ଆ ମୌସୁମୀ ଆ…
ଆ ମୌସୁମୀ ଆ...

ଆ ମୌସୁମୀ ଆ…

ବିଲ ବାଡ଼ି ସବୁ ଫାଟି ଆଁ କରେ
ଯାଉନି ବିଲରେ ହଳ,
ଶୁଖିଲା ମାଟି ଯେ ପଥର ସାଜିଛି
ଭାଙ୍ଗୁଛି ଟ୍ରାକ୍ଟର ଫାଳ ।

ଗୋଚର ହେଲାଣି ଚାଷଜମି ସବୁ
ଉଜୁଡ଼ି ଗଲାଣି କ୍ଷେତ,
ଆତଙ୍କ ଖେଳାଏ ଆଷାଢ଼ିଆ ଝାଞ୍ଜି
ଜଳିଯାଏ ଦେହ ହାତ ।

ବରଷାକୁ ଚାହିଁ ଗହିଡା ଆଖିରୁ
ପାଣି ତ ଗଲାଣି ମରି,
ସାଇତା ବିହନ ଖତ ଖାଇଲାଣି
ଚାଷୀ କାନ୍ଦେ ମୁଣ୍ଡ କୋଡ଼ି ।

ଅକ୍ଷିମୁଠି ଧାନ ଗଜା ହେଲାନାହିଁ
ଶୁଖିଲା ପାକଲା ରଜ,
ଜହ୍ନି ଓ କାକୁଡ଼ି ଭୁଇଁ ଛାଡ଼ିନାହିଁ
ହଟିନି ଖରାର ତେଜ ।

ଘୋର ରଡ଼ିଛାଡ଼ି ଖେଳୁଛି ଚପଳା
କମ୍ପେଇ ଦଉଛି ଧରା
କୃଷକ ବାପୁଡ଼ା ନେହୁରା ହେଉଛି
ଢାଳିଦିଅ ଦି ଅସରା ।

ମୌସୁମୀ ଖେଳେ ଲୁଚକାଳି ଖେଳ
ବଉଦ ଖେଳୁଛି ଦୋଳି,
ପାଣି ବିନା ଚାଷ କେମିତି କରିବ
ଚଷାଭାଇ ହୁଏ ଭାଳି ।

ନୀଳ ସାଗରର ଲହଡ଼ି ମେଳରେ
ଯେମନ୍ତ ଚାଲଇ ତରୀ,
ସେମନ୍ତ ବାଦଲ ନୀଳ ପାରାବରେ
ଭାସିବୁଲେ ଥିରିଥିରି ।

ଭାବେ ଅନ୍ନଦାତା କେମିତି ସୁଝିବି
ଗତ ବରଷର ଋଣ,
ଆଷାଢ଼ ଶେଷରେ ବିଲେ ପାଣି ନାହିଁ
ହୋଇନାହିଁ ବେଉଷଣ ।।

ଋଣ ନସୁଝି ସେ ବିଷ ଖାଇଦେବ
ଜୀବନ ହାରିବ ଆଃରେ,
ନେହୁରା ହେଉଛି ମୌସୁମୀ ତତେ
ଶେଷ ଆଷାଢ଼େ ତୁ ଆ’ରେ ।

ଅନ୍ନଦାତା ମୁଖେ ଫୁଟାଇଦେ ହସ
ଦୁଃଖ ଘୁଞ୍ଚିଯାଉ ତାରେ,
ଖେଳନା ଲୁଚକାଳି, ଅଜାଡ଼ିଦେ ପାଣି
ହସିଉଠୁ ଚାଷୀକୁଳରେ ।ମୌସୁମୀ ତୁ ଆ’ରେ…
ମୌସୁମୀ ତୁ ଆ’ରେ….. ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu