You are currently viewing ଅପଦାର୍ଥ
Odia story Apadartha (ଅପଦାର୍ଥ) by Sudhanshu Diwedi

ଅପଦାର୍ଥ

ଯେତେବେଳେ ମଣିଷର କିଛି ପିଲା ନହୁଅନ୍ତି ସେ କ’ଣ ନାଇଁ କ’ଣ କରିବସେ । ପ୍ରଥମେ ନିଜେ ଓ ନିଜ ସ୍ତ୍ରୀର ଚିକିତ୍ସକୀୟ ପରୀକ୍ଷା କରେ । ସେଥିରେ କୌଣସି ଅପ୍ରୀତିକର ପରିସ୍ଥିତି ବାହାରିଲେ ନିରାଶା ହୋଇ ଅନ୍ୟ ଉପାୟ ଲୋଡ଼େ । ବନ୍ଧୁ, ପରିଜନ, ସାଇ, ପଡ଼ୋଶୀ ଉପଦେଶ ଦେଇ କହନ୍ତି, “ଅମୁକ ମନ୍ଦିରକୁ ଯାଅ, ପୂଜା ଅର୍ଚ୍ଚନା କର, ନିଶ୍ଚୟ ପିଲା ହେବ ।” କେହି କେହି କେତେକ ମନ୍ତ୍ର ଉଚ୍ଚାରଣ କରିବାକୁ ମଧ୍ୟ ଉପଦେଶ ଦିଅନ୍ତି ।

ଶଶାଙ୍କ ଓ ସରିତା ଏତେସବୁ କରୁକରୁ ଥକି ହାରି ଯାଆନ୍ତି । ତଥାପି ମସଜିଦରେ ମଜାର ଚଢ଼ାନ୍ତି । ମନ୍ଦିରରେ ପୂଜା ଅର୍ଚ୍ଚନା କରନ୍ତି । ବାବାଙ୍କ ଆଶ୍ରମକୁ ଯାଇ ପରାମର୍ଶ ଲୋଡ଼ନ୍ତି । ଶେଷରେ ଭଗବାନ ଦୁହିଁଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୁଅନ୍ତି । ଦିନେ ପୁଅଟିଏ କୋଳ ମଣ୍ଡନ କଲା ଶଶାଙ୍କ ଓ ସରିତାର ଛୋଟ ସଂସାର ଭିତରେ । ପୁଅର ନାଁ ରହିଲା ସମର । ସମର ସ୍କୁଲ ଯିବାକୁ ଲାଗିଲା । ମା’ ବାପା ସ୍ୱପ୍ନ ଦେଖିଲେ ତାଙ୍କ ପୁଅ ଡାକ୍ତର, ଇଞ୍ଜିନିୟର, ଆର୍କିଟେକ୍, ପ୍ରଶାସନିକ ବଡ଼ ଅଫିସର ହେବ ।

ଦୁହିଁଙ୍କ ଭାବନାକୁ ସାକାର କରି ସମର ଦିନେ ବଡ଼ ଅଫିସର ପଦରେ ଅଧିଷ୍ଠିତ ହେଲା । ମା’ ବାପା ପୁଅର ଗୌରବରେ ଗୌରାବାନ୍ୱିତ ହେଲେ । କ୍ରମଶଃ ଶଶାଙ୍କ ଓ ସରିତା ବୟସାଧିକ ହୋଇଗଲେ । ଆଖିକୁ ଠିକଭାବେ ଦେଖାଗଲା ନାହିଁ । କେତେ ପ୍ରକାର ରୋଗ ଗ୍ରାସ କଲା । ଔଷଧ ଖର୍ଚ୍ଚ ଓ ହସ୍ପିଟାଲ ଯିବା ଆସିବା ଅହରହ ଲାଗିରହିଲା । ସମର ଧନଗର୍ବୀ ହୋଇ ଶିଳ୍ପପତି ଶ୍ୱଶୁରଙ୍କ ଅଲିଅଳି ଝିଅ ସୁଗନ୍ଧାର କୁପରାମର୍ଶରେ ନିଜ ମା’ ବାପାଙ୍କୁ ଉପେକ୍ଷା କଲା । ଫଳସ୍ୱରୂପ ଶଶାଙ୍କ ସରିତା ଜୀବନରେ କଳା ବାଦଲ ଛାଇ ରହିଲା । ପରିବାର ମଧ୍ୟରେ ଅଶାନ୍ତିର ମୋଡ଼ ଉଗ୍ର ରୂପ ଧରିଲା । ରୋଗିଣା ମା’ ବାପାର ଡାକ୍ତରୀ ଚିକିତ୍ସାରେ ଅବହେଳା ହେଲା । ସ୍ୱଳ୍ପ ପେନସନ ପାଉଥିବା ଶଶାଙ୍କ ଡାକ୍ତରଙ୍କ ଖର୍ଚ୍ଚ, ମେଡ଼ିସିନ ଖର୍ଚ୍ଚ ପୁଣି ଦୁହିଁଙ୍କ ଖର୍ଚ୍ଚକୁ ହିସାବ କରୁ କରୁ ୧୫ ତାରିଖ ବେଳକୁ ଶୂନ୍ୟହସ୍ତ ହୋଇଯାଆନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗ ଦୁହିଁଙ୍କ ପାଇଁ ଅସହିଷ୍ଣୁ ହୋଇପଡ଼େ । ଯେଉଁ ରୁମ୍ ଭିତରେ ଦୁହେଁ ରୁହନ୍ତି ତାହା ହିଁ ତାଙ୍କ ଦୁନିଆ ହୋଇଯାଏ । ପୁଅ ବୋହୂଙ୍କ ନିକଟକୁ ଆସୁଥିବା ବନ୍ଧୁ ପରିଜନ ଦୁହିଁଙ୍କୁ ସାକ୍ଷାତ କରିବାକୁ ଦିଆଯାଇନାହିଁ । ଖାଇବା ପିଇବାରେ ମଧ୍ୟ କଞ୍ଜୁସ ପ୍ରବୃତ୍ତି ପ୍ରୟୋଗ କରାଯାଏ । କେବେ କେବେ ଭୋକରେ ଦିନ କାଟିବାକୁ ଆଦେଶ ମିଳେ । ପୁଅ ବୋହୂ ବନ୍ଧୁ ପରିଜନଙ୍କୁ କହନ୍ତି, “ବୁଢ଼ାବୁଢ଼ୀ ଆଉ କାହା ସହ ମିଶିବାକୁ ପସନ୍ଦ କରୁନାହାନ୍ତି । ସେଇ ରୁମ୍ ହିଁ ତାଙ୍କ ଦୁନିଆ ।”

ହେଲେ ମା’ ବାପା ମନ ମଧ୍ୟରେ ଅସୁମାରୀ ଆଶା ବାନ୍ଧିଥାନ୍ତି ଘରେ ହେଉଥିବା ଉତ୍ସବରେ ସାମିଲ ହୁଅନ୍ତେ, ସଭିଙ୍କ ସହିତ ମିଶନ୍ତେ, କଥା ଗପରେ ମଜନ୍ତେ, ଏମିତି ଅନେକ ଅନେକ… କିନ୍ତୁ ତାଙ୍କ ଆଶା ନିରାଶା ହୋଇଯାଏ ଆଜିର ସକାଳରୁ ଆସନ୍ତା କାଲିର ସକାଳଯାଏ ।

ସବୁଠୁ ଖରାପ ସମୟ ଆସେ ଯେତେବେଳେ ପୁଅ ବୋହୂ ଶଶାଙ୍କ ଓ ସାରିତାକୁ ମାନସିକ ପ୍ରତାଡ଼ିତ କରିବା ପରେ ବି ଶାରୀରିକ ଯାତନା ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଶେଷରେ ଦୁହେଁ ବୃଦ୍ଧାଶ୍ରମର ଆଶ୍ରୟ ନିଅନ୍ତି । ନିଜ ଭଗ୍ୟକୁ ନିଜେ ନିନ୍ଦି କହିହୁଅନ୍ତି, “ଏଭଳି ଦିନ ଦେଖିବା ପାଇଁ କଣ ଏତେସବୁ ବାର-ବ୍ରତ, ଉପାସ-ମାନସିକ କରି ପୁଅ ଜନ୍ମ କରିଥିଲୁ?” କିନ୍ତୁ ଅପଦାର୍ଥ ପୁଅ ମା’ ବାପାର ସାୟାହ୍ନ ଜୀବନରେ ମଉଜ ମସ୍ତିରେ ଦିନ ଗଣେ ତା’ ପରିସ୍ଥିତି ଆସିବାଯାଏ ।

– ସୁଧାଂଶୁ ଶେଖର ଦ୍ୱିବେଦୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।