ବାଲେଶ୍ୱରରେ ଭୋଗଖିଆ

ବାଲେଶ୍ୱରରେ ଭୋଗଖିଆ

“ଗପ ନୁହେଁ ନିଚ୍ଛକ ସତ” ର ଅଂଶ

୧୯୯୯ ମସିହା ବାତ୍ୟା ପୁର୍ବବର୍ତ୍ତୀ ସମୟ, ମୁଁ ଖନ୍ତାପଡ଼ା ଖଳାବଜାର(ଷ୍ଟେସନ ବଜାର) ରେ ରହୁଥାଏ। ସେଠିକା ବଜାର ଉପରେ ଆଖପାଖ ଗାଁ ଲୋକେ ନିର୍ଭର କରନ୍ତି। ସକାଳୁ ସକାଳୁ ବାଘା ରେ ଯିବା ପାଇଁ ଯେତେ ଗହଳି ହୁଏ ଯଦି ସେତିକି ଟିକଟ ଷ୍ଟେସନ ରେ ବିକ୍ରି ହୁଅନ୍ତା ବୋଧେ ଆୟ ଦୃଷ୍ଟି ରୁ ଏକ ପ୍ରମୁଖ ଷ୍ଟେସନ ହୁଅନ୍ତା ଖନ୍ତାପଡ଼ା। ଲୋକାଲ ୨-୪ ଟା ଛାଡ଼ିଲେ ସେପରି ପ୍ରମୁଖ ଟ୍ରେନ ଠିଆ ହୁଅନ୍ତିନି ତଥାପି ଗହଳି ର କାରଣ ସେଇଟା ବିରଲା ଫ୍ୟାକ୍ଟ୍ରି ର କୋଇଲା ଅନଲୋଡିଙ୍ଗ ସେଣ୍ଟର ହୋଇଥିବାରୁ ସବୁ ସମୟରେ ଶ୍ରମିକ କାମକରୁଥିବାର ଦେଖିବାକୁ ମିଳେ। ସେ ପାଖରେ ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ଅଳ୍ପ ଦୋକାନ ବଜାର ବି ଥାଏ। ଯଥା; କଟ ର ବଦନାମ ଢ଼ାବା, ଘୁଣ୍ଟ ଜଳଖିଆ ଦୋକାନ, ନାସିର ଟେଲର, ଅକାଲୁ ଔଷଧ ଦୋକାନ, ତେଲି ର ତେଜରାତି, ପଣ୍ଡା ପାନ ଦୋକାନ ଆଉ ସର୍ବୋପରି ଅପେରା ଜଗତ ର ବିଖ୍ୟାତ ସଞ୍ଜୟ ଭୋଳ ଙ୍କ ଘର ସେଠାକାର ଫେମସ ଲ୍ୟାଣ୍ଡମାର୍କ। ତାଙ୍କ ସମ୍ପର୍କୀୟ ଭାଇ ବାବୁ ମୋ ସାଙ୍ଗ। ଟିକେ ଆଗକୁ ଗଲେ ଚନ୍ଦନିପୁର ଓ ବେଠିପୁର ଗାଁ, ଉଭୟ ଗ୍ରାମର ସୀମା କହିଲେ ଗୋଟିଏ ଛୋଟ କେନାଲ। ଏପଟେ ଚନ୍ଦନିପୁର ସେପଟେ ବେଠିପୁର। ସାଙ୍ଗମାନେ ମିଶି ଖଟି କରିବାର କୌଣସି ସୁଯୋଗ ଆମେ ଛାଡ଼ୁନା। କମଳ, ବନା, ବାବୁ, ଅକାଲୁ, ଅଶୁକ ଭାଇନା (ଅଶୋକ) , ପାଗାନା, ଏଣ୍ଡ, ହରିଆକା, ସୁରେଶ, ମନା ମାହାନ୍ତି ଏମିତି ଅନେକ। ସେସମୟରେ ଅକାଲୁ ର ଖଳାବଜାର ରେ “ରାଧାକୃଷ୍ଣ ମେଡିସିନ ଷ୍ଟୋର” ଥାଏ, ତା ଦୋକାନ ର ବିଶେଷତ୍ୱ ତମେ କିଛି ବି ପ୍ରେସକ୍ରିପସନ ନେଇ କି ଯାଅ ସବୁବେଳେ ତାର ଗୋଟିଏ ଉତ୍ତର, ଏଟା ନାହିଁ ପ୍ରତିବଦଳ ରେ ଦେମି? ସେ ତୁମକୁ ପ୍ରତିବଦଳ ଔଷଧ ହିଁ ଦେବ। ଲେଖା ଔଷଧ କସ୍ସିନ କାଳେ ମିଳିବନାହିଁ। ଆଜିକାଲି ସେ ନୀଳଗିରି ରେ ଦୋକାନ କରିଛି ବୋଲି ଶୁଣୁଛି।

ଦିନେ ଆମେ ବାବୁ, ଅକାଲୁ ଆଉ ମୁଁ ବାଲେଶ୍ୱର ବଜାରରେ ବୁଲାବୁଲି କରୁଥାଉ ଅସଲରେ ଅକାଲୁ କିଛି କାମରେ ଯାଇଥିଲା। ଫିଲିମ ହଲ୍ (ନାଁ ମନେପଡୁନି) ପାଖରୁ ଆମେ ଚାଲି ଚାଲି ଫକିର ମୋହନ ଗୋଲେଇ ଆଡ଼କୁ ଚାଲିଥାଉ ବାଟରେ ଅନ୍ୟ ଦୋକାନ ସହ କିଛି ଛୋଟ ଛୋଟ ହୋଟେଲ ବି ଥାଏ। ହୋଟେଲବାଲା ର ଦୁର୍ଭାଗ୍ୟ କୁହ କି ଆମର ସୌଭାଗ୍ୟ କୁହ;

ଗୋଟିଏ ହୋଟେଲ ରଙ୍ଗ ଫଙ୍ଗ ଦିଆଯାଇ ନୁଆ ନୁଆ ଲାଗୁଥାଏ, ପିଲାଟିଏ ଆଜ୍ଞା ଆସନ୍ତୁ ଆଜ୍ଞା ଆସନ୍ତୁ କହି ଗ୍ରାହକ ମାନଙ୍କୁ ଡାଲିବାରେ ତୃଟି କରୁନଥାଏ। ଆମକୁ ବି ଡାକିଲା, ଅକାଲୁ ପରିସ୍ଥିତି ରୁ କଣ ବୁଝିଲା କେଜାଣି କହିଲା ଚାଲବେ ଭିତରକୁ ଯିବା। ଆମେ ତିନିଜଣ ଯାଇ ଗୋଟେ ଟେବୁଲ ଅକ୍ତିଆର କଲୁ, ଆଉ ଜଣେ ଆସି ପଚାରିଲା ଆଜ୍ଞା ଧୁଷା (ଦୋଷା) ଦେମି? ଆମ ଉତ୍ତର କୁ ଅପେକ୍ଷା ନ କରି ସେ ତିନିଟା ମସଲା ଦୋଷା ଅର୍ଡର ଦେଇଦେଲା। ଦୋଷା କୁ ଆମେ ଉଦରସାତ୍ କରିସାରିବା ପରେ ମିଠା ଦେମି କି କହି ଛେନାପୋଡ଼ ୩ ପ୍ଲେଟ୍ ର ବି ଅର୍ଡର ଦେଲା, ବୋଧେ ଜଣକା ୫୦ ଗ୍ରାମ ଭଳି ହେବ। ଏହି ସମୟରେ ଅକାଲୁ କହିଲା ତୁମେ ଦିଜଣ ବାହାରକୁ ଯା, ଆମେ ଭାବିଲୁ ସେ ପଇସା ଦେବ ତେଣୁ ଆମେ ବାହାରକୁ ଚାଲିଗଲୁ। ଅକାଲୁ ଖାଇସାରି ହାତ ପୋଛି ପୋଛି କାଉଣ୍ଟର ପାଖକୁ ଯାଇ ଖାଦ୍ୟ ଖୁବ୍ ସ୍ୱାଦିଷ୍ଟ କହି ଅନେକ ପ୍ରଶଂସା କଲା। ବିଲ୍ କଥା ଉଠିବାରୁ କ ହିଲା, ବେ କିସ ପଇସା? ଆମେ ରୁଡ୍ ର ଯାଉଥିନେ ତୁମ ଛୁଆ ଆମକେ ଡାକିଲା। ବସିଲା ପରେ ଧୁଷା ଦିଅରେ, ପାଣି ଦିଅରେ, ମିଠା ଦିଅରେ ଡାକିଲା। ଆମେ ଭାବିଲେ ନୁଆ ଦୁକାନ ପୁଜା ପୁଜି ହଉଚୁ ଭୁଗ ଖାଇତେ ଡାକିଚେ ନା, ପରିସ୍ଥିତି କ୍ରମଶଃ ଖରାପ ଆଡ଼କୁ ଗଲା। ଅକାଲୁ ର ଉତ୍ତର ଥିଲା ମତେ ଗଣ୍ଡଗୁଳ କରିତେ ଭାରି ଭଲ ଲାଗେ, ତା ପରେ ଲୁକାଲ୍ ଛୁଆ ର ଧମକ ଦେଇ ବାବୁ ସଦର୍ପ ରେ ବାହାରିଲେ।

ଆଗକୁ “ମହାବାତ୍ୟା ପରେ ରିଲିଫ ସେବା”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu