You are currently viewing ଲକ୍ ଡାଉନ୍
Odia Story Lockdown (ଲକ୍ ଡାଉନ୍) by Sudhanshu Sekhar Bal

ଲକ୍ ଡାଉନ୍

ପ୍ରଧାନ ମନ୍ତ୍ରୀ ଯେବେଠୁ ଲକ୍ ଡାଉନ୍ ଘୋଷଣା କଲେଣି ସମସ୍ତ ସ୍କୁଲ, କଲେଜ ଓ କିଛି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେଇ ଯାଇଛି । ସମସ୍ତେ ଏବେ ପ୍ରାୟେ ଘରେ । ସ୍ୱାତି ଆଉ ସମର୍ ଦୁଇ ଜଣ ଏବେ ଘରେ ଅଛନ୍ତି । ସେ ଦୁଇ ଜଣ ଟି.ସି.ଏସ୍ ସଫ୍ଟୱାୟାର କମ୍ପାନୀରେ କାମ କରନ୍ତି । ଯେବେଠୁ କରୋନା ପାଇଁ ଲକ୍ ଡାଉନ୍ ହେଲାଣି ସେବେଠୁ ସ୍ୱାତି ଆଉ ସମର୍ ପ୍ରାୟ ଘରୁ କାମ କରୁଛନ୍ତି । ଏଇ ଭୁବନେଶ୍ୱର ପାତ୍ରପଡ଼ାରେ ୨ ମହଲା ଘର । ଘରେ କହିଲେ ସ୍ୱାତି, ସମର୍ ଆଉ ସମର୍‌ଙ୍କ ବୁଢ଼ା ବାପା ରଙ୍କନିଧି ବାବୁ; ତାଙ୍କୁ ଆସିକି ବୟସ ୬୨ ଛୁଇଁଲାନି । ଏଇ ୨ ବର୍ଷ ହବ ସେ ଓ.ୟୁ.ଏ.ଟିରୁ ଅବସର ନେଇଛନ୍ତି । ଏବେ ଦିନ କଟୁଛି ଘରେ ଚାରି କାନ୍ଥ ଭିତରେ । ପୂରା ଏକା ହେଇ ଯାଇଛନ୍ତି ।

ସମର୍ ମା’ଙ୍କୁ ଯିବାକୁ ଆଜିକୁ ୧୦ ବର୍ଷ ହେଇ ଗଲାଣି । ଗଲା ୨ ବର୍ଷ ତଳେ ସମର୍‌ର ବାହାଘର ହେଇଛି । ଦୁଇ ଜଣ ଭାରି ଖୁସି ଆଉ ସୁଖ ଦାମ୍ପତ୍ୟ ଜୀବନଟେ ବିତାଉଛନ୍ତି । ସକାଳୁ ଦୁଇ ଜଣ ଏକା ସହିତ ବାହାରି ଯାଆନ୍ତି ଅଫିସ୍ ପାଇଁ ଆଉ ଫେରୁ ଫେରୁ ସନ୍ଧ୍ୟା ୬-୭ ବାଜେ । ଘରେ ଜଣେ ଚାକର ରଖିଛନ୍ତି ଯେ ବାପା ରଙ୍କନିଧିଙ୍କ ଖାଇବାଠୁ ଆରମ୍ଭ କରି ସବୁ ଦେଖା ଶୁଣା କରେ । କିନ୍ତୁ ସ୍ୱାତି ବାହା ହେଇ ଆସିବା ଦିନଠୁ କେବେ ହେଲେ ଶଶୁରଙ୍କ ସେବା କରିବାର ସୁଯୋଗ ନେଇନି । ଯେତେବେଳ ବି ସମର୍ କହିଛି ସ୍ୱାତି କଥା ଆଡ଼େଇ ଦେଇଛି ନହେଲେ ମୁହଁ ଫୁଲେଇ ବସିଛି କାହିଁକି ସେ ପରା ଚାକିରିଆ ବୋହୂ ସେ କେମିତି ସମୟ ଦବ ।

ଦୁଇ ମହଲା କୋଠାରେ ଉପର ମହଲାରେ ରଙ୍କନିଧି ବାବୁ ରୁହନ୍ତି ଆଉ ତଳେ ସ୍ୱାତି ଆଉ ସମର୍ । ରଙ୍କନିଧି ବାବୁ ଅବସର ନେବା ପରେ ବେଶି କୁଆଡ଼େ ଆଉ ବାହାରୁ ନାହାନ୍ତି । ପୂଜା ପାଠ ଓ ବହି ପଢ଼ିବାରେ ସମୟ ବିତେଇ ଦିଅନ୍ତି । ଲକ୍ ଡାଉନ୍ ହବା ଦିନଠାରୁ ସମର୍ ଏବେ ଘରେ । କେତେ ବା ଆଉ କାମ କରିବ, ଅଫିସ୍ ଯାଉଥିଲା ସେଇଠି ସାଙ୍ଗ ସାଥି ଥିଲେ ସମୟ କଟି ଯାଉଥିଲା ଏବେ ଘରେ ବସି ବସି ବିରକ୍ତ ହେଇଗଲାଣି । ଘର ସାରା ଖାଲି ବୁଲୁଛି । ସେଦିନ ଶୁକ୍ରବାର ଥାଏ, ସମର୍ ୱାର୍କ ଫ୍ରମ୍ ହୋମ୍ କରୁଥାଏ । ଏତେ ବେଶି କାମ ନଥାଏ, ଭାବିଲା ଉପର ଘରୁ ଟିକେ ବୁଲି ଆସିବା, ଦେଖେ ବାପା କ’ଣ କରୁଛନ୍ତି । ଛାତ ଉପରକୁ ଗଲା, ସେଠି କିଛି ସମୟ ବୁଲି ଆସି ବାପାଙ୍କ ରୁମ୍‌କୁ ଗଲା, ଦେଖିଲା ବାପା ତାଙ୍କ ରୁମ୍‌ରେ ନାହାନ୍ତି, ଭାବିଲା ବୋଧେ ପୂଜା କରୁଥିବେ ନହେଲେ ଗାଧେଇବାକୁ ଯାଇଥିବେ । ଫେରି ଆସୁଥିଲା, ହଠାତ୍ ତା’ ଆଖି ବାପାଙ୍କ ଟି-ଟେବୁଲ୍ ଉପରେ ଅଧା ଖୋଲା ହେଇ ରହିଥିବା ଡାଇରୀ ଉପରେ ପଡ଼ିଲା । ବାପା ନଥିଲେ, ଭାବିଲା ଦେଖେ ବାପା ସବୁ କ’ଣ ଲେଖିଛନ୍ତି …

ରମ୍ଭା,

ଭାରି ଏକା ଲାଗୁଛି । ତମେ ତ ଏକା କରି ମତେ କେବେଠୁ ଚାଲିଗଲାଣି । ଚାକିରି ଖଣ୍ଡେ ଥିଲା, କାମ ବ୍ୟସ୍ତତା ଭିତରେ ନିଜକୁ ହଜେଇ ରଖିଥିଲି ଆଉ ସମର୍‌ର ଭବିଷ୍ୟ ଗଢ଼ି ତୋଳିବାକୁ ସମୟ ବିତେଇ ଦେଉଥିଲି । ତମ ସମର୍ ଏବେ ବଡ଼ ହେଇ ଗଲାଣି, ସୁନ୍ଦର ବୋହୂଟେ ତା’ ପାଇଁ ଆଣିଛି । ତମ ପସନ୍ଦ ଯେମିତି ଥିଲା ଠିକ୍ ସେମିତି । ବୋହୂ ବି ଖୁବ୍ ଭଲ । ସେମାନେ ଦୁହେଁ ଖୁବ୍ ଖୁସିରେ ଅଛନ୍ତି ।

ସମର୍ ବାହାଘର ପରେ ମୁଁ ଉପର ମହଲାରେ ଏକା ରହୁଛି, ରାତି ସରି ଦିନ ହେଉଛି ଜଣା ପଡ଼ୁନି । ତମକୁ ମନେ ଥିବେ ସବୁ ରବିବାର ହେଲେ ସମର୍ କେମିତି ଜିଦ୍ଦି କରେ ବଜାର ଯିବାକୁ ମୋ ସହିତ ମଟନ୍ ଆଣିବାକୁ ଆଉ ମୁଁ ମନ କରିଲେ ମୋ ସ୍କୁଟର ଆଗରେ ଯାଇ ଠିଆ ହେଇଯାଏ । ଶେଷରେ ମୋ ସହିତ ବଜାର ଯାଇ ମଟନ ଆଣେ ଆଉ ଆସିଲା ବେଳେ ତା’ ପ୍ରିୟ କ୍ୟାଡବରି ଚକୋଲେଟ୍ ନେଇକି ଆସେ । ଏବେ ଆଉ ସମର୍ ପାଖରେ ସମୟ ନାହିଁ, ରବିବାର ଦିନ ବି ସେ ବୋହୂ ସହିତ ବ୍ୟସ୍ତ ରହୁଛି । ମୁଁ ତା’ ପାଇଁ ଖୁସି ହେଲେ ସେ ସମର୍ କାହିଁ ମୁଁ ଆଉ ଖୋଜି ପାଉନି । ସ୍ୱାତି, ତମ ବୋହୂ ବହୁତ କମ ଆସେ ଉପରକୁ, କେବେ ଆମେ ଶଶୁର-ବୋହୂ ହସ ଖୁସିରେ ପଦେ କଥା ହେଇନୁ । ସବୁ ସେ କାଳିଆର ଇଚ୍ଛା । ଯେତେ ଦିନ ବଞ୍ଚିଛି ତା’ ନାମ ଜପୁଥିବି, ଶେଷରେ କଲିଆକୁ କହି ତମ ପାଖକୁ ପଳେଇ ଆସିବି ।

ଆହୁରି ଅନେକ କିଛି ଲେଖା ହେଇଥିଲା ହେଲେ ସମର୍ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ତା’ର ଆଉ ସାହସ ନଥିଲା ଆଗକୁ ପଢ଼ିବାକୁ । ତା’ ଛୁଆ ବେଳେ ଦିନ ଆଖି ଆଗରେ ସତେ ନାଚି ଯାଉଥିଲା । କେତେ ଅଝଟ କରେ, ବାପାଙ୍କୁ ନ ଦେଖିଲେ ପାଗଳ ପରି ହୁଏ । ବାପା ଯଦି ଲେଟ୍‌ରେ ଅଫିସ୍‌ରୁ ଫେରନ୍ତି ସେ ସେମିତି ଅନେଇ ବସିଥାଏ ତାଙ୍କ ଆସିବା ବାଟକୁ । ତା’ ଛାତି ଭିତରେ ସତେ ମୃଦୁ ଭୂମିକମ୍ପ ଅନୁଭବ ହଉଥିଲା । ସଙ୍ଗେ ସଙ୍ଗେ ତଳକୁ ଆସି ସ୍ୱାତିକୁ ସବୁ କଥା କହି କାନ୍ଦି ପକେଇଲା । ସ୍ୱାତି ତା’ ଭୁଲ ଆଜି ବୁଝି ପାରିଥିଲା ଆଉ ଖୁବ୍ ଅନୁତାପ କଲା ।

ଆଜି ରବିବାର, ସମର୍ ଆଉ ସ୍ୱାତି ଅନେକ ପ୍ରକାରର ସୁ-ସ୍ୱାଦୁ ଖାଇବା ପ୍ରସ୍ତୁତ କରିଛନ୍ତି । ମଟନ ନେଇକି ଆସିଛି ସମର୍ ଆଜି । ଲୋକ ଲଗେଇ ବାପାଙ୍କ ବେଡ୍‌ରୁମ୍ ତଳ ମହଲାକୁ ସିଫ୍ଟ୍ କରି ଦେଇଛି । ବାପା ଗାଧେଇ ଆସିଲା ବେଳକୁ ସ୍ୱାତି ଫୁଲ ଚାଙ୍ଗୁଡ଼ା ଧରି ପୂଜା ଘରେ ବାପାଙ୍କ ଅପେକ୍ଷା କରିଛି । ସମର ବାପାଙ୍କୁ କୁଣ୍ଢେଇ ପକେଇ ଖୁବ୍ ଜୋର୍‌ରେ କାନ୍ଦି କାନ୍ଦି ନିଜ ଭୁଲ୍ ସ୍ଵୀକାର କରିଛି । ବାପା ପୁଅ ବହୁ ଆଜି ଏକା ସହିତ ବସି ଭାତ ସହିତ ମଟନ ଝୋଳ ଆଉ ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଉଛନ୍ତି । ଘରଟା ଆଜି ପୂରା ପୂରିଲା ପୂରିଲା ଲାଗୁଛି । କାନ୍ଥରେ ରମ୍ଭାଙ୍କ ଫଟୋ ସତେ ଯେପରି ମୁରୁକି ହସୁଛି…

– ସୁଧାଂଶୁ ଶେଖର ବଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଧାଂଶୁ ଶେଖର ବଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।