You are currently viewing ମାତା ପିତାଙ୍କର ଭୂମିକା
Mata Pitankara Bhumika (ମାତା ପିତାଙ୍କର ଭୂମିକା) by Debabrat Das

ମାତା ପିତାଙ୍କର ଭୂମିକା

ଦୁଇଟି ପବିତ୍ର ଆତ୍ମାର ବନ୍ଧନକୁ ବିବାହ କୁହାଯାଏ । ବଂଶ ପରମ୍ପରାକୁ କ୍ରିୟାଶୀଳ ରହିବା ପାଇଁ ବିବାହ ହେଲେ ଏକ ଅତ୍ୟନ୍ତ ପବିତ୍ର ସଂସ୍କାର । ଏହା ଏକ ଏପରି ପରମ୍ପରା ଯାହା ଅସୀମ କାଳ ପର୍ଯ୍ୟନ୍ତ ସମାଜରେ ପ୍ରତିଷ୍ଠିତ ହୋଇଥାଏ । ଯେକୌଣସି ସମୟରେ ବା ଯୁଗରେ ସମାଜକୁ ସୁସ୍ଥ ରଖିବା ହେଲା ଲୋକମାନଙ୍କର କାର୍ଯ୍ୟ । ସମାଜରେ ସନ୍ନ୍ୟାସୀମାନେ ମଧ୍ୟ ସାଂସାରିକମାନଙ୍କ ଠାରୁ ଜନ୍ମ ନିଅନ୍ତି ।

ବୈବାହିକ ଜୀବନ ଆଧ୍ୟାତ୍ମିକ ଏବଂ ସାମାଜିକ ସ୍ତରକୁ ଉତ୍ତମ ରୂପେ ବୁଝିବା ଆବଶ୍ୟକ । ମନେରଖିବା ଆବଶ୍ୟକ ଯେ ଆମର ଜନ୍ମଭୂମି ଭାରତବର୍ଷ ବୈଚିତ୍ରତାରେ ପରିପୂର୍ଣ୍ଣ । ବିଭିନ୍ନ ସଂସ୍କୃତି ବିଭିନ୍ନ ସ୍ତର ଏବଂ ବିଭିନ୍ନ ସମୁଦାୟର ଏହା ଏକ ମିଳନ ସ୍ଥଳ । ଧନୀ ଏବଂ ଦରିଦ୍ର ଭେଦରେ ମଧ୍ୟ ସମାଜରେ ଏକ ବୈସମ୍ୟତା ଦେଖାଦିଏ । ନିର୍ଦ୍ଧନ ମାତାପିତାମାନେ ନିଜର କନ୍ୟାର ବିବାହ ସ୍ଵଳ୍ପ ବ୍ୟୟରେ କରିଥାନ୍ତି, ଅନ୍ୟପକ୍ଷରେ ଧନୀ ମାତାପିତାମାନେ ବ୍ୟୟ ବହୁଳ କରି ନିଜର କନ୍ୟାର ବିବାହ ସମ୍ପନ୍ନ କରିଥାନ୍ତି । କିନ୍ତୁ ଦୁଇ କ୍ଷେତ୍ରରେ ମାତାପିତାମାନଙ୍କୁ ଯେଉଁ ପ୍ରସନ୍ନତା ମିଳିଥାଏ ତାହା ସମାନ ।

ବିବାହ ସଂସ୍କାରରେ ମାତା ପିତାଙ୍କର ଗୁରୁଦାୟିତ୍ୱ ରହିଛି । ବ୍ରହ୍ମା ବିଦ୍ୟାକୁ ନିଜ ପୁଅମାନଙ୍କୁ ପ୍ରଥମେ ଦେଇଥିଲେ । ତାଙ୍କ ପୁତ୍ରମାନଙ୍କଠାରୁ ଏହି ବିଦ୍ୟା ତାଙ୍କ ଭବିଷ୍ୟତ ବଂଶଧରମାନଙ୍କୁ ମିଳିଥିଲା । ଏଣୁ ମାତାପିତାଙ୍କ ଠାରୁ ତାଙ୍କର ସନ୍ତାନମାନଙ୍କୁ ଆଧ୍ୟାତ୍ମିକ ଧନ ମିଳିବା ଆବଶ୍ୟକ । ଏହା ତାଙ୍କର ବିଶେଷ ଦାୟିତ୍ୱ । ଏଣୁ ମାତାପିତାମାନେ ନିଜର ସନ୍ତାନମାନଙ୍କୁ ଏହି ଦୀକ୍ଷା ଅବଶ୍ୟ ଦେବା ଉଚିତ ଯେ ତୁମେମାନେ ବିବାହ ପରେ ଯେତେବେଳେ ମାତାପିତା ହେବ, ସେତେବେଳେ ନିଜର ପିଲାମାନଙ୍କୁ ସୁସନ୍ତାନ କରି ଗଢ଼ିବା ପାଇଁ ତୁମ୍ଭମାନଙ୍କ ପାଖରେ ଆଧ୍ୟାତ୍ମିକ ଜ୍ଞାନ ଓ ଆଧ୍ୟାତ୍ମିକ ଶକ୍ତି ଥିବା ଆବଶ୍ୟକ । ଆମ ଦେଶରେ ବର୍ତ୍ତମାନ ଶିକ୍ଷା ମୋ ମତରେ ଶୂନ୍ୟ । ଶିକ୍ଷାର ମୁଖ୍ୟତଃ ଦୁଇଟି ସ୍ତର ରହିଛି; ଗୋଟେ ବାହ୍ୟସ୍ତର ଏବଂ ଅନ୍ୟଟି ଆନ୍ତରିକ । ଆନ୍ତରିକ ଶିକ୍ଷା ଦ୍ୱାରା ହିଁ ମନ, ବୁଦ୍ଧି ବିଶାଳ ଏବଂ ବଳଶାଳୀ ହୁଏ ।

ଯେଉଁ ଆନ୍ତରିକ ସ୍ନେହ ଦେଇ ତୁମର ମାତାପିତାମାନେ ତୁମକୁ ବଡ଼ କରିଛନ୍ତି, ସେହି ପ୍ରେମ ହିଁ ତୁମର ଜୀବନରେ ମାର୍ଗଦର୍ଶନ କରିବାକୁ ସହାୟକ ହେବ । ନିଜର ମନ, ବୁଦ୍ଧି ଏବଂ ଇଚ୍ଛାଶକ୍ତି ଦ୍ୱାରା କଠିନ ପରିଶ୍ରମ ହିଁ ଏଥିପାଇଁ ଆବଶ୍ୟକ । କାହାରିକୁ ହେଲେ ନିଜର ଶତ୍ରୁ ବୋଲି ଗ୍ରହଣ କରନାହିଁ । ତୁମ ପାଖରେ କ’ଣ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ନଦେଇ ତୁମ ପାଖରେ କ’ଣ ଅଛି ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ; ସେଥିରେ ସଫଳତା ରହସ୍ୟ ରହିଛି । ନିଜର ସଂସ୍କୃତି, ପରମ୍ପରାକୁ ନଷ୍ଟ କରନାହିଁ; ଆମ ସଂସ୍କୃତି, ପରମ୍ପରା ସବୁଠାରୁ ଉର୍ଦ୍ଧ୍ୱରେ ।

– ଦେବବ୍ରତ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବବ୍ରତ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।