ପଞ୍ଜୁରୀ ଭିତରେ ପ୍ରେମ
ପଞ୍ଜୁରୀ ଭିତରେ ପ୍ରେମ

ପଞ୍ଜୁରୀ ଭିତରେ ପ୍ରେମ

ଜୀବନ ଚକ୍ରର ଛନ୍ଦି ହୋଇ ରହିଥିବା ପଥରେ ଏମିତିବି କିଛିକ୍ଷଣ ଆସେ ଯେଉଁଠି ନିଜ ମନର କଥା ସବୁଦିନ ପାଇଁ ନିବୁଜ କୋଠରୀ ମଧ୍ୟରେ ସମାପ୍ତ ହୋଇଯାଏ ଓ ଏହି ଶିକାରୀର ଫାସରେ ପଡ଼ିଯାଇଥାଏ ସେହିମାନଙ୍କ ପ୍ରେମକାହାଣୀ ଯେଉଁମାନଙ୍କ ହୃଦୟ ମୁକ୍ତ ନିର୍ମଳ ଆକାଶ ପରି ।

ନିର୍ମଳ ଆକାଶ ମଧ୍ୟରେ ସୂର୍ଯ୍ୟ ଦେବତା ଲୁଚିଯାଇଥାନ୍ତି ଭାସି ବୁଲୁଥିବା ମେଘମାଳ ଭିତରେ । ଖରା ଓ ଛାଇ ମଧ୍ୟରେ ସମୟ ଚକ୍ର ଘୂରିଚାଲିଥାଏ । ବିଦ୍ୟାଳୟର ଶେଷ ଘଣ୍ଟା ବାଜିବା ପାଇଁ ଆଉ କିଛି ମୁହୂର୍ତ୍ତ ଥାଏ । ସମସ୍ତ ଛାତ୍ରଛାତ୍ରୀ ଖେଳକୁଦରେ ବ୍ୟସ୍ତ ରହିଥାନ୍ତି । କିଏ ଶ୍ରେଣୀଗୃହ ସାମ୍ନାରେ ଛିଡ଼ାହୋଇଥାନ୍ତି ଆଉ କିଏ ଫୁଲ ବଗିଚାର ଭ୍ରମଣରେ ମଗ୍ନ ରହିଥାନ୍ତି । ପିଲାମାନଙ୍କର ଏହି ଉଲ୍ଲାସର ଶବ୍ଦ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ହୃଦୟକୁ ବହୁତ ଆନନ୍ଦ ଦେଉଥାଏ । ଇତି ମଧ୍ୟରେ ଅଶ୍ଵିନ ବିଦ୍ୟାଳୟର ପଡ଼ିଆରେ ଏକ ସ୍ଥାନରେ ନିସ୍ତବ୍ଧ ହୋଇ ବସିଥାଏ । ମୁହଁରେ ହସ ନଥିଲେ ମଧ୍ୟ ତାହାର ନଜର ରହିଥାଏ ଶ୍ରେଣୀଗୃହର ସାମ୍ନାରେ ଛିଡ଼ାହୋଇ ରହିଥିବା ଅନିତା ଉପରେ । ଅନିତା ହେଉଛି ଅଶ୍ଵିନର ସହପାଠୀନି । ପାଠପଢ଼ାରେ ଯେପରି ଅଗ୍ରଣୀ ରହିଥାଏ ସେହିପରି ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ପାରଙ୍ଗମ ଓ ରୂପରେ ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା । ଏତଦ୍‌ବ୍ୟତୀତ ଅଶ୍ଵିନ ମଧ୍ୟ ପଢ଼ାପଢ଼ିରେ ଉତ୍ତମ ଥିଲା ମାତ୍ର ସେ ଅନିତାକୁ ଉତ୍ତମ ବନ୍ଧୁ ବ୍ୟତୀତ ନିଜ ହୃଦୟରେ ସ୍ଥାନ ଦେଇଥାଏ । ଏହି ଅତ୍ୟାଧୁନିକ ଅଗ୍ରଗତି ସମାଜ ମଧ୍ୟରେ ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ପ୍ରେମ ଅଢ଼େଇ ଅକ୍ଷର ଲେଖିବା ଆରମ୍ଭ କରିଦେଇଥାନ୍ତି । ନିଜ ଭଲପାଇବାକୁ ପ୍ରକାଶ କରିବା ପୂର୍ବରୁ ଅନିତା ବିଷୟରେ ଅତ୍ୟଧିକ ଜାଣିବାକୁ ଚେଷ୍ଟା କରି ଅଶ୍ଵିନ ଜାଣିବାକୁ ପାଏକି ଅନିତା ଉଚ୍ଚଘରର ଓ ଦୁଇ ଭାଇଙ୍କ ଗୋଟିଏ ଭଉଣୀ । ପିତାମାତା ଓ ଦୁଇଭାଇଙ୍କର ଭଲପାଇବାରେ ବଢ଼ିଆସୁଥିବା ଏକ ମୁକ୍ତ ଆକାଶର ବିହଙ୍ଗ । ପଡ଼ିଆରେ ବସି ମନରେ ଅନିତା ବିଷୟରେ ଅନେକ କଥା ଉଙ୍କି ମାରୁଥିବା ମଧ୍ୟରେ ବିଦ୍ୟାଳୟରେ ଶେଷ ଘଣ୍ଟା ବାଜିଗଲା । ନିଜ ଭାବନା ମଧ୍ୟରୁ ବାହାରି ଆସିବା ପରେ ସବୁଦିନ ପରି ଶେଷ ସମୟରେ ଅନିତାକୁ ଦେଖିବା ପାଇଁ ଶ୍ରେଣୀଗୃହ ଆଡ଼କୁ ଦୌଡ଼ିଯାଏ ଓ ଅନିତାକୁ ଦେଖି ନିଜ ମନର ଖୁସିକୁ ଦ୍ୱିଗୁଣିତ କରିଦିଏ । ଅଧିକାଂଶ ସମୟରେ ଅଶ୍ଵିନର ଏହାଥିଲା ନିତ୍ୟକର୍ମ ପରି ବିଦ୍ୟାଳୟର କର୍ମ ।

ଅଶ୍ଵିନ ଗରିବ ନଥିଲେ ମଧ୍ୟ ଅଧିକ ଉଚ୍ଚସ୍ତରୀୟ ପରିବାରରୁ ନଥିଲା । ତା’ର ପିତା ଏକ ଛୋଟ ପଦବୀରେ କାର୍ଯ୍ୟରତ ଥିଲେ । ତା’ ମାଆ ଥିଲେ ଘରଣୀ । ପିତାଙ୍କର ସ୍ୱଳ୍ପ ଆୟରେ ପରିବାର ବହୁତ ଖୁସିରେ ଚାଲିଯାଏ । କିନ୍ତୁ ଉଚ୍ଚମନା ଅଶ୍ଵିନ ପିତାଙ୍କ ଚିନ୍ତାକୁ ଦୂରୀଭୂତ କରିବାପାଇଁ ଚିନ୍ତା କରୁଥାଏ । ଘରର ଜ୍ୟେଷ୍ଠ ସନ୍ତାନ ହୋଇଥିବାରୁ ତା’ ସମ୍ମୁଖରେ ଥାଏ ଅନେକ ବାଧାବିଘ୍ନ ।

ବିଦ୍ୟାଳୟ ସରିବାକୁ ଥାଏ ଆଉ କିଛିଦିନ । ସବୁଦିନ ପରି ଘରକୁ ଆସିବା ପରେ ଆଜି ମଧ୍ୟ ତା’ର ନଜର ପଡ଼ିଯାଏ ପଡ଼ିଶା ଘର ପଞ୍ଜୁରୀ ଭିତରେ ଥିବା ସାରୀ ଉପରେ । ସେ ଦେଖିବାକୁ ପାଏ କି ସାରୀଟି ବିଷର୍ଣ୍ଣ ମନରେ ବସି ଲକ୍ଷ କରୁଥାଏ ବାହାରର ମୁକ୍ତ ଆକାଶରେ ଉଡ଼ିବୁଲୁଥିବା ଏକ ଶୁଆଟିଏ ଉପରେ । ପିଲାବେଳେ ବୁଢ଼ୀମା ପାଖରେ ବସି ଶୁଣିଥିବା ସେ ଶୁଆସାରୀର ପ୍ରେମକାହାଣୀକୁ ଭାବି ଅଶ୍ଵିନ ମନରେ ଉଙ୍କି ମାରିଉଠେ, ଏହି ସାରୀ ବୋଧହୁଏ ଶୁଆକୁ ଭଲପାଉଛି ଓ ତା’ର ମାଲିକର ପିଞ୍ଜରା ବୋଧହୁଏ ତାହାକୁ ନିଜ ଭଲ ପାଇବାର ବିରୋଧ କରୁଛି । ଏହାପରେ ହଠାତ ମାତାଙ୍କ ଡାକରେ ଅଶ୍ଵିନ ସେହିଠାରୁ ଚାଲିଯାଇଥିଲା ଓ ନିଜ କର୍ମରେ ବ୍ୟସ୍ତ ହୋଇଯାଇଥିଲା । ତା’ ପରଦିନ ବିଦ୍ୟାଳୟରେ ଅନିତାକୁ ଦେଖିବାପରେ ତା’ର ମାନସପଟରେ ଭାସି ଆସିଥିଲା ସେହି ଶୁଆ ଓ ସାରୀ କଥା । ଭାବିବାକୁ ଲାଗିଲା, ବୋଧହୁଏ ତା’ର ପ୍ରେମକାହାଣୀ ଠିକ ଶୁଆସାରୀ ପରି ଯିଏକି କେବେବି ଏକାସାଙ୍ଗରେ ମୁକ୍ତ ଆକାଶରେ ଉଡ଼ିପାରିବେ ନାହିଁ । ବୋଧହୁଏ ତା’ର ଏହି ଭଲପାଇବା ବିଦ୍ୟାଳୟ ଶେଷ ହେବା ପର୍ଯ୍ୟନ୍ତ । ମନରେ ଥିବା ସେହି ଅକୁହା କଥାକୁ ସବୁଦିନ ପାଇଁ ନିଜ ହୃଦୟରେ ସମାଧି ଦେଇସାରିବା ପରେ ଅନିତା ସହ ଉତ୍ତମ ବନ୍ଧୁତା ରଖି ନିଜ କର୍ମରେ ଅଗ୍ରସର ହୋଇଯାଇଥିଲା ।

ଅନେକଙ୍କ ପ୍ରେମକାହାଣୀ ବୋଧହୁଏ ଏହିପରି ଯାହା ଅସମ୍ପୂର୍ଣ୍ଣ ହୋଇ ରହିଯାଏ । ସାରୀର ପଞ୍ଜୁରୀ ପରି ଅନେକଙ୍କ ଭଲପାଇବାରେ ବାଧାବିଘ୍ନର ଅନ୍ଧକାର ଛାୟା ମାଡ଼ିହୋଇ ରହିଥାଏ । ମୁକ୍ତ ଆକାଶର ସେହି ଶୁଆକୁ ପାଇବାର ଇଚ୍ଛା ପ୍ରକାଶ କରୁଥିବା ସେହି ପଞ୍ଜୁରି ଭିତର ସାରୀ ନିଜ ମନକୁ କଷ୍ଟ ଦେଇ ତା’ର ମନର କଥାକୁ ସବୁଦିନ ପାଇଁ ଅକୁହା କଥା କରିସାରିଥାଏ । ପ୍ରକୃତ ଭଲପାଇବା ବୋଧହୁଏ ନିସ୍ତବ୍ଧ ଅନ୍ଧାର ମଧ୍ୟରେ ସମାପ୍ତ ହୋଇଯାଏ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu