You are currently viewing ମୋ ଗାଁ ଡାକୁଛି
Odia Poem Mo Gaon Dakuchhi (ମୋ ଗାଁ ଡାକୁଛି) by Samita Sahoo

ମୋ ଗାଁ ଡାକୁଛି

ସେ କହୁଛି ଗାଁକୁ ଫେରିଆ
କହୁଛି – ରାସ୍ତାସବୁ ପକ୍କା ଏବେ
ଆଉ କାଦୁଅ ହଉନି
ଆଉ ବିଜୁଳି କଟୁନି
ଓଦା ଗୋବର ଲିପା ଚଟାଣକୁ
ଘୃଣାକରୁ ପରା ! ଏବେ ତ ପକ୍କା ଘର,
ତୁ କ’ଣ ଆସିବୁନି?

ଗାଁ କେତେ ବଦଳି ଗଲାଣି
ଆଉ କ’ଣ ଥିବ ସେ ନଳକୂଅ
କଳଙ୍କି ଧରିଥିବ ମୋ ବାଟ ଚାହିଁ ଚାହିଁ,
ନାଇଁ, ଏବେ ତ ସବୁ ଘରେ ବୋରୱେଲ୍
ତାକୁ ସବୁ ଭୁଲି ଯିବେଣି ।

ଆଉ ଭିଡ଼ ଜମୁନି
ପୋଖରୀ ତୁଠେ କି ନଈ କୂଳେ,
ଆଉ ପାହୁଡ଼ ମାଜୁନି କେହି
ସେ ତୁଠ ପଥରରେ,
ବୋଧହୁଏ ଶିଉଳି ଲାଗିଯିବଣି ।

ଘରେ ଘରେ ପଙ୍ଖା ଏବେ
ଖରାବେଳେ ଆସର ହଉନି
ଆମ୍ଵଗଛ ମୂଳେ, ଦାଣ୍ଡ ପିଣ୍ଡାରେ…
ଆଉ କ’ଣ ଅଗଣାରେ ଶୋଇ ପାରିବି,
କାହାଣୀ ଶୁଣି ପାରିବି
ଜହ୍ନ ମାମୁଁ ଦେଖି ଦେଖି
କହ ମୁଁ ଗାଁ’କୁ ଫେରିଯିବି…

– ସମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।