You are currently viewing ବ୍ୟଭିଚାରିଣୀ
ବ୍ୟଭିଚାରିଣୀ

ବ୍ୟଭିଚାରିଣୀ

ରବିବାରଟା ଛୁଟି ବୋଲି ଯୋଉ ମହାପୁରୁଷମାନେ କହି ଯାଇଛନ୍ତି ସେମାନେ କେବେ ବି ବାହା ହେଇନଥିବେ । ବାହା ହବା ଲୋକମାନଙ୍କ ପାଇଁ ଯଦି କେବେ କୌଣସି ସମ୍ୱିଧାନଟିଏ ତିଆରି କରାଯାଏ ସେଥିରେ ମୌଳିକ ଅଧିକାରରୁ ଛୁଟିକୁ ନିଶ୍ଚୟ ବାଦ୍ ଦିଆଯାଇଥିବ । ମୁଁ ଯେମିତି କାଲିଠୁ ଭାବିକି ରଖିଥିଲି ଆଜି ରବିବାର ଖାଲି ସକାଳୁ ଖାନ୍ ଚାଚା ପାଖରୁ ଖାସି ମାଂସ ଅଧକିଲେ ଆଣି ମାମୁନୀଙ୍କୁ ଧରେଇ ଦେବି, ବାସ୍ ଦିନ ଯାକ ଲମ୍ୱ ହେଇ ଶୋଇ କ୍ରିକେଟ ମ୍ୟାଚ୍‌ଟା ଦେଖିବି । ହେଲେ ନାଇଁ, ମାମୁନୀଙ୍କର ଆଜି ହିଁ ଆଉ ଦିନବେଳା ହିଁ ଶାଢ଼ୀ ବଦଳେଇବାର ଅଛି । କାଲିକୁ କୁଆଡ଼େ ସାତ ଦିନ ଡେଇଁଗଲେ ସେ ଦୋକାନୀ ବଦଳେଇବନି ଆଉ ଦିନ ଗୋଟାଏ ପରେ ବି ଏକ୍ସଚେଞ୍ଜ ନବ ନାହିଁ । ଆଉ ଏ କଥାଟା ସମସ୍ତ ବୈଜ୍ଞାନିକ ଗବେଷଣାର ପରିସୀମା ବାହାରେ ଯେ ସୋରୁମ୍‌ରେ ଚଏସ୍ ଆସିଥିବା ପ୍ରତିଟି ଶାଢ଼ୀ ଘରକୁ ଆସିଲେ ଆଉ ପସନ୍ଦ କେମିତି ଲାଗେନି । ମୋର ଗୋଟାଏ ବହୁପଢ଼ୁଆ ସାଙ୍ଗ ମତେ ଦିନେ ବୁଝେଇ ଦେଲା ସେଇଟା ରମଣ ଲାଇଟ୍ ଇଫେକ୍ଟ ଥିଓରୀରେ କୁଆଡ଼େ ଲେଖାହେଇଛି ଯୋଉଟା ବୁଝିବା ମୋ ପାଇଁ ସମ୍ଭବ ନୁହେଁ । ସେବେଠାରୁ ଏ ଶାଢ଼ୀ ବଦଳେଇବା ପ୍ରସ୍ତାବରେ ମୁଁ ସବୁବେଳେ ବିନା ପ୍ରଶ୍ନରେ ରାଜି ହେଇ ଆସିଛି ଠିକ୍ ଆଜି ପରି । କ୍ରିକେଟ ମ୍ୟାଚ୍‌ଟା ଦେଖା ଛାଡ଼ି ଏ ଜରୁରୀ କାମରେ ସପତ୍ନୀକ ବାହାରିଗଲି ।

ଦୋକାନରେ ପହଞ୍ଚୁ ପହଞ୍ଚୁ ଏଗାରଟା ବାଜିଗଲାଣି । ମାମୁନୀ ତାଙ୍କର ଶାଢ଼ୀଟା କାଉଣ୍ଟରରେ ଧରେଇ ଦେଇ ତା’ ବଦଳରେ ଅଲଗା ଶାଢ଼ୀ ଦେଖୁଥାନ୍ତି । ମନଟା ମୋର ଯାଇ ସେଇ ମାଂସ ପାଖରେ । ବଢ଼ିଆ ଖାସିଟା ପୁଣି ପୁରା ଶୁଖା ମାଂସ, ପାଣି ପୂରେଇବା ଆଗରୁ ମୋ ପାଇଁ ଆଗ ଫଡ଼ିଆ, କଲିଜା ଆଉ ଚାପ୍ ଅଲଗା କରିଦେଇଥିଲା । ନିତି ଦିନିଆ ଗରାଖ ବୋଲି ସିନା, ନହେଲେ ଏମିତି ମାଂସ କିଏ ଦବ । ଅଦା, ରସୁଣ ଛେଚା ମସଲା ଦେଇ ତରକାରୀଟା ବନେଇ ଥିଲେ ଯୋଉ ମଜା ଆସିଥାନ୍ତା ସେଇଟା କ’ଣ ସେ ଚାକରାଣୀ ବନେଇ ପାରିବ, ପେଷ୍ଟ ପକେଇ ଦେଇ ସବୁ ବିଗାଡ଼ି ଦବ । ସବୁ ସୁଆଦ ଏଇ ଶାଢ଼ୀ ଧନ୍ଦାରେ ଗଲା । ହଉ ହେଲେ ମ୍ୟାଚ୍‌ଟା ତ ଦେଖିହବ ନା । ଏମିତି ଭାବି ମୋବାଇଲରେ ଖେଳଟା ଲଗେଇଲି । ଯା, ଦଶ ଓଭର ଯାଇନି ତିନିଟା ଆଉଟ୍ ହେଲେଣି । ଦିନଟା ହିଁ ଖରାପ ।

ଏମିତି ଭାବନାଗୁଡ଼ାକ ମୁଣ୍ଡରେ ବସା ବାନ୍ଧିଲା ବେଳକୁ କେତେବେଳେ ଆଖି ଦୁଇଟା ଯାଇ ସେ କାଉଣ୍ଟର ପଛରେ ଝିଅଟା ଉପରେ ରହିଯାଇଥାନ୍ତି କେଜାଣି । ସେଇ ଚେହେରା ଟିକେ ମଳିନ ଖାଲି ସେ ହସଟା, ହେଲେ ଏତେ ଝଡ଼ିଯାଇଛି ଆଉ କଳା ବି ପଡ଼ିଯାଇଛି, ସେ ଆଗର ସତେଜତା ବି ତ ନାହିଁ । ଏ ଚପଳା ତ, ନା ଆଉ କିଏ । ନାଇଁ ମ, ଆଠ ବର୍ଷ ହେଲା ଦେଖା ନହେଲେ ବି କ’ଣ ଚପଳାକୁ ଚିହ୍ନିବାରେ ମୋର ଭୁଲ ହବ । ହେଲେ ମୁଁ ଯେତିକି ଜାଣିଛି ସେ ତ ବାହା ହେଇ ଯାଇଥିଲା, ସେ ପୁଣି ନିଜ ପସନ୍ଦରେ । ହାତରେ କାଇଁ ଚୁଡ଼ି କି ମଥାରେ ସିନ୍ଦୂର କିଛି ବି ନାହିଁ । ଉଦ୍ଧତ ଝିଅଟା ପରା, ଆଜି ଯାଏ ବି ସୁଧୁରିଲାନି । ସ୍ୱାମୀ ପାଖରେ ଅଛି ନା ତାକୁ ବି ଛାଡ଼ିସାରିଲାଣି କେଜାଣି । ପୁଣି ଏ ନୂଆ କଥାଗୁଡ଼ାକ ଘର ବସେଇଲା ବେଳକୁ ମାମୁନୀଙ୍କ ‘ଯିବା’ ଡାକରେ ସବୁ ଭାବନାର ବସାକୁ ଭାଙ୍ଗିଦେଇ ଚୁପ୍‌ଚାପ୍ ତାଙ୍କ ପଛେ ପଛେ କାର୍‌ଯାଏ ଚାଲିଆସିଲି ।

ଚପଳା, ତା’ର ସେତିକି ସମୟ ପାଇଁ ହଠାତ୍ ମୋ ଜୀବନ ଆକାଶରେ ଉଲକା ପିଣ୍ଡ ଭଳି ଦେଖାଦବାଟା ମତେ ଆଉ ସ୍ଥିର କରି ରଖେଇଦେଇ ନଥିଲା । ମନରେ ଅସୁମାରୀ ପ୍ରଶ୍ନ । ଗୋଟେ କେମିକାଲ୍ ଇଂଜିନିୟର ଆଜି ଲୁଗା ଦୋକାନରେ କାମ କରୁଛି, ଦେହରେ ସଧବା ନାରୀର ଭୂଷଣ କିଛି ବି ନାହିଁ, ଏତେ ଚଞ୍ଚଳ ଝିଅ ଏମିତି ତଳକୁ ମୁଣ୍ଡ ପୋତି ଚୁପଚାପ୍ କାମ କରୁଛି । ନା ଏସବୁ କଥାକୁ ହଜମ କରି ପାରୁଥିଲି ନା ମନରୁ କାଢ଼ି ପାରୁଥିଲି, ଖାଲି ଯନ୍ତ୍ରବତ୍ କାର୍‌ଟା ଚଲଉଥିଲି ଯାହା । “କଣ ସେଠି ସେ ଝିଅଟାକୁ ପୁରା ପିଇ ଯାଉଥିଲ?” ସାଇଡ୍ ସିଟ୍‌ରୁ ମାମୁନିର ଏ ପ୍ରଶ୍ନଟା ହଠାତ୍ ମତେ ଅପ୍ରସ୍ତୁତ କରିଦେଇଥିଲା । ତୀର ଚାଳନାରେ ଅର୍ଜୁନ ଲକ୍ଷ୍ୟଚ୍ୟୁତ ହୋଇପାରନ୍ତି ହେଲେ ସ୍ୱାମୀ ଉପରେ ନଜର ରଖିବାରେ କୋଉ ନାରୀ କେବେ ଫେଲ୍ ମାରିବନି । ମୁଁ କିଛି ଉତ୍ତର ଦବା ଆଗରୁ ସେ ନିଜେ କହିଲେ, “ମାନୁଛି ଝିଅଟା ସୁନ୍ଦର ହେଲେ ତମ ଚଏସ୍ ଶେଷକୁ କ’ଣ ଏତେ ତଳକୁ ସେଲ୍ସ୍ ଲେଡି ଉପରକୁ ଆସିଗଲାଣି ।” ମୁହଁ ମୋଡି ଦେଇ ଚୁପ୍ ରହିଲେ ମାମୁନି । ବିନା କ୍ଷୟକ୍ଷତିରେ ତିତଲି ଝଡ଼ ପାର ହେଇଗଲା ପରର ଆସ୍ୱସ୍ତିରେ ଲମ୍ୱା ନିଶ୍ୱାସଟାଏ ମାରିଲି ।

ସେଦିନ ଘରକୁ ଆସି ଖାଇଦେଲି ସିନା, ହେଲେ ନା ମାଂସ ତରକାରୀର ସ୍ୱାଦ ଉପରେ ଧ୍ୟାନ ଦେଇଛି ନା ମ୍ୟାଚ୍‌ର ସ୍କୋର ଜାଣିବା ପାଇଁ । ଚପଳାର ସେଇ ଝାଉଁଳା ମୁହଁଟା ଭାରି ବ୍ୟସ୍ତ କରୁଥିଲା । ତା’ସହ ମୋର ପରିଚୟ ଷଷ୍ଠରୁ । ତା’ ବାପାଙ୍କ ବଦଳି ପରେ ଆମ ସ୍କୁଲକୁ ଆସିଥିଲା । ନାଆଁଟା ଯେମିତି ଝିଅଟା ଠିକ୍ ସେମିତି; ଚଞ୍ଚଳା, ଚପଳା । ଭଗବାନ ହାତ ଗୋଡ଼ ଯଦି ଦେହରେ ଲଗେଇକି ଦେଇ ନଥାନ୍ତେ ତା’ର ସେଗୁଡ଼ା ସେଇ ଛୁଆଦିନୁ ହଜି ସାରନ୍ତାଣି । ଚୁଲବୁଲିଟା ତ ପୁରା । କୋଉ ଝିଅର ଟିଫିନ୍ କେବେ ଲୁଚେଇ ଖାଇଦେଲାଣି ତ, କୋଉ ପୁଅକୁ ଚକ୍ ଫିଙ୍ଗିଲାଣି । କିଛି ଗୋଟାଏ କାଣ୍ଡ ନ କଲେ ତା’ ଭାତ ହଜମ ହୁଏନି । କେଜାଣି କାହିଁକି ମୋ ସହ କେବେ ସେମିତି କରିନି । ହାଇସ୍କୁଲରେ ବି ଗୋଟାଏ ସେକ୍ସନ ଥିଲା ଆମର । ଏଇଟା ସେଇ ସମୟ ଯେତେବେଳେ ପ୍ରେମର ବୀଜଟା ବୟସର ପାଣି ପାଇ ହୃଦୟର ମାଟି ପରସ୍ତ ଭେଦି ସବୁଜ ସୁନ୍ଦର ହସଟାଏ ହସିଥାଏ । ଆଉ ମୁଁ ବି ଏଥିରୁ ବାଦ୍ ପଡ଼ିଥାନ୍ତି କେମିତି । ଚପଳାର ନାରୀ ଶରୀରଟା ଧୀରେ ଧୀରେ ସେ ବାଳିକା ଖୋଳପାରୁ ବାହାରି ଯେତେବେଳେ ରୂପ ନେଉଥିଲା ତାକୁ ଦେଖିଦେଲେ କାଇଁ କେମିତି ଦେହଟା ମୋର ହେଇଯାଏ । ବେଳେବେଳେ ଭାବେ କାଇଁ ଆଗରୁ ତ ଏମିତି ହଉନଥିଲା, ଏବେ କାହିଁକି? ନବମ ଶ୍ରେଣୀ ବାୟୋଲୋଜି ବହିରେ ଉତ୍ତରଟା ପାଇଲି । ବାଲ୍ୟବସ୍ଥାରୁ ଯୌବନକୁ ପ୍ରବେଶ କଲାବେଳକୁ କୌଶୋର ଅବସ୍ଥାରେ କୁଆଡ଼େ ସେ ଟେଷ୍ଟୋଷ୍ଟେରନ୍ ହରମୋନ୍‌ଟା ପାଇଁ ଏତେ ନାଟ । ସେପଟେ ଇଷ୍ଟରୋଜେନ୍ ଆଉ ପ୍ରୋଜେଷ୍ଟରନ୍ ହରମୋନ ତାକୁ ଏମିତିଆ ସୁନ୍ଦରୀ ବନେଇ ଦେଇଛନ୍ତି । ଏଥିରେ କାହାରି କିଛି ଦୋଷ ନାହିଁ । ବହୁତଥର ମନରେ ଭାବିଛି ପ୍ରେମର ନିବେଦନ କରିବା ପାଇଁ ହେଲେ କାଳେ ସାର୍‌ମାନଙ୍କ ପାଖରେ ଥିବା ସୁନା ପିଲା ଚେହେରାରେ ଦାଗ ଲାଗିଯିବ, ସେଥିପାଇଁ ମନ କଥା ମନରେ ମାରି ଚୁପ ରହିଛି ।

ଦଶମ ପରୀକ୍ଷା ସରିଗଲା ପରେ ଦୁଇ ବର୍ଷ ତା’ର ଆଉ ମୋର ଦେଖାହେଇନି । ମୁଁ ବିଜେବିରେ ଯୁକ୍ତ ଦୁଇ ପଢ଼ୁଥିଲା ବେଳେ ସେ ପୁରୀରେ ପଢ଼ୁଥାଏ । ମୋବାଇଲ ଫୋନ୍ ସେତେବେଳେ ଧୀରେ ଧୀରେ ତା’ର ଅକ୍ତିଆର ବିସ୍ତାର କରିଥିଲେ ବି ମୋ ଭଳି ରକ୍ଷଣଶୀଳ ପରିବାରର ବାପାମାଆଙ୍କ ପାଇଁ ସେଇଟା ପଢ଼ାରୁ ଧ୍ୟାନ ହଟାଉଥିବା ଏକ କ୍ଷୁଦ୍ର ରାକ୍ଷସ ଥିଲା । ସେ ଚିନ୍ତାଧାରାକୁ ଭେଦକରି ମୋବାଇଲଟା ମୋ ପକେଟକୁ ଆସି ପାରିନଥିଲା । ସେଥିପାଇଁ ଦୁଇ ବର୍ଷ ଚପଳା ସହ ମୋର କେବେ ଦେଖାକି କଥା କିଛି ବି ହେଇନି । ପୁଣି ଭାଗ୍ୟର ସଂଯୋଗରେ ଇଂଜିନିୟରିଂ କଲେଜରେ ଆମର ଗୋଟାଏ ବ୍ୟାଚ୍, ଯଦିଓ ମୋର ମେକାନିକାଲ୍ ଆଉ ତା’ର କେମିକାଲ୍ । ହେଲେ ସେଠି ନୂଆ ଚପଳା ସହ ମୋର ଭେଟ । ପୁରୀର ସେ ସମୁଦ୍ର କୁଳିଆ ପବନରେ ବୋଧେ ନିଶ୍ଚୟ କିଛି ଯାଦୁ ଅଛି । ଯୌବନର ସ୍ପର୍ଶଟା ତାକୁ ଆହୁରି ସୁନ୍ଦର, ମନଲୋଭା କରିଦେଇଥିଲା । କଲେଜର ଟୋକାଯାକ ସବୁ ତାରି ଆଗପଛ ସାହି ବୁଲା କୁକୁର ଭଳିଆ ବୁଲୁଥାନ୍ତି । ଚପଳା ବହୁତ ସମୟ ବି ମୋତେ ଦେଖା କରିବାକୁ ଚାଲିଆସେ ମୋ କ୍ଲାସ ନହେଲେ ଲାବ୍ ବାହାରକୁ । ଲାବ୍‌ରେ କେମିକାଲ୍ ପୋଡ଼ା ଗନ୍ଧଠାରୁ କିଛି ମଣିଷ ଜଳିଯିବାର ଦୁର୍ଗନ୍ଧଟା ଆହୁରି ବଢ଼ିଯାଏ । କିନ୍ତୁ ଧୀରେ ଧୀରେ ଚପଳା ସହ କଥା ହବାକୁ ମତେ କାଇଁ ଆଉ ଭଲ ଲାଗୁନଥିଲା । ତା’ର ଯୋଉ ନାହିଁ ସେଇ ପିଲା ବାଇକ୍ ପଛରେ ବସି ବୁଲିବା, କ୍ଲବ୍ ବାର୍ ଯାଇ ଟୋକାଙ୍କ ସହ ମଦ ପିଇ ମାତାଲ ହେଇ ଫେରିବା ଏଗୁଡ଼ାକୁ ଆଧୁନିକତାର ଆଖ୍ୟାଦେଇ ନ ଧରିବାକୁ ଚେଷ୍ଟା କରୁଥିଲେ ବି ପାରୁ ନଥାଏ । ପୁଣି ଇଂଜିନିୟରିଂ କଲେଜରେ ଝିଅର ଟପ୍ ଆଉ ଜିନ୍ସ ମଝିରେ ଛଅ ଆଙ୍ଗୁଳିର ବ୍ୟବଧାନରେ ଖୋଲା ଦେହର ଟିକେ ଝଲକ୍ ତାକୁ ବାରାଙ୍ଗନାର ଉପାଧି ଦବାକୁ ଯଥେଷ୍ଟ । ଚପଳା ତା’ର ଏସବୁ ଆଚରଣ ପାଇଁ ସମସ୍ତଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା । ଥରେ ସାଙ୍ଗମାନଙ୍କୁ ଚପଳା ପ୍ରତି ମୋର ମନ କଥା ଖୋଲି କହିଥିଲି । କିଏ କହିଲା, “ଏମିତି ଝିଅକୁ ନେଇ ସଂସାର କରଯାଏନି”, କିଏ କହିଲା, “ଏ ଝିଅ ସୋ କେଶ୍‌ରେ ସଜେଇ ଦେଖେଇବା ପାଇଁ, ଘର ଚଳେଇବା ପାଇଁ ନୁହେଁ ।” କିଏ ପୁଣି କହିଲା, “ୟାକୁ ବାଇକ୍‌ରେ ବୁଲା, ହୋଟେଲ ନେଇକି ଯା, ରାତି ବିତା, ଦେହଟାକୁ ଉପଭୋଗ କର ହେଲେ ବାହା ହବା କଥା ବିଲକୁଲ ଚିନ୍ତା କରନି ।” କିଏ ପୁଣି ତାଛଲ୍ୟ କରି କହିଲା, “ତୁ କହିଲେ ସେ ଦବ ଯେ ।”

ଯଦିଓ ସାଙ୍ଗମାନଙ୍କର ଏ କଥା ସବୁ ମତେ ତଳକୁ ଖସିଯିବାକୁ ପ୍ରଲୋଭିତ କରିପାରିନଥିଲା ତଥାପି ତା’ର ଚରିତ୍ର ଉପରେ ଭାବିବାକୁ ବାଧ୍ୟ କରିଦେଇଥିଲା । କଥାବାର୍ତ୍ତା ପ୍ରାୟ ବନ୍ଦ କରିଦେଇଥାଏ । ସେ ବି ମୋର ଏ ବ୍ୟବହାରରେ ପରିବର୍ତ୍ତନ ଠଉରେଇ ସାରିଥିଲା । ସିଧାସଳଖ ପଚାରିଥିଲା କାରଣ । ଯେତେ ବାଆଁରେଇଲେ ବି ମାନିନଥିଲା । ଶେଷକୁ ବିରକ୍ତିରେ ପାଟିରୁ ବାହାରି ଯାଇଥିଲା, “କାଇଁ ଗୋଟେ ମୋ ପଛରେ ପଡ଼ିଛୁ, ତତେ କ’ଣ ପୁଅ ଅଭାବ । ଏତେ ଟୋକା ତ ଆଗ ପଛରେ ବୁଲଉଛୁ, ମୁଁ ନହେଲେ ଆଉ କିଏ ଧରିଦବୁ ।” ବାସ୍, ତା’ପରେ ଝଡ଼ ପରର ନୀରବତା । ଗୋଟେ ଶବ୍ଦ ବି ନକହି ଚୁପଚାପ ଚାଲିଯାଇଥିଲା । ହାତ ଉଠେଇ ଚାପୁଡ଼ାଟାଏ ବି ମାରି ପାରିଲାନି ମତେ । ବାସ୍ ସେଇଟା ଆମର ଶେଷଥର ଦେଖା ଆଉ କଥା ଥିଲା । ପରେ ଚାରି ପାଞ୍ଚ ବର୍ଷପରେ ସାଙ୍ଗମାନଙ୍କଠାରୁ ଖାଲି ଯାହା ଶୁଣିଥିଲି ତାରି ଅଫିସରୁ କାହାକୁ ଗୋଟାଏ ବାହା ହେଇଛି । ନା ସେ ମତେ ବାହାଘରକୁ ଡାକିଛି ନା ମୁଁ ତା’ ବିଷୟରେ କିଛି ଜାଣିବାକୁ ଚେଷ୍ଟା କରିଛି । ହେଲେ ଆଜି ତାକୁ ଲୁଗା ଦୋକାନରେ ଦେଖିବା କଥା ବି ହଜମ ହଉ ନଥାଏ । ଚୁପଚାପ ଉଠି ଆଉ ଥରେ ବାହାରିଲି ସେଇ ଲୁଗା ଦୋକାନକୁ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ।

ସନ୍ଧ୍ୟା ସମୟ ପ୍ରାୟ । ଦୋକାନରେ ପହଞ୍ଚି ସିଧା ତା’ପାଖରେ ଯାଇ ହାଜର । କିଛି କହିବା ଆଗରୁ କହିଲା, “ଫେରି ଆସିଲ ପୁଣି ତା’ହାଲେ, ଭାବିନଥିଲି ଜମା ।”

– କିଛି କଥା ହବାର ଥିଲା ।
– ଦଶ ମିନିଟ୍ ବସ, ମୋ ଟାଇମ୍ ଏଠି ଓଭର୍ ହେଇଯାଉ ।
ଦୋକାନ ସୋଫାରେ ବସି ଅପେକ୍ଷା କରିଥାଏ । ପାଖାପାଖି ପନ୍ଦର ମିନିଟ୍ ପରେ ଆସି କହିଲା, “କୁହ କ’ଣ କହିବ ।” ସେଠି କଥା ହବାଟା ଠିକ୍ ହବନି ଭାବି ଟିକେ ଚାହା କଫି ସହ ବସି କଥା ହବାକୁ ଡାକିଲି, କିଛି ପ୍ରତିବାଦ ନ କରି ରାଜି ହୋଇଗଲା । ଦୁହେଁ ସାଙ୍ଗ ହେଇ ପାର୍କିଙ୍ଗରେ ମୋ କାର୍‌ଯାଏ ଆସିଲୁ । କାର୍‌ରେ କିଛି ସମୟର ନୀରବତା ପରେ ସେ କହିଲା

– ତମ ସ୍ତ୍ରୀ ବହୁତ ସୁନ୍ଦର । ଭଲ ମାନୁଛି ତମ ଯୋଡ଼ିଟା ।
– ଆଉ ତମ ସ୍ୱାମୀ, ତମ ପସନ୍ଦ ମାନେ ସେ ବି କ’ଣ କିଛି କମ୍ ହିରୋ ଥିବେ କି?
– ସେ ଆଉ ନାହାନ୍ତି ।
– ମାନେ ।

କାର୍‌ର ବ୍ରେକ୍ ଲାଗିସାରିଥାଏ ସେତେବେଳକୁ । କ’ଣ କେମିତି ସବୁ ହେଲା କହିବାରୁ ସେ କହିଥିଲା ତା’ କାହାଣୀ ।

“ବାହାଘରର ମାତ୍ର ବର୍ଷେ ଭିତରେ ଜଣା ପଡ଼ିଲା ତାଙ୍କୁ କ୍ୟାନ୍ସର । ବାପାବୋଉ ତାଙ୍କର ଯାହା, ଭାଇ ଭଉଣୀ କେହି ନାହାନ୍ତି । ପୁଅକୁ ବଞ୍ଚାଇବାକୁ ଯାଇ ଜମିବାଡ଼ି ଘର ସବୁ ବିକିଭାଙ୍ଗି ସର୍ବସ୍ୱାନ୍ତ ହେଲେ । ମୁଁ ବି ଚାକିରି ଛାଡ଼ି ତାଙ୍କୁ ମୁମ୍ୱାଇ, ଚେନ୍ନାଇ ସବୁଆଡ଼େ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଖାଲି ବୁଲିଛି । ହେଲେ ବି ମାତ୍ର ବର୍ଷେ ବଞ୍ଚେଇପାରିଲୁ । ଏପଟେ ଶାଶୁଶ୍ୱଶୁର ବି ଶାରୀରିକ, ମାନସିକ, ଆର୍ଥିକ ସବୁ ଦିଗରୁ ଭାଙ୍ଗି ପଡ଼ିଥାନ୍ତି । ମୋର ରୋଜଗାର କରିବା ନିହାତି ଦରକାର ଥିଲା । ନିଜ ଇଚ୍ଛାରେ ବାହା ହେଲା ପରେ ମୋ ବାପାମାଆ ବି ଆଉ କେବେ ମତେ ଖୋଜିନାହାନ୍ତି । ତାଙ୍କଠୁ ସାହାଯ୍ୟ କେମିତି ମାଗିଥାନ୍ତି । ମୋ ଲାଇନ୍‌ରେ ବି ଏଠି କଟକରେ କିଛି ଚାକିରି ମିଳିଲାନି କି ଦୂରକୁ ଯିବା ମୋ ପାଇଁ ସମ୍ଭବ ନଥିଲା । ସେବେଠୁ ଏଠି ଆସି ରହିଛି, ଯେମିତି ସେମିତି କରି ଏଠି ଘରଟା ଚଳିଯାଉଛି ।” ଗୋଟେ ନିଶ୍ୱାସରେ ଏତକ କହିଗଲା ସେ । ହେଲେ ଆଖିରେ ଠୋପାଏ ଲୁହ ବି ଆସିନି । ହୁଏତ କେବେଠୁ ଶୁଖିଗଲାଣି ନ ହେଲେ ବହି ବହି ସରିଗଲାଣି । କ’ଣ କହିବି ବୁଝି ନ ପାରି ପଚାରିଲି

– ଆଉ ତୋ ପିଲାପିଲି?
– ଭଗବାନ ସେ ସୌଭାଗ୍ୟ ଦେଇନାହାନ୍ତିରେ ମତେ ।
– ତା’ହାଲେ ତୁ ଆଉ କାହାକୁ ବି ବାହା ହେଇ ପାରିଥାନ୍ତୁ ନା ।
– ଖାଲି ଗୋଟେ ବ୍ୟଭିଚାରିଣୀର ଉପାଧିଟା ଦେଇନଥିଲ ସେଦିନ, ଏମିତିରେ ସେଇଟା ବି କହି ଦେଇଥାନ୍ତ ।

ସେଦିନ ସିନା କଲେଜରେ ମତେ ସେ ଚାପୁଡ଼ାଟାଏ ମାରି ପାରି ନ ଥିଲା, ଆଜି ଏତେ ବର୍ଷପରେ ଏ କଥା ପଦକ ମତେ ସ୍ଥାଣୁ କରିଦେଇଥିଲା । ପ୍ରତ୍ୟୁତ୍ତର ଦେବାକୁ ଶବ୍ଦ ବି ନଥିଲା କି ତା’ ପାଖରେ ଭୁଲ ମାଗି ତାକୁ ଛୋଟ କରିବାକୁ ମୁଁ ଚାହୁଁନଥିଲି । କି ତା’ର ପରିବାର ପ୍ରତି ଏ ସମର୍ପଣ ସହ ମୋ ମାମୁନି ଯିଏ ମୋ ଗାଆଁରେ ଚଳିପାରିବନି ବୋଲି ଗାଆଁକୁ ଯିବାକୁ ପସନ୍ଦ କରେନି- ଏ ଦୁଇ ଜଣକୁ ଗୋଟେ ନିକିତିରେ ରଖି ତଉଲିବାକୁ ବି ମୁଁ ଚେଷ୍ଟା ବି କରୁନଥିଲି । ଗାଡ଼ି ପୁଣି ଷ୍ଟାର୍ଟ କଲି ତାକୁ ଘରେ ଛାଡ଼ିଦେବା ପାଇଁ ।

ସ୍ୱରୂପ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱରୂପ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ଗପ ରଚନା କରନ୍ତି । ତାଙ୍କ ପ୍ରଥମ ପୁସ୍ତକ ୨୦୨୦ ମସିହାରେ ପ୍ରକାଶିତ ହୋଇଛି ।