You are currently viewing ଦେବୀଟିଏ ମୀରା ପରି
ଦେବୀଟିଏ ମୀରା ପରି

ଦେବୀଟିଏ ମୀରା ପରି

ସାଧାରଣତଃ ପୋଲିସ କଥା କହିଲେ ମନକୁ ଗୋଟିଏ ଖାକୀ ପୋଷାକ ପରିହିତ, ଟିପ୍ ଟପ୍ ଶରୀର, ଗୋଟିଏ ନିଶୁଆ ରାଗିଲା ମୁହଁ, ଗୋଟାଏ ରୋଲ୍ ବାଡ଼ି ଧରା ବଳିଷ୍ଠ ହାତ, ଦୁଇଟା ରଡ଼ି ନିଆଁ ଭଳିଆ ଜଳୁଥିବା ଆଖି ଆଉ ଯାବତୀୟ ଗାଳି ଓଗାଳୁ ଥିବା ଗୋଟାଏ କର୍କଶ କଣ୍ଠସ୍ୱର ଆଖି ଆଗରେ ନାଚି ଉଠେ । ମନରେ ସ୍ୱତଃ ଭୟ ଜାଗ୍ରତ ହୁଏ, ଠିକ୍ ପିଲାଦିନେ ବୋଉର ଡରାଣ “ଶୀଘ୍ର ଖାଇ ଦେ ନହେଲେ ପୋଲିସ୍ ଆସିବ, ଦୁଷ୍ଟାମୀ କରନା, ପୋଲିସ୍ ଧରି ନେଇଯିବ” ଭଳି ଶିହରୀତ ହୋଇଯାଏ ସମଗ୍ର ସତ୍ତା । କିନ୍ତୁ ସେଇ ପୋଲିସ୍‌ମାନଙ୍କ ମଧ୍ୟରେ କିଛି ଏମିତି ହୃଦୟବାନ୍ ବ୍ୟକ୍ତି ଅଛନ୍ତି ଯେଉଁମାନେ ସମଗ୍ର ପୋଲିସ୍ ସମାଜ ପାଇଁ ଗର୍ବ ଆଉ ଗୌରବର କାରଣ ହୋଇଥାନ୍ତି ।

ସେମିତି ଜଣେ ଉଦାର ହୃଦୟ ପୋଲିସ୍ କର୍ମଚାରୀଙ୍କ କାହାଣୀ ….
ମୁମ୍ୱାଇର ଏକ ସହର ତଳି ଅଞ୍ଚଳରେ ଗୋଟିଏ ଥାନାରେ ମୀରା ମାଥୁର ନାମରେ ଜଣେ ମହିଳା କନେଷ୍ଟବଳଙ୍କର ପୋଷ୍ଟିଂ ହୋଇଥାଏ । ନିଜର ପୋଷ୍ଟିଂ ଥିବା ଥାନାରୁ କିଛି ଦୂରରେ ଘର ଭଡ଼ା ନେଇ ନିଜର ପରିବାର ସହିତ ରହୁଥିଲେ ମୀରା । ପ୍ରତ୍ୟେକ ଦିନ ସ୍କୁଟି ଧରି ଅଫିସ୍ ଯିବା ଆସିବା ଭିତରେ ସେ ଦେଖିଲେ ଜଣେ ମଧ୍ୟ ବୟସ୍କା ମହିଳା ରାସ୍ତା ଉପରେ ଠିଆ ହୋଇ ଭିକ୍ଷା ମାଗୁଛି, ମଇଳା କୋତରା ଶାଢ଼଼ୀ ଖଣ୍ଡେ ପିନ୍ଧି ଥିଲେବି ଶରୀରରେ ସୁସ୍ଥ ଥିଲା ପରି ଜଣା ପଡ଼ୁଛି । ସେ କିଛି ଦିନ ପୁଣି ଲକ୍ଷ୍ୟ କଲେ ତା’କୁ, ପଥଚାରୀମାନଙ୍କ ମଧ୍ୟରେ କିଏ ଟଙ୍କାଟିଏ ଦି’ ଟଙ୍କା ତାଙ୍କର ହାତରେ ପକାଇ ଦେଲା ବେଳେ ଆଉ କେହି ତାଙ୍କୁ “ବାଃ ଦୁର୍, ଦୂର୍” ବୋଲି ଝିଙ୍ଗାସି ଯାଉଛନ୍ତି, ତେବେ ମହିଳାଟିର ସେଥିପାଇଁ କିଛି ପ୍ରତିକ୍ରିୟା ମଧ୍ୟ ନାହିଁ । ବହୁତ ଖରାପ ଲାଗିଲା ମୀରାଙ୍କୁ । ସେ ଭାବିଲେ ସ୍ତ୍ରୀ ଲୋକଟିର କେହି ନିଜର ଲୋକ ନାହାଁନ୍ତି ବୋଧହୁଏ, ନହେଲେ ସୁସ୍ଥ ଶରୀରରେ ଏ ଭିକ୍ଷାବୃତ୍ତି ଭଳି ଘୃଣ୍ୟ ପେଷାକୁ ଆଦରି ନଥାନ୍ତା, ନିଜେ କିଛି କାମ ଧନ୍ଦା କରି ଚଳି ଯାଇଥାନ୍ତା । କେଜାଣି କାହିଁକି ତାଙ୍କ ମନରେ ଦୟା ଆସିଲା ସ୍ତ୍ରୀ ଲୋକଟି ପ୍ରତି । ସେଇ ସ୍ତ୍ରୀ ଲୋକଟିକୁ କିଛି ସାହାଯ୍ୟ କରିବା ପାଇଁ ମନରେ ସ୍ଥିର କଲେ । ପରଦିନ ଅଫିସ୍ ବାହାରିଲା ବେଳକୁ ଟିକିଏ ଆଗୁଆ ସମୟ ଥାଇ ବାହାରି ଆସିଲେ । ବାଟରେ ଠିଆ ହୋଇଥିଲା ସେଇ ଭିକାରୁଣୀଟି । ପୋଲିସ୍ ପୋଷାକ ପରିହିତା ମୀରାଙ୍କର ସ୍କୁଟି ତା’ ପାଖରେ ଅଟକିଲା କ୍ଷଣି ଭୟରେ ସେଠାରୁ ଧାଇଁ ପଳାଇବାକୁ ଉଦ୍ୟତ ହେଲା ସେ । ତା’କୁ ଅଭୟ ଦେଇ ଅଟକାଇ ଦେଲେ ମୀରା । କହିଲେ “ଶୁଣ ! ତମେ କ’ଣ ଚୋର ତସ୍କର ହୋଇଛ ଯେ ମତେ ଦେଖି ଦୌଡ଼ି ପଳେଇ ଯାଉଛ? ମୁଁ ତୁମ ସହିତ ଦୁଇ ପଦ କଥା ହେବା ଲାଗି ଏଠାରେ ଅଟକିଛି । ସବୁଦିନେ ମୁଁ ଅଫିସ୍ ଗଲାବେଳେ ଆଉ ଆସିଲା ବେଳେ ତୁମକୁ ଏଠାରେ ଭିକ ମାଗିବାର ଦେଖେ, ତୁମେ ତ ବୟସ ଥିବା ଲୋକଟିଏ, ଦେଖିବାକୁ ମଧ୍ୟ ସୁସ୍ଥ ଦିଶୁଛ, ତେବେ ଏ ଭିକ୍ଷାବୃତ୍ତି କାହିଁକି? ତୁମେ ଚାହିଁଲେ ନିଜେ କିଛି କାମ ଧନ୍ଦା କରି ଚଳି ପାରନ୍ତ, ଏମିତି ଭିକ୍ଷା ମାଗିବାକୁ ତୁମକୁ ଖରାପ ଲାଗୁନି?” । ମୁହଁ ତଳକୁ କରି ଠିଆ ହେଲା ସ୍ତ୍ରୀ ଲୋକଟି, କହିଲା, “ଜଣେ ଲୋକଙ୍କ ଘରେ ଝାଡ଼ୁପୋଛା କରୁଥିଲି ଆଜ୍ଞା, ଥରେ ତାଙ୍କ ଘରୁ ଗୋଟିଏ ଦାମିକା ହାତଘଣ୍ଟା ଚୋରି ହୋଇଗଲା, ସେମାନେ ମତେ ଚୋର ଧରିଲେ, ମୁଁ ଯେତେ କହିଲି ମୁଁ ନିର୍ଦୋଷ ବୋଲି ମୋଟେ ବିଶ୍ୱାସ କଲେନି, ସିଏ କୁଆଡ଼େ କୋଉ ଗୁଣିଆକୁ ପଚାରିଥିଲେ ଆଉ ସେ କହିଥିଲା ତୁମ ଘର ଚାକରାଣୀ ଘଣ୍ଟାଟି ନେଇଛି ବୋଲି, ମୋର ତ ଘରଦ୍ୱାର କିଛି ନାହିଁ ମା’, ତାଙ୍କ ଘଣ୍ଟା ନେଇ ମୁଁ କ’ଣ କରିଥାନ୍ତି? ମୋ କଥାରେ ସେମାନଙ୍କୁ ବିଶ୍ୱାସ ହେଲାନି, କାଠ ଫାଳିଆରେ ପିଟି ପିଟି ମତେ ଦରମରା କରି ବାହାରକୁ ଫିଙ୍ଗିଦେଲେ, ଅନେକ ଦିନ ପଡ଼ି ରହିଲି ମୋ ଖୋଲିରେ, ଚୋରଣୀ ବୋଲି ବଦନାମ୍ ହେବାରୁ ଆଉ କେହି କାମ ଦେଲେନି, ଘରଭଡ଼ା ଦେଇ ନ ପାରିବାରୁ ଖୋଲିରୁ ବାହାର କରିଦେଲା ଖୋଲି ମାଲିକ, ସେଇଦିନୁ ମୁଁ ଏଇ ରାସ୍ତା କଡ଼ରେ ପଡ଼ିଛି, ଭିକ୍ଷା ମାଗି ଚଳୁଛି ।” ମୀରା ମାଥୁର ଅବାକ୍ ହୋଇ ଚାହିଁ ରହିଥିଲେ ସ୍ତ୍ରୀ ଲୋକଟିର ମୁହଁକୁ । ତା’ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା, ଲୁଗାକାନିରେ ଲୁହ ପୋଛି ସେ ଠିଆ ହେଲା ।

କାହିଁକି କେଜାଣି ମୀରା ମାଥୁରଙ୍କର ମନ କହୁଥିଲା ସ୍ତ୍ରୀ ଲୋକଟି ସତ କହୁଛି ବୋଲି, ସେ ତା’କୁ କହିଲେ, “ମୁଁ ଯଦି ତମକୁ କିଛି କାମ ଦିଏ, ତମେ କରିବ? ମୋର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି, ତାଙ୍କ ଦେଖାଶୁଣା କରିବ, ମୋ ଘରେ ରହିବ, ଖାଇବ, ତମର ଉପଯୁକ୍ତ ପାରିଶ୍ରମିକ ଦେବି ମୁଁ, ତୁମେ ଯଦି ମୋ କଥାରେ ରାଜି, ତେବେ ମୁଁ ଅଫିସ୍‌ରୁ ଫେରିବା ବେଳକୁ ତୁମେ ପ୍ରସ୍ତୁତ ହୋଇ ରହିଥିବ, ମୁଁ ତମକୁ ସାଙ୍ଗରେ ନେଇ ଯିବି ଆମ ଘରକୁ । ତମେ ଭାବି ଚିନ୍ତି ଠିକ୍ କର, ସନ୍ଧ୍ୟା ଯାଏଁ ସମୟ ଅଛି ତମ ହାତରେ ।” ଏତିକି କହି ଅଫିସ ବାହାରି ଗଲେ ମୀରା ।

ଅଫିସ୍‌ରୁ ଫେରିବା ବେଳକୁ ସନ୍ଧ୍ୟା ସାତଟା । ମଇଳା ପୁଟୁଳିଟିଏ ହାତରେ ଧରି ଠିଆ ହୋଇଥିଲା ଭିକାରୁଣୀଟି । ମୀରାଙ୍କୁ ଦେଖି ପାଖକୁ ଆସିଲା, ହାତ ଯୋଡ଼ି କାନ୍ଦି କାନ୍ଦି କହିଲା “ଆପଣ ଦେବୀଟିଏ ମେମସାବ୍ । ଏଇ ନର୍କରୁ ଉଦ୍ଧାର କରି ମୋତେ ସମ୍ମାନର ଜୀବନ ଜିଇଁବାକୁ ଦେବେ । ମୁଁ ଆପଣଙ୍କ ଋଣ ସାରା ଜୀବନ ମନେ ରଖିବି, କେବେ ବି ଆପଣଙ୍କ ଭରସା ଭାଙ୍ଗିବିନି ।”

ଘରେ ପହଞ୍ଚି ସ୍ତ୍ରୀ ଲୋକଟିକୁ ଆଗ ଗାଧୁଆପାଧୁଆ କରି ସଫାସୁତୁରା ହୋଇ ଆସିବାକୁ ନିଜର ଘରେ ଥିବା ବାହାର ଶୌଚାଳୟକୁ ପଠାଇ ତା’ ପାଇଁ ଲୁଗାପଟାର ବନ୍ଦୋବସ୍ତ କରିବାକୁ ଚାଲିଗଲେ ମୀରା । ଗାଧୁଆପାଧୁଆ ସାରି ସ୍ତ୍ରୀ ଲୋକଟି ଘର ଭିତରକୁ ଆସିଲାବେଳକୁ ତା’ର ହୁଲିଆ ପରିବର୍ତ୍ତନ ହୋଇ ସାରିଥିଲା । ମୀରାଙ୍କର ଅନୁମତି ନେଇ ସାଙ୍ଗେ ସାଙ୍ଗେ କାମରେ ଲାଗିଗଲା ସେ । ଜଣେ ଅଭ୍ୟସ୍ତ ଘରୁଆ ଘରର ସ୍ତ୍ରୀ ଲୋକଟି ପରି ଘଣ୍ଟାଏ ଭିତରେ ଘରଦ୍ୱାର ସଫା ସୁତୁରା କରି ସାରି, ମୀରାଙ୍କୁ ପଚାରିବା ପରେ ରାତି ପାଇଁ ରୋଷେଇ ବାସ ଆରମ୍ଭ କରି ଦେଲା ସେ । ମୀରା ମାଥୁର ଅବାକ୍ ହୋଇ ଚାହିଁ ରହିଥିଲେ ତା’କୁ, ଏଇ ଘଣ୍ଟାଏ ଆଗରୁ ସେ ରାସ୍ତାରେ ଠିଆ ହୋଇ ଭିକ୍ଷାବୃତ୍ତି କରୁଥିବା ସ୍ତ୍ରୀ ଲୋକଟି ଭଳି ଆଦୌ ଦିଶୁ ନଥିଲା ସେ । ନିଜର ନାମ ‘ପାର୍ବତୀ’ ଆଉ ଦିନେ ତା’ର ଭରାପୂରା ପରିବାରଟିଏ ଥିଲା ବୋଲି ମୀରାଙ୍କୁ କହିଥିଲା ସେ । ପିଲାମାନଙ୍କ ସହିତ ପାର୍ବତୀର ପରିଚୟ କରେଇ ଦେଇ ମୀରା କହିଥିଲେ “ଇଏ ପାର୍ବତୀ ମାଉସୀ, କାଲିଠାରୁ ତୁମ ମାନଙ୍କର ସବୁ ଦାୟିତ୍ଵ ତାଙ୍କର, ତୁମର ଯାହା ଦରକାର ହେବ ତାଙ୍କୁ କହିବ, କେହି ତାଙ୍କୁ ହଇରାଣ କରିବନି ।” ପିଲାମାନେ ଖୁବ୍ ଶୀଘ୍ର ଆଦରି ଗଲେ ପାର୍ବତୀ ମାଉସୀଙ୍କୁ, ପାର୍ବତୀ ମଧ୍ୟ ନିଜର ସେବା ଶୁଶ୍ରୁଷାରେ, ନିଜର ଆପଣାପଣରେ ବାନ୍ଧି ପକାଇଥିଲା ସମସ୍ତଙ୍କୁ । ଏବେ ମୀରା ମାଥୁର ମଧ୍ୟ ନିଜ ଘରର କୌଣସି ଜିନିଷ ତାଲାବନ୍ଦ କରି ରଖୁ ନଥିଲେ, ପାର୍ବତୀ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ଆସି ଯାଇଥିଲା ।

ଦିନ ଗଡ଼ି ଚାଲିଥାଏ । ଦିନେ ଅଫିସ୍‌ରୁ ଫେରି ମୀରା ଦେଖିଲେ ପାର୍ବତୀର ମୁହଁଟି ଶୁଖିଲା ଦିଶୁଛି, ଆଖିରେ ଲୁହର ଦାଗ ସୁସ୍ପଷ୍ଟ, କାରଣ ପଚାରିବାରୁ କଥାକୁ ବାଆଁରେଇ ଦେଲା ପାର୍ବତୀ । ମୀରାଙ୍କର ପୁଲିସିଆ ମନ, ସନ୍ଦେହ ହେଲେ ଦୂର ନହେବା ଯାଏଁ ଥୟ ହୋଇ ବସି ପାରିବେନି, ତେଣୁ ବାରମ୍ୱାର କରି ଖୋଳତାଡ଼ କରି କାରଣଟି ଆଦାୟ କରିନେଲେ ପାର୍ବତୀ ପାଖରୁ । ସେ ଥିଲା ଆହୁରି ଏକ ଦୁଃଖଦାୟକ କାହାଣୀ । ପାର୍ବତୀର ସ୍ୱାମୀ ମହେଶ୍ୱର ଲାଇନ୍ ମ୍ୟାନ୍ ଭାବରେ କାମ କରୁଥିଲା ଇଲେକ୍ଟଟ୍ରି ଡିପାର୍ଟମେଣ୍ଟରେ । ଦୁଇ ପୁଅ ରାଘବ ଆଉ ଉଦ୍ଧବଙ୍କୁ ନେଇ ସୁଖୀ ସଂସାର ଥିଲା ପାର୍ବତୀର, ହେଲେ ଦଇବ ସହିଲାନି, ଦିନେ ଲାଇଟ୍ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ କରେଣ୍ଟ ଲାଗି ମରିଗଲା ମହେଶ୍ୱର । ପାର୍ବତୀ ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଲା । ଅଶିକ୍ଷିତା ସ୍ତ୍ରୀ ଲୋକଟି ଉପରେ ପଡ଼ିଲା ପରିବାରର ବୋଝ । ପରଘରେ ବାସନମାଜି କାମଧନ୍ଦା କରି ସେ ପାଳିଲା ଦୁଇ ପୁଅଙ୍କୁ । କମ୍ପାନୀରୁ ମିଳିଥିବା ପଇସାରେ ପାଠ ପଢ଼େଇଲା ସେମାନଙ୍କୁ । ପିଲାଏ ପାଠ ପଢ଼ି ବଡ଼ ମଣିଷ ହେଲେ, ବଡ଼ ପୁଅ ରାଘବ ସେଲ୍ସ ଟ୍ୟାକ୍ସ ବିଭାଗରେ କିରାଣୀ ଚାକିରୀ କଲା ଆଉ ସାନପୁଅ ଉଦ୍ଧବ ବସ୍ କଣ୍ଡକ୍ଟର ହେଲା । ଦୁଇ ଭାଇ ଯାକ ବାହାସାହା ହୋଇ ଯିଏ ଯାହାର ସଂସାର କଲେ, ନିଜ ନିଜ ମଧ୍ୟରେ ମନାନ୍ତର ହୋଇ ଯିଏ ଯାହାର ପରିବାର ଧରି ଚାଲିଗଲେ ବାହାରକୁ, ହେଲେ ମାଆ କଥା କେହି ଭାବିଲେନି କି ତା’କୁ କେହି ସାଥିରେ ନେଲେନି । ବିଚରା ସ୍ୱାମୀ ହରା ପାର୍ବତୀ ପୁତ୍ରମାନଙ୍କୁ ହରେଇ ପୁଣି ଥରେ ଏକା ହୋଇ ଗଲା ଦୁନିଆରେ । ମୁଣ୍ଡ ପିଟି କାନ୍ଦି ବୋବେଇ ଥିରି ହୋଇ ରହିଲା, ପୁଣି ପରଘରେ ବାସନମାଜି କାମଧନ୍ଦା କରି ଚଳିଲା, ଶେଷରେ ଭିକ ମାଗିଲା । ପୁଅମାନଙ୍କର ଠାଆ ଠିକଣା ବି ଜଣା ନଥିଲା ତା’କୁ । କୁଆଡ଼େ ଯାଇଥାନ୍ତା ସିଏ, କାହାକୁ କହିଥାନ୍ତା ନିଜର ଦୁଃଖ? ଯେଉଁମାନଙ୍କୁ ଅନ୍ତଫାଡ଼ି ଜନ୍ମ ଦେଇଥିଲା, କଷ୍ଟ ସହି ମଣିଷ କରିଥିଲା, ସେମାନେ ତ ତା’କୁ ଦୁନିଆର ଠୋକର୍ ଖାଇବାକୁ ଫିଙ୍ଗିଦେଇ ଚାଲିଗଲେ, ଆଉ କାହା ଉପରେ ଭରସା କରିଥାନ୍ତା ସିଏ?

ପାର୍ବତୀର ଦୁଃଖ କାହାଣୀ ଦୋହଲାଇ ଦେଲା ମୀରା ମାଥୁରଙ୍କର ମନକୁ । ସେ ଭାବିଲେ ଦୁନିଆଟା କେଡ଼େ ସ୍ୱାର୍ଥପର, ଏଠି ନିଜର ଜନ୍ମକଲା ମାଆକୁ ବି ଫୋପାଡ଼ି ଦେଇ ଯାଉଛନ୍ତି ପୁଅମାନେ ! କେତେ ଦୁଃଖ କଷ୍ଟ ସହି ପାର୍ବତୀ ପୁଅ ଦୁହିଁଙ୍କୁ ମଣିଷ କଲା, ସେମାନେ ତା’ ପ୍ରତି ଏମିତି ଅନ୍ୟାୟ ଅବିଚାର କରି ନିଜେ ସୁଖରେ ଦିନ କାଟୁଛନ୍ତି? ନା’ ନା’ ଏମିତି ଅନ୍ୟାୟ ହେବାକୁ ଦେବେନାହିଁ ସେ ପାର୍ବତୀଙ୍କ ସାଥିରେ । ସେ ଲୋକମାନଙ୍କୁ ନ୍ୟାୟ ଦେବାକୁ ପୋଲିସ୍ ଡିପାର୍ଟମେଣ୍ଟରେ ଚାକିରୀ କରିଛନ୍ତି ଅଥଚ ତାଙ୍କ ଆଖି ଆଗରେ ଏଇ ଦୁଃଖିନୀ ମାଆଟିକୁ ନ୍ୟାୟ ଦେଇ ପାରିବେନି? ତେବେ କ’ଣ ଲାଭ ତାଙ୍କର ପୋଲିସ୍ ଚାକିରୀ କରି? ପାର୍ବତୀଙ୍କୁ ତାଙ୍କର ପୁଅମାନଙ୍କ ଠିକଣା ପଚାରିଲେ, ସେ କେବଳ ତାଙ୍କ ପୁଅ ମାନଙ୍କ ନାମ ଏବଂ ସେମାନେ କାମ କରୁଥିବା ଅଫିସ୍‌ର ନାମ ଜାଣନ୍ତି ଆଉ ପନ୍ଦର ବର୍ଷ ହେଲାଣି ତାଙ୍କ ସହିତ ପୁଅ ମାନଙ୍କର କୌଣସି ଯୋଗାଯୋଗ ନାହିଁ ବୋଲି କହି କାନ୍ଦି ଉଠିଲେ । ମୀରା ମାଥୁର କିନ୍ତୁ ମନେ ମନେ ପଣ କରିଥିଲେ ଯେ ଯେମିତି ହେଉ ସେ ପାର୍ବତୀଙ୍କ ପୁଅ ମାନଙ୍କୁ ନିଶ୍ଚୟ ମିଳାଇ ଦେବେ ପାର୍ବତୀଙ୍କ ସହିତ ଆଉ ତାଙ୍କ ମଣିଷ ପଣିଆର ପରିଚୟ ଦେବେ ।

ନିଜ ଅଫିସ୍‌ରେ ଯାଇ ନାସିକ୍‌ର ଡିଜିଙ୍କୁ ଏଇ ସନ୍ଦର୍ଭରେ ମେଲ୍‌ଟିଏ ଲେଖିବା ସହ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଦେଲେ ଏଇ ସମ୍ୱେଦନଶୀଳ ଘଟଣାଟିକୁ । ଭାଇରାଲ୍ ହୋଇଥିବା ମେସେଜ୍ ଏବଂ ପୋଲିସ୍‌ର ତନାଘନା ଅନୁସନ୍ଧାନ ପରେ ମିଳିଥିଲେ ପାର୍ବତୀଙ୍କର ଦୁଇ ପୁଅ ଯାକ । ନିଜ କୃତକର୍ମର ଅନୁତାପ କରିବା ସହିତ ସସମ୍ମାନେ ପାର୍ବତୀଙ୍କୁ ନେଇ ଯାଇଥିଲେ ସେମାନଙ୍କ ସାଥିରେ ବାକୀ ଜୀବନ ଭଲରେ ରକ୍ଷଣାବେକ୍ଷଣ କରିବାର ପ୍ରତିଶ୍ରୁତି ଦେଇ । ଦେଶର ସବୁ ପ୍ରମୁଖ ସମ୍ୱାଦପତ୍ରରେ ପ୍ରକାଶିତ ହୋଇଥିଲା ପୋଲିସ୍ କନେଷ୍ଟବଳ ମୀରା ମାଥୁରଙ୍କ ମଣିଷ ପଣିଆର କଥା । ସମସ୍ତେ ବାଃ ବାଃ କରିଥିଲେ ମୀରା ମାଥୁର ଆଉ ସୋସିଆଲ୍ ମିଡ଼ିଆର ଏମିତି କାର୍ଯ୍ୟ କଳାପକୁ । ପାର୍ବତୀ ଖୁବ୍ ଆଶୀର୍ବାଦ କରିଥିଲେ ମୀରା ମାଥୁର ଆଉ ତାଙ୍କ ସନ୍ତାନ ମାନଙ୍କୁ ।।

– ସୁଷମା ପରିଜା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଷମା ପରିଜା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।