You are currently viewing ରାଜଧାନୀର ଅନୁଭୂତି
ରାଜଧାନୀର ଅନୁଭୂତି

ରାଜଧାନୀର ଅନୁଭୂତି

ବଣ ପାହାଡ଼, ନଦୀଝରଣା, ପୋଖରୀ ତୋଟା ପରିବେଷ୍ଟିତ ଏକ ଛୋଟିଆ ଗ୍ରାମ କୁନ୍ଦନପୁର । ସବୁ ସମ୍ପ୍ରଦାୟର ଲୋକ, ଯେପରି ଆମ ଭାରତବର୍ଷ ସେଭଳି ଏ ଗାଁରେ ବିଭିନ୍ନ ଧର୍ମ ଓ ବିଭିନ୍ନ ଭାଷାଭାଷୀ ଲୋକ ବସବାସ କରନ୍ତି । ଏହି ଗାଆଁର ନୈସର୍ଗିକ ଶୋଭା ପରିକଳ୍ପନାତୀତ ।

ସତେ ଯେମିତି ଇଶ୍ୱର ଏକ ଛୋଟିଆ ସ୍ୱର୍ଗ ନିର୍ମାଣ କାର୍ଯ୍ୟରେ ଆସି, ଏ ଗାଆଁକୁ ଗଢ଼ି ଚାଲିଯାଇଛନ୍ତି । ବଣ ଜଙ୍ଗଲର ଆଢ଼ୁଆଳରେ କିମ୍ୱଦନ୍ତୀ ମାଳାରେ ଭୂଷିତା ଏକ ସୁନ୍ଦରୀ ଦେବୀ ସଦୃଶ୍ୟ ତା’ ରୂପରାଶି । ତା’ ମାଟି ବାସ୍ନା, ବିହଙ୍ଗରାବ, ଆମ୍ୱତୋଟା ବିବ୍ରତ ମନେ ସଦା ଭରିଦିଏ ଅମାପ ଶାନ୍ତି । ସେହି ଗାଁର ବରଷା ରାତିର ଦର୍ଦ୍ଦୁର କ୍ରନ୍ଦନ ଏବେବି ମୋହିତ କରେ ସହର ଅଭିମୁଖେ ପଳାୟିତ ଗ୍ରାମବାସୀଙ୍କୁ । ଗ୍ରାମ ପଞ୍ଚାୟତ ସେତେବେଳକୁ ଅଗ୍ରସର ପଥେ । ମୋଟାମୋଟି ଉନ୍ନତି ହୋଇ ନ ଥାଏ କିନ୍ତୁ ଉନ୍ନତି ପଥେ । ନାରୀ ସଚେତନ ସମ୍ପୂର୍ଣ୍ଣ ଶୂନ୍ୟ । ଏମିତି କିଛି ପରିବାରରେ ନାରୀମାନଙ୍କୁ ସମ୍ୟକ ପାଠପଢ଼ାର ସୁଯୋଗ ମିଳିଥିଲା । ପ୍ରଥମେ ଗ୍ରାମରେ ଗୋଟିଏ ଝିଅ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେଲା । ତାହାର କିଛି ବର୍ଷ ପରେ ଆଉ ଦୁଇଟି ଝିଅ, ଏମିତି ଉନ୍ନତିର କ୍ରମବିକାଶ ଘଟି ଆଜି କୁନ୍ଦନ ପୁର ଏକ ଉନ୍ମେଷିତ ଗ୍ରାମ୍ୟରେ ପରିଚିତ ।

ଶ୍ରୀମତି ହେଉଛି କୁନ୍ଦନପୁର ଗ୍ରାମର ଜଣେ ସ୍ନାତକୋତ୍ତର ଝିଅ । ତା’ ଅସୁମାରୀ ସ୍ୱପ୍ନ ରାଇଜରେ ସେ ଗୋଟିଏ ସୁନ୍ଦର ସ୍ନପ୍ନକୁ ସାକାର କରିବା ପାଇଁ ସହରରେ ରହିବାକୁ ଚେଷ୍ଟା କରିଥିଲା । ସବୁ କ୍ଷେତ୍ରରେ ତାର ସ୍ୱତନ୍ତ୍ର ଆଗ୍ରହ ଥିଲା । ଗୀତ, ନାଚ, କଳା, ବାଣିଜ୍ୟ, ବିଦ୍ୟା ତଥା ଦର୍ଶନ, ଆଧ୍ୟାତ୍ମ ସବୁଥିରେ ତା’ ଆଗ୍ରହ ଭରି ରହିଥିଲା । ସମ୍ଭ୍ରାନ୍ତ ପରିବାର ଯୋଗୁଁ ତା’ ସମ୍ଭାବନାରେ ଖୁବ୍ ଆଘାତ ଆସିଥିଲା । ମାତୃ ପରିବାରରେ କଳାକୌଶଳ ଓ ଜ୍ଞାନର ଅଭିବୃଦ୍ଧି ପାଇଁ କିଛି ସୁଯୋଗ ନ ପାଇ ଶେଷରେ ଏକ ସହରୀ ବରଙ୍କୁ ସମ୍ୱନ୍ଧିତ ବିବାହ କଲା । ବିବାହର ଗୂଢ଼ ରହସ୍ୟ ବୁଝିବା ତା’ ଜ୍ଞାନପରିଧିର ସୀମା ବାହାରେ । ସେ ଭାବିଥିଲା ବିବାହ ଦ୍ୱାରା ସହରରେ ରହି କିଛି ଲୁକ୍କାୟିତ କଳାକୌଶଳକୁ ବାହାର କରିବାର ସୁଯୋଗ ପାଇବ । କିନ୍ତୁ ସମୟର ଚକ୍ରରେ ପ୍ରତ୍ୟାବୃତ୍ତ ଭାଗ୍ୟରେ ଆସିଯାଇଥିଲା ଏକ ଅହେତୁକ ବିଡ଼ମ୍ୱନା । ଭାଗ୍ୟର ବ୍ୟତିକ୍ରମ ଘଟିଲା । ତା’ ସ୍ୱାମୀଙ୍କ ଅପମୃତ୍ୟୁ । ଭାଗ୍ୟର କରାଳ ଗର୍ତ୍ତରେ ସେ ଭୁଲିଗଲା ନିଜ ଅସ୍ତିତ୍ୱ । ଏହି ଅଘଟଣ ପରେ ଖାଦ୍ୟ, ପାନୀୟ, ନିଦ୍ରା ସବୁକିଛି ତା’ ପାଇଁ ବିରକ୍ତିକର ହୋଇଗଲା । କିନ୍ତୁ ଅନିଚ୍ଛା ସତ୍ତ୍ୱେ ସେ ଦୁଇଟି ପୁତ୍ର ସନ୍ତାନର ଜନନୀ ସାଜି ସାରିଥିଲା । ମାଆ ହିସାବରେ ଛାତିରେ ପଥର ରଖି ତାକୁ ଅଣ୍ଟା ଭିଡ଼ିବାକୁ ହିଁ ପଡ଼ିବ । ଜନନୀ ସ୍ରଷ୍ଟାଙ୍କ ଏକ ଅନବଦ୍ୟ ସୃଷ୍ଟି । ଦୁର୍ବଳ ଶରୀର, ଭଙ୍ଗା ମନୋବଳକୁ ନେଇ ପୁଣି ନିଜ ଗୋଡ଼ରେ ଠିଆ ହେବାପାଇଁ ଶ୍ରୀମତି ପ୍ରାଣପଣେ ଚେଷ୍ଟା କଲା । ତା’ ଅତୀତ ପ୍ରତିଦିନ ଆସି ତା’ ଦ୍ୱାର ଠକ୍‌ଠକ୍ କରେ, ଦ୍ୱାର ଖୋଲିବା ତ ଦୂରର କଥା ଶ୍ରୀମତି କବାଟର ସେ ଠକ୍‌ଠକ୍ ଶଦ୍ଦ ଶୁଣିବାକୁ ବି ନାରାଜ । ବାରମ୍ୱାର ଢଳିପଡ଼ୁଥାଏ କିନ୍ତୁ ସେ ଭଗବତ ପ୍ରେମୀ ହୋଇଥିବାରୁ ସଂସାର ରୂପି ରଙ୍ଗମଞ୍ଚରେ ଅଭିନୟ ନାୟିକା ସାଜି ଦିନ କାଟୁଥାଏ । ସନ୍ତାନମାନଙ୍କୁ ସୁଯତ୍ନ ଓ ଉତ୍ତମ ପରାମର୍ଶ ଭିତରେ ରଖିଥାଏ । ସମୟ କ୍ରମେ ତା’ ସନ୍ତାନ ଦୁଇଟି ଭଲ ନମ୍ୱର ପାଇ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ । ସୁଦୂର ଘନ ଆକାଶରେ ନକ୍ଷତ୍ର ପୁଞ୍ଜା ଠାବ କଲାପରି, ପୁଣି ତା’ ଆଖିରେ ସ୍ୱପ୍ନପୁଞ୍ଜା । ଅନୁକୂଳ ପରିସ୍ଥିତି ଆଉ ଅଲୈାକିକ ଦୈବୀକୃପାରୁ ସେ ଦୁଇଟି ସନ୍ତାନକୁ ନେଇ ଆଜି ରାଜଧାନୀ ବାସିନ୍ଦା । ଖ୍ୟାତିସମ୍ପନ୍ନ ବିଦ୍ୟାଳୟ ଗୁଡ଼ିକରେ ଏକାଦଶ ଶ୍ରେଣୀରେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ପ୍ରବେଶ କରାଇବାକୁ ସମର୍ଥ ହୋଇପାରିଲା । ଅନେକ ସମୟରେ ଗୁଡ଼ାଏ ଅଡ଼ୁଆ ସୂତାକୁ ନେଇ ତା’ ଜୀବନରେ ଚାଲିଥାଏ ସମସ୍ୟାଯୁକ୍ତ ଭାଗକ୍ରିୟା । ଜାଣେନା ତା’ ଭାଗକ୍ରିୟାର ଭାଗଶେଷ ଛିଣ୍ଡିବ ନା ଅଛିଣ୍ଡା ରହିଯିବ । ତଥାପି ଅନବରତ ଚେଷ୍ଟା ଚଲାଇଥାଏ ସନ୍ତାନମାନଙ୍କୁ ଗୋଟିଏ ସୁଶୃଂଖଳିତ ଜୀବନ ଦେବାପାଇଁ ।

ଜନ୍ମମାଟି, ଗାଆଁ, ସହର, ଆତ୍ମୀୟ ସଜ୍ଜନ, ସାହିପଡ଼ୋଶୀ ଓ ସାଙ୍ଗସାଥି ସମସ୍ତଙ୍କୁ ଛାଡ଼ି ଶ୍ରୀମତି ଆସିଯାଇଛି ରାଜଧାନୀ । ଆତ୍ମୀୟଙ୍କ ସହାୟତାରେ ସେ ଭଡ଼ାଘରଟିଏ ପାଇଛି । ସେ ଭାବିଥିଲା ରାଜଧାନୀ କଥା ଭାରି ଗୁମର କିନ୍ତୁ ସେମିତି କିଛି ନାହିଁ । ଏଠାକାର ଲୋକ, ସାଙ୍ଗସାଥି, ଜଳବାୟୁ, ପରିବେଶ ତଥା ବିଦ୍ୟାଳୟ ସବୁକିଛି ଭଲ । ଶ୍ରୀମତି ଖାଲି ଘର ମାଲିକାଣୀ ପାଖରେ ଟିକିଏ ହଇରାଣ ହରକତ ହୋଇଥିଲା । କୂପମଣ୍ଡୁକ ସଦୃଶ୍ୟ ସେ ବାହାର ଦୁନିଆ ସହ ଅପରିଚିତା ଥିଲା, ଆଉ ଭାବୁଥିଲା ଏ ସଂସାରର ସମସ୍ତ ଲୋକ ତା’ଭଳି ଉଦାରହୃଦୟୀ । ଘର ମାଲିକାଣୀର ନାଁ ଥିଲା ସଞ୍ଜବତୀ ପ୍ରଧାନ । ଶ୍ରୀମତି ତାକୁ ଭୟରେ ସଞ୍ଜୁ ଭାଉଜ ବୋଲି ଡାକେ । ବୟସରେ ଶ୍ରୀମତି ତା’ଠୁ ବଡ଼ କିନ୍ତୁ ସେ ପ୍ରଥମ ଦିନ ସଞ୍ଜୁର ମାଲିକାଣୀ ବେଶ ଦେଖି ଭୟରେ ତା’ ପାଟିରୁ ଆପେ ଆପେ ଭାଉଜ ଡାକ ବାହାରି ଆସିଥିଲା । ପୁଣି ପ୍ରଥମ ଡାକକୁ ସବୁଦିନ ଶ୍ରୀମତିକୁ ନିଭାଇବାକୁ ପଡ଼ିଥିଲା । ଏପଟେ ସଞ୍ଜୁର ଛାତି କୁଣ୍ଢେ ମୋଟ । କାହିଁ କୋରାପୁଟ ଜିଲ୍ଲା ଦୂରପାହାଡ଼ କାଟି କାଟି ୭୨୦କିମିରୁ ଆସି ଜଣେ ବ୍ରାହ୍ମଣ କୂଳବଧୁ ସଞ୍ଜୁକୁ ଭାଉଜ ବୋଲି ସ୍ନେହବୋଳା ସମ୍ୱୋଧନ କରିବା ତାକୁ ବହୁତ ଆନନ୍ଦ ଦେଉଥିଲା । ଏପଟେ ବାହ୍ୟଜଗତ ପ୍ରତି ସମ୍ପୂର୍ଣ୍ଣ ଅନଭିଜ୍ଞା ଶ୍ରୀମତି ନିଜେ ଯୋଉ ପ୍ରକୃତିର ଅନ୍ୟମାନେ ବି ସେ ପ୍ରକୃତିର ଭାବେ । ଏଥିପାଇଁ ତ ଏ ରାଜଧାନୀ ମାଟିରେ ତାକୁ କିଛି କଷ୍ଟ ସହିବାକୁ ପଡ଼ିଥିଲା । ସଞ୍ଜୁ ଦେଖିଲା ଝିଅଟା ପଢ଼ୁଆ, କିନ୍ତୁ ଉପସ୍ଥିତ ବୁଦ୍ଧିର ଅଭାବ । ଶ୍ରୀମତିର ଭାଉଜ ଡାକଶୁଣି ସଞ୍ଜୁ ଶ୍ରୀମତିକୁ ଆଲିଙ୍ଗନ କରି ଅଭିନୟେ କୁମ୍ଭୀର କାନ୍ଦଣା କାନ୍ଦିଥିଲା । ଏପଟେ ଶ୍ରୀମତି ନିଜ ଆତ୍ମୀୟ ମାଟି, ବନ୍ଧୁ ବାନ୍ଧବ, ପିତାମାତା, ଭାଇଭଉଣୀ, ଶାଶୂଶ୍ୱଶୁର ସମସ୍ତଙ୍କୁ ଛାଡ଼ି ରାଜଧାନୀ ଯାଇଛି ପୁଣି ଏଭଳି ଆତ୍ମୀୟ ଭାଉଜଟିଏ ପାଇ ଭୋଭୋ ହୋଇ କାନ୍ଦି ଉଠିଛି । ଏହି କନ୍ଦାକନ୍ଦି ଭିତରେ ସଞ୍ଜୁ ଏକ ନୀଚ ଚାହାଣୀ ପକାଇଛି ଶ୍ରୀମତିର ଜିନିଷ ପତ୍ର ଉପରେ । ସଞ୍ଜୁର ମନକଷ୍ଟ ହୋଇଛି ଯେ ଶ୍ରୀମତି ସେମିତି କିଛି ଆଖିଦୃଶିଆ ଜିନିଷ ପତ୍ର ଆଣିନାହିଁ । ଆଣିଛି ଖାଲି ବସ୍ତା ବସ୍ତା ବହି । ବହି ସହ ସଞ୍ଜୁର କିଛି ମତଲବ ହିଁ ନାହିଁ । ତଥାପି ଅତି କଷ୍ଟରେ ସଞ୍ଜୁ ତା’ ମନକୁ ବୁଝାଉଥାଏ ଜିନିଷ ପତ୍ର ନ ଆଣିଲେ କ’ଣ ହେଲା ଶ୍ରୀମତି ହାତରେ ଗୁଡ଼ାଏ କାମ କରାଇବା ପାଇଁ ମନେ ମନେ ଚିଠା ପ୍ରସ୍ତୁତି କରିଛି । ଆତ୍ମୀୟ ପରି ଅଭିନୟ ନିଭାଇବା ପାଇଁ ସଞ୍ଜୁର କିଛି ସମୟ ବିତି ଯାଇଛି ।

ଏପଟେ ସଞ୍ଜୁର ଘରେ ସ୍ୱାମୀ ମହେଶ ପ୍ରଧାନ, ଝିଅ ପାୟଲ୍ ଓ ପୁଅ ଦେବାଶିଷ ରୁହନ୍ତି । ସେମାନେ ସମସ୍ତେ ନିଜକୁ ବିଧିବଦ୍ଧ ଭାବେ ଗଢ଼ିବାକୁ ପ୍ରୟାସ କରନ୍ତି ସଞ୍ଜୁ ଭଳି । ସ୍ୱାମୀ ମହେଶ ସଞ୍ଜୁର ଆଖି ଦୁଇଟାକୁ ଭାରି ଭୟ କରନ୍ତି । ସଞ୍ଜୁର ପ୍ରତ୍ୟେକ ଚାହାଣୀର ପରିଭାଷା ସହ ସ୍ୱାମୀ ମହେଶ ଖୁବ୍ ପରିଚିତ । ସେ ନିଜକୁ ସଞ୍ଜୁ ପାଖରେ ନିବିଡ଼ ଭାବେ ସମର୍ପି ଦେଇଛନ୍ତି ଆଉ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ଜ୍ଞାନକୁ ହରାଇ ବସିଛନ୍ତି । ସଞ୍ଜୁର ଆଖିରେ ସେ ଦୁନିଆ ଦେଖନ୍ତି, ସଞ୍ଜୁର ଜିହ୍ୱାରେ ସ୍ୱାଦ ବାରନ୍ତି ଆଉ ସଞ୍ଜୁର କଥାରେ ଉଠବସ କରନ୍ତି । ଯେଉଁ ଭଡ଼ାଟିଆ ସେ ଘରକୁ ଆସନ୍ତି, ଅଳ୍ପଦିନରେ ସଞ୍ଜୁର ପ୍ରକୃତି ସହ ଖାପ ଖୁଆଇ ଚଳି ନ ପାରି ଚାଲିଯାଆନ୍ତି । ତେଣୁ ପୁଅଝିଅ ବେଳେବେଳେ ସଞ୍ଜୁକୁ ଥଟ୍ଟାରେ ତାଗିଦ୍ କରନ୍ତି, “ମମି ହୁସିଆର୍… ମମି ହୁସିଆର୍ ।” ଶ୍ରୀମତି କିଛି ବୁଝି ପାରୁନଥାଏ । ଭାବେ ଏତେ ଭଲଲୋକଙ୍କୁ ଏମାନେ ବାରମ୍ୱାର ହୁସିଆର ହୁସିଆର କାହିଁକି କହନ୍ତି? ଆଜି ପର୍ଯ୍ୟନ୍ତ ସେ ଘରେ ଦୁଇମାସରୁ ଅଧିକ କେହି ତିଷ୍ଠି ନାହାନ୍ତି । ଶ୍ରୀମତି ପ୍ରାଣପଣେ ନଅ ମାସ ବିତାଇଥିଲା । ସେ ତା’ ମନକୁ ବୁଝାଇସାରିଥିଲା ଯେ ଯାହା ଦୁଃଖ କଷ୍ଟ ହେଲେ ବି ସେ ପୁଅ ଦୁଇଟାକୁ ଯୋଗ୍ୟ କରିବାପାଇଁ ସହିନେବ । ଏମିତି ଗୁଡ଼ାଏ ଘାତପ୍ରତିଘାତକୁ ପ୍ରତିଦିନ ଶ୍ରୀମତି ସାମ୍ନା କରେ । ଘରଟି ପଢ଼ାପଢ଼ି ବାତାବରଣର ଅନୁକୂଳ ହୋଇ ଥିବାରୁ ସେ ମୁଣ୍ଡପାତି ସବୁକଷ୍ଟକୁ ସହି ନେଇଥିଲା । ଅନ୍ୟପଟେ ପୁଅମାନେ ବି କେବେ ଶ୍ରୀମତିକୁ ନିନ୍ଦିତ କରି କାଳେ କହିଦେବେ ଯେ ସେମାନଙ୍କର ଶିକ୍ଷା ପାଇଁ ମାଆ ଏତିକି ସହି ପାରିଲେନି ଏପରି ସବୁ ଭାବନାକୁ ଆଖି ଆଗରେ ରଖି ଶ୍ରୀମତି ସହିଚାଲିଥାଏ । ସନ୍ତାନ ପାଇଁ ଗୋଟିଏ ମାଆକୁ କେତେ ତ୍ୟାଗ ନିଷ୍ଠା ପରାକାଷ୍ଠାର ଯୂପକାଠରେ ମୁଣ୍ଡ ନୁଆଇଁ ବଳି ଖାଇବାକୁ ହୋଇଥାଏ । ନିଜ ଶରୀରର ଏକ ଏକ ରକ୍ତବିନ୍ଦୁକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମାଆ ବଳି ଦେଇଚାଲିଥାଏ । ଏମିତି ଅନେକ ସମସ୍ୟା ସହ ବିତିଗଲା ଅନେକ ଦିନ । ସଞ୍ଜୁର ସନ୍ତାନ ଦୁଇଟି ଅପାରଗ ହୋଇ ରାସ୍ତାରେ ବୁଲିବାକୁ ଲାଗିଲେ ତେଣୁ ସେ ଶ୍ରୀମତିର ସନ୍ତାନମାନଙ୍କ ଉପରେ କୁଦୃଷ୍ଟି ନିକ୍ଷେପ କରିବାକୁ ଲାଗିଲା । ହେଲେ ଶ୍ରୀମତି କ’ଣ, କିପରି କହି ଘରୁ ତା’ ସନ୍ତାନ ଦୁଇଟିକୁ ବାହାର କରିବ ବୁଝିପାରୁନଥାଏ । ଦିନେ ଶ୍ରୀମତିର ଜ୍ୟେଷ୍ଠ ପୁତ୍ର ମହାବିଦ୍ୟାଳୟରୁ ଫେରିବା ଦେଖି ସଞ୍ଜୁର ପୋଷା ଶୁଆ ଖୁସିରେ ନାଚି ନାଚି ତା’ ନାଆଁ ଧରି ଡାକିବାକୁ ଲାଗିଲା । ଏହା ଦେଖି ସଞ୍ଜୁ ରାଗରେ ଥମଥମ ହୋଇ ଆସି କହିଲା, “ଖାଉଛୁ ଜଣଙ୍କର ଆଉ ଗାଉଛୁ ଜଣଙ୍କର, କୃତଘ୍ନ ପକ୍ଷୀଟା, ତୋ ବେକ ମୋଡ଼ି ଫୋପାଡ଼ିଦେବି ।” ଗୋଟିଏ ନିରୀହ ପକ୍ଷୀଜାତିର କୁତ୍ସାରଟନା ଶୁଣି ଶ୍ରୀମତିର ସନ୍ତାନ ଭାଙ୍ଗି ପଡ଼ିଥିଲା ଆଉ ତା’ ହୃଦୟକୁ ଏତେ କୁଠାରାଘାତ କଲା ଯେ ସେ ନିଜେ ତା ମାଆଙ୍କୁ ବୁଝାଇ କହିଲା, “ମାଆ ଏ ଘର ଆମେ ଛାଡ଼ିଦେବା । ଯୋଉ ଘରେ ଗୋଟେ ନିଷ୍ପାପ ପକ୍ଷୀର ସ୍ଥାନ ନାହିଁ ସେଇଠି ଆମେ ରହିବା ଠିକ୍ ନୁହେଁ ।” ଶ୍ରୀମତିର ରାସ୍ତା ଖୋଲିଗଲା, ସେ ପରିଚିତ ଲୋକଙ୍କ ସାହାଯ୍ୟରେ ନୂଆଘରଟେ ପାଇ ସେଇଠୁ ବିଦାୟ ନେଲା । ବିଦାୟ ଅବଶ୍ୟ କରୁଣ ଥିଲା ତା’ ପାଇଁ ତଥାପି ବାଧ୍ୟତାମୂଳକ ଥିଲା । କିନ୍ତୁ କିଛି ଦିନ ପରେ ଶ୍ରୀମତି ଜାଣିବାକୁ ପାଇଲା ଯେ ସଞ୍ଜୁ ଜଣେ ମାନସିକ ବିକୃତିଗ୍ରସ୍ତ ରୋଗୀ । ସେ ବହୁତ ଦୁଃଖ କରିଥିଲା । ସତରେ ରାଜଧାନୀ ଲୋକେ ବହୁତ ଭଲ ମୁଁ କାହିଁକି ସଞ୍ଜୁ ଭାଉଜଙ୍କୁ ଭୁଲ ବୁଝି ଘର ଛାଡ଼ିଦେଲି ବୋଲି ନିଜକୁ ଧିକାର୍ କଲା ଆଉ ଫେରିଲା ବେଳେ ତାଙ୍କ ଆଶୀର୍ବାଦ ନେଇ ଘରକୁ ଫେରିଲା ।

ବାସ୍ତବରେ ଆମେ କାହା ବିଷୟରେ କୌଣସି ସିଦ୍ଧାନ୍ତ ବା ଆଲୋଚନା କରିବା ଅନୁଚିତ । ଇଶ୍ୱର ସମସ୍ତଙ୍କୁ କିଛି ନା କିଛି ଦିବ୍ୟଗୁଣରେ ମଣ୍ଡିତ କରିଛନ୍ତି ।

– କଲ୍ୟାଣୀ ହୋତା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଲ୍ୟାଣୀ ହୋତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।