You are currently viewing ଅସହାୟ ମହାବଳ
ଅସହାୟ ମହାବଳ

ଅସହାୟ ମହାବଳ

ନିଶ୍ଚନ୍ତାର ପାଦଦେଶେ ହେଉ କିମ୍ବା ଆମ ଗାଁ ମଶାଣୀର ଦୂରେ ଥିବା ସେ ଗାଇଦାଣ୍ଡି କଇଁଆଧାଡ଼ି । ସେ ଯେବେ ତା’ ନିଶ ଫୁଲେଇ ବପୁ ଫୁତ୍କାରି, ରଢ଼ ନିଆଁ ଭଳି ଆଖି ଦୁଇଟିର ଡୋଳା ବାହାର କରି ଦୁମ୍ ଦୁମ୍ ହୋଇ ଚାଲେ, ଆମେ ଛୁଆପିଲା ସବୁ ଲୁଚିଯାଉ, କଣ୍ଟେଇ କୋଳି ତକ ଆମ ସାର୍ଟ ଏକ ବୋତାମ ଖୋଲା ଅଣ୍ଟିରୁ ବିଞ୍ଚିହୋଇପଡ଼େ ମଲା ଘାସ ଉପରେ । ବେକରେ ଘଣ୍ଟି ପଡ଼ିଥିବା ଓଲେଇ ଗାଈ ହେଉ କିମ୍ବା ଖୁରା ଖାଉଥିବା ଷଣ୍ଢ, ତା’ ସାମନାରେ ସବୁ ଛେଳି ।

ସେ ହେଉଛି ବାଘ । ‘ବାଘ ଦେହୁରୀ’ । ଆଜି ପଡ଼ିରହିଛି ନିଶ୍ଚନ୍ତାର ପାଦଦେଶେ ଏକ ପୋଡ଼ା ଜଙ୍ଗଲ ପୃଷ୍ଠଭୂମିରେ, ଦର ପୋଡ଼ା ନିଜ ଶରୀରକୁ ବେଖାତିର ନକରି ସାଉଁଳେଇଦେଉଥାଏ ଏକ ହେଟା ବାଘୁଣୀର ଶାବକ ଯୋଡ଼ିଙ୍କୁ ।

ଅନେକ ବର୍ଷ ତଳର ଘଟଣା । ମୋ ଜନ୍ମର ଦୁଇ ପୂର୍ବବର୍ଷ ! ନିଶ୍ଚନ୍ତା ଥିଲା ବନରାଜି ଘେରା ଢେଙ୍କାନାଳ-ଯାଜପୁର ସୀମାନ୍ତର ପୂର୍ବବର୍ତ୍ତୀ ଏକମାତ୍ର ପାହାଡ଼ । ଚତୁର୍ପାଶ୍ୱ ଘେରି ରହିଥିଲା ବିଶାଳ ଅମୂଲ୍ୟ ଘଞ୍ଚ, ଉଚ୍ଚ, ଜଙ୍ଗଲ ସବୁଜିମା ପରିବେଶର ମନମୁଗ୍ଧକର ଉପତ୍ୟକା । ନିଶ୍ଚନ୍ତା ପଶ୍ଚିମଦେଶ କୋଳେ ଏକ ବିଶାଳକାୟ ବୃକ୍ଷ ତଳେ ବିରାଜମାନ ‘ବାହୁତି ଦେବୀ’ । ଏବଂ ସେ ଦୂରବର୍ତ୍ତୀ ଜଙ୍ଗଲସଦୃଶ ମଝାମଝି ଉଙ୍କି ମାରିସାରିଥିଲେ ଅନେକ ଗାଁ । ସହରାଭିମୁଖୀ ଇଚ୍ଛୁକ ଗାଁ ! କିନ୍ତୁ ଷଢ଼ଙ୍ଗୀ ଫରେଷ୍ଟ ରେଞ୍ଜ ସୀମା ଅନ୍ତର୍ଭୁକ୍ତ ଢେଙ୍କାନାଳ ସୀମା ବାହାରେ ଘଟୁଥାଏ ନାହିଁ ନଥିବା ବିକାଶ । ଉଙ୍କି ମାରୁଥାଏ ଠାଏ ଠାଏ ପ୍ରଶସ୍ତ ମୋରମ ରାସ୍ତା, ଛୋଟ ବଜାର, ହାଟ ଏବଂ ତେଲ ଚାଳିତ ଯାନ ବାହାନ ।

ସେହି ସମୟରେ ସାରା ଢେଙ୍କାନାଳ ରେ ଉତ୍ପାତ କରୁଥିବା ନଛୋଡ଼ବନ୍ଧା ଏକ ମାତ୍ର ବାଘୁଣୀଟି ଭେଟିଥିଲା ବାହୁତି ଦେବୀଙ୍କ ଆସ୍ଥାନ ଦୂରବର୍ତ୍ତୀ ପ୍ରସ୍ଥର ଚାଟ୍ଟାଣ ଉପରେ, ବାଉରୀ ଦେହୁରୀକୁ । ସଦ୍ୟ ସକାଳର ବାତାବରଣରେ ଏକ ଲଙ୍ଗଳ ମୁଣ୍ଡି ନିମନ୍ତେ କାଷ୍ଠ ସଂଗ୍ରହ କରୁଥାଏ ବାଉରୀ । ବିଶାଳକାୟ ମସୃଣ ବପୁ କଅଁଳ ସୂର୍ଯ୍ୟ କିରଣ ଧାସରେ ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ ଭଳି ଦୂର ଖୋଲା ଅଞ୍ଚଳକୁ ନିର୍ଦ୍ବନ୍ଦେ ଦେଖାଯାଉଥାଏ । ଅନେକ ଲୋକ ପାରମ୍ପରିକ ଟାଙ୍ଗିଆ, ବର୍ଚ୍ଛା, ଫାର୍ଶା ଇତ୍ୟାଦି ଧରି ସନ୍ଧାନ କରୁଥାନ୍ତି କୁଟୁରା, ବାର୍ହା କିମ୍ବା ଝିଙ୍କ ଶିକାର । କିନ୍ତୁ ସେ ସବୁରୁ ନିବୃତ ବାଉରୀ ବ୍ୟସ୍ତ ଥାଏ ଲଙ୍ଗଳ ସକାଶେ ଏକ ମହି ବୃକ୍ଷର ବିଶାଳ କେନାଧାରୀ ଗଣ୍ଡି ପାଖରେ । ଚୋଟ ପଡ଼ୁଥାଏ ଧାଏଁ ଧାଏଁ, ଶାଳବେଣ୍ଟ ସହ କ୍ଷିପ୍ର ଗତିରେ ଚାଲୁଥିବା ଟାଙ୍ଗିଆ ଦାଢ଼ ଶବ୍ଦକୁ ବାଉରୀର ଅଧା ଜିଭ କଢ଼ା ମୁହଁରୁ ସଁ ସଁ ହୋଇ ବାହାରି ଆସୁଥାଏ ଅହିରାଜର ଗର୍ଜନ । ନିଶ୍ଚନ୍ତାର ସେ ଛୋଟ ଡୁବୁରୀଟି ଯେପରି ଭୂକମ୍ପ ସଦୃଶ କିଛି ଅଂଶ ଥରାଇ ଉଠୁଥାଏ ଟାଙ୍ଗିଆ ଚୋଟରେ । ଦୂରାନ୍ତରୁ କିଛି ବନ୍ୟପକ୍ଷୀ ଉଡ଼ିଯାଉଥାନ୍ତି ଭୟରେ, ଅନ୍ୟ ଉଚ୍ଚ ବୃକ୍ଷ ଶିଖରକୁ ।

ଶତାଧିକ ପକ୍ଷୀଙ୍କ କୋଳାହଳ ଏବଂ ମାଙ୍କଡ଼ ମାଙ୍କିଡ଼ିଙ୍କ ଭୟାତୁର ଆର୍ତ୍ତନାଦ ଶୁଣି ଅଣ୍ଟାର ଗାମୁଛାକୁ ଖୁବ୍ କଷ କରିନେଲା ବାଉରୀ । ଏସବୁର ପୂର୍ବଭାଷ ସହିତ ସେ ପୂର୍ବପରିଚିତ । ଡାହାଣ ହାତର ଟାଣ ଜାବ ପକେଇଲା ଟାଙ୍ଗିଆର ବେଣ୍ଟ ଶେଷ ଭାଗକୁ । କୋରେଇ ଓ ପୋକସୁଙ୍ଗା ମାଳ ଆଡ଼େଇ ଲୁଚକାଳି ଖେଳରେ ଧରା ପଡ଼ିଯାଇଥବା ଭଙ୍ଗୀରେ ବହାରିଆସିଲା ପୃଥଳକାୟ ବାଘୁଣୀଟିଏ । ବିଶାଳ ଅଳ୍ପଶ୍ୱେତ ଶିଳା ଉପରେ ଏ ଯୁଦ୍ଧର ଦୁନ୍ଦୁଭି ବଜାଇଥିଲା ନିଜେ ବାଉରୀ, ଚଉଡ଼ା ଛାତିରେ ଦୁମ୍ ଦୁମ୍ କରି ପିଟି ନିଜ ବାମହାତ ମୁଠାକୁ । ସେତେ ଅବା ବାଉରୀ ହାବୁଡ଼ରେ ବାଘୁଣୀ ପଡ଼ିଯାଇଛି ଏବଂ ଭାବୁଛି ଯଦି ଆଖି ପିଛୁଳାଏ ହୁଏତ ତା’ ଉପରକୁ ଲମ୍ଫ ମାରିବ ସାତ ଫୁଟର ଦୀର୍ଘକାୟ ମାନବ ରୂପଧାରୀ ଆଦିବାସୀ ବାଘଟିଏ ।

କିନ୍ତୁ ସେ ଥିଲା ଏକ ବାଘୁଣୀ, ମନୁଷ୍ୟ କେତେଯେ ଦୁର୍ଦ୍ଧନ୍ତ ହେଉନା କାହିଁକି ତା’ ପଶୁତ୍ବକୁ ଅକ୍ଷୁର୍ଣ୍ଣ ରଖିବାର ଗର୍ବେ ସେ ଲମ୍ପ ମାରିଲା ବାଉରୀର ସାହସ ସାମ୍ରାଜ୍ୟକୁ ଖିନଭିନ୍ କରିବା ନିମନ୍ତେ । ଆଉ ବାଉରୀ ! ଅଗଣିତ ବନ୍ୟଜନ୍ତୁଙ୍କୁ ନିଜ ଟାଙ୍ଗିଆ ଚୋଟରେ କଞ୍ଚା ମାରି ଭକ୍ଷଣ କରିଥିବା ମନୁଷ୍ୟ, କୌଣସି ମହାବଳ ବାଘ ଠାରୁ ବି ନ୍ୟୁନ ନଥିଲା ।

ପକ୍ଷୀଙ୍କ କୋଳାହଳ ତୀବ୍ର ଏବଂ ବାଉରୀର ଦୁମ୍ ଦୁମ୍ କାଠହଣା ଶବ୍ଦ ବିଲୀନ ଜାଣିପାରି ସଭିଏଁ ଶିକାରୀ ତୁରନ୍ତ ଦୌଡ଼ିଥିଲେ ସେ ବିଶାଳ ମହି ବୃକ୍ଷ ପାଖକୁ । ସେମାନେ ପହଞ୍ଚି ସ୍ୱଚକ୍ଷୁରେ ଯାହା ଦେଖିଲେ ଏବେ ତାହା କିମ୍ବଦନ୍ତୀ ହୋଇ ବୁଲୁଛି ଛାତି ମେଲେଇ ଆବାଳବୃଦ୍ଧବନିତାଙ୍କ ପାଖେ, ଲୋମହର୍ଷଣ ସତ୍ୟଆଧାରିତ କାହାଣୀ ରୂପେ ।

ରକ୍ତ ରଞ୍ଜିତ ହୋଇ ପଡ଼ିରହିଥିଲା ଟାଙ୍ଗିଆଟି ବାଉରୀ ହାତ ମୁଠାରେ । କିଛି ରକ୍ତ ରେ ବିଚିତ୍ର ଦେଖାଯାଉଥାଏ ଅଳ୍ପଶ୍ୱେତ ବିଶାଳ ପ୍ରସ୍ଥରଟି । ଏକ ମାହାଯୁଦ୍ଧର ଯୁଦ୍ଧଭୂମି ସଦୃଶ । ମହାବଳର ପଞ୍ଝାଘାତରେ ଆକ୍ରାନ୍ତ ହୋଇଥିଲା ବାଉରୀର ବାମ ଚିବୁକରୁ ଛାତି ଭେଦ କରି ଡାହାଣ ଅଣ୍ଟା ପର୍ଯ୍ୟନ୍ତ ଗହୀର କ୍ଷତ । ଦୁଇ ଯୋଦ୍ଧା କିନ୍ତୁ ଚେତାଶୂନ୍ୟ ହୋଇନଥିଲେ କିମ୍ବା ହାର୍ ମାନିନଥିଲେ । କ୍ଷତାକ୍ତ ଓ କ୍ଳାନ୍ତ ହୋଇ ନିଜ ନିଜ ବାଟେ ଚାଲିଯିବାକୁ ଆପୋଷ ବୁଝାମଣା କରିନେଇଥିଲେ ଯାହା ।

ତା ପରଦିନ ଷଢ଼ଙ୍ଗୀ ବନଖଣ୍ଡ ସୁରକ୍ଷାକର୍ମୀ ଆବିଷ୍କାର କରିଥିଲେ ଅରା ଗ୍ରାମ ପାଖ ନୂତନ ପଥର ଖଦାନରେ, ଆତ୍ମସମର୍ପଣ ସଦୃଶ ଏକ ବାଘୁଣୀକୁ । ତା’ ଲୁହଭର୍ତ୍ତି ଆଖି ଦୁଇରେ ବାରିହୋଇଥିଲା ଯନ୍ତ୍ରଣା ଓ ଭୟ । ସେ କୋଳେଇ ଧରିଥିଲା ଦୁଇଟି ନବଜନ୍ମିତ ଶାବକ । ଗୋଟିଏ ମୃତ ଗୋଟିଏ ଜୀବିତ ।

ବାଘୁଣୀ ହାବୁଡ଼ରୁ ବଞ୍ଚିଯାଇଥିବାରୁ ଶହଶହ ଲୋକ ଧାଇଁ ଥିଲେ ଦେଖିବାକୁ ବାଉରୀ କିଏ ! ସେବେଠୁଁ ଲୋକେ ଡାକିଲେ ବାଘ, ବାଘ ଦେହୁରୀ ।

ଦିନ ମାସ ଗଡ଼ିଚାଲିଲା । ଗ୍ରାମର ପୁରୁଖା ଆଦିବାସୀ ସିମ୍ବା ଦେହୁରୀ ଆଉ ଚାଲିବା ଯୋଗ୍ୟ ରହିଲେ ନାହିଁ । ଖଲି ମାରିଯାଉଥିବା ଗୋଡ଼, ଥର ଥର ହାତ ଓ କ୍ଷୀଣ ଶରୀର ନେଇ ଚାରି କ୍ରୋଶ ଦୂର ବାହୁତି ଦେବୀଙ୍କ ଆସ୍ଥାନ ପର୍ଯ୍ୟନ୍ତ ଖେପିଯିବା ତାଙ୍କ ପକ୍ଷେ ହୋଇଗଲା ଅସାଧ୍ୟ । ଗ୍ରାମ ସଭାରେ ସେ ଦାୟିତ୍ବ ନେଲା ବାଘ ଦେହୁରୀ ।

ସୂର୍ଯ୍ୟ ଦେବଙ୍କ ଆବିର୍ଭାବ ପୂର୍ବରୁ ସେ ପହଞ୍ଚିଯାଏ ନିଶ୍ଚନ୍ତାର ଘନଘୋର ବନ ପାହାଡ଼ର କୋଳେ । ଶୁଣାଯାଏ ତା’ ସାମନା ହୁଏ ଅନେକ ହେଟା ବାଘ, ଛାତି ଉଞ୍ଚା ଭାଲୁ, ପଞ୍ଝା ପଞ୍ଝା କୋକି ଶିଆଳ କିମ୍ବା ବେଳେବେଳେ ହାତୀ କେଇ ଘର ସହ । କିନ୍ତୁ ସେ କାହାକୁ ଡରେନା । ଛାତି ଫୁଲେଇ ଅକଡ଼ ଦେଖେଇ ଭୁସ୍ ଭୁସ୍ ହୋଇ ଚାଲେ । ଆମ ସାଙ୍ଗ ଭିତରୁ ଯିଏ ଲୁଚି ଲୁଚି ବିଡ଼ି ଟାଣେ ସେ କୁହେ ସବୁ ଜନ୍ତୁ କୁଆଡ଼େ ଚିହ୍ନିଦିଅନ୍ତି ତା’ ମୁହଁରୁ ଛାତି ଦେଇ ଅଣ୍ଟା ପର୍ଯ୍ୟନ୍ତ ସେ ବାଘୁଣୀ ନଖ ବିଦାର ଚିହ୍ନ । ହୁଏତ ସେଇଥିପାଇଁ ସେଗୁଡ଼ା ମାଈ ପାଲଟିଯାଆନ୍ତି । ତା’ କଥାକୁ ଆମେ ମାନୁ । କାରଣ କେଇଥର ସେ ବାଘ ଦେହୁରୀ ସହ ବିଡ଼ି ଟାଣିବା ଆମେ ଦେଖିଛୁ ।

ଦିନେ ଏକ ଚାପା ଗୁଞ୍ଜରଣ ଆମ ଗାଁ ସାରା ଭାସିଉଠିଲା । ଶୁଣିବାକୁ ପାଇଲୁ ବାଘ ଦେହୁରୀ ଆଉ ଶିକାର ଯିବାକୁ ମଙ୍ଗୁନାହିଁ । ଆମିଷ ହେଲେ ତାକୁ କୁଆଡ଼େ ବାନ୍ତି ଲାଗୁଛି । ଚିତା ଚଇତନ ମାରି ଦିନସାରା ବୁଲୁଛି ଏବଂ ବେଳେବେଳେ ସାରା ରାତି ନିଶ୍ଚନ୍ତାର ଜଙ୍ଗଲ ବଣ ଘେରା ମା ବାହୁତିଙ୍କ ପୀଠରେ ଭଜନ ଗାଉଛି । ସେଦିନ ସନ୍ଦ୍ୟା ପର ଟ୍ୟୁସନ ପରେ ଆମ ସାଙ୍ଗ ମନଦୁଃଖ କରି କହିଥିଲା ” ବାଘା ବଦଳି ଯାଇଛି କପିଳାସ ଚିଡ଼ିଆଖାନା ଦେଖି ଫେରିବା ପରେ । ଆଉ ବିଡ଼ି ବି ପିଉନାହିଁ, ଗୁଣ୍ଡି’ତ ଦୂରର କଥା ।”

କାହାଣୀଟି ଆଉ ଅଛପା ରହିଲା ନାହିଁ । ବାଘ ଦେହୁରୀ ଯାଇଥାଏ ସଂକ୍ରାନ୍ତିରେ ଦର୍ଶନ କରିବାକୁ ବାବା ଚନ୍ଦ୍ରଶେଖରଙ୍କୁ । ଫେରିଲା ବେଳେ ବୁଲିଯାଇଥିଲା ନନ୍ଦନକାନନ । ଏବଂ ଭେଟିଥିଲା ଏକ ବୃହତ ତା’ର ଜାଲିଘେରା ଭିତରେ ବୁଲୁଥିବା ସେଇ ବାଘୁଣୀ ଏବଂ ତା’ ଏକମାତ୍ର ଜୀବିତ ଛୁଆକୁ । ବାଘୁଣୀ କୁଆଡ଼େ ଚିହ୍ନିଦେଇଥିଲା ବାଉରୀ ଦେହୁରୀକୁ । ତା’ ଶିକାରୀ ଆଖି ଦୁଇଟି ଛଳଛଳ ହୋଇଯାଇଥିଲା ବାଘା ଦେହୁରୀର ନଖ ବିଦାର ଚିହ୍ନ ଦେଖି ! ତା’ ରକ୍ତମୂଖା ବିଶାଳ ମୁହଁରୁ ବାହାରି ଆସୁଥିଲା ଏକ କାକୁତିମୀନତିର ଚାପା ସ୍ୱର । ବାଘାକୁ ଲାଗୁଥିଲା ସେ ସ୍ୱର ବର୍ଷ ତଳର ଏକ ଗର୍ଭବତୀ ବାଘୁଣୀର । ଆଉ ସେ ଛଳଛଳ ଆଖି ଦୁଇଟି ବାଘାକୁ କୈଫିୟତ ମାଗୁଥାଏ ଏକ ନିରୀହ ମୃତ ସଦ୍ୟଜନ୍ମା ଶାବକର ।

ସେ ଦିନରୁ ବାଘା ଦେହୁରୀ ନିଜ ଭିତରେ ଖୋଜି ଚାଲିଲା ଆଉ ଏକ ବାଉରୀ ଦେହୁରୀକୁ ।

ସମୟ ଆହୁରି କ୍ଷିପ୍ର ଗତିରେ ବଦଳି ଚାଲିଥାଏ । ଧୀରେ ଧୀରେ ନିଶ୍ଚନ୍ତାର ପୂର୍ବ ଓ ପୂର୍ବୋତ୍ତର ଦିଗରେ ଅନେକ ପଥର କ୍ରସର ଦିନ ରାତି ପେଷିଚାଲିଥାନ୍ତି ନିଶ୍ଚନ୍ତାର ଅମୂଲ୍ୟ ରତ୍ନକୁ । ଜଙ୍ଗଲ ନଷ୍ଟ ହେଉଥାଏ । ଏବଂ ବଞ୍ଚିଥିବା ଅନେକ ଜୀବଜନ୍ତୁ ଦକ୍ଷିଣ ଓ ପଶ୍ଚିମ ପଟରେ ଆଶ୍ରା ନେଉଥାନ୍ତି ।

ଏକଦା ଖବର ଆସିଲା କି ଡଙ୍କାରୀ, ମହିଶରା, ନିତ୍ୟାନ୍ଦପୁର ଇତ୍ୟାଦି ଗ୍ରାମର ଅନେକ ଲୋକ ଆନ୍ଦୋଳନ କରୁଛନ୍ତି । ସମ୍ପୂର୍ଣ୍ଣ ଗ୍ରାମର ମାଟିତଳ ପାଣି ଏବଂ ବାୟୁ ଦୂଷିତ ହୋଇସାରିଛି । ଏ ଖବର ପାଇବା କ୍ଷଣି ସେଇ ରାତିରେ ବାଘା ଦେହୁରୀ ଆମ ଗାଁ ଏବଂ ଆଖପାଖ ଦୁଇ/ତିନି ଗାଁର ସରପଞ୍ଚ ସମେତ ଅନେକ ମୁଖିଆଙ୍କୁ ଡକେଇ ଅବଗତ କରେଇଥିଲା । କିନ୍ତୁ ତା’ କଥାକୁ କେହି ବି ଗୁରୁତ୍ୱ ଦେଲେନାହିଁ । କାରଣ ନିଶ୍ଚନ୍ତାର ସମ୍ପୂର୍ଣ୍ଣ ଉତ୍ତର ଓ ପଶ୍ଚିମ ଭାଗଟି ଢେଙ୍କାନାଳ ବନଖଣ୍ଡରେ ଅନ୍ତର୍ଭୁକ୍ତ ।

ଠିକ ଏହି ସମୟରେ ରତନପୁରରୁ ପିଙ୍ଗୁଆ ଯାହାକି ଏକମାତ୍ର ରାସ୍ତା ଶଢ଼ଙ୍ଗୀ ପାରହୋଇ ଢେଙ୍କାନାଳ ଯିବାକୁ, ଅତ୍ୟଧିକ ଅଦିନିଆ ବର୍ଷା ଯୋଗୁଁ ଅନେକ କ୍ଷତିଗ୍ରସ୍ତ ହୋଇପଡ଼ିଲା । ଯଦ୍ଦ୍ୱାରା ଢେଙ୍କାନାଳକୁ ଗମନାଗମନ ସୁବିଧା ଯାହା ଥିଲା, ପୁରା ଠପ୍ । ଏହାର ସୁଯୋଗ ଅଣ୍ଡାଳି କିଛି ଖନନ ମାଫିଆ ମେଳି ହୋଇ ନିଶ୍ଚନ୍ତା ପଶ୍ଚିମଦିଗର ଏକ ଛୋଟ ପଥର ବହୁଳ ଡୁବୁରୀକୁ ଧ୍ୱଂସ କରିବାର ପ୍ରବନ୍ଦ କରିସାରିଥିଲେ । ତାହା ଥିଲା ଜିଲା ପ୍ରଶାସନ କିଛି ଅଫିସରଙ୍କ ଗୋଚରରେ । ଏହାର ପ୍ରତିବାଦ କରିବାକୁ ଆଖ ପାଖରେ ନଥିଲା ଗାଁ, ଜଙ୍ଗଲ କିମ୍ବା ଚାଷ ଜମି । ଦୀର୍ଘ ଦଶନ୍ଧି ହେବ ନିଶ୍ଚନ୍ତା ଚତୁର୍ଦିଗ ଶ୍ୟାମଳ ଶୂନ୍ୟତା ଅନୁଭବ କରିସାରିଥିଲା ।

ଏହାର ପ୍ରଥମ ବିରୋଧୀ ଥିଲା ବାଘା ଦେହୁରୀ । ଆମ ସୋଲଗାଡ଼ିଆର ଏକ ରାସ୍ତା ବ୍ୟବହାର କରି ଶୀଘ୍ର ପହଞ୍ଚିପାରୁଥିଲା ଖନନ ମାଫିଆଙ୍କ କିଛି ଗାଡ଼ି । ତେଣୁ ଗ୍ରାମର ପ୍ରତ୍ୟକ ଘରେ ସେ ଗୁହାରି ଲଗାଏ, ଅଧିଆ ପଡ଼େ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ । କୌଣସି ସଭା ସମିତି କିମ୍ବା ଯାଗ ଯଜ୍ଞ ହେଲେ ମଧ୍ୟ ପୁରୁଖା ପୁରୁଖା କିମ୍ବା ଗାଁ’ର ଯୁବକ ସମୂହଙ୍କୁ ହାତ ଯୋଡ଼ି ଅନୁରୋଧ କରେ ସେ ଛୋଟ ଡୁବୁରୀଟିକୁ ବଞ୍ଚେଇବା ପାଇଁ । ହେଲେ ଏଥିପ୍ରତି କାହାର ଦୃଷ୍ଟି ଦୃଢ଼ ହେଉନଥାଏ । ଅନେକ ଯୁବକଙ୍କ ଲୋଲୁପ ଦୃଷ୍ଟି ଥାଏ ପଥର ଖଦାନ ଉପରେ । ସେଥିପାଇଁ ବାଘା ଦେହୁରୀ ଏକା ପଡ଼ିଯାଏ । ତଥାପି ସେ ସଂଗ୍ରାମ ଚଳାଏ ଅନ୍ୟ ଗାଁ ମାନଙ୍କର କିଛି ଆଦିବାସୀ ଲୋକଙ୍କୁ ମେଳ କରେଇ । କାରଣ ସେ ଅନୁମାନ କରିସାରିଥିଲା କି ଯଦି ସାମୂହିକ ଭାବେ ଖନନ ମାଫିଆଙ୍କ ଦୌରାତ୍ମ୍ୟ ବଢ଼େ ତେବେ ବନ ବିଭାଗ ମଧ୍ୟ ଏ ଅଞ୍ଚଳକୁ ଷଢ଼ଙ୍ଗୀ ଫରେଷ୍ଟ ଅଞ୍ଚଳରୁ ବାଦ ଦେଇପାରେ । ବିନା ଜଙ୍ଗଲର ଏ ଶୁଖିଲା ନିଶ୍ଚନ୍ତା କୁ କାହିଁକି ସରକାର ଜଙ୍ଗଲ ଅଞ୍ଚଳରେ ଗଣିବେ? ବରଂ ଖାଦାନ ହୋଇଉଠିଲେ ଆଖପାଖ ସମସ୍ତ ଅଞ୍ଚଳର ଉନ୍ନତି ହୋଇଉଥିବ ବୋଲି ଥରେ କୌଣସି ସ୍ଥାନୀୟ ନେତାଙ୍କ ଭାଷଣରେ ଶୁଣିବାକୁ ମିଳିଥିଲା ।

ଏପରି କିଛି ମାସ ଗଡ଼ିଗଲା । ଅନେକ ଲୋକେ ଦେଖିଆସିଲେ ବାଘା ଦେହୁରୀ ଅନେକ ରାତି କଟାଏ ବାହୁତି ଦେବୀଙ୍କ କୋଳେ । ତା’ ଭୟରେ ଖନନ ମାଫିଆ ଟିକେ ଡରୁଥିଲେ ପ୍ରାୟ, ସେଥିପାଇଁ ସେମାନଙ୍କ କାମ ବନ୍ଦ ଥାଏ ବୋଲି କିଛି ଲୋକ ମତ ଦେଉଥାନ୍ତି । ଏଥିପ୍ରତି ଢେଙ୍କାନାଳ ବନ ବିଭାଗ ଏବଂ ଜିଲା ଅଧିକ୍ଷକ ଥିଲେ ସମ୍ପୂର୍ଣ୍ଣ ନୀରବ । ଗୋଟିଏ ବାଘା ଦେହୁରୀ କଥା କିଏ ଶୁଣେ ଯେ?

କିନ୍ତୁ ସେଦିନ ସନ୍ଧ୍ୟା ଥିଲା ଆମ ଅଞ୍ଚଳ ଇତିହାସର ଏକ ହୃଦୟ ବିଦାରକ ସମୟ । ନିଶ୍ଚନ୍ତା କୋଳର ଅନତି ଦୂରେ ଥିବା ସେ ଛୋଟ ଡୁବୁରୀ ଖଣ୍ଡିକରୁ ଲହଲହ ଜିହ୍ଵା ଦେଖାଇ ଗିଳିଚାଲିଥାଏ ଏକ ସର୍ବଭସ୍ମୀଭୂତ ଅଗ୍ନି । ଆମେ ସମସ୍ତେ ଧାବମାନ ହେଲୁ ସେ ଦିଗକୁ । କିଛି ଲୋକ ବାଲ୍ଟି କିମ୍ବା ଗରା ସାହାଯ୍ୟରେ ଯେଉଁ କେତୋଟି ଅର୍ଦ୍ଧଦଗ୍ଧ ଜୀବଙ୍କୁ ରକ୍ଷା କରିଥାନ୍ତି ତାହା ଥିଲା ସେମାନଙ୍କ ଅପଚେଷ୍ଟା ମାତ୍ର । ଏବଂ ସେହି କୋଳାହଳ ବେଳେ କେହି ଜଣେ ଚିତ୍କାର କରିଉଠିଲା “ବାଘା ! ବାଘା ତା’ ଭିତରକୁ ଯାଉଛି, ତାକୁ ଅଟକାଅ !!!”

ଶହ ଶହ ଲୋକ ଧାଇଁଗଲେ ସେ ଦିଗକୁ । ଏକ ଅଳ୍ପ ଘଞ୍ଚ ଆବୃତ ଗୁମ୍ଫା ଆଡ଼କୁ । କିନ୍ତୁ ସେତେବେଳକୁ ବାଘା ପସିସାରିଥାଏ ଧୂଆଁ ଭର୍ତ୍ତି ସେ ଛୋଟ ଗୁମ୍ଫା ଭିତରେ । ଅନେକଙ୍କ ହୋ-ହାଲ୍ଲାରେ ପ୍ରକମ୍ପିତ ହୋଇ ଉଠୁଥାଏ ନିଶ୍ଚନ୍ତାର ପ୍ରତିଶବ୍ଦ । କାହାର ସାହସ ଜୁଟୁନଥାଏ ବାଘା ପଛେପଛେ ଧାଇଁଯିବାକୁ ଏବଂ ତାକୁ ଭିଡ଼ିଆଣି ଚେତାଇ ଦେବାକୁ ନିଆଁର ଭୟବହତା ।

ପ୍ରାୟ ଦଶ ମିନିଟ ପରେ ବାଘା ବାହାରିପଡ଼ିଥିଲା ସେ ଗୁମ୍ଫାରୁ । ସମ୍ପୂର୍ଣ୍ଣ ଉଲଗ୍ନ ଏବଂ ଅର୍ଦ୍ଧଦଗ୍ଧ ଶରୀର ନେଇ । ତା’ ହାତରେ ସମ୍ପୂର୍ଣ୍ଣ ବସ୍ତ୍ର ଗୁଡ଼ାହୋଇଥିଲା ଏବଂ ସେ କୋଳେଇ ଧରିଥିଲା ହେଟା ବାଘର ଦୁଇଟି ଶାବକଙ୍କୁ । ପୂର୍ଣ୍ଣ ସୁରକ୍ଷିତ ଥିଲେ ଦୁଇଟି ଛୁଆ । ନିଆଁଧାସ ବଳୟ ବାହାରକୁ ଅସୁଆସୁ ସେ ଟଳିପଡ଼ିଲା । ଶାବକ ଦୁଇଟି ତା’ କୋଳରେ ଥାଇ ଭୟପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଥାନ୍ତି ଆମ ସଭିଙ୍କୁ । ହାହାକାର ହୋଇଉଠିଲା ସମସ୍ତଙ୍କ ହୃଦୟ ।

ସେତେବେଳ ପର୍ଯ୍ୟନ୍ତ ଆସିନଥାଏ ଦମକଳ ବାହିନୀ ଲିଭେଇବାକୁ ମାଫିଆକୃତ ନିଆଁକୁ । ଘରପୋଡ଼ି ଭଳି ଭୟାନକ ପରିସ୍ଥିତିରେ ମଧ୍ୟ ଆମେ କେଭେଁ ଦେଖିନଥିଲୁ କି ଯାଜପୁର ଜିଲ୍ଲାରୁ କିମ୍ବା ଆମ ଜିଲ୍ଲାରୁ କୌଣସି ଦମକଳ ବାହିନୀ ଆସିବାର । ଆଦ୍ୟକାଳରୁ ଆମ ଜିଲ୍ଲାର ପ୍ରତ୍ୟକଟି ରାସ୍ତା ଅବହେଳିତ । ସହାୟ ଆସିଲେ ମଧ୍ୟ ପହଞ୍ଚିବା ସର୍ବଦା ବିଳମ୍ବ । ତେଣୁ ଦମକଳ ବାହିନୀ କିମ୍ବା ଆମ୍ବୁଲାନ୍ସ’କୁ ଅପେକ୍ଷା ନକରି ଏକ ଧଡ଼ା ସାହାଯ୍ୟରେ ଦୁଇକୋଷ ଆମ ଗାଁ ରାସ୍ତା ପର୍ଯ୍ୟନ୍ତ ନେବାକୁ ଚେଷ୍ଟା କଲାବେଳେ ତା’ ଚେତା ଫେରି ଆସିଲା । ଶାବକ ଦୁଇଟିକୁ ସେ ସାଉଁଳେଇ ପକୋଉଥାଏ ନିଜ ଶରୀର ଦୁଃଖକୁ ପ୍ରତ୍ୟାକ୍ଷ୍ୟାନ କରି । ଆଉ ତା’ ଶରୀରର ସେ ବାଘୁଣୀ ଦେଇଥିବା ଚିହ୍ନ ଗୁଡ଼ିକ ମଳିନ ପଡ଼ିଯାଇଥାଏ । ଶ୍ରାପ୍ୟ ମୁକ୍ତ ସଦୃଶ । ମୁଁ ବାରିପାରୁଥାଏ ଏକ ଅସହାୟ ମହାବଳର ଦୀର୍ଘଶ୍ଵାସ ।

ମୋ ଆଖିରୁ ଲୁହ ଝରି ଆସୁଥାଏ । ମନୁଷ୍ୟର ହିଂସ୍ର ଜୀବର ଦୁଇଟି ଦାୟାଦଙ୍କୁ ଏତେ ପ୍ରେମ କରିବା ପ୍ରଥମଥର ମୁଁ ଦେଖୁଥାଏ । ଏ ସ୍ନେହ ହୁଏତ ଦେଢ଼ବର୍ଷ ପୂର୍ବରୁ ତା’ ଦ୍ୱାରା ହୋଇଥିବା ପାପର ପ୍ରାୟଶ୍ଚିତ ନୁହେଁ ତ ! ହୁଏତ ସେ ବାଘୁଣୀର ନିରୀହ ଲୋତକପୂର୍ଣ୍ଣ ଏକ ସନ୍ତାନ ହରା ମାତୃତ୍ୱ ଆଖି ଦୁଇଟି ଆଜି କ୍ଷମା କରିଦେଇଥିବ ବାଘାର ଅଧାଜଳା ଶରୀରକୁ ।

କିଛି ଲୋକ କହୁଥାନ୍ତି ସେ ବଞ୍ଚିବ ନାହିଁ ! କିନ୍ତୁ ମୋ ମନ ମାନୁନଥିଲା । ବାଘା ଦେହୁରୀ କ’ଣ ମରିପାରେ? ଯିଏ ବାଘୁଣୀର ପଞ୍ଝାକୁ ସହିଯାଏ, ସେ କ’ଣ ଏଇ ନିଆଁ ଧାସରେ ମରିପାରେ !? ଅନେକ ଖନନ ମାଫିଆଙ୍କ ସହ ଯିଏ ଛାତି ଫୁଲେଇ ଏକାଏକା ଲଢ଼ିଯାଏ, ସେ କ’ଣ ମରିପାରେ? ହେଟା ବାଘ ଛୁଆକୁ ଯିଏ ନିଆଁରୁ ଟାଣିଆଣି ନୂଆ ଜୀବନ ଦେଇଥାଏ ସେ କ’ଣ ମରିପାରେ? ମୋର ପୂର୍ଣ୍ଣ ବିଶ୍ୱାସ ଥିଲା ବାଘା କେବେ ମରିପରେନା । ହଁ ଲହୁଲୁହାଣ ହୋଇପାରେ ।

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।