କିଛି ପ୍ରଶ୍ନ ଏ ସମାଜକୁ……?
କିଛି ପ୍ରଶ୍ନ ଏ ସମାଜକୁ

କିଛି ପ୍ରଶ୍ନ ଏ ସମାଜକୁ……?

ବେବିନା, ନିର୍ଭୟା, ଇତିଶ୍ରୀ, ସୁଜାତା, ତପସ୍ୱିନୀ ଆଉ ଏବେ ସସ୍ମିତା । କିଏ ଜାଣିଲା କାଲି ଆଉ କାହା ନାଁ ଯୋଡ଼ାହେବ ଏ ତାଲିକାରେ । ଦୀଲ୍ଲୀର ନିର୍ଭୟା, ଖରୀନାସୀର ସୁଜାତା, ରାୟଗଡ଼ା ଡେଲାଙ୍ଗର ଇତିଶ୍ରୀ,ଏବେ କୁନ୍ଦୁଲିର ସସ୍ମିତା । ହୁଏତ କାଲି ଆମ ଗାଁ, ଆମ ସହର ସାଥିରେ ଆମ ନାଁ ବି ବାହାରିବ ଖବରକାଗଜରେ, ପ୍ରଚାରିତ ହେବ ଦୂରଦର୍ଶନରେ । ଆଉ ଆମେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଯିବୁ ଛକରେ, ଦୋକାନରେ, ରାସ୍ତାଘାଟରେ । ଏମିତି ଅନେକ ସ୍ଥାନରେ । ଆଠଦିନ ପନ୍ଦରଦିନ ଚର୍ଚ୍ଚା ହେବୁ ସବୁଠି । ଆମକୁ ନ୍ୟାୟ ଦେବାକୁ କିଛି ଲୋକ ଅନଶନ କରିବେ, ଆଉକିଛି ଧର୍ମଘଟ । ଆମକୁ ନେଇ ରାଜନୀତି ହେବ ସରଗରମ । ବିରୋଧୀ ଦଳ ଦୋଷଦେବ ଶାସକ ଦଳର, ଶାସକ ଦଳ ଦୋଷଦେବ ଆଇନ ବ୍ୟବସ୍ଥାର, ସାଧାରଣ ଜନତାଙ୍କର ଏବଂ ପରିଶେଷରେ ଦୋଷହେବ ଆମର । କାରଣ ଆମେ ଝିଅ । ଆଉ ସେତେବେଳକୁ ଅନେକ ଉପାଧି ଲାଗିସାରିଥିବ ଆମ ନାଁ ପୂର୍ବରୁ ଯଥା-: ନିର୍ଯାତିତା, ପୀଡ଼ିତା……. । ବୋଧହୁଏ ଏ ଉପାଧି ଗୋଟିଏ ଝିଅ ପାଇଁ ଶ୍ରେଷ୍ଠ ଉପାଧି । କାରଣ ଏ ଉପାଧି ଆମକୁ ନମିଳିଲେ ଆମ ସହ ହୋଇଥିବା ଅନ୍ୟାୟ କିପରି ପ୍ରମାଣିତ ହେବ??

ଆମସହ ଦୁଷ୍କର୍ମ କରିଥିବା ଲୋକ ଗିରଫ ହେବ, ଜେଲ୍ ଯିବ, ମୋକଦ୍ଦମାର ତାରିଖ ପରେ ତାରିଖ ଗଡ଼ିଚାଲିବ । କାହାକୁ ଆଜୀବନ କାରାଦଣ୍ଡ ତ’ କାହାକୁ ଜାମିନ୍ ମିଳିଯିବ । ଆଉ ଆମେ ଥାନା, ଡାକ୍ତରଖାନା, କୋର୍ଟ କଚେରୀ, ସାମ୍ବାଦିକ ସମ୍ମିଳନୀରେ ନିଜପ୍ରତି ହୋଇଥିବା ଅନ୍ୟାୟର ବର୍ଣ୍ଣନା କରି କରି ନିସ୍ତେଜ ହେଇଯିବୁ । ସମାଜର ତାତ୍ସଲ୍ୟ ସହି ଓଢ଼ଣା ତଳେ ମୁହଁ ଲୁଚେଇ ବଞ୍ଚିବା ଅପେକ୍ଷା ଓଢ଼ଣାଟାଣି ମରିଯିବାକୁ ଶ୍ରେୟ ମଣିବୁ । ତା’ ପରେ ସବୁ ଚୁପ୍……… ସବୁ ନୀରବ………. । ହେଲେ ଗୁମୁରି ଗୁମୁରି କାନ୍ଦୁଥିବେ ଆମ ବାପା ବୋଉ ଆଉ ନିନ୍ଦୁଥିବେ ନିଜ ଭାଗ୍ୟକୁ । ଝିଅଟିଏ ଜନ୍ମ କରିଥିବାରୁ ।

ମନରେ ଅନେକ ପ୍ରଶ୍ନ ଉଙ୍କିମାରେ ଏ ସଭ୍ୟ ଶିକ୍ଷିତ ସମାଜକୁ ପଚାରିବା ପାଇଁ । ଆମର ଦୋଷ କ’ଣ?? ସମସ୍ତେ କହୁଛନ୍ତି ଆମେ ସ୍ୱାଧୀନ, ଆମେ ସୁରକ୍ଷିତ । ସମ୍ବିଧାନ ଆମକୁ ସ୍ଵାଧୀନତାର ଅଧିକାର ଦେଇଛି । ଆମ ପାଇଁ ମହିଳା ଦିବସ ପାଳନ ହେଉଛି । ଆପଣମାନେ କୁହନ୍ତୁ ସେଦିନ ରାତିରେ ନିର୍ଭୟା କ’ଣ ସ୍ଵାଧୀନ ନଥିଲା? ତା’ ପୁରୁଷ ବନ୍ଧୁ ତା’ ପାଖରେ ଥାଇବି ସେ ସୁରକ୍ଷିତ ହେଇପାରିଲା ନାହିଁ । ବେବିନା କ’ଣ ଚାହିଁନଥିଲା ସ୍ଵାଧୀନ ପକ୍ଷୀଟେ ପରି ଉଡ଼ିବୁଲିବାକୁ? ସୁଜାତାର କ’ଣ ଦୋଷ ଥିଲା ସାଙ୍ଗମାନଙ୍କୁ ବିଶ୍ୱାସ କରିବା? ବିଶ୍ୱାସର ପରିଣତି କ’ଣ ଜଳିବା? କ’ଣ ଦୋଷ ଥିଲା ଇତିଶ୍ରୀର? ନିଜ ପ୍ରତି ହେଉଥିବା ଅନ୍ୟାୟର ସେ ତ’ ବିରୋଧ କରିଥିଲା । କାମୁକ ରାକ୍ଷସ କବଳରୁ ନିଜକୁ ମୁକୁଳେଇବା ପାଇଁ ସେ ସଂଗ୍ରାମ କରିଥିଲା । ଅବଶ୍ୟ ତା’ ନାରୀତ୍ୱକୁ ସେ ସୁରକ୍ଷା ଦେଇପାରିଲା, ହେଲେ ଅସୁରକ୍ଷିତ ହେଇଗଲା ତା’ ଜୀବନ । କ’ଣ ଭୁଲ କରିଥିଲା ସେ ନବମ ଶ୍ରେଣୀର ଝିଅ? ସେ ବି ଜାଣିଥିଲା ସେ ସ୍ୱାଧିନ ହେଲେ ଜାଣିନଥିଲା ସୁରକ୍ଷିତ ନୁହେଁ ବୋଲି । ଆଖି ବୁଜିଦେଲେ ଏମାନେ । ଆଉ ନିରବଦ୍ରଷ୍ଟା ସାଜି ଦେଖୁଛନ୍ତି ଆପଣମାନେ । କାରଣ, ଆପଣମାନେ ମଣ୍ଡପରେ ଦେବୀଙ୍କୁ ପୂଜା କରିବା ଜାଣନ୍ତି, ମନରେ ନୁହେଁ । ଆପଣମାନେ ସମସ୍ତେ ସମାନ ନୁହେଁ ତଥାପି ଏକାପରି ଲାଗୁଛନ୍ତି । ଏ ସମାଜରେ ସମସ୍ତେ ମାନବିକତାହିନ ମଣିଷ ନୁହେଁ । ତେବେ ସେ ମାନବିକତାର ମାନବ ଅଛନ୍ତି କୋଉଠି??

ଆମେ ନାମକୁ ମାତ୍ର ସ୍ଵାଧୀନ ଆଉ ସୁରକ୍ଷିତ । ଆଜି ବି ଆମେ ଅବହେଳିତ, ଲାଞ୍ଛିତ, ଅପମାନିତ । ଆପଣମାନେ ଗଢ଼ିଥିବା ସଂସ୍କାରକୁ ଗହଣା କରି ପିନ୍ଧିଛୁ । ଆପଣମାନେ ଟାଣିଥିବା ଲକ୍ଷ୍ମଣରେଖାକୁ ସମ୍ମାନ ଦେଇଛୁ । ଆପଣମାନଙ୍କ ଅନୁସାରେ ଆମେ ବଞ୍ଚିଛୁ । ଆପଣମାନେ ବୁଝାଇଥିବା ନାରୀର ଧର୍ମ, କର୍ତ୍ତବ୍ୟ ମାନି ଚଳୁଛୁ । ବିଭିନ୍ନ ରୂପରେ ଆପଣମାନଙ୍କ ପାଇଁ ନିଜକୁ ସମର୍ପି ଦେଇଛୁ । ତା’ ପରେ ବି ଆପଣମାନଙ୍କର ଏତେ ଅବିଚାର କାହିଁକି? ମାତୃର୍ଗଭରୁ ଆମକୁ ମାରିଦିଆଯାଉଛି କାହିଁକି? ଜନ୍ମ ହେବାପରେ ଅବହେଳିତ ହେଉଛୁ କାହିଁକି? ଯୌତୁକ ଜୁଇରେ ଜଳୁଛୁ କାହିଁକି? ଦୋଷ ନକରି ଦୋଷୀ ହେବୁ କାହିଁକି? ସ୍ଵାଧୀନ ପକ୍ଷୀଟେ ପରି ଉଡ଼ିବାକୁ ଚାହିଁଲେ ବଳାତ୍କାର ରାକ୍ଷସର ଶିକାର ହେବୁ କାହିଁକି? ଆମ ସ୍ନେହ ଶ୍ରଦ୍ଧା ତ୍ୟାଗର ମୂଲ୍ୟ କ’ଣ କ୍ଷତିପୂରଣ? ଏମିତି ଦିନ କେବେ ଆସିବ? ଯେଉଁଦିନ ଆପଣମାନଙ୍କ ଗହଣରେ ଆମେ ନିଜକୁ ସ୍ୱାଧୀନ ଆଉ ସୁରକ୍ଷିତ ମଣିବୁ । ସେମିତି ଶୁଭ ସମୟ କେବେ ଆସିବ? ଯେବେ ଭୃଣ ହତ୍ୟା, ବଳାତ୍କାର, ଶୋଷଣ, ନିର୍ଯାତନା, ପୀଡ଼ିତା ପରି ଶବ୍ଦ ଏ ସମାଜର ମାନସପଟରୁ ଚିରଦିନ ପାଇଁ ଲିଭିଯିବ । ସମ୍ବିଧାନ ରେ ଆମକୁ ସ୍ଵାଧିନତାର ଅଧିକାର ଦେଇଦେଲେ ଆମେ ସ୍ୱାଧୀନ ହେଇଯିବୁନି । ଆମ ସୁରକ୍ଷା ପାଇଁ ବହୁତଗୁଡ଼ିଏ ଯୋଜନା କାଗଜପତ୍ରରେ କାର୍ଯକାରୀ କଲେ ଆମେ ସୁରକ୍ଷିତ ହେଇଯିବୁନି । ଏଥିପାଇଁ ଏ ସମାଜରେ ପରିବର୍ତ୍ତନ ଆବଶ୍ୟକ । ନିଷ୍ଠୁର ମାନସିକତାର ପରିବର୍ତ୍ତନ ଆବଶ୍ୟକ । ଆବଶ୍ୟକ ମାନବିକତା ରୂପି ମାନବର । ତା’ ପରେ ହୁଏତ ଆମେ ନ୍ୟାୟ ପାଇବୁ । ଆମ ଆଖିରୁ ଲୁହ ଶୁଖିବ । ଆଉ ଆମ ଆତ୍ମାକୁ ଶାନ୍ତି ମିଳିବ । କେଜାଣି ସେ ସମୟ କେବେ ଆସିବ???

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu