You are currently viewing ଫଣା
ଫଣା

ଫଣା

(୧)

ପ୍ରଚଣ୍ଡ ବେଗରେ ସୁଁ ସୁଁ ଶବ୍ଦରେ ପବନ ବହୁଥିଲା । କାହାର ଛାତ-ଛପରର ଟିଣଟିଏ ବାହାରେ ଉଡ଼ି ଯାଉଥିବାର ଭୟଙ୍କର ଦୃଶ୍ୟ ଦେଖି ସନାତନ ନିଜ ପାଖ ଆଖରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଖୋଜିଲେ । କୁଆଡ଼େ ସେ ଦେଖା ଯାଉ ନ ଥିଲେ । ଭିଡ଼ ଭିତରେ ନିଜ ପାଇଁ ସ୍ଥାନ ବାଛି ନେଇ କୋଡ଼ର ଛୁଆଟିକୁ ଜାବୁଡ଼ି ଧରି ବସିଥିବା ରମା ପାଖକୁ ଯାଇ ପଚାରିଲେ, “ଆଲୋ, ତୋ ଶାଶୁ କୁଆଡ଼େ ଗଲା?”

ଛୁଆଟିକୁ ଆହୁରି ଜୋରରେ ଭିଡ଼ି ଧରି ସେଁ ସେଁ ପବନରେ କାନ ବନ୍ଦ କରି ଦେଉଥିବା କାନ ଉପରକୁ କାନିକୁ ଭିଡ଼ି ଆଣି ରମା ବଡ଼ ପାଟିରେ କହିଲା, “ତମ ପୁଅକୁ ପଚାର । ମୁଁ ତ ତମଠୁଁ ଆଗରେ ପଳେଇ ଆସିଲି ।” କିନ୍ତୁ ରମା ଜାଣିଥିଲା, ଘର ଡିହ ନ ଛାଡ଼ିବାକୁ ଜିଦ୍ ଧରି ବସିଥିବା ଶାଶୁ ଶେଷ ମୂହୁର୍ତ୍ତରେ ନ ଆସି ପାରି ସେଇଠି ହିଁ ରହି ଯାଇଛନ୍ତି । ଡାକବାଜି ଯନ୍ତ୍ରରେ ବାରମ୍ୱାର ଘୋଷଣା ପରେ ବି ସେମାନେ ଘର ଛାଡ଼ିଲାବେଳେ ମାଟି କାନ୍ଥକୁ ଆଉଜି ବାହୁନି ବାହୁନି ତାଙ୍କ ସ୍ୱର୍ଗତା ଶାଶୁଙ୍କୁ ମନେ ପକାଇ କାନ୍ଦୁଥିଲେ ।

ଜଗନ୍ନାଥ ଜାଣନ୍ତି, ସେ ବଞ୍ଚିଛନ୍ତି କି ନାହିଁ ।

(୨)

ଶ୍ରୀମନ୍ଦିର ମିଞ୍ଜି ମିଞ୍ଜି ଅନ୍ଧାରୁଆ ଦୀପ ଆଲୁଅର ଗର୍ଭଗୃହ ଭିତରେ ବସି ବଡ଼ପଣ୍ଡା ମହାଶୟ ଏକାଗ୍ର ଚିତ୍ତ ହେବା ପାଇଁ ଚେଷ୍ଟା କରୁଥିଲେ । ଆଜି ତାଙ୍କ ପାଳି ଥିଲା ।

ଗତକାଲି ବାନା ଉଡ଼ିଗଲା ପରେ ଗହଳି ହେଲା, “ଶ୍ରୀମନ୍ଦିର ଉପରେ ଚିଲ ଉଡ଼ୁଛି । ଓଡ଼ିଶା ଉପରେ ଦୁର୍ୱିପାକର ଛାୟା ପଡ଼ିସାରିଛି । ପ୍ରଳୟର ପାଦଶବ୍ଦ ଶୁଣା ଯାଉଛି । ଅଚ୍ୟୁତାନନ୍ଦଙ୍କ ମାଳିକା ବାଣୀ ସତ ହେବ । ବାଇଶି ପାହାଚେ ମୀନ ଖେଳିବ ।”

ଆଜି ଦିନରେ ବାହାରକୁ ନ ବାହାରିବାକୁ ସ୍ତ୍ରୀଙ୍କ ପରାମର୍ଶକୁ ସେ ମାନି ନ ଥିଲେ । ସେ ସ୍ଥିର କରି ନେଇଥିଲେ, ଯାହାହେଲେ ବି ତାଙ୍କ ପୂଜା ବନ୍ଦ ହେବନି । ସେ ଭୋଗ ଲଗେଇବେ । ପ୍ରଭୁଙ୍କୁ ଅପୂଜା, ଅଖିଆ ରଖିବେନି । ପ୍ରଳୟ ଯଦି ହେବ ସେ ବି ପ୍ରଭୁଙ୍କ ସହ ବେଦ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଇଯିବେ ।

ଭୋଗ ରନ୍ଧା ହୋଇ ଆସିଲା ବେଳକୁ ଯେତେବେଳେ ବାହାରେ ପବନ ଆରମ୍ଭ ହୋଇଥିଲା, ବର୍ଷା ଚାଲିଥିଲା । ତାଙ୍କ ସହ ଆଉ କିଛି ସେବାସେବାୟତଙ୍କ ସହ ନିରନ୍ତର ବର୍ଷାପାଣିରେ ଗାଧୋଉଥିବା ଶ୍ରୀମନ୍ଦିର ଭିତରେ ତଥା ସେ ଗର୍ଭଗୃହ ଭିତରେ ଥିଲେ ।

ବାହାର କବାଟରେ କରାଘାତର ଶବ୍ଦ, “ନନା, କଳ୍ପବଟ ଭାଙ୍ଗିଗଲା, ନନା ସାକ୍ଷୀଗୋପାଳ ମନ୍ଦିର, ବରାହ ମନ୍ଦିର ଉପରେ ASIର ଭାଡ଼ା ପଡ଼ିଗଲା । ତମେ ସେ ଭିତରେ ରୁହନାହିଁ । କେତେବେଳେ ଦଧିନଉତି ଫାଟି ପାଣି ଭାସିବ ।”

ପିତ୍ତଳ କବାଟର ଗର୍ଭଗୃହ ବନ୍ଦ ଥିଲେ ମଧ୍ୟ ବାହାର ପବନର କରାଳ ଶବ୍ଦରେ ଛାତି କୋରି ହେଇ ଯାଉଥିଲା । କିନ୍ତୁ ପ୍ରଭୁଙ୍କ ଭଳି ବାହାର ଶବ୍ଦକୁ ଅଣଶୁଣା କରି ସେ ଅବିଚଳ ବସି ରହିଥିଲେ ।

ଗର୍ଭଗୃହ ଛାତର ଦଧିନଉତି ତଳୁ ବଢ଼ା ଭୋଗ ଉପରେ ପାଣି ଟପ୍‌ଟପ୍ ଗଳିବା ଆରମ୍ଭ ହେଲା । ଉପରକୁ ଚାହିଁଲେ ପୂଜକ । ନୀଳଚକ୍ର ଆଉ ଦୋହଲି ଗଲା କି? ଅଜଣା ଆଶଙ୍କାରେ ସେ ଉଦବେଳିତ ହୋଇ ଉଠିଲେ । ମନ ବିଚଳିତ ହୋଇଯାଏ ସତ, ତଥାପି ମାନବୀୟ ଦିବ୍ୟ ସମ୍ୱନ୍ଧକୁ ପ୍ରଦର୍ଶିତ କରିବା ପାଇଁ ସଂରକ୍ଷକ ଶକ୍ତିର ଅଦୃଶ୍ୟ ହସ୍ତ ଶାନ୍ତ ନୟନେ ଜୀବନ-ଗୃହରେ ଫଣାର ସୁରକ୍ଷାରେ ଉପସ୍ଥିତ ରହି ଥାଆନ୍ତି । ତରତର ହୋଇ ଚଳୁର ଆଞ୍ଜୁଳିକୁ ବଡ଼ପଣ୍ଡା ତା’ତଳେ ଧରି ରଖିଲେ ।

ଧ୍ୟାନମଗ୍ନ ହୋଇ ମନ୍ତ୍ରୋଚ୍ଚାରଣେ ଏକାଗ୍ରତା ଆଣୁଥିବା ଅବସ୍ଥାରେ ଧୀରେ ଧୀରେ ବଢ଼ି ଆସୁଥିବା ଆଞ୍ଜୁଳି ପାଣିରେ ପ୍ରଭୁଙ୍କ ପ୍ରତିଛବି ତାଙ୍କ ଆଖି ଆଗରେ ଭାସି ଉଠିଲା । ଆଖି ଆଗରେ କେନ୍ଦ୍ରୀଭୂତ ଚକାନୟନଙ୍କ ଚିରହାସ୍ୟ ସ୍ଥିତଧୀ ଉଜ୍ଜ୍ୱଳ ନୟନ ଯୁଗଳ । ସେ ସ୍ଥିର ନିଶ୍ଚିତ ହେଲେ, ନୀଳଚକ୍ରର ଭିତ୍ତିଭୂମି ଭଳି ଓଡ଼ିଆ ପରାକାଷ୍ଠା, ସନାତନ ଧର୍ମ ସୁରକ୍ଷିତ ଅଛି ।

ସେ ଉଠି ଦ୍ୱାର ଖୋଲିଲେ; ବାହାର ଜାଲୁଆ ଆଲୁଅରୁ ଶିରି ଶିରି ପବନ ଜଗମୋହନ ଭିତରକୁ ପଶି ଆସୁଥିଲା । ଅନ୍ୟ ସେବକମାନେ ତାଙ୍କୁ ଅପେକ୍ଷା କରି ରହିଥିଲେ ।

ବିଶ୍ୱନିୟନ୍ତାଙ୍କ ଉଦ୍ଦେଶ୍ୟରେ ଉଲ୍ଲସିତ ହୋଇ ଦୁଇ ହାତ ଯୋଡ଼ି ଗାଇ ଉଠିଲେ, “ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ।”

(୩)

ବର୍ଷା ଚାଲିଥିଲା ବେଳେ ହିଁ ସେ ପ୍ରସବ ଯନ୍ତ୍ରଣାରେ ଜର୍ଜରିତ ସୌମିତ୍ରୀକୁ ନେଇ ଡାକ୍ତରଖାନା ଆସି ଯାଇଥିଲା । ଘରେ ମୁରବୀ କେହି ନ ଥିଲେ । ଗର୍ଭବତୀ ହେବା ଜାଣିବା ପରେ ସୁରଜିତଙ୍କ ମାଆ କହିଥିଲେ ତାକୁ ତା’ ବାପଘରେ ନେଇ ଛାଡ଼ିଦେବା ପାଇଁ । ସୁରଜିତ ମନା କରିଥିଲା । ଭୁବନେଶ୍ୱରର ଡାକ୍ତରଖାନାର ସୁବିଧା ଛାଡ଼ି ଗାଁକୁ ନେଇ ସୌମିତ୍ରୀକୁ ଛାଡ଼ି ଆସିବା ପାଇଁ ତା ମନ ଡାକି ନ ଥିଲା । ସୌମିତ୍ରୀର ମାଆ କହିଥିଲେ ସେ ଠିକଣା ସମୟରେ ଏଠାକୁ ଆସିଯିବେ ।

କିନ୍ତୁ ଯନ୍ତ୍ରଣା ନିର୍ଦ୍ଧାରିତ ତାରିଖ ଆଗରୁ ହିଁ ଅକସ୍ମାତ ଭାବେ ଆରମ୍ଭ ହୋଇ ଯାଇଥିଲା । ମିଥ୍ୟା ଯନ୍ତ୍ରଣା (ପ୍ରସବ ଜନିତ ନୁହେଁ) ଭାବି ସୌମିତ୍ରୀ ଡାକ୍ତରଖାନା ଆସିବାକୁ ମନା କରୁଥିଲା । ସୁରଜିତ କିଛି ଶୁଣି ନ ଥିଲା । ଆମ୍ୱୁଲାନ୍ସ ଡାକି ତାକୁ ଜବରଦସ୍ତି ଆଣି ଦେଇଥିଲା । ଯନ୍ତ୍ରଣା କମି ତ ନ ଥିଲା । ବରଂ ବର୍ଷାର ଗତି ସହିତ ବଢ଼ି ଚାଲିଥିଲା ।

ଭୁବନେଶ୍ୱର ଉପକଣ୍ଠର ଡାକ୍ତରଖାନା ଭିତର କୋଠରୀଟି ସୁରକ୍ଷିତ ପରିବେଶରେ ଥିଲା । ଅର୍ଥାତ୍ କବାଟ ଝରକା ସବୁ ପ୍ରସାଦ ଭିତରେ ହିଁ ଥିଲା । ସୌମିତ୍ରୀ ଅଣନିଶ୍ୱାସୀ ଯନ୍ତ୍ରଣାର ଉଛ୍ୱାସରେ ଛଟପଟ ହେଉଥିଲା । ସୁରଜିତ ପକ୍ଷରେ ତାକୁ ସାନ୍ତ୍ୱନା ଦେବା ଛଡ଼ା ଅନ୍ୟ କିଛି ଉପାୟ ନ ଥିଲା ।

ସୁରଜିତ ସରକାରୀ କାର୍ଯ୍ୟାଳୟରେ କାମ କରୁଥିଲା । ଚନ୍ଦ୍ରଭାଗାରେ ଭୂମିପତ୍ତନ ହେଲା ବେଳେ ଭୁବନେଶ୍ୱରରେ ଫୋନିର ପ୍ରଭାବ କମ ରହିବ ବୋଲି ସରକାର ଘୋଷଣା କରୁଥିଲେ । ଏମିତି ତ ଭୁବନେଶ୍ୱରର ବର୍ଷାର କିଛି ଠିକ୍ ଠିକଣା ନ ଥାଏ । ତା’ ସହ ପବନର ଅସମ୍ଭାଳ ଗତି । ସହସା ପବନର ଗତି ଅଧିକରୁ ଅଧିକ ହେବାରେ ଲାଗିଥିଲା ।

ବାହାରେ ଅବିରତ ବର୍ଷା ଚାଲିଥିଲା । କୋଠରୀରେ ଥିବା ସମସ୍ତେ ସେହି ଯନ୍ତ୍ରଣାରୁ ମାଆଟିକୁ ମୁକ୍ତି ଦେବା ପାଇଁ ଚେଷ୍ଟିତ, ଚିନ୍ତିତ ଥିଲେ । ବାହାରର ଗତିବିଧି ସେମାନଙ୍କ ମନରେ ପଶି ପାରୁ ନ ଥିଲା । ସହସା ବାହାରେ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଲା । ତା’ସହ ସୌମିତ୍ରୀର ଚିତ୍କାର ବି ବନ୍ଦ ହେଇଗଲା ।

ନର୍ସ ଜଣକ ଦୌଡ଼ି ଦୌଡ଼ି ଆସି ଡାକ୍ତର ବାବୁଙ୍କୁ ଖବର ଦେଲେ, ଡାକ୍ତରଖାନାର ଆମ୍ୱୁଲାନ୍ସଟି ଓଲଟି ଯାଇଛି । ବ୍ୟସ୍ତ ହୋଇ ସୁରଜିତ ଡାକ୍ତରଙ୍କୁ ଚାହିଁଲା । ହସ ହସ ଡାକ୍ତରଙ୍କ ହାତରେ ସଦ୍ୟ ଜନ୍ମିତ ଶିଶୁଟିଏ । ନର୍ସ ଆଗେଇ ଆସି ତା ନାହି କାଟିବାରେ ଲାଗିଲେ । ଦୌଡ଼ିଯାଇ ସୌମିତ୍ରୀଙ୍କ ମୁହଁ ଭିଡ଼ି ଧରି ସୁରଜିତ କଇଁ କଇଁ କାନ୍ଦି ଉଠିଲେ । ତାଙ୍କ କାନ୍ଦ ଦେଖି ଦର ହସିଲା ମୁହଁରେ ସୌମିତ୍ରୀ କହିଲେ, “ମୋତେ ନୁହେଁ, ଆମ ଝିଅକୁ ଧର ।” ଗାଧୋଇବାକୁ ନେଲାବେଳେ ନର୍ସ କହିଲେ,

“ଫନି ଆସିଛି, ଫନି ।”
ସୌମିତ୍ରୀ ହସି ଦେଇ କହିଲେ, “ଫନି ନାହିଁ, ଫଣା ।”

ପରମାଣୁରୁ ମନୁଷ୍ୟ ପର୍ଯ୍ୟନ୍ତ, ଅବୋଧ ନିର୍ଜୀବ କଣିକାରୁ ବିଶ୍ୱର ଉଚ୍ଚତମ ଅସ୍ତିତ୍ୱ ପର୍ଯ୍ୟନ୍ତର ମାନବୀୟ ଆତ୍ମା ସ୍ୱାଧୀନତା ନିମନ୍ତେ ସଂଘର୍ଷରତ । ବାହାରେ ଫଣି ମଧ୍ୟ ବନ୍ଧନର ଘେରିରୁ ମୁକୁଳି ଯିବା ନିମନ୍ତେ ତାର ବିସ୍ତାରପୂର୍ବକ କାୟାରେ ଫଣା ଟେକି ଗର୍ଜନ କରୁଥିଲା ।

(୪)

ସମସ୍ତ ବିଗ୍ରହମାନଙ୍କର ପହଡ଼ ସରିଲା ପରେ ବନ୍ଦ ସିଂହଦ୍ୱାରର ପିତ୍ତଳ କବାଟ ପଛରେ ଖାଁ ଖାଁ ଗୋଡ଼ାଉଥିବା ଅସଂମ୍ମୂଢ଼ ଭାବର ମନ୍ଦିର ପରିସରରେ କେବଳ ସୌରଶକ୍ତି ନିଓନର ରାତ୍ରି ଆଲୁଅ ମିଞ୍ଜି ମିଞ୍ଜି ହୋଇ ଦେଖା ଯାଉଥିଲା । ଦିନ ସାରାର ରଥଯାତ୍ରା ପାଇଁ ପହଣ୍ଡି ଜନିତ ଘଣ୍ଟପିଟା କୋଳାହଳ ପରେ ନୀରବ ନିଥର ପାଲଟି ଯାଇଥିଲା ଶ୍ରୀମନ୍ଦିର ।

ଭିତ୍ତିପ୍ରସ୍ତର କାନ୍ଥର କଡ଼େକଡ଼େ ମନ୍ଦିର ସ୍ୱ-ସାୟାର ପରିଧି ଭିତରେ ସେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବାକୁ ଚେଷ୍ଟା କରୁଥିଲା ।

– କିଏ?

ବଜ୍ରକଣ୍ଠର ପ୍ରଶ୍ନରେ ତତକ୍ଷଣାତ ସେ ପାଦ ଉପରେ ବସିପଡ଼ି ଉପରକୁ ଚାହିଁଲା ।

– ମୁଁ ଜଣେ ଓଡ଼ିଆ ।
– ଏଇଠି କ’ଣ କରୁଛୁ?
– ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛି ।
– ସେ ତ ଏବେ ଆଉ ଆସିବେନି । ଦ୍ୱାଦଶୀ ପରେ ଦେଖି ପାରିବୁ ।
– ତା’ହେଲେ ମୁଁ ତାଙ୍କ ପିଢ଼ ଜଗି ବସିଥିବି ।
– ମୁଁ ପରା କାଳ ଭୈରବ, ପ୍ରଭୁଙ୍କ ରତ୍ନ ସିଂହାସନ ରକ୍ଷକ ।
– ତା’ହେଲେ ମୁଁ ବେଢ଼ା ଜଗିବି ।
– ତା ବି ସରିଛି । ଦେଖେ, ବେଢ଼ା ବେଢ଼କାଳୀ ଜଗିଛନ୍ତି ।

ଆଙ୍ଗୁଳି ଯେଉଁଆଡ଼େ ଉଠିଥିଲା, ସେ ଆଡ଼କୁ ସେ ଦୃଷ୍ଟି ନିକ୍ଷେପ କଲା । ଦକ୍ଷିଣ ଦ୍ୱାର ମୁହଁ ଅନ୍ଧାରରେ ବି ତାଙ୍କ କୃଷ୍ଣକାୟ ଚେହେରାଟିର ଘନନୀଳ ଚିକ୍ ଚିକ୍ ଚକ୍ଷୁ, ରକ୍ତାଭ ଜିହ୍ୱା ବାରି ହୋଇ ପଡ଼ୁଥିଲା । ଭୟଭୀତ ହୋଇ ଲୋକଟି ଚିତ୍କାର କରି ଉଠିଲା ।

ନିଜର ଚିତ୍କାରର ସିତ୍କାରରେ ତାଙ୍କର ନିଦ ଭାଙ୍ଗି ଯାଇଥିଲା । ଅତି ଭୟଙ୍କର ସ୍ୱପ୍ନ ଥିଲା । ଆଖି ପାଇଲା ଯାଏଁର ବାୟୁକଣିକାରେ କଳା କିଟିକିଟି ଅନ୍ଧାରର କାଳିମାରେ ଲେପି ଯାଇଥିବା ଆଲୁଅକୁ ସେ ବାରିବାକୁ ଚେଷ୍ଟା କରୁଥିଲେ ।

ଫଣିର ତାଣ୍ଡବଲୀଳା ପବନରେ ରାସ୍ତାଘାଟ ଉପରେ ତା’ର ସହ ବିଜୁଳିଖୁଣ୍ଟ, ମୋବାଇଲ ଟାୱାର ବଡ଼ ବଡ଼ ଗଛମାନ ଲେଉଟି ପଡ଼ି ଯାଇଥିଲେ । ବର୍ଷା ବହୁ ସମୟଯାଏଁ ଚାଲିଥିଲା । ସହର ବାହାରକୁ ଯିବା ରାସ୍ତା ବନ୍ଦ ହେଇ ଯାଇଥିଲା । ଅନେକ ଚେଷ୍ଟା ପରେ ବି ଘରୁ ସ୍ତ୍ରୀ ପିଲାଙ୍କ ଖବର ମିଳି ପାରି ନ ଥିଲା । ମନରେ ଅହେତୁକ ଭୟ ଘର କରି ଯାଇଥିଲା । ଏମିତି ତ ସେ ସପ୍ତାହରେ ଦିନକ ପାଇଁ ଘରକୁ ଯିବାକୁ ସୁଯୋଗ ପାଉଥିଲେ । କିନ୍ତୁ ସେ ଦିନର ପରିସ୍ଥିତି ଭିନ୍ନ ଥିଲା ।

ସେ ଖାଇବାକୁ ପାଇ ପାରି ନ ଥିଲେ । ଡାକ୍ତରଖାନାର ରୋଗୀ ଦେଖା କୋଠରୀରେ ହିଁ ଡାକ୍ତର ରହି ଯାଇଥିଲେ । ରାତି ହେବା ଆଗରୁ ଡାକ୍ତରଖାନା ପାଖରେ ରହୁଥିବା ନର୍ସ ଜଣକ ରୁଟି ତରକାରୀ ଆଣି ଦେଇଥିଲେ । ଖାଇ ଦେଲା ପରେ ମାନସିକ ପରିଶ୍ରାନ୍ତ ଜନିତ କଷ୍ଟରେ ଲାଗି ଯାଇଥିବା ଆଖି ଉତ୍କଟ ସ୍ୱପ୍ନ ଦର୍ଶନରେ ଆପଣାଛାଏଁ ଖୋଲି ଯାଇଥିଲା । ତାଙ୍କ ଚତୁର୍ଦିଗର ସୀମାହୀନ ନିର୍ଜନତାରେ ଶୂନ୍ୟ ହୃଦ ପଞ୍ଜରା ଭିତର ରଡ଼ ନିଆଁର ଖଣ୍ଡେ ଦୀର୍ଘଶ୍ଵାସ ତଥା ବାହାରେ ଝିଙ୍କ ସ୍ୱନ, ବେଙ୍ଗ ରଡ଼ିରେ କୁହୁଁଳୁ ଥିବା ବ୍ୟାପ୍ତ ଅନ୍ଧକାର ସୂଚାଉ ଥିଲା ଯେ ଫଣା ରୂପେ ଦଣ୍ଡକାଳୀଙ୍କ ଉତାଙ୍ଗ ଉଦଣ୍ଡ ନୃତ୍ୟ, ଦଣ୍ଡୁଆ ଶିବଙ୍କ ଉପରଦେଇ ଚାଲି ଯାଇଥିଲା ।

ଅଳ୍ପ କେତେ ଅପବାଦ ସତ୍ତ୍ୱେ ହିନ୍ଦୁମାନେ ସେମାନଙ୍କ ଶରୀରକୁ ଯନ୍ତ୍ରଣା ଦେଲା ଭଳି ସଂସ୍କୃତି ପାଳନ କରି ଥାଆନ୍ତି । ଏହାର ବଳିଷ୍ଠ ଉଦାହରଣ ଦଣ୍ଡନାଟ ଅଟେ । ଦଣ୍ଡନାଟ ପାଳନର ଶେଷ ପର୍ଯ୍ୟାୟରେ ଦଣ୍ଡୁଆମାନେ ରାତିର ଭୋଜନ ନେଇ ସାରିଲା ପରେ ଉପାସରେ ଥିବା ଦୀପଜଗିଆ ପୂଜକ ଦଣ୍ଡକାଳୀଙ୍କ ବେଶରେ ଅସଂମୂଢ଼ ଭାବରେ ଝୁଣାଗନ୍ଧ, କାହାଳୀ ଓ ଢୋଲ ସ୍ୱରର ନାଦରେ ଚଳଚଞ୍ଚଳ ହୋଇ ଉଠନ୍ତି ।

ପଟ୍ଟଚିତ୍ର ଜନିତ ଚିତ୍ରକଳାର ସୌନ୍ଦର୍ଯ୍ୟ ବୋଧ ମାଧ୍ୟମରେ ନିରାକାର ଓ ଅସୀମଙ୍କୁ ଆଧ୍ୟାତ୍ମିକତା ସ୍ତରରେ ଚିହ୍ନଟ କରିବାରେ ଭାରତୀୟ କଳାର ନିରନ୍ତର ପ୍ରୟାସର ଅବିରତ ଯାତ୍ରାରେ, ଆଧ୍ୟାତ୍ମିକି ଉଚ୍ଚାଟେ ଉତ୍ତେଜିତ କାଳୀଙ୍କ ପଟ୍ଟଚିତ୍ର ବେଶଧାରୀ ପୂଜକଙ୍କ ଫେଣିତ ଇଛାଯୁକ୍ତ ତୀବ୍ର ଉତାଙ୍ଗ ନୃତ୍ୟ ଢୋଲର ତାଳେ ତାଳେ ଉତ୍ଥାନପାଦର ନାଚ ଶରୀରକୁ ଅବଶ କରିଦିଏ ।

ପରିବ୍ୟାପ୍ତ ଅନ୍ଧକାରରେ ନିସ୍ତବ୍ଧତାର ସ୍ୱର ଗାୟନରେ ପାହାନ୍ତି ପହର ପବନର ସ୍ପର୍ଶ ହେତୁ ଶରୀରରେ ଶିହରଣ ଆସେ । ଲୋମକୂପ ଟାଙ୍କୁରି ଉଠେ । ସଂହାରିକାର ପଟ୍ଟଚିତ୍ର, କାଳିକା ବେଶର ନୃତ୍ୟ ଏଭଳି ଅଭିନୟର ରୂପାନ୍ତରିତ ମଞ୍ଚ ହିଁ ହୋଇଥାନ୍ତି ।

ଫଣିର ତାଣ୍ଡବଲୀଳା ଭଳି ଯେ କୌଣସି ଅହେତୁକ ପ୍ରାକୃତିକ ବିଭୀଷିକା ମାଧ୍ୟମରେ କର୍ମରେ ସୁରକ୍ଷା-ଶକ୍ତି ସଞ୍ଚାର ନିମନ୍ତେ କର୍ତ୍ତାଙ୍କର ଶକ୍ତି ପ୍ରଦର୍ଶନର ନିଖୁଣ ଓ ତୀବ୍ର ଅଭିନୟ ଥିଲା ।

– ପ୍ରମୋଦ କୁମାର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।