You are currently viewing ମୁକ୍ତିସଳିତା ବାଜି ରାଉତ
Odia Essay on Mukti Salita Baji Rout (ମୁକ୍ତିସଳିତା ବାଜି ରାଉତ) by Souvagya Ranjan Mohapatra

ମୁକ୍ତିସଳିତା ବାଜି ରାଉତ

ଭାରତ ଇଂରେଜମାନଙ୍କ କବଳରେ ପରାଧୀନ ହେବାପରେ ଦେଶକୁ ସ୍ଵାଧୀନ କରିବା ପାଇଁ ବହୁ ସ୍ଵାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି । ସ୍ଵାଧୀନତା ସଂଗ୍ରାମରେ ସଂଗ୍ରାମୀଙ୍କର ବଳିଦାନ ଇତିହାସର ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲେଖାଯାଇଛି । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଯାଏଁ ବହୁ ଅମର ପୁରୁଷଙ୍କ ନାମ ଦେଶର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ସ୍ଵାଧୀନତା ସଂଗ୍ରାମରେ କେତେ ଯେ ମହାମନୀଷି ବଳିଦାନ ଦେଇଛନ୍ତି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ସଂଗ୍ରାମ ପାଇଁ ଆମ ଓଡ଼ିଶା ମାଟିରୁ ବୀରଗତି ପ୍ରାପ୍ତ କରିଥିବା ଜଣେ ମହାନ ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ହେଉଛନ୍ତି ବାଜି ରାଉତ । ତାଙ୍କ ନାଁ ଯେପରି ବାଜି ସେ ଦେଶ ପାଇଁ ନିଜ ଜୀବନକୁ ସେହିଭଳି ଭାବରେ ବାଜି ଲଗାଇଥିଲେ ।

ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ ଥିଲା । ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନଭାର ଗ୍ରହଣ କଲେ ରାଜା ଶଙ୍କର ପ୍ରତାପ ସିଂହ ଦେ । ନାମ ବଡ଼ କିନ୍ତୁ ଶାସନ କୁତ୍ସିତ । ବଡ଼ ଅହଂକାରୀ ଓ ଗର୍ବୀ ରାଜା ଥିଲେ ସେ । ରାଜା ତଥା ପାରିଷାଦବର୍ଗଙ୍କ ଯାବତୀୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଘାରି, ଯୋର ଜବରଦସ୍ତ ଟିକସ ଅସୁଲ, ମନମୁଖି ଶାସନ, ମିଥ୍ୟା, କରବୃଦ୍ଧି ଇତ୍ୟାଦିରେ ପ୍ରଜାକୁଳ ତ୍ରାହି ତ୍ରାହି ଡାକ ଛାଡ଼ିଲେ । ରାଜାଙ୍କ ଶାସନ ବିରୋଧରେ ତୀବ୍ର ଆନ୍ଦୋଳନ ଗଢ଼ିଉଠିଲା । ଗଠିତ ହେଲା ପ୍ରଜାମଣ୍ଡଳ । ଆନ୍ଦୋଳନକୁ ଚଳାଇଲେ ଢେଙ୍କାନାଳର ଲୌହମାନବ ମହେଶ ଚନ୍ଦ୍ର ସୁବାହୁସିଂହ, ଢେଙ୍କାନାଳର ସୁଭାଷ ବୀର ବୈଷ୍ଣବ ପ୍ରମୁଖ ସଂଗ୍ରାମୀମାନେ ।

୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ବାଜି ରାଉତ ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ହରିହର ରାଉତ ଓ ମା’ଙ୍କ ନାମ ରାଣିଆ । ସେ ପିଲାବେଳୁ ବାପାଙ୍କୁ ହରାଇ ମା’ଙ୍କଦ୍ୱାରା ପ୍ରତିପାଳିତ ହେଉଥିଲେ । ପରିବାରରେ ଚାଷବାଷ ସକାଶେ ଜମି ନ ଥିଲା । ମା’ ଅନ୍ୟଘରେ ପାଇଟିକରି ତାଙ୍କୁ ପାଳୁଥିଲେ । ସମସ୍ତେ ତାଙ୍କୁ ସ୍ନେହରେ ବାଜିଆ ବୋଲି ଡାକନ୍ତି ।

୧୯୩୮ ମସିହା ଜୁଲାଇରେ ଦିନେ ବେଠି ଖଟିବା ପ୍ରସଙ୍ଗ ନେଇ ଢେଙ୍କାନାଳ ରାଜାଙ୍କ ପୋଲିସ ବାଜିଆର ମା’କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଅପମାନିତ କଲା । ମା’ ପ୍ରତି ଅପମାନ ବାଜିଆ ହଜମ କରିପାରିଲା ନାହିଁ । ଝାମ୍ପଦେଲା ପୋଲିସ ଉପରକୁ । ପୋଲିସ ବାଜିଆକୁ ଲଙ୍ଗଳା କରି ଧୁମ୍‌ ପିଟିଲା । ସେ ବାଳକ ବୋଲି ତାକୁ ପୋଲିସ ଛାଡ଼ିଦେଇଗଲା । ହେଲେ ବାଜିଆ ପ୍ରତିଶୋଧ ନେବା ପାଇଁ ବାଜି ପକାଇଲା । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ (ବୀର ବୈଷ୍ଣବ) ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ । ପ୍ରଜାମଣ୍ଡଳରେ ଯୋଗଦେଇ ବାନରସେନା ସାଜିଲେ ବାଜିଆ । ଦେଶ ଓ ଜାତି ପାଇଁ ସେ ନିଜକୁ ଉତ୍ସର୍ଗ କରିଦେଲେ । ବାଜି ରାଉତଙ୍କୁ ପ୍ରଜାମଣ୍ଡଳର ସିପାହୀ କରାଯାଇଥିଲା ।

ସେହିବର୍ଷ ସେପ୍ଟେମ୍ବର ପହିଲାରେ ଜେନାପୁରଠାରେ ଅନୁଷ୍ଠିତ କୃଷକ ସଭାରେ ଢେଙ୍କାନାଳର ୨୦,୦୦୦ କୃଷକ ଯୋଗ ଦେଇଥିଲେ । ସେହି ସମାବେଶରେ ବାଜିଆ ଉପସ୍ଥିତ ହୋଇ ଗଳାଫଟାଇ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାର ବିରୋଧରେ ଓଜସ୍ୱିନୀ ଭାଷଣ ଦେଲା । ବିଚକ୍ଷଣ ବାଳକ ବାଜିଆର ଭାଷଣ ଶୁଣି ଉପସ୍ଥିତ ଜନତା ସ୍ତବ୍ଧ ହୋଇଗଲେ । ଏହାପରେ ଢେଙ୍କାନାଳରେ ଦେଖାଦେଲା ମୁକ୍ତି ଆନ୍ଦୋଳନ । ପ୍ରଜାମଣ୍ଡଳର କର୍ମୀମାନଙ୍କୁ ରାଜା ଅନ୍ୟାୟ ଭାବେ ବନ୍ଦୀ କରିବାରୁ ଲୋକେ ଗାଁ ଗହଳିରୁ ବନ୍ଧ ଭାଙ୍ଗିଲା ପରି ମାଡ଼ିଆସିଲେ ଢେଙ୍କାନାଳ ଗଡ଼କୁ । ହଜାର ହଜାର ଲୋକ ପ୍ରଜାମଣ୍ଡଳର ଜୟ, ମହାତ୍ମା ଗାନ୍ଧୀ କୀ ଜୟ ଓ ଶଙ୍କର ପ୍ରତାପ ମୁର୍ଦ୍ଦାବାଦ ଧ୍ୱନି ଦେଇ ଢେଙ୍କାନାଳ ରାଜଉଆସକୁ ଅକ୍ତିଆର କରିନେଲେ । ଏହି ଜନ ସମାବେଶରେ ଯୋଗ ଦେଇଥିଲା ବାଜି ରାଉତ ।

ଲୋକଙ୍କର ବିଜୟ ଘଟିଲା । ରାଜା ଅସହାୟ ହୋଇ ଗୋରା ସରକାରଙ୍କଠାରେ ଶରଣ ପଶିଲେ । କଟକରୁ ଆସି ପହଞ୍ଚିଲେ ଢେଙ୍କାନାଳରେ ପଲିଟିକାଲ ଏଜେଣ୍ଟ ବେଜେଲେଗେଟ୍‌ । ଘୋଷଣା କଲେ ଢେଙ୍କାନାଳ ଆନ୍ଦୋଳନକୁ ନିଜେ ଦମନ କରିବେ । ଗୋର୍ଖାବାହିନୀ, ଡୋଗ୍ରା ବାହିନୀ, ହାଇଦ୍ରାବାଦୀ ଫୌଜ, ପଞ୍ଜାବୀ ଫୌଜ, ରାୟଗଡ଼ ଓ ଅନ୍ୟ ସୈନ୍ୟ ଆଣି ଢେଙ୍କାନାଳ ରାଜାଙ୍କ ପୋଲିସବାହିନୀ ସହ ମିଶାଇଦେଲେ । ବର୍ବର ଅତ୍ୟାଚାର ଆରମ୍ଭ ହେଲା ଢେଙ୍କାନାଳର ଗାଁ’ଗଣ୍ଡାରେ । ପ୍ରଜାମାନଙ୍କ ସହ ହେଲା ମୁହାଁମୁହିଁ ଯୁଦ୍ଧ । ଅନେକ ଲୋକ ଗୁଳିରେ ପ୍ରାଣ ହରାଇ ବି ଛାଡ଼ୁ ନ ଥାନ୍ତି । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଇଂରେଜମାନଙ୍କ ବିରୁଦ୍ଧରେ ‘ପ୍ରଜାମଣ୍ଡଳ’ ଦ୍ୱାରା ଭୁବନ ପୁଲିସ ଥାନା ସମ୍ମୁଖରେ ଆନ୍ଦୋଳନ ହୋଇଥିଲା । ଜନ ଆକ୍ରୋଶକୁ ପୁଲିସ ଆୟତ କରି ନ ପାରି ଶେଷରେ ଗୁଳିଚାଳନା ଆରମ୍ଭ କରିଥିଲା । ଏହି ଗୁଳିଚାଳନାରେ ଦୁଇଜଣ ପ୍ରଜାମଣ୍ଡଳର କାର୍ଯ୍ୟକର୍ତ୍ତା ନିହତ ହୋଇଥିଲେ । ଏହାଦ୍ୱାରା ପ୍ରଜାମଣ୍ଡଳ କାର୍ଯ୍ୟକର୍ତ୍ତା ଓ ସାଧାରଣ ନାଗରିକମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା । ଶେଷରେ ପୁଲିସ ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିନପାରି ମଧ୍ୟରାତ୍ରରେ ଉକ୍ତ ସ୍ଥାନ ଛାଡ଼ି ପଳାୟନ କରିଥିଲା । ପ୍ରଜାମେଳିକୁ ଭୟ କରି ପୋଲିସ ଫୌଜ ଢେଙ୍କାନାଳ ଗଡ଼କୁ ଫେରିଯିବା ପାଇଁ ରାତିରେ ଆସି ପହଞ୍ଚିଲେ ଭୁବନ ଆଖପାଖ ଅଞ୍ଚଳରେ । ତାଙ୍କ ପଛରେ ହଜାର ହଜାର ଜନତା । ପୋଲିସ ଗୁଳି ଚଳାଇ ସେମାନଙ୍କୁ ଘଉଡ଼ାଉଥାଏ । ଲୋକେ ମରୁଥାଆନ୍ତି କିନ୍ତୁ ଛାଡ଼ୁ ନ ଥାନ୍ତି । ପ୍ରଜାମଣ୍ଡଳ କର୍ମୀମାନେ ଜାଣିପାରିଲେ ନୀଳକଣ୍ଠପୁର ଘାଟ ଦେଇ ପୋଲିସ ଫୌଜ ବ୍ରାହ୍ମଣୀ ପାର ହେବେ । ସେମାନଙ୍କୁ ନଦୀପାର କରାଇ ନ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଲେ ବାଳକ ବାଜିଆ, ଲକ୍ଷ୍ମଣ ମଳିକ, ନଟ ମଳିକ, ହୁରୁଷି ପ୍ରଧାନ, ରଘୁ ନାୟକ ଓ ଗୁରୁ ନାୟକ । ‘ପ୍ରଜାମଣ୍ଡଳ’ ପରି ଛୋଟ ପିଲାମାନଙ୍କର ମଧ୍ୟ ‘ବାନରସେନା’ ନାମକ ଏକ ସଂଗଠନ ରହିଥାଏ । ଏହି ସଂଗଠନର ମୁଖିଆ ଥିଲେ ‘ବାଜି ରାଉତ’ । ପ୍ରଜାମଣ୍ଡଳ କର୍ମୀମାନେ ସେଠାରେ ଥିବା ସରକାରୀ ଡଙ୍ଗାକୁ ବୁଡ଼ାଇ ଦେଇଥିଲେ । ଆଉ ଥିଲା ଗୋଟିଏ ମାତ୍ର ବେସରକାରୀ ଡଙ୍ଗା । ସେହି ଡଙ୍ଗାର ମଙ୍ଗ ଉପରେ ବସିଥାଏ ବାଜି ରାଉତ ।

ମୁହଁକୁ ମୁହଁ ଦିଶୁନି | ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡ଼ଘଡ଼ିର ତାଣ୍ଡବଲୀଳା ଚାଲିଛି | ବାଜି ଠିଆ ହୋଇଛି ଡଙ୍ଗା ମଝିରେ । ମୁଣ୍ଡରେ ପଗଡ଼ି । ମଥାରେ ସିନ୍ଦୂରକଲି । ହାତରେ ତା’ର କପିଳାସ ଠେଙ୍ଗା । ଅନ୍ୟମାନେ ଡଙ୍ଗା ପାଖରେ ଡଙ୍ଗା ଦଉଡ଼ି ଧରି ଠିଆ ହୋଇଛନ୍ତି । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି ଶିବିରକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର କରାଇବ । ପିଲାଲୋକ ସିଏ । ଟିକେ ହାଲିଆ ହୋଇ ବସି ପଡ଼ିଛନ୍ତି କି ନାହିଁ, ନିଦରେ ତାଙ୍କର ଆଖିପତା ମୁଦି ହୋଇଗଲା । କୋଳାହଳରେ ବାଜିଆଙ୍କ ନିଦ ଭାଙ୍ଗିଗଲା । ଅନ୍ୟ ସ୍ୱେଚ୍ଛାସେବୀମାନେ ଧଡ଼ପଡ଼ ହୋଇ ଉଠି ପଡ଼ିଲେ । ଶୁଣିଲେ ଡଙ୍ଗାକୁ ତୁରନ୍ତ କୂଳରେ ଲଗାଇବା ପାଇଁ ନରହନ୍ତା ସିପାହୀ ଦଳ ଗର୍ଜନ କରୁଛନ୍ତି “କୂଳକୁ ଡଙ୍ଗା ଆଣ, କୂଳକୁ ଡଙ୍ଗଗା ଆଣ ।” ବାଜିଆ ଦେହରେ ଶତ ସିଂହର ବଳ ଜାଗି ଉଠିଲା । କ୍ରୋଧରେ ଜର୍ଜରିତ ହୋଇ ରକ୍ତରେ ତାଙ୍କର ନିଆଁ ଲାଗିଗଲା । ସେ ହଠାତ୍ ସ୍ୱେଚ୍ଛାସେବୀଙ୍କ ଓ ବାନର ସେନାଙ୍କ ଆଗକୁ ଚାଲି ଆସିଲେ । ଏ ମାଟିର ସିଂହଛୁଆ ସେ ଫଉଜକୁ ଅନେଇ ବୀରଦର୍ପରେ ଜବାବ ଦେଲେ, “ପ୍ରଜାମଣ୍ଡଳର ହୁକୁମ, ଡଙ୍ଗା ଦେବି ନାହିଁ |” ସିପାହୀମାନେ ପୁଣି କହିଲେ, “ଜାଣିଛୁ ଆମେ କିଏ? ଆମେ ତୋତେ ଗୁଳିରେ ଉଡ଼ାଇ ଦେଇପାରୁ ।” ବାଜିଆ କ୍ରୋଧରେ ଗର୍ଜନ କରି କହିଲେ, “ଆରେ, ରଖ ତୋ’ ଗୁଳି । ମୁଁ ଜାଣିଛି ତୁମେ ହେଉଛ ଅତ୍ୟାଚାରୀ ରାଜାର କୁକୁର ଦଳ; ତୁମେ ଗାଁ ଗାଁ ବୁଲି ଗାଁ’ଗଣ୍ଡା ଛାରଖାର କରୁଛ, ସମ୍ପତ୍ତି ଲୁଟ୍ କରୁଛ, ମା ଓ ଭଉଣୀଙ୍କ ଇଜ୍ଜତ ନେଉଛ, ଭାଇମାନଙ୍କୁ ଜୀବନରେ ମାରୁଛ । ତୁମେ ପଶୁ, ରାକ୍ଷସ ।” ଫୌଜ ଆଉ ବାଜି ରାଉତ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ଚାଲିଲା । ଆଖି ପିଛୁଳାକେ ଢେଙ୍କାନାଳ ରାଜାଙ୍କ ପୋଲିସ ରବି ସ୍ୱାଇଁ ବାଜି ରାଉତ ମୁଣ୍ଡକୁ ଲକ୍ଷ୍ୟକରି ଚଳାଇଦେଲା ଗୁଳି; ଗୁଡ଼ୁମ୍‌, ଗୁଡ଼ୁମ୍‌ । ଗୁଳି ମାଡ଼ରେ ବାଜିଆଙ୍କ କଁଅଁଳିଆ ଖପୁରୀଟି ଫାଟି ଦି’ଫାଳ ହୋଇଗଲା । ଗଛ କାଟିଲା ଭଳି ସେ ତଳେ ପଡ଼ିଗଲେ । ସେଇ ରକ୍ତ ଜୁଡ଼ୁବୁଡ଼ୁ ଦେହରେ ସେ ପୁଣି ଉଠି ଠିଆ ହେଲେ । ସେ ଡରିବାର ପିଲା ନୁହେଁ, ତାଙ୍କ ଭିତରଟା ବଜ୍ରଠାରୁ ଆହୁରି କଠିନ । ଦେହରେ ତାଙ୍କର ଅମାପ ଶକ୍ତି । ବଡ଼ ପାଟିରେ ଡାକ ଛାଡ଼ିଲେ, “ଧାଇଁ ଆସ ହେ ଧାଇଁ ଆସ । ପ୍ରଜାମଣ୍ଡଳର ଲୋକ କେଉଁଠି ଅଛ ଧାଇଁ ଆସ । ଆମ ଘାଟକୁ ପୁଲିସ୍ ଆଇଚି ।” ତା’ ପରେ ସବୁ ଶେଷ । ଗାଁ ଲୋକେ ଡାକ ଶୁଣି ତତକ୍ଷାଣତ୍ ଧାଇଁଲେ । ସତେ ଯେପରି ଗାଁ’ଟା ସାରା ନଈ କୂଳକୁ ଉଠି ଆସିଲେ । ସମସ୍ତେ ସେଇ ନଈ ତୁଠରେ ଡଙ୍ଗା ଦଉଡ଼ିକୁ ଅନଟାରେ ବାନ୍ଧି ଛାତି ଫୁଲାଇ ଠିଆ ହୋଇଗଲେ | ଜୀବନ ପଛକେ ଚାଲିଯିବ ଡଙ୍ଗା ଫିଟିବ ନାହିଁ । ପ୍ରଜାମଣ୍ଡଳର ହୁକୁମ୍ ଏପଟ ସେପଟ ହେବାର ନୁହେଁ ।

ପୁଲିସ୍ ମନେମନେ କୌଶଳ ପାଞ୍ଚିଲା । କାହାକୁ ଆଉ ଗୁଳି ମାରିଲା ନାହିଁ । ଛୁରୀରେ ଡଙ୍ଗା ଦଉଡ଼ି କାଟି ମଝି ନଈକୁ ଡଙ୍ଗା ବାହି ନେଲା । ଡଙ୍ଗା ମଝି ନଈରେ ହୋଇଛି କି ନାହିଁ, ଛୁଟିଲା ଗୁଳିର ସୁଅ ଗୁଡ଼ୁମ୍ ଗୁଡ଼ୁମ୍ । ସେଇଠି ଟଳି ପଡ଼ିଲେ ନୀଳକଣ୍ଠପୁର ଗାଁର ଆଉ କେତେ ଜଣ । ହୁରୁଷି, ରଘୁ, ଗୁର, ନଟ, ଲକ୍ଷମଣ ଓ ଫଗୁ । ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ଶହୀଦ ହୋଇଗଲେ । ସେଇ ଅନ୍ଧାର ରାତିରେ ମଣିଷର ଉଷୁମ ରକ୍ତରେ ବ୍ରାହ୍ମଣୀ ନଈର ପାଣି ଲାଲ ହୋଇଗଲା । ନୀଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା । ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ଅନନ୍ତ ପଟ୍ଟନାୟକ, ବୈଷ୍ଣବ ପଟ୍ଟନାୟକ, ସାରଙ୍ଗଧର ଦାସ, ଗୋବିନ୍ଦ ମହାନ୍ତି, ସଚ୍ଚି ରାଉତରାୟ, ଶରତ ପଟ୍ଟନାୟକ, ରବି ଘୋଷ୍‌, ବିଶ୍ୱନାଥ ପଶାୟତ, ନବକୃଷ୍ଣ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିଆରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ଗୌରାଙ୍ଗ ଦାସ ପ୍ରମୁଖ ବିପ୍ଳବୀ ନେତା ।

ଶେଷରେ ଆଜିର ଖାନ୍‌ନଗର ମଶାଣିରେ ଗୋଟିଏ ଚିତାରେ ସମସ୍ତେ ପାଉଁଶ ହୋଇଗଲେ । ମାଟିର ଦେହ ମାଟିରେ ମିଶିଗଲା । ଯୁଗଯୁଗ ପାଇଁ ସେମାନେ ହେଲେ ସ୍ୱାଧୀନତା ସଂଗ୍ରାମର ବୀର ଅମର ସୈନିକ । ସର୍ବ କନିଷ୍ଠ ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡ଼ଜାତର ସୂର୍ଯ୍ୟ । ପଙ୍କରୁ ପଦ୍ମ ଜନ୍ମ ନେଲା ପରି ଏକ ଅନ୍ଧାରୀ ମୁଲକରେ ଜନ୍ମ ହୋଇଥିଲେ ମଧ୍ୟ ସେ ସାରା ଜାତି ଓ ନିଜର ଜନ୍ମଭୂମି ପାଇଁ ଜୀବନ ଉତ୍ସର୍ଗ କରି ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏକ ପ୍ରେରଣାର ଉତ୍ସ ହୋଇ ରହିଗଲେ । ସେଦିନ ଚିତାଗ୍ନି ପାଖରେ ଥାଇ କବି ସଚ୍ଚି ରାଉତରାୟ ଗାଇ ଉଠିଲେ-

“ନୁହେଁ ବନ୍ଧୁ ନୁହେଁ ଏହା ଚିତା,
ଏ ଜାତି ତିମିର ତଳେ ଏ ଅଲିଭା ମୁକତି ସଳିତା,
ନୁହେଁ ଏହା ଜଳି ଯିବା ପାଇଁ,
ଏହାର ଜନମ ଏଥି ଜାଳି ପୋଡ଼ି ଦେବାରୁ ଧସାଇ ।”

ଶହୀଦର ସ୍ୱୀକୃତି ନେଇ କାଳ କାଳପାଇଁ ବାଜି ରାଉତ ପାଲଟିଗଲା ଏକ ମିଥ୍ । ଗୁଳିଚୋଟରେ ବାଜିଆ ସବୁଦିନ ପାଇଁ ଆଖି ବୁଜିଲା, ମାତ୍ର ଶହୀଦ ହୋଇଗଲା, ମହାବୀର ପରି ବଞ୍ଚିଲା, ପ୍ରଥମବୀରର ମାନ୍ୟତା ପାଇଲା । ଆଜି ବାଜିଆର ଜୀବନ ଓ ବୀରପଣକୁ ନେଇ କେତେ ଗପ, ଗୀତ, ନାଟକ ଲେଖା ଯାଇଛି । କେତେ ତୁଣ୍ଡରେ, କେତେ ଶ୍ରଦ୍ଧାରେ ସେ ପ୍ରସାରିତ ହୋଇଛି । କେତେମଣିଷଙ୍କ ଜୀବନକୁ ଅନ୍ଧାର ଭିତରୁ ଆଲୁଅ ଆଡ଼କୁ ଆକର୍ଷି ଆଣିଛି, ନୂଆ ଭାବରେ ତିଆରି କରିଛିI ତା’ କଥା ଅନ୍ଧାରୀ ମୁଲକର ଦୀପଟିଏ ପରି ରହିନି । ସେ ନଈକୂଳରୁ ଦେଶ ଭିତରକୁ ଆସିଛି, ପବନ ଓ ଆଲୋକରେ ମିଶିଯାଇଛି । ଅନେକ ଭୀରୁଙ୍କୁ ବୀର କରିବାର କାରଣ ହୋଇଛି ବାଜିଆ । ଅନେକଙ୍କ ଚେତନାର ଶୀତଳତାକୁ ସେ ତତେଇ ଦେଇଛି । ଉଷ୍ମତାର ଉତ୍ସଟିଏ ହୋଇ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ସେ ବିପ୍ଳବ ଓ ସତ୍ୟର ଶିଖା ପରି ଜଳିଉଠିଛି । ନିଜେ ଜଳିଛି ଏବଂ ଅନେକଙ୍କୁ ଜଳାଇଛି । ସେଇ ଜ୍ୱଳନର ତେଜ ଦିଗବିଦିଗରେ ପ୍ରସରି ଯାଇଛି । ଅନେକଙ୍କ ମଥାରେ ସେ ବିପ୍ଳବର ଶିରପା ବାନ୍ଧିଛି । ମରଣ ଓ ଚିରନ୍ତନ ବର୍ତ୍ତମାନର ଯେ କାରଣହୋଇପାରେ– ଅତି ଶରଧାରେ ଏ ସତ୍ୟକୁ ଯେପରି ସେ ଘୋଷଣା କରୁଛି । ଏ ଦେଶର ତିମିର ତଳେ ଲୁଚିଲୁଚି ଯାଉଥିବା ସେଇ ମୁକ୍ତିସଳିତା ବାଜି ରାଉତଙ୍କ କୋଟି ପ୍ରଣିପାତ କରୁଛି ଏ ବୀର ଜାତି ।

– ସୌଭାଗ୍ୟ ରଞ୍ଜନ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌଭାଗ୍ୟ ରଞ୍ଜନ ମହାପାତ୍ର ସମ୍ବଲପୁରର ବୈଦିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।