You are currently viewing ବାପା : ତ୍ୟାଗର ଅନ୍ୟନାମ
Odia Story Bapa (ବାପା : ତ୍ୟାଗର ଅନ୍ୟନାମ) by Roja Panda

ବାପା : ତ୍ୟାଗର ଅନ୍ୟନାମ

କାର୍ଯ୍ୟାଳୟରେ ପୁରା ଦିନର କର୍ମ ବ୍ୟସ୍ତତା ଭିତରେ ମୁଁ ଆଜି ଠିକ ବୁଝିପାରୁଥିଲି ଜଣେ ଅନନ୍ୟ ବ୍ୟକ୍ତିତ୍ୱଙ୍କ ପରିଶ୍ରମ, ତ୍ୟାଗ ଆଉ ଦାୟିତ୍ୱକୁ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି “ବାପା” । ମୋର, ଆପଣମାନଙ୍କର, ସମସ୍ତଙ୍କର “ବାପା” । ଯାହାଙ୍କ ବିନା ସବୁକିଛି ଅର୍ଥହୀନ, ନିସ୍ୱ । ଏହିସବୁ ଭାବନାରେ ପହଁରୁ ପହଁରୁ ହରି ମଉସା କଫି ନେଇ ମୋ ଚାମ୍ବର ଭିତରକୁ ଆସିଲେ । ତାଙ୍କ ହାତରୁ କଫି କପଟି ନେଇ ମୁଁ ପିଇବାକୁ ଲାଗିଲି । ଅଫିସରେ ପ୍ରୋଜେକ୍ଟ ଫାଇଲର ବୋଝ ଆଉ କମ୍ପୁଟରର ତୀବ୍ର ଲାଇଟ୍ ସାଙ୍ଗକୁ ନୂଆ ନୂଆ କେମିକାଲ ମିଶ୍ରଣ ପ୍ରକ୍ରିୟାର ଲାବ୍ରୋଟେରୀ ଭିତରେ ମୁଣ୍ଡଟା କାହିଁକି ଭାରି ଭାରି ଲାଗୁଥିଲା । ଏମିତି ଏକ ବିରକ୍ତିକର ପରିସ୍ଥିତିରେ ମନ ଖୋଜୁଥିଲା ଗରମ ଗରମ କଫି କପେ । ଯାହା ହେଉ ହରି ମଉସା ମନକଥା ବୁଝି ଠିକ ସମୟରେ କଫି କପଟିକୁ ବଢ଼ାଇଦେଲେ । ହରି ମଉସା କଫି ଦେଇ ବାହାରକୁ ଯିବାକୁ ପ୍ରୟାସ କରନ୍ତେ ମୁଁ ପଛରୁ ଡାକି ପଚାରିଲି, “ମଉସା ଆପଣ କ’ଣ ପୂଜାଛୁଟି ନେଇନାହାନ୍ତି କି? କହୁଥିଲେ ପୂଜାରେ ଛୁଟି ନେଇ ପିଲାମାନଙ୍କୁ ଦେଖିବାକୁ ଯିବେ । ହେଲେ କ’ଣ ହେଲା? ଆପଣ ଏଯାଏଁ ଡିଉଟି କରୁଛନ୍ତି । ଆଉ ଦୁଇଦିନ ରହିଲା ପୂଜା । ଘରପାଇଁ କିଛି କିଣାକିଣି କରିବାକୁ ଯାଇନାହାନ୍ତି କି?” ମୋ କଥା ଶୁଣି ମଉସା ମୁହଁ ଶୁଖେଇ ଉତ୍ତର ଦେଲେ, “ନାଁ, ଛୁଟି ନେବିନି, ବଡ଼ ବାବୁ କହୁଥିଲେ ଛୁଟି ନେଲେ ପଇସା କଟିବ । ଗୋଟିଏ ଦିନର ପଇସା କଟିଗଲେ ମୋ ପିଲାଛୁଆ ହଇରାଣ ହେଇଯିବେ ।” ଏତିକି କହି ହରି ମଉସା ଚାଲିଗଲେ । ମଉସା ସିନା ଚାଲିଗଲେ କିନ୍ତୁ ମୋ ମନଭିତରେ ଗୁଡ଼ାଏ ପ୍ରଶ୍ନ ଛାଡ଼ିଦେଇଗଲେ । ସେ ବି କାହାର ବାପା । ପିଲାଙ୍କ ପାଇଁ ଏଠି ବିନା ଛୁଟିରେ କାମ କରୁଛନ୍ତି ପୁରା ଦିନ । ଏ ଦୁନିଆ ସବୁବେଳେ ମାଆର ଜୟ ଜୟକାର କରେ କାରଣ ମାଆ ଜନ୍ମ ଦେଇଥାଏ ବୋଲି । ନଅ ମାସ ଗର୍ଭରେ ରଖିଥାଏ ବୋଲି । କିନ୍ତୁ କେହି କେବେ ଭାବିଛନ୍ତି ଯେ, ମାଆ ସିନା ନଅ ମାସ ଗର୍ଭରେ ରଖେ ପିଲାକୁ ଜନ୍ମ ଦେବାପାଇଁ ହେଲେ ଜଣେ ବାପା ପୁରା ଜୀବନ ପିଲାକୁ ନିଜ ମୁଣ୍ଡ ଭିତରେ ରଖେ ପିଲାର ଭବିଷ୍ୟତ ପାଇଁ । ମାଆ ରୋଷେଇ ଘରେ ଆମ ପାଇଁ ଯେଉଁ ଖାଦ୍ୟ ପ୍ରସ୍ତୁତ କରନ୍ତି ତାହା ଆମେ ଖୁସିରେ ଖାଇ ମାଆ ଆମର ଅର୍ଣ୍ଣଦାତ୍ରୀ ବୋଲି ଭାବୁ । ହେଲେ କ’ଣ କେବେ ଆମ ମନକୁ ଆସିଛି ଯେ ଯେଉଁ ଖାଦ୍ୟ ମାଆ ମାତ୍ର ଗୋଟିଏ ଘଣ୍ଟା ପରିଶ୍ରମ କରି ତିଆରି କରିଥାନ୍ତି ସେଇ ଖାଦ୍ୟର ଯୋଗାଡ଼ ପାଇଁ ଆମ ବାପା ତାଙ୍କର ପୁରା ଦିନ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । ବାପା ଏକ ଅବ୍ୟକ୍ତ ଶବ୍ଦର ଅସ୍ପଷ୍ଟ ଅକ୍ଷର । ଯାହାଙ୍କ ଆଶ୍ରୟର ବଳୟ ଭିତରେ ଥିଲେ ଲାଗେ ଯେମିତି ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନରେ ଆମେ ଅଛୁ । ଯାହାଙ୍କ ସାମ୍ନାରେ ସବୁ ଚିନ୍ତା, ଦୁଃଶ୍ଚିନ୍ତାର ଅନ୍ତ ହୁଏ । ଯାହାଙ୍କ ତାଗିଦ ଓ କଠୋରତା ପାଇଁ ଆମେ ଛୋଟ କଢ଼ିଟିଏରୁ ସୁନ୍ଦର ପ୍ରସ୍ଫୁଟିତ ଫୁଲଟିଏ ହେଇ ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ପାଇଥାଉ ।

ଦୁନିଆର ସବୁଠୁ ଶକ୍ତିଶାଳୀ ଶବ୍ଦ ହେଉଛି “ବାପା” । ଯାହା କେବଳ ଏକ ଶବ୍ଦ ନୁହେଁ, ହୃଦୟର ସାହସ । ଆମ ମନରେ ଉଙ୍କି ମାରୁଥିବା ସମସ୍ତ ଇଛାମାନଙ୍କୁ ଜୀବନ୍ତ ରୂପ ଦେଉଥିବା ଜଣେ ଭିନ୍ନ ଯାଦୁଗର । ବାପା କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଅନନ୍ୟ ଅନୁଭବ ।

ଆଜି ଅଫିସରେ ଏଇ ଆଠ ଘଣ୍ଟିଆ ଡିଉଟିର ଥକା ଭିତରେ ମୁଁ ଠିକ ଅନୁଭବ କରିପାରୁଛି ଜଣେ ବାପାଙ୍କର ତ୍ୟାଗ ଆଉ କଷ୍ଟ । ମାଆ ସିନା କୋଳରେ ଧରିଥାଏ ନିଜ ସନ୍ତାନକୁ ଯାହା ଦୁନିଆର ନଜରକୁ ଆସିଯାଏ ହେଲେ ବାପା ଦୁନିଆର ନଜର ଆଢ଼ୁଆଳରେ ରହି ମଧ୍ୟ ମାଆ ଆଉ ସନ୍ତାନ ଉଭୟଙ୍କ ଭାରି ବୋଝକୁ ମୁଣ୍ଡରେ ମୁଣ୍ଡାଇ ପାଣି, ପଥର, କଣ୍ଟା ସବୁକିଛି ଅତିକ୍ରମ କରି ଚାଲିଥାନ୍ତି ଜୀବନ ରାସ୍ତାରେ ଆଗକୁ । କେବେ ତାଙ୍କ କ୍ଷତାକ୍ତ ପାଦର ଯନ୍ତ୍ରଣାକୁ କିଏ ଅନୁଭବ କରିଛ କି? ଆଜି ଯେତେବେଳେ ଅଫିସରେ ମାତ୍ର ଅଳ୍ପ ସମୟ ମଧ୍ୟରେ ମଧ୍ୟାନ ଭୋଜନ ସାରିବାକୁ ଉପର କର୍ମଚାରୀଙ୍କଠାରୁ ଆଦେଶ ଆସୁଛି ସେତେବେଳେ ପିଲାବେଳ କଥା ଖୁବ ମନେପଡ଼ୁଛି । ପିଲାବେଳେ ଯେତେବେଳେ ମାଆ ଆଉ ମୁଁ ଘରେ ଟିଭି ଲଗେଇ ବିଭିନ୍ନ ପ୍ରକାର ଖାଦ୍ୟ ଆରାମରେ ବସି ଖାଉଥିଲୁ ସେତେବେଳେ ବାପା ନିଜ ଅଫିସରେ ମାତ୍ର ସ୍ୱଳ୍ପ ସମୟରେ ନିଜ ଖାଇବା ଶେଷ କରି କାମରେ ଲାଗିପଡ଼ୁଥିଲେ । ଆମେ ମାଆ ଆଉ ମୁଁ କାମ ସାରି କିଛି ସମୟ ବିଶ୍ରାମ ନେଉଥିଲୁ ସେତେବେଳେ କିନ୍ତୁ ବାପା ଗୋଟିଏ ଚେୟାର ଉପରେ ବସି ଅଫିସରେ ପୁରା ଦିନ କାଟିଦେଉଥିଲେ । ବାପା ସାରା ଜୀବନ ବିନା ବିଶ୍ରାମରେ କାଟୁଥିଲେ । ମାଆ ସିନା ଘରେ ସନ୍ଧ୍ୟାରେ ବହି, ସିଲଟ ଧରି ପାଠ ପଢ଼ାଉଥିଲେ ହେଲେ ବାପା ସେଇ ବହି, ସିଲଟ କିଣିବାପାଇଁ ଆଉ ସ୍କୁଲ ଦରମା ଦେବାପାଇଁ ପୁରାଦିନ ଅନ୍ୟ ପାଖରେ ଗୁଲାମୀ ଖଟୁଥିଲେ ।

ମାଆ ସିନା ଆମ ଶୋଇବା ପାଇଁ ମଖମଲି ଶେଯ ପକାଇଦେଉଥିଲେ କିନ୍ତୁ ବାପା ଆମକୁ ସୁଖ ନିଦ୍ରା ଦେବା ପାଇଁ କେଉଁ ଏକ କୋଣରେ ତଳେ ଶୋଇଯାଉଥିଲେ । ମାଆ ସିନା ସ୍ନେହ କରୁଥିଲେ କିନ୍ତୁ ବାପାଙ୍କ ତାଗିଦ ଆଉ ଗାଳି ଫଳରେ ଆଜି ଆମେ ଏତେ ଉପରେ ପହଞ୍ଚି ପାରିଛେ । ମାଆ ସିନା ସାବିତ୍ରୀ ପୂଜାରେ ମାମୁଁଘରୁ ଆସିଥିବା ନୂଆ ଲୁଗା ପିନ୍ଧିବାର ସୁଯୋଗ ପାଇଥାନ୍ତି କିନ୍ତୁ ବାପା ସବୁ ପୂଜା ତାଙ୍କ ଅଫିସରେ କାଟିଦିଆନ୍ତି ଅଧିକା ଦରମାର ଆଶାରେ, ମାଆ ଆଉ ଆମମାନଙ୍କ ପାଇଁ ନୂଆ କିଛି କିଣିବାର ଅଭିଳାଷାରେ । ମାଆ ସିନା ସ୍କୁଲ ଯିବାକୁ ରେଡ଼ି କରାନ୍ତି କିନ୍ତୁ ବାପା ଧୂଉ ଧୂଉ ଖରାରେ ଆମକୁ ମୁଣ୍ଡାଇ ସ୍କୁଲରେ ଛାଡ଼ି ଆସନ୍ତି । ଦୁଇବେଳା ମାଆ ଖାଇବା ପ୍ରସ୍ତୁତ ପାଇଁ ସକ୍ଷମ ହୁଅନ୍ତି କେବଳ ବାପାଙ୍କ ପାଇଁ କାରଣ ଏଇ ଦୁଇ ବେଳାର ଖାଦ୍ୟ ବ୍ୟବସ୍ତା ପାଇଁ ବାପା ପୁରା ଜୀବନ ନିଜ ରକ୍ତକୁ ପାଣି କରି ପରିଶ୍ରମ କରିଥାନ୍ତି । ମାଆ ଯେଉଁ ପରିବା ଆଉ ସଉଦା ବ୍ୟବହାର କରନ୍ତି ରୋଷେଇ ପାଇଁ ସେଇ ପରିବା ଆଉ ଘରର ସଉଦାପତ୍ର କିଣିବାପାଇଁ ବାପା ଖରା, ବର୍ଷା ଆଉ ଶୀତ କାକରରେ ଦୋକାନ ଦୋକାନ ବୁଲିଥାନ୍ତି ଏବଂ ଘରକୁ ଫେରିଥାନ୍ତି ବିଲକୁଲ ଜଣେ କୁଲି ରୂପରେ । ପିଠି, ହାତ ଆଉ ମୁଣ୍ଡରେ ଆମପାଇଁ ସଉଦା ଓ ପରିବା ବୋହି ।

ବାପା ସମସ୍ତଙ୍କ ଦାୟିତ୍ୱର ଭାରି ବୋଝକୁ ମୁଣ୍ଡାଇ ମୁଣ୍ଡାଇ କେତେବେଳେ ଯେ ଅଣ୍ଟା ଭାଙ୍ଗି ବୁଢ଼ା ହୋଇଯାଆନ୍ତି ଆଉ ଆମେ ସେସବୁକୁ ନପରଖି ବାପାଙ୍କର ବାର୍ଦ୍ଧକ୍ୟ ଆସିଗଲା ବୋଲି ଅନୁମାନ କରିଥାଉ । ବାପା ହସନ୍ତି ଖୁବ କମ୍ କିନ୍ତୁ ଆମମାନଙ୍କ ଓଠରେ ହସର ଲହରୀ ଛୁଟାଇବା ପାଇଁ ସେ ଅବିରାମ ପ୍ରୟାସରତ ।

“ବାପା” ହେଉଛନ୍ତି କେତେଟା ଜୀବନ ସବାର ହେଉଥିବା ପରିବାର ରୂପକ ଡଙ୍ଗାର ଜଣେ କୁଶଳୀ ନାଉରି ।

ଗାଲରେ ଚାପୁଡ଼ାଟିଏ ବସିଲେ ମାଆ’ଲୋ ବୋଲି ପାଟିରୁ ବାହାରିପଡ଼େ ସିନା କିନ୍ତୁ ରାସ୍ତାରେ ବଡ଼ ଟ୍ରକ କି ବସ୍‌ଟିଏ ସାମ୍ନାକୁ ଆସିଗଲେ ବାପା’ଲୋ ବୋଲି ପାଟିରୁ ବାହାରିପଡ଼େ । କାହିଁକି ନାଁ ଛୋଟ ଛୋଟ ବିପଦରେ ମାଆ ମନେପଡ଼େ ସିନା କିନ୍ତୁ ବଡ଼ ବଡ଼ ବିପଦ ଆସିଲେ କେବଳ ବାପା ହିଁ ମନେ ପଡ଼ନ୍ତି । ବାପା ଏମିତି ଏକ ବରଗଛ ଯାହାର ଶୀତଳ ଛାଇରେ ପୁରା ଦୁନିଆ ଆଶ୍ରୟ ନିଏ । ଅଫିସରେ ପୁରା ଦିନ ଗୋଟିଏ ଚୌକିରେ ବସି କାମ କରିବାର କଷ୍ଟ ମାଆ ନୁହେଁ ବରଂ ବାପା ହିଁ ଭଲ ଭାବରେ ବୁଝିପାରିବେ । ଏତିକିବେଳେ ଫୋନ ବାଜିଉଠିଲା । ଆରପଟୁ ଶୁଣାଗଲା, “ଅଫିସରୁ ବାହାରିଲୁଣି, ନାଁ ଏଯାଏଁ କାମ ସରିନି?” ମୁଁ ଉତ୍ତରରେ କହିଲି, “ହଁ ବାପା ।”

– ରୋଜା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୋଜା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।