You are currently viewing ଭିନ୍ନ ଏକ ପ୍ରେମ କଥା
Odia Poem Bhinna Eka Prema Katha (ଭିନ୍ନ ଏକ ପ୍ରେମ କଥା) by Kartika Chandra Tripathy

ଭିନ୍ନ ଏକ ପ୍ରେମ କଥା

ଆଜି ଅନିମେଶ ବାବୁ ବହୁତ ବ୍ୟସ୍ତ କାରଣ ସାନପୁଅ ସମୀର ବାଙ୍ଗାଲୋରରୁ ଘରକୁ ଫେରିଛି, ତା’ ପାଇଁ ଝିଅ ଦେଖା କାମଟି ସାରିବାକୁ ପଡ଼ିବ କାଲି । ଏଟା ଖାଲି ଗୋଟେ ଅନୁଷ୍ଠାନିକ ଥିଲା, କାରଣ ସମୀର ଓ ଶ୍ୱେତା ଦୁହେଁ ଦୁହିଁଙ୍କୁ ପସନ୍ଦ କରି ସାରିଛନ୍ତି କଲେଜରେ ପଢ଼ିଲା ଦିନରୁ । ତା’ ପରଦିନ ସମସ୍ତେ ଶ୍ୱେତାର ଘରକୁ ବାହାରିଲେ; ସେମାନେ କହିଲେ ଅନିମେଶ, ପତ୍ନୀ ଅଞ୍ଜନା ଦେବୀ, ଆଉ ସମୀର । ସେମାନଙ୍କ ବଡ଼ ପୁଅ ବୋହୂ ତ ଦିଲ୍ଲୀରେ ରୁହନ୍ତି । ତେବେ ସେମାନେ ସକାଳୁ ସକାଳୁ ବାହାରିଗଲେ କାରଣ ୧୫୦ କିଲୋମିଟର ଯାତ୍ରା କରିବାକୁ ହେବ କାର୍‌ରେ । ତେବେ ସମୀର କାର୍ ଚଲାଉଥାଏ ଏବଂ ଧୀମା ସ୍ୱରରେ ଗାଡ଼ିରେ ବାଜୁଥାଏ ଅକ୍ଷୟ ମହାନ୍ତିଙ୍କ ଗୀତ ‘ନଦୀର ନାମ ଅଳସୀ କନ୍ୟା ତୀରର ନାମ ତନ୍ଦ୍ରା, ଗ୍ରାମର ନାମ ସ୍ୱପ୍ନପୁରୀ ପ୍ରିୟାର ନାମ ଚନ୍ଦ୍ରା’ । ସମୀର ଗୋଟେ ଆଧୁନିକ ପିଲା ହେଲେ ବି ତାକୁ ସବୁ ପୁରୁଣା ଗୀତ ଶୁଣିବାକୁ ଭଲ ଲାଗେ । ତେବେ ଅନିମେଶ ବି ଗୀତ ଭିତରେ ପୂରା ପଶିଯାଇଛନ୍ତି । ଅନିମେଶ କହୁଥାନ୍ତି ଯେ ଖୋକା ଭାଇ ଜଣେ ବିରଳ ପ୍ରତିଭା, ସମୀର ମଧ୍ୟ କଥା ଯୋଡ଼ି କହୁଥାଏ ହଁ ବାପା ସେ ପ୍ରତିଟି ଶବ୍ଦରେ ଜୀବନର ଦୃଷ୍ଟି କୋଣକୁ ଅନୁଭବ କରାନ୍ତି ଶ୍ରୋତାଙ୍କୁ । ଅଞ୍ଜନାଙ୍କର କିନ୍ତୁ ଏସବୁ ସଙ୍ଗୀତ ଓ କବିତା ପ୍ରତି ବିଶେଷ ଆକର୍ଷଣ ନାହିଁ । ସେ କହି ଉଠିଲେ, “ଏମିତି ଗୀତ ଶୁଣୁଥିବ ନା ଆମେ ସେଠି କ’ଣ କଥା ହେବା ସେ ବିଷୟରେ ବି ଭାବିବ?” ଅନିମେଶ କହିଲେ, “ଏଥିରେ ଭାବିବାର କ’ଣ ଅଛି ଏମାନେ ଆଜି କାଲିକା ପିଲା ଆଉ ବହୁତ ସ୍ମାର୍ଟ ଓ ଇଣ୍ଟେଲିଜେଣ୍ଟ ତମେ କ’ଣ ଆଉ ସେ ରୋଷେଇ ଜାଣିଛି କି ନାହିଁ ପଚାରିବ ନା କ’ଣ?” ଅଞ୍ଜନା କହିଲେ, “ଆଉ ପଚାରିବିନି? ମୋ ଘରର ବୋହୂ ହେବ ଯେ ସିଏ, ଏସବୁ ଘରକରଣା ଶିଖିବା ଦରକାର ନା ଆଉ ।” ଅନିମେଶ କହିଲେ, “ବୁଝିଲ ତମେ ଆଉ ହବନି, ରୋଷେଇ ଭଳି କାର୍ଯ୍ୟ ପୁଅ ଓ ଝିଅ ସମସ୍ତେ ଶିଖିବା ଦରକାର, ଛାଡ଼ ତମକୁ ବୁଝେଇ ଲାଭ କ’ଣ ! ଆରେ ସମୀର ଆଉ କେତେ ସମୟ ଲାଗିବ କିରେ?” ସମୀର କହିଲା, “ଆଉ ଅଧ ଘଣ୍ଟାଏ ।” ତେବେ ସେମାନେ ପାଖାପାଖି ୧୧ଟା’ରେ ଶ୍ୱେତାର ଘରେ ପହଞ୍ଚିଗଲେ । ଶ୍ୱେତାର ଡାଡି ପରମାନନ୍ଦ ବାବୁ ସେମାନଙ୍କୁ ସ୍ୱାଗତ କରି ପାଛୋଟି ନେଲେ ଘର ଭିତରକୁ, ଘର ତ ସମ୍ଭ୍ରାନ୍ତ ଘର ଭଳି ଲାଗୁଥାଏ ଆଉ ଘରଟି ବହୁତ ସୁନ୍ଦର ସଜା ହେଇଥାଏ । କଥା ହେଉହେଉ ଜାଣିଲେ ଯେ ଶ୍ୱେତାର ଡାଡ଼ି ପରମାନନ୍ଦ ବାବୁ ଜଣେ ରିଟାର୍ଡ଼୍ ଆର୍ମି ଅଫିସର; ଦୁଇ ବର୍ଷ ହେଲା ରିଟାର୍ଡ଼ କଲେଣି । ତାଙ୍କ ପୁଅ ଦେବାଶିଷ ଆମେରିକାରେ ରହେ, ଘରେ କେବଳ ସ୍ୱାମୀ ସ୍ତ୍ରୀ ଦୁହେଁ ରୁହନ୍ତି । ଶ୍ୱେତା ତ ବାଙ୍ଗାଲୋରରେ ରୁହେ ତେଣୁ ଉପର ଦୁଇ ମହଲା ଭଡ଼ା ଲାଗିଛି । ଶ୍ୱେତା ସେମାନଙ୍କ ପାଇଁ ସୁସ୍ୱାଦୁ ଜଳଖିଆ ଆଣିଲା । ଅନିମେଶ ଓ ଅଞ୍ଜନା ପ୍ରଥମଥର ପାଇଁ ଶ୍ୱେତାକୁ ଦେଖିଲେ । ଶ୍ୱେତା ଦେଖିବାକୁ ସୁନ୍ଦର ଏବଂ ବ୍ୟବହାର ବହୁତ ଭଲ; ସେ କିଛି ସମୟ ଭିତରେ ଅଞ୍ଜନା ଓ ଅନିମେଶଙ୍କ ସହ ମିଶିଗଲା । ଶ୍ୱେତା ସମୀରକୁ ଚିଡ଼େଇବାକୁ କହିଲା, “ବୁଝିଲେ ! ସମୀର ଆପଣମାନଙ୍କ ସହ ମୋତେ କଥା କରେଇ ଦେଉ ନଥିଲେ । ବହୁଥର ଆପଣ ଦୁହିଁଙ୍କ ସହ କଥା ହେବାକୁ ଚାହିଁଛି ହେଲେ ଏ କରେଇ ଦିଅନ୍ତିନି ।” ଅଞ୍ଜନା ସମୀରର କାନ ଧରି କହିଲେ, “ଆରେ ଏ ବଦମାସ ! ଏତେ ଅଭିଯୋଗ ତୋ’ ନାଆଁରେ? ତୁ ମୋ ବୋହୂକୁ ମୋ ସହ କଥା କରାଉନଥିଲୁ !” ଏସବୁ ଭିତରେ ଅନିମେଶ ଶ୍ୱେତାକୁ ଦେଖୁଥିଲେ ଆଉ ତା’ ଭିତରେ ଦେଖୁଥିଲେ ଗୋଟେ ପ୍ରଗଳ୍ଭା କିଶୋରୀକୁ, ସତେ ଯେମିତି ସେ କାହାର ମୁହଁଟିକୁ ଛଡ଼େଇ ଆଣିଛି । ବିସ୍ମୃତିର ଚାଦର ତଳେ ଚିର ନିଦ୍ରାରେ ଶୋଇଯାଇଥିବା ସ୍ମୃତି କାହିଁକି କେଜାଣି ଆଜି ଜୀବନ୍ୟାସ ପାଇବାକୁ ଚେଷ୍ଟା କରୁଛି ।

ଅଞ୍ଜନାଙ୍କ ଡାକରେ ପ୍ରକୃସ୍ଥିତ ହୁଅନ୍ତି ଅନିମେଶ । କୁଆଡ଼େ ହଜିଗଲ ଯେ କହି ଅଞ୍ଜନା ଅନିମେଶଙ୍କ ଭାବନାର ସ୍ରୋତକୁ ରୋକି ଦେଲେ । ସମୁଦୁଣୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କଲେ ଅଞ୍ଜନା ଦେବୀ । ଅରୁ ଅରୁ ବୋଲି ଡାକିଲେ ପରମାନନ୍ଦ ବାବୁ । ଅନିମେଶଙ୍କୁ ଦେଖି କିଛି କ୍ଷଣ ଅପଲକ ନୟନରେ ଚାହିଁ ରହିଲେ ଅରୁଣୀମା । ଦୀର୍ଘ ୩୫ ବର୍ଷ ପରେ ଅନିମେଶଙ୍କୁ ଦେଖୁଥିଲେ ଅରୁଣୀମା । ଅନିମେଶ ମଧ୍ୟ ଚିହ୍ନିବାରେ କୌଣସି ଭୁଲ୍ କରିନଥିଲେ ଅରୁଣୀମାଙ୍କୁ । ଅରୁଣୀମା ଥିଲେ ଅନିମେଶଙ୍କ କଲେଜ ଜୀବନର ସବୁଠୁ ଘନିଷ୍ଠ ବାନ୍ଧବୀ, ସେ ତାକୁ ଚିହ୍ନିବେନି କେମିତି? ଅନିମେଶ ଭାବୁଥାନ୍ତି ଶ୍ୱେତା ତା’ହେଲେ ଅରୁଣୀମାର ଝିଅ । ଅରୁଣୀମା ! ପ୍ରଫେସର ଅନିମେଶ ମିଶ୍ର, ପଦାର୍ଥ ବିଜ୍ଞାନର ଥିଓରୀକୁ ଯେତେ ପ୍ରାଞ୍ଜଳ ଭାବେ ବୁଝାଇ ପାରୁଥିଲେ ଅରୁଣୀମା ତାଙ୍କ ବୁଝିବା ସାମର୍ଥ୍ୟର ବାହାରେ ସବୁବେଳେ ରହି ଆସିଛନ୍ତି । କଲେଜ ଜୀବନରେ ତାଙ୍କର କେତେ ଦୁଃଖ ସୁଖ ହସ ଲୁହର ସାକ୍ଷୀ ହେଉଛନ୍ତି ଏଇ ଅରୁଣୀମା । ତା’ ଛଡ଼ା ସେ କେବଳ ତାଙ୍କର ନୁହନ୍ତି ଶ୍ରୀମୟୀର ବି ପ୍ରିୟ ବାନ୍ଧବୀ । ତେବେ ସେଠି ଅରୁଣୀମାଙ୍କ ସହ କଥା ହେବାକୁ ଉଚିତ ମନେ କଲେନି । ପାରମାନନ୍ଦ ବାବୁ ସମସ୍ତଙ୍କୁ ମଧ୍ୟାନ ଭୋଜନ ପାଇଁ ଡାଇନିଂକୁ ଡାକିଲେ, ଅରୁଣୀମା ଅନିମେଶଙ୍କ ମନ ପସନ୍ଦର କ୍ଷୀରି ବନେଇଥାନ୍ତି । ଅନିମେଶଙ୍କୁ ବହୁତ ଦିନ ପରେ ଏମିତି ଅରୁଣୀମାଙ୍କ ହାତ ତିଆରି ଖାଦ୍ୟ ମିଳିଲା । ତେବେ ସମସ୍ତେ ନିଜ ନିଜ ଭିତରେ ହସ ଖୁସିରେ କଥା ହେଲାବେଳେ କେବଳ ଦୁଇଜଣ ଥା’ନ୍ତି ନୀରବ ଓ ନିସ୍ତବ୍ଧ । ଶ୍ୱେତା କହିଲା, “ଓଃ ଓଃ ମାମା ତମେ କୁଆଡ଼େ ହଜିଗଲ ଯେ !” ତେବେ ଅରୁଣୀମା ଭାବନା ରାଜ୍ୟରୁ ଫେରି ଆସିଲେ ।

ତେବେ ସେଦିନ କଥାବାର୍ତ୍ତା ସାରି ସେମାନେ ଫେରି ଆସିଲେ ଘରକୁ । ବାଟସାରା ନିରବରେ ବସିଥାନ୍ତି ଅନିମେଶ । ଶ୍ୱେତାର ଘରକୁ ଯିବାବେଳେ ଯୋଉ ଖୁସି ଥିଲା ଏବେ କିନ୍ତୁ ତାହା କେଉଁ ସ୍ମୃତି ମିଶ୍ରିତ ଭାବନାରେ ରୂପାନ୍ତରିତ ହେଇସାରିଛି । କାର୍‌ରେ ବାଜୁଥିବା ଧୀମା ସ୍ୱରର ସଙ୍ଗୀତ ବି ଆଜି ତାଙ୍କ କାନରେ ପଡ଼ୁନି; ସେ ଫେରି ଯାଉଥିଲେ ୩୫ ବର୍ଷ ତଳର ଅତୀତକୁ ଯେଉଁଠି ଥିଲେ ଅନିମେଶ, ଶ୍ରୀମୟୀ ଆଉ ଅରୁଣୀମା, ଆଉ କଲେଜ ଜୀବନର ଚପଳତା ଏସବୁ ତାଙ୍କର ସତ୍ତାକୁ ଆବୋରି ବସିଥାଏ । ସେପଟେ ଅରୁଣୀମା ମଧ୍ୟ ଫେରୁଥାନ୍ତି ଅତୀତକୁ ।

ତେବେ ଘଟଣାଟି ଥିଲା ଏହିପରି, ଅନିମେଶ, ଅରୁଣୀମା ଓ ଶ୍ରୀମୟୀ ଥିଲେ ଗ୍ରାଜୁଏସନ ସମୟର ସହପାଠୀ । ଅନିମେଶ ଥିଲେ ଜଣେ ମେଧାବୀ, ପ୍ରତିଭାବାନ ଛାତ୍ର ତା’ ସହ ଅତ୍ୟନ୍ତ ଭଦ୍ର ଓ ନମ୍ର ବି ଆଉ ବହୁତ ପରୋପକାରୀ । ଏସବୁ ଦେଖି ଅରୁଣୀମା ଅନିମେଶଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି । ଏମିତି କିଛି ଦିନ ବିତିଯାଏ ହେଲେ ଅରୁଣୀମା ଅନିମେଶଙ୍କୁ କିଛି କହିପାରି ନାହାନ୍ତି, ତେବେ ସେ ଅନିମେଶଙ୍କ ଭଲ ବାନ୍ଧବୀ ଥିଲେ । ଏହି ସମୟରେ ଅନିମେଶ ଶ୍ରୀମୟୀଙ୍କ ପ୍ରେମରେ ପଡ଼ନ୍ତି, ଦୁହେଁ ଦୁହିଁଙ୍କୁ ମନ ଦେଇ ବସନ୍ତି । ଶ୍ରୀମୟୀ ଥିଲା ଅରୁଣୀମାଙ୍କ ଅତି ପ୍ରିୟତମ ବାନ୍ଧବୀ, ଅରୁଣୀମା ନିଜ ମନ କଥାକୁ ନିଜ ଭିତରେ ସମାଧି ଦେଇଦେଲେ ଆଉ କେବେ ବି ପ୍ରକାଶ କରିବାକୁ ଚାହିଁନାହାନ୍ତି । ସେ ଶ୍ରୀମୟୀ ଓ ଅନିମେଶଙ୍କ ଖୁସିରେ ଖୁସି ହୁଅନ୍ତି ଓ ତାଙ୍କ ଦୁଃଖରେ ଦୁଖୀ । ଶ୍ରୀମୟୀ ଓ ଅନିମେଶଙ୍କ ଭିତରେ ହେଉଥିବା ମତାନ୍ତର ମନାନ୍ତରକୁ ଅରୁଣୀମା ସମାଧାନ କରିଦିଅନ୍ତି । କଲେଜରେ ଅଧିକାଂଶ ସମୟରେ ସେ ତିନି ଜଣଙ୍କୁ ସାଙ୍ଗରେ ଦେଖିବାକୁ ମିଳେ । ଅନିମେଶ ଅରୁଣୀମାଙ୍କ ପାଖେ ନିଜକୁ ବହୁତ ସହଜ ମନେ କରନ୍ତି ଓ ସବୁ ସୁଖ ଦୁଃଖ ବାଣ୍ଟନ୍ତି । ଶ୍ରୀମୟୀ ଓ ଅନିମେଶଙ୍କ ମଧ୍ୟରେ ବହୁତ ଭଲପାଇବା ଥାଏ, ଦୁହେଁଦୁହିଁଙ୍କୁ ଦିନେ ନଦେଖିଲେ ରହିପାରୁ ନଥିଲେ । ଶ୍ରୀମୟୀଙ୍କୁ ଦିନେ ନଦେଖିଲେ ଅନିମେଶଙ୍କୁ ଗୋଟେ ଯୁଗ ପରି ଲାଗେ । ଶ୍ରୀମୟୀ ଓ ଅରୁଣୀମା ପିଲା ଦିନର ସାଙ୍ଗ, ଗ୍ରାଜୁଏସନ ପରେ ଅରୁଣୀମା ଓ ଅନିମେଶ ଗୋଟିଏ ଇଉନିଭର୍ସିଟିରେ ପିଜି କଲେ କିନ୍ତୁ ଶ୍ରୀମୟୀ ଦିଲ୍ଲୀ ଚାଲିଗଲା ।

ଅରୁଣୀମାଠାରୁ ଶ୍ରୀମୟୀଙ୍କ ସବୁ ଖବର ରଖୁଥାନ୍ତି ଅନିମେଶ, କିନ୍ତୁ ଅରୁଣୀମା ଏ ଦୁହିଁଙ୍କୁ ଖୁସିରେ ଦେଖି ନିଜେ ଖୁସି ହେଉଥାନ୍ତି । ଅନିମେଶଙ୍କୁ ସବୁବେଳେ ନିଜ ପାଖରେ ପାଇ ମଧ୍ୟ କେବେ ବି ନିଜ ମନ କଥା କହିବାକୁ ଚିନ୍ତା କରିନାହାନ୍ତି ତାହା ଶ୍ରୀମୟୀ ପ୍ରତି ଅନ୍ୟାୟ ହେବ ଭାବି । ଅନିମେଶଙ୍କ କଥା ଭାବି ସେ କେତେ ରାତି ଯେ ନିଦ୍ରାହୀନ ହେଇ କାଟିଛନ୍ତି ସେ ହିଁ ଜାଣନ୍ତି । ଅନିମେଶଙ୍କ ଟିକିଏ ବି ଦେହ ଖରାପ ହେଲେ ସେ ତାଙ୍କର ମାଆ, ବୁଢ଼ୀମା’, ଭଉଣୀ ସବୁ ପାଲଟି ଯାଆନ୍ତି । ସେପଟେ ଶ୍ରୀମୟୀଙ୍କ ବିବାହ ପାଇଁ ଅନେକଗୁଡ଼ିଏ ପ୍ରସ୍ତାବ ଆସୁଥାଏ; ଶ୍ରୀମୟୀ ଅନିମେଶଙ୍କୁ ବାଧ୍ୟ କରୁଥାନ୍ତି ଯେ ତାଙ୍କ ଘରକୁ ପ୍ରସ୍ତାବ ନେଇକି ଯିବାକୁ । କିନ୍ତୁ ଅନିମେଶ ତ ସେତେବେଳେ ପିଜି ଶେଷ ବର୍ଷର ଛାତ୍ର ଏବଂ ଆତ୍ମ ନିର୍ଭରଶୀଳ ହେଇନାହାନ୍ତି, କେମିତି ଯାଇ ଶ୍ରୀମୟୀଙ୍କ ହାତ ମାଗି ପାରିବେ ! ଏମିତି ପାରିବାରିକ ଚାପରେ ଶ୍ରୀମୟୀଙ୍କ ନିର୍ବନ୍ଧ ବି ହେଇଗଲା ଅନ୍ୟ କାହାସହ ।

ଅନିମେଶ ଅରୁଣୀମାଙ୍କ ପାପୁଲିରେ କେତେ ଯେ ଲୁହ ଢାଳିଛନ୍ତି ତାହା ସେ ହିଁ ଜାଣନ୍ତି । ଅରୁଣୀମା ଶ୍ରୀମୟୀଙ୍କୁ ଓ ତାଙ୍କ ଘରେ ବୁଝେଇ ବୁଝେଇ ଥକିଗଲେ ବି କୌଣସି ସୁଫଳ ମିଳିଲାନି । ଅନିମେଶଙ୍କ ଭଳି ଜଣେ ମେଧାବୀ ଛାତ୍ରର ଭବିଷ୍ୟତ ଯେ ଏଥିପାଇଁ ନଷ୍ଟ ନ ହେଉ ସେ କଥା ଚିନ୍ତା କରି ତାଙ୍କର ଭାଙ୍ଗିଯାଇଥିବା ହୃଦୟକୁ ଯୋଡ଼ିବାକୁ ବହୁ ଚେଷ୍ଟା କରିଥିଲେ । ଏମିତିରେ ପିଜି ଶେଷ ହେଇଗଲା । କଲେଜରେ ଶେଷ ଦିନରେ ନିଜ ଲୁହକୁ ଅଟକାଇ ପାରି ନଥିଲେ ଅରୁଣୀମା । ଅନିମେଶଙ୍କ ଛାତି ଉପରେ ନିଜର ସବୁ ଲୁହ ଅଜାଡ଼ି ଦେଉଥିଲେ । କଲେଜ ସରିବାପରେ ଶ୍ରୀମୟୀର ତ କିଛି ଖବର ଆସିନି କିନ୍ତୁ କିଛିଦିନ ପର୍ଯ୍ୟନ୍ତ ଅରୁଣୀମାଙ୍କ ଚିଠି ଆସୁଥିଲା । କାଳକ୍ରମେ ତାହା ବି କେବେ ବନ୍ଦ ହେଇଗଲା ସେକଥା ଅନିମେଶ ବି ମନେ ପକେଇ ପାରୁନଥାନ୍ତି । ସେ ପ୍ରକୃସ୍ଥିତ ହେଲେ ଯେତେବେଳେ ଗାଡ଼ି ଘର ଗେଟ ପାଖେ ପହଞ୍ଚିଲା ।

ଏମିତି କିଛିଦିନ ପରେ ସେ ଅରୁଣୀମାଙ୍କୁ ଭେଟିବାକୁ ଚାହିଁଲେ । ଶ୍ୱେତାଠାରୁ ଅରୁଣୀମାଙ୍କ ନମ୍ବର ଆଣି ତାଙ୍କୁ ଫୋନ କରି କହିଲେ ଯେ ସେ ଭେଟିବାକୁ ଚାହାଁନ୍ତି ବୋଲି; ଅରୁଣୀମା ମଧ୍ୟ ସମ୍ମତି ପ୍ରଦାନ କଲେ । ଅରୁଣୀମା ରହୁଥିବା ସହରରେ ଗୋଟେ ପାର୍କରେ ଦେଖା ହେବା ସ୍ଥିର ହେଲା । ଜଣେ ବନ୍ଧୁଙ୍କ ଘରକୁ ଯାଉଛନ୍ତି କହି ଅନିମେଶ ଆସି ପହଞ୍ଚିଲେ ସେଠି । ଅପେକ୍ଷା କରିଥିଲେ ଅରୁଣୀମା । ଅରୁଣୀମା କହିଲେ, “ଅନିମେଶ ତମେ ଜମା ବି ବଦଳିନ, ତମ ସହ ଏ ଜନ୍ମରେ ଦେଖା ହେବ ବୋଲି କେବେ ଭାବିନଥିଲି ।” ଅନିମେଶ ବି ଅତୀତର ପୃଷ୍ଠା ଓଲଟାଉଥାନ୍ତି । ଭାବୁଥିଲେ ପଚାରି ଦେବେ କି ଶ୍ରୀମୟୀର କଥା ! କିନ୍ତ ତାଙ୍କର ବୟସ ସେକଥା ପଚାରିବାକୁ ସଙ୍କୋଚ କରୁଥିଲା । ବୟସର ଅପରାହ୍ନରେ ପୁଣି ପ୍ରେୟସୀର କଥା । କିନ୍ତୁ ଅରୁଣୀମା ତାଙ୍କ ଆଡ଼ୁ କହିଲେ, “ଆଉ ଶ୍ରୀମୟୀ କଥା ପଚାରିବନି ଅନିମେଶ? ସେଇ ଶ୍ରୀମୟୀ ଯିଏ ତୁମକୁ ଏତେ ଭଲ ପାଉଥିଲା ।”

ଅନିମେଶ ହଠାତ କହିଦେଲେ, “କେବଳ ଶ୍ରୀମୟୀ ନୁହେଁ ଅରୁଣୀମା ବି ମୋତେ ବହୁତ ଭଲ ପାଉଥିଲେ । କ’ଣ ପାଇଁ ତୁମେ ଏକଥା ଲୁଚେଇଥିଲ ଅରୁଣୀମା?” ତମେ ବି କ’ଣ କେବେ ପଚାରିଛ ଯେ କହି ଉଠିଲେ ଅରୁଣୀମା । ଛାଡ଼ ଅନିମେଶ ଏବେ ତ ତାହା ଇତିହାସ । “ଆଉ ଶ୍ରୀମୟୀ?” ପଚାରିଲେ ଅନିମେଶ । ଅରୁଣୀମା କହିଲେ, “ଅନିମେଶ, ଯେଉଁ ଶ୍ୱେତା ତୁମ ଘରର ବୋହୂ ହେବାକୁ ଯାଉଛି, ସିଏ ଶ୍ରୀମୟୀର ଝିଅ ।” ଅନିମେଶ କହିଲେ, “ତୁମେ ଏ କ’ଣ କହୁଛ?” ଅରୁଣୀମା କହିଲେ, “ଶ୍ରୀମୟୀର ବିବାହ ଆର୍ମି ଅଫିସର ପରମାନନ୍ଦଙ୍କ ସହ ହେଇଥିଲା । ଶ୍ୱେତାକୁ ଯେତେବେଳେ ଦୁଇ ବର୍ଷ, ସେତେବେଳେ ଶ୍ରୀମୟୀ ବ୍ଲଡ୍ କ୍ୟାନ୍ସରରେ ପୀଡ଼ିତ ଥିଲା । ଶ୍ୱେତା ଓ ତା’ ବଡ଼ଭାଇ ବହୁତ ଛୋଟ ଥିଲେ । ଦିନେ ହଠାତ୍ ମୋତେ ଶ୍ରୀମୟୀର ଖବର ଆସିଲା; ହସ୍ପିଟାଲରେ ଥିଲା ସେ । ମୁଁ ତା’ ପାଖକୁ ଗଲି, ସେ ଆସନ୍ନ ମୃତ୍ୟୁକୁ ଜାଣି ସାରିଥିଲା । ସେ ତୁମକୁ ବି ଦେଖିବାକୁ ବହୁତ ଚାହିଁଥିଲା କିନ୍ତୁ ତୁମ ଖବର କାହା ପାଖେ ନଥିଲା ସେତେବେଳେ । ସେ ମୋତେ ଶ୍ୱେତା ଓ ଦେବାଶିଷର ମାଆ ହେବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିଲା ଓ ପରମାନନ୍ଦଙ୍କୁ ବିବାହ କରିବାକୁ ବି । ଯାହାର ଖୁସି ପାଇଁ ମୁଁ ଏତେ ତ୍ୟାଗ କରିଛି, ତାକୁ ମୃତ୍ୟ ଶଯ୍ୟାରେ ଦେଇଥିବା କଥା ମୁଁ କେମିତି ନରଖିବି ! ସେଥିପାଇଁ ମୁଁ କେବେ ମା’ ହେବାକୁ ଇଚ୍ଛା କରିନି କିନ୍ତୁ ଦେବାଶିଷ ଓ ଶ୍ୱେତାର ମାଆ ହେଇ ରହିଛି ।” ଅନିମେଶ ସ୍ଥାଣୁ ହୋଇ ଏସବୁ ଶୁଣୁଥିଲେ; କେତେବେଳେ ଲୁହରେ ତାଙ୍କର ଗାଲ ଭିଜିଯାଇଛି ସେ ବି ଜାଣି ନଥିଲେ ।

– ଅରୁଣୀମା ତମେ ମଣିଷ ନା ଦେବୀ?
– ନାଁ ଅରୁଣୀମା ନୁହେଁ ସମୁଦୁଣୀ କୁହ, ମୋ ଝିଅ ତୁମ ଘର ବୋହୂ ହେବ ଯେ ।

ଏବେ ସେ ଦୁହେଁ ହସୁଥିଲେ ।

(ଏ କାହାଣୀ ତ ଅରୁଣୀମା, ଅନିମେଶ ଆଉ ଶ୍ରୀମୟୀଙ୍କର, ଆଉ ଆପଣଙ୍କ ଜୀବନରେ ବି କ’ଣ ସେମିତି କିଛି କାହାଣୀ ଅଛି?)

– କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।