You are currently viewing ଶାଶୁ ମାଆ
Odia Poem Sashu Maa (ଶାଶୁ ମାଆ) by Himanshu Bhusan Sahu

ଶାଶୁ ମାଆ

ବାସର ରାତିର ପରଠାରୁ ରାତ୍ରୀ ତା’ ଶାଶୁକୁ ହାଡ଼େ ହାଡ଼େ ଚିହ୍ନିଦେଇଛି । ପ୍ରେମ ବିବାହରେ ଅସନ୍ତୁଷ୍ଟ ଶାଶୁ; ପୁତ୍ରବଧୂର ଭୋର ୪ଟାରେ ନ ଉଠି ଅଳସ ଭାଙ୍ଗି ୫ଟା ବେଳକୁ ଉଠିବା ଅସହ୍ୟ ବୋଲି କଥାରେ ନକହି ସକାଳେ ଗୁରୁଗୁରୁ ହୋଇ ମୁହଁ ଝିଙ୍ଗାସି ବିନା ଚପଲରେ ଦୁଆର ମୁହଁ ଖରକିବା ବେଳେ ମୁଣ୍ଡି ପହଁରାର ପଛପଟ କିଳା ଖୋଷାକୁ ନୂଆ ଶିଳପୁଆରେ ପିଟିବା ଥିଲା ହୁଏତ ଶାଶୁପଣିଆ ।

ସହରର ହାୱାରେ ବାଜି ବଡ଼ ହୋଇଥିବା ରାତ୍ରୀ ମଧ୍ୟ ନିପଟ ଗାଉଁଲି ଶାଶୁଘର ଜୀବନକୁ ଅତି ସହଜରେ ଆପଣେଇ ନେଉଥିଲା । ନିତି ମା’ ଅଷ୍ଟମଙ୍ଗୁଳା ଦିନ ଅନେକ କିଛି ଶିଖେଇ ଦେଇଥିଲା । ଗାଁରେ ସ୍ତ୍ରୀ ଲୋକଙ୍କ ନୂଆ ବୋହୂର ଗହଣା ଦେଖାରେ ନାକ ଟେକିବା, ସବୁ ଚିଜ ନପରଖି ବୁଢ଼ାବୁଢ଼ିଆ କେଇଟି କହିଦିଅନ୍ତି, “ଅମୁକ କାମଟି ପିଆଶାଳ କି କରଞ୍ଜ କି ଶିଶୁ ମଞ୍ଜ ନୁହେଁ । କିନ୍ତୁ ଚାକୁଣ୍ଡା କି ପାଣିଖିଆ ଶାଗୁଆନ ମନ୍ଦ ମଞ୍ଜ ନୁହେଁ, ଆଜିକାଲି କାମ କେବଳ ଫିନିସିଙ୍ଗ ରଙ୍ଗରେ ।” ଗାଁ ଛୁଆ ଗଦି କୁଦେଇବା ନୂଆ ନୁହେଁ, ଅଳତା ଦେଖି ଚାହିଁ ଲଗେଇଦେବୁ ଯେପରି ମାର୍ବୁଲରେ ନବାଜେ କି ନୂଆ ଚଟ ରଙ୍ଗ ନହୁଏ । କେହି କେହି ମାଇପି ଅନ୍ୟ ପାଦର ଛଟା ଅଳତା ଉପରେ ନିଜ ପାଦ ରଖିବେ ନାହିଁ । ବହୁତ ବାରଣ ବାରେ ଅମୁକ ମା-ଶାଶୁ-ଖୁଡ଼ିଶାଶୁ-ନଣନ୍ଦ । ଆଉ ଶାଶୁକୁ ଜଗି ଚଳୁଥିବୁ, ସେଇ ତୋ’ ମାଆବାପା । ତା’ ମନ ଊଣା ହେଲେ ତୋ’ ବାପାମାଆ ସ୍ୱର୍ଗରେ ଥାଇ ତୋ’ତେ ଶାପଦେବେ । ଇତ୍ୟାଦି… ଇତ୍ୟାଦି…

ଅଷ୍ଟମଙ୍ଗୁଳାରେ ରାତ୍ରୀ ଲୁଚିଥିଲା ନିତି’ମା ଘରେ । ପ୍ରେମ ବିବାହ ହେଲେ ମଧ୍ୟ ସ୍ୱୀକୃତି ଥିଲା ତିନି ପରିବାର ମଧ୍ୟରେ । ପୁଅ ଆଇ-ଟି ଇଞ୍ଜିନିୟର, ଦେଖିବାକୁ ସୁନ୍ଦର ସୁଢଳ ଆଉ ନମ୍ର । ପିଲାଦିନରୁ ପ୍ରତ୍ୟକ କଥାରେ ନା ନା କରୁଥିବା ଦାଦା-ଖୁଡ଼ି ହଁ କରିଥିଲେ ବିନା ଡିମାଣ୍ଡ-ଯୌତୁକ ଦେଖି । କିନ୍ତୁ ପିଇସୀ-ପିଇସା ଦୁଇ ଗୁଣ୍ଠ ଜମି ବିକ୍ରି ପର୍ଯ୍ୟନ୍ତ ଟାଣ ରଖିଥିଲେ । ରାତ୍ରୀର ବାପା ବୋଉ ଦୁର୍ଘଟଣାରେ ଅନ୍ୟ ଦୁନିଆକୁ ଚାଲିଯିବା ପରେ ନୂଆ ଖୁଡ଼ିର ସାହସ ନଥିଲା ୫ ମାସ ଗର୍ଭ କଷଣରେ ରାତ୍ରୀକୁ ସମ୍ଭାଳିବାକୁ । ଖୁଡ଼ିଙ୍କ ବୋଉ କୁଆଡ଼େ ବାରମ୍ୱାର ଝିଅ ଜ୍ୱାଇଁକୁ ତାଗିଦ କରୁଥାଏ ତାଙ୍କରି ପାଖେ ରହି । ଆଉ ଏଇ ବାହାଘର ବେଳେ କୁଆଡ଼େ ଦାଦା ଏକୁଟିଆ ଘରେ ପଶି କାନ୍ଦୁଥିଲେ । କିନ୍ତୁ ଝିଅ ଆଉ ସମୟ ! ନଈର ସୁଅ, ବହିଯାଏ, ବହିଗଲା ଦୂର ପର୍ଯ୍ୟନ୍ତ ।

ପିଇସାଙ୍କ ଚଳଣି ସେ ଖଣ୍ଡକରେ ଡାକ ଥିଲା । ନିଜ ଝିଅପୁଅ ସହିତ ସହରରେ ସେଇ କଲେଜରେ ରାତ୍ରୀକୁ ପଢ଼ାଇଲେ । ଗ୍ରାଜୁଏସନ ପରେ ବି.ଇ.ଡି । ଦକ୍ଷତାରେ ଶିକ୍ଷୟିତ୍ରୀ ହୋଇପାରିବେ ଭଉଣୀ ଦି’ ଜଣ । ବଡ଼ ଭାଇ ଅଧିକ ପଢ଼ିବାକୁ ବିଦେଶ ଗଲା । ସେଇ କଲେଜରେ ସେ ଜୁନିଅର ଆର୍ଟସ୍ ଷ୍ଟୁଡ଼େଣ୍ଟ ଥିବାବେଳେ କଲେଜ ଟପ୍ପର ଗ୍ରାଜୁଏସନ ସିନିୟର ରୁଦ୍ର ସହ ଭେଟ ଲାଇବ୍ରେରୀରେ । ବନ୍ଧୁତାରୁ ପ୍ରେମ । ପିଇସୀ ପରେ ପିଇସାଙ୍କ କାନକୁ କଥା ଘୁଞ୍ଚିଲା । ସେ ଅରାଜି ହେଲେ ନାହିଁ । ରାତ୍ରୀର ଖୁସିପାଇଁ, ବିବାହ ପ୍ରସ୍ତାବ ପଡ଼ିଲା । ତିନି ପରିବାର ରାଜିରେ ବିବାହ ହେଲା । ବିବାହ ପୂର୍ବରୁ ଦାଦା ଆଣିଥିଲେ ସୁନା କାନ ଫୁଲ, ଦି ଭରିର ହାର ଆଉ ତିରିଶ ହଜାର ଟଙ୍କା । ଖୁଡ଼ିର ମା’ ଯେବେଠାରୁ ଇହଲୀଳା ନେଇଛି ସେବେଠାରୁ ଦାଦା ଭଲରେ ମନ୍ଦରେ ରାତ୍ରୀ ରାତ୍ରୀ ବୋଲି ପାଣି ପିଉନାହାଁନ୍ତି । ସେ ଭାଳି ହେଉଛନ୍ତି କି, ମଲେ ନର୍କ ଯିବେ । ଝିଆରୀକୁ ୨୫ ବର୍ଷ ଅବହେଳା କରି ଯେଉଁ ପାପ କରିଛନ୍ତି ସେଥିପାଇଁ । କିନ୍ତୁ ରାତ୍ରୀ ସମୟ ଆଉ ପରିସ୍ଥିତିକୁ ଦୋଷ ଦିଏ, ଦାଦା-ଖୁଡ଼ିଙ୍କୁ ନୁହେଁ । କିନ୍ତୁ ପିଇସୀ-ପିଇସା ସମୟ ଓ ପରିସ୍ଥିତି ଉପରେ ଥିବା ଈଶ୍ୱର ବୋଲି ମାନେ ।

ବାହାଘର ସରିଲା । ଚତୁର୍ଥୀ ପରଠାରୁ ଶାଶୁ ଚିନ୍ତା !!! ଶ୍ୱଶୁର କିନ୍ତୁ କୋଟିଏରେ ଗୋଟିଏ । ରାତ୍ରିର ହଁରେ ହଁ । ରାତ୍ରିର ନା’ରେ ନା । ଏକାବେଳେ ନିର୍ମାୟା ଲୋକ ଜଣେ । ବେଳେବେଳେ ବୋହୂ ସହ ବସି କଲେଜ କଥା ଶୁଣନ୍ତି । ଆଧୁନିକ କବିତା କିମ୍ୱା ରୁଦ୍ରର କିଛି ଗୁଣ ଯାହା ସେ ବାପ ହୋଇ ଜାଣିନାହାଁନ୍ତି ! କିନ୍ତୁ ଶାଶୁ ମୁହଁ ମୋଡ଼ନ୍ତି । କେଇଦିନର ବୋହୂ ଏମିତି ହେଁହେଁ ଫେଁଫେଁ କେମିତି ହଉଚି ଶ୍ୱଶୁର ସହିତ? ପଡ଼ିଶା ଜାଣନ୍ତି, ଟାହିଟାପରା ହୁଅନ୍ତି କି, ଶାଶୁ’ ପାଠୋଇ ବୋହୂକୁ ସହି ପାରୁନି । ବୋହୂ ମୂର୍ଖ ଶାଶୁକୁ ହେଳା କରୁଛି । ଶାଶୁଘର ପାଇଟି ବନ୍ଧୁବାନ୍ଧବ ସୁକୃତ ଇତ୍ୟାଦିଙ୍କ କଥା ବୁଝୁବୁଝୁ ରାତି ପାହେ । ବୋହୂ ସହ ଦି’ ପଦ କଥା ହେବାକୁ ତର ସହେ ନାହିଁ । ବୋହୂ ପାଖକୁ ତ ଲେଖା ଯୋଖା ନଣନ୍ଦ ପୁଳାଏ ବୁଲନ୍ତି । ସେମାନଙ୍କ ହସ ଖୁସି ଦେଖି ବେଳେବେଳେ ଶାଶୁ ହସନ୍ତି ତ ବେଳେବେଳେ ଗଞ୍ଜଣା ଦିଅନ୍ତି । ଅଷ୍ଟମଙ୍ଗୁଳା ବେଳକୁ ଜଣେ ଝିଅ ଥିଲା ବୋଧେ । ଦିନେ ଅଛି ଶାଶୁଙ୍କୁ କହିଲା, “ଆଜି ତୋ’ ବୋହୂ ମାସେଇଲା ।”

ରାତି ପାହିଲେ ଅଷ୍ଟମଙ୍ଗୁଳା ବନ୍ଧୁ ହୋଇ ଯାଇଥାନ୍ତେ ପୁଅ-ବୋହୂ । ବୋହୂ ରଜସ୍ୱଳାରେ ଆଉ କ’ଣ ଏ କାମ ହେବ? ଫୋନ କରି ତା’ ପିଇସୀକୁ ମନା କରିଦେଲା । ସାଇପଡ଼ିଶା କି ବନ୍ଧୁବାନ୍ଧବଙ୍କ ଘରେ ଦି’ ଘଣ୍ଟା ବୋହୂ ମୁହଁ ଲୁଚେଇ ଦେଲେ କାମ ଦଫା । ଫୋନ କରୁଥାଏ ରୁଦ୍ରର ଦାଦାଶ୍ୱଶୁର ଘରକୁ, ସେବେ ନିତିମା’ ନିତିକୁ ଧରି ନୂଆ ବୋହୂ ଦେଖିବାକୁ ଆସିଥାଏ । ସେ ଶାଶୁମା’ଙ୍କ ଗାଁ ଝିଅ । ଲେଖା ଯୋଖାରେ ଭଉଣୀ ହେବ ।

ସବୁ ଶୁଣିସାରି ନିତିମା’ର ରାଗ ତଳିପାରୁ ତାଳୁ ଚଢ଼ିଗଲା । “ଭଉଣୀକୁ ଗାଁ’ ଝିଅ ଥାଉ ଥାଉ ଏତେ ଦୂର ନୂଆ ବୋହୂଟାକୁ ପଠେଇଦେବୁ? ମୋ ଘରେ ତୋ’ ବୋହୂ ଦି-ଚାରି ଘଣ୍ଟା ମୁହଁ ଲୁଚେଇଲେ କ’ଣ ତୋ’ ମୁହଁ ଜଳିଯିବ କି ଭାବୁଛୁ? ନା ମୋ ପାଖରେ ନାହିଁ ତୋ’ ବୋହୂକୁ ଭଲମନ୍ଦ କିଛି ଦେଇ ବିଦାକି ଦେବାକୁ?” ଏତକ କଥା ଶୁଣି ରାତ୍ରୀ ଝରକା ପଟୁ ଦେଖୁଥାଏ ଗୋଟିଏ ଚଣ୍ଡୀ ।

କଥାରେ ଅଛି ‘ଦୁଇ ମାଇପେ ହସି, ତାରା ଗଣିଲେ ବସି ।’ ଅଷ୍ଟମଙ୍ଗୁଳା ଖରାବେଳେ ଖାଇପିଇ ରାତ୍ରୀ ସହ ସୁଖ ଦୁଃଖରେ ମାତିଲା ନିତିମା’ । ତା’ ଆଖିରୁ କେଇଟୋପା ଲୁହ ନିଗିଡ଼ିଲା ରାତ୍ରୀର ପିଇସାଙ୍କ ଦୁର୍ଦ୍ଦଶା ଶୁଣି । ରାତ୍ରୀର ବଡ଼ ଭାଇ ବାଧିକିଲା ବିଦେଶରେ । ପେଟରେ ଟ୍ୟୁମର । ପାଠପଢ଼ା ଛାଡ଼ି ଭାରତରେ ତ ସେତିକି ଖର୍ଚ୍ଚ ହେବ ଏବଂ ପାଠ ବାଟମାରଣାରେ ଯିବ । ଖର୍ଚ୍ଚକୁ ବଣିଜ ହାନି ଚିନ୍ତା ଧ୍ୟାନ ନଦେଇ ପୁଅ ଚିନ୍ତାରେ ବେଶି ବଣିଜ ବୁଡ଼ିଲା । ପୁଅ ସୁସ୍ଥ ହୋଇ ପଢ଼ାରେ ଧ୍ୟାନ ଦେଲା ବେଳକୁ ରାତ୍ରୀର ବାହାଘର । ପାଉଣାଏ ନଥାଏ ପିଇସାଙ୍କ ପାଖେ । ଜମା ପୁଞ୍ଜି ଖାତା ଭାଙ୍ଗିଲେ । ଯଦି ବେଳକୁ ରାତ୍ରୀର ଦାଦା ପହଞ୍ଚି ନଥାନ୍ତେ ତେବେ ଦୁଇଗୁଣ୍ଠ ସୁନାଫଳା ଜମି ବିକିବାକୁ ପିଇସା ପଛେଇ ନଥାନ୍ତେ । ନିତିମା’ ସକେଇ ହୋଇପଡ଼ିଲା । ଏତେ ଦୁଃଖ ଗୋଟିଏ ନିରୀମାଖୀ ବାପମାଆ ଛେଉଣ୍ଡ ପିଲା ଭାଗରେ କାହିଁକି ଦେବତା ରଖିଛି ବୋଲି ନିଜ କପାଳରେ ହାତଦେଇ କୁହେଇ ହେଲା । ବିଦାକି ବେଳେ କହିଥିଲା କାନେ କାନେ, “ତୋ’ ଶାଶୁର କଟୁ କଥା ଦିହକୁ ନବୁନି । ସେ ତୋ’ ଭଳି ଅନାଥ ଥିଲା । ଏବେ ପୁଅ ଚାକିରୀ କଲାଣି ବୋଲି, ନଚେତ ପେଜ ତୋରାଣି ପିଇ ତା’ ଦିନ କଟେ । ବାପ ନାହିଁ, ଭାଇ ନାହିଁ । ଲେଖାଯୋଖାରେ ଭଲମନ୍ଦ ଟିକେ ପଚାରିବାକୁ କେହି ନାହିଁ । ତୁ କହ ଝିଅ ! ଏଭଳି ଦୁଃଖୀ ଲୋକ କ’ଣ ସହଜରେ ରାଜି ହୋଇଥାନ୍ତା ଆଉ ଗୋଟିଏ ଅନାଥ ଝିଅକୁ ତା’ ଘର ବୋହୂ କରିବାକୁ? କିନ୍ତୁ ରୁଦ୍ରଟି ଆମର ଅଝଟ ପିଲା । ଯାହା ଜିଦ୍ଦି କରିଥିବ ଅଟଳ । ଦେଖୁନୁ, ସେଇଥିପାଇଁପା ଆମେ ଏତେ ସୁନ୍ଦୁରିଆ ବୋହୂ ପାଇଲୁ ।” ଏତକ କହି ରାତ୍ରୀର ଥୋଡ଼ିରେ ତା’ ଶୁଖିଲା ଆଙ୍ଗୁଠି ଚାରିଟି ବୁଲେଇ ଆଣିଲା । ରାତ୍ରୀର ଆଖିରୁ ଦୁଇଟୋପା ଲୁହ ନିଗିଡ଼ି ଆସିଲା । ଏଇ ଚାରି ପାଞ୍ଚ ଦିନରେ ସେ ମନେ ମନେ ଶାଶୁମା ଉପରେ କେତେ ଯେ ରାଗି ନାହିଁ !

ଶାଶୁଙ୍କ ଦସ୍ତୁରୁ ବଦଳେଇବା ବୋହୂମାନଙ୍କ ମିଠା କଥା କି ଭାଷାରେ ଯୁ ନଥାଏ । ଯୁଗ ଯୁଗ ଧରି ସେଥିପାଇଁ ବୋହୂ ନିର୍ଯ୍ୟାତନା ସହି ଆସେ । ରାତ୍ରୀ ନିର୍ଯ୍ୟାତନା ନୁହେଁ ବରଂ ଗୋଟିଏ ଘରେ ଶାଶୁ ସହ ଏକଘରକିଆ ପଡ଼ିରହିଲା ରୁଦ୍ରର ବିଦେଶ ଯିବାପରେ । ବୋହୂକୁ ମାନସିକ ସ୍ତରରେ ଆପଣେଇ ନଥିବା ଶାଶୁ ପ୍ରତି କଥାରେ କିଛି ନା କିଛି କୁହନ୍ତି । ଅଧିକ ଫୋନ୍‌ରେ ରୁଦ୍ର ସହ କିମ୍ୱା ଭାଇ ଭଉଣୀ ସହ କଥା ହେଲେ କିମ୍ୱା କାମରେ ଅଳ୍ପ ମଠ କଲେ ଚିଡ଼ନ୍ତି, ପେଟ ଦୋଷ କି ମୁଣ୍ଡ ବିନ୍ଧା ଆଳ ଦେଖେଇ ରାଗବେଳେ ଉପାସ ରୁହନ୍ତି । ବୋହୂ ପଦେ ନକହିଲେ ସାଇପଡ଼ିଶାରେ କୁହନ୍ତି, “ଆମ ରୁଦ୍ର ମାଇପଟି ଗୁଙ୍ଗି, ତଳମୁହାଁ କାଙ୍କ ହୋଇଥିବ । ପାଠୋଇ ବୋଲି ଖାଲି ଇଙ୍ଗିଲିସି ଖବର ଦେଖୁଚି ପଢ଼ୁଛି, ମୋ ବାଛ ବିଚାରରେ ଆସିଥିଲେ ସିନା ମୋ ପାଦତଳେ ରହିଥାନ୍ତା !”

ବେଳେବେଳେ ରାତ୍ରୀ ଅନ୍ୟ ମାଇପେଠୁଁ ଶୁଣେ । ହସେ, କାନ୍ଦେ, ଅଭିମାନ କରେ, ରାଗେ । କିନ୍ତୁ ଏକା । କାହାକୁ କହେନା । ଚାକିରୀକୁ ଅନାଏ । ରାଜ୍ୟ ସରକାରଙ୍କ ଶିକ୍ଷକ ନିଯୁକ୍ତି ଫଳାଫଳ ଆଉ ତିନିମାସ ପଢ଼ି ଦାନ୍ତଚାପି ସହିଯାଏ । କିନ୍ତୁ ଗୋଟିଏ କଥା ସହିପାରେନା ପିଇସାଙ୍କ ଦୁଃଖ । ଖବର ଆସିଥିଲା ପିଇସାଙ୍କ ସଡ଼କ ଦୁର୍ଘଟଣା । କିନ୍ତୁ ରାତ୍ରୀ ଯାଇପାରିଲା ନାହିଁ । ଫୋନ୍‌ରେ କାନ୍ଦିବାରୁ ପିଇସା ରାଗିଲେ । ନୂଆଭୁଆ, ଶାଶୁକୁ ଜ୍ୱରବେଳେ ପିଇସାଙ୍କୁ ଦେଖିଯିବା ଲୋକଲଜ୍ୟା ହେବ । ବରଂ ସାବିତ୍ରୀ ବେଳକୁ ସେ ନିଜେ ଆସି ଦେଖିଯିବେ ଝିଆରୀକୁ । କୋଉ ବଡ଼ ଘଟଣା କି ! ଦୁଇଚାରି ଜାଗା ଖାଲି ଆଞ୍ଚୁଡ଼ି ହୋଇଛି ଯାହା ।

ଶାଶୁଙ୍କୁ ଜ୍ୱର ଛାଡ଼ିଲା କିନ୍ତୁ ପିଇସାଙ୍କ ଘା’ ଶୁଖିନଥାଏ । ଅଷ୍ଟମଙ୍ଗୁଳା ଗଲା ୧୫ ଦିନ ପରେ ଝିଅ ଲେଉଟା ପର୍ବରେ ଯାହା କରଜ ହୋଇଥିଲା ଏଇ ଦୁର୍ଘଟଣାରେ ତାହା ବାଧିଲା । ଜ୍ୱାଇଁ ଭଳି ରାତ୍ରୀ ଭାଇର ମଧ୍ୟ ନୂଆ ଚାକିରୀ । କାଢ଼ିଆ ସୁଝା ହୋଇନାହିଁ ଦୁଇଆଡ଼ୁ । ସେ ଦୁଇ ଭଉଣୀଙ୍କ ଚାକିରୀରେ ଓଡ଼ିଶା ସରକାରଙ୍କ ଖଣ୍ଡା ଝୁଲୁଛି । ଆନ୍ଦୋଳନ ଯଦି ହୁଏ ଆଉ ସରକାର ବିଗିଡ଼ନ୍ତି ତେବେ କଥା ଆହୁରି ଘୁଷୁରିବ । ଏଣେ ତା’ ପ୍ରଥମ ସାବିତ୍ରୀ ।

ଗାଁ ପଡ଼ିଶାର ଯେତେ ନୂଆ ବୋହୂ ସମସ୍ତଙ୍କ ଭାର ବୁହା ହୋଇ ଆସୁଥାଏ । କିଏ ଥାଳିଆରେ ତ କିଏ ତାଟିଆ କି ଚାଙ୍ଗୁଡ଼ିରେ ଲୁଗା/ତଉଲିଆ ଘୋଡ଼େଇ ସାଇପଡ଼ିଶାରେ ବାଣ୍ଟନ୍ତି । କାହାର ମିଠାଫାଳ କି କଟାଫଳ ଦେଖି ରାତ୍ରୀର ଶାଶୁ ତାଙ୍କ ପଛେ ମୁହଁ ମୋଡ଼ନ୍ତି । କାହା କାହା ଆଗରେ କହିଦିଅନ୍ତି ଆମ ବୋହୂ ଘର ଭାର ଖୁଏଇବି ଗୋଟା । ଫାଳରେ କୃପଣତା ଥାଏ ।

ସାବିତ୍ରୀ ପୂର୍ବଦିନ ସକାଳ ପରେ ପରେ ରାତ୍ରୀ ଜାଣିଲା ଯେ ଶାଶୁଙ୍କ ମୁଣ୍ଡ ବିନ୍ଧୁଛି, ନଖାଇ ସକେଇ ହେଉଛନ୍ତି । କହୁଛନ୍ତି ଔଷଧରେ ଭଲ ହେବ ନାହିଁ, ଏ ଅଧକପାଳିଆ ବିନ୍ଧା । କିନ୍ତୁ ରାତ୍ରୀ ଜାଣିଲା ଯେ ଏହା ସାବିତ୍ରୀ ଭାର ବିଳମ୍ୱର ଦୁଶ୍ଚିନ୍ତା ଆଉ ସାଇପଡ଼ିଶାର ଟୁପୁରୁ ଟାପୁରୁର ମୁଣ୍ଡ ବିନ୍ଧା ! ସେ ଆଡ଼େଇ ହୋଇ ଆସି ପିଇସାଙ୍କ ପାଖକୁ ଫୋନ୍ କଲା । ଥରେ, ପାଞ୍ଚ ଥର, ଦଶ ଥର । ତା’ ପରେ ରୁଦ୍ରକୁ । ରୁଦ୍ର ସାନ୍ତ୍ୱନା ଦେଲା, ଏ ପର୍ବ ଆମ ଦୁହିଁଙ୍କ । ବୋଉଙ୍କ କଥା ଛାଡ଼ । ସେ ସବୁବେଳେ ସେଇମିତି । କିନ୍ତୁ ଶାଶୁମାନଙ୍କ ଅଳ୍ପ ରାଗରେ କୌଣସି ସ୍ୱାମୀଙ୍କ ସାନ୍ତ୍ୱନା ଯେ ପାଣିର ଗାର ତାହା ରାତ୍ରୀମାନଙ୍କ ଭଳି ଲକ୍ଷ ଲକ୍ଷ ନବବିବାହିତା ଜାଣନ୍ତି ।

ସେ କାନ୍ଦିଲା । ଦ୍ୱିପ୍ରହର ଗଲା । ଶାଶୁ ସକେଇ ସକେଇ ନିଦ ଯାଇଥିଲେ । ରାତ୍ରୀ ଚିନ୍ତାରେ ଘୁମେଇ ପଡ଼ିଥାଏ । ଶ୍ୱଶୁର ଏସବୁର ଅବସ୍ଥା ନୀରେଖି ଚୁପ କରି ପଳାଇଲେ ତାସ୍ ପାଲି ପାଖକୁ ।

ସେତିକିବେଳେ ଦାଣ୍ଡ କବାଟରେ କିଏ ଠକ୍ ଠକ୍ କଲା । ଧଡ଼ପଡ଼ ହୋଇ ରାତ୍ରୀ ଉଠି ଦେଖେ ତ ବଡ଼ ଭାଇ । ବିଦେଶରୁ ଫେରିଛି, ଖବର ଫୋନ୍ ନକରି ସିଧା ଦୁଆର ମୁହଁରେ । କାନ୍ଦ ଯେଉଁଥିପାଇଁ ହୋଇ ବନ୍ଦ ହୋଇଯାଇଥିଲା ପୁଣି ସେଇ ଖୁସି ପାଇଁ କାନ୍ଦ ଆରମ୍ଭ ହୋଇଗଲା ତା’ର । ଅଜବ ଏ ସ୍ତ୍ରୀଲୋକ ଗୁଡ଼ାକ !

ଶାଶୁ ଉଠିଲେ । ପୁଅ ବାହାଘର କରିବା ଦୁଇମାସ ରେ ହୁଏତ ପ୍ରଥମଥର ପାଇଁ ତାଙ୍କ ଓଠରେ ତୃପ୍ତି ଭରା ଖୁସି । ଛୋଟ କ୍ୟାମ୍ପରରେ ଭର୍ତ୍ତି ଫଳ-ମୂଳ ଆଉ ଅନ୍ୟାନ୍ୟ ସାମଗ୍ରୀ । ସାବିତ୍ରୀର ଏ ଭାର ଏତେ ମହଙ୍ଗା ଯୁଗରେ ଏତେ କିଏ ଆଣେ? ବାଣ୍ଟି ବାଣ୍ଟି ଅଣ୍ଟା ଦରଜ ହେବ କିନ୍ତୁ ମୁଣ୍ଡ ଟେକି ଦି-ପଦ ଶୁଣେଇବେ ଭଲ ଭଲ ମାଇପେଙ୍କୁ ।

ଖାଇପିଇ ଭାଇ ଶ୍ୱଶୁରଙ୍କ ସହ ବିଦେଶ କଥା ହେଉଥାନ୍ତି । ହୁଏତ ସେମାନେ ଶୋଇବେ । ଶ୍ୱଶୁର ପାନ ଡାଲା ନେଇସାରିଛନ୍ତି । ରାତି ବାସନକୁସନ ମାଜି ରାତ୍ରୀ କାନିରେ ମୁହଁ ହାତ ପୋଛି ଶୋଇବା ଘରକୁ ଯାଉଥାଏ, କାନରେ ପଡ଼ିଲା ଶାଶୁଙ୍କ ସକେଇହେବା ସ୍ୱର ! ପୁଣି କ’ଣ ହେଲା?

ପାଦ ଥାପି ଥାପି ରାତ୍ରୀ ପାଖ ବଖୁରାକୁ ଗଲା । ଭାଇ ଆଣିଥିବା ଶାଢ଼ୀ ଖଣ୍ଡିକ ଧରି ଶାଶୁ କାନ୍ଦୁଥିଲେ । କିଛି ବୁଝା ପଡ଼ୁନଥାଏ । ରାତ୍ରୀକୁ ଦେଖିଲେ ଶାଶୁ, କିନ୍ତୁ କାନ୍ଦ ତଥାପି ଥାଏ । ହୁଏତ ଗୋଡ଼ ବିନ୍ଧୁଥିବ ସାଇରେ ବୁଲିକି ! ରାତ୍ରୀ ଶାଶୁଙ୍କ ଗୋଡ଼ ସେବା ଆରମ୍ଭ କଲା । ଶାଶୁ ମନେମନେ ଗୁଣୁଗୁଣାଉଥିଲେ, “ଭାଇଟିଏ ଥାଆନ୍ତା ହେଲେ… !”

ରାତ୍ରୀ କିଛି କହିଲା ନାହିଁ । ସେ ଜାଣିପାରୁଥିଲା ଶାଶୁଙ୍କ ଦୁଃଖ । ଶୁଣିଥିଲା ନିତିମା’ ପାଖରୁ ଅଳ୍ପ ଅଧିକ ।

“…ଛ ବର୍ଷର ହେଇଥିଲି ବାପମାଆ ଡାକହାକ ହୋଇ ଆରପାରିକୁ ଚାଲିଗଲେ ଅଜଣା ରୋଗରେ । ଭାଇଟିଏ ବି ନଥିଲା ନିଜର କି ଲେଖା ଯୋଖାରେ । ମାମୁଁ ଘରେ ବଢ଼ିଲି ଚାରି ଭଉଣୀଙ୍କ ସହ । ସେ କି ନିଜର ! ମାମୁଁ କେତେ ପାଳିବେ? ପାଠ ଗଲା ଚୁଲିକୁ, ବାହା ଦେଲେ ଏଠାରେ । ଗରିବରୁ ଗରିବ ଘରର ବୋହୂ ହୋଇ ଆସିଲି । ବର ମୋର ଟିକେ ହୁଣ୍ଡା ହେଲେ ବି ଆମ ସଂସାରର ସବୁ ଦୁଃଖ ରୁଦ୍ର ପାଶୋରିଦେଲା । ଭାବିଥିଲି ମୋର କେହି ନଥିଲେ ନାହିଁ କିନ୍ତୁ ମୋ ବୋହୂର ଭରାଭରା ପରିବାର ଗୋଟିଏ ତ ରହିବ । କିନ୍ତୁ ଯେଉଁଦିନ ତୋ’ ଫଟ ଦେଖେଇ ତୋ’ କଥା କହିଥିଲା ସେଦିନ ମୋ ମନ ମରିଯାଇଥିଲା । ସାଇଭାଇ ଜାଣି କାନକୁ କାନ କୁହାକୁହି ହେଲେ କି ଅନାଥଙ୍କ ବଂଶ ଆମର । ତୁ କହ କେମିତି ରାଜି ହୋଇଥାନ୍ତି? ଏଇ ଦି’ ଦିନ ହେବ ସବୁ ଭାରଗୀତା କଥା ପଚାରୁଥିଲେ । ଭାଇ ବିଦେଶରେ, ବାହାଘରକୁ ଆସିଲା ନାହିଁ ସବିତ୍ରୀରେ କି ଆସେ ! ମୋ ଭଳି ତୁ ଦୁଃଖ ପାଇବୁ । ନୂଆନୂଆ ବେଳେ ଅଭାବରେ ତୋ’ ଶ୍ୱଶୁର ଶାଢ଼ୀଟିଏ ଦେଇପାରି ନଥିଲେ, ପରେ ବୁଢ଼ାବୁଢ଼ୀ ହେଲୁ । ଆଉ ମୋ ବୋହୂ ଅବସ୍ଥା ସେଇଆ ହେବ ଏତେ ଧନ ଦଉଲତ ଥାଇ? କିନ୍ତୁ ତୋ’ ଭାଇକୁ ଦେଖି ମୋ ମନଟା ପୂରିଗଲା ।”

କେଇଟୋପା ଲୁହ ରାତ୍ରୀର ଆଖିରୁ ଝରିଗଲା । ତା’ ମଗଜ ଭିତରେ ତାକୁ ପସନ୍ଦ କରୁନଥିବା ଶାଶୁଟି ଉଭେଇ ସାରିଥିଲେ ।

ସକାଳ ହେଲା । ଗତ ରାତିରେ ସବୁ ଘଟଣା ରୁଦ୍ରକୁ ଶୁଣେଇ ଶୋଇଲା ବେଳକୁ ରାତି ଅଧ । ଅଚିନ୍ତା ଆଉ ସୁଖର ନିଦ ଶୀଘ୍ର ଭାଙ୍ଗେନା ତା’ର । ଉଠିପଡ଼ି ମୁହଁ ପଖାଳି ଦାଣ୍ଡ ଆଡ଼େ ଦେଖେ ତ ଶାଶୁମା’ ଗରଗର ହୋଇ ପହଁରା ଧରି କାହାକୁ କହୁଛନ୍ତି, “ରାଜଜେମା ଶୋଇଛନ୍ତି ଲୋ ମା’ ! କାହାକୁ କହିବି? ଏମାନେ କି ସବିତ୍ରୀ ଓଷା କରିବେ ! ଆଜିକାଲିର ଛୁଆ, ଦି’ ପଦ କହିଲେ କାଳେ ଚାରିପଦ ମୁହେଁ ମୁହେଁ ଶୁଣେଇଦେବେ ସେଇ ଡର । ନିଜ ମହତ ରଖି ଚାଲିବାକୁ ହେବ ଯାହା । କିନ୍ତୁ ବୋହୂ ମୋର ଅମୁକ ବୋହୂ ଭଳି ଉଦଣ୍ଡି ନୁହଁ…।”

ରାତ୍ରୀ ମନେ ମନେ ହସିଲା । ଭାବିଲା ଏ ମୋର ସେଇ ଷାଠିଏ ବର୍ଷର କୁନି ଝିଅଟିଏ । ଯିଏ ତା’ ମାଆକୁ ନଦେଖିଲେ ଅଳି କରିବ, କଜିଆ କରିବ ମା’ ପାଖରେ ରହିଲେ । ଟିକିଏ ସ୍ନେହ ଆଦର କରିଦେଲେ ମୁରୁକି ହସିଦେଇ ବୋକ ଦେବ ।

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।