You are currently viewing ସ୍ମତିର ପାହୁଚ, ମାଁ
Odia Poem Smrutira Pahucha, Maa (ସ୍ମତିର ପାହୁଚ, ମାଁ) by Ashutosh Meher

ସ୍ମତିର ପାହୁଚ, ମାଁ

କାନ୍ଥରେ ଟଙ୍ଗା ହୋଇଥିବା ମା’ଙ୍କ ହସଭରା ସୁନ୍ଦର ତୈଳ ଚିତ୍ରକୁ ଅନାଉଥିଲେ ଶିଳ୍ପପତି ରବିକାନ୍ତ । ଆଜି ଘରକାନ୍ଥରେ ଲାଗିଛି ଏଇଟା, ମା’ଙ୍କ ଦେହାନ୍ତ ପର ଶେଷ କାର୍ଯ୍ୟକ୍ରମ ପରେ । ପାଖରେ ବାପାଙ୍କ ଫଟୋଟା ଦଶ ବର୍ଷ ପୁରୁଣା ହେଲାଣି । ସତେ ଯେମିତି ପାଖର ଖାଲି ଜାଗା ଅନାଇ ବସିଥିଲା ତାଙ୍କର ଜୀବନସାଥୀକୁ !! ଆଉ ଭଗବାନ ସେୟା ବି କରିଦେଲେ ।

ରବିକାନ୍ତଙ୍କ ଆଖିରୁ ଝରି ପଡ଼ିଲା ଦୁଇ ବୁନ୍ଦା ଲୁହ । ମନେ ପଡ଼ୁଥିଲା ବର୍ଷେ ତଳ ଘଟଣା….

ସେ ନିଜ ଦେହ ଖରାପର ମିଛ ଖବର ଦେଇ ଡ୍ରାଇଭର୍ ସାନୁକୁ ଗାଆଁକୁ ପଠାଇ ଘେନି ଆସିଥିଲେ ମା’ଙ୍କୁ ସହରକୁ । ଗାଁ ଘର ଛାଡ଼ି ଆସିବାକୁ ରାଜି ହେଉ ନଥିଲେ ତାଙ୍କର ଶତ ଚେଷ୍ଟା ସତ୍ତ୍ୱେ । ଦଶ ବର୍ଷ ପୂର୍ବେ ବାପାଙ୍କ ଦେହାନ୍ତରେ ଜିଦ୍ ଧରିଥିଲେ ସେ ଗାଁ’ରେ ହିଁ ରହିବେ, ସହରକୁ ଆସିବେନି । ପରିସ୍ଥିତ ଦେଖି ବାଧ୍ୟ ହୋଇଥିଲେ ମା’ଙ୍କ କଥା ମନିବାକୁ ସେତେବେଳେ ଓ କିଛି କରିପାରି ନଥିଲେ ଏଯାଏଁ । ହେଲେ ସହରରେ କାରଖାନରେ ବ୍ୟସ୍ତତା, ପରିବାରର ଭାର ଓ ପିଲା ଛୁଆଙ୍କ ପାଠ ପଢ଼ା ଓ ଟଣାଓଟରା ଭିତରେ ମା’ଙ୍କ ଯତ୍ନ ନେଇ ନପାରି ସତେ ଯେମିତି ଅନ୍ୟାୟ କରୁଛନ୍ତିର ଭାବନାରେ ଦହି ହେଉଥିଲେ ଓ ଶେଷରେ ଏ ମିଛ ବାହାନାର ଆଶ୍ରୟ ନେଇଥିଲେ ।

ମା’ ଗାଡ଼ିରୁ ଓହ୍ଲାଇବା ପରେ ରବିକାନ୍ତ ପାଦଛୁଇଁ ନମସ୍କାର କଲାରୁ, ମା’ କୋଳେଇ ଧରି କପାଳରେ ହାତ ମାରି କହିଲେ, “ଆରେ ରବି, ତୋ’ କପାଳରେ ଗରମ ତ ଜଣାପଡ଼ୁନି । ସାନୁ କହିଲା ବାବୁଙ୍କ ଦେହ ଖରାପ ତେଣୁ ନେବାକୁ ଆସିଛି । ଜାଣିଛୁ ଏ କଥା ପଦକରେ ସେମିତି ବସିଲା ଜାଗାରୁ ଉଠି ଆସିଛି !! ଏମିତି ନିଆଁଲଗା ଖବର ଦେବୁନିରେ ପୁଅ ଆଉ କେବେ । ମୋ ଆୟୁଷତକ ଲାଗିଯାଉ ତତେ ।”

– “ହଉ ଭିତରକୁ ଆସ, କଥା ହେବା ଯେ ପରେ ।”

ସାତ ଆଠ ଦିନ ଏମିତି କଟିଗଲା ଏ ଭିତରେ । ରବିକାନ୍ତ ଭାବୁଥିଲେ ମା’ଙ୍କ ମନ ଲାଗି ବସିଲାଣି ବୋଧେ ସହରରେ । ହେଲେ ସେ ଦିନ ସନ୍ଧ୍ୟାରେ ମା’ କହିଲେ, “ରବି ସପ୍ତାହେ ଉପର ହେବ ଗାଁ ଛାଡ଼ି ଆସିଲିଣି । ଆଜି ମୋର ଫେରିବାର ବ୍ୟବସ୍ଥା କରିଦେ । କେତେ କାମ ତେଣେ ବାକି ପଡ଼ିଥିବ ଯେ ସେଠି । ଏତେ ବଡ଼ ଘରବାରିର କଥା କ’ଣ ଜଣେ ଦୁଇଜଣ ଚାକିରିଆଙ୍କ ହାତରେ ଛାଡ଼ି ହେବ?? ହେଲେ କ’ଣ ପାଇଁ ଡକାଇ ପଠାଇଥିଲୁ ଏ ଯା ତ ଖୋଲି କହିଲୁନି?”

– “କିଛି ବିଶେଷ କାମ ନୁହେଁ ମାଆ, ତୁମେ ଗାଁରେ ରହିଛ ଏକା ଏକା । ମୁଁ ତ ସହରରେ ବ୍ୟସ୍ତ ରହି ତୁମ ପାଇଁ କିଛି କରି ପାରୁନି । କହୁଥିଲି ତୁମେ ଏଠି ଆସି ରହନ୍ତ ଆମ ସହ ମିଶିକରି ! ଗାଆଁ ଘରଟା ବିକ୍ରି କରିଦିଅନ୍ତେ ନି? ସେଠି ଆଉ କ’ଣ ରହିଲା ଯେ?”

“କ’ଣ କହିଲୁ? ଆଉ ଥରେ କହିଲୁ ଦେଖି !!” ଉତ୍ତେଜନାରେ ଏକ ନିଶ୍ୱାସରେ କହିଲେ ମା’ ଜୋର୍‌ରେ ।

ମା’ଙ୍କର ଏ ଉଗ୍ର ରୂପ ଦେଖି ରବିକାନ୍ତ ପ୍ରମାଦ ଗଣିବା ଆରମ୍ଭ କରିଥିଲେ । ମାଆ ବୋଲି ସେ ବୋମା ଫୁଟିବା ଉପରେ ଯେମିତି !!!

“ହଇରେ ତୁ କହିଲୁ ଗାଆଁରେ ମୁଁ ଏକା? ତୋ ବାପାଙ୍କୁ କ’ଣ ଭୁଲିଗଲୁ ଏତେ ଜଲଦି? ତାଙ୍କ ଜୀବନ୍ତ ସ୍ମୃତିକୁ ନେଇ ତ ମୋ ଜୀବନ । ଆଉ ସେ ସ୍ମୃତିକୁ ନେଇ ସେଇଠି ମୁଁ ରହିବି ମରିବାଯାଏଁ । ରହିଲା ଗାଁ ଘର ବିକିବା କଥା, ମୁଁ ମରିଗଲା ପରେ ତୁ ତାହା କରିପାରିବୁ ନିଶ୍ଚେ । ହେଲେ ମୋର ଗୋଟାଏ ସର୍ତ୍ତ ରଖିବୁ !! ତା ପୂର୍ବରୁ ନିଜ ଘରୁ ତୋ’ ବାପା ଓ ମୋର ଯାହା କିଛି ସଂକେତ ଏପରିକି ଫଟୋ ମଧ୍ୟ ତା’ ସଙ୍ଗେ ନିଲାମ କରିଦେବୁ !!”

ବାପାଙ୍କ ଫଟୋ ତଳେ ସେ ଦିନ ମାଆଙ୍କ ଆଖିର ଲୁହ ଦେଖି ଥରିଯାଇଥିଲେ ରବିକାନ୍ତ । ତା’ ପର ଦିନ ନିଜେ ଯାଇ ମା’ଙ୍କୁ ଛାଡ଼ି ଆସିଥିଲେ ଗାଁର ଘରେ ଆଉ ସେ ଦିନଠୁଁ ପ୍ରତି ମାସରେ ଥରେ ନିଶ୍ଚୟ ଯାଉଥିଲେ ମା’ଙ୍କ ସହ କିଛି ସମୟ ବିତାଇବାକୁ ।

******

“ସାର୍ ମୋତେ ଡକାଇ ପଠାଇଥିଲେ ପରା?” ଆଖିରୁ ଲୁହ ପୋଛି ମ୍ୟାନେଜର ରଘୁ ବାବୁଙ୍କ କଥାରେ ଚିନ୍ତା ରାଜ୍ୟରୁ ଫେରିଲେ ରବିକାନ୍ତ ।

“ହଁ ! ରଘୁବାବୁ । ଆମ ଇଂଜିନିୟର୍ ଓ ଆର୍ଚିଟେକ୍ଟ ବାବୁଙ୍କ ସହିତ ଆସନ୍ତାକାଲି ଆମେ ସମସ୍ତେ ମିଶି ଗାଆଁକୁ ଯାଇ ଦିନେ ଦୁଇଦିନ ରହିବା । ସବୁ ବ୍ୟବସ୍ଥା କରି ନିଅନ୍ତୁ । ଗାଁ ଘର ଓ ବାଡ଼ି ବଗିଚାର ପ୍ରଶସ୍ତ ଜାଗାରେ ଗୋଟାଏ ଅନାଥଶ୍ରମ ବସାଇବାର ବ୍ୟବସ୍ଥା କରି ଆସିବା । ବାପାମାଆଙ୍କ ସ୍ମୃତିକୁ ସବୁଦିନ ପାଇଁ ଉଜାଗର ରଖିବାପାଇଁ ଆଉ ଆସନ୍ତା ବର୍ଷ ଏଇ ସମୟରେ ତାକୁ ଯେମିତି ଉଦ୍‌ଘାଟନ କରି ପାରିବା”

ରବିକାନ୍ତ ଅନୁଭବ କରୁଥିଲେ ମା’ଙ୍କ ନୂଆ ତୈଳଚିତ୍ର ଯେମିତି ହସୁଥିଲା ଖୁସିରେ !!!

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।