You are currently viewing ✍ ଅଷ୍ଟମ ସମ୍ପାଦକୀୟ
ଅଷ୍ଟମ ସମ୍ପାଦକୀୟ - ତାପସ ରଞ୍ଜନଙ୍କ କଲମରୁ (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଅଷ୍ଟମ ସମ୍ପାଦକୀୟ

ନୂତନ ଉଦ୍ଭାବନ ମନୁଷ୍ୟର ଜୀବନ ଶୈଳୀକୁ କରେ ସରଳ ତଥା ସୁବ୍ୟବସ୍ଥିତ; ପାରିପାର୍ଶ୍ୱିକ ପରିବେଶ ଓ ଜୀବଜଗତର ସଂରକ୍ଷଣ କରେ; ଦୀର୍ଘସୁତ୍ରୀ ବ୍ୟବସ୍ଥାରେ । କିନ୍ତୁ କେବେ ଭାବିଛନ୍ତି, ଯଦି ସେହି ଉଦ୍ଭାବନ ବର୍ତ୍ତମାନ ପର୍ଯ୍ୟାୟରେ ମନୁଷ୍ୟର ଜୀବନ ଶୈଳୀକୁ ସରଳୀକୃତ କରୁକରୁ ଭବିଷ୍ୟତରେ ଜୀବଜଗତ ତଥା ପରିବେଶକୁ ଧ୍ୱଂସାଭିମୁଖୀ କରୁଥାଏ ! ତେବେ? ହଁ ! ୧୯୦୭ ମସିହାର ସେମିତି ଏକ ବୈପ୍ଳବିକ ତଥା ଯୁଗାନ୍ତକାରୀ ଆବିଷ୍କାର ମନୁଷ୍ୟ ଜୀବନଶୈଳୀକୁ ସହଜ କରୁକରୁ ୨୦୦୭ ମସିହା ବେଳକୁ ସମ୍ପୂର୍ଣ୍ଣ ଜୀବଜଗତ ପ୍ରତି ଅପ୍ରତିହତ ବିପଦ ହୋଇ ଛିଡ଼ା ହୋଇଥିଲା ସମ୍ପୂର୍ଣ୍ଣ ଜୀବଜଗତ ଆଗେ । କିଏ ଜାଣିଥିଲା ଲିଓ ବେକେଲାଣ୍ଡଙ୍କ ସେଦିନର ସେ ବେକେଲାଇଟ ବର୍ଷ ପରେ ବର୍ଷ ନିଜର କାୟା ପରିବର୍ତ୍ତନ କରି ମାନବ ଜଗତର ସେବା କରୁକରୁ ତା’ର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯିବ ଆଉ ୨୦୧୯ ମସିହା ବେଳକୁ ଅବିନାଶୀ ‘ପ୍ଲାଷ୍ଟିକ ରାକ୍ଷସ’ ହୋଇ ସମଗ୍ର ଜୀବଜଗତ ପ୍ରତି ବିପଦ ହୋଇ ଠିଆ ହେବ !!!

କିଛିମାସ ପୂର୍ବେ ପଡ଼ୋଶୀଙ୍କର ଏକ ଗାଈର ପେଟ ଅସ୍ୱାଭାବିକ ଭାବେ ଫୁଲିବାକୁ ଲାଗିଲା ଓ କୁଶଳୀ ଚିକିତ୍ସକଙ୍କର ଉତ୍ତମ ଚିକିତ୍ସା ସତ୍ତ୍ୱେ ଦେହତ୍ୟାଗ କଲା । ଚିକିତ୍ସକଙ୍କ କହିବା ଅନୁଯାୟୀ ମୃତ୍ୟୁର କାରଣ ଥିଲା ତାଙ୍କ ଗୋଚର ବାହାରେ । ଦୁଇଦିନ ପରେ ମଢ଼ ପଡ଼ିଆରେ ବୁଲା କୁକୁରମାନଙ୍କର ଖାଦ୍ୟ ପାଲଟିଥିବା ତା’ର ଅବଶିଷ୍ଟାଂଶର ଏକ ନିର୍ଦିଷ୍ଟ ଅଂଶରୁ ବାହାରିଲା ପିଣ୍ଡୁଳାଏ ପଲିଥିନ । ଏବେ ଚିକିତ୍ସକ କି ମାଲିକଙ୍କର ବୁଝିବାକୁ ବାକି ରହିଲାନି ଗାଈଟିର ଅପମୃତ୍ୟୁର କାରଣ । ସେମିତି ୨୦୧୯ ମସିହା ମାର୍ଚ୍ଚ ମାସରେ ଏକ ଖବର ଆସିଥିଲା ଫିଲିପାଇନ୍ସର ସମୁଦ୍ର କୂଳରୁ । ଏକ ଅଳ୍ପ ବୟସ୍କ ତିମି ମାଛର ପେଟରୁ ଯେତେବେଳେ ୯୦ ଟନର ପ୍ଲାଷ୍ଟିକ ଉଦ୍ଧାର କରାଗଲା,ସମଗ୍ର ବିଶ୍ୱ ଚକିତ ହୋଇଗଲା। ପରିବେଶବିତ ମାନଙ୍କର ଚିନ୍ତାର କାରଣ ବଢ଼ିଗଲା ଯେବେ ହଜାର ଟନର ପ୍ଲାଷ୍ଟିକ ପ୍ରଶାନ୍ତ ମହାସଗାରୀୟ ଉପକୂଳ ମାନଙ୍କୁ ପ୍ରଦୂଷିତ କରିବାକୁ ଲାଗିଲା ଏବଂ ଶହ ଶହ ପ୍ରଜାତିର ଜୀବମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟିକଲା । ସଦ୍ୟ ସମାପ୍ତ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ଅଧିବେଶନରେ ‘ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକର ଭୂମିକା’କୁ ନେଇ ବିସ୍ତୃତ ଭାବେ ଆଲୋଚନା ହେବା ସହ ଏହାର ପ୍ରଭାବକୁ କମ୍ କରିବା ଦିଗରେ ବିକଶିତ ତଥା ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ କାମ କରିବାପାଇଁ ସହମତି ହୋଇଥିଲା ।

ଏବେ ସମୟ ଆସିଛି, ଆମେ ସଂକଳ୍ପ କରିବା ଆଉ ଏହି ପ୍ଲାଷ୍ଟିକ ରୂପକ ରାକ୍ଷସକୁ ପରାସ୍ତ କରିବା । ତା’ର ପ୍ରଥମ ସୋପାନ ସ୍ୱରୂପ ଆମମାନଙ୍କ ଜୀବନରୁ ପ୍ଲାଷ୍ଟିକର ଉପସ୍ଥିକୁ କମ୍ କରିବା । ଆମେ ଭାଗ୍ୟବାନ କି ଆମେ ଜାଣି ପାରୁଛେ କ’ଣ ଜୀବଜଗତପାଇଁ କ୍ଷତିକାରକ । କିନ୍ତୁ ହାୟ ! ଅନ୍ୟ ଜୀବଜନ୍ତୁ ତାହା ଜାଣିପାରନ୍ତେ ହେଲେ !! ଆସନ୍ତୁ ସଂକଳ୍ପ କରିବା, ପରିବେଶକୁ ବଞ୍ଚେଇବା, ଜୀବଜଗତକୁ ବଞ୍ଚେଇବା, ପୃଥିବୀକୁ ବଞ୍ଚେଇବା, ନିଜକୁ ବଞ୍ଚେଇବା….

ପବିତ୍ର କାଳୀପୂଜା ତଥା ଦୀପାବଳୀ ଅବସରରେ ସମସ୍ତ ପାଠକ ପାଠିକା, ଲେଖକ ଲେଖିକା ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ।

ଜୟ ଜଗନ୍ନାଥ ॥

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।