You are currently viewing ବିଦଗ୍ଧ ସ୍ୱର
Odia Poem Bidagdha Swara (ବିଦଗ୍ଧ ସ୍ୱର) by Roja Panda

ବିଦଗ୍ଧ ସ୍ୱର

ପଦେ ମିଠା କଥା, କେଇ ବୁନ୍ଦା ଆନନ୍ଦାଶ୍ରୁ
କାଣିଚାଏ ପ୍ରେମ ଆଉ କିଛିଟା ବିଶ୍ୱାସ
ବାସ ଏତିକି କଣ ଯଥେଷ୍ଟ ନୁହେଁ
ଜୀବନ ବଞ୍ଚିବା ପାଇଁ…

ଅଭଙ୍ଗ, ସଭଙ୍ଗ ଆଉ ଭଙ୍ଗାଭଙ୍ଗର
ଅଳଙ୍କାର ଭିତରେ
ଗୁଜ୍ଜରୀ ଛନ୍ଦକୁ ନେଇ, ରାଗ ଭୈରବୀରେ
ରସର ତାଳେ ତାଳେ
ଗୀତଟିଏ ଗାଇବା ପାଇଁ…

ଜୀବନ କ’ଣ ଏତେ କଣ୍ଟକିତ ସତରେ?
ପ୍ରତିଟି ପାଦରେ କ’ଣ କେବଳ
ଯନ୍ତ୍ରଣାର ବିଦଗ୍ଧ ସ୍ୱର?
ନା କେବଳ ଆମେ ହିଁ କରିଛେ
ଏହାକୁ ଅନନ୍ୟ ଅପରୂପ ସୁନ୍ଦରରୁ
କଦର୍ଯ୍ୟ, ନୈରାଶ୍ୟ ଓ କଦାକାର…

ତେବେ ଜୀବନ ଯଦି ଆମର
ତାକୁ କିପରି ଭାବେ ଗଢ଼ିବା
ସେ ଗୁରୁ ଦାୟିତ୍ୱ ବି ଆମର
କୁସୁମରେ ସଜାଇ ସୁବାସିତ ସୁଗନ୍ଧେ
ଭେଟି ଦେବା ଜୀବନକୁ ଆଉ ଏକ
ଅତୁଳନୀୟ ସୁସଜ୍ଜିତ ମଲ୍ଲହାର…

ଏହା ହିଁ କାମନା ମୋର, ତୁମର ଆଉ
ଆମ ସଭିଙ୍କର…

– ରୋଜା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୋଜା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।