You are currently viewing ଶଙ୍ଖ ନାଦ
ଶଙ୍ଖ ନାଦ

ଶଙ୍ଖ ନାଦ

(ଏକ)

ସୂର୍ଯ୍ୟ ଆଲୁଅର ଛଟା ତୋଟା ଉହାଡ଼କୁ ଯିବାକୁ ଉଦ୍ୟତ ହେଉଥିଲା । ସନ୍ଧ୍ୟା ସମୟ ଏକୁଟିଆ ବିତେଇଲେ ମୁଁ ଶାନ୍ତି ପାଉଥିଲି । ଅନ୍ଧାରର ଆଗମନ ପୂର୍ବରୁ ହିଁ ତାକୁ ଆପଣାର କରିବାକୁ ଆଗୁଆ ପ୍ରସ୍ତୁତ ହେଉଥିଲି । ନାନୀଘର ଗାଁକୁ ଆସିଲେ ତୋଟା ଏବଂ ନଦୀ ପଠାରେ ସନ୍ଧ୍ୟା ବିତେଇବା ବହୁତ ପୁରୁଣା ଅଭ୍ୟାସ ଥିଲା । ନାନୀଘର ଭିତରୁ ବାହାରି ଆସି ମୁଁ ଗାଁ ଉପକଣ୍ଠ ଆଡ଼େ ଯିବାକୁ ବାହାରି ଥିଲି ।

ଭାଇନାଙ୍କ ଘର ଭିତରୁ ବାହାରି ଆସୁଥିବା କ୍ଷୀଣାଲୋକ ହିଁ କିଛି ଦୂର ପର୍ଯ୍ୟନ୍ତ ଅନ୍ଧାରୁଆ ଗାଁ ଦାଣ୍ଡରେ ଦିଗ ନିର୍ଣ୍ଣୟ କରିବାର ଭୂମିକା ନେଉଥିଲା । ଅନ୍ଧାର ହେଲେ, ଜହ୍ନ ଆଲୁଅ କିମ୍ବା ହାତରେ ଧରିଥିବା ଟର୍ଚ୍ଚ ଆଲୁଅର ଭରସା ଥିଲା । ମୋତେ ଉଠିବା ଦେଖି ନାନୀ ସୂଚାଇ ଥିଲା- “ନଈ ଆଡକୁ ଗଲେ, ଟର୍ଚ୍ଚ ନେଇ କି ଯା ।”

ମୋର ଜନ୍ମ ଗାଁ’ରେ ହୋଇଥିଲା । ନାନୀର ବାହାଘର ବି ଗାଁରେ ହୋଇଥିଲା । ୨୦ ବର୍ଷ ତଳର ନାନୀଘର ଗାଁର ପଟ୍ଟଚିତ୍ରରେ ପରିବର୍ତ୍ତନର ମଳୟ ଅଦ୍ୟାବଧି ସ୍ପର୍ଶ କରି ନ ଥିଲା । କେବଳ ଗାଁ ଭିତରେ ସେବେ ଅଳ୍ପ କିଛି କୋଠାଘର ଦେଖା ଯାଉଥିଲା । ଆଜି ଚାଳଘର ମଝିରେ ମଝିରେ କେତେଟା ଦେଖା ଯାଉଛି, ଯାହା ସେମାନଙ୍କ ଆକାର ଅନୁସାରେ ପାଖଆଖ ଘରମାନଙ୍କ ପାଖରେ ଲୁଚି ମଧ୍ୟ ଯାଉଥିଲା । ଗାଁ ଭିତରର ମାଟି ରାସ୍ତାରେ ସିମେଣ୍ଟ ପଡ଼ି ସାରିଥିଲା ।

ସିମେଣ୍ଟ ରାସ୍ତାରୁ ଖସି ନଦୀ ପଠାକୁ ଯିବା ଗଳିରେ ପଶୁ ପଶୁ ମୋ ବାଆଁ ପାଖରୁ ଶୁଣାଗଲା, “ଶେଖର ଭାଇ” ।

ସହସା ମୁଁ ଜଡ଼ବତ୍‌ ହୋଇଗଲି । ଚାଲୁଥିବା ଅବସ୍ଥାରେ ହିଁ, ମୋ ପାଦ ଯେଉଁଠି ଥିଲା, ସେଇଠି ହିଁ ଅଟକି ଗଲା । ଅନେକ ବର୍ଷ ପରେ ମୁଁ ଏ ସ୍ୱର ଶୁଣୁଥିଲି । ସେଇ କଣ୍ଠ, ସେଇ ଡାକକୁ ମୁଁ କେବେ ଭୁଲି ପାରିନି । ନିର୍ଜନ, ନିସ୍ତବ୍ଧ ଜଙ୍ଗଲର ବନ୍ଧୁର ପ୍ରସ୍ତର ଉପରେ କଳ କଳ ନାଦ କରି ଗଡ଼ି ଚାଲିଥିବା ନିର୍ଝରିଣୀର ସ୍ୱର ସିଏ; ଆମ୍ବୁ ବସନ୍ତର ଦକ୍ଷିଣା ପବନରେ ଆନ୍ଦୋଳିତ ଆମ୍ବ ବଉଳର ସନ୍ଧିରୁ ଝରି ଆସୁଥିବା କୋମଳ ବାସ୍ନାର ମହମହ ସୁଗନ୍ଧର ତାଳେ ତାଳେ ନିଜ ଭାବ ଅଭିବ୍ୟକ୍ତ କରୁଥିବା କୋଇଲିର କୁହୁ ତାନ ।

କେଉଁଠି, କେଉଁଠି ଅଛି ସେ? ଝଙ୍କୃତ ହୃଦୟରେ ଡାକ ଆସୁଥିବା ଦିଗକୁ ବୁଲି ଚାହିଁଲି ।

ଅମରି, ଜାମୁକୋଳି, ଅମୃତଭଣ୍ଡା ଗଛର ଭଙ୍ଗା ଡାଳକୁ ଅଣ୍ଟା ଯାଏଁ ପୋତି ତିଆରି କରା ଯାଇଥିବା ବାଡ଼ ସେ ପାଖେ ଲକ୍ଷ୍ମୀ ଠିଆ ହୋଇଥିଲା ।

ତା ଗୋଡ଼ ତଳେ ଗୋବର ଘଷି ପଡିଥିଲା । ହାତ ଶୁଖିଲା ଗୋବରରେ ବୋଳି ହୋଇ ରହିଥିଲା । ପାଖରେ ଭର୍ତ୍ତି ହୋଇ ରହିଥିବା ଘଷି ଟୋକେଇ ଥୁଆ ହୋଇଥିଲା । ମୋ ମୁହଁର ମାଂସପେଶୀ ଟାଣ ହୋଇ ଯାଇଥିଲା । ଭାବ ପ୍ରକାଶ କରିବାରେ ଅସମର୍ଥ ଥିଲି ମୁଁ ।

ସମ୍ମୋହନର ଭାବ ଶୂନ୍ୟ ଅବସ୍ଥାରେ ମୋତେ ଠିଆ ହୋଇ ଚାହିଁ ରହିଥିବା ଦେଖି ସେ ହସି ଦେଇ କହିଲା, “ଘରକୁ ଆସ, ସେଇଠି ଠିଆ ହୋଇ ରହିଲ କ’ଣ? ତମେ ତ’ ମୋ ଶାଶୁ ଘରକୁ କେବେ ଆସିନ ।”

ଯନ୍ତ୍ରବତ୍‌ ମୁଁ ବାଡ଼ ଭିତରେ ପଶିଲି । ଗୋବର ଟୋକେଇକୁ ଅଣ୍ଟା ଉପରକୁ ଉଠେଇ ସେ ଘର ଦିଗକୁ ଯିବା ପାଇଁ ଉଦ୍ୟତ ହେଲା ।

“ଲକ୍ଷ୍ମୀକୁ ଭୁଲିଗଲ?”

ଚାଲୁ ଚାଲୁ ଅଟକି ଯାଇ ସେ ମୋତେ ଚାହିଁ ପଚାରୁଥିଲା ।

ଦର ହସିଲା ଆଖି ଦୁଇଟି ଯେମିତି ବହୁ ଦିନର ଉଦାସ ପରେ ପ୍ରଥମ ଥର ପାଇଁ ହସିଛନ୍ତି ମନଖୋଲା ହସ । ତଥାପି ତେଜଦୀପ୍ତ ଚକ୍ଷୁ ଯୁଗଳ । ଚାହିଁ ପାରିଲିନି । ମୁହଁକୁ ଟିକିଏ ବୁଲେଇ ନେଇ କହିଲି, “ମୁଁ ତ’ ଜାଣି ନ ଥିଲି, ତୁ ଏଇଠି ବାହା ହେଇଛୁ ବୋଲି । ନାନୀଘର ଗାଁ’ରେ, ତା’ ଘର ପାଖରେ ।”

ସେ ଆଗକୁ ବୁଲିପଡ଼ ଚାଲିବାକୁ ଲାଗିଲା । ଗୋବର ଟୋକେଇକୁ ଧରି ତା’ ଅଣ୍ଟା ଗୋଟିଏ ପାଖକୁ ନଇଁ ପଡ଼ୁଥିଲା । ଡାହାଣ ପାଖକୁ ନଇଁ ନଇଁ, କିନ୍ତୁ ଜଲଦି ଜଲଦି ଚାଲୁ ଚାଲୁ ସେ କହିଲା, “ବାହା ତ’ ଏଇ ଗାଁ’ରେ ହିଁ ହେଇଥିଲି । ତମେ ଜାଣିନ, ସିଏ ଅଲଗା କଥା । ଜିତୁର ବିଭାକୁ ଆସିଛ?”

“ହଁ, ନାନୀ ଚିଠି ଲେଖିଥିଲା ।”

ନାନୀ ଖୁବ୍‌ ଅଭିମାନ କରି ଚିଠି ପୋଷ୍ଟରେ ପଠେଇଥିଲା– “ଆଉ ଏ ନାନୀ କଥା ତୋର ମନେ ପଡୁନି । ଆମ ଭିତରେ ଥିବା ରକ୍ତ-ସମ୍ପର୍କର ନାଲି ରଙ୍ଗ କ’ଣ ଏତେ ଫିକା ହେଇ ଗଲାଣି ଯେ ତୁ ଖବର ଅନ୍ତର ବି ରଖୁନୁ । ଜିତୁର ବାହାଘର ମାଘ ଶୁକ୍ଳ ନବମୀ ଦିନ । ତୋ ଅପେକ୍ଷାରେ ଆମେ ଅଛୁ । ନା, ଜିତୁକୁ ବି ଭୁଲି ଗଲୁଣି?”

ତା’ ପ୍ରଶ୍ନରେ ହିଁ ଉତ୍ତର ଥିଲା । ଭୁଲି ନ ଥିଲେ ବି ମୁଁ ବହୁତ କିଛି ଭୁଲିବାକୁ ଚାହୁଁ ଥିଲି । ମୋର ଅନେକ ସ୍ମୃତିର ପଦଚିହ୍ନ ସମୟର ଓଦା ବାଲି ଉପରେ ସମୁଦ୍ରର ଜୁଆର-ଭଟ୍ଟା ଖେଳରେ ଧୋଇ ହୋଇ ଯାଇଥିଲେ ।

ରାସ୍ତା ଉପରୁ ବାଡ଼ ଭିତରେ କିଛି ଦୂର ଗଲେ ମାଟିର ଉଚ୍ଚ ପିଣ୍ଡା ଉପରେ ନୁଅଁଣିଆ ଚାଳ । ପିଣ୍ଡା ଉପରକୁ ଉଠିବାକୁ ହେଲେ ଦିଟା ବଡ଼ ବଡ଼ ପଥର ଉପର ଦେଇ ଯିବାକୁ ହେବ । ଯେଉଁ ପାଖରୁ ଆମେ ଘର ଭିତରେ ପଶୁଥିଲୁ, ତାହା ବାରି ପାଖ ଥିଲା । ଘର ମୁହଁରେ ସଜନା ଗଛ ଝଙ୍କାଳିଆ ହୋଇ ଠିଆ ହୋଇଥିଲା । ଗଛ ମୂଳରେ ବିରାଟ ମାଟି ଚଉତରା । ସଜନା ଗଛ ଓ ଅମରି ବାଡ଼ ମଝିରେ ବାଡ଼କୁ ଲାଗି ତୁଳସୀ ଚଉଁରା ।

ଲକ୍ଷ୍ମୀ ପଛେ ପଛେ ମୁଁ ଘର ଉପରକୁ ଉଠିଲି । ମାଟିର ଉଚ୍ଚ ପିଣ୍ଡାକୁ ଲାଗି ବନ୍ଦ ଥିବା ମୋଟା, ଗେରୁ-ରଙ୍ଗରେ ଲିପା ଯାଇଥିବା ପୁରୁଣା କାଳିଆ କାଠର ମୋଟା କବାଟକୁ ଠେଲି ସେ ଭିତରେ ପଶିଲା । ତା’ ପଛେ ପଛେ ମୁଁ । ଘର ଚଟାଣରେ ଗୋବର ଟୋକେଇକୁ ରଖି ମୋ ଦିଗକୁ ବୁଲି କହିଲା, “ନ ହେଲେ ତମେ ଆସି ନ ଥାନ୍ତ !”

“ସେମିତି ନୁହେଁ । ମୋର ସମୟ…”

ମୋ କଥାକୁ କାଟି ସେ କହିଲା, “ମୁଁ ଜାଣିଛି। ତମକୁ ସମୟର ଅଭାବ । ନାନୀ ହିଁ କହୁଥିଲେ, ତମେ ବହୁତ ବଡ଼ ଲୋକ ହେଇଗଲଣି ବୋଲି ।”

ମୁଁ କିଛି କହିବା ଆଗରୁ ସେ ଘରୁ ପାହାଚ ଚଢ଼ି ଉପର ଅଗଣାକୁ ଉଠି ମୋତେ ଚାହିଁ ପୁଣି ଡାକିଲା, “ଭିତରକୁ ଆସ, କଥା ହେବା ।”

ମୁଁ ଯଥାବତ୍‌ ତାକୁ ଅନୁସରଣ କଲି । ସିମେଣ୍ଟ ଚଟାଣ । ଖୋଲା ଅଗଣା । ମାଛି ଅନ୍ଧାର ପୂର୍ବ ଆକାଶ ଦେଖା ଯାଉଥିଲା । ଉପରେ ଲୁହା ଜାଲି । ଗୋଟିଏ କୋଣରେ ପାଣି କୁଣ୍ଡ, ପାଖରେ ଗଦାଏ ବାସନ କୁସନ । ବିରାଟକାୟ ଅଗଣାର ଭିତର ପାଖ କାନ୍ଥକୁ ଲାଗି ଜଣେ ବୃଦ୍ଧା ଗୋଡ଼ ଲମ୍ବେଇ ବସି ସଳିତା ବଳୁଥିଲେ । ଲକ୍ଷ୍ମୀ ସହ ମୋତେ ଅଗଣା ଭିତରେ ପଶିବା ଦେଖି ପ୍ରଶ୍ନବାଚୀ ଆଖିରେ ମୋତେ ଦେଖିଲେ । ତାଙ୍କ ଚାହାଣୀକୁ ଦେଖି ସେ କିଛି ପଚାରିବା ଆଗରୁ ହିଁ ଲକ୍ଷ୍ମୀ ଅପେକ୍ଷାକୃତ ବଡ଼ ପାଟିରେ କହିଲା, “ବାସ ନାନୀଙ୍କ ଭାଇ ହେ ମା, ଶେଖର ଭାଇ ।”

ମୁଁ ଅନୁମାନ କରି ସାରିଥିଲି, ଲକ୍ଷ୍ମୀର ଶାଶୁ ନିଶ୍ଚୟ । ମୁଣ୍ଡ ନୁଆଁଇ ନମସ୍କାର କଲି । ପ୍ରତି ଉତ୍ତରରେ ସେ ଟିକେ ହସିଦେଲେ । ମୁଣ୍ଡର ଓଢ଼ଣାଟି ଟିକେ ଆଗକୁ ଟାଣି ଦେଲେ । ବହୁତ ସ୍ଵାଭାବିକ ପ୍ରତିକ୍ରିୟା ତାଙ୍କର । ଗାଁ’ର ସବୁ ବୃଦ୍ଧା ସ୍ତ୍ରୀ ଲୋକମାନଙ୍କ ଭଳି ରୋଗୀଣା, ପତଳା ଚେହେରା । ଦେହରେ ବିଧବା ଲୁଗା ।

“ଭାଣିଜୀ ବିଭାକୁ ଆସିଥିବ । ନାଇଁ? ହଇ ହେ ପୁଅ, ତମେ ପରା ସୁରତ ପଳେଇଥିଲ । ଆମ ଗାଁ ତଳ ସାହିର ସଦା ଗଉଡ଼ ପୁଅ । ଘରେ ପିଲା, ମାଇପ । ତାଙ୍କୁ ଛାଡ଼ି ସେଇଠି ବିଭା ହେଇ ରହିଗଲା । ତା’କୁ ଜାଣିଛ?”

ମୁଁ ସୁରତରେ ରହୁନି, ମୁମ୍ବାଇରେ ରହୁଛି । ତା’ ଛଡ଼ା ସୁରତ କ’ଣ ଗୋଟେ ସାନ ଜାଗା ଯେ, ସମସ୍ତେ ସମସ୍ତଙ୍କୁ ଚିହ୍ନିବେ । ମୁଁ କିଛି କୈଫିୟତ ଦେବା ଆଗରୁ ଲକ୍ଷ୍ମୀ ଟିକେ ଉଚ୍ଚ ପାଟିରେ କହିଲା, “ନା, ନା, ଚିହ୍ନି ନାହାନ୍ତି ।”

ପରେ ମୋତେ ଚାହିଁ ଧୀରେ କହିଲା, “ସେ ଟିକେ ଉଚ୍ଚ ଶୁଣନ୍ତି । ତମର ସବୁ କଥା କହି କି କିଛି ଲାଭ ନାହିଁ ତାଙ୍କୁ କେବଳ ଗୋଟିଏ ଜାଗା ଜଣା । ସିଏ ହେଲା, ସୁରତ ।”

ଅଗଣାର ଗୋଟିଏ କୋଣରେ ଆଉଜା ହୋଇଥିବା ମସିଣାକୁ ଆଣି ଚଟାଣରେ ବିଛେଇଲା, “ବସ ଶେଖର ଭାଇ ।”

ଆଜ୍ଞାବହ ଭଳି ମୁଁ ମସିଣାରେ ବସିଲି ।

ତା’ ଶାଶୁ ଉଠି ଦାଣ୍ଡ ଆଡ଼େ ବାହାରି ଗଲେ । ତାଙ୍କର ସଳିତା ବଳିବା ବୋଧହୁଏ ସରି ଯାଇଥିଲା । ମୁଁ ତାଙ୍କ ଯିବା ରାସ୍ତାକୁ ଚାହିଁଲି । ଅଗଣା ଡେଇଁଲେ ସରୁ ଗଳି ଭଳି ରାସ୍ତା । ବୋଧହୁଏ ତା’ ପାର୍ଶ୍ଵରେ କୋଠରୀ ଅଛି । ତା ପରେ ଥାକ ଥାକ ଅନ୍ଧାରୁଆ ଆଲମ୍ବିତ କୋଠରୀ ଶ୍ରେଣୀର ପ୍ରଛଦପଟରେ ଦିନର ନିଷ୍ପ୍ରଭ ପ୍ରାୟ ଆଲୁଅ ପରିଷ୍କାର ରୂପେ ଦୃଶ୍ୟମାନ ହେଉଥିଲା ।

ଆଣ୍ଠୁ, ପାଦ ଉପରେ ମୋ ପାର୍ଶ୍ଵରେ ବସିପଡ଼ି ଲକ୍ଷ୍ମୀ ଡାକ ପକେଇଲା, “ପଦ୍ମା, କୁଆଡ଼େ ଗଲୁ?”

“ଆସୁଛି ବୋଉ,” ଦାଣ୍ଡ ଆଡ଼ୁ ଶୁଣାଗଲା । ଫ୍ରକ ପିନ୍ଧା ୧୦/୧୨ ବର୍ଷର ଝିଅଟିଏ ଅଗଣାକୁ ଆସିଲା । ମୋତେ ଓ ମୋ ପାଖରେ ଲକ୍ଷ୍ମୀକୁ ବସିଥିବାର ଦେଖି ଅଳ୍ପ ଶଙ୍କିଯାଇ ଦ୍ଵାର ମୁହଁରେ ଅଟକି ଗଲା, “କ’ଣ ବୋଉ?”

“ମାମୁଁଙ୍କୁ ନମସ୍କାର କରେ । ଜିତୁ ଦିଦିର ମାମୁଁ ଲ ।”

ପଦ୍ମା ହାତ ଯୋଡ଼ିଲା ।

ଲକ୍ଷ୍ମୀ ପଚାରିଲା, “ଶେଖର ଭାଇ, ନବାତ ପଣା ପିଇବ?” ହସି ହସି କହିଲା, “ୟାଙ୍କ ଘରେ କେହି ଚାହା ପିଅନ୍ତିନି । ଆଖୁ ବାଡ଼ ଅଛି । ନବାତ ଭାସୁଛି ।”

ମୁଁ ବିବ୍ରତ ଅନୁଭବ କଲି, “ନା, ନା, ମୋର କିଛି ଦରକାର ନାଇଁ । ଲକ୍ଷ୍ମୀ, ତୋର କ’ଣ ଇଏ ଜଣେ?”

“ଜଣେ?” ସେ ହସିଲା ।

ତିନୋଟି ଆଙ୍ଗୁଠି ଦେଖାଇ କହିଲା, “ପୁରା ତିନି । ବଡ଼ ପୁଅ ନବୋଦୟରେ ହଷ୍ଟେଲରେ ରହି ପଢ଼ୁଛି । ଦଶମ ତା’ର । ତା’ ତଳେ ପଦ୍ମା । ୟା ତଳେ କମଳା । ଦାଣ୍ଡରେ ଖେଳୁଥିବ ।”

ପୁଣି ଝିଅକୁ ଚାହିଁ କହିଲା, “ଯା, ପିଲାକୁ ଦାଣ୍ଡରୁ ଡାକେ । ମାମୁଁ ପାଇଁ ନବାତ ପଣା ଆଣେ ।”

ପଦ୍ମା ଚାଲିଗଲା ।

ଲକ୍ଷ୍ମୀ ପଚାରିଲା, “ମୁଁ ତିନିଟାର ମା ହେଇ ସାରିଲିଣି । ତମେ କାହିଁକି ବାହା ହେଇନ? ନା, ବାହା ହେଇ ସିଆଡ଼େ ସିଆଡ଼େ । ଆମକୁ ଭୋଜି ଦେବାକୁ ହେବ ବୋଲି ଡରୁଛ ।”

ଲକ୍ଷ୍ମୀ ହସୁଥିଲା । କିନ୍ତୁ ମୁଁ ହସି ପାରୁ ନ ଥିଲି, କିଛି କୈଫିୟତ ବି ଦେଇ ପାରୁ ନ ଥିଲି । କି କୈଫିୟତ ଦେଇଥାନ୍ତି? ଜୀବନର ଏକ ଅଦ୍ଭୁତ ମୋଡ଼ ପାଖରେ ଆସି ମୁଁ ଠିଆ ହୋଇଥିଲି । ଯାହା ପାଇଁ ମୋ ଜୀବନରେ ଏହି ପରିବର୍ତ୍ତନ ଆସିଥିଲା, ସେ ହିଁ ତାକୁ ବୁଝି ପାରୁ ନ ଥିଲା ଅଥବା ନ ବୁଝିବାର ଅଭିନୟ କରୁଥିଲା !

ପଦ୍ମା ଗୋଟିଏ ଲମ୍ବା ପିତଳ ଗିଲାସରେ ପଣା ଆଣି ଦେଲା । ତା’ ପଛେ ପଛେ ଲକ୍ଷ୍ମୀର ସାନ ଝିଅ । ସେ ଆସି ମା କୋଳରେ ବସିଲା ।

ତା’ର ଅଭିବାଦନ, “ମାମୁଁ ନମସ୍କାର”ରେ ମୁଁ ଅପ୍ରତିଭ ହୋଇ ପଡ଼ୁଥିଲି । ମୋର ଭାବକୁ ଲକ୍ଷ୍ୟ କରି ଲକ୍ଷ୍ମୀ କହିଲା, “ମାମୁଁ ଶୁଣି ଶୁଣି ତମେ ବିରକ୍ତ ହେଇ ଯିବଣି, ନାଇଁ?”

ତା’ କଥାକୁ ଏଡ଼ାଇବାକୁ ଚେଷ୍ଟା କଲି । ପଣା ପିଇ ସାରି ପଦ୍ମା ହାତକୁ ଗିଲାସ ବଢ଼େଇଦେଲି । କହିଲି, “କେତେ ବର୍ଷ ବିତି ଗଲାଣି । ମୁଁ ତ’ ଜାଣି ନ ଥିଲି, ତୁ ତିନିଟାର ମା’ ହେଇ ସାରିଲୁଣି ବୋଲି ।”

ସାନ ଝିଅ ଲକ୍ଷ୍ମୀ କୋଳରେ ବସି ମୋତେ ଏକ ଲୟରେ ଚାହିଁ ରହିଥିଲା । ପଦ୍ମା ଆମ ପାଖରେ ବସିଥିଲା । ମୋ କଥା ଶୁଣିଲା ପରେ ଲକ୍ଷ୍ମୀର ଆଖି ଦୁଇଟା ଭାବ ପ୍ରବଣ ହୋଇଗଲା । ଭାରି କଣ୍ଠରେ କହିଲା, “ହଁ, ତିନିଟାର ମା । ପଦ୍ମାର ଜନ୍ମ ପରେ ଯାହା ଗାଁକୁ ଯାଇଥିଲି । ସିଏ ତ’ ଦଶ ବର୍ଷ ତଳର କଥା ।”

ଉକୁଟି ଆସୁଥିବା କୋହକୁ ଚପେଇବା ପାଇଁ ଲମ୍ବା ନିଶ୍ଵାସ ନେଇ ଟିକିଏ ରହିଗଲା । ସଚେତିତ ହେଲା ଭଳି ମୋତେ ଚାହିଁଲା, “ଆରେ, ମୁଁ ବି କେତେ ମୂର୍ଖ ଦେଖ । ତମେ ତ’ ଟିକେ ହେଲେ କିଛି ଜାଣିନ । ଅଥଚ ମୁଁ ଗାଇ ଚାଲିଛି ।” ତା’ କୋଳରେ ବସିଥିବା ଝିଅ ଆଡ଼େ ହାତ ଦେଖେଇ କହିଲା, “ଇଏ କାଲି ପଚାରୁଥିଲା, ମାମୁଁ ମୋର କାହିଁକି ଆସୁନାହାନ୍ତି? ଜିତୁ ଦିଦିର ମାମୁଁ ସବୁ ଆସୁଛନ୍ତି ।”

“କାହିଁକି? ତୋ ଭାଇମାନେ କିଏ ଆସୁନାହାନ୍ତି?”
“ନା ।”

ହଠାତ ଚୁପ୍ ହେଇ ଗଲା । ମୋତେ ଏକ ଲୟରେ ଚାହିଁଥିବା ପଦ୍ମାର ଅଲରା ବାଳକୁ ହାତରେ ସାଉଁଳୁ ସାଉଁଳୁ କହିଲା, “ମୋ ପିଲାମାନେ ମାମୁଁ ଘର କ’ଣ ପାଶୋରି ଗଲେଣି । ଛାଡ଼, ଶେଖର ଭାଇ । ମୁଁ ବି ତମ ପାଖରେ ଏ ବିରକ୍ତିକର ପ୍ରସଙ୍ଗ ଉଠଉଛି । ବୋଉ ପାଖରେ ଚାରିଥର ଚାହା ପିଇବାକୁ ଆଳି କରୁଥିଲି ବୋଲି ଆଜି ତ’ ଆଉ ବାବା-ବୋଉ ମୋ ପାଇଁ ନାହାଁନ୍ତି । ସବୁ ଭାଇମାନେ ଅବନୀ ଭାଇ ଭଳି ହେଇ ନାହାଁନ୍ତି ଯେ ଭଉଣୀର ସୁଖ-ଦୁଃଖ ବୁଝିବା ପାଇଁ ଦୌଡ଼ି ଆସିବେ ।”

ଅବନୀ ମୋ ତଳ ଭାଇ ଥିଲା । ନାନୀ ବାହା ହେବା ଆଗରୁ ମୁଁ ହଷ୍ଟେଲ ଚାଲି ଯାଇଥିଲି । ଲକ୍ଷ୍ମୀ ବାହା ହେଲା ପରେ ମୋର ଗାଁକୁ ଆସିବା ବନ୍ଦ ହେଇ ଯାଇଥିଲା । ବହୁତ ଆଗରୁ ଘରର ଯାବତୀୟ କାର୍ଯ୍ୟକଳାପକୁ ହାତକୁ ନେଇଥିବା ଅବନୀ ନନାଙ୍କ ମୃତ୍ୟୁ ପରେ ମଧ୍ୟ ବୋଉର ଆଶା ବାଡ଼ି, ତା’ ତଳ ଭାଇ ରଜନୀର ସଂରକ୍ଷକ ଥିଲା ।

ଦାଣ୍ଡ ଘର ଆଡ଼ୁ ତା’ ଶାଶୁଙ୍କ ପାଟି ଶୁଭିଲା, “ହଇଲୋ ଏ ପଦି, ତୋ ମାଆକୁ କହ, ସଞ୍ଜୁଆ ଦେବ । ସଞ୍ଜ ହେଲାଣି । କେତେ ବେଳଯାଏଁ ବକର ବକର ହେଉଥିବ? କଥା ହେବାକୁ ଲୋକ ମିଳିଗଲେ, ତାକୁ ଆଉ ଭାତ ଦରକାର ନାଇଁ ।”

ତାଙ୍କ କଥା ଶୁଣି ଲକ୍ଷ୍ମୀ ଆହତ ହୋଇ ଉଠିଲା । ମୁଁ ସଙ୍ଗେ ସଙ୍ଗେ ଉଠି ପଡ଼ିଲି । ମୋତେ ଉଠିବା ଦେଖି ସେ କୈଫିୟତ ଦେଲା, “କିଛି ଭାବିବନି ଶେଖର ଭାଇ । ଲୋକବାକ କିଛି ଦେଖିବେନି । ଯାହା ମନକୁ ଆସିବ, ତାହା କହିଦେବେ ।”

ମୁଁ କିଛି ମନ୍ତବ୍ୟ ଦେବା ଉଚିତ ମନେ କଲିନି । ଯେଉଁ ରାସ୍ତା ଦେଇ ଭିତରକୁ ଆସିଥିଲି, ସେହି ରାସ୍ତା ଦେଇ ଫେରିଥିଲି । ଲକ୍ଷ୍ମୀ ସଞ୍ଜ ଦେବାକୁ ଚାଲିଗଲା । ମୋତେ ଛାଡ଼ିବା ପାଇଁ ମଧ୍ୟ ଆସି ନ ଥିଲା ।

(ଦୁଇ)

ଲକ୍ଷ୍ମୀ ଘରୁ ମୁଁ ସିଧା ନାନୀଘରକୁ ଚାଲି ଆସିଥିଲି । ମନରେ ଜମାଟ ବାନ୍ଧି ବସିଥିବା କୋହର ଶୁଖିଲା କାଠରେ ଲକ୍ଷ୍ମୀ ସହ ସାକ୍ଷାତକାରର ନିଆଁ ଲାଗି ସାରିଥିଲା । ଯାହାକୁ ଭୁଲିବା ପାଇଁ ପରିବାର, ବାପା ମାଆ ମୋତେ ପିତା ଅନୁଭବ ହୋଇଥିଲେ, ସେ ଆସି ପୁଣି ଆଜି ମୋ ଆଖି ଆଗରେ ଖଣ୍ଡିଆ ଭୂତ ସଦୃଶ ଠିଆ ହୋଇଥିଲା ।

ତଳେ ଭୋଜି ପୂର୍ବଦିନର ଗହଳ ଚହଳ କମି ଯାଇଥିଲା। ରାତି ଧୀରେ ଧୀରେ ବଢ଼ି ଆସୁଥିଲା । ମଝି ଅଗଣାରୁ ନାନୀଘର ଦୁଇ ଭାଗ ଥିଲା । ପଛ ପାଖଟା ପୁରୁଣା ଘର ଥିଲା, ସାମ୍ନା ପାଖରେ ନୂଆ ତିଆରି କରା ହୋଇଥିଲା । ଅଗଣା, ଖୋଲା ଅଗଣା ଉପରେ ଜାଲି ଥିଲା । ପଛ ପାଖର ଭାଗ, ତଳ ଉପର ଥିଲା, ସାମ୍ନା ପାଖ କେବଳ ଛାତ ଘର ଥିଲା । ପୁରୁଣା ଉପରେ ଘରେ ଆମ ତିନି ଭାଇ ଓ ଭାଇନାଙ୍କର ଶୋଇବା ବ୍ୟବସ୍ଥା କରାଯାଇଥିଲା ।

ଘର ଉପର ବାଲକୋନୀରୁ ଅନାବନା ଲତା, ବଡ଼ ବଡ଼ ଗଛରେ ଭର୍ତ୍ତି ପଛର ଲମ୍ବା ବାରି ଦେଖା ଯାଉଥିଲା । ଶୁକ୍ଳ ପକ୍ଷ ଅଷ୍ଟମୀର ଅର୍ଦ୍ଧ ଚନ୍ଦ୍ରରୁ ନିର୍ଗତ ଜ୍ୟୋତ୍ସ୍ନା କିରଣର ନିମୀଳିତ ଆଲୁଅର ଛଟା ଚତୁର୍ଦ୍ଦିଗେ ବିଛାଡ଼ି ହୋଇ ଖେଳିଥିଲା ।

ରଜନୀ ବାଲକୋନୀରେ ବସି ମାଉଥ୍‌ ଅରଗାନରେ ସୁର ଦେଉଥିଲା । ମୋତେ ଦେଖି ସେ ମାଉଥ୍‌ ଅରଗାନକୁ ବନ୍ଦ କରି ମୋତେ ଚାହିଁଲା, “କ’ଣ ଦରକାର ଭାଇ?”

ତା’ ପାଖରେ ଯାଇ ବସି ପଡ଼ିଲି, “ନା, ନା, ତୁ ବଜା । ମୁଁ ବସି ଶୁଣିବି ।”

ରଜନୀ ତା’ ସୁରରେ ମନ ଦେଲା ।

ଲକ୍ଷ୍ମୀକୁ ଦେଖିଲା ପରଠୁ ଅତୀତର ମୋ କାପୁରୁଷପଣ ପାଇଁ ମନ ମୋର ଆନ୍ଦୋଳିତ ହେଉଥିଲା । ମୃଦୁ ମଳୟର ତାଳେ ତାଳେ ଅଦୃଶ୍ୟ ପୁଷ୍ପିତ କ୍ଷୀଣ ସୁଗନ୍ଧଯୁକ୍ତ ରଜନୀର ସୁର ମଧ୍ୟ ମୋ ମନରେ ଝଙ୍କାର ସୃଷ୍ଟି କରି ପାରୁ ନ ଥିଲା । ଏକ ଅହେତୁକ ବିଷାଦ ଭରା ଅନ୍ଧକାରକୁ ଘେରି ରହିଥିବା କାଳିମା, ପ୍ରତିଛାୟା ସହ ଲମ୍ବି ଯାଇଥିବା ଦୃଷ୍ଟିର ଏହି ପାର୍ଶ୍ଵର କେବଳ ଶୂନ୍ୟତା ଭିତରେ କମ୍ ପାଠୋଈ ଲକ୍ଷ୍ମୀର ବ୍ୟକ୍ତିତ୍ୱ ମୋ ମନ ଚଟାଣରେ ଆସି ବାରମ୍ବାର ଆଘାତ ଦେଉଥିଲା ।

ଯଦି ମୋର ସାହାସ ଥାଆନ୍ତା; ଯଦି ନନାଙ୍କ ରକ୍ଷଣଶୀଳ ମନ ମୋତେ ବୁଝି ପାରିଥାଆନ୍ତା; ଯଦି ଲକ୍ଷ୍ମୀକୁ ନେଇ ଲୁଚି ପଳେଇ ଯିବାର ସାହାସ ମୋର ଥାଆନ୍ତା; ଯଦି ଲକ୍ଷ୍ମୀ ମୋ କଥାରେ ରାଜି ହୋଇ ଯାଇଥାଆନ୍ତା ! ଅନେକ ପ୍ରଶ୍ନ ।

କିନ୍ତୁ ସତ କଥା ଏଇଆ ଥିଲା ଯେ ମୋର ସାହାସ ନ ଥିଲା; ନନାଙ୍କୁ ସାମ୍ନା କରିବାର ସାହାସ; ବିଦ୍ରୋହ କରିବାର ସାହାସ; ପ୍ରେମକୁ ଆପଣା କରିପାରିବାର ସାହାସ ।

ତା’ ହେଲେ ମୁଁ ଘର ଛାଡ଼ି କେମିତି ରହି ପାରିଲି? ନନାଙ୍କୁ, ବୋଉକୁ, ଭାଇମାନଙ୍କୁ ଛାଡ଼ି କେମିତି ରହି ପାରିଥିଲି? ଅଣନିଶ୍ୱାସରେ ଏକପଟାରେ ଦୌଡ଼ିଥିଲି ।

କଲେଜ ସରିବା ଓ ୟୁନିଭରସିଟି ଆରମ୍ଭ ହେବା ମଝିରେ ଗାଁକୁ ଯେତେବେଳେ ଆସିଥିଲି, ଲକ୍ଷ୍ମୀ ଘରକୁ ଆସି ମୋତେ ଏକୁଟିଆ ଦେଖି କହିଥିଲା, “ମୋର ବାହାଘର କଥା ପଡ଼ିଛି । ବୋଧହୁଏ ଠିକ ହେଇ ଯିବ । ତା’ପରେ ତମ ବହିକୁ ପ୍ରଥମେ ପଢ଼ିବାର ଆଉ ସୁଯୋଗ ମିଳିବନି ।”

ମୋ ଆଖିରେ ଆଖି ମିଶେଇ କହିଥିଲା, “ଆମ ଘରେ କହିବାର ସାହାସ ମୋର ନାହିଁ । ତମେ ଯଦି ଚାହଁ ଆମର ବାହାଘର ହେବ । ନ ହେଲେ କିଛି ଦୁଃଖ ନାହିଁ । ମୁଣ୍ଡ ପୋତି ସହିଯିବି ।”

ଆମ ଦୁହିଁଙ୍କ କଥା ଯଦିଓ ସମସ୍ତେ ଜାଣିଥିଲେ, ତଥାପି ମୋତେ ଆରମ୍ଭ କରିବାକୁ ପଡ଼ିଥିଲା । ପ୍ରଥମେ ନାନୀ, ତାପରେ ବୋଉ, ତାପରେ ନନା ।

କିନ୍ତୁ ତାଙ୍କ ଘରେ ମନା କରିଥିଲେ । କାରଣ, ଜାତକ ମେଳକ ହେଉ ନ ଥିଲା ।

ଲକ୍ଷ୍ମୀର ନନା ସଂସାରରେ ନଥିଲେ । ଚାରି ଭାଇର ଜଟିଳିଆ ଘର ଥିଲା ତାଙ୍କର । ଭାଇମାନେ ଲକ୍ଷ୍ମୀଠୁଁ ବହୁତ ବଡ଼ ଥିଲେ । ସମସ୍ତେ ବାହା ହୋଇ ସାରିଥିଲେ । ଲକ୍ଷ୍ମୀର ପିଲାଟି ବେଳୁ ଆମ ଘରକୁ ଅବାଧରେ ଯିବା ଆସିବା ତା’ର ଭାଉଜମାନଙ୍କୁ କେବେ ବି ସୁହାଇ ନଥିଲା ।

ସେଦିନ, ଯେଉଁ ଦିନ ବୋଉ ନନାଙ୍କୁ କହୁଥିଲା, “ଶେଖର, ଲକ୍ଷ୍ମୀ ଦି ଜଣ ଯାକର ଜାତକ ଆଉ କଉଠି ନେଇ ଦେଖାଦେଖି କର ।”

ନନା କହୁଥିଲେ, “ଜାତକରେ ଖରାପ ଯୋଗ ଅଛି ବୋଲି ଦି ଜଣ କହିଲେଣି । ବାହାହେଲେ ଶେଖରର ଖରାପ ହେବ ଶୁଣିଲା ପରେ ଯଦି ମୁଁ ମାଡ଼ି ବସି କରିବି, ଭବିଷ୍ୟତରେ ଯଦି କିଛି ହେବ ମୁଁ ମୋ ନିଜକୁ କ୍ଷମା କରି ପାରିବିନି ।”

ନନା ବୋଉଙ୍କ କଥା ଶୁଣି ଲକ୍ଷ୍ମୀକୁ ଯାଇ କହିଥିଲି, “ଚାଲେ, ଆମେ ଗାଁ ଛାଡ଼ି ପଳେଇବା, ରେଜିଷ୍ଟ୍ରୀ ବିବାହ କରିନେବା । ମୋର କଲେଜ ସରିଯାଇଛି । ମୁଁ କୋଉଠି ହେଲେ ଚାକିରୀ କରି ରୋଜଗାର କରିବି । ଆମର କିଛି ଅସୁବିଧା ହେବନି ।”

“ଆଉ ତମ ଲେଖା? ବଡ଼ ଲେଖକ ହେବ ପରା? ମୋତେ ଧରି ଏମିତି ଗଲା ପରେ ତେଲେ ଲୁଣର ସଂଘର୍ଷରେ ହିଁ ତମ ଦିନ ଚାଲିଯିବ । ଲେଖା ପାଇଁ ସମୟ କେବେ ମିଳିବ?”

ମୁଁ କହିଥିଲି, “ତୁ ନ ଥିବୁ । ଲେଖା ମୋର କ’ଣ ହେବ? ଜାତକ, କୋଷ୍ଠି ସବୁ ମିଛ କଥା । ସମାଜର ଏ କୁସଂସ୍କାରକୁ ସହିଯିବା ମୋ ପକ୍ଷେ କଠିନ । ମୋ କଥା ମାନେ, ଆମେ ପଳେଇବା ଚାଲେ ।”

ସେ ହସିଥିଲା, “ନ ସହିଲେ କ’ଣ କରି ପାରିବ? ବିଦ୍ରୋହ? ପାରିବ? ସମୟ ସହ ସଂଘର୍ଷ କରି ପାରିବ? ସ୍ଵାର୍ଥ ମୋହବଶ ଦ୍ଵାରା ସମାଜରେ ସଂସ୍କାର ଆସେନି, ଶେଖର ଭାଇ । ନା, ଏମିତି ଭାବରେ ଲୁଚି ପଳେଇବାକୁ ମୁଁ ସମର୍ଥନ କରି ପାରିବିନି । ଆମର ବିବାହ ଅସମ୍ଭବ । ବରଂ, ଆମେ ଏହି ଅବସ୍ଥାକୁ ହିଁ ମାନି ନେବା ।”

ଅଦ୍ଭୁତ ତା’ ବିଚାର । ତା’ ଯୁକ୍ତି । ତା’ ଦୂରଦୃଷ୍ଟି । ସେଇ ଥିଲା ତା’ର ମୋ ସହ ଶେଷ ଦେଖା । ତା’ପରେ ଦିନେ ଶଙ୍ଖ ମହୁରୀର ସ୍ୱର ଲୟ ଉହାଡ଼ରେ ଝିଅ-କାନ୍ଦଣାର ପାରମ୍ପରିକ ଢଙ୍ଗରେ ଲକ୍ଷ୍ମୀର ବାହାଘର, ବିଦା ହୋଇ ଯାଇଥିଲା । ୟୁନିଭରସିଟିର ହଷ୍ଟେଲରେ ଥିଲା ସମୟରେ ମୁଁ ଏ ଖବର ପାଇଥିଲି । ତା’ ପରେ ଆଉ ମୁଁ ଗାଁକୁ ଯାଇନି । ନନା ଥରେ ଅଧେ ହଷ୍ଟେଲ ଆସିଥିବେ । ତାଙ୍କ ପାଠପଢ଼ୁଆ ପୁଅ ଥିଲି । ପାଠ ପଢ଼ିବାର ମିଛ ବାହାନା ନେଇ ଗାଁ ମୁଣ୍ଡ ଦେଖିବାର ସାହାସ ମୋର ନ ଥିଲା ।

ବିଚାର-ବୁଦ୍ଧି ସମ୍ପନ୍ନ ଝିଅ ଥିଲା ସେ । ବି.ଏ. ଶେଷ ବର୍ଷରେ ଯେଉଁ ଦିନ ମୋର ପ୍ରଥମ ଉପନ୍ୟାସ ପ୍ରକାଶ ପାଇବାକୁ ଯାଉଥିଲା, ପ୍ରକାଶକ ପାଖରୁ ସଂଶୋଧିତ ପ୍ରତିଲିପିକୁ ଆଣି ସିଧା ଦୌଡ଼ି ଆସିଥିଲି ଗାଁକୁ, ଲକ୍ଷ୍ମୀକୁ ଦେଖାଇବା ପାଇଁ । ଲକ୍ଷ୍ମୀ ଆସିଥିଲା । ମୋ ବହି ଦେଖିଥିଲା । ପଢ଼ୁ ପଢ଼ୁ ମୋତେ ଚାହିଁ କହିଥିଲା, “ଲେଖାରେ ତମର ଦୁର୍ବଳତା ପ୍ରକାଶ ପାଇଛି । ଯେମିତି ଏବେ ମୋତେ ଏକୁଟିଆ ପାଇ ତମେ ମୋ ଦେହ କଥା ଭାବୁଛ ।”

ମୋ ଛାତି ଧଡ଼କିନା ହୋଇ ଯାଇଥିଲା । ଘରେ ସମସ୍ତେ କୌଣସି ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ । ଘରେ ମୁଁ ଏକୁଟିଆ ଥିଲି । ଘରର ନିର୍ଜନତା ଭିତରେ ମୋ ମନ ଲକ୍ଷ୍ମୀର ନିକଟତର ହେବାକୁ ଚାହୁଁଥିଲା । ମୋ ଛାତିର କମ୍ପନ ବଢ଼ି ଯାଇଥିଲା । କିନ୍ତୁ ତାକୁ ମୁଁ ଖୋଲାଖୋଲି କିଛି କହି ନ ଥିଲି । ତଥାପି ସେ ଜାଣି ଦେଇଥିଲା । କେମିତି ଜାଣିଲା ସେ?

ମୋର ଆଶ୍ଚର୍ଯ୍ୟ ଚାହାଣୀକୁ ଦେଖି କହିଥିଲା, “ମୁଁ କେମିତି ଜାଣିଲି, ଭାବୁଛ ନା? ଆମେ ଝିଅମାନେ ପୁଅ ମାନଙ୍କୁ ଦେଖି ହିଁ ଚିହ୍ନି ଦେଉ, ସେ କ’ଣ ଚାହୁଁଛି । ଆଉ ତମ କଥା ତ’ ମୁଁ ସବୁ ଜାଣିଛି । ତମ ଛାତି ଥରୁଛି । ଦେଖ ମୋତେ ଶୁଭୁଛି ।”

ସେ ହସୁଥିଲା । ହସ ବନ୍ଦ କରି କହିଥିଲା, “ଏ ବହିରେ ତମେ ଏହି ଦୃଶ୍ୟକୁ ଲେଖିଛ । ନିର୍ଜନ ଘର। ଶୁଭ, ଲତା ଏକୁଟିଆ । ଦୁହେଁ ଦୁହିଁଙ୍କ ମନରେ ସବୁ ବନ୍ଧନ ଭାଙ୍ଗି ଏକାକାର ହେବାକୁ ତୀବ୍ର ଇଛା ରଖିଥିଲେ ।”

ବହି ବାହାର କରି ମୁଁ ଲେଖିଥିବା ପୃଷ୍ଠାଟିକୁ ବାହାର କରି ଦେଖଉଥିଲା । ବାକଶୂନ୍ୟ ହୋଇଗଲି ମୁଁ । କ’ଣ କହି ପାରିଥାନ୍ତି? ମୋ’ଠୁ କମ୍ ପାଠ ପଢ଼ିଥିଲା । ସପ୍ତମ ଶ୍ରେଣୀ ପରେ ଘରେ ରହି ଯାଇଥିଲା । ମୋ’ଠୁ କମ ବହି ପଢ଼ିଥିଲା । ମୁଁ ଆଣିଲେ ଉପନ୍ୟାସ ବହି ପଢ଼ୁଥିଲା । କିନ୍ତୁ ମୋ’ଠୁ ଅଧିକ ଜ୍ଞାନ ଥିଲା । ଆଉ ସବୁବେଳେ ଏହି ପ୍ରକୃତିଗତ ଜ୍ଞାନରେ ମୋତେ ଧରାଶାୟୀ କରି ଦେଉଥିଲା ।

ମୋର ମନର ଜଡ଼ତାକୁ ଭାଙ୍ଗି କହିଥିଲା, “ଇଏ ହିଁ କ’ଣ ତମ କାହାଣୀର ପ୍ରେମ? ଆତ୍ମିକ ପ୍ରେମକୁ ବାଦ ଦେଇ ଦୈହିକ ପ୍ରେମରେ ଭାସି ଯାଉଛ । ତମେ ଜାଣ, ତମ ପାଖରେ କିଛି ବିଶେଷତା ଅଛି । କିନ୍ତୁ ଛୋଟ ଛୋଟ କଥାକୁ ବେଶି ମହତ୍ୱ ଦେଇ ସେହି ବିଶେଷତାକୁ ଭୁଲି ଯାଉଛ ।”

ସେହି ଦୁର୍ବଳ ମୁହୁର୍ତ୍ତରେ ତା’ର ସ୍ୱପ୍ନିଳ ସ୍ୱର ଗୁଞ୍ଜରି ଉଠିଥିଲା, “ଶାରିରୀକ ମିଳନ ହିଁ କ’ଣ ପ୍ରେମର ଶେଷ ଇଛା? ମୁଁ ଅନ୍ୟ କୋଉଠି ବାହା ହେଇଗଲେ ତମେ ସନ୍ନ୍ୟାସୀ ହେଇ ଯିବ?”

ମୋର ତଟସ୍ଥତା ଭାଙ୍ଗି ଯାଇଥିଲା । ମନରେ ଉଠୁଥିବା କ୍ଷଣିକ ତରଙ୍ଗର ବାସ୍ନା ଉଡ଼ି ଯାଇଥିଲା । କିନ୍ତୁ ମୋର ଅଫୁରନ୍ତ ଆନନ୍ଦିତ-ଭାବ ହୋମାଗ୍ନିରେ ଲକ୍ଷ୍ମୀ-ବିରହ ବେଦନାର ଜଳ ପଡ଼ି ଥଣ୍ଡା ପଡ଼ିସାରିଥିଲା । ସେଦିନ ତା’ର ସେ ଅଦ୍ଭୁତ ବ୍ୟକ୍ତିତ୍ଵକୁ ଆବିଷ୍କାର କରି ଆବିଭୂତ ହୋଇ ଯାଇଥିଲି ।

ସ୍କୁଲ, କଲେଜ ପଢ଼ା, ବହି ଘୋଷାର ଅନୁଭବ ସିଏ ନ ଥିଲା । ଅତି କମ ବୟସରୁ ଭାବର ରଙ୍ଗରେ ନିଜକୁ ରଙ୍ଗେଇ ସାରିଥିଲା ।

ମୋର ପ୍ରଥମ ଉପନ୍ୟାସ ଛାପା ହେବା ଆଗରୁ ହିଁ ସଂଶୋଧିତ ପ୍ରତିଲିପି ଖଣ୍ଡକ ପ୍ରକୃତ ସମୀକ୍ଷକଙ୍କ ହାତରେ ପଡ଼ିଥିଲା । ସେଇ ମୁହୁର୍ତ୍ତରେ ହିଁ ସେହି ପ୍ରତିଲିପିକୁ ଧରି ଗାଁରୁ ଫେରିଥିଲି । ନାୟକର ଚରିତ୍ରକୁ ବଦଳେଇଥିଲି । ଲେଖକର ପ୍ରଥମ ବହିର ପ୍ରକାଶନ, ମା’ର ପ୍ରଥମ ସନ୍ତାନ ଭଳି । ମୋର ପ୍ରଥମ ଉପନ୍ୟାସର ଦେବକୀ- ମା ଥିଲା ସେ ।

କିନ୍ତୁ ଲୋକ ଲୋଚନକୁ ଆସିବା ଆଗରୁ ହିଁ ସେ ଅନ୍ୟର କୂଳବଧୂ ହୋଇ ସାରିଥିଲା । ଆମ ପ୍ରେମ କାହାଣୀର ଅନ୍ତ ଆମେ ଚାହିଁବାରୁ ହିଁ ହୋଇଥିଲା ଏବଂ ଅଦୃଶ୍ୟ ଖଳନାୟକ ଥିଲା-ଜାତକ ମେଳ ।

(ତିନି)

“ଭଲ ଲାଗିଲା ଭାଇନା?”

ରଜନୀ ମୋତେ ପଚାରୁଥିଲା । ମୁଁ ପ୍ରକୃତିସ୍ଥ ହେଲି । ରଜନୀର ସଙ୍ଗୀତର ତାଳେ ତାଳେ ନୁହେଁ, ମୋ ମନ ଅତୀତର ସ୍ମୃତି ଭିତରେ ତା’ର ସୁର ଲୟ ଖୋଜୁଥିଲା ।

ତଥାପି ଶୁଣିଥିଲା ଭଳି କହିଲି, “ବଢ଼ିଆ ଥିଲା । ଚାଲେ ଯିବା । ରାତି ହେଲାଣି, ଶୋଇବା ।”

ଦି ଭାଇ ଘର ଭିତରକୁ ଆସିଲୁ । ଅବନୀ ତା’ ପୁଅ ସହ ଶୋଇ ଯାଇଥିଲା । ଭାଇନା ଶୋଇବାକୁ ଉପକ୍ରମ କରୁଥିଲେ, ଆମକୁ ଦେଖି ବିଜୁଳି ଆଲୁଅ ବନ୍ଦ କରିବାକୁ ଉଠିଲେ । ସହସା ଅମା ଅନ୍ଧାରରେ ବ୍ୟାପ୍ତ ନିସ୍ତବ୍ଧତାକୁ ଚିରି ଏକ ଚିତ୍କାର ଶୁଣାଗଲା– “ମରିଗଲି ଲୋ ମା, ଆଉ ନାଇଁ, ଆଉ ନାଇଁ ।

ମୋ ଦେହରେ ସିତ୍କାର ଖେଳିଗଲା । ସେହି ସ୍ୱର, ସେହି କଣ୍ଠ । ଅନେକ ବର୍ଷ ପରେ ସନ୍ଧ୍ୟାରେ ଶୁଣିଥିବା ସ୍ୱର । ଲକ୍ଷ୍ମୀର ଚିତ୍କାର । ମୋ ତନ୍ତୁ ଗୁଡ଼ିକ ଥରିବାକୁ ଲାଗିଲେ । ତା’ ପରେ ପରେ ଜଣ ପୁରୁଷର କଣ୍ଠ ମଧ୍ୟ ଭାସି ଆସିଲା– “ମରେ, ଆହୁରି ମରେ । ଡାକେ, ତୋ ନାନୀକୁ ଡାକେ । ଆଜି କିଏ ତୋତେ ରଖିବ ମୁଁ ଦେଖିବି ।”

ପୁରୁଷର ସ୍ୱର ଢଳି ଢଳି ଆସୁଥିଲା । ଖୁବ୍‌ ଚିହ୍ନି ପାରୁଥିଲି ଏହି ସ୍ୱରକୁ ମୁଁ । ଜଣେ ମଦ୍ୟପର ସ୍ୱର ଥିଲା ସେ । ଓଃ ହୋ, ତାହାହେଲେ ଲକ୍ଷ୍ମୀର ମଦୁଆ ସ୍ୱାମୀ ଆସି ତାକୁ ମାରୁଛି ! ମୋର ସ୍ନାୟୁ ସବୁ ଉତ୍ତେଜିତ ହୋଇ ଉଠିଲେ ।

ଚିତ୍କାର ଶୁଣି ଭାଇନାଙ୍କ ହାତ ଯେଉଁଠି ସେଇଠି ରହି ଯାଇଥିଲା । ପୁରୁଷର କଣ୍ଠ ଶୁଣି ଗାମୁଛାଟା କାନ୍ଧରେ ପକେଇ ବାହାରକୁ ବାହାରିଲେ । ରଜନୀ ପଚାରିଲା, “କୁଆଡ଼େ ବାହାରିଲ ଭାଇନା?”

“ଶୁଣି ପାରୁନୁ? ଏମିତି ମାରି ମାରି ପିଲାଟାକୁ କେବେ ମାରିଦେବ । ସାହି ମଝିରେ ଇଏ ଏମିତି ସବୁ ଦିନ ପାଲା ଲଗେଇଲେ ଆମେ ଚଳିବୁ କେମିତି?”

ଭାଇନା ବାହାରି ଗଲେ ।

ଲକ୍ଷ୍ମୀର ପାଟି ସହ ପିଲାମାନଙ୍କର ମଧ୍ୟ ଶୁଣା ଯାଉଥିଲା । ପିଲାମାନଙ୍କୁ ବି କ’ଣ ମାରଧର ହେଉଛି? ଲକ୍ଷ୍ମୀର ଏହି ଅବସ୍ଥା ବିଷୟରେ ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ପାରି ନଥିଲି । ସନ୍ଧ୍ୟାର ଦୃଶ୍ୟ ଦେଖି ମୁଁ ଜାଣି ସାରିଥିଲି, ସେ ଦୁଃଖ ଭୋଗୁଛି । କିନ୍ତୁ ଇଏ ତ’ ଦୁଃଖ ନୁହେଁ, ନିର୍ଯ୍ୟାତନା । ପୂର୍ଣ୍ଣ ଶୋଷଣ ।

ଚାରି ଭାଇରେ ଗୋଟିଏ ଭଉଣୀ ଥିଲା । ଖାଇବାର ଟିକେ ଡେରି ହେଲେ କାନ୍ଦି କାନ୍ଦି ଭୁଇଁରେ ଗଡ଼ି ଯାଉଥିଲା । ଭାଉଜମାନେ କହୁଥିଲେ, “ଇଏ ସିନା ମା’ ଘର ଲକ୍ଷ୍ମୀ, ଚଳି ଯାଉଛି । ଧାନକୁଟା, ପାଣି ଅଣା ନ ହେଲେ କିଏ ତମକୁ ବୋହୂ କରିବ?”

ସେ କଥା ମୋ ପାଖରେ କହିଲା ବେଳେ ହସି ହସି ଗଡ଼ି ଯାଉଥିଲା । ପଚାରୁଥିଲା, “ଧାନ ନ କୁଟିଲେ, ପାଣି ନ ଆଣିଲେ, ମୁଁ ତମର ବୋହୂ ହେଇ ପାରିବିନି?”

ବୟସରେ ମୋ’ଠୁଁ ଦୁଇ ବର୍ଷ ସାନ, ଅବନୀ ଠୁଁ ଦୁଇ ବର୍ଷ ବଡ଼ ଥିଲା । ଗାଁ ସ୍କୁଲରେ ମୋର ସପ୍ତମ ଯାଏଁ ଦୁହେଁ ଯାକ ମିଶି ପଢ଼ୁଥିଲୁ । ତା’ପରେ ମୁଁ ଅନ୍ୟ ଗାଁ ହାଇସ୍କୁଲକୁ । ସପ୍ତମ ପଢ଼ିଲା ପରେ ଭାଇମାନେ ତାକୁ ବାହାର ଗାଁ ସ୍କୁଲକୁ ଛାଡ଼ିଲେନି । ଘରେ ରହିଗଲା । ପିଲାଟି ଦିନରୁ ପଢ଼ିବା ଝୁଙ୍କ ଥିଲା ତା’ର । ସ୍କୁଲ ପୁସ୍ତକାଳୟରୁ ଆଣୁଥିବା ବହିକୁ ମୁଁ କେବେ ପୁରା କରି ପାରୁ ନଥିଲି । ମୁଁ ଆଣିବା କ୍ଷଣି ସେ ହିଁ ନେଇଯାଉ ଥିଲା । ମୋର ପଢ଼ିବାକୁ ଆଉ ସମୟ ମିଳୁ ନ ଥିଲା ।

ସେ ଆଜି ତିନୋଟି ପିଲାର ଅର୍ଦ୍ଦଳୀ ସହିଛି । ଅଣଓସାରିଆ ଥାକ-ଅନ୍ଧାରିଆ ଘରେ ଶାଶୁର ବ୍ୟଙ୍ଗ ସହିଛି । ନବାତ ପଣାକୁ ଚାହା କରି ନେଇଛି । ଯାହାଠୁ ନିଜ ପାଇଁ ସ୍ନେହ, ସହାନୁଭୂତି ପାଇବା କଥା, ତା’ର ମାଡ଼ ବି ସହିଛି ।

ଭାଇନା ଆସିବା ପର୍ଯ୍ୟନ୍ତ ମୁଁ ସେମିତି ବସି ରହିଥିଲି । କାନ୍ଧର ଚଦରକୁ ବାହାର କଲାବେଳେ କହୁଥିଲେ, “ବୁଝେଇ ବୁଝେଇ କେତେ ବୁଝେଇବ ସଦାନନ୍ଦକୁ? ମଦ ଗଞ୍ଜେଇରେ ଅଧେ ସମ୍ପତ୍ତି ଉଡ଼େଇ ସାରିଲାଣି । ବାକି ଅଧକ ବି ଉଡ଼ିଯିବ । ବିଚାରୀ ଲକ୍ଷ୍ମୀ ! ତମର ଲକ୍ଷ୍ମୀ ମନ ଅଛି ଶେଖର?”

କ’ଣ ଉତ୍ତର ଦେଇଥାନ୍ତି ଭାଇନାଙ୍କୁ? ଅନ୍ଧାର ଭିତରେ ଅନ୍ଧକାରକୁ ଖୋଜୁ ଖୋଜୁ କେବଳ ଏତିକି ଜାଣି ପାରିଲି, ଲକ୍ଷ୍ମୀର ସ୍ୱାମୀ ନାଁ ସଦାନନ୍ଦ । ଲୋକଟାର ଗୁଣ ଜାଣିଲା ପରେ ମୋତେ ତାଙ୍କୁ ଦେଖିବାର ତୀବ୍ର ଇଚ୍ଛା, ଅନ୍ଧାର ଭିତରର ରାକ୍ଷସକୁ ଦେଖିବାର ଇଛା ହେଲା ।

ଉଠିଲାବେଳେ ମୋ ପାଖରେ କିଏ ନଥିଲେ । ନିତ୍ୟକର୍ମ ସାରି ତଳକୁ ଆସିଲି । ଅଗଣାରେ ଝିଅର ପ୍ରଥମ ବନ୍ଦାଣ ପାଇଁ ନାନୀ ସହ ସମସ୍ତେ ବ୍ୟସ୍ତ ଥିଲେ । ରାତିରେ ବାହାଘର ଥିଲା । ସନ୍ଧ୍ୟାରେ ବରଯାତ୍ରୀମାନେ ଆସିବେ । ତା’ର ପ୍ରସ୍ତୁତି ଚାଲିଥିଲା ।

ତଳେ ଭୋଜି ଦିନର ଗତାନୁଗତିକ ଗହଳ ଚହଳ ଥିଲା । ରାତିରେ ମୁଁ ଠିକରେ ଶୋଇ ପାରିନଥିଲି । ଅହେତୁକ ଭୟର ଗନ୍ଧହୀନ ବାସ୍ନାରେ ଜର୍ଜରିତ ମୋ ମନ ଆଖି ବୁଜି ବି ଅନ୍ଧାରରେ ଆଲୁଅର ସନ୍ଧାନରେ ଥିଲା । ଲକ୍ଷ୍ମୀ ପାଇଁ ମନ ଦ୍ରବିତ ଥିଲା ।

ଦାଣ୍ଡରେ ଗୁଡ଼ାଏ ପିଲା ଚକା ଭଉଁରୀ ଖେଳୁଥିଲେ, “ଚକା ଚକା ଭଉଁରୀ, ମାମୁଁ ଘର ଚଉଁରି ।”

ସେମାନଙ୍କ ଭିତରେ ଅଭୟ ଅନୀତା, ପଦ୍ମା, କମଳା ମଧ୍ୟ ଥିଲେ । ନାନୀ କାହାକୁ ଖୋଜି ଖୋଜି ଦାଣ୍ଡକୁ ଆସିଲା । ପଦ୍ମାକୁ ଦେଖି ପଚାରିଲା, “ହଇଲୋ ଏ ପଦି, ତୋ ମା’ କୁଆଡ଼େ ଗଲା? ବନ୍ଦେଇବା ସମୟ ହେଲାଣି । ଯା, ଡାକିବୁ ଯା ।”

ପୂର୍ବାହ୍ନରୁ ସମୟ କିଛି ଅଧିକ ହୋଇ ଯାଇଥିଲା । ଲକ୍ଷ୍ମୀ ଆସିନି ଖବର ଶୁଣି ମୋର କାଲିର ତା’ ଚେହେରା, ତା ସାଙ୍ଗେ ସେ ପିନ୍ଧିଥିବା ଲୁଗା ମୋ ଆଖିରେ ନାଚି ଉଠିଲା । ମନରେ କିଛି ସ୍ଥିରକରି ଘର ଭିତରକୁ ଯାଇ ନାନୀକୁ ଗୋଟିଏ ପାଖକୁ ଡାକି ଧିରେ କହିଲି, “ନାନୀ, ତୋ ପାଖରେ ନୂଆ ଶାଢ଼ୀ ଯଦି ଅଛି, ମୋତେ ଗୋଟେ ଦେବୁ?”

ମୋ ପ୍ରଶ୍ନ ଶୁଣି ନାନୀ ବୁଝିଲା ଭଳି ମୋତେ ଏକ ଲୟରେ ଚାହିଁ ପଚାରିଲା, “କାଲି ଲକ୍ଷ୍ମୀକୁ ଦେଖିଥିଲୁ?”

ମୁଁ ମୁଣ୍ଡ ଟୁଙ୍ଗାରିଲି । ନାନୀ ଭିତରକୁ ଯାଇ ନୂଆ ଶାଢ଼ୀ ଖଣ୍ଡେ ଆଣି ମୋ ହାତରେ ଦେଲା ।

“ସିଏ କିନ୍ତୁ ନେବନି, ଭାରି ଅଭିମାନୀ । ଦେଖେ, ତୁ ଦେଲେ ନେବ ବୋଧେ ।”

କାଲି ଯେଉଁ ରାସ୍ତାରେ ଆସିଥିଲି, ସେ ରାସ୍ତାରେ ଯାଇ ପହଞ୍ଚିଲି । ଆଡ଼ ପେଲା କବଟ ପାଖରେ ଠିଆ ହୋଇ ଲକ୍ଷ୍ମୀକୁ ଡାକିଲି । କିଛି ଉତ୍ତର ଆସିଲାନି । କବାଟକୁ ପେଲି ଭିତରେ ପଶିଲି । କବାଟ ପେଲିଲା ବେଳେ କାଲି ଟିକେ ବି ଶବ୍ଦ ହେଇ ନଥିଲା କିନ୍ତୁ, ଆଜି କେଁ କେଁ ଶବ୍ଦ ହେଲା । ବୋଧହୁଏ କବାଟକୁ ଦିଆ ଯାଉଥିବା ବଳରେ ହେଉଥିବା ଗତିର ପରିବର୍ତ୍ତନ ଫଳରେ ।

ଅଗଣା ପର୍ଯ୍ୟନ୍ତ କେହି ନ ଥିଲେ। ତାକୁ ଲାଗି ରହିଥିବା ଗଳିରେ ଲକ୍ଷ୍ମୀ ଖାଇ ବସିଥିଲା । ତା’ ଆଗର କଂସା ପିଞ୍ଛାରେ ବାସି ପଖାଳ, ଆଲୁମିନିୟମ ଗିନାରେ ଫଳମୂଳ କାଞ୍ଜି, ଶୁଖିଲା ଶାଳ ପତ୍ର ଉପରେ କିଛି ଲୁଣ, କଞ୍ଚା ମରିଚ ମୋତେ ସ୍ପଷ୍ଟ ଦେଖା ଯାଉଥିଲା ।

କବାଟ ଶବ୍ଦରେ ସେ ଆଖି ଉଠେଇ ଚାହିଁଥିଲା । ମୋତେ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲା, “ତମେ ଭୋଜି ଗହଳି ଛାଡ଼ି ଏଠି କାହିଁକି?”

ତା’ର ପ୍ରଶ୍ନକୁ ଏଡ଼େଇ ତା’ର ଖାଇବାକୁ ଦେଖେଇ ପଚାରିଲି, “ନାନୀର ଭୋଜି ଚାଲିଛି । ତୁ ଏଇଠି ବାସି ଖାଇବାରେ ବ୍ୟସ୍ତ । କ’ଣ ଅସୁବିଧା ତୋର?”

“ଅସୁବିଧା ତ’ କିଛି ନାହିଁ । କାଲିର ଭାତ କାଞ୍ଜି ଥିଲା । ନ ଖାଇ ତାକୁ କ’ଣ ଡଙ୍ଗା ହାଣ୍ଡିରେ ଫିଙ୍ଗିଥାନ୍ତି? ଖାଇ ଦେଲି ।”

ତା ଆଗରେ ମୁଁ ବସି ପଡ଼ିଲି, “ନାନୀ ଠିକ କହୁଥିଲା । ଆଜି ବି ତୁ ସେଇ ଅଭିମାନିନୀ । ତୁ ନ ଗଲେ ନାନୀର ଭୋଜି ଅଚଳ ହେଇ ଯିବନି । କିନ୍ତୁ ତୋର ଏଇ ଅଭିମାନ କେତେ ଜଣ ବୁଝି ପାରିବେ? ବୁଝିଲେ ବି କେତେଜଣ ତାକୁ ସହି ପାରିବେ?”

“ମୋତେ ତ’ ଉପଦେଶ ଦେଇ ପାରୁଛ । ୧୮ ବର୍ଷରେ ତମେ କେତେଜଣଙ୍କ ଭୋଜିଭାତରେ ଆସି ଠିଆ ହେଇଛ, ଗଣି ରଖିଛ?”

“ମୋ କଥା ଭିନ୍ନ । ମୁଁ ଦୂରରେ ରହୁଛି।”

ମୋ କଥା ଶୁଣି ସେ ହୋ ହୋ ହୋଇ ହସି ଉଠିଲା । ଖାଇ ସାରିଥିଲା । ଉଠି ହାତ ଧୋଉ ଧୋଉ କହିଲା, “ଭଲ କହିଲ । ବମ୍ବେରୁ ଆମ ଗାଁ’ର ଦୂରତା ତ’ ବହୁତ ବେଶି । ପ୍ରତି ବର୍ଷ ଏଇ ଗାଁକୁ ପୁଞ୍ଜା ପୁଞ୍ଜା ଲୋକ ଆସୁଛନ୍ତି ।”

ତା’ର ଆକ୍ଷେପ ଶୁଣିବାକୁ ମୋର ସମୟ ନ ଥିଲା । ଉଠିପଡ଼ି ହାତରେ ଧରିଥିବା ଲୁଗାକୁ ତା’ ହାତକୁ ବଢ଼େଇଲି, “ନାନୀ ୟାକୁ ଦେଇଛି । ବଦଳେଇ ତୁ ଶୀଘ୍ର ଆସେ । ଜିତୁର ବନ୍ଦାଣ ହେବ ।”

ଶାଢ଼ୀକୁ ଦେଖି ତା ମୁହଁ ଲାଲ ପଡ଼ିଗଲା, “ହେଲା, ପଦ୍ମା ପିଲା ଲୋକ ଜାଣିଲାନି । ଘର କଥା ପଦାରେ ପକେଇଦେଲା । ମାନୁଛି, ମୋ ସ୍ୱାମୀ ମୋତେ ଦାମିକା ଶାଢ଼ୀ ଆଣି ଦେଉ ନାହାଁନ୍ତି । କିନ୍ତୁ ତମେ ତ’ ଆଉ ପିଲା ନୁହଁ । କାହିଁକି ମୋତେ ଅପମାନ ଦେଲ?”

“ଅପମାନ?” ମୁଁ ଛେପ ଢୋକିଲି । ପଦ୍ମା ମୋତେ କିଛି କହିନାହିଁ ବୋଲି ମୁଁ କହି ବି ପାରିଲିନି ।

“ଅପମାନ ନୁହେଁ ତ ଆଉ କ’ଣ? ମୋର ଶାଢୀ ନାହିଁ ବୋଲି ମୁଁ କାହାକୁ ଭିକ ମାଗିବାକୁ ଯାଇ ନ ଥିଲି ।”

ମୋ ମନ ଆର୍ଦ୍ର ହୋଇ ଆସିଲା । ସେ କେବେ ମୋତେ ଏଭଳି କଡ଼ା କଥା କହିଥିଲା ଭଳି ମୋର ମନେ ହେଉ ନ ଥିଲା । କହିଲି, “ମୁଁ ଭାବି ନ ଥିଲି ଲକ୍ଷ୍ମୀ, ମୁଁ ଦେବା ଜିନିଷକୁ ତୁ ଭିକ ବୋଲି କହିବୁ । ତୁ ହିଁ କହୁଥିଲୁ, ଯେଉଁଠି ନିଜତ୍ୱ ଅଛି ସେଇଠି କୌଣସି ଜିନିଷକୁ ପର ନିଜର ବୋଲି ମନେ କରାଯାଏନି । ମୁଁ କ’ଣ ତୋର କେହି ନୁହଁ?”

ହଠାତ ସେ ଚୁପ୍ ରହିଗଲା । କିଛି ସମୟ ଆମ ଭିତରେ ନୀରବତା ବିରାଜମାନ କଲା । ପରେ ଶାଢ଼ୀକୁ ମୋ ଦିଗକୁ ବଢ଼େଇ ଦେଇ କହିଲା, “ତମ ମନରେ କଷ୍ଟ ଦେବା ପାଇଁ କହି ନ ଥିଲି । ମୋ ପାଖରେ ଭଲ ଶାଢ଼ୀ ନାହିଁ । ଯାହା ଅଛି ପୁରୁଣା ଦେଶୀ ପାଟ । ମୁଁ ସେଗୁଡାକୁ ପିନ୍ଧି ପାରୁନି । ସେଥିପାଇଁ ଗଲିନି । ଏଇ ଶାଢୀକୁ ନେଇ ଯାଅ, ଶେଖର ଭାଇ । ନାନୀକୁ କହିଦିଅ, ଲକ୍ଷ୍ମୀ ଅଭିମାନିନୀ ସତ । କିନ୍ତୁ ସେ ତା’ର ନାନୀ ପାଖରେ ଅଭିମାନ କରି ଶିଖିନି । ମୁଁ ସେଇ ପାଟ ପିନ୍ଧି ଯିବି ।”

ମୁଁ ଶାଢ଼ୀ ନେଲିନି । କହିଲି, “ନାନୀ କ’ଣ ଅପରାଧ କଲା ଯେ ତୁ ତା’ର ସ୍ନେହ ସମ୍ପର୍କକୁ ଭାଙ୍ଗି ଦେଉଛୁ ।”

ସେ ହସିଲା । ଶାଢ଼ୀକୁ ଫେରେଇ ନେଇ କହିଲା, “ଲେଖକମାନେ ମନସ୍ତାତ୍ୱିକ ବୋଲି ତ’ ଜାଣିଥିଲି । କିନ୍ତୁ ମନକୁ ଭୁଲ ପଢ଼ୁଛ, ଏଇଟା ଜାଣି ନଥିଲି । ଠିକ ଅଛି । ମୁଁ ଶାଢ଼ୀ ପିନ୍ଧିକି ଯିବି । କିନ୍ତୁ ମୁଁ ଯାହା ପାଇଁ ଶାଢ଼ୀ ନେବିନି କହୁଥିଲି, ତମେ ତାହା ବୁଝି ପାରିଲନି ।”

“ମୋତେ ବୁଝେଇ ଦେ ।”

“ବୁଝେଇବା ଦରକାର ନାହିଁ । ତମେ ଠିକ ସମୟରେ ବୁଝିଯିବ । ତମେ ଏବେ ଯାଅ, ଶେଖର ଭାଇ । ମୁଁ ସଙ୍ଗେ ସଙ୍ଗେ ଯାଉଛି ।”

ମୁଁ ଲକ୍ଷ୍ମୀ ଘରୁ ଫେରିଲି । ସେ ମୋ ପଛେ ପଛେ ନାନୀ ଦେଇଥିବା ଶାଢ଼ୀକୁ ପିନ୍ଧି ଆସିଥିଲା ଓ ସାହି ଝିଅ ବୋହୂମାନଙ୍କ ସହ ମିଶି ଜ୍ୟୋତିର ଚାରିପାଖେ ଗୀତ ଗାଇ ଗାଇ ତାଳି ମାରି ମାରି ବୁଲୁଥିଲା ।

ଝୁମୁରି ମାଆ ଲୋ ଝୁମୁରି ମାଆ, ଏ କି କରମ କଲୁ,
ଏଡ଼ିକି ଟିକିଏ ବାଙ୍କିଆ ଝିଅକୁ ବୁଢ଼ା ବରରେ ଦେଲୁ ।
ହେଉ ପଛେ ବୁଢ଼ା ବର, ଆଣିଦେବୁ ଶାଢ଼ୀ,
ହାଟପାଳି ଦିନ ଦେଖେଇ ଦେବୁ ଲମ୍ବ ଲମ୍ବ ଦାଢ଼ି ॥

(ଚାରି)

ଜ୍ୟୋତିର ବିଦା ପରେ ଆମେ ତିନି ଭାଇ, ନାନୀ ଓ ଭାଇନାଙ୍କୁ ଲକ୍ଷ୍ମୀ ତା ଘରକୁ ଖାଇବାକୁ ଡାକିଥିଲା ।

ଜ୍ୟୋତିର ଶାଗ ମାଛ ଧରି ନାନୀ ଓ ଭାଇନାଙ୍କ ସହ ଅବନୀ ଚାଲି ଯାଇଥିଲା । ସେମାନଙ୍କ ସହ ଅବନୀର ପୁଅ ଝିଅ ବି ଥିଲେ । ସେମାନେ ଚାଲିଗଲା ପରେ ଆମେ ଦୁଇ ଭାଇ ଲକ୍ଷ୍ମୀ ଘରକୁ ଖାଇବାକୁ ଯାଇଥିଲୁ ।

ସଦାନନ୍ଦଙ୍କୁ ମୁଁ ଜ୍ୟୋତିର ବାହାଘରବେଳେ ଦେଖିଥିଲି । ରଜନୀ ପରିଚୟ କରେଇ ଦେଇଥିଲା ।

ସାବନା ରଙ୍ଗ, ପତଳା ଚେହେରା । ହାତରେ, କପାଳରେ ସ୍ଥାନେ ସ୍ଥାନେ ଚମଡା ଭିତରର ଶିରାମାନ ଉପରକୁ ଫୁଟି ବାହାରି ଆସିଛି । ଲମ୍ବା ପତଳା ନାକ । ସ୍ଥାନେ ସ୍ଥାନେ ପାଚି ଯାଇଥିବା ବାଳରେ ସୁଗନ୍ଧିତ କେଶ ତୈଳ ଦେଇ ପଛକୁ ଟାଣି କୁଣ୍ଡା ଯାଇଛି । ଧଳା ସର ସର ଧୋତି ଉପରେ ଟେରଲିନର ମୁଣ୍ଡ ଗଳା ଲମ୍ୱା ହାତବାଲା ସାର୍ଟ । ବେକରେ ସୁନା ଚେନ୍‌, ଦୁଇ ହାତର ପ୍ରତିଟି ଆଙ୍ଗୁଠିରେ ଗୋଟିଏ ଲେଖାଏଁ ସୁନା ମୁଦି । ପାଟିରେ ଜର୍ଦ୍ଦା ପାନ । ମୋଟ ଉପରେ ଜଣେ ନାଁ ଥିଲା ଘରର ଲୋକ ଭଳି ଜଣା ପଡ଼ୁଥିଲେ । ଅଠର ବର୍ଷ ତଳେ ସେ ନିଶ୍ଚୟ ଜଣେ ସୁଦର୍ଶନ ଯୁବକ ଥିଲେ, ସେଥିରେ ଟିକେ ବି ସନ୍ଦେହ ନ ଥିଲା ।

ସେଦିନ ମୋ ସହ ଚର୍ଚ୍ଚା ବେଳେ ସେ କେବଳ ତାଙ୍କ ପୁଅ ରବିର ଇଞ୍ଜିନିୟରିଂ ପଢ଼ିବା ଓ ଝିଅ ପଦ୍ମାର ବାହାଘରର ଅତ୍ୟଧିକ ଚିନ୍ତିତ ଥିଲା ଭଳି କଥା ହେଲେ ।

ତାଙ୍କ ଘରେ ଖାଇଲା ଦିନ ବି ସେହି ବିଷୟର ସୂତ୍ର ଧରିଥିଲେ । ଲକ୍ଷ୍ମୀ ଦ୍ଵାର ବନ୍ଧକୁ ଆଉଜି ଠିଆ ହୋଇଥିଲା । ସଦାନନ୍ଦ ରଜନୀକୁ କହିଲେ, “ତମର ମନ ଅଛି? ମୋତେ କହିବ । ଦଶମ ପରେ ରବି କ’ଣ ପଢ଼ିବ । ମୋତେ ତାକୁ ଇଞ୍ଜିନିୟରିଂ ପଢ଼େଇବାକୁ ଇଛା । ତମେ ସେଇଟା ପଢ଼ିଛ ପରା?”

ରଜନୀ କହିଲା, “ତା’ର ପ୍ରଥମେ ଦଶମ ସରୁ । ଆଗକୁ ଦେଖିବା ।”

“ଦେଖିବା ନାଇଁ । ହଁ କର, ସେ ଇଞ୍ଜିନିୟରିଂ ହିଁ ପଢ଼ିବ ।”

ରଜନୀ କହିବା ଆଗରୁ ମୁଁ କହିଲି, “ସେ ଇଞ୍ଜିନିୟରିଂ ନିଶ୍ଚୟ ପଢ଼ିବ । ତମେ ବ୍ୟସ୍ତ ହୁଅନି । ମୁଁ ତାକୁ ମୁମ୍ବାଇ ନେଇଯିବି । ସେଇଠି ପଢ଼ିବ ସେ ।”

“ବାସ୍‌”, ଚିନ୍ତା ମୁକ୍ତ ହୋଇଗଲା ଭଳି ସେ କହିଲେ, “ଏବେ ରହିଲା ପଦ୍ମା । ତା’ ବାହାଘର ବି ଠିକ କରି ଦିଅ ।”

“ପଦ୍ମାର?” ମୁଁ ଆଶ୍ଚର୍ଯ୍ୟ ହେଲି, “ପିଲାଟା ସିଏ ।”

ବୁଝିଲା ଭଳି ସେ କହିଲେ, “ହଁ, ପିଲାଟା ଯେ । ଲକ୍ଷ୍ମୀ କହୁଛି ତାକୁ ବି ପାଠ ପଢ଼େଇବା । ତାକୁ ପାଠ ପଢ଼େଇ ହେବ? ଝିଅ ପିଲାଟା, କୁଆଡ଼େ ଯିବ, କ’ଣ କରିବ? ଏତେ କଥା ମୁଁ କ’ଣ କରି ପାରିବି?”

“ହଁ, କରି ପାରିବ । ସିଏ ଯୁଠେ ପାଠ ପଢ଼ିବ, ତମେ ଯାଇ ସେଇଠି ରହିବ । ହେବନି କାହିଁକି?”

ରଜନୀର ଉତ୍ତର ବି ସେ କାଟିଲେନି । ଚିନ୍ତା କଲା ଭଳି କହିଲେ, “ହଁ, ସେଇଟା କଲେ ହେବ ।”

ସଦାନନ୍ଦ ପାନପତ୍ରରେ ମସଲା ପକାଇଲା ବେଳେ ମୁଁ ଗୁଆ ପକାଇଲା ଭଳି ସହଜ କାମ କରୁଥିଲି । ସେ ରଜନୀକୁ ଚାହିଁଲେ, “ମସଲା କେତେ ଦେବି?”

“ଅଳ୍ପ ଦିଅ।”

“ଅଳ୍ପ ଦେଲେ କ’ଣ ଜଣା ପଡ଼ିବ ହେ । ଥରେ ଚାଖ, ଜର୍ଦ୍ଦା ପକେଇଲି ।”

ରଜନୀ କହିବା ଆଗରୁ ମୁଁ ତରତରରେ କହି ପକେଇଲି, “ନା ନା, ଥାଉ।”

ମୋର କହିବା ଢଙ୍ଗ ଦେଖି ସେ ହୋ ହୋ ହୋଇ ହସିଲେ । ପାନ ଭାଙ୍ଗି ମୋତେ, ରଜନୀକୁ ବଢ଼େଇ ଦେଲେ । କହିଲେ, “ମୋତେ ଦେଖ, ଦିନକୁ କୋଡିଏଟା ଜର୍ଦ୍ଦା ପାନ ଚୋବଉଛି ।”

“ମୁଁ ତ’ ଆଉ ତମେ ହେଇ ପାରିବିନି ।”

“ହଁ, ସେଇଟା ଯାହା କହିଲ, ସତ । ମୁଁ ତମେ ହେଇ ପାରିବିନି । ତମେ ମୁଁ ।

ଶାସ୍ତ୍ର କହୁଛି;

ବୋହି ଆଣିଛୁ ବିଧିକୁ,

ବିଧିରୁ ପାଇବୁ ନିଧିକୁ ।

ଗଲାବେଳେ ନେବୁ ବିଧିକୁ,

ରଖି ଦେ ଏଇଠି ନିଧିକୁ ।”

ମୁଁ ହସି ଉଠିଲି, “କେଉଁ ଶାସ୍ତ୍ର ଇଏ?”

ଉତ୍ତର ଲକ୍ଷ୍ମୀ ଦେଲା, “ଆଉ କୁଆଡୁ? ଗଞ୍ଜେଇ ଆଡ୍ଡାରୁ ।”

ସଦାନନ୍ଦ ହସିଲେ । ଖୋଲା ହସ । ନିଜ ପାନ ପାଟିରେ ପକେଇ କହିଲେ, “ମୋର ସବୁ ହିସାବ ସିଏ ରଖୁଛି ଶେଖର ଭାଇ । ମୋ ଠୁଁ ପାଠୋଇ ତ’ । ଖାଲି ଭାଇମାନେ । ହଇହେ ଦୁନିଆରେ କିଏ ଏମିତି ଭାଇ ଅଛି କହିଲ, ଭଉଣୀକୁ ଘରକୁ ନ ଡାକି । ପଚାର, ଯଦି ଦଶ ବର୍ଷ ହେଲା କିଏ ଜଣେ ଆସିଛି । ଲକ୍ଷ୍ମୀ ମୁଁ ମିଛ କହିଲି?”

“ସେ ଗାଁକୁ ଯାଉ ସଦାନନ୍ଦ, କିଛି ଦିନ ବୁଲି ଚାଲି ଆସିବ।”

“ଗାଁ’କୁ? ତାକୁ ନେବ କିଏ? ଗଲେ ରହିବ କଉଠି? ଶାଶୁ ଥିଲା ଯାଏଁ ସବୁ ଠିକ ଥିଲା । ତାଙ୍କ ପରେ କୋର୍ଟ କଚେରୀରୁ ସେ ଚାରିଜଣଙ୍କୁ ଛାଡ଼ ମିଳିଲେ ତ’ । ରାତିଦିନ ସମ୍ପତ୍ତି ବାଡ଼େ ପାଇଁ ଗଣ୍ଡଗୋଳ ।”

ଅକସ୍ମାତ ତା’ ଚାହାଣୀରେ ଭାବ ପରିବର୍ତ୍ତନ ହେଲା । ଦର୍ପିତ ଚାହାଣୀରେ କରୁଣ ଭାବ ଭାସି ଆସିଲା । କିନ୍ତୁ ମୋ ପ୍ରଶ୍ନରେ ସେ ବିଚଳିତ ହେଲା ଭଳି ମୋତେ ଅନୁଭବ ହେଲାନି । ଧୀରେ କହିଲା, “କେମିତି ଯିବି? ଘରେ କିଏ ଅଛି ଆଉ ରନ୍ଧାବଢା କରିବା ପାଇଁ?”

“ଆରେ ବାଃ”, ସଦାନନ୍ଦ ତା କଥା କାଟିଲେ, “ଆମର କିଛି ଅସୁବିଧା ହେବନି । ଆମେ ମା ପୁଅ କେମିତି ହେଲେ ଚଳିଯିବୁ । ହଁ, ପିଲାଙ୍କ ପାଠ କଥା ମୁଁ କହି ପାରିବିନି ।”

“ଆଠଟା ଦିନ ରହି ଆସିବୁ । ମୁଁ ଜାଣିଛି, ଏବେ ନ ଗଲେ ତୁ ଆଉ ଯିବୁନି । ତୋ ଶାଶୁଙ୍କୁ କହିଥା’ । ସକାଳୁ ଆମେ ବାହାରିବା ।”

ସଦାନନ୍ଦ ଉଠୁ ଉଠୁ କହିଲେ, “ବୋଉ କିଛି କହିବନି, ଶେଖର ଭାଇ । ଆମ ଆଡ଼ୁ ପୁରା ସମ୍ମତି । ବାକି ତା’ ଇଛା । ମୋର ବହୁତ କାମ ଅଛି । ମୁଁ ଯାଉଛି ।”

ସଦାନନ୍ଦ ବାହାରକୁ ବାହାରିଗଲେ । ତାଙ୍କ ଯିବା ରାସ୍ତାକୁ ଚାହିଁ ଲକ୍ଷ୍ମୀ ଏକ ଦୀର୍ଘଶ୍ୱାସ ନେଇ ସ୍ଵଗତୋକ୍ତି କଲା– “ପୁଣି ବାହାରିଲେ ଗଞ୍ଜେଇ ଆଡ୍ଡାକୁ !”

ସେ ଯାଉ ଯାଉ ମୁଁ ଉଠିଲି, “ରଜନୀ, ଆ ଯିବା ।”

ଆମ ଦୁହିଁଙ୍କଠୁ ଉଠିବା ଦେଖି ଲକ୍ଷ୍ମୀ ମୋତେ ଏକ ଲୟରେ ଚାହିଁ ପଚାରିଲା, “ତମେ ଚାହୁଁଛ ଶେଖର ଭାଇ ମୁଁ ଯିବା?”

“ହଁ, ଖାଲି ମୁଁ ନାହିଁ, ଆମେ ସମସ୍ତେ ଚାହୁଁଛୁ ତୁ ଆସେ ବୋଲି । ନାନୀ ମୋତେ କହି କି ଯାଇଛି ତୋତେ ଡାକିବାକୁ ।”

“ନାନୀ ନ କହିଥିଲେ ତମେ କହି ନ ଥାନ୍ତ ନା?”

ମୁଁ ସତର୍କ ହୋଇଗଲି । ମୋର ଦୁର୍ବଳତା ପ୍ରକାଶ ନ କରିବାକୁ ଯାଇ ମୁଁ ପୁଣି ଥରେ ତା’ ମନ ଦୁଃଖେଇଲି କି? କଥାଟାକୁ ସମ୍ଭାଳିଲି, “ମୁଁ ନିଜେ ଚାହେଁ ଲକ୍ଷ୍ମୀ ତୁ ମୋ ସହ ଗାଁକୁ ଯିବାଟା । ତୋ’ ଭାଇମାନଙ୍କ ପାଖରେ ନ ରହିଲେ ନାହିଁ, ବୋଉ ଅଛି, ଅବନୀ ଅଛି ।”

“ଆଉ ତମେ ରହିବନି?”

“ମୋର ୪ ଦିନପରେ ବଡ଼ ବଡ଼ ଆପଇଣ୍ଟମେଣ୍ଟ ଅଛି । ମୋତେ ପହର ଦିନ ହିଁ ବାହାରିବାକୁ ପଡ଼ିବ ।”
ଲକ୍ଷ୍ମୀ କେବଳ ଲମ୍ବା ଧୀର ଶ୍ଵାସ ନେଇ ରହିଗଲା । ଆମେ ଦୁଇ ଭାଇ ବାହାରି ଆସିଲୁ । ବର୍ତ୍ତମାନ ଯାଏଁ ରଜନୀ ଚୁପ୍‌ ରହିଥିଲା । ବାହାରକୁ ବାହାରୁ ବାହାରୁ ମୋ ହାତ ଧରି କହିଲା, “ଧନ୍ୟବାଦ ଭାଇନା ।”

ମୁଁ କିଛି ବୁଝି ପାରିଲିନି । ତାକୁ ଚାହିଁଲି । ତା’ ଆଖି ଥଳ ଥଳ ଥିଲା । ମୁହଁରେ କରୁଣ ଭାବ ଥିଲା । ମୋର, ଲକ୍ଷ୍ମୀ, ସଦାନନ୍ଦଙ୍କ ବାର୍ତ୍ତାଳାପରେ ସେ ଭାଗ ନେଇ ନଥିଲା । କିନ୍ତୁ ସେ ପ୍ରଭାବିତ ଥିଲା । ମୋର ଚାହାଣୀ ଦେଖି ମୁହଁରେ କ୍ଷୀଣ ହସ ଟାଣି କହିଲା, “ଲକ୍ଷ୍ମୀ ନାନୀକୁ ସାଙ୍ଗରେ ନେବା ପାଇଁ । ଭାଇ, ମୁଁ ବହୁତ ଥର କହିଛୁ । କିଛି ହେଇ ନ ଥିଲା । ମୁଁ ଜାଣିଛି ସେ କେବଳ ତମ ପାଇଁ ହିଁ ରାଜି ହେଲା । ବୋଉ ବଡ଼ ଖୁସି ହେବ ।”

ମୁଁ ବି ଜାଣିଥିଲି, ବୋଉ ଖୁସି ହେବ । ନନାଙ୍କ ମୃତ୍ୟୁର ଦି’ଦିନ ପରେ ଯେତେବେଳେ ମୁଁ ଆସି ପହଞ୍ଚିଥିଲି, ବୋଉର ସଦ୍ୟ ବିଧବା ବେଶ ଦେଖି ମୋ ପାଟିରୁ କଥା ବାହାରି ପାରି ନ ଥିଲା । ଅନେକ ବେଳ ଯାଏଁ ବୋଉ ହିଁ କହିଥିଲା, “ନନା ମଲା ପୂର୍ବରୁ ବି କହୁଥିଲେ ଲକ୍ଷ୍ମୀ ଯଦି ଏ ଘରର ବୋହୂ ହେଇଥାନ୍ତା, ତୁ କେବେହେଲେ ଘର ଛାଡ଼ି ଯାଇ ନଥାନ୍ତୁ ।”

ବୋଉକୁ ଅନେକ କୈଫିୟତ ଦେଇଥିଲି । ସତ କଥା, ପ୍ରଥମେ ଘରକୁ ନ ଫେରିବା କାରଣ ଲକ୍ଷ୍ମୀ ଥିଲା । କିନ୍ତୁ ତା’ ପରେ ପରେ ମୋ ପରିସ୍ଥିତି ବଦଳି ଯାଇଥିଲା । ଓଡ଼ିଆ ଛାଡ଼ି ଇଂରାଜୀରେ ମୁଁ ଲେଖିବା ଆରମ୍ଭ କରିଥିଲି । ସିନେମା ଜଗତର ଚାକ୍ୟ-ଚମକ, ନାଁ, ପ୍ରସିଦ୍ଧିର ଦ୍ୱାରଦେଶରେ ଠିଆ ହୋଇ ମୁଁ ପଛକୁ ଫେରିବାକୁ ଚାହୁଁ ନ ଥିଲି । ଏକ ଭିନ୍ନ ଶେଖର ଜନ୍ମ ହୋଇ ସାରିଥିଲା ।

ମୁଁ, ବୋଉର ଜଣେ ନିହାତି ସ୍ଵାର୍ଥପର ମନ-କୈନ୍ଦ୍ରିକ ଅଯୋଗ୍ୟ ଯାତ୍ରାର ସାଥୀ ଥିଲି । ଅତି କଠିନ, ଅନ୍ୟମାନଙ୍କ ପାଇଁ ଅବୋଧଗମ୍ୟ । ମୁଁ କାହିଁକି ଏମିତି ଥିଲି, ମୁଁ ନିଜେ ବି ଜାଣି ପାରୁ ନଥିଲି । ଅଥଚ ମୁମ୍ବାଇରେ ନାୟକ ନାୟିକାଙ୍କ ଚରିତ୍ର ଗୁଡିକୁ ପରିବେଶ ଜନିତ ସମବେଦନାରୁ ମୁକୁଳେଇବା ପାଇଁ ଲେଖକ/ନିର୍ଦ୍ଦେଶକମାନେ ମୋ ପାଖକୁ ଦୌଡ଼ୁଥିଲେ ।

କଠିନ ପରିସ୍ଥିତିମାନଙ୍କ ସଞ୍ଚାଳକ ନିଜେ ଅବସ୍ଥାର କାଳ ଭଉଁରୀ ଭିତରେ ଖେଳୁଥିଲା ।

ସକାଳୁ ଆମେ ସବୁ ଯିବା ପାଇଁ ବାହାରିଥିଲୁ । କାଲି ରାତିରେ ହିଁ ଭାଇନା ନାନୀ ସହ ଅବନୀ ଓ ପିଲାମାନେ ଆସି ଯାଇଥିଲେ । ବଡିଭୋରରୁ ହିଁ ଆମେ ଯିବାର ଯୋଗାଡ଼ ଯନ୍ତ୍ର ଚାଲିଥିଲା ।

ଆମେ ଆସିବା ଦିନ ଦି’ଟା ଶଗଡ଼ରେ ଆସିଥିଲୁ । ସେହି ଶଗଡରେ ହିଁ ଯିବାର କାର୍ଯ୍ୟକ୍ରମ ଥିଲା । ଆମ ଗାଁରୁ ଆସିଲେ ଶଗଡ଼ ରାସ୍ତାରେ ଦି ଘଣ୍ଟାରେ ଆମେ ନାନୀ ଘର ଗାଁକୁ ଆସି ଯାଉଥିଲୁ । ପିଚୁ ରାସ୍ତାରେ ଟିକେ ଅଧିକ ଲାଗୁଥିଲା । ଶଗଡରେ ବସି ଆସିବା ମୋର ହିଁ ଇଛା ଥିଲା । ତାକୁ ସମ୍ମାନ ଦେବା ପାଇଁ ଅବନୀ ଆଗରୁ ଶଗଡ଼ରେ ବାଉଁଶ ପାତର ପଟି ଦିଆ ଛାତ ତିଆରି କରି ତାକୁ ସଜେଇ ବାଜେଇ ରଖିଥିଲା ।

ମାଘ ଖରା ତା’ ଜାଡ଼-ବଳ ଦେଖେଇବା ଆରମ୍ଭ କରୁଥିଲା । ଲକ୍ଷ୍ମୀ ପିଲାଙ୍କୁ ଧରି ଆସି ଯାଇଥିଲା । ନାନୀ ଭାଇନା ଶଗଡ଼ ପାଖରେ ଆସି ବଳେଇବା ପାଇଁ ଠିଆ ହୋଇଥିଲେ । କିନ୍ତୁ ସଦାନନ୍ଦଙ୍କ ଦେଖା ନ ଥିଲା । ଲକ୍ଷ୍ମୀ ବାରମ୍ବାର ତାଙ୍କ ଘର ଆଡ଼କୁ ଯିବା ରାସ୍ତାକୁ ଚାହୁଁଥିଲା । ଏକ ଅଜଣା ଆଶଙ୍କାରେ ମୋ ମନ କୁହୁଳି ଉଠୁଥିଲା । ପଚାରିଲି, “ସଦାନନ୍ଦ କୁଆଡ଼େ ଗଲେ?”

ସେ ଟିକେ ଧୀର ସ୍ଵରରେ କହିଲା, “କେଜାଣି, ସକାଳୁ ଯାଇଛନ୍ତି । କିଛି କହି ନାହାନ୍ତି ।”

ଭାଇନା କହିଲେ, “ଆଉ କୁଆଡ଼େ ଯିବ? ଗଞ୍ଜେଇ ପିଢ଼କୁ !”

ଲକ୍ଷ୍ମୀ ତାଙ୍କୁ ଟିକେ ଆହତ ଚକ୍ଷୁରେ ଦେଖି କ’ଣ କହିବାକୁ ଯାଉଥିବା ବେଳେ ଦେଖାଗଲା, ସଦାନନ୍ଦ ତରତରରେ ଆମ ଆଡ଼କୁ ଆସୁଛନ୍ତି । ପାଖକୁ ଆସିଲା ପରେ ଦେଖାଗଲା, ତାଙ୍କ ହାତରେ ଗୋଟିଏ ସୁନ୍ଦର ପୁଟୁଳି ଅଛି ।

ଆସି ଲକ୍ଷ୍ମୀ ହାତକୁ ବଢ଼େଇ ଦେଇ କହିଲା ବେଳେ ତାଙ୍କ ହାତ ଗୋଡ଼ ଥରୁଥିଲା, “ଦେଖେ, ତୋ’ର ଶାଢ଼ୀ । ଯା’କୁ କହିଥିଲି, ସିଏ ଠିକଣା ସମୟରେ ଆଣିଲାନି । କେତେ କାଣ୍ଡ ହେଲା !”

ଅଦ୍ଭୁତ ! ନିଶ୍ଚୟ ସେ ବାହାଘର ଆଗ ରାତିର ଘଟଣା ସମ୍ବନ୍ଧରେ କହୁଥିଲେ ।

ତା’ପରେ ମୋ ଆଡ଼େ ଚାହିଁ ହାତ ଯୋଡ଼ି କହିଲେ, “ଧନ୍ୟବାଦ ଶେଖର ଭାଇ, ଲକ୍ଷ୍ମୀକୁ ଶାଢ଼ୀ ଆଣି ଦେବା ପାଇଁ ।”

ସଙ୍ଗେ ସଙ୍ଗେ ମୋ ମନରେ ଲକ୍ଷ୍ମୀର ଶାଢ଼ୀ ନେଲା ବେଳର କଥା ମନେ ପଡ଼ିଥିଲା– “କିନ୍ତୁ ମୁଁ ଯାହା ପାଇଁ ଶାଢ଼ୀ ନେବିନି କହୁଥିଲି, ତମେ ତାହା ବୁଝି ପାରିଲନି ।”

ତାଙ୍କ ଥରୁଥିବା ହାତକୁ ମୁଁ ଧରି ପାଖକୁ ଟାଣି ଆଣି ଭିଡ଼ି ଧରିଲି । ମୋ କାନ୍ଧରେ ଲାଗି ସେ କଇଁ କଇଁ ହୋଇ କାନ୍ଦିବାରେ ଲାଗିଲେ । ରାତ୍ରିର ସେହି ଅନ୍ଧକାରର ରାକ୍ଷସର ମନ ଯେ ଏତେ ଦୁର୍ବଳ ମୁଁ କଳ୍ପନା କରି ପାରୁ ନଥିଲି । ମୋତେ ଛାଡ଼ି ସେ ଆଖି ପୋଛିଲେ । ମୋ କାନ ପାଖରେ ଅତି ଧୀରେ କହିଲେ, “ଦେଖ, ମୁଁ ଆଜି ପିଇନି।”

ସତରେ ସେ ପିଇ ନ ଥିଲେ । ପାଟିରୁ କେବଳ ଜର୍ଦ୍ଦା ବାସ୍ନା ଆସୁଥିଲା । ସେଥିପାଇଁ ତାଙ୍କ ହାତ ଥରୁଥିଲା ।

କମଳାର ମୁଣ୍ଡ ଆଉଁଷି କହିଲେ, “ମାମୁଁ କିଏ ପଚାରୁଥିଲୁ ନା? ଦେଖେ ତୋର ତିନି ତିନିଟା ମାମୁଁ ।”

ସମ୍ବନ୍ଧ-ସମ୍ପର୍କରେ ଏକ ନୂଆ ସଂଜ୍ଞା ମୋ ସମ୍ମୁଖରେ ଆସି ଠିଆ ହୋଇଥିଲା । ଲକ୍ଷ୍ମୀ ଯାହା କହୁଥିଲା, ତାକୁ ଜୀବନରେ ପ୍ରୟୋଗ କରିଥିଲା । ମୁଁ କିନ୍ତୁ ପାରି ନଥିଲି । ଦୈହିକ ସମ୍ପର୍କ ଛଡ଼ା ସ୍ତ୍ରୀ ପୁରୁଷ ମଧ୍ୟରେ ଅନେକ ସମ୍ପର୍କର ବୀଜ ପୋତା ଯାଇ ପାରିବ ।

ମାନବିକ ସମ୍ପର୍କର ସମ୍ବନ୍ଧରେ ଏକ ସଂକୀର୍ଣ୍ଣ ବିଚାରର ଅନ୍ତ ଅବସରରେ ମୁଁ ମୋ ବନ୍ଧୁକୁ ଫେରି ପାଇଥିଲି । ବାସନାସିକ୍ତ ଭାବଧାରା ଭିତରେ ଧୀରେ ଧୀରେ ନୂତନ, ବିସ୍ତାରିତ ପ୍ରେମ ବିଚାରରେ ଅନ୍ତର୍ନିହିତ ଶୃଙ୍ଗାରିକ ଶଙ୍ଖ ନାଦର ଭାବ ତରଙ୍ଗ ପ୍ରତିଧ୍ଵନିତ ହେଉଥିଲା । ତା କୋଳରେ ମୁଁ ଶାନ୍ତ ଥିଲି । ପ୍ରଶାନ୍ତମୟ ଥିଲି । ଅନେକ ଅର୍ଦ୍ଧ ସତ୍ୟ ବିଚାରର ପଦଚିହ୍ନ ଅନୁଭୂତିର ଓଦା ବାଲି ଉପରେ ସମୁଦ୍ରର ଜୁଆର-ଭଟ୍ଟା ଖେଳରେ ଧୋଇ ହେବାକୁ ଲାଗିଥିଲା ।

ସମସ୍ତଙ୍କୁ ଛାଡ଼ି ଆମେ ବାହାରିଲୁ । ସଦାନନ୍ଦ ସେମିତି ଠିଆ ହୋଇଥିଲେ । ପଛ ଶଗଡ଼ର ଶଗଡ଼ିଆ ପଛରେ ମୁଁ ବସିଥିଲି । ଲକ୍ଷ୍ମୀ ଆଗ ଶଗଡ଼ର ପଛରେ ଆଣ୍ଠୁ ଉପରେ ମୁଣ୍ଡ ରଖି ତେଣ୍ଡା ଦେଇ ରାସ୍ତାକୁ ଦେଖୁଥିଲା । ତା’ ଆଗରେ ତା’ ଝିଅ ପଦ୍ମା, ଲକ୍ଷ୍ମୀକୁ ଜାବୁଡ଼ି ଧରି କମଳା ବସିଥିଲା ।

-: ସମାପ୍ତ :-

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।