You are currently viewing ମାନବଧର୍ମ
Odia Story Manaba Dharma (ମାନବଧର୍ମ) by Sushama Parija

ମାନବଧର୍ମ

ଦିଲ୍ଲୀର ସୈଫି ହସ୍ପିଟାଲରେ ଦୀର୍ଘ ଦୁଇ ମାସ ପନ୍ଦର ଦିନ ହେଲା ନିଜର ସ୍ୱାମୀ ହରିବଂଶକୁ ଜଗି ବସିଛି ରତ୍ନା । ଘରେ ଛାଡ଼ି ଆସିଛି ତିନି ତିନିଟା ପିଲାଙ୍କୁ ପଡ଼ୋଶିନୀ ରୀମାର ହେପାଜତ୍‌ରେ । ଶାଶୁଘରେ ଶାଶୁ ଶଶୁର ତ ଅନେକ ଦିନ ଆଗରୁ ସ୍ୱର୍ଗବାସୀ ହୋଇ ସାରିଛନ୍ତି, ନିଜର ବୋଲି କହିବାକୁ ଆଉ କେହି ନାହାଁନ୍ତି । କୁଟୁମ୍ୱର ଯେଉଁମାନେ ବି ଅଛନ୍ତି, ହରିବଂଶର ଅଭାବୀ ସଂସାରକୁ ସାହାଯ୍ୟ କରିବାର ମନୋବୃତ୍ତି କାହାର ନାହିଁ । ବିହାରର ଗୋଟାଏ ଛୋଟ ଗାଁ ଯସୋବନ୍ତପୁରର ବାସିନ୍ଦା ହରବଂଶ ଯାଦବ । ବାପଅଜା ଅମଳର ଯେଉଁ ଆଠ ଦଶ ବିଘା ଜମିବାଡ଼ି ଥିଲା ସେଇଥିରେ ଚାଷବାସ କରି ଚଳେ । ସଂସାର ବୋଇଲେ ସ୍ତ୍ରୀ ରତ୍ନା ଆଉ ତିନି ଝିଅ ଦଶ ବର୍ଷର ଶାଲୁ, ଆଠ ବର୍ଷର ରାନୀ ଆଉ ଛଅ ବର୍ଷର ମିଠି । ଚାଷବାସରୁ ଯାହା ଆୟ ହୁଏ ସେତକରେ ସଂସାର ଚଳେଇ ହୁଏନି, ତେଣୁ ନିଜ ଜମି ସହିତ ଆହୁରି କିଛି ଜମି ଭାଗଚାଷ କରେ । ଜମିଦାର ଘର କିଛି ସାହାଯ୍ୟ କରନ୍ତି ଭଲମନ୍ଦ, ପର୍ବପର୍ବାଣୀରେ । କଷ୍ଟେ ମଷ୍ଟେ ଚଳିଯାଏ ସଂସାର । ହାତରେ କିନ୍ତୁ ଦି’ ପଇସା ରହେନା ସୁବିଧା ଅସୁବିଧା ସମୟ ଲାଗି । ରତ୍ନା ବି ଚାଷବାସରେ ସାହାଯ୍ୟ କରେ ହରିବଂଶକୁ, ଘରେ ଗାଈଟିଏ ରଖି କ୍ଷୀର ବେପାର କରେ, ଯେମିତି ସେମିତି ଦୁଃଖେସୁଖେ ଚଳି ଯାଆନ୍ତି ସେମାନେ । ବର୍ଷକ ତଳେ ବିଲରେ ହଳ କରୁ କରୁ ଦିନେ ବେହୋସ ହୋଇଗଲା ହରିବଂଶ, ଆଖପାଖରେ କାମ କରୁଥିବା ଲୋକମାନେ ଟେକାଟେକି କରି ଆଣି ଘରେ ପହଞ୍ଚାଇଲେ ତା’କୁ । ସ୍ୱାମୀର ଏମିତି ଅବସ୍ଥା ଦେଖି ହଡ଼ବଡ଼େଇ ଗଲା ରତ୍ନା, ପାଣି ଛିଞ୍ଚି, ଗୋଡ଼ ହାତ ଆଉଁସି ସାଷ୍ଟମ କଲା, ସଞ୍ଜ ବେଳକୁ ହରିବଂଶ ଦେହକୁ ମାଡ଼ି ଆସିଲା ଜର, ଦିହମୁଣ୍ଡରେ ଭୀଷଣ ଯନ୍ତ୍ରଣା ସହିତ ପ୍ରବଳ ଉତ୍ତାପରେ ଛଟପଟ ହେଲା ହରିବଂଶ । ପଡ଼ୋଶୀ ରାମଦାସ ଆଉ ତା’ର ପତ୍ନୀ ରୀମାଙ୍କ ସହାୟତାରେ ହରିବଂଶକୁ ଡାକ୍ତର ପାଖକୁ ନେଲା ରତ୍ନା । ଡାକ୍ତର ସବୁ ଦେଖାଦେଖି କରି ଔଷଧ ଦେଲେ, ସପ୍ତାହକ ପରେ ଜର ଛାଡ଼ିଗଲା ସିନା ପିତ୍ତ ବାନ୍ତି କରି କରି ହାଲିଆ ହେଲା ହରିବଂଶ । ପୁଣି ତା’କୁ ଡାକ୍ତରଖାନା ନେଇକି ଗଲା ରତ୍ନା, ଏଥର ଡାକ୍ତର କହିଲେ ଜଣ୍ଡିସ୍‌ (ହଳଦିଆ କାଆଁଳ) ରୋଗ ଧରିଛି ହରିବଂଶକୁ । କିଛି ଦିନ ଔଷଧ ପତ୍ର ଖାଇବାକୁ ପଡ଼ିବ, ଭଲ ହେବାକୁ ସମୟ ଲାଗିବ । ଔଷଧ ଖାଇବା ସହିତ ପଥିରେ ରହିବାକୁ ହେବ । ବିଶ୍ରାମ ନେବା ନିହାତି ଆବଶ୍ୟକ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଚାଲିଲା ହରିବଂଶଙ୍କର ହେଲେ ରୋଗ କମିବାର ନାଆଁ ଧରିଲାନାହିଁ । ସଞ୍ଚିତ ଅର୍ଥ ସରି ହାତ ଉଧାରି ଚାଲିଲା, ରତ୍ନାର ଯାହା ଦି’ଖଣ୍ଡ ସୁନା ରୂପା ଗହଣା ଥିଲା ବିକ୍ରି ହୋଇଗଲା, ତଥାପି ହରିବଂଶ ଆଉ ପୂର୍ବ ଭଳି ଚାଷବାସ କରିବା ଲାଗି ସକ୍ଷମ ହୋଇ ପାରିଲାନି । ଡାକ୍ତର କହିଲେ ଏଠାରେ ଆଉ ଚିକିତ୍ସା ସମ୍ଭବ ନୁହେଁ, ତୁମେ ତାଙ୍କୁ ନେଇ ଦିଲ୍ଲୀରେ ବଡ଼ ହାସପାତାଳରେ ଦେଖାଅ । ସ୍ୱାମୀର ଜୀବନ ରକ୍ଷା କରିବା ଲାଗି ସବୁ ତୁଚ୍ଛ କରିଦେଲା ରତ୍ନା । ଗାଁ ଜମିଦାରଙ୍କ ଗୋଡ଼ହାତ ତଳେ ପଡ଼ି, ସବୁ କଥା ଜଣାଇ, ଗାଁ ଜମିକୁ ବନ୍ଧାରଖି ପଚାଶ ହଜାର ଟଙ୍କା ଉଧାର ଦେବାକୁ ଅନୁରୋଧ କଲା । ଦୟା ପରବଶ ହୋଇ ଜମିଦାର ସେତିକି ଟଙ୍କା ଦେବାରୁ ପିଲାମାନଙ୍କୁ ପଡ଼ୋଶିନୀ ରୀମାର ଦାୟିତ୍ୱରେ ଦେଇ ହରିବଂଶକୁ ନେଇ ଦିଲ୍ଲୀ ଆସିଲା । ଗାଁର ଜଣେ ଦାଦି ଲେଖା ହେବେ ମନୋହର ଚାଚା, ତାଙ୍କର କେହି ଦୂର ସଂପର୍କୀୟ ବନ୍ଧୁ ଥିଲେ ଦିଲ୍ଲୀରେ, ତେଣୁ ସେ କେବେ କେବେ ବୁଲି ଯାଉଥିଲେ ସେମାନଙ୍କ ଘରକୁ । ରତ୍ନା ତ ନିଜେ ଗାଁରୁ କେବେ ଗୋଡ଼ କାଢ଼ି ନଥିଲା, ଆଉ ଦିଲ୍ଲୀ ସହରରେ କୋଉଠି କାହାକୁ କ’ଣ ଚିହ୍ନିଛି ଯେ କୋଉଠି କି ନେଇ ଚିକିତ୍ସା କରେଇ ଥାଆନ୍ତା? ଚାଚା ସାଥିରେ ଗଲେ କେଜାଣି କାହାକୁ ଚିହ୍ନାପରିଚ ବାହାର କରି ମେଡ଼ିକାଲ କଥା ବୁଝାବୁଝି କରିଦେବେ ସେଇ ଭରସାରେ ତାଙ୍କୁ ସାଥିରେ ଧରି ଆସିଥିଲା । ଦିଲ୍ଲୀରେ ପହଞ୍ଚିଲା ପରେ ଚାଚାଙ୍କର ବନ୍ଧୁ ଜଣକ ସେମାନଙ୍କୁ ନେଇ ସୈଫି ହସ୍ପିଟାଲରେ ଦେଖା କରେଇ ଦେଲେ ମେଡ଼ିସିନ୍‌ ବିଭାଗର ବଡ଼ ଡାକ୍ତରଙ୍କ ସହିତ । ବହୁତ ପରୀକ୍ଷା ନିରୀକ୍ଷା କରି ଡାକ୍ତର କହିଲେ ହରିବଂଶର କିଡ଼ନୀ ଦୁଇଟି କାମ କରୁନି । ପ୍ରଥମେ ତା’କୁ ନେଇ ନେଫ୍ରୋଲୋଜି ବିଭାଗରେ ବଡ଼ ଡାକ୍ତର ରମଣ ସିଂଙ୍କ ସହିତ ପରାମର୍ଶ କରି ସେଠି ଆଡ଼ମିସନ କରି ଡାୟାଲିସିସ୍‌ କରିବାକୁ ପଡ଼ିବ । ଯଦି ଡାୟାଲିସିସ୍‌ରେ ଭଲ ନହେଲା ତେବେ କିଡ୍‌ନୀ ଟ୍ରାନସପ୍ଲାଣ୍ଟ କରିବାକୁ ପଡ଼ିବ, ନହେଲେ ହରିବଂଶର ବଞ୍ଚି ରହିବା ସମ୍ଭବ ନୁହେଁ । ତେବେ ଏସବୁ ବାବଦକୁ ଖର୍ଚ୍ଚ ହେବ ପ୍ରାୟ ଦଶ ଲକ୍ଷ ଟଙ୍କା । ତୁମେ ଯୋଗାଡ଼ କରି ପାରିବ ତ?

ଚଡ଼କ ପଡ଼ିଲା ରତ୍ନାର ମୁଣ୍ଡରେ । ତା’ ମୁଣ୍ଡ ଝାଇଁ ମାରି ଯାଉଥିଲା, ଚତୁର୍ଦ୍ଦିଗ ଅନ୍ଧକାର ଦେଖା ଯାଉଥିଲା, ଗଳା ଶୁଖି ଯାଉଥିଲା । ଦଶ ଲକ୍ଷ ଟଙ୍କା ଯୋଗାଡ଼ ନହେଲେ ହରିବଂଶ ଆଉ ବଞ୍ଚିବନି, ତେବେ ସେମାନଙ୍କର କ’ଣ ହେବ? ଏ ଦୁନିଆଁରେ ହରିବଂଶ ଛଡ଼ା ଆଉ କେହି ନାହିଁ ରତ୍ନା ଆଉ ତା’ପିଲା ମାନଙ୍କର । କ’ଣ କରିବ ସିଏ, କେମିତି ବଞ୍ଚେଇ ହରିବଂଶକୁ? କେମିତି ବଞ୍ଚେଇ ତା’ର ପିଲା ମାନଙ୍କୁ?? କେମିତି ବଞ୍ଚିବା ସେ ନିଜେ ଏତେ ବଡ଼ ଦୁନିଆଁରେ???

ପୁଣି ଥରେ ଡାକ୍ତରଙ୍କ ପାଖରେ ଯାଇ ପହଞ୍ଚିଲା ରତ୍ନା, କାନ୍ଦି କାନ୍ଦି ତାଙ୍କ ଗୋଡ଼ ଧରି ପକାଇଲା, କହିଲା, “ଆମେ ଗରିବ ଲୋକ ଆଜ୍ଞା, କୋଉଠୁ ପାଇବୁ ଏତେ ଟଙ୍କା? ମୋର କେହି କୁଆଡ଼େ ନାହାଁନ୍ତି ଆଜ୍ଞା, ତିନି ତିନିଟା ଝିଅଙ୍କୁ ଛାଡ଼ି ଆସିଛି ଘରେ, ମୋ ସ୍ୱାମୀ ବେମାର ପଡ଼ିଲା ଦିନୁ ଦୁଇ ବେଳା ଦୁଇମୁଠା ପେଟପୁରା ଖାଦ୍ୟ ଦେଇ ପାରୁନି ପିଲା ମାନଙ୍କ ମୁହଁରେ, ମୁଁ ନିଜେ କ୍ଷେତରେ କାମ କରୁଛି, ପରଘରେ ବାସନ ମାଜୁଛି, ଝାଡ଼ୁପୋଛା କରୁଛି, କୋଉଠୁ ଆସିବ ଏତେ ଟଙ୍କା, ମୋ ସ୍ୱାମୀ କ’ଣ ଏମିତି ଚିକିତ୍ସା ନପାଇ ମରି ଯିବ? ସତ କହୁଛି ବାବୁ, ସେ ଯଦି ଏଇଠି ସେମିତି ମରିବ, ତେବେ ମୋ ତିନି ପିଲାଙ୍କ ସହିତ ମୁଁ ଏଇଠି ଆତ୍ମାହୁତି ଦେଇଦେବି ସାର୍‌ । ତା’ ବ୍ୟତୀତ ମୋର ଆଉ ଅନ୍ୟ ଗତି ନାହିଁ ।” କାବା ହୋଇ ଶୁଣୁଥିଲେ ଡାକ୍ତର ଜଣକ ରତ୍ନାର କଥାଗୁଡ଼ିକ, ଗଭୀର ସମବେଦନା ଜଣାଇବା ଛଡ଼ା ଆଉ କିଛି ଉପାୟ ବି ନଥିଲା ତାଙ୍କ ପାଖରେ । ସେ ଚେୟାର୍‌ ଉପରୁ ଉଠି ଆସିଲେ ରତ୍ନା ପାଖକୁ । ସେଠାରେ ଉପସ୍ଥିତ ଥିବା ଷ୍ଟାଫ୍‌ ନର୍ସ ଜଣକ ରତ୍ନାକୁ ତଳୁ ଉଠାଇ ଚଉକିରେ ବସାଇ ପାଣି ଗ୍ଲାସ୍‌ଟିଏ ପିଇବାକୁ ଦେଲେ ତା’କୁ । ଡାକ୍ତର ଜଣକ ସାନ୍ତ୍ୱନା ଦେଲେ, “ତୁମକୁ ଟିକିଏ ଧୈର୍ଯ୍ୟ ଧରିବାକୁ ମା’ ! ହରିବଂଶର ଡାୟାଲିସିସ୍‌ ତ ନିଶ୍ଚୟ କରିବାକୁ ପଡ଼ିବ, ମୁଁ ଏଠିକାର କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସହିତ କଥାବାର୍ତ୍ତା କରିବି, ଯଦି ସେମାନେ ତୁମକୁ ପଇସାପତ୍ର କିଛି ସାହାଯ୍ୟ କରି ପାରିବେ, ମୁଁ ଔଷଧପତ୍ର ଯାହା ଲାଗିବ ତୁମକୁ ଦେଇ ପାରିବି କିନ୍ତୁ ମୁଖ୍ୟ କଥା ହେଲା କିଡ଼ନୀ, ସେଇଟା ତୁମକୁ ଯୋଗାଡ଼ କରିବା ପାଇଁ ପଡ଼ିବ । ତୁମେ ଡୋନର୍‌ଟିଏ ଯୋଗାଡ଼ କର ନିଜର ପରିବାରରୁ, ତା’ପରେ ଯାହା ଯେମିତି କରିବା ।” ଷ୍ଟାଫ୍‌ ନର୍ସ ଜଣକ ବୁଝାଇ ଦେଲେ କିଡ଼ନୀ ପ୍ରତିରୋପଣ କରିବାକୁ ହେଲେ ଡୋନର୍‌ର ରକ୍ତ ସହିତ ରୋଗୀର ରକ୍ତ ମିଶୁଥିବା ଦରକାର, ନହେଲେ ରୋଗୀ ମରିଯିବ, ଅପରେସନ୍‌ କରି କିଛି ଲାଭ ହେବନି । ସବୁ ଶୁଣିଲା ରତ୍ନା, ହେଲେ ସେ ବୁଝି ପାରୁନଥିଲା ଯେ ହରିବଂଶ ପାଇଁ କିଡ଼ନୀ ସେ କେଉଁଠୁ ଯୋଗାଡ଼ କରିବ, ହରିବଂଶର ପରିବାର ବୋଲି କେହି ନାହିଁ, କିଏ ତା’କୁ ଦାନ କରିବ କିଡ଼ନୀ । ଟଙ୍କା ଦେଇ ଆଉ କାହା ପାଖରୁ କିଡ଼ନୀ କିଣିବା ସାମର୍ଥ୍ୟ ନାହିଁ ରତ୍ନାର । ତେବେ କ’ଣ ହରିବଂଶ ଏମିତି ମେଡ଼ିକାଲରେ ପଡ଼ି ପଡ଼ି ମରିବ? ତା’ ପରଦିନ ସେ ପୁଣି ଯାଇ ଦେଖାକଲା ସେଇ ଡାକ୍ତରଙ୍କୁ, ସବୁ କଥା ଜଣାଇ କହିଲା, “ସାର୍‌ ! ଆମର ପରିବାର ନାହିଁ, ମୁଁ କିଡ଼ନୀଟିଏ ପାଇବି କୋଉଠୁ? ଆପଣ ଆମର ଭଗବାନ, ଆପଣ ମୋର ଗୋଟିଏ କିଡ଼ନୀ କାଢ଼ି ନେଇ ହରିବଂଶଠାରେ ଲଗାଇ ଦିଅନ୍ତୁ, ଆମେ ଦିହେଁ ଅଧା ଅଧା ହୋଇ ବଞ୍ଚି ଯିବୁ, ମୁଁ ଆପଣଙ୍କ ଗୋଡ଼ ଧରୁଛି ସାର୍, ପ୍ରାର୍ଥନା କରୁଛି, ମୋତେ ନିରାଶ କରନ୍ତୁ ନାହିଁ । ମୋତେ ଆଉ ମୋ ପରିବାରକୁ ଦୟା କରନ୍ତୁ ସାର୍, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରିବେ ।” ଡାକ୍ତରଙ୍କ ଜୋତାପିନ୍ଧା ପାଦ ଦୁଇଟାକୁ ଜୋର୍‌ରେ ଜାବୁଡ଼ି ଧରିଥିବା ରତ୍ନା, ତା’ର ଆଖି ଲୁହରେ ଧୋଇ ହୋଇ ଯାଉଥିଲା ଡାକ୍ତରଙ୍କ ଦାମୀ ଜୋତା ଦୁଇଟି । ତାଙ୍କର ଆଖିରେ ଲୁହ ଜକେଇ ଆସିଥିଲା, ସେ ତଳୁ ଉଠାଇ ପାଖରେ ଥିବା ଚୌକି ଉପରେ ବସାଇ ଦେଲେ ରତ୍ନାକୁ । କହିଲେ, “ଠିକ୍‌ ଅଛି, ତୁମେ ନର୍ସିଂ ସିଷ୍ଟରଙ୍କ ସହିତ ଆମ ପାଥୋଲୋଜି ବିଭାଗକୁ ଯାଇ ତୁମର ରକ୍ତ ପରୀକ୍ଷା କରେଇ ନିଅ, ଯଦି ଈଶ୍ୱରଙ୍କ କରୁଣାରୁ ସବୁ ଠିକ୍‌ ଥିବ, ତେବେ ଆମେ ଚେଷ୍ଟା କରିବା ତୁମର ଗୋଟିଏ କିଡ଼ନୀକୁ ନେଇ ହରିବଂଶ ଠାରେ ଲଗାଇ ଦେବାଲାଗି ।” ଡାକ୍ତରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ନର୍ସିଂ ସିଷ୍ଟରଙ୍କ ସହିତ ଚାଲିଗଲା ରତ୍ନା ରକ୍ତ ପରୀକ୍ଷା କରାଇବା ଲାଗି । ଡାକ୍ତର ଜଣାଇ ଦେଲେ ପରଦିନ ଆସି ରିପୋର୍ଟ ନେଇ ଯିବା ପାଇଁ ।

ତା’ ପରଦିନ ଯାଇ ପାଥୋଲୋଜି ବିଭାଗରୁ ରିପୋର୍ଟ ନେଇ ପୁଣି ଥରେ ଡାକ୍ତର ରମଣ ସିଂଙ୍କ ପାଖରେ ପହଞ୍ଚିଲା ରତ୍ନା, ନର୍ସିଂ ସିଷ୍ଟର ଜଣକ ତା’ର ରିପୋର୍ଟ ନେଇ ଡାକ୍ତରଙ୍କୁ ଦେବାର କିଛି ସମୟ ପରେ ଡାକ୍ତରଙ୍କ ଚେମ୍ୱରରୁ ଡାକରା ଆସିଲା ରତ୍ନାକୁ । ସେଠାରେ ପହଞ୍ଚି ଦେଖିଲାବେଳକୁ ଡାକ୍ତର ଆଉ ନର୍ସିଂ ସିଷ୍ଟର କିଛି ଆଲୋଚନା କରୁଛନ୍ତି, ସେମାନଙ୍କ ମୁହଁ ଦେଖି ଜଣା ପଡ଼ୁଥିଲା କିଛି ଗୋଟାଏ ଅସୁବିଧା ହୋଇଛି । ସିଷ୍ଟର ଜଣକ ଆସି ରତ୍ନାର ପିଠିରେ ହାତ ରଖିଲେ, ଡାକ୍ତର କହିଲେ, “ମୁଁ ଦୁଃଖିତ ମାଆ! ତୁମ ସ୍ୱାମୀଙ୍କ ସହିତ ତୁମ ରକ୍ତ ମ୍ୟାଚ୍‌ କରୁନି, ତେଣୁ ତୁମର କିଡ଼ନୀଟି ତାଙ୍କ ଦେହରେ ସୁଟ୍‌ କରିବନି, ମୁଁ ନିରୁପାୟ ମାଆ, ମତେ କ୍ଷମା କର ।” ଢୋ’ କିନା ମୁଣ୍ଡଟାକୁ ସେଇଠି କାନ୍ଥରେ ପିଟିଦେଲା ରତ୍ନା, ନର୍ସିଂ ସିଷ୍ଟର ହାଁ, ହାଁ, କରୁ କରୁ, ମୁଣ୍ଡ ଫାଟି ଧାର ଧାର ରକ୍ତ ବୋହି ଯାଉଥିଲା । ସିଷ୍ଟର ଜଣକ ବ୍ୟତିବ୍ୟସ୍ତ ହୋଇ ରତ୍ନାକୁ ସେଠାରେ ବସାଇ ପ୍ରାଥମିକ ଚିକିତ୍ସା କରିବାରେ ଲାଗିଗଲେ । ଡାକ୍ତର ସିଂ ମଧ୍ୟ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିଲେ ରତ୍ନାର ଏମିତି ଦୁଃସାହସିକତା ଦେଖି । ସେତିକିବେଳେ ନର୍ସିଂ ସିଷ୍ଟର ଜଣକ ଡାକ୍ତରଙ୍କ ପାଖକୁ ଯାଇ କିଛି କହିଲେ ତାଙ୍କ କାନ ପାଖରେ ଫିସ୍‌ ଫିସ୍‌ କରି, ଯାହା ଶୁଣି ଡାକ୍ତରଙ୍କ ମୁହଁ ଉଜ୍ୱଳି ଉଠିଲା । ସେ ଧୀରେ ଧୀରେ ଆସି ଠିଆ ହେଲେ ରତ୍ନା ପାଖରେ । କହିଲେ, “ଈଶ୍ୱରଙ୍କୁ ନିଷ୍ଠାର ସହିତ ଡାକିଲେ ସେ ନିଶ୍ଚୟ ଭକ୍ତର ଗୁହାରି ଶୁଣନ୍ତି, ତମ ଡାକ ତାଙ୍କ କାନରେ ପଡ଼ିଛି ମାଆ, ଗୋଟିଏ ରାସ୍ତା ଅଛି, ତୁମେ କରି ପାରିଲେ ହେଲା ।” ଧଡ଼ପଡ଼ ହୋଇ ଉଠି ବସିଲା ରତ୍ନା । କହିଲା, “ରାସ୍ତାଟି କ’ଣ କୁହନ୍ତୁ ସାର୍, ମୋ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ଲାଗି ମୁଁ କିଛି ବି କରିପାରିବି ।” ଡାକ୍ତର କହିଲେ, “କିଛି ଦିନ ତଳେ ଆଉ ଜଣେ ଠିକ୍‌ ହରିବଂଶଙ୍କ ଭଳି ରୋଗୀ ଆସିଥିଲେ ଏଠିକି, ତାଙ୍କର ମଧ୍ୟ ଠିକ୍‌ ତୁମରି ଭଳି ଅବସ୍ଥା ଥିଲା, ଉପଯୁକ୍ତ ଡୋନର୍‌ ନମିଳିବାରୁ ଆମେ ତାଙ୍କୁ ଘରକୁ ଫେରାଇ ଦେଇଥିଲୁ ଡୋନର୍‌ ମିଳିଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲୁ । ହେଲେ ଈଶ୍ୱରଙ୍କ ଚମତ୍କାର ଦେଖ ! ତୁମ ସ୍ୱାମୀଙ୍କ ଦେହରେ ତାଙ୍କ ସ୍ତ୍ରୀଙ୍କର ଆଉ ତାଙ୍କ ସ୍ୱାମୀଙ୍କ ଦେହରେ ତୁମର କିଡ଼ନୀ ନିର୍ଦ୍ଦ୍ୱନ୍ଦରେ ପ୍ରତି ରୋପଣ ହୋଇ ପାରିବ । ଏକ ଦମ୍‌ ପରଫେକ୍ଟ ମ୍ୟାଚ୍‌ । କାର୍ଯ୍ୟବ୍ୟସ୍ତତାରେ ରହି ମୁଁ ଭୁଲି ଯାଇଥିଲି ଏ କଥା, କିନ୍ତୁ ଧନ୍ୟବାଦ ସିଷ୍ଟର ନିର୍ମଳାଙ୍କୁ, ତାଙ୍କ ମୁଣ୍ଡକୁ ଏ ଆଇଡ଼ିଆ ଢୁକିଗଲା, ଈଶ୍ୱରଙ୍କ କରୁଣାରୁ ନିଶ୍ଚୟ, ନା କ’ଣ କହୁଛନ୍ତି ସିଷ୍ଟର? “ହଁ, ନିଶ୍ଚୟ ସାର୍‌ !” କହି ଉପରକୁ ଚାହିଁ ଛାତିରେ ପଡ଼ିଥିବା କ୍ରସ୍‌କୁ ଚୁମା ଦେଲେ ସିଷ୍ଟର ନିର୍ମଳା । ତଥାପି ଗୋଟିଏ ସମସ୍ୟା ଅଛି, କହିଲେ ଡାକ୍ତର । ସେ ରୋଗୀ ଜଣକ ମୁସଲିମ ସଂପ୍ରଦାୟର, ତୁମର କିଛି ଅସୁବିଧା ନାହିଁ ତ? ରତ୍ନା ଧାଇଁ ଯାଇ ଡାକ୍ତରଙ୍କ ଗୋଡ଼ ତଳେ ପଡ଼ିଗଲା ଲମ୍ୱ ହୋଇ, କହିଲା, “ମଣିଷ ଜୀବନଠାରୁ କୌଣସି ଧର୍ମ ବଡ଼ ନୁହେଁ ସାର୍, ଆପଣ ସେମାନଙ୍କୁ ଖବର ଦିଅନ୍ତୁ, ସେମାନେ ଆସନ୍ତୁ ସାର୍, ମୁଁ ପ୍ରସ୍ତୁତ ।” ତୁରନ୍ତ ଖବର ପଠାଗଲା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୁଜୁରାଟ, ଗୋଧ୍ରା ଗାଁର ସୟଦ୍‌ ନିଜାମୁଦ୍ଦିନ୍‌ଙ୍କ ପାଖକୁ, ଦୁଇ ତିନି ଦିନ ଭିତରେ ଆସି ସୈଫି ହସ୍ପିଟାଲରେ ଦେଖା କରିବା ଲାଗି । ସୟଦ୍‌ ନିଜାମୁଦ୍ଦିନ୍‌ ଏବଂ ତାଙ୍କର ପତ୍ନୀ ଜୈତୁନ୍‌ ବେଗମ୍‌ ପହଞ୍ଚିଲା ପରେ ଡାକ୍ତର ରମଣ ସିଂଙ୍କ ଉପସ୍ଥିତିରେ ସାକ୍ଷାତକାର ହେଲା ଜୈତୁନ୍‌ ବେଗମ୍‌ ଆଉ ରତ୍ନାଙ୍କ ମଧ୍ୟରେ । କହିବା ବାହୁଲ୍ୟ ଯେ ଜୈତୁନ୍‌ ବେଗମ୍‌ଙ୍କର ମଧ୍ୟ ସମାନ ମତ ଥିଲା ଯେ ମଣିଷ ଜୀବନ ସବୁ ଧର୍ମର ଉର୍ଦ୍ଧ୍ୱରେ । ଉଭୟେ ନିଜ ନିଜର ସ୍ୱାମୀଙ୍କର ଜୀବନରକ୍ଷା କରିବା ପାଇଁ ନିଜ ପ୍ରାଣକୁ ମଧ୍ୟ ଉତ୍ସର୍ଗ କରିବା ଲାଗି ପ୍ରସ୍ତୁତ ଥିଲେ । ଉଭୟଙ୍କୁ ସହମତିରେ ଅପରେସନ୍‌ ପାଇଁ କାଗଜପତ୍ର ତିଆରି ହେଲା । ଗୋଟିଏ ଦିନରେ ଗୋଟିଏ ସମୟରେ ଅପରେସନ୍‌ କରି ଡାକ୍ତର ରମଣ ସିଂ ଏବଂ ତାଙ୍କର ଟିମ୍‌ ରତ୍ନାର କିଡ଼ନୀକୁ ସୟଦ୍‌ ନିଜାମୁଦ୍ଦିନ୍‌ଙ୍କ ଶରୀରରେ ଆଉ ଜୈତୁନ୍‌ ବେଗମ୍‌ଙ୍କ କିଡ଼ନୀକୁ ହରିବଂଶଙ୍କ ଶରୀରରେ ପ୍ରତିରୋପଣ କରିଥିଲେ । ଅପରେସନ୍‌ ସଫଳ ହୋଇଥିଲା, ହରିବଂଶ ଆଉ ସୟଦ୍‌ ନିଜାମୁଦ୍ଦିନ୍‌ କ୍ରମେ କ୍ରମେ ସୁସ୍ଥ ହେଉଥିଲେ । ଦୁଇ ଜଣ ମହିଳାଙ୍କ ପ୍ରୟାସରେ ସାଂପ୍ରଦାୟିକ ଅସହିଷ୍ଣୁତା ଉପରେ ମାନବବାଦର ବିଜୟ ହୋଇଥିଲା । ଏଇ ନିଆରା ଘଟଣାଟି ଖୁବ୍‌ ଚର୍ଚ୍ଚିତ ହୋଇଥିଲା ସୋସିଆଲ୍‌ ମିଡ଼ିଆରେ ଏବଂ ଏକ ଉଦାହରଣ ଭାବେ ପ୍ରକାଶିତ ହୋଇଥିଲା ଦେଶର ସମସ୍ତ ପ୍ରମୁଖ ସମ୍ୱାଦପତ୍ରରେ ।

– ସୁଷମା ପରିଜା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଷମା ପରିଜା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।