You are currently viewing ବାସ ! ସବୁ ଶେଷ…
Odia Poem Bas Sabu Sesh (ବାସ ! ସବୁ ଶେଷ...) by Sudhanshu Shekhar Dwibedy

ବାସ ! ସବୁ ଶେଷ…

ବାସନ୍ତୀର କାନ୍ଦଣା ଓ ଚିତ୍କାର ଶବ୍ଦ ହୃଦୟକୁ ଆଘାତ କରୁଥାଏ । ବଦ୍ରି ତାକୁ ଆଜି ବହୁତ ପିଟିଛି । ଆଶ୍ରାବ୍ୟ ଭାଷାରେ କେତେ କ’ଣ କହିଛି । ଏପର୍ଯ୍ୟନ୍ତ ବି ସେ ଗାଳି ଦେଉଥିବା ଶବ୍ଦ ଶୁଭୁଛି । “ଶାଳି ବୁଢ଼ୀ ମରୁନାହିଁ କି ମୋତେ ଟଙ୍କା ପଇସା ଦେଉନାହିଁ । ମରିଗଲେ ଯେମିତି ସବୁ ବୋହି ନେଇଯିବ? ଗୋଟେ ବୋଲି ପୁଅ ମୁଁ, କେମିତିକା ମା’ ବେ ତୁ?”

ବାସନ୍ତୀ ବି ପ୍ରତିବାଦ କରି କହୁଥାଏ, “ଆଉ ତୁ କେମିତିକା ରାକ୍ଷସ ପୁଅ ମୋର? ନିଜ ମା’କୁ ପିଟୁଛୁ ! ତୋତେ ମରଣ ହେଉନି? କି କାଳ ବେଳାରେ ତୁ ଜନ୍ମିଥିଲୁ ଯେ ଯଦି ମୁଁ ଜଣିଥାନ୍ତି ଏଭଳି ଦିନ ଦେଖିବାକୁ ହେବ ତା’ହେଲେ ତୋ ଗଳା ଚିପି ସେଇ ଏନ୍ତୁଡ଼ି ଶାଳରେ ମାରି ଦେଇଥାନ୍ତି । ମାର.. ଯେତେପାରୁଛୁ ମାର, ହେଲେ ତୋତେ ଆଉ ଟଙ୍କାଟିଏ ବି ଦେବିନି । ତାସ୍ ଖେଳ, ଜୁଆ ଖେଳ ଆଉ ମଦ ପିଆରେ ଉଡ଼େଇବା ପାଇଁ ରୋଜଗାର କରିଥିବା ଟଙ୍କା ତୋତେ କାହିଁକି ଦେବି?”

ଏବେ ପ୍ରତିଦିନର କଥା ହୋଇଗଲାଣି, ବଦ୍ରି ତା’ ମାଆ ବାସନ୍ତିକୁ ପିଟାମରା କରି ଟଙ୍କା ନେଇ ବାଜେ ଖର୍ଚ୍ଚ କରିବ । ଲୋକଙ୍କ ଘରେ ବାସନ ମାଜି, ଘର ଓଳେଇ ବାସନ୍ତୀ ଯାହା ରୋଜଗାର କରେ ଦୁହିଁଙ୍କର ପେଟ ଭୋକିଲା ରହେନାହିଁ । ସରଳ, ସୁବୋଧ ପୁଅଟା ଉପରେ କାହା ନଜର ଲାଗିଗଲା ଯେ ଅଧା ପାଠୁଆ ହୋଇ ସ୍କୁଲ ଛାଡ଼ିଦେଲା । କୁସଙ୍ଗରେ ପଡ଼ି ଦିନ ଦିନ ଏଠି ସେଠି ବୁଲିଲା । ଗାଁ ଛକରେ ବସି ତାସ୍ ଖେଳିଲା । ବିଡ଼ି, ଗଞ୍ଜେଇ, ମଦ ଅଭ୍ୟାସ କଲା । ଯେପର୍ଯ୍ୟନ୍ତ ବାସନ୍ତୀର ମରଦ ବଞ୍ଚିଥିଲା ସୁଖ ଦୁଃଖରେ ସବୁ ବିତି ଯାଉଥିଲା । ସେ ଆରପୁରକୁ ଯିବାପରେ ସବୁ ଓଲଟ ପାଲଟ ହୋଇଗଲା । ସ୍ୱାମୀ ଯିବାପରେ ତାଙ୍କ ଭାଇମାନେ ଭଗାରୀ ହୋଇଗଲେ । ଚକ୍ରାନ୍ତ କରି ଲେଖପାଳକୁ (ଜମିର ପଟା ଲେଖୁଥିବା ମୋହରିର) ହାତ କରି ସବୁ ଜମି ନିଜ ନାଁରେ କରିନେଲେ । ବିଚାରି ଏକାକୀ ବିଧବା ପାଖରେ ଛୋଟିଆ ପୁଅ କ’ଣ ଆଉ କରି ପାରିଥାନ୍ତା? ଭାଇ ଭଗାରିଙ୍କ ସହିତ ଲଢ଼େଇ କରିବା ପାଇଁ ତା’ର ଆଉ ସାହାସ ହେଲାନାହିଁ । ଭାଗ୍ୟକୁ ଆଦରି ଦୁଃଖକୁ ସାମ୍ନା କରିବାକୁ ଅଣ୍ଟାରେ ଲୁଗାକାନି ଗୁଡ଼େଇଲା । ଲୋକଙ୍କ ଘରେ ବାସି କାମ କଲା । ଲୋକଙ୍କ କ୍ଷେତରେ ଚାଷ କାମ କଲା । ସେସବୁ କରି ଯାହା ପାଏ ଘର ଚଳିବା ପାଇଁ ରଖି ଅବଶିଷ୍ଟ ବ୍ୟାଙ୍କରେ ରଖିଦିଏ । ହେଲେ ବଦ୍ରି ଏମିତି ବିଗିଡ଼ିଗଲା ଯେ ଯେବେ ତା’ର ଇଚ୍ଛା ହୁଏ ମାଆଠାରୁ ଟଙ୍କା ମାଗି ନେଇ ନିଶାପରେ ଉଡ଼େଇଲା ।
ପ୍ରଥମେ ପ୍ରଥମେ ବଦ୍ରିର ଖରାପ ଅଭ୍ୟାସ ବିଷୟରେ କିଛି ନଜାଣି ଯେତେବେଳେ ସେ ଟଙ୍କା ମାଗେ ବାସନ୍ତୀ ଦେଇ ଦଉଥିଲା । ଦିନେ ଯେବେ ସେ ଜାଣିଲା ବଦ୍ରି ତା’ଠାରୁ ଟଙ୍କା ନେଇ ନିଶାପାଣି କରୁଛି, ତା’ପରଠୁ ଆଉ ଦେଲାନାହିଁ । ସେହିଦିନଠାରୁ ଦୁହିଁଙ୍କ ଭିତରେ ଗୋଟେ ନିୟମ ହୋଇଯାଇଛି ନା ବଦ୍ରି ଟଙ୍କା ମାଗିବା ଛାଡ଼ୁଛି ନା ବାସନ୍ତୀ ଟଙ୍କା ଦେଉଛି ! ମାଡ଼, ଗାଳି ଓ କାନ୍ଦ ଶୁଣି ଶୁଣି ପାଖ ପଡ଼ୋଶୀ ବି ଅଭ୍ୟସ୍ତ ହୋଇଗଲେଣି । ପ୍ରତ୍ୟେକ ଅସୁବିଧାରୁ ସୁବିଧା ହେବାପାଇଁ ସମସ୍ତେ ଉପାୟ ଖୋଜନ୍ତି, ହେଲେ କାହାରି ଉପାୟ କି ଅନୁରୋଧ ମାଆପୁଅଙ୍କ କାମରେ ଆସେନି । ଶେଷରେ ତାଙ୍କରି ଉପରେ ତାଙ୍କ ଅସୁବିଧାକୁ ଛାଡ଼ି ସମସ୍ତେ ଚୁପ୍ ହୋଇଯା’ନ୍ତି ।

ତା’ ପରଦିନ ବାସନ୍ତୀ ହାତରେ ଏକ ବ୍ୟାଗ୍ ଧରି ବ୍ୟାଙ୍କରେ ପହଞ୍ଚିଗଲା । କିଛି ସମୟ ଭିତରେ ବ୍ୟାଗ ଭର୍ତ୍ତି ନୋଟ ଧରି ଘରକୁ ଫେରିଲା । ଘର ପଛପଟ ବାଡ଼ିର ଗୋଟେ ସ୍ଥାନରେ କାଠ କୁଟା ଏକତ୍ର କରି ନିଆଁ ଲଗେଇଲା । ଟଙ୍କା ବଣ୍ଡଲରେ ଭର୍ତ୍ତିଥିବା ବ୍ୟାଗକୁ ନେଇ ସେଇଠାରେ ରଖିଲା । ପରେ ପରେ ସେଠି ବସି ଗୋଟେ ପରେ ଗୋଟେ ଟଙ୍କା ବଣ୍ଡଲକୁ ଜଳନ୍ତା ନିଆଁକୁ ଫିଙ୍ଗିଲା । କାଠ, କୁଟା ଓ କାଗଜ ଟଙ୍କାର ଧୂଆଁରେ ଆଖ ପାଖ ଅନ୍ଧାରିଆ ଦେଖା ଯାଉଥାଏ । ସେଇ ଅନ୍ଧାର ଭିତରେ ବଦ୍ରି ଖଣ୍ଡେ ଦୂରରେ ଠିଆହୋଇ ଆଶ୍ଚର୍ଯ୍ୟ ମିଶ୍ରିତ ଅପ୍ରସନ୍ନ ମୁଦ୍ରାରେ, ଅବିଶ୍ୱାସ ଭରା ଆଖିରେ ଜଳୁଥିବା ଟଙ୍କା ବଣ୍ଡଲର ନିଆଁକୁ ଦେଖୁଥାଏ ।

ବାସନ୍ତୀ କୋହକୁ ଚାପି ଲୁହକୁ ପିଇ କେବଳ ଏତିକି କହୁଥାଏ, “ଏଥର ଦେଖିବି କିଏ ମୋ ସହ କଳି ଝଗଡ଼ା କରିବ ନା କିଏ ମୋତେ ପିଟିବ? ସବୁ ସାରିଦେଇଛି ଯାହା ଗଚ୍ଛିତ ଥିଲା ସବୁ ପୋଡ଼ି ଜାଳି ପାଉଁଶ କରି ଦେଇଛି । ବାସ ! ସବୁ ଶେଷ… ।

– ସୁଧାଂଶୁ ଶେଖର ଦ୍ୱିବେଦୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।