You are currently viewing ଶୂନ୍ୟତାର ପରିଭାଷା
Odia Poem Shunyatara Paribhasha (ଶୂନ୍ୟତାର ପରିଭାଷା) by Dr. Soumyabrata Panda

ଶୂନ୍ୟତାର ପରିଭାଷା

ଯଦି ଭାବୁଥାନ୍ତି ଆପଣ
ଶୂନ୍ୟତାର ଅର୍ଥ ଯେ ଖାଲି ନୀରବତା
ତେବେ କାଢ଼ିଦିଅନ୍ତୁ ଏ ଭାବନା
ଆପଣଙ୍କ ମନରୁ
କାହିଁକି ନା ହୃଦୟର ଗଭୀରତା ବି
ହେଇପାରେ ଶୂନ୍ୟତାର ପରିଭାଷା…(୧)

ମନର ଅବ୍ୟକ୍ତ ଭାବନାର
ହୃଦୟର ଅଲୋଡ଼ା କାହାଣୀର
ଭାଷା ଯେ ଶୂନ୍ୟତା
କଥା କହିପାରୁନଥିବା
ଜଣେ ଅସହାୟ ମଣିଷର ସାଥି ଏ ଶୂନ୍ୟତା…(୨)

ଜଣେ ବିଫଳ ପ୍ରେମିକର
ପ୍ରେମିକା ଯେ ଶୂନ୍ୟତା
କିଛି ବିଷାଦ କିଛି ସ୍ମୃତିର ନଈ
ଭାବନାର ଅଙ୍କାବଙ୍କା ପଥ
ପୁଣି କେବେ ଭୟର ବାସ୍ତବ ରୂପ ଏ ଶୂନ୍ୟତା…(୩)

ପ୍ରଥମ ଭଲପାଇବାର ଛବି ଏ ଶୂନ୍ୟତା
ଅଶାନ୍ତ ମନର ସଂଜୀବନି
ଶାନ୍ତିର ପ୍ରତିଧ୍ୱନି
ଜୀବନର ପରିପୂର୍ଣ୍ଣତାର ଭାଷା
ନିରାଶାର ବେଳାଭୂମିରେ ଆଶାର ମୋତି
ଆଉ
ଭସା ବାଦଲ ଉହାଡ଼ରେ ଲୁଚକାଳି ଖେଳୁଥିବା
ଅଂଶୁମାନଙ୍କ ଅଂଶୁ ଏ ଶୂନ୍ୟତା…(୪)

– ଡ. ସୌମ୍ୟବ୍ରତ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ସୌମ୍ୟବ୍ରତ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।