କାହାକୁ ମୁଁ ସମାଜ କହେ?
କାହାକୁ ମୁଁ ସମାଜ କହେ?

କାହାକୁ ମୁଁ ସମାଜ କହେ?

ଶିଶୁ ଶ୍ରମିକମାନଙ୍କ ହାତରେ, ଅସହାୟତାର ଇଟା
ହୀନମନ୍ୟତାର ସିମେଣ୍ଟ ବୁହାଯାଇ
ସଭ୍ୟ ସମାଜର ନିର୍ମାଣ କରାଯାଏ
ସେଇ ସଭ୍ୟତାରେ ପୁଣି, ଭବିଷ୍ୟତ
ରାସ୍ତା କଡ଼ ଅଳିଆ ଗଦାରେ ସଢ଼ୁଥାଏ
ତା’କୁ ମୁଁ ମୋର ସମାଜ କହେ ।

ଅସଂଖ୍ୟ ଶିକ୍ଷାନୁଷ୍ଠାନ: କୁଢ଼କୁଢ଼ ଡିଗ୍ରୀଧାରୀ ଶବ
ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତାକୁ ଜାବୁଡ଼ି ଧରି
ସଚ୍ଚୋଟତାର ମୁଖାପିନ୍ଧା ଚରିତ୍ରଗୁଡ଼ାକ ଏଠି
ନିଇତି ଏଣ୍ଡୁଅ ପରି ରଙ୍ଗ ବଦଳାଉଥାଏ
ତା’କୁ ମୁଁ ମୋର ସମାଜ କହେ ।

ନାରୀ ସେ ନାରାୟଣୀ, ଜଗତଜନନୀ
ଅଭୟ ସୁଖ ଦାୟିନୀ, ଶକ୍ତି ସ୍ୱରୂପିଣୀ
ତାକୁ ଯେ ତା’ର ସୀମା ସରହଦ୍ ଦେଖାଏ
ଅବଳା ବୋଲି ଯେ ଶିଖାଏ
ତା’କୁ ମୁଁ ମୋର ସମାଜ କହେ ।

ଅଗଣିତ ଆଖିର ଆଶା ଆକାଂକ୍ଷା ସ୍ୱପ୍ନ ଗୁଡ଼ାକୁ
ସେଇ ସାମାଜିକ ପରମ୍ପରାର ଶିକୁଳିରେ ବାନ୍ଧି
ମହାପାପର ଆଖ୍ୟା ଦେଇ ତଳିତଳାନ୍ତ କରିଦିଆଯାଏ
ସେଇ ସମାଜରେ ପୁଣି, ଜୀବନ
ଲୋକମାନଙ୍କ ଦ୍ୱାହି ଦେଇ ବଳି ପଡ଼ିଯାଏ।
ତା’କୁ ମୁଁ ମୋର ସମାଜ କହେ ।

ଲୋକେ କହିବେ: ହୀନମନ୍ୟତାର ନିଦର୍ଶନଟିଏ ।
ସମାଜ: ସେଇ ଲୋକମାନଙ୍କୁ ନେଇ ତିଆରି ହୁଏ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu