ମାନଙ୍କର ଗାଳିଗୁଲଜ କୁ ଅଭିନେତାଟିଏ ନିଜର ସର୍ବଶ୍ରେଷ୍ଠ ପୁରସ୍କାରର ମାନ୍ୟତା ଦେଇଥାଏ, ନିଜର ପ୍ରମାଣିତସାର୍ଥକ-ଅଭିନୟର ହେତୁ । ଏଠାରେ ବି ତାହା ସତ୍ୟ ପ୍ରମାଣିତ ହେବାକୁ ଯାଉଥିଲା । କିନ୍ତୁ ପଛରୁ ଶୁଭିଲା ଘର୍ଘର ନାଦରେ ବିକଟାଳ ରଡ଼ି, “ତତେ ଯୋଗଣୀ ଖାଉନି ଲୋ, ପୋଡାମୁହିଁ । ମୋ ପୁଅକୁ କହୁଛୁ ଗାତୁଆ । ଆଲୋ, ତୋ ପୁଅ ଗାତୁଆ, ତୋ ବଅଁଶଯାକ ଗାତୁଆ । ତୋ ବଅଁଶ ବୁଡ଼ୁଲୋ ମରଣମୁହିଁ……”

ଲୋକମାନେ ଚେୟାର ମାନଙ୍କରୁ ଉଠିପଡ଼ି, ଘଟଣାଟିକୁ ଅନୁସନ୍ଧାନ କରିବାବସରରେ ବେନି ପକ୍ଷଙ୍କୁ ତୁନି କରିବାକୁ ପ୍ରୟାସ କରୁଥାଆନ୍ତି । ମୁଁ ବି ମୋ ମୁଖୁରା ମାଉସୀ ଶାଶୁଙ୍କୁ ଟାଣିଝିକିଂ ଶାନ୍ତ କରାଇବାରେ ଚେଷ୍ଟା କରୁଥାଏ । ଯାତ୍ରାଭିନେତା ମଧ୍ୟ ଆପଣା ଆପଣା ଅଭିନୟ ଛାଡ଼ି, ପେଣ୍ଡାଲ ଉପରୁ ଦର୍ଶକଙ୍କ ଆଡ଼କୁ ଜୁଳୁ ଜୁଳୁ ଚାହିଁ ଘଟଣାଟିକୁ ବୁଝିବାକୁ ଚେଷ୍ଟାକରୁଥାନ୍ତି । ତେବେ କିଛି ସମୟ ପରେ ରହସ୍ୟ ଉନ୍ମୋଚନ ହେଲା । କଥା କ’ଣ କି, ମାଉସୀ ଶାଶୁ ଯେଉଁ ଖଳଚରିତ୍ରଟିକୁ ଅଭିସଂପାତ ଦେଲେ, ସେ ଚରିତ୍ରରେ ଅଭିନୟ କରୁଥିବା ଅଭିନେତାର ମା’ ବି ତହିଁ ଯାତ୍ରା ଉପଭୋଗ କରୁଥିଲା । ଅଭିନେତାର ଖୋଳପା ଭିତରେ ବି ମା’ ନିଜର ପୁଅକୁ ହିଁ ଦେଖୁଥିଲା | ଏହା ହିଁ ମା’ର ବୈଶିଷ୍ଟ । ତେଣୁ ଅଭିନେତା ପୁତ୍ରପ୍ରତି ଏ ପ୍ରକାର ଗାଳିଗୁଲଜ ସେ ବା କେମିତି ହଜମ କରିପାରିଥାନ୍ତା !

ତେବେ ଏସବୁ ଭିତରେ ଗୁଡୁଲି ବଡ଼ ବିଷର୍ଣ ବୋଧ କରୁଥାଏ । ପ୍ରଥମେ, ରାତି ଆଧିକ ଯୋଗୁଁ ତାକୁ ନିଦ ମାଡ଼ି ଆସୁଥାଏ, ଦ୍ୱିତୀୟରେ ଏ ଯାତ୍ରା ବିଷୟବସ୍ତୁ ତାକୁ କିଛି ଆମୋଦିତ କରି ପାରୁନଥାଏ । ହୃଦୟଙ୍ଗମ କଲି ଯେ ସରଳମତି ପିଲାମାନଙ୍କୁ ଅତ୍ୟଧିକ ଟ୍ରଜେଡ଼ି ଓ ହିଂସାପ୍ରଣୋଦିତ ନାଟକ ଆଦି ଦେଖିବାରୁ ଦୂରେଇ ରଖିବା ଶ୍ରେୟସ୍କର । କୁନି ପିଲାମାନେ କେବଳ ଅବୋଧ ସରଳ ନୁହଁନ୍ତି, ଅଧିକନ୍ତୁ ଭାବପ୍ରବଣ ଓ ଭୟାଳୁ ମଧ୍ୟ । ଗୁଡୁଲି ତ’ ନାଟକଟିକୁ ଉପଭୋଗ ଅବସରରେ ପ୍ରାୟ ସମୟରେ ତା’ ମମି କିମ୍ବା ମୋ ଛାତିରେ ଆଖିବୁଜି ମୁହଁ ଲୁଚାଇ ଦେଉଥିଲା । ଗୋଟିଏ ଦୃଶ୍ୟରେ ଉଗ୍ର ସହରୀ ସାନବୋହୂଟି ସିଗାରେଟ ଟାଣୁଥାଏ । ଏହାକୁ ସରଳ ଦେଢ଼ଶୁର ଓ ତାଙ୍କର ସଂସ୍କୃତି-ପ୍ରାଣା ପତ୍ନୀ ବାରଣ କରନ୍ତେ, ଉଗ୍ର କନ୍ୟାଟି ନିଜର ସ୍ୱାମୀକୁ ଡାକି, ଦେଢ଼ଶୁରଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିପକାଇଲା । ପରିଣାମ ସ୍ୱରୂପ, ସାନଭାଇଟି ବଡ଼ ନିର୍ଦ୍ଦୟ ଭାବରେ ବଡ଼ଭାଇକୁ ଚବୁକ୍‌ରେ ପିଟିବାରେ ଲାଗିଲା । ଏ ଦୃଶ୍ୟଦେଖି, ପୂର୍ବରୁ ବିଷର୍ଣ ଗୁଡୁଲି ଭାବପ୍ରବଣ ବା ଭୟରେ ଭେଁ କିନା କାନ୍ଦି ଉଠିଲା । ଅଗତ୍ୟା ଅନ୍ୟମାନଙ୍କ ବିରକ୍ତି ହୃଦୟଙ୍ଗମ କରି, ମୁଁ ଗୁଡୁଲିର ମୁହଁ ଚାପି ବାହାରକୁ ଚାଲିଆସିଲି । ବାହାରେ ମୁକ୍ତ ଆକାଶ, ଖୋଲା ପବନ । ଗୁଡୁଲିକୁ ଟିକେ ହାଲକା ଲାଗିଲା, ମୋତେ ବି । କିଛି ବାରମଜା କିଣିଲି । ବାରମଜା ପାଟିରେ ପକାଉ ପକାଉ, ଗୁଡୁଲିକୁ କାଖେଇ ଏଣେତେଣେ ଟହଲ ମାରୁଥାଏ । ନିକଟରେ ଉନ୍ମୁକ୍ତ ରଙ୍ଗଶାଳା, ଯେଉଁଠାରେ ଅଭିନେତା-ଅଭିନେତ୍ରୀ ମାନେ ମୁହଁରେ ପାଉଡର-ରଙ୍ଗ ଆଦି ମାଖି ରଙ୍ଗ ମଞ୍ଚରେ ଅବତୀର୍ଣ୍ଣ ହୁଅନ୍ତି । ଅଭିନେତା-ଅଭିନେତ୍ରୀମାନେ ଏଣେତେଣେ ସଂକ୍ଷିପ୍ତ ପଦଚାରଣା କରି ଯେ ଯାହାର ଡାଇଲଗ୍ ମୁଖସ୍ଥ କରୁଥାନ୍ତି । ଦେଖିଲି, କିଛି ସମୟ ପୂର୍ବରୁ ବଡ଼ଭାଇ ଭୂମିକା ତୁଲାଇ ସାନଭାଇ ଠାରୁ ଚାବୁକ୍ ଖାଉଥିବା ଅଭିନେତାଟି ଖଣ୍ଡେ ଛାଟ ଧରି ସାନଭାଇ-ଅଭିନେତା ପ୍ରତି ଗାଳିବର୍ଷଣ କରି ଖେଦିଯିବାର ପ୍ରୟାସ କରୁଛି । ଅନ୍ୟମାନେ ହସିହସି ତାକୁ ପ୍ରତିରୋଧ କରୁଛନ୍ତି । ଖଣ୍ଡେ ଦୂରରେ ଠିଆହୋଇ, ବିନୀତ ଭାବରେରେ ସାନଭାଇ-ଅଭିନେତାଟି କହୁଥାଏ, “ମୋର ଭୁଲ ହୋଇଗଲା ପରା ବନାଭାଇ ! ମୁଁ କ’ଣ ଜାଣିଶୁଣି ଚାବୁକ୍‌ରେ ପିଟି ଦେଲି କି ! ଭୁଲରେ ବାଜିଗଲା ନା । “ଶଳା ! ଭୁଲରେ ବାଜିଗଲା ! ଗତକାଲି ହଜାର ଥର କହିଛି, ଚାବୁକ୍ ମାରିବା ସିନ୍ ଭଲ ଭାବରେ ପ୍ରାକ୍ଟିସ୍ କର । ଶଳା ମୋ ପିଠିରେ ଦାଗ ବସି ଯାଇଛି । ତୁ, ମୋ ପାଖକୁ ଆ । ଦୋଉଚି ତତେ ।” ବଡ଼ଭାଇ ଅଭିନେତାଟି ରାଗି ଯାଇଥାଏ ।

ଏମାନଙ୍କଠୁ ଅଳ୍ପ ହାତ ଦୂରରେ ଗୁଡୁଲି ଦେଖିଲା ତତୋଧିକ ଅଜବ ଦୃଶ୍ୟ । ସଂସ୍କୃତି-ସଂପନ୍ନା ସରଳ ବଡ଼ବୋହୂ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ( ବା ଅଭିନେତା !) ସହରୀ ବୋହୂ ଭୂମିକା ତୁଲାଇ ଥିବା ଅଭିନେତ୍ରୀଠାରୁ ଖଣ୍ଡେ ସିଗାରେଟ୍ ଆଣି ପାଟିରେ ଯୋଖିଥାଏ ! ସାନବୋହୂ- ଅଭିନେତ୍ରୀଟି ଦିଆସିଲି ଯୋଗେ ସେ ସିଗାରେଟ୍‌କୁ ଜଳାଇବାରେ ପ୍ରୟାସ କରୁଥାଏ !! ଏ ଦୃଶ୍ୟରେ ଗୁଡୁଲି ହତମ୍ବବ ପାଲଟି ଗଲା । ରଙ୍ଗମଞ୍ଚ ଓ ରଙ୍ଗମଞ୍ଚ-ବାହାରର ବିପରୀତ-ଧର୍ମୀ ଚରିତ୍ର ତା’ର ସରଳ ସସ୍ତିଷ୍ଟ ଉପରେ ପ୍ରବଳ ଧକ୍କା ଦେଇଥାଏ । ଅନେକ କଥାକୁ ବୁଝିପାରୁଥିବା ଗୁଡୁଲି କିନ୍ତୁ ସେତେବେଳେ ମୋତେ ଜାବୁଡ଼ି ଧରି କାନ୍ଦ କାନ୍ଦ ହୋଇ ପଚାରିଲା, “ବାବା, ଏଠି ସବୁ କ’ଣ ଚାଲିଛି?” ଗୁଡୁଲିକୁ ଏସବୁ ବୁଝାଇ ଲାଭ ନାହିଁ ଓ ଏ ସବୁ ଦୃଶ୍ୟର ଦର୍ଶନକୁ ମୁଁ ନିଜେ ବୁଝିବାକୁ ଅକ୍ଷମ, ଏହା ହୃଦୟଙ୍ଗମ କରି, ଦୀର୍ଘ ନିଶ୍ୱାସଟାଏ ଛାଡ଼ି କହିଲି, “ଏଠି ସବୁ ଯାତ୍ରା ଚାଲିଛି, ରେ ମା’ ।”

ଡ. ଶ୍ରୀଧର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଶ୍ରୀଧର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।