You are currently viewing ଲଣ୍ଠନ
Odia Story Lanthana (ଲଣ୍ଠନ) by Ashish Kumar Swain

ଲଣ୍ଠନ

ସୂର୍ଯ୍ୟ ଲାଲ ରୂପ ଧାରଣ କରି ପର୍ବତ ଶିଖରେ ବୁଡ଼ିଗଲେ, ସୁଲୁସୁଲିଆ ସୁଶୀତଳ ପବନ ବହି ଚାଲେ । ମନ ଆନନ୍ଦରେ ପୂରି ଉଠେ । ସୁନ୍ଦର ସୁଶୋଭିତ କଳାହାଣ୍ଡିଆ ରୂପଧାରଣ । ଯେ ଯାହା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ଭିନ୍ନ ରୂପ ଭିନ୍ନ ଧ୍ଵନି ସହ ସନ୍ଧ୍ୟା ଆଗତ । ଝୁମ୍ପୁଡ଼ି କୁଡ଼ିଆ । କୁଡ଼ିଆ ଭିତରେ କେଇଟା ପ୍ରାଣୀ । ଚତୁଃପାର୍ଶ୍ଵ ଘନ ଅନ୍ଧକାରମୟ ଆଉ ସେହି ଅନ୍ଧକାର ଭିତରେ ଭ୍ରମର ପରି ଶବ୍ଦ । ସେମାନେ କୁହନ୍ତି, ଶବ୍ଦ ବି କୁହେ । ଏମିତିକା ଦୃଶ୍ୟ ମୋତେ ଭଲ ଲାଗୁନି । ଖୋଜ ତାକୁ… ଖୋଜ ତାକୁ…। ଖୋଜନ୍ତି ଏବଂ ଖୋଜିବାରେ ଲାଗିପଡ଼ନ୍ତି । ଅନ୍ଧାରେ ହାତ ଚଳଚଞ୍ଚଳ ହୋଇଉଠେ । ସତେ ଅବା ସବୁ ଦେଖିପାରେ ! କିନ୍ତୁ ଦେଖିପାରେନା । ବାରି ବାରି ଚାଲେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ପହଁଞ୍ଚିବା ପାଇଁ । ବୁଦ୍ଧିର ସହ ଅଣ୍ଟା ଭିଡ଼େ । ବଜ୍ର ଶପଥ ନିଏ । ଜାଣିନଥାଏ ଜିତିବ କି ହାରିବ । କିନ୍ତୁ ବାରି ଚାଲୁଥାଏ । ଆଗକୁ ଆଗକୁ ମାଡ଼ି ଚାଲୁଥାଏ । ସବୁକିଛି ପାଏ । ଯାହାକୁ ଖୋଜେ ତାକୁ ପାଏନା । ଚାଲେ ଲୁଚକାଳି ଖେଳ, କିନ୍ତୁ ଖୋଜିବା ଡୋରି ବନ୍ଧା ପଡ଼େନା । ଯାହାକୁ ଖୋଜନ୍ତି, ସେ ଚାହିଁଥାଏ । କହୁଥାଏ ମୋତେ ନିଅ ଏବଂ ମୋତେ ଆପଣାଅ । ଏମିତିକା ଦୃଶ୍ୟ ଦେଖି ମୁରୁକି ମୁରୁକି ହସୁଥାଏ ସେ । ଭାବୁଥାଏ ଲୁଚକାଳି ଖେଳ ଭାରି ଭଲ । ମଜା ଏବଂ ଆନନ୍ଦଦାୟକ । ଆଉଟିକେ ମଜା ନେବା । ମନେହୁଏ ମଣିଷଟା ଆଜି ହାରିଯିବ କି? ପୁଣି ଭାବେ ସେ ବୁଦ୍ଧିଆଟା ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ । ସେ ନିଶ୍ଚିତ ଜିତିଯିବ । ସେ କିନ୍ତୁ ଇସାରା ଇଙ୍ଗିତ କରୁଥାଏ, ମୁଁ ସବୁଦିନ ଯେଉଁଠି ଥାଏ ଆଜିବି ସେଇଠି । ସଜ୍ଜିତ, ସୁରକ୍ଷିତ । ମୁଁ ଜାଣିଥିଲି ଏବଂ ଶୁଣିଥିଲି ମଣିଷଟା ସ୍ୱାର୍ଥପର । ବାସ୍ତବିକ ସତରେ ମଣିଷଟା ସ୍ୱାର୍ଥପର । ଦିନବେଳେ ମୋ କଥା ମନେ ପଡ଼େନା କି ମୋତେ ଖୋଜେନା । ଅନ୍ଧାର ଘୋଟିଗଲେ ମୋତେ ଖୋଜିବୁଲେ । ତଥାପି ମୋ ଧର୍ମ ମୁଁ ବଜାଇ ରଖେ । ଜନସମାଜର କଲ୍ୟାଣ ସାଧିତ ନିମନ୍ତେ । ସତରେ ବନ୍ଧୁ ମୋତେ ଜାଣିଛ? ମୁଁ କିଏ କହିଲ?? ଦାଣ୍ଡ ଦୁଆରେ ସଦାସର୍ବଦା ଝୁଲୁଥାଏ । ସାଇତା ଟଙ୍ଗା ଅନ୍ଧାରକୁ ଆଲୋକରେ ଭରିଦଏ… ମୁଁ ଲଣ୍ଠନ ।

– ଆଶିଷ କୁମାର ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶିଷ କୁମାର ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।