You are currently viewing ଯୋସେଫାଇନ ଆଗୋ !
Odia Poem on Empress Joséphine (ଯୋସେଫାଇନ ଆଗୋ) by BIjaya Parida

ଯୋସେଫାଇନ ଆଗୋ !

ଆନତ ନୟନା ଯୋସେଫାଇନ ଆଗୋ !
ଝୁର ତୁମେ ଏକାକିନୀ
କପାଳରେ କର ନୟନରେ ନୀର
ଭାବେ ମଗ୍ନା ଅଭାଗିନୀ ।୧।

ମରାଳ ଗାମିନୀ ପଙ୍କଜ ନୟନୀ
ସୁନ୍ଦରୀ ଅନୁପମା
ରୂପ ରାଜି ତବ ସମୟ ପରଶେ
ମଳିନ ହୋଇନି ଜମା ।୨।

ଚନ୍ଦ୍ର ହଜିଛି ଦିଗନ୍ତର ବୁକେ
ନୀରବ ନିଶିଥ ରାତୀ
ଫରାସୀ ରାଜ୍ୟର ରାଜରାଣୀ ଆଗୋ !
କାହିଁ ଗଲେ ପ୍ରିୟ ସାଥୀ? ।୩।

ନିଜେ ନିଜ ପ୍ରେମେ ଚିର ବନ୍ଦିନୀ
ଥରି ଉଠେ ତନ ମନ
ଅମର ପ୍ରେମରୁ ତୁଟିଛି ଭରସା
ତୁଟିଛି ଚିର ବନ୍ଧନ ।୪।

ପ୍ରଣୟିନୀ ତୁମେ ନେପୋଲିଅନର
କରୁଣେ ଝୁରଇ ମନ
ଅଭିସାରିକା ଗୋ ! ସପନରେ ମଜ୍ଜି
ସାଜିଥିଲ ତୁମ ତନ ।୫।

ସହାସା ଆସିଲେ ତୁମରି ପ୍ରଣୟୀ
ମୁଖେ ଭରି ବିଷାଦତା
ନତ ଜାନୁ ହୋଇ ତୁମରି ଆଗରେ
କହି ଦେଲେ ମନ କଥା ।୬।

ଆହେ ମୋର ପ୍ରିୟା ! ଫାଟୁଅଛି ହିଆ
ମୋ ଅନ୍ତର ଫେଇବାକୁ
ଦିଅ ମୋତେ ଏବେ ତ୍ୟାଗପତ୍ର ଆଗୋ !
ରାଜବଂଶ ଗଢ଼ିବାକୁ ।୭।

ଅଷ୍ଟ୍ରିଆ ଦେଶର ରାଜକନ୍ୟାକୁ
ବିବାହ କରିବି ଯେବେ
ରାଜବଂଶ ରକ୍ତ ମୋ ସନ୍ତାନ ନେଇ
ଦାୟାଦ ହୋଇବ ତେବେ ।୮।

ଫରାସୀର ରାଜ ସିଂହାସନ ପାଇଁ
ମୋତେ କ୍ଷମା ଦିଅ ଆଜି
ତ୍ୟାଗ ପତ୍ରରେ ସ୍ୱାକ୍ଷର ଦେଇ
ହୋଇଯାଅ ତୁମେ ରାଜି ।୯।

ପାଷାଣୀ ପାଲଟି ଗଲ ତୁମେ ଶୁଣି
ମନ କଥା ମନେ ରଖି
ପ୍ରିୟର କଥାରେ ଦେଶ ହିତ ଭାବି
ଜାଣି ହାରିଗଲ ବାଜି ।୧୦।

ଚିନ୍ତାରେ ବୁଡ଼ିଲ ହାରିଅଛି ପ୍ରେମ
ରାଜ ରକତର ଆଗେ
କି ଯଶ ପାଇବ ଚାପି ଧରି ହୃଦେ
ପିରତୀ ହଜିଛି ଯେବେ ।୧୧।

ଲୋତକ ଝରାଇ ପିରତୀ କବର
ସଜାଇଲ ନିଜ ହାତେ
ତ୍ୟାଗ ପତ୍ରରେ ସ୍ୱାକ୍ଷର ତୁମେ
ତୋଳି ଦେଲ ସାଥେ ସାଥେ ।୧୨।

କାହିଁଗଲା ପ୍ରେମ କାହିଁଗଲ ତୁମେ
କାହିଁ ଗଲେ ତୁମ ସାଥୀ
ବିରଳ ପ୍ରେମର କରୁଣ କାହାଣୀ
ଇତିହାସ ଆଜି ସାକ୍ଷୀ ।୧୩ ।

– ବିଜୟା ପରିଡ଼ା

(ଫରାସୀ ବିପ୍ଳବ ପରେ ସାଧାରଣ ନାଗରିକ ହୋଇ ମଧ୍ୟ ନେପୋଲିଅନ ଓ ଯୋସେଫାଇନ ଫରାସୀର ସମ୍ରାଟ ଓ ସାମ୍ରାଜ୍ଞୀ ହୋଇଥିଲେ । ପରେ ଅବସ୍ଥା ଚକ୍ରରେ ପଡ଼ି ଯୋସେଫାଇନ୍‌ଙ୍କୁ ତ୍ୟାଗପତ୍ର ଦେବାକୁ ପଡ଼ିଥିଲା । ସେଇ ସମୟର କରୁଣ କାହାଣୀ ଉପରେ ରଚିତ ମୋର ଏଇ କବିତାଟି।)

The portrait of Empress Josephine included here is courtesy of Wikipedia.

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଜୟା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।