You are currently viewing ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ…
ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ...

ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ…

ବିଗତ ଶତାବ୍ଦୀର ଶେଷ ବର୍ଷ ବୋଧହୁଏ, ଉଚ୍ଚଶିକ୍ଷାପାଇଁ ଗାଁ ଛାଡ଼ି ଯେବେ ସହରକୁ ପ୍ରଥମଥର ପାଇଁ ଆସିଥାଏ, ବିନା କୌଣସି ନୂଆ ସାଙ୍ଗସାଥିଙ୍କ କଲେଜ ଜୀବନର ପ୍ରଥମବର୍ଷ ଯେମିତିସେମିତି କଟିଗଲା । ସ୍ୱଭାବରେ ଅନ୍ତର୍ମୂଖୀ ହୋଇଥିବାରୁ ସାଧାରଣତଃ କାହା ସହିତ ଏତେଶୀଘ୍ର ମିଶି ପାରୁ ନଥାଏ । ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ ଦିନେ ଥରେ ବସ୍ ଫେଲ ହେବାରୁ ଘରକୁ ଚାଲିଚାଲି କିଛି ବାଟ ଯିବାକୁ ଆରମ୍ଭ କରିଛି କେହି ଜଣେ ପଛରୁ ଇଂରାଜୀରେ କହିଲେ, ମୋ ସାଇକେଲରେ ଆସି ପାରନ୍ତି ! ପଛକୁ ବୁଲି ଦେଖେ ଦ୍ୱିତୀୟ ବେଞ୍ଚରେ ବସୁଥିବା ତଥା କ୍ଲାସରେ ସବୁଠାରୁ ଅଧିକ କଥାବାର୍ତ୍ତା କରୁଥିବା ପିଲାଟି । ସ୍ୱଭାବିକ ଭାବେ ଧନ୍ୟବାଦ କହି ମୁଁ ଚାଲିବାକୁ ପୁଣି ଆରମ୍ଭ କରିଛି, ସାଇକେଲରୁ ଓହ୍ଲାଇ “ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର” କହି ସାଥିରେ ଚାଲିବା ଆରମ୍ଭ କରିଥିବା ପିଲାଟି ସହ ଏପର୍ଯ୍ୟନ୍ତ ବି ଅତୁଟ ବନ୍ଧୁତା ବଜାୟ ରଖି ସୁଖଦୁଃଖରେ ସାଥିରେ ଚାଲିଛି ।

ହଠାତ ଦିନେ ତାଙ୍କ ଘରକୁ ଭଣଜା ଜନ୍ମଦିନ ପାଳନ ପାଇଁ ନିମନ୍ତ୍ରଣ ଦେଇ ମୋତେ ଅତି ଅପ୍ରୀତିକର ପରିସ୍ଥିତିରେ ପକେଇ ଦେଇଥିଲେ । ସମ୍ପୂର୍ଣ୍ଣ ନିରାମିଷାଶୀ ହୋଇଥିବାରୁ ପିଲାଟି ଦିନରୁ ଅତି ନିକଟ ସମ୍ପର୍କୀୟଙ୍କୁ ଛାଡ଼ି ଅନ୍ୟ କାହା ଘରକୁ ଭୋଜି କିମ୍ବା ଉତ୍ସବ ପାଳନ ପାଇଁ ଯିବା କଥା ହେଲେ ଶହେଥର ଭାବୁଥିଲି । ହେଲେ ବନ୍ଧୁଙ୍କ ଅନୁରୋଧ ଏଡ଼ାଇ ଯାଇ ନପାରି ଯେତେବେଳେ ପହଞ୍ଚିଥିଲି ତାଙ୍କ ଦ୍ୱିତଳ ପ୍ରାସାଦରେ, ପ୍ରଥମେ ପରିଚୟ ଯାହାଙ୍କ ସହ ହୋଇଥିଲା ସେ ହାତରେ ସିଗାରେଟ ଖଣ୍ଡେ ଧରି, ଆଖିରେ ଚଷମା ପିନ୍ଧି କୌଣସି ଏକ ଇଂରାଜୀ ଉପନ୍ୟାସ ପଢ଼ିବାରେ ମଗ୍ନ ଥିଲେ । ପାଖ ଛୋଟ ଟେବୁଲରେ ଚାହା କପ୍ ଆଉ ଯେଉଁ ସୋଫାରେ ବସିଥିଲେ ତା’ପଛରେ ଅନେକ ଇଂରାଜୀ ଲେଖକଙ୍କ ବହିସବୁ ଅତି ସୁନ୍ଦର ଭାବରେ ସଜାହୋଇଥିବା ବୁକ୍ ସେଲ୍ଫ୍ । କାନ୍ଥରେ ଲାଗିଥିଲା ଏକ ତୈଳଚ୍ଚିତ୍ର ଯାଜପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିପିନ ବିହାରୀ ମହାନ୍ତିଙ୍କର । ସତ କହିବାକୁ ଗଲେ ପ୍ରଥମ ପରିଚୟରେ ଲାଗିଥିଲା ସିଏ ଯେମିତି ଏକ ନିଆରା ବ୍ୟକ୍ତିତ୍ୱ । ଏକଥା ଶତ ପ୍ରତିଶତ ସତ ପ୍ରମାଣିତ ହେଲା, ଯେବେ ତାଙ୍କ ଘର ସହ ସମ୍ପର୍କ ବଢ଼ିବାରେ ଲାଗିଲା । ୬୦/୭୦ ଦଶକରୁ ମୁକ୍ତିଲାଭ କରିଥିବା ସମସ୍ତ ହିନ୍ଦୀ ଚଳଚ୍ଚିତ୍ରର ସଂଗୀତର କ୍ୟାସେଟ୍ ସଂଗ୍ରହର ସଉକ ହେଉ, ବହି ପଢ଼ିବାର ଅଭ୍ୟାସ କିମ୍ବା ପୁରୁଣା ହିନ୍ଦୀ ସିନେମା ଦେଖିବାର ଇଚ୍ଛା, ସବୁକିଛି ମୋ ପସନ୍ଦ ସହିତ ତାଳମେଳ ଖାଉଥିଲା । ଅନେକଥର ତାଙ୍କ ଘରକୁ ଯିବା ପଛରେ ଉଦ୍ଦେଶ୍ୟ ଥିଲା ମାଉସୀଙ୍କ ସ୍ନେହବୋଳା କଥା କେଇପଦ । ମଉସାଙ୍କର ଥଟ୍ଟାମଜାରେ ବି ଅନେକ ଶିଖିବାର କଥା । ଦୀପୁଭାଇ, କାଳିଆ ଭାଇ, ଅରୁଦିଦି ଆଉ ଲକି ଓ ଲାକିଦେଇଙ୍କ ରୂପରେ ବଡ଼ଭାଇ ଓ ଭଉଣୀମାନଙ୍କ ଭଲପାଇବା… ତା’ଛଡ଼ା ଅତି ଘନିଷ୍ଠ ବନ୍ଧୁଙ୍କ ସାନିଧ୍ୟ ଏବଂ ପରିଶେଷରେ ରାତ୍ରିଭୋଜନରେ ନିରାମିଷାଶୀ ଖାଦ୍ୟ । ସତ କହିବାକୁ ଗଲେ ରାତ୍ରିଭୋଜନରେ ପରିବାରର ସମସ୍ତ ସଦସ୍ୟ ସାଥିରେ ବସି ଖାଇବା ସମୟରେ ହେଉଥିବା ମଜାଳିଆ ଆଲୋଚନା ଦିନ ଯାକର ସମସ୍ତ ଥକାପଣକୁ ଦୂର କରିପାରୁଥିଲା ।

ଏମିତି ଅନେକ ସ୍ମୃତିସହ କେତେବେଳେ ପାଠପଢ଼ାର ଶେଷବର୍ଷ ସରିଗଲା ଜଣା ବି ପଡ଼ି ନଥିଲା । ସୌଭାଗ୍ୟ ମୋର ଏମିତି ଥିଲା ଯେ ପ୍ରଥମ ଚାକିରୀ ପାଇଁ ହାଇଦ୍ରାବାଦ ଯିବା ସମୟରେ ମୋତେ ସ୍ୱାଗତ କରିବାକୁ ମଉସାଙ୍କର ବି ସେଠାକୁ ବଦଳି ହୋଇ ଯାଇ ସାରିଥିଲା । ଶନିବାର ଅଫିସ ସରିଲେ କେମିତି ୧୦୭ ଭି ବସ୍ ଧରି ଶିବମ୍ ରୋଡ଼ ଯିବି ସେଇ ଚିନ୍ତାରେ ଦିନ ଗଣିବା ଆରମ୍ଭ କରୁଥିଲି । ଶନିବାର ସଞ୍ଜରୁ ସୋମବାର ସକାଳ ପର୍ଯ୍ୟନ୍ତ ଚାରମିନାରଠୁ ନେଇ ଗୋଲକୁଣ୍ଡା ଦୂର୍ଗ, ବିରଳା ମନ୍ଦିରଠୁ ନେଇ ସଲାର ଜଙ୍ଗ ସଂଗ୍ରାହାଳୟ ବୁଲିବା, ପାରାଡାଇଜରେ ପ୍ରଥମଥର ବିରୟାନୀ ଖାଇବା ହେଉ କି ପ୍ରିୟାରେ ସକାଳ ଜଳଖିଆ…. ସବୁକିଛି ମଉସାଙ୍କ ସାଥିରେ କଟୁଥିଲା । ଅବଶ୍ୟ ମୋର ପ୍ରିୟ ବନ୍ଧୁ ତାଙ୍କ ସେବେର ବାନ୍ଧବୀ ବର୍ତ୍ତମାନର ପତ୍ନୀଙ୍କୁ ଭେଟିବାକୁ ମୋତେ ସାଥିରେ ନେବାକୁ ଚାହୁଁଥିଲେ ବି ମଉସାଙ୍କଠୁ ଅନେକ କିଛି ଶିଖିବାର ଇଛା ପାଇଁ ଅଧିକାଂଶ ସମୟରେ ମୁଁ ଦ୍ୱନ୍ଦରେ ପଡ଼ି ନିଷ୍ପତ୍ତି ନେଉଥିଲି । ଏମିତି ପରିସ୍ଥିତିରେ ହାଲୁକା ଥଟ୍ଟାମଜାରେ ମଉସା ଥରେ ତାଙ୍କର ଜଣେ ଉଚ୍ଚପଦସ୍ଥ ବନ୍ଧୁଙ୍କୁ ମୋର ପରିଚୟ ଦେଇ କହିଥିଲେ “ଇଏ ସାଇ, ମୋ ପୁଅର ବନ୍ଧୁ, ସପ୍ତାହାନ୍ତରେ ଘରକୁ ଆସେ ଆଉ ସେ ମୋ ପୁଅ ଯିଏ ସପ୍ତାହାନ୍ତରେ ଘରୁ ବାହାରକୁ ଯାଏ ।”

ମନେ ଅଛି ଯେବେ ପ୍ରଥମଥର ପାଇଁ ଆଳୁ ଭରତା ତିଆରି କରି ମଉସାଙ୍କୁ ଦେଇଥିଲି ସେଥିରେ ବି ସିଏ ବିଶେଷ ଶୈଳୀରେ ପ୍ରଶଂସା କରିଥିଲେ । ନିରାମିଷ ଖାଦ୍ୟର ବିଭିନ୍ନ ଦେଶୀୟ ଓ ବିଦେଶୀ ଖାଦ୍ୟର ବିବରଣୀ ସହ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଅନେକ ଆଲୋଚନା ରାତ୍ରିଭୋଜନର ମୁଖ୍ୟ ଅଙ୍ଗ ଥିଲା । ଅନେକ ସମୟରେ ଖାଇବା ମଝିରେ ପୁରୁଣା ହିନ୍ଦୀ ସିନେମା ବିଷୟରେ ପ୍ରଶ୍ନ ଉତ୍ତର ବି ଚାଲୁଥିଲା । ଅନେକଥର ସଠିକ ଉତ୍ତର ଦେଇ ତାଙ୍କ ପାଖରୁ ପାଇଥିବା ଡାଏରୀସବୁକୁ ଏପର୍ଯ୍ୟନ୍ତ ସାଇତି ରଖିଛି, ପ୍ରତିଦିନ ଡାଏରୀ ଲେଖିବା ଅଭ୍ୟାସ ଅନେକ ବର୍ଷ ଧରି ବଜାୟ ରଖିଥିଲି ମଉସାଙ୍କ ପ୍ରେରଣାରୁ ।

ମନେଅଛି ବହି ପଢ଼ିବାର ସଉକଥିଲେ ବି ଅର୍ଥାଭାବରୁ କିଣି ପାରୁନଥିବା ସମୟରେ ମଉସା ତାଙ୍କ ବହି ଥାକର ଅନେକ ବହି ପଢ଼ିବାକୁ ଦେଇଛନ୍ତି । ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ଥିଲା କୌଣସି ପରିସ୍ଥିତିରେ ବି ନିଜର ଆର୍ଥିକ ସ୍ଥିତି ବିଷୟରେ ନଭାବି ଅନ୍ୟର ସାହାଯ୍ୟ କରିବା, ଅନେକ ସମୟରେ “ନା” ନକହିବା ସ୍ୱଭାବପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି ନିଜକୁ କିପରି ସମ୍ଭାଳି ନେଇ ଆଗକୁ ବଢ଼ିହେବ ସେକଥା ଅନେକଥର ଶିଖାଇଛନ୍ତି ।

ଚାକିରି ଜୀବନର ଅଧିକାଂଶ ସମୟ ରାଜ୍ୟ ବାହାରେ କଟି ଥିବାରୁ ଓଡ଼ିଆ ବହି ପଢ଼ି ପାରି ନଥିଲେ ବୋଲି ଅନେକ ସମୟରେ ଅନୁଶୋଚନା କରୁଥିବା ମଉସା କିନ୍ତୁ ଅବସର ପରେ ଓଡ଼ିଆ ବହି ପଢ଼ିବାର ସଉକ ପାଇଁ ମାସର ପେନସନର ପ୍ରାୟ ବଡ଼ ଭାଗ ବିଭିନ୍ନ ବହି ଓ ପତ୍ରିକା କିଣିବାରେ ଖର୍ଚ୍ଚ କରୁଥିଲେ ।

ଲେଖାଲେଖିର ସଉକ କେବେଠାରୁ ଥିଲା ସଠିକ କହି ପାରିବି ନାହିଁ କିନ୍ତୁ ଅସୁସ୍ଥତା ଓ ଜଟିଳ ଅସ୍ତ୍ରୋପଚାର ପରେ ଯେବେ ଡାକ୍ତର ସମ୍ପୂର୍ଣ୍ଣ ଆରାମ କରିବାକୁ କହିଥିଲେ ସେ ସମୟ ଅପଚୟ ନକରି ଆରମ୍ଭ କରିଥିଲେ ଗପ ଲେଖିବା, କିଛି ଲେଖି ଅନେକ ସମୟରେ ମୋତେ ପଠାନ୍ତି ପଢ଼ି ମତାମତ ଦେବାପାଇଁ, ମୁଁ ମୋର ସ୍ୱଳ୍ପ ଜ୍ଞାନରେ ଯାହାକିଛି ବି ମତାମତ ଦେଉଥିଲି ତାକୁ ଅତି ଖୁସିରେ ଗ୍ରହଣ କରୁଥିଲେ, ଯଦିଓ ବିଭିନ୍ନ ପ୍ରତିଷ୍ଠିତ ପତ୍ରିକା ତଥା ସମ୍ବାଦପତ୍ରରେ ତାଙ୍କ ଲେଖା ପ୍ରକାଶ ପାଇ ସାରିଥିଲା ତଥାପି ମୁଁ ଯେତେବେଳେ ଅନୁରୋଧ କରିଥିଲି ଶୁଭପଲ୍ଲବ ପାଇଁ ଲେଖା ଦେବାପାଇଁ ଅତି ଖୁସିରେ ନିଜର ସୁନିର୍ବାଚିତ ଏକ ଗଳ୍ପ ତତ୍‌କ୍ଷଣାତ ପଠାଇ ଥିଲେ ।

ଅନେକ ସମୟରେ କୌଣସି ଲେଖା ପସନ୍ଦ ଆସିଲେ ସିଧାସଳଖ ଲେଖକଙ୍କୁ ଫୋନ ଯୋଗେ ଅଭିନନ୍ଦନ ଏବଂ ମତାମତ ଦେବାପାଇଁ ଭୁଲନ୍ତି ନାହିଁ, ସେଥିପାଇଁ ଖୁବ୍ କମ୍ ସମୟରେ ଅନେକ ଲେଖକ ତାଙ୍କର ବନ୍ଧୁ ହୋଇଯାଇଥିଲେ ଏକଥା ଜାଣିବାକୁ ପାଇଲି ଯେବେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ କିଛି ଘଣ୍ଟା ତାଙ୍କ ସହିତ ଅତିବାହିତ କରିଥିଲି, ଯେଉଁ ବି ପ୍ରକାଶନ ସଂସ୍ଥାର ଷ୍ଟଲକୁ ଯାଉଥିଲେ କିଛି ଲେଖକବନ୍ଧୁମାନେ ଆସି ଅଭିନନ୍ଦନ ଜଣାଇବା ସହିତ ବହି କିଛି ଦେଇ ଯାଉ ଥାଆନ୍ତି । ସେଇ କିଛି ଘଣ୍ଟା ଭିତରେ ପ୍ରାୟତଃ ୧୦୦ ଖଣ୍ଡ ଓଡ଼ିଆ ବହି କିଣି ଓ ଉପହାରରେ ପାଇବା ପରେ ଯେତେବେଳେ ଘରେ ପହଞ୍ଚି ଥାକରେ ସଜାଡ଼ୁଥିଲୁ ଅତି କୋହ ଭରା କଣ୍ଠରେ କହିଲେ, “ଏତେ ଗୁଡ଼ାଏ ବହି ସଂଗ୍ରହ କଲି ହେଲେ ମୋ ଯିବା ପରେ ଏସବୁ ପଢ଼ିବ କିଏ?” ମୋତେ କ’ଣ ଜଣାଥିଲା ଯେ ମୁଁ ଫେରି ଆସିବା ପରେ ତାଙ୍କ ଦେହ ଏତେ ଅସୁସ୍ଥ ହେବ ବୋଲି, ପ୍ରତିଦିନ ସକାଳେ ହ୍ୱାଟ୍ସଆପରେ ତାଙ୍କର ଶୁଭସକାଳ ମେସେଜ ଆସିବା ଜାରି ରହିଥିଲା କିନ୍ତୁ କିଛି ଦିନ କାର୍ଯ୍ୟବ୍ୟସ୍ତତା ପାଇଁ ମେସେଜ ସବୁ ଦେଖି ପାରି ନଥିଲି ଯେବେ ଖବର ପାଇଲି ସେତେବେଳକୁ ସିଏ ଏକ ଘରୋଇ ଚିକିତ୍ସାଳୟରେ ଆଇ ସି ୟୁରେ ଭର୍ତ୍ତି ଥିଲେ, ନିଜର ଚିରାଚରିତ ମଜାଳିଆ ସ୍ୱଭାବରେ ସେ ହ୍ଟାଟ୍ସଆପର ଷ୍ଟାଟସରେ ଲେଖିଥିଲେ “49 Days in ICU” । ୧୯ ଜୁଲାଇ ସକାଳୁ ପ୍ରିୟ ବନ୍ଧୁଙ୍କ ମେସେଜ ପାଇଲି “ଭାଇ, ବାପା ଚାଲିଗଲେ” କିଛିକ୍ଷଣ ସ୍ତବ୍ଧ ହୋଇ ନିଜକୁ ସମ୍ଭାଳି ବନ୍ଧୁଙ୍କୁ ସାନ୍ତ୍ୱନା ଦେଉଦେଉ ମଧ୍ୟ ଆଖିର ଲୁହ ଅଟକାଇ ପାରିନଥିଲି । ନିଜର ଗଳ୍ପ “୭୦ କି ୭୨” ଶୁଭପଲ୍ଲବରେ ପ୍ରକାଶିତ ହୋଇଥିଲେ ବି ପଢ଼ିବା ପୂର୍ବରୁ ସେ ଇହଧାମ ତ୍ୟାଗ କରି ଚାଲିଗଲେ ।

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବିରଜା ମଉସା । ଆପଣ ୭୨ କି ୭୦ ପର୍ଯ୍ୟନ୍ତ ବି ଅପେକ୍ଷା କରି ପାରିଲେ ନାହିଁ…..

– ସାଇ ପ୍ରକାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାଇ ପ୍ରକାଶ ପେଶାରେ ଜଣେ ଇଞ୍ଜିନିୟର ଏବଂ ନିଶା ତାଙ୍କର ଫଟୋଗ୍ରାଫି ଓ ଟ୍ରାଭେଲ୍ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିବା ସହ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।