ଭାଷାର ବିପତ୍ତି
ଭାଷାର ବିପତ୍ତି

ଭାଷାର ବିପତ୍ତି

ଲୋକଂକ ବାଣୀ ନିୟଂତ୍ରଣ
ପ୍ରଚେଷ୍ଟା ଅଟେ ଅକାରଣ
ଶବ୍ଦକୋଷ କି ବ୍ୟାକରଣ
ନ ହୋଇପାରେ ସର୍ବମାନ୍ୟ

ନିର୍ଦିଷ୍ଟ କାଳେ ସ୍ଥଳେ ଭାଷା
ଯେମିତି ସୁଦଶା ଦୁର୍ଦଶା
ଭୋଗେ, ତହିଁର ବିବରଣ
ଲିଖିତ ବହି ବ୍ୟାକରଣ

ଭୁଲ୍‌ କି ଠିକ୍‌ ନିରୂପଣ
କରିବା ନୁହେ ସମୀଚୀନ
ନିଜେ ବୋଲାଇ ସର୍ବୋତ୍କୃଷ୍ଟ
ବ୍ୟକ୍ତି ହିଁ କରେ ଭାଷା ଭ୍ରଷ୍ଟ

ଜଣେ କହିଲେ ଜଣେ ବୁଝି
ଚଳାଂତି ଆପଣା ମରଜି
ଏଥିରେ ଅନ୍ୟ କେହି ମଥା
ଘୂରାଇ ପାଏ ମନେ ବ୍ୟଥା

ଯେତେକ ଭାଷାଭାଷୀ ଜନ
କେହି ତ ନୁହଂତି ଅଜ୍ଞାନ
ହୁଏତ କେତେ ନିରକ୍ଷର
ଶିଖି ନ ଥାଂତି ହସ୍ତାକ୍ଷର

ତା ନୁହେ ଅଜ୍ଞାନତା ଚିହ୍ନ
ତାହାଂକୁ କରିଦେଲେ ନ୍ୟୂନ
ଭାଷାର ମାନ ହୁଏ କ୍ଷୁଣ୍ଣ
ଏହା ବୁଝଂତି ଜ୍ଞାନୀ ଜନ

ଯା ସ୍ମୃତିଶକ୍ତି ଚମତ୍କାର
ସେ କିଆଁ ଲୋଡ଼ିବ ଅକ୍ଷର
ଦୁର୍ବଳ ମେଧାଧାରୀ ଜଣେ
ବହିକୁ ବିଶ୍ବ ବୋଲି ମାନେ

ଏବେ ବି କୋଟି କୋଟି ଲୋକ
ନୁହଂତି ପାଠକ ଲେଖକ
ତେଣୁ ପାଆଂତି ଅନାଦର
ଏହା ତ ନୁହେ ସୁବିଚାର

ଅଛଂତି ଯେତେ ଏକଭାଷୀ
ଆପଣା ଭାଷାଟିକୁ ପୋଷି
ବଂଚାଇ ରଖିଥାଂତି ରୀତି
ଧନ୍ୟ ତାଂକର ଭାଷାପ୍ରୀତି

ସେମାନେ ଭାଷାର ନମସ୍ୟ
ହେଲେ ହେଁ ସମାଜେ ଅବଶ୍ୟ
ନ ହୋଇ ଆଦୌ ସମାଦୃତ
ବଂଚଂତି ସ୍ବଭାଷା ସହିତ

ଅଥଚ ଶିକ୍ଷିତ ସମାଜ
ସ୍ବଭାଷା କହିବାକୁ ଲାଜ
କରଂତି ହୋଇ ଶବ୍ଦହୀନ
ଭାଷାତ୍ୟାଗୀ ନାମରେ ଗଣ୍ୟ

ପରଭାଷାରେ ବେଶି ପ୍ରୀତି
ଦେଖାଇ ଚଳେ ଯିଏ ନିତି
ବୁଝେନା କରେ କେତେ କ୍ଷତି
ସିଏ ହିଁ ଭାଷାର ବିପତ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।

Leave a Reply

Close Menu